ରୋଷଶାଳା
ଶ୍ରୀଜଗନ୍ନାଥ ହେଉଛନ୍ତି ବ୍ରହ୍ମାଣ୍ଡର ଦେବତା । ତାଙ୍କର ରୋଷଶାଳାକୁ ବିଶ୍ୱର ସବୁଠୁ ବଡ଼ ରୋଷଶାଳା ଭାଗରେ ଗ୍ରହଣ କରାଯାଏ ।[୧] ଶ୍ରୀମନ୍ଦିରର ବାହାରପାର୍ଶ୍ୱର ଦକ୍ଷିଣ-ପୂର୍ବଦିଗରେ ମହାପ୍ରଭୁଙ୍କର ଏହି ପବିତ୍ର ରୋଷଶାଳ ଅବସ୍ଥିତ । ପ୍ରବାଦ ଅନୁସାରେ ମାଆ ମହାଲକ୍ଷ୍ମୀ ଏହି ରୋଷଶାଳାରେ ମହାପ୍ରଭୁଙ୍କ ପାଇଁ ରୋଷେଇ କରନ୍ତି । ଏହି ମନ୍ଦିରରେ ପ୍ରସ୍ତୁତ ପ୍ରସାଦରେ ଏମିତି ଶୁଦ୍ଧ ଏବଂ ଅଲୌକିକ ଶକ୍ତି ଥାଏ ଯେ, ପ୍ରସ୍ତୁତ କରୁଥିବା ଲୋକ ଏବଂ ପ୍ରସାଦ ସେବନ କରୁଥିବା ଲୋକ ଏହାକୁ ଜାଣିପାରିବ ।[୨] ଏହି ରୋଷଶାଳାର ଏକକ ଗୁଣ ହେଉଛି ଯେ, ପାଟି ପାତ୍ରଗୁଡ଼ିକ ଚୁଲୀ ଉପରେ ଗୋଟିକ ପରେ ଗୋଟିଏ କରି ୭ଟି ଲେଖାଏଁ ବସାଯାଏ । ଏବଂ ସବୁଠାରୁ ଉପରେ ଥିବା ପାତ୍ରଟିର ପ୍ରସାଦ ପ୍ରଥମେ ହିଁ ପ୍ରସ୍ତୁତ ହୋଇଥାଏ ।[୩]
ଅବସ୍ଥିତି ଏବଂ ଆକାର
[ସମ୍ପାଦନା]ପୁରୁଣା ରୋଷଶାଳ ସତ୍ୟନାରୟଣ ମନ୍ଦିର ପଛ ଦକ୍ଷିଣ କୋଣରେ ଥିଲା । ଜାଗାର ଅଭାବ ଯୋଗୁଁ ବର୍ତ୍ତମାନର ରୋଷେଶାଳାଟି ଦିବ୍ୟସିଂହଦେବ(୧୬୮୨-୧୭୧୩)ଙ୍କ ରାଜତ୍ୱ କାଳରେ ନିର୍ମାଣ କରାଯାଇଥିଲା । ରୋଷଶାଳାର ଗଳିଟି ନାଟମନ୍ଦିରକୁ ଲାଗି ୧୭୨୦ରୁ ୧୭୨୫ ମଧ୍ୟରେ ନିର୍ମାଣ ହୋଇଥିଲା । ସତ୍ୟନାରାୟଣ ମନ୍ଦିରକୁ ଲାଗି ଏକ ସହୟକ ରୋଷେଇଶାଳା ଏବ ମଧ୍ୟ ଅଛି । ସେଠାରେ ଲକ୍ଷ୍ମୀ ଏବଂ ସୂର୍ଯ୍ୟଙ୍କର ବିଶେଷ ରୋଷେଇଶାଳା ଅଛି ।
ଏହି ରୋଷଶାଳାର ଲମ୍ବ ୧୫୦ଫୁଟ, ପ୍ରସ୍ଥ ୧୦୦ଫୁଟ ଏବଂ ଉଚ୍ଚତା ୨୦ଫୁଟ । ରୋଷଶାଳାରେ ୩୨ଟି ବଖରା ରହିଛି ଯେଉଁଥିରେ ୨୫୦ଟି ମାଟି ଚୁଲୀ ରହିଛି । ରୋଷଶାଳାରେ ଥିବା ୨୫୦ ଚୁଲୀକୁ ଅନ୍ନ ଚୁଲୀ, ଅହିଆ ଚୁଲୀ ଏବଂ ପିଠା ଚୁଲୀ ଭଳି ତିନି ଭାଗରେ ବିଭକ୍ତ କରାଯାଇଛି । ଅନ୍ନ ପ୍ରସ୍ତୁତ କରାଯାଉଥିବା ଚୁଲୀର ଲମ୍ବ ୪ଫୁଟ, ପ୍ରସ୍ଥ ୨.୫ଫୁଟ ଏବଂ ଉଚ୍ଚତା ୨ଫୁଟ । ଦୁଇଟି ଅନ୍ନ ଚୁଲୀ ମଧ୍ୟରେ ଥିବା ଲମ୍ବାଳିଆ ଦୂରତାକୁ ଅହିଆ କୁହାଯାଏ । ଅହିଆ ଚୁଲୀରେ ସମସ୍ତପ୍ରକାରର ଡାଲି ଏବଂ ତରକାରୀ ପ୍ରସ୍ତୁତ କରାଯାଏ । ଶ୍ରୀଜଗନ୍ନାଥଙ୍କର ରୋଷଶାଳାରେ ମାତ୍ର ୧୦ଟି ପିଠା ଚୁଲୀ ରହିଛି ଯାହାକି ସିମେଣ୍ଟରେ ତିଆରି ହୋଇଛି । ଏହି ରୋଷଶାଳାର ନିଆଁକୁ ବୈଷ୍ଣବ ଅଗ୍ନି କୁହାଯାଏ, କାରଣ ଏହା ଶ୍ରୀଜଗନ୍ନାଥଙ୍କର ରୋଷେଇଘରର ଅଗ୍ନି ଯାହାକି ସ୍ୱୟଂ ଭଗବାନ ବିଷ୍ଣୁଙ୍କର ସେବାରେ ଲାଗେ । ଏହି ନିଆଁ କେବେ ବାହାରକୁ ଆସେ ନାହିଁ ।
ରୋଷଶାଳା ପ୍ରାଙ୍ଗଣରେ ଗଙ୍ଗା ଏବଂ ଯମୁନା ନାମରେ ଦୁଇଟି କୂଅ ଅଛି ଯାହାକି ରୋଷେଇ କାର୍ଯ୍ୟରେ ବ୍ୟବହୃତ ଜଳ ଯୋଗାଇଥାଏ । କୂଅଦୁଇଟିର ୨୦ମିଟର ଓସାରର ଏବଂ ୧୦୦ ଫୁଟ ଲମ୍ବର ।
କିମ୍ବଦନ୍ତୀ
[ସମ୍ପାଦନା]ଚାରିଧାମ ପୁରୀ, ରାମେଶ୍ୱର, ଦ୍ୱାରିକ ଏବଂ ବଦ୍ରିନାଥରେ ଭବବାନ ବିଷ୍ଣୁ ଅଙ୍ଗାଅଙ୍ଗୀଭାବେ ଜଡ଼ିତ ବୋଲି ବିଶ୍ୱାସ ରହିଛି । କୁହାଯାଏ ଯେ, ଭଗବାନ ବିଷ୍ଣୁ ରାମେଶ୍ୱରରେ ସ୍ନାନ କରି ବଦ୍ରିନାଥରେ ଧ୍ୟାନ କରନ୍ତି । ଏବଂ ଭୋଜନ ପାଇଁ ପୁରୀକୁ ଆସିଥାନ୍ତି । ଏହା ପରେ ଦ୍ୱାରିକାରେ ବିଶ୍ରାମ ନିୟନ୍ତି । ସେଥିପାଇଁ ପୁରୀରେ ପ୍ରସ୍ତୁତ ପ୍ରସାଦ ସାଧାରଣ ପ୍ରସାଦ ନୁହେଁ, ମହାପ୍ରସାଦ ।[୪] ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଏହି ମହାପ୍ରସାଦ ସ୍ୱୟଂ ମହାଲକ୍ଷ୍ମୀ ରୋଷଶାଳାରେ ରୋଷେଇ କରନ୍ତି ବୋଲି ବିଶ୍ୱାସ ରହିଛି । ଯେହେତୁ ରଥଯାତ୍ର ପୂର୍ବରୁ ଅଣସର ସମୟରେ ମହାଲକ୍ଷ୍ମୀ ରୋଷେଇ ଶାଳାକୁ ଆସନ୍ତି ନାହିଁ, ସେଥିପାଇଁ ସେହି ସମୟରେ ସେଠାରେ ରୋଷେଇ ହେଉଥିବା ପ୍ରସାଦର ସ୍ୱାଦ କମିଯାଏ । ରଥଯାତ୍ରା ସମୟରେ ଯେତେବେଳେ ଭଗବାନ ଜଗନ୍ନାଥ ଶ୍ରୀଗୁଣ୍ଡିଚା ଘରେ ଥାଆନ୍ତି, ସେହିସମୟରେ ଦେବୀଙ୍କର ରୋଷେଇରେ ମନ ଲାଗେନି ଯାହାଫଳରେ ପ୍ରସ୍ତୁତ ହେଉଥିବା ପ୍ରସାଦ ସ୍ୱାଦହୀନ ହୋଇଯାଏ । ଏହା ମଧ୍ୟ କୁହାଯାଇଛି ଯେ, ଯଦି ମାତା ଲକ୍ଷ୍ମୀ ରୋଷେୟାଙ୍କଦ୍ୱାରା ପ୍ରସ୍ତୁତ ରୋଷେଇରେ ଖୁସି ନ ହୁଅନ୍ତି ତେବେ ରହସ୍ୟମୟ ଭଙ୍ଗୀରେ ଶ୍ରୀମନ୍ଦିରର ପଡ଼ିଆରେ ଏକ କୁକୁର ଦେଖାଦିଏ । ଯଦି ଏପରି ଭାବେ କେବେ କୁକୁର ଦେଖାଦିଏ, ତେବେ ପ୍ରସ୍ତୁତ ପ୍ରସାଦକୁ ନଷ୍ଟ କରିଦିଆଯାଏ ଏବଂ ପୁଣିଥରେ ମହାପ୍ରସାଦ ପ୍ରସ୍ତୁତି କରାଯାଏ । ଯେହେତୁ ଶ୍ରୀମନ୍ଦିର ଭିତରକୁ କୌଣସି କୁକୁରକୁ ପ୍ରବେଶ ନାହିଁ, ସେଥିପାଇଁ ଏହି କୁକୁରକୁ କୁତମ୍ମା ଚଣ୍ଡି ବୋଲି କୁହାଯାଏ ଯିଏକି ଖାଦ୍ୟର ଶୁଦ୍ଧିକରଣ ଯାଞ୍ଚ କରିବାର ଦାୟିତ୍ୱ ନେଇଛନ୍ତି ।
ଏଠାରେ ପ୍ରସ୍ତୁତ ପ୍ରସାଦ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗଲାଗି ହୁଏ ଓ ତା'ପରେ ମାଆ ବିମଳାଙ୍କ ପାଖରେ ଭୋଗ ଲାଗେ ଏବଂ ଏହା ମହାପ୍ରସାଦରେ ପରିଣତ ହୁଏ । ଏହି ମହାପ୍ରସାଦକୁ ଅନ୍ନବ୍ରହ୍ମ ବୋଲି କୁହାଯାଏ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ମହାପ୍ରସାଦକୁ ଗ୍ରହଣ କରିଥାନ୍ତି । ଭୋଗଲାଗି ହେବା ପୂରାବରୁ ଯେତେବେଳେ ଏହି ପ୍ରସାଦ ବୁହାହୋଇଯାଇଥାଏ, ସେତେବେଳେ ତା' ମଧ୍ୟରୁ କୌଣସି ବାସ୍ନା ଆଶେ ନାହିଁ, କିନ୍ତୁ ଭୋଗଲାଗି ହେଲା ପରେ ଯେତେବେଳେ ମନ୍ଦରରୁ ଏହା ବାହାରକୁ ଆସେ ସେତେବେଳେ ଏଥିରୁ ଭାସିଆଶେ ବିଭିନ୍ନ ସ୍ୱାଦର ବାସ୍ନା । ଆନନ୍ଦ ବଜାରରେ ଏହି ମହାପ୍ରସାଦର ବିକ୍ରୟ କରାଯାଏ ।[୫] ମନ୍ଦିରରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ କୌଣସି ଦିନ ବି ନଷ୍ଟ ହୁଏ ନାହିଁ ।[୬]
ରୋଷଶାଳାରେ ପାଳୁଥିବା ନିୟମ
[ସମ୍ପାଦନା]ରୋଷଶାଳାରେ ପ୍ରତିଦିନ ମହାପ୍ରସାଦ ପ୍ରସ୍ତୁତ କରିବା ପାଇଁ ୬୦୦ ସୁଅର ସେବକ ଏବଂ ୪୦୦ ଜଣ ସହାୟତା କରିଥାନ୍ତି । ରୋଷେଇ ଆରମ୍ଭ କରିବା ପୂର୍ବରୁ ଏହି ସମସ୍ତ ସେବକମାନେ ପେଟଭରି ଖାଦ୍ୟଗ୍ରହଣ କରିଥାନ୍ତି, କାରଣ ଏହି ସେବକମାନେ ମହାପ୍ରସାଦ ତିଆରି କଲାବେଳେ ଯେମିତି ସେହି ପ୍ରସାଦ ପ୍ରତି ସେମାନଙ୍କର ଲୋଭ ନ ଆଶେ । ଏହି ସମସ୍ତ ସୁଅର ସେବକମାନେ ଲକ୍ଷ୍ମୀଙ୍କର ସ୍ୱରୂପାବୋଲି ବିଶ୍ୱାସ କରାଯାଏ ।
ଏହି ରୋଷଶାଳରେ କାର୍ଯ୍ୟକରୁଥିବା ସମସ୍ତ ସେବକମାନେ ୧୨ ବର୍ଷ ବୟସରୁ ହିଁ ରୋଷେଇ ପଦ୍ଧତି ଶିକ୍ଷା କରିଥାନ୍ତି ଏବଂ ବହୁତ ବୟସ୍କ ହେବା ଯାଏଁ ସେମାନେ ଏଠାରେ ରୋଷେଇ କରୁଥାନ୍ତି ।[୭]
ରୋଷଶାଳାରେ ପ୍ରସ୍ତୁତ ମହାପ୍ରସାଦ
[ସମ୍ପାଦନା]ଶ୍ରୀମନ୍ଦିରର ରୋଷଶାଳାରେ ମୁଖ୍ୟତଃ ଚାରିପ୍ରକାର ପ୍ରସାଦ ପ୍ରସ୍ତୁତ କରାଯାଏ । ସେଗୁଡ଼ିକ ହେଲା, ଭିମପାକ, ନାଳପାକ, ସୌରୀପାକ ଏବଂ ଗୌରୀପାକ । ଭୀମପାକରେ ପ୍ରସ୍ତୁତ ପ୍ରସାଦଯାକ ହେଲେ ବଡ଼ତିଅଣ, ଗୁଡ଼ଖୁଆର, ପାକଳ ନଡ଼ିଆ ରସ, ପୁରପିଠା, ବିରିପିଠା ଏବଂ ଗୁଡ଼କାଞ୍ଜି । ନାଳପାକରେ ପ୍ରସ୍ତୁତ ପ୍ରସାଦଯାକ ହେଲେ ଶକର, ତିଅଣଲାପରା, ଅଦଙ୍ଗ ଏବଂ ବିଭିନ୍ନ ପ୍ରକାରର ମିଠା ତୋରାଣିମାନ । ସୌରୀପାକରେ ପ୍ରସ୍ତୁତ ପ୍ରସାଦମାନ ହେଲା ମହୁର, ଦେଶିଆଳଭଜା, କଡ଼ାଲିଭଜା, ଅଦା ପାଚେଡ଼ି, ଘିଅଲବଙ୍ଗ ଏବଂ ବିଭିନ୍ନ ପ୍ରକାର ପଠି । ଗୌରୀପାକରେ ପ୍ରସ୍ତୁତ ପ୍ରସାଦମାନ ହେଲା ମୁଗତିଅଣ, ଲେଉଟିଆ, କୋଷଳା ଏବଂ ମଧୁର ଲଳିତା ଶାଗ ।
ଶ୍ରୀମନ୍ଦିରର ରୋଷଶାଳାରେ ଚାରିପ୍ରକାର ଅନ୍ନ ପ୍ରସ୍ତୁତ କରାଯାଏ । ସେଗୁଡ଼ିକ ହେଲା ସାଲି ଅନ୍ନ, ଖିର ଅନ୍ନ, ଦଧି ଅନ୍ନ ଏବଂ ଶିତଳ ଅନ୍ନ । ସୁନାଖିଲ ଚାଉଳ ସହ ଘିଅ ଏବଂ ଫଳଟଭା ଖରଦା ଲାଭନ ଆଦି ମିଶାଇ ସାଲି ଅନ୍ନ ପ୍ରସ୍ତୁତ କରାଯାଏ । ଖିର ଅନ୍ନ ପ୍ରସ୍ତୁତ କରିବା ପାଇଁ ବାସୁମତି ଚାଉଳ, ଗାଈ ଖିର, ଘିଅ ଏବଂ ଖରଦା ଲାଭନ ଆଦି ମିଶାଇକି ପ୍ରସ୍ତୁତ କରାଯାଏ । ସେହିଭଳି ସାଧା ଭାତରେ ଦହି ମିଶାଯାଇ ଦଧି ଅନ୍ନ ପ୍ରସ୍ତୁତ କରାଯାଏ । ଟଭାରସ ଏବଂ ଖରଦା ଲାଭନକୁ ଭାତ ସହ ମିଶାଯାଇ ଶିତଳ ଅନ୍ନ ପ୍ରସ୍ତୁତ କରାଯାଏ ।
ଏହି ରୋଷଶାଳାରେ ପ୍ରତିଦିନ ଛପନ ଭୋଗ ପ୍ରସ୍ତୁତ କରାଯାଏ ଏବଂ ମକର ସଂକ୍ରାନ୍ତିରେ ୮୬ ପ୍ରକାରର ଭୋଗ ପ୍ରସ୍ତୁତ କରାଯାଏ । ଏହି ରୋଷଶାଳାରେ ପ୍ରତିଦିନ ୨୫୦୦୦ ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହୁଏ କିନ୍ତୁ ବଡ଼ ବଡ଼ ପର୍ବପର୍ବାଣିରେ ଲକ୍ଷେ ଲୋକଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହୋଇଥାଏ ।[୮] ସେଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କର ଏହି ରୋଷଶାଳାକୁ ବିଶ୍ୱର ସବୁଠାରୁ ବଡ଼ ଭୋଜନାଳୟ ବୋଲି କୁହାଯାଏ, ଯେଉଁଠି ବିନା ସଂରକ୍ଷଣ କିମ୍ବା ପୂର୍ବ ବିଜ୍ଞପ୍ତିରେ ମଧ୍ୟ ସମସ୍ତଙ୍କୁ ଖାଦ୍ୟ ପରଷାଯାଏ ।
ରୋଷଶାଳା ପାଇଁ ଆବଶ୍ୟକ ସମସ୍ତ ବାଣିଜ୍ୟଦ୍ରବ୍ୟ ମହାଲକ୍ଷ୍ମୀ ହାଟରୁ ଆସିଥାଏ, ଯାହାକି ସୁଆର ନିଯୋଗ ସମବାୟ ସମିତିଦ୍ୱାରା ଚାଲିଛି । ରୋଷେଇ ପାଇଁ ବ୍ୟବହୃତ ସମସ୍ତ ମାଟି ପାତ୍ର କୁମ୍ଭକାର ନିଯୋଗ ସମିତିଦ୍ୱାରା ଯୋଗାଇଦିଆଯାଏ । କୁମ୍ଭାବରପଡ଼ା ଏବଂ ପାଖାପାଖି ଅଞ୍ଚଳର କୁମ୍ଭାରମାନେ ମନ୍ଦିରକୁ ଏହି ସବୁ ମାଟିପାତ୍ରମାନ ଯୋଗାଇଦେଇଥାନ୍ତି । ରୋଷଶାଳରେ ରୋଷେଇ ପାଇଁ ବ୍ୟବହୃତ ସମସ୍ତ ଜାଳେଣୀ ପୂର୍ବରୁ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଆସୁଥିଲା । ଜଙ୍ଗଲଗୁଡ଼ିକର ଜାତୀୟକରଣ ପରେ ରାଜ୍ୟ ଜଙ୍ଗଲ ବିଭାଗ ରୋଷେଇ କାର୍ଯ୍ୟ ପାଇଁ କାଠ ଯୋଗାଇ ଆସୁଛି ।
ଆଧାର
[ସମ୍ପାଦନା]- ↑ Das, Amogha. "The Kitchen of Lord Jagannath, Biggest in the World". Dandavatas. Retrieved 25 July 2016.
- ↑ "KITCHEN OF JAGANNATH TEMPLE". shreekhetra.com. Retrieved 25 July 2016.
- ↑ Panigrahi, Asutosh. "8 Wonders of the Jagannath Temple in Puri are as follows". Quora. Retrieved 25 July 2016.
- ↑ "Mahaprasad". Shree Jagannath Temple. Retrieved 25 July 2016.
- ↑ "Mahaprasad". Jagannath Temple Puri. Retrieved 25 July 2016.
- ↑ N, Manjunath. "Nine incredible facts about Puri Jagannath temple". ISKCON, Bangalore. Retrieved 25 July 2016.
- ↑ "Jagannath Puri". Hindu Pedia. Retrieved 25 July 2016.
- ↑ "Shree Jagannath Temple, Puri". Puri Police. Archived from the original on 29 February 2016. Retrieved 25 July 2016.