ଲମ୍ବା ବାଳ
ଲମ୍ବା ବାଳ ଏକ ପ୍ରକାର କେଶବିନ୍ୟାସ ଶୈଳୀ ଯେଉଁଥିରେ ମୁଣ୍ଡର ବାଳକୁ ଅନେକ ଲମ୍ବ ଯାଏଁ ବଢ଼ିବାକୁ ଦିଆଯାଇଥାଏ । ଏହାର ପରିଭାଷା ସଭ୍ୟତା ଓ ସଂସ୍କୃତିକୁ ଧରି ଭିନ୍ନଭିନ୍ନ ହୋଇପାରେ । ଉଦାହରଣସ୍ୱରୂପ, କେତେଟି ସଭ୍ୟତାରେ ନାରୀଟିଏ ଥୋଡ଼ି ଯାଏଁ ବାଳ ରଖିଲେ ତାକୁ ଛୋଟ ବୋଲି ଧରାଯାଏ କିନ୍ତୁ ଜଣେ ପୁରୁଷ ସେତିକି ବାଳ ରଖିଲେ ତାକୁ ଲମ୍ବା ବୋଲି ଧରାଯାଏ ।
ପୁରୁଷମାନଙ୍କ ମୁଣ୍ଡର ବାଳକୁ ଛୋଟ କରି ରଖିବା ସେମାନଙ୍କ ସମାଜର ନିୟମ ଅନୁସାରେ ଚାଲୁଥିବାର ଗୋଟିଏ ଲକ୍ଷଣ ଭାବେ ଦେଖାଯାଏ । ଏହାର ଉଦାହରଣ ହେଲା ସେନାରେ ସୈନିକମାନେ ବା କଏଦୀମାନେ ଛୋଟ କରି ଚୁଟି କାଟିବା । ନାରୀର ଲମ୍ବା କେଶ ରଖିବା ସାଧାରଣତଃ ଆକର୍ଷଣୀୟ ବୋଲି ଧରାଯାଏ ।[୧][୨]
ବିଶ୍ୱରେ ଟ୍ରାଇକୋଫିଲିଆ ସମଗ୍ର ଜନସଂଖ୍ୟାର ୭ ପ୍ରତିଶତରେ ପରିଦୃଷ୍ଟ ଓ ଲମ୍ବା ବାଳ ପ୍ରତି ବିଶେଷ ଆକର୍ଷଣ ଏହାର ଏକ ସାଧାରଣ ଲକ୍ଷଣ ।[୩][୪]
ଜୀବବୈଜ୍ଞାନିକ ମହତ୍ତ୍ୱ
[ସମ୍ପାଦନା]ମଣିଷ, ଘୋଡ଼ା ଓ ଓରାଙ୍ଗୁଟାନ ଭଳି କେତେକ ପ୍ରଜାତିରେ ମୁଣ୍ଡର ବାଳକୁ ଅତ୍ୟନ୍ତ ଲମ୍ବା କରି ରଖିବା ଦେଖାଯାଏ । ପ୍ରାୟ ୨୦ରୁ ୩୦ ଲକ୍ଷ ବର୍ଷ ତଳେ ମଣିଷର ଦେହରୁ ଲୋମ ଝଡ଼ିଯାଇଥିବା କୁହାଯାଏ । ଏହାଦ୍ୱାରା ଶରୀରର ତାପମାତ୍ରା ଅତ୍ୟଧିକ ହେଉନଥିଲା ଓ ଫଳତଃ ତୀବ୍ର ଗତିରେ ଦଉଡ଼ି ବଣମଣିଷ ଆହୁରି ସହଜରେ ଅନ୍ୟାନ୍ୟ ପଶୁଙ୍କ ଶିକାର କରିପାରୁଥିଲା । ଶରୀର ସମସ୍ତ ଲୋମ ଝଡ଼ିବା ସତ୍ତ୍ୱେ ମୁଣ୍ଡରେ ଚୁଟି ରହିଲା । ଏହାର କାରଣ ହେଲା ଯେ ଏହି ଚୁଟି ମସ୍ତିଷ୍କକୁ ସୂର୍ଯ୍ୟର ତାପ, ଅଲଟ୍ରାଭାୟୋଲେଟ କିରଣ ଓ ରେଡିଅସନରୁ ସୁରକ୍ଷା ପ୍ରଦାନ କରିଥାଏ ।
ବୈଜ୍ଞାନିକଙ୍କ ମତରେ ଅତି ଲମ୍ବା ବାଳ ବଢ଼ାଇପାରୁଥିବା ଯୌନ ନିର୍ବାଚନର (sexual selection) ଲକ୍ଷଣ ବୋଲି ମତ ଦିଅନ୍ତି । ଲମ୍ବା ଓ ଘନ କେଶ ଯୌବନ ଓ ପ୍ରଜନନ ଶକ୍ତିର ପରିଚାୟକ ।[୫]
ମନୋବୈଜ୍ଞାନିକ ମହତ୍ତ୍ୱ
[ସମ୍ପାଦନା]ନୃତତ୍ତ୍ୱ ଗବେଷକଙ୍କ ମତରେ ଲମ୍ବା ବାଳର କାରଣ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ହୋଇପାରେ । ଏହା ଦ୍ୱିତୀୟ ପର୍ଯ୍ୟାୟରେ ନାଚୁରାଲ ସିଲେକ୍ସନ ଯୋଗୁଁ ଘଟିଥାଇପାରେ; ଶରୀରର ସମସ୍ତ ଲୋମ ଝଡ଼ିପଡ଼ିବା ପରେ ଶିରର ବାଳ ସୌନ୍ଦର୍ଯ୍ୟ ବଢ଼ାଇବାରେ ସହାୟକ ହୋଇପାରେ । ଏହା ଛଡ଼ା ଅନ୍ୟ ଏକ ସମ୍ଭାବନା ଫିଶେରିଆନ ରନଆୱେ ସେକ୍ସୁଆଲ ସିଲେକ୍ସନରୁ ପ୍ରାପ୍ତ ହୁଏ । ଏହା ଅନୁଯାୟୀ ଲମ୍ବା ଓ ଚିକ୍କଣ ବାଳ ଏକ ସୁସ୍ଥ ସବଳ ବ୍ୟକ୍ତିର ଚିହ୍ନ । କେତେକ ପ୍ରଜାତି ବା ବ୍ୟକ୍ତିଙ୍କ ପାଇଁ କିନ୍ତୁ ଅଳ୍ପ ବାଳ ବଛା ଟ୍ରେଟ ହୋଇପାରେ ।[୫]
ସାତରୁ ନଅ ମାସ ଭିତରେ ବାଳକମାନେ ବାଳ, କଣ୍ଠର ତୀବ୍ରତା ଓ ମୁହଁ ଦେଖି ଉଭୟ ଲିଙ୍ଗଙ୍କୁ ଚିହ୍ନିପାରନ୍ତି ।[୬]
ସାଂସ୍କୃତିକ ମହତ୍ତ୍ୱ
[ସମ୍ପାଦନା]କେତେକ ପନ୍ଥାରେ ବାଳର ଲମ୍ବକୁ ପୂର୍ବରୁ ନିର୍ଦ୍ଧାରିତ କରାଯାଇଥାଏ । ବୌଦ୍ଧ ସନ୍ଥମାନେ ଧର୍ମର ଅଂଶଭାବେ ଚୁଟି କାଟି ଲଣ୍ଡା ମୁଣ୍ଡ ରଖନ୍ତି ।[୭] ଅଧିକାଂଶ ହିନ୍ଦୁ ଓ ସିଖ ଧର୍ମାବଲମ୍ବୀ ଲମ୍ବା ବାଳ ରଖିବା ସାଧୁସନ୍ଥଙ୍କ ଲକ୍ଷଣ ମନେ କରନ୍ତି ।[୮]
ପୁରୁଣା କାଳରୁ ପୂର୍ବ ଏସିଆର ସଂସ୍କୃତିରେ ନାରୀର ମୁକୁଳା ବାଳକୁ ଯୌନ ପିପାସାର ଚିହ୍ନ ଭାବେ ଦେଖିଥାଆନ୍ତି । ଏହି ହେତୁରୁ ସେହି ଅଞ୍ଚଳର ନାରୀମାନେ ଅଧିକାଂଶ ସମୟ ବାଳକୁ ଖୋସା କରି କିମ୍ବା ବେଣୀ ପକାଇ ବାନ୍ଧି ରଖନ୍ତି ।[୯]
ଖ୍ରୀଷ୍ଟଧର୍ମ
[ସମ୍ପାଦନା]ଓଲ୍ଡ ଟେଷ୍ଟାମେଣ୍ଟ ଅନୁସାରେ ନାଜିରାଇଟମାନେ ଅନେକ ସମୟ ଯାଏଁ ବାଳକୁ ନ କାଟି ରଖୁଥିଲେ । ଏହା ଈଶ୍ୱରଙ୍କ ପ୍ରତି ଭକ୍ତିଭାବର ଚିହ୍ନ ଥିଲା ।[୧୦]
ପଶ୍ଚିମୀ ସଭ୍ୟତା
[ସମ୍ପାଦନା]ପୁରାତନ ଗ୍ରୀସ ଓ ରୋମ
[ସମ୍ପାଦନା]ପୁରାତନ ଗ୍ରୀସରେ ଲମ୍ବା ବାଳ ଧନ ଓ ବଳର ଚିହ୍ନ ଥିଲା । ଲଣ୍ଡା ମୁଣ୍ଡ ଦାସମାନଙ୍କ ଲାଗି ଉଦ୍ଦିଷ୍ଟ ଥିଲା । ପୁରାତନ ଗ୍ରୀସର ଅନେକ ଦେବାଦେବୀ ଲମ୍ବା ବାଳ ରଖି ଚିତ୍ରିତ କରାଯାଆନ୍ତି, ଯେପରି ଜିଅସ, ଅକିଲିସ, ଆପୋଲୋ ଓ ପୋଜାଇଡନ । ଗ୍ରୀକ ସୈନିକମାନେ ଲମ୍ବା ବାଳ ରଖୁଥିବା ଉଲ୍ଲେଖ ରହିଛି । ସେମାନଙ୍କ ପାଇଁ ବାଳର ଲମ୍ବ ବଡ଼ପଣିଆର ଲକ୍ଷଣ ଥିଲା ଓ ବାଳକୁ ବାରମ୍ବାର କୁଣ୍ଡେଇବା ଏକ ପ୍ରକାର ପ୍ରଦର୍ଶନାତ୍ମକ ଢଙ୍ଗ ଥିଲା । ଶତ୍ରୁଙ୍କୁ ଦୂରରେ ରଖିବା ପାଇଁ ଯୋଦ୍ଧାମାନେ ମୁହଁର ସାମନା ପଟେ ଚୁଟି ଛୋଟ ରଖୁଥିଲେ କିନ୍ତୁ ମୁଣ୍ଡ ପଛପଟେ ଲମ୍ବା କରି ରଖୁଥିଲେ । ଏହା ଯୋଗୁଁ ଶତ୍ରୁ ତାଙ୍କ ଚୁଟି ଧରିପାରୁନଥିଲେ । କିନ୍ତୁ ଷଷ୍ଠ ଶତାବ୍ଦୀ ବେଳକୁ ଗ୍ରୀକର ପୁରୁଷମାନେ ବାଳକୁ ଛୋଟ କରି ରଖିବା ଆରମ୍ଭ କଲେ । ସ୍ପାର୍ଟାର ଲୋକେ ପୂର୍ବ ଭଳି ଲମ୍ବା କେଶ ରଖୁଥିଲେ । ନାରୀମାନେ ମଧ୍ୟ ପୂର୍ବ ଭଳି ଲମ୍ବା କେଶ ରଖୁଥିଲେ । ତାଙ୍କ ପକ୍ଷରେ ଏହା ସ୍ୱତନ୍ତ୍ରତା, ସ୍ୱାସ୍ଥ୍ୟ, ସଦାଚରଣ ଓ ଧନସମ୍ପତ୍ତିର ପ୍ରତୀକ ଥିଲା । ଏହି ସମୟ ବେଳେ ପୁରୁଷଙ୍କ ପାଇଁ ଲମ୍ବା ବାଳ ରଖିବା ମତ୍ତଗର୍ବର ଚିହ୍ନ ଭାବେ ଗୃହୀତ ହୋଇସାରିଥିଲା ।[୧୧][୧୨]
ମଧ୍ୟଯୁଗ
[ସମ୍ପାଦନା]ଗେଲିକ ଆଇରିଶ[୧୩] ନର ଓ ନାରୀମାନେ ନିଜ ଲମ୍ବା ବାଳକୁ ନେଇ ଗର୍ବ କରୁଥିଲେ । ଜଣେ ପୁରୁଷର ଇଚ୍ଛାବିରୁଦ୍ଧରେ ତା ଚୁଟି କାଟିବା ଦଣ୍ଡନୀୟ ଅପରାଧ ଥିଲା ।[୧୪] ଆଙ୍ଗ୍ଲୋ-ନର୍ମାନ ଓ ଇଂରେଜ ଆୟରଲାଣ୍ଡରେ ଶାସନ ବିସ୍ତାର କଲାବେଳେ ବାଳର ଲମ୍ବ ବ୍ୟକ୍ତିର ସାହସ ସୂଚାଉଥିଲା । ଯେଉଁ ଆଇରିଶ ପୁରୁଷେ ଚୁଟିକୁ ଛୋଟ କରି କାଟୁଥିଲେ ସେମାନେ ଇଂରେଜଙ୍କ ସମ୍ମୁଖରେ ନତମସ୍ତକ ହୋଇଯାଇଛନ୍ତି ବୋଲି ବୁଝାଯାଉଥିଲା ।
ମିଡିଲ ଇଷ୍ଟ
[ସମ୍ପାଦନା]ଇସଲାମ
[ସମ୍ପାଦନା]ପୂର୍ବକାଳରେ ବେଡୁଇନ ମୁସଲିମମାନେ ଲମ୍ବା ବେଣୀ କରି ବାଳ ରଖୁଥିଲେ । ପଶ୍ଚିମୀ ସଭ୍ୟତାର ପ୍ରଭାବରେ ଲମ୍ବା ବାଳ ପ୍ରତି ଲୋକଙ୍କ ଦର୍ଶନରେ ପରିବର୍ତ୍ତନ ଘଟିଛି । ସେହି କାରଣରୁ ଏବେ ଅଳ୍ପ ଲୋକ ହିଁ ଲମ୍ବା ବାଳ ରଖିପାରୁଛନ୍ତି ।[୧୫]
ଏସିଆ
[ସମ୍ପାଦନା]ଇତିହାସରେ ଏସୀୟ ପରମ୍ପରାଗୁଡ଼ିକରେ ଲମ୍ବା ବାଳ ଯୌବନ ଓ ସୌନ୍ଦର୍ଯ୍ୟର ଦୃଷ୍ଟିକୋଣରୁ ଦେଖାଯାଇଛି । ସ୍ତ୍ରୀଙ୍କ ମୁକୁଳା କେଶକୁ ଯୌନ ପିପାସାର ଚିହ୍ନ ଭାବେ ଦେଖାଯାଏ ।[୯] ଏଣୁ ବୌଦ୍ଧ ଭିକ୍ଷୁମାନେ ଲଣ୍ଡା ମୁଣ୍ଡ ରଖନ୍ତି ।[୧୬]
ଚୀନ
[ସମ୍ପାଦନା]ଚୀନ ଓ କୋରିଆରେ ବାଳକୁ ବାପା ମାଆ ଦେଇଥିବା ସମ୍ପତ୍ତି ଭାବେ ଦେଖାଯାଉଥିଲା । ଅଧିକାଂଶ ଲୋକେ ଆଦୌ ଚୁଟି କାଟୁନଥିଲେ ଓ ନିଜ ଚୁଟି କଟାଇବା ଏକ ଅପରାଧ ଥିଲା । ପୁରୁଷ ଓ ସ୍ତ୍ରୀ ଉଭୟ ବାଳକୁ ନାନା କୌଶଳରେ ବାନ୍ଧି ରଖୁଥିଲେ ଏଣୁ ବିଭିନ୍ନ କେଶବିନ୍ୟାସ ଶୈଳୀ ଉତ୍ପନ୍ନ ହେଲା ।
ଜାପାନ
[ସମ୍ପାଦନା]ମଧ୍ୟଯୁଗୀୟ ଜାପାନରେ ପୁରୁଷମାନେ ନାରୀଙ୍କ ଶାରୀରିକ ସୌନ୍ଦର୍ଯ୍ୟକୁ ଦେଖିବାର ଅଳ୍ପ ସୁଯୋଗ ହିଁ ପାଉଥିଲେ । ଏଣୁ ବାଳର ଲମ୍ବ ଦେଖି ସେମାନେ ତାଙ୍କୁ ପରଖୁଥିଲେ । ମୋଟା ଓ ଲମ୍ବମାନ ବାଳ ସୌନ୍ଦର୍ଯ୍ୟର ଲକ୍ଷଣ ଥିଲା । ଏଥି ନିମନ୍ତେ ସ୍ତ୍ରୀମାନେ ସଂସାର ଛାଡ଼ି ସନ୍ନ୍ୟାସିନୀ ହେଲେ ସେହି ନିର୍ଣ୍ଣୟକୁ ଅତ୍ୟନ୍ତ ଗମ୍ଭୀର ଭାବେ ଧରାଯାଉଥିଲା, ଯେହେତୁ ଥରେ କାଟିଦେଲା ପରେ ସ୍ତ୍ରୀର ବାଳ ପୁନଃ କେବେହେଲେ ସେତିକି ଲମ୍ବ ଯାଏଁ ବଢ଼ିବ ନାହିଁ ।
ସିଖ ଧର୍ମ
[ସମ୍ପାଦନା]ସିଖ ଧର୍ମର ପାଞ୍ଚଗୋଟି କ-କାରରୁ କେଶ ଅନ୍ୟତମ । ଏଣୁ କେଶକୁ ବଢ଼ାଇବା ଭଗବାନଙ୍କ ପ୍ରତି ଭକ୍ତି ଓ ସାଂସାରିକ ମୋହମାୟାରେ ପତିତ ନ ହେବାର ଚିହ୍ନ ଥିଲା ।[୧୭] ୧୬୯୯ ମସିହାର ବୈଶାଖୀରେ ଅମୃତସଞ୍ଚାର ବେଳେ ଗୁରୁ ଗୋବିନ୍ଦ ସିଂହ ସେମାନଙ୍କୁ ପାଞ୍ଚଗୋଟି କକାରର ଉପଦେଶ ଦେଇଥିଲେ । ଏହି ବାହ୍ୟ ସଙ୍କେତଗୁଡ଼ିକୁ ଦେଖି ଜଣେ ସିଖ ଧର୍ମାବଲମ୍ବୀର ଗୁରୁଙ୍କ ପ୍ରତି ନିଷ୍ଠା ପରଖି ହେଉଥିଲା । ଏହି ମଧ୍ୟରୁ 'କେଶ' ପ୍ରମୁଖ ।
ଆଧାର
[ସମ୍ପାଦନା]- ↑ Buss, David M. (2005). The handbook of evolutionary psychology. John Wiley and Sons. p. 309. ISBN 978-0-471-26403-3.
- ↑ Bereczkei, T. (2007). "Hair length, facial attractiveness, personality attribution; A multiple fitness model of hairdressing". Review of Psychology. 13 (1): 35–42.
- ↑ Scorolli, C; Ghirlanda, S; Enquist, M; Zattoni, S; Jannini, E A (2007). "Relative prevalence of different fetishes". International Journal of Impotence Research. 19 (4): 432–7. doi:10.1038/sj.ijir.3901547. PMID 17304204.
- ↑ "Heels top the global fetish leader board". England.
- ↑ ୫.୦ ୫.୧ Watson, James (2005). Darwin: the Indelible Stamp; the Evolution of an Idea. Philadelphia: Running Press. p. 1042. ISBN 0-7624-2136-3.
- ↑ Williams, Simon Johnson; Birke, Lynda I. A.; Bendelow, Gillian (2003). Debating biology: sociological reflections on health, medicine, and society. Routledge. p. 130. ISBN 0-415-27903-8.
- ↑ Leach, E. R. (July 1958). "Magical Hair". Journal of the Royal Anthropological Institute. 88 (2): 147–164. doi:10.2307/2844249. JSTOR 2844249.
- ↑ Fowler, Jeaneane (1997). World Religions: an Introduction for Students. Brighton: Sussex Academic Press. p. 352. ISBN 1-898723-48-6.
- ↑ ୯.୦ ୯.୧ Maynard, Margaret (2004), Dress and Globalisation, Manchester: Manchester University Press, p. 104, ISBN 0-7190-6389-2
- ↑ ଛାଞ୍ଚ:Bibleverse, ଛାଞ୍ଚ:Bibleverse
- ↑ Irwin, M. Eleanor (Oct 1990). "Odysseus' "Hyacinthine Hair" in 'Odyssey' 6.231". Phoenix. 44 (3): 205–218. doi:10.2307/1088933. JSTOR 1088933.
- ↑ Nicolson, Frank W. (1891). "Greek and Roman Barbers". Harvard Studies in Classical Philology. 2: 41–56. JSTOR 310326.
- ↑ Connolly, Sean J (2007). "Prologue". Contested island: Ireland 1460–1630. Oxford University Press. p. 7.
- ↑ The Brehon Laws: A Legal Handbook: Chapter VII, Laurence Ginnell (1894)
- ↑ Massad, Joseph (2001), Colonial Effects, New York: Columbia University Press, pp. 137–140, 208–210, ISBN 0-231-12322-1
- ↑ Leach, E. R. (July 1958). "Magical Hair". Journal of the Royal Anthropological Institute. 88 (2): 147–164. doi:10.2307/2844249. JSTOR 2844249.
- ↑ Fowler, Jeaneane (1997). World Religions: an Introduction for Students. Brighton: Sussex Academic Press. p. 352. ISBN 1-898723-48-6.