Jump to content

ରାମ ଜନ୍ମଭୂମି ବିବାଦ

ଉଇକିପିଡ଼ିଆ‌ରୁ
ବିବାଦିତ ରାମ ଜନ୍ମଭୂମି ସ୍ଥଳର ମାନଚିତ୍ର

ରାମ ଜନ୍ମଭୂମି ବିବାଦ ବା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ହେଉଛି ଭାରତର ଏକ ରାଜନୈତିକ, ଐତିହାସିକ ତଥା ସାମାଜିକ-ଧାର୍ମିକ ବିବାଦ । ଏହି ବିବାଦର ମୂଳ କାରଣ ହେଉଛି ଉତ୍ତରପ୍ରଦେଶର ଅଯୋଧ୍ୟାରେସ୍ଥିତ ୨ ଏକର ୭୭ ଡେସିମିଲ ଜମି ଉପରେ ମାଲିକାନାକୁ ନେଇ ବିବାଦ । ଏହି ବିବାଦିତ ଜମିକୁ ନେଇଁ ହିନ୍ଦୁ, ମୁସଲିମ ଏବଂ ନିର୍ମୋହି ଆଖାଡା ତରଫରୁ ବିବାଦ ଦେଖାଦେଇଥିଲା । ବିବାଦିତ ସ୍ଥଳକୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଏବଂ ରାମ ମନ୍ଦିରକୁ ଭାଙ୍ଗି ମସଜିଦ କରାଯାଇଛି ବୋଲି ହିନ୍ଦୁମାନେ ଦାବୀ କରିବା ସହ ତଥା କଥିତ ଭଗ୍ନ ରାମ ମନ୍ଦିର ସ୍ଥଳରେ ଏକ ନୂତନ ରାମ ମନ୍ଦିର ଗଢିବାକୁ ଅଡିବସିଥିଲା ବେଳେ ବର୍ତ୍ତମାନ ସେଠାରେ ଏକ ମସଜିଦ ଥିବାରୁ ମୁସଲମାନ ଗୋଷ୍ଠୀ ଏହି ନୂତନ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ।

ପୃଷ୍ଠଭୂମି

[ସମ୍ପାଦନା]

ବିବାଦର ଅୟମାରମ୍ଭ

[ସମ୍ପାଦନା]

ଇତିହାସରୁ ଯାହା ଜଣାଯାଏ, ରାମ ଜନ୍ମଭୂମିକୁ ନେଇ ପ୍ରଥମ ବିବାଦ ୧୮୫୦ ମସିହାରେ ହୋଇଥିଲା । ହନୁମାନ ଗର୍ହି ନିକଟରେ ଥିବା ଏକ ମସଜିଦକୁ ନେଇ ଏଇ ବିବାଦ ତୀବ୍ର ହେବାପରେ ବାବ୍ରୀ ମସଜିଦକୁ କିଛି ହିନ୍ଦୁ ଆକ୍ରମଣ କରିଥିଲେ । ତେବେ ଇତିହାସରେ ମିଳିଥିବା ପ୍ରମାଣ ଅନୁସାରେ ଅନ୍ତତଃପକ୍ଷେ ସେହି ଦିନଠାରୁ ହିନ୍ଦୁମାନେ ରାମଜନ୍ମଭୂମିର ମାଲିକାନ ଦାବୀ କରିବା ସହ ସେଠାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବାକୁ ଦାବୀ କରିଆସୁଥିଲେ । ବ୍ରିଟିଶ ଶାସନ କାଳରେ ତତକାଳୀନ ସରକାରଙ୍କଦ୍ୱାରା ଏହି ଅନୁମତି ଦିଆଯାଇନ ଥିଲା । ତେବେ ୧୯୪୬ ମସିହାରେ ହିନ୍ଦୁ ମହାସଭାର ଏକ ବିଭାଜିତ ଗୋଷ୍ଠୀ ଅଖିଳ ଭାରତୀୟ ରାମାୟଣ ମହାସଭା(ABRM)ଦ୍ୱାରା ଏକ ଆନ୍ଦୋଳନ ଆରମ୍ଭ କରାଯାଇଥିଲା ।

ସ୍ୱାଧୀନୋତ୍ତର ବିବାଦ

[ସମ୍ପାଦନା]

୧୯୪୯ ମସିହାରେ ଗୋରଖନାଥ ମଠର ସନ୍ଥ ଦିଗ୍‌ବିଜୟ ନାଥ ଏହି ଗୋଷ୍ଠୀରେ (ABRM) ଯୋଗଦେଇ ଏହି ଉପଲକ୍ଷ୍ୟେ ଏକ ଧାର୍ମିକ ଅନୁଷ୍ଠାନ ଯଥା ନବ ଦିନାତ୍ମକ "ଅହରହ ରାମଚରିତ ମାନସ ପଠନ"ର ଆଯୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ହିନ୍ଦୁ କର୍ମୀମାନେ ମସଜିଦ ମଧ୍ୟକୁ ଧସେଇ ପସି ସେଠାରେ ରାମସୀତାଙ୍କର ମୂର୍ତ୍ତୀ ସ୍ଥାପନ କରିଥିଲେ । ତେବେ କିଛି ହିନ୍ଦୁ ଅଦ୍ୟାପି ବିଶ୍ୱାସ କରନ୍ତ୍ରି ଯେ ସେତେବେଲେ ସେଠାରେ ଅଲୌକିକ ଭାବେ ରାମ ଓ ସୀତାଙ୍କର ମୂର୍ତ୍ତୀ ଆବିର୍ଭାବ ହୋଇଥିଲା । ଏହି ଘଟଣା ଥିଲା ୧୯୪୯ ମସିହା ଡିସେମ୍ବର ୨୨ ତାରିଖର ।[]

ଜବାହରଲାଲ ନେହେରୁ ଚାହୁଁଥିଲେ ଯେ ମସଜିଦ ମଧ୍ୟରୁ ରାମସୀତାଙ୍କର ମୂର୍ତ୍ତୀ ହଟାଇ ଦିଆଯାଉ । ତେବେ ସ୍ଥାନୀୟ ଇଂରେଜ ଅଫିସର (K. K. K. Nair) ତାଙ୍କର ହିନ୍ଦୁ ଜାତୀୟତାବାଦୀ ଗୋଷ୍ଠୀ ସହ ରହିଥିବା ସମବେଦନା ଯୋଗୁଁ ନେହେରୁଙ୍କ ଏହି ଆଦେଶ କାର୍ଯ୍ୟକାରୀ କଲେ ନାହିଁ । ଏପରି କଲେ ପୁଣି ସଂପ୍ରଦାୟୀକ ଦଂଗା ହୋଇପାରେ କହି ସେ ଏହି ଆଦେଶକୁ ଏଡାଇ ଯାଇଥିଲେ । ଯାହାହେଉ, ଏହା ପରେ ଏହାର ମୁଖ୍ୟଦ୍ୱାରକୁ ପୋଲିସଦ୍ୱାରା ବନ୍ଦ କରିଦିଆଗଲା ଏବଂ ଏହା ମଧ୍ୟକୁ ହିନ୍ଦୁ କିମ୍ବା ମୁସଲିମ ସର୍ବସାଧାରଣ ପ୍ରବେଶକୁ ବାରଣ କରାଗଲା । କିନ୍ତୁ ଦୈନିକ ପୂଜା ନିମିତ୍ତ ପୁଜାରୀଙ୍କୁ ଯିବାପାଇଁ ଅନୁମତି ମିଳିଲା । ଫଳରେ ଏହି ସ୍ଥଳ ଏକ ବିବାଦିତ ସ୍ଥଳ ହେବା ସହ ଉଭୟ ସୁନ୍ନୀ ୱାକଫ ବୋର୍ଡ ଓ ଅଖିଳ ଭାରତୀୟ ରାମାୟଣ ମହାସଭା(ABRM) ସ୍ଥାନୀୟ ଅଦାଲତରେ ଦେୱାନୀ ମାମଲା ରୁଜୁକରି ନିଜ ନିଜ ମାଲିକାନା ଦାବୀ କରିବାକୁ ଲାଗିଲେ । ବିବାଦିତ ସ୍ଥଳରେ ସର୍ବସାଧାରଣ ପ୍ରବେଶ ନିଷେଧ ହେଲା ।

ଆଲାହବାଦ ଉଚ୍ଚ ନ୍ୟାୟାଳୟଙ୍କ ରାୟ

[ସମ୍ପାଦନା]

୧୯୯୨ ମସିହା ଡିସେମ୍ବର ୬ ତାରିଖ ଦିନ କିଛି ହିନ୍ଦୁଙ୍କଦ୍ୱାରା ବାବ୍ରୀ ମସଜିଦ ଭାଙ୍ଗି ଦିଆଯାଇଥିଲା । ଏହି ଘଟଣାକୁ ନେଇ ପରେ ପରେ ସାରା ଦେଶରେ ସଂପ୍ରଦାୟୀକ ହିଂସା ଦେଖାଦେଇଥିଲା । ବିବାଦିତ ରାମଜନ୍ମଭୂମିର ମାଲିକାନାକୁ ନେଇ ସେତେବେଳେ ଉତ୍ତର ପ୍ରଦେଶର ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ଦାୟର କରାଯାଇଥିଲା । ନ୍ୟାୟାଳୟର ଏକ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ୨୦୧୦ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ଫଇସଲା ପ୍ରଦାନ କରିଥିଲେ । ଏହି ଫଇସଲା ଅନୁଯାୟୀ ସେହି ବିବାଦିତ ୨ ଏକର ୭୭ ଡେସିମିଲ ଜମିକୁ ତିନି ଆବେଦନକାରୀ ଯଥା, ରାମ ଲାଲା ତରଫେ ହିନ୍ଦୁ ମହାସଭା, ସୁନ୍ନୀ ୱାକଫ ବୋର୍ଡ ଓ ନିର୍ମୋହୀ ଆଖାଡାକୁ ଏକ ତୃତୀୟାଂଶ ହିସାବରେ ମାଲିକାନା ପାଇବେ । ତେବେ ନ୍ୟାୟାଳୟ ଏହି ଫଇସଲାରେ ସ୍ପଷ୍ଟଭାବେ ଉଲ୍ଲେଖ କରିଥିଲେ କି ହିନ୍ଦୁମାନଙ୍କର ବିଶ୍ୱାସ ଅନୁଯାୟୀ ସେହି ବିବାଦିତ ସ୍ଥଳ ରାମଲାଲାଙ୍କ ଜନ୍ମଭୂମି ଏବଂ ଏହି ବିବାଦିତ ସ୍ଥଳରେ ଏକ ହିନ୍ଦୁ ମନ୍ଦିର ଭଙ୍ଗାଯାଇ ବାବ୍ରୀ ମସଜିଦ ଗଢାଯାଇଛି ।[][]

ଉଚ୍ଚତମ ନ୍ୟାୟାଳୟଙ୍କ ରାୟ

[ସମ୍ପାଦନା]

ଭାରତର ଉଚ୍ଚତମ ନ୍ୟାୟାଳୟରେ ଏହି ବିଶେଷ ମାମଲାର ଶୁଣାଣୀ ୨୦୧୯ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସମାପ୍ତ ହେବା ପରେ ରାୟ ସୁରକ୍ଷିତ ରହିଲା । ତେବେ ମାମଲାର ଏକ ଆପୋଷ ସମାଧାନ ପାଇଁ ନ୍ୟାୟାଳୟଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ବିଫଳ ହେବା ପରେ ହିଁ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଶୁଣାଣୀ ଶେଷରେ ମଧ୍ୟ ନ୍ୟାୟାଳୟ ଉଭୟ ପକ୍ଷଙ୍କୁ ମାମଲାରେ ବିବାଦିତ ବିଷୟର ପରିସର ସଂକୁଚିତ କରିବା ପାଇଁ ତିନିଦିନ ସମୟ ପ୍ରଦାନ କରିଥିଲେ ।[]

ପରିଶେଷରେ ୨୦୧୯ ନଭେମ୍ବର ୯ ତାରିଖଦିନ ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇଲା ।[] ର୍ରାୟ ମୁତାବକ ଏହି ବିବାଦିତ ସ୍ଥଳ ସରକାରଙ୍କଦ୍ୱାରା ଗଠିତ ଏକ ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ ଏବଂ ଏହି ଟ୍ରଷ୍ଟଦ୍ୱାରା ସେଠାରେ ଏକ ରାମ ମନ୍ଦିର ନିର୍ମାଣ କରାଯିବ । ଏହାସହ ସୁନ୍ନୀ ୱାକଫ୍ ବୋର୍ଡକୁ ସରକାର ଅଯୋଧ୍ୟାର ଏକ ଉନ୍ନତ ସ୍ଥାନରେ ମସଜିଦ ନିର୍ମାନ ଲାଗି ୫ ଏକର ଯାଗା ପ୍ରଦନ କରିବେ । ଉକ୍ତ ରାୟରେ ଉଚ୍ଚତମ ନ୍ୟାୟାଳୟ ସ୍ପଷ୍ଟ କଲେ କି, ନିର୍ମୋହୀ ଆଖାଡା ରାମଲାଲାଙ୍କ ସେବାୟତ ନୁହେଁ ଏବଂ ତାଙ୍କର ମାମଲା ଆଇନତଃ ସମୟସୀମା ମଧ୍ୟରେ କରାଯାଇନ ଥିବାରୁ ତାଙ୍କର ଦାବୀ ଗ୍ରହଣ ଯୋଗ୍ୟ ନୁହେଁ ।[]

ରାୟର କାର୍ଯ୍ୟକାରୀତା ପାଇଁ ପଦେକ୍ଷେପ

[ସମ୍ପାଦନା]

ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ମୁତାବକ ରାମ ଜନ୍ମଭୁମିରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ଅଗଷ୍ଟ ୫, ୨୦୨୦ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କଦ୍ୱାରା ମନ୍ଦିରର ଶୀଳାନ୍ୟାସ ଉତ୍ସବ ସଂପନ୍ନ ହୋଇଯାଇଛି ।[]

  1. Bacchetta, Paola (2000). "Sacred Space in Conflict in India: The Babri Masjid Affair". www.Growth and Change (in ଇଂରାଜୀ). pp. 255–284. doi:10.1111/0017-4815.00128. Retrieved 10 November 2019.
  2. "Ayodhya dispute: The complex legal history of India's holy site". BBC News. 16 October 2019. Retrieved 16 October 2019.
  3. Gist of Judgements by Justices S. U. Khan, Sudhir Agarwal and Dharam Veer Sharma, Allahabad High Court, 6 October 2010
  4. "Ayodhya case: SC concludes hearing". The Times of India.
  5. "Ayodhya verdict live updates: Supreme Court delivers judgement on Ram Mandir-Babri Masjid case". The Times of India (in ଇଂରାଜୀ). Retrieved 2019-11-09.
  6. "No regret over SC saying Nirmohi Akhara not 'shebait' of deity Ram Lalla: Outfit". The Times of India. 9 November 2019.
  7. "PM Modi to lay foundation stone of Ram Temple in Ayodhya on August 5, 200 people to attend". Hindustan Times (in ଇଂରାଜୀ). 22 July 2020. Retrieved 7 October 2020.