ରୁକ୍ମିଣୀ ବିବାହ

ଉଇକିପିଡ଼ିଆ ରୁ
Jump to navigation Jump to search

ଭଗବାନ ଶ୍ରୀକୃଷ୍ଣଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ହିନ୍ଦୁ ପୌରାଣିକ ମତରେ ରୁକ୍ମିଣୀ ବିବାହ ନାମରେ ଖ୍ୟାତ । ଏହି ପୌରାଣିକ ଘଟଣାର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ହିନ୍ଦୁ କୃଷ୍ଣ ମନ୍ଦିରରେ ଏହି ବିବାହ ଉତ୍ସବ ପାଳନ ହେଉଥିଲେ ହେଁ ପୁରୀ ଶ୍ରୀମନ୍ଦିରରେ ପାଳିତ ରୁକ୍ମିଣୀ ବିବାହର ଧାର୍ମିକ ପରମ୍ପରା ତଥା ମାନ୍ୟତା ଅନନ୍ୟ ଅଟେ ।

ପାଳନ ବିଧି[ସମ୍ପାଦନା]

ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପ୍ରାତଃକାଳୀନ ପୂଜା ସମାପ୍ତ ହେବା ପରେ ଦକ୍ଷିଣ ଘରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଆଣି ଶ୍ରୀଜଗନ୍ନାଥଙ୍କ ପାଖରେ ରଖି ଆଜ୍ଞା ମାଗି ନନ୍ଦିଘୋଷରେ ସ୍ଥାପନ କରାଯାଏ । ଯିଏ ରୁକ୍ମିଣୀ ସେ ହିଁ ଲକ୍ଷ୍ମୀ ଅଟନ୍ତି । ସେ ସର୍ବଦା କୃଷ୍ଣଙ୍କ ହୃଦୟରେ ଅଧିଷ୍ଠିତା ହୋଇରହିଛନ୍ତି । ତେଣୁ ଏହି ଭାବନାରେ ବର୍ତ୍ତମାନ ମନୁଷ୍ୟ ବିଗ୍ରହ ଧାରଣ କରି କୃଷ୍ଣ ରୂପରେ ଜାତ ହୋଇଥିବାରୁ ଲକ୍ଷ୍ମୀ ରୁକ୍ମିଣୀ ରୂପରେ ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା ପତ୍ନୀ ରୂପରେ ଜାତ ହୋଇଛନ୍ତି । ଶ୍ରୀମନ୍ଦିରରେ ପବିତ୍ର ଜ୍ୟେଷ୍ଠ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀ (ଶ୍ରୀଦେବୀ)ଙ୍କ ବିବାହ ଉତ୍ସବ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ରୁକ୍ମିଣୀଙ୍କୁ ମହାଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଏ । ଦ୍ୱାରକାର ନୃପତି ପ୍ରଭୁ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ ରୁକ୍ମିଣୀ ଓ ସତ୍ୟଭାମା ଆଦି ଅଧିକା ଆଠ ପାଟରାଣୀ ଥିଲେ । ଦିବ୍ୟ ସୁନ୍ଦରୀ, ଗୁଣବତୀ ଓ ପବିତ୍ରତାର ପ୍ରତୀକ ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ରୂପ, ଗୁଣରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପାଇଁ ଅଭିଳାଷ ରଖିଥିଲେ । ଶ୍ରୀକୃଷ୍ଣ ମଧ୍ୟ ଦେବୀ ରୁକ୍ମିଣୀଙ୍କ ପ୍ରତି ଆସକ୍ତ ଥିଲେ । ଏହି ତିଥିରେ ସକାଳ ଧୂପ ସମୟରେ ଦକ୍ଷିଣ ଘରେ ମଦନମୋହନଙ୍କ ବେଶ ଆରମ୍ଭ ହୁଏ । ପୂଜାପଣ୍ଡା ସେବକମାନେ ସକାଳ ଧୂପ ଶେଷ ହୋଇ ପାଣି ପଡ଼ିବା ପରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀଙ୍କୁ ପ୍ରଦାନ କରନ୍ତି । ଏହାପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ହସ୍ତରେ ନେଇ ସାତ ପାହାଞ୍ଚ ନିକଟରେ ଥିବା ସୁସଜ୍ଜିତ ପାଲିଙ୍କିରେ ବିଜେ କରାନ୍ତି । ପାଲିଙ୍କିକୁ କାନ୍ଧରେ ନେଇ ବିମାନବଡୁ ସେବକମାନେ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ରଖନ୍ତି । ସେଠାରୁ ଶ୍ରୀଦେବୀଙ୍କୁ ସେବକମାନେ ହାତରେ ବିଜେ କରାଇ ମହାଲକ୍ଷ୍ମୀଙ୍କ ମନ୍ଦିରର ଜଗମୋହନରେ ପଡ଼ିଥିବା ଖଟ ଶେଯ ଉପରେ ବିଜେ କରାନ୍ତି । ଭଣ୍ଡାର ମେକାପ ଦେଇଥିବା ଅଳଙ୍କାର ଶ୍ରୀଦେବୀଙ୍କୁ ଅଳଙ୍କୃତ କରାଇବା ପୂର୍ବରୁ ତାଙ୍କୁ ପଞ୍ଚାମୃତରେ ମହାସ୍ନାନ, ମାଜଣା ଓ ବନଲାଗି କରାଯାଇଥାଏ । ଅଳଂକାର ଅଳଙ୍କୃତ ହେବା ପରେ ମହାଲକ୍ଷ୍ମୀଙ୍କ ବିଶ୍ୱସ୍ତ ତଢାଉ କରଣ ତାଳପତ୍ର ଓ ଲେଖନୀ ନେଇ ସେଠାରେ ପହଞ୍ଚନ୍ତି । ଭିତରଛ ମହାପାତ୍ର ଉକ୍ତ ତାଳପତ୍ର ଓ ଲେଖନୀକୁ ଶ୍ରୀଦେବୀଙ୍କ ଶ୍ରୀହସ୍ତ ସ୍ପର୍ଶ କରାଇ ତଢାଉ କରଣ ସେବକଙ୍କୁ ଦିଅନ୍ତି । ସେ ରୁକ୍ମିଣୀଙ୍କ ମନୋଭାବ ତାଳପତ୍ରରେ ଲେଖି ମହାପ୍ରଭୁଙ୍କ ନିକଟକୁ ପଠାଇଥାନ୍ତି । ଦକ୍ଷିଣ ଘରେ ମହାପ୍ରଭୁ ମଦନମୋହନଙ୍କ ବେଶ ଶେଷ ହେବା ପରେ ରତ୍ନସିଂହାସକୁ ବିଜେ କରନ୍ତି । ଏହାପରେ ଭିତରେ ଆଲଟ ଲାଗି ହୋଇ ଦ୍ୱାର ବନ୍ଦ ରହେ।ଭିତରଛ ମହାପାତ୍ର ତାଳପତ୍ରରେ ଲେଖାଥିବା ଚିଟାଉଟା ନେଇ ଚନ୍ଦନରେ ଶ୍ରୀଦେବୀଙ୍କ (ରୁକ୍ମିଣୀ) ଶ୍ରୀହସ୍ତ ମୁଦ୍ କରାନ୍ତି । ତାହାପରେ ଜଣେ ସେବକ ବିପ୍ରବ୍ରାହ୍ମଣ ରୂପେ ଚିଟାଉ ନେଇ ଘଣ୍ଟ, ଛତା ଓ କାହାଳୀ ସହ ଜୟ ବିଜୟ ଦ୍ୱାରଠାରେ ଅପେକ୍ଷା କରିଥିବା ମଦନମୋହନଙ୍କ ନିକଟରେ ପହଞ୍ଚିବା ପରେ ପୁରାଣ ପଣ୍ଡା, ପୂଜା ପଣ୍ଡା ଓ ପାଳିଆ ଖୁଣ୍ଟିଆ ସେବାୟତମାନଙ୍କ ଉପସ୍ଥିତିରେ ବଚନିକାମନ ହୋଇଥାଏ ।

ପୌରାଣିକ ଆଖ୍ୟାନ[ସମ୍ପାଦନା]

ପୁରାଣ ଅନୁସାରେ ବିଦର୍ଭର ରାଜକନ୍ୟା ରୁକ୍ମିଣୀ ଦ୍ୱାରକାର ନୃପତି ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ପିତାଙ୍କୁ ଜଣାଇଲେ । ପିତା ଭୀଷ୍ମକ ରାଜି ଥିଲେ ହେଲେ ପୁତ୍ର ରୁକ୍ମୀ ବିରୋଧ କଲେ। ରୁକ୍ମୀ ମଗଧର ପରାକ୍ରମୀ ରାଜା ଜରାସନ୍ଧଙ୍କ ପ୍ରସ୍ତାବ ଅନୁସାରେ ଜରାସନ୍ଧଙ୍କ ବଂଶୀୟ ଚେଦିରାଜା ଦମଘୋଷଙ୍କ ପୁତ୍ର ବନ୍ଧୁ ଶିଶୁପାଳଙ୍କ ସହିତ ଭଗ୍ନୀ ରୁକ୍ମିଣୀଙ୍କୁ ବିବାହ ଦେବାକୁ ସ୍ଥିର କଲେ।ଶିଶୁପାଳ ଆସିବା ସୂଚନା ପାଇ ରୁକ୍ମିଣୀ ବିପ୍ର ବ୍ରାହ୍ମଣ ହସ୍ତରେ ଉକ୍ତ ଚିଟାଉ ପଠାଇ ଶ୍ରୀକୃଷ୍ଣ ଗୋପନରେ ତାଙ୍କୁ ନେବା ପାଇଁ ନିବେଦନ କଲେ।ପ୍ରଭୁ ମଦନମୋହନ ସାତ ପାହାଚଠାରେ ରଥରେ ବିଜେ ହୁଅନ୍ତି । ରଥକୁ ବିମାନବଡୁମାନେ କୁର୍ମବେଢ଼ାସ୍ଥିତ ବିମଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ରଖନ୍ତି । ଶ୍ରୀଦେବୀ ପାଲିଙ୍କିରେ ବିଜେ ହୋଇ ମହାଲକ୍ଷ୍ମୀ ମନ୍ଦିରରୁ ମାହାରୀଙ୍କୁ(ଦାସୀଙ୍କୁ) ସାଙ୍ଗରେ ନେଇ ଗ୍ରାମ ଦେବତୀ ପୂଜା କରିବାକୁ କୁର୍ମବେଢ଼ାସ୍ଥିତ ବିମଳା ମା'ଙ୍କ ମନ୍ଦିରରେ ଆସନ୍ତି।ସେଠାରେ ପର୍ବଯାତ୍ରା ଯୋଗଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ସ୍ପର୍ଶ ହୋଇ ଭିତରଛ ମହାପାତ୍ର ବିମଳାଙ୍କୁ ଗ୍ରାମଦେବତୀ ଭାବରେ ପୂଜାର୍ଚ୍ଚନା, ମହାସ୍ନାନ, ମାଜଣା ଓ ପ୍ରସାଦ ଲାଗି କରନ୍ତି।ଗ୍ରାମଦେବତୀ(ବିମଳା)ଙ୍କ ପୂଜା ଶେଷ ହେବା ପରେ ବିମଳାଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ଦିଆଯାଇଥାଏ।ଶ୍ରୀଦେବୀ(ରୁକ୍ମିଣୀ) ବିମଳାଙ୍କ ପୂଜାର୍ଚ୍ଚନା ସାରି ବାହାରକୁ ଫେରିବା ବାଟରେ ସେଠାରେ ଆଗରୁ ମଦନମୋହନ(ଶ୍ରୀକୃଷ୍ଣ) ଲୁଚି ରହିଥାନ୍ତି ଓ ସେ ଶ୍ରୀଦେବୀ (ରୁକ୍ମିଣୀ)ଙ୍କୁ ହରଣ କରନ୍ତି । ଭାଇ ରୁକ୍ମୀ ବାଧା ଦେବାରୁ ଶ୍ରୀକୃଷ୍ଣ ଯୁଦ୍ଧ କରିବାଦ୍ୱାରା ଶରାଘାତରେ ରୁକ୍ମୀଙ୍କୁ ମୁର୍ଚ୍ଛିତ ହୁଅନ୍ତି । ଭଉଣୀ ରୁକ୍ମିଣୀଙ୍କ ଅନୁରୋଧରେ କୃଷ୍ଣ ରୁକ୍ମୀଙ୍କୁ ବଧ କଲେ ନାହିଁ । ରୁକ୍ମିଣୀ ମଦନମୋହନଙ୍କ ସହ ରଥରେ ଆସୁଥିବା ସମୟରେ ସରସ୍ୱତୀଙ୍କ ମନ୍ଦିର ଆଗରେ ଶିଶୁପାଳ ବାଧା ଦେବାରୁ ଯୁଦ୍ଧରେ ଶ୍ରୀକୃଷ୍ଣ ତାଙ୍କୁ ପରାସ୍ତ କଲେ ଓ ପରେ ତାଙ୍କୁ ରଥରେ ବାନ୍ଧି ଦେଲେ । ଦକ୍ଷିଣ ଘରୁ ବଡ଼ଭାଇ ଶ୍ରୀବଳଭଦ୍ର(ଶ୍ରୀ ବଳରାମ) ଯୁଦ୍ଧକୁ ରଥରେ ବିଜେ ହୋଇ ଆସିଲେ।ହେଲେ ଭଗ୍ଣୀ ରୁକ୍ମିଣୀଙ୍କ ଅନୁରୋଧ ରକ୍ଷା କରି ଭାଇ ଶିଶୁପାଳକୁ ବଳଭଦ୍ର ବନ୍ଧନରୁ ମୁକ୍ତ କରି ଦକ୍ଷିଣ ଘରକୁ ଫେରିଆସନ୍ତି।ଏହାପରେ ରୁକ୍ମିଣୀ ଓ ଶ୍ରୀକୃଷ୍ଣଙ୍କୁ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପରେ ବିଜେ ପୂଜକ ଶ୍ରୀଜୀଉମାନଙ୍କୁ ଚନ୍ଦନ ଲାଗି କରାଯାଇଥାଏ । ଶ୍ରୀ କୃଷ୍ଣ ମାଧବପୁରଠାରେ ପ୍ରଥମ ପାଟରାଣୀ ରୁକ୍ମିଣୀଙ୍କୁ ବିବାହ କରିଥିବା କଥା କୁହାଯାଏ।ଏହି ବିବାହ ସ୍ମୃତିରେ ମାଧବପୁରଠାରେ ଏକ ମନ୍ଦିର ନିର୍ମାଣ ହୋଇ ପ୍ରତିବର୍ଷ ଏଠି ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହେଉଛି । ଭିତରେ ପାଣିପଡ଼ି ଶ୍ରୀମନ୍ଦିରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଯାତଭୋଗ ହୁଏ । ଏହିଦିନ ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଶ୍ରୀମଦନମୋହନ ଓ ଶ୍ରୀଦେବୀ ଜଳକ୍ରୀଡ଼ା ଉତ୍ସବକୁ ବିଜେ ନ ହୋଇ କେବଳ ଶ୍ରୀଦୋଳଗୋବିନ୍ଦ ବିଜେ ହୁଅନ୍ତି । ଜଳକ୍ରୀଡ଼ା ଶେଷ ହୋଇଗଲା ପରେ ଶ୍ରୀମନ୍ଦିରେ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଆଳତି ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀଦେବୀଙ୍କ ଅର୍ଥାତ୍ ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ଶ୍ରୀମନ୍ଦିର ବିବାହ ମଣ୍ଡପ(ମାଜଣା ମଣ୍ଡପ) ଖଟକୁ ବିଜେ ହୋଇ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ସନ୍ଧ୍ୟା ଧୂପ ପୂଜା ସମୟରେ ଶ୍ରୀମନ୍ଦିରର ଏହି ବିବାହ ମଣ୍ଡପରେ ବିବାହ ଉତ୍ସବ ଆରମ୍ଭ ହୋଇଥାଏ।ବନ୍ଦାପନା ଓ ଚାମର ଆଲଟ କରାଯିବା ପରେ ପ୍ରଭୁ ଓ ଦେବୀଙ୍କୁ ମହାସ୍ନାନ କରାଯାଇଥାଏ । ଏବଂ ଏହାପରେ ନୂଆ ଲୁଗା ଲାଗି କରାଯାଇ ସର୍ବାଙ୍ଗ ଚନ୍ଦନ ଲାଗି କରାଯାଏ । ପତି ମହାପାତ୍ର, ପୂଜା ପଣ୍ଡା, ମୁଦିରସ୍ତ ଓ ଭିତରଛ ମହାପାତ୍ର ସେବାୟତମାନେ ବିବାହ ସାମଗ୍ରୀମାନ ଗ୍ରହଣ କରି ସଂକଳ୍ପ ବାକ୍ୟ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି । ବିବାହ କାର୍ଯ୍ୟ ଶେଷ କରାଗଲା ପରେ ବିବାହ ମଣ୍ଡପରେ । ବନ୍ଦାପନା କରାଯାଇ ନବଦମ୍ପତି ଉଭୟଙ୍କୁ ଭିତରକୁ ରତ୍ନ ସିଂହାସନକୁ ବିଜେ କରାଯାଏ । ଏହା ପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ପାଳିତ ହୋଇଥାଏ । ଦେଉଳ ପରିସରରେ ବଦାନ୍ୟ ବ୍ୟକ୍ତିମାନଙ୍କଦ୍ୱାରା ଭକ୍ତମାନଙ୍କୁ ମହାପ୍ରସାଦ ସେବନ କରାଯାଇଥାଏ । ଚମ୍ପକ ଦ୍ୱାଦଶୀ(ଜ୍ୟେଷ୍ଠ ଶୁକ୍ଳ ଦ୍ୱାଦଶୀ)ରେ ଶ୍ରୀମନ୍ଦିରରେ ଦେବଦମ୍ପତିଙ୍କ ଗୁଆଲି ଶୋଭାଯାତ୍ରା, ଛତିଶା ନିଯୋଗ ସେବାୟତମାନଙ୍କ ପକ୍ଷରୁ ଅନୁଷ୍ଠିତ କରାଯାଇଥାଏ ।[୧] ଦେବଦମ୍ପତି ତଥା ପ୍ରଭୁ ମଦନମୋହନ ଓ ଦେବୀ ଶ୍ରୀଦେବୀ ନଗର ପରିକ୍ରମା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି।ଦେଉଳରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଭିତରେ ଆଲଟ ଲାଗି କରାଯାଇ ମହାସ୍ନାନ କରାଯାଇଥାଏ।ଏହାପରେ ନୂଆ ଲୁଗା ଲାଗି ଓ ଚନ୍ଦନ ଲାଗି କରାଯାଇଥାଏ।ମଧ୍ୟାହ୍ନ ଧୂପ ପରେ ଦେବଦମ୍ପତିଙ୍କୁ ଭିତରକୁ ବିଜେ କରାଯାଏ ଓ ପରେ ବନ୍ଦାପନା ହୋଇ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ।ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ପ୍ରଭୁ ମଦନମୋହନ ଓ ଶ୍ରୀଦେବୀ(ରୁକ୍ମିଣୀ)କୁ ବିଜେ କରାଯାଇଥାଏ।ଶୋଭାଯାତ୍ରାରେ ଶ୍ରୀମନ୍ଦିର ପ୍ରଦକ୍ଷଣ କରି ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଶ୍ରୀନଅରଠାରେ ଖଟକୁ ବିଜେ କରାଯାଇଥାଏ।ସେଠି ମହାସୁଆର ଦ୍ୱାର ପ୍ରସ୍ତୁତ ପିଠା ପଞ୍ଚୋପଚାରରେ ପୂଜା ଓ ମଣୋହି ହୋଇଥାଏ।ଗଜପତିଙ୍କ ପରିବାରର ନାରୀମାନେ ଶ୍ରୀନଅରଠାରେ ପ୍ରଭୁ ଓ ଦେବୀଙ୍କୁ ବନ୍ଦାପନା କରି ଭେଟି ପ୍ରଦାନ କରିଥାନ୍ତି।ଏହାପରେ ବରକନ୍ୟା ସେବକମାନଙ୍କଦ୍ୱାରା ନଗର ପରିକ୍ରମା କରିବା ସହିତ ପନ୍ତି ଭୋଗ ଗ୍ରହଣ କରନ୍ତି।ଦେବାଦେବୀଙ୍କ ଶୋଭାଯାତ୍ରା ଦେଉଳରୁ ବାହାରି ଶ୍ରୀନଅର, ବାଲିସାହି, ଜିୟରସ୍ୱାମୀ ମଠ, ବରାହୀ ଠାକୁରାଣୀ ମନ୍ଦିର, ହାଟମୁଣ୍ଡ ଓ ହରଚଣ୍ଡୀ ସହି ଦେଇ ଶ୍ରୀଜମ୍ବେଶ୍ୱରଙ୍କ ମନ୍ଦିରରେ ପହଞ୍ଚନ୍ତି।ସେଠାରେ ପଞ୍ଚୁଗ୍ରାସୀ ଭୋଗ ସହିତ ବନ୍ଦାପନା ମଧ୍ୟ ହୋଇଥାଏ।ସେଠାରୁ ଦେବାଦେବୀମାନେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆ ଚୌରାସ୍ଥିତ ଶ୍ରୀକପାଳମୋଚନ ମନ୍ଦିର ସମ୍ମୁଖ ରାସ୍ତା ଦେଇ ଶ୍ରୀମନ୍ଦିରକୁ ବାହୁଡା ବିଜେ କରନ୍ତି । [୨]

ଆଧାର[ସମ୍ପାଦନା]

  1. ରାମକୃଷ୍ଣ ମିଶ୍ର (22 August 2016). ଶ୍ରୀମନ୍ଦିରରେ ରୁକ୍ମୀଣୀ ବିବାହ ଉତ୍ସବ. ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ. p. 85.
  2. http://puriwaves.nirmalya.in/festivals/rukmini-bibaha-champak-dwadashi-festival-jagannath-temple-puri