ରଜାବଖରି,ଦଶ ବିଦ୍ୟା ମହଲ,

ଉଇକିପିଡ଼ିଆ ରୁ
Jump to navigation Jump to search

ଏହି ରାଜବଖରି ବର୍ତ୍ତମାନ ସମ୍ବଲପୁର ସହରର ଲେଡି ଲୁଇସ୍ ବିଦ୍ୟାଳୟ ପଛପଟେ ଅବସ୍ଥିତ,ଯାହାକୁ ଚୌହାନ୍ ବଂଶର ୭ମ ରାଜା ମହାରାଜା ଛତ୍ର ସାଏ ୧୬୮୯ ମସିହାରେ ସିଂହାସନ ଆରୋହଣ କରିବା ପରେ ନିର୍ମାଣ କରିଥିଲେ। ଏହାର ନାମକରଣ କରିଥିଲେ ଦଶ ବିଦ୍ୟା ମହଲ। ଆକର୍ଷଣୀୟ କାରୁକାର୍ଯ୍ୟରେ ଖଚିତ ଏହି ରାଜବଖରିରେ ଅନୁଷ୍ଠିତ ହେଉଥିଲା ରାଜଦରବାର। ଦୁଇ ମହଲା ବିଶିଷ୍ଠ ଏହି ରାଜପ୍ରସାଦରେ ରହିଛି ୪୦ରୁ ଅଧିକ କୋଠରୀ। ରାଜବଖରୀ ଭିତରେ କେବଳ ରାଜାଙ୍କ ରହିବା ପାଇଁ ଆଉ ଏକ ମହଲ ଅଛି, ଯାହିର ନାଁ ଚିତ୍ରମହଲ। ସେଥିରେ ୯ଟି କୋଠରୀ ଏବଂ ଦୁଇଟି ବାରଣ୍ଡା ରହିଛି। ଉପର ମହଲ ସଂପୂର୍ଣ୍ଣ ଧ୍ୱଂସ ହୋଇସାରିଥିବା ବେଳେ ତଳ ମହଲର ଛାତ ମଧ୍ୟ ଆଉ ନାହିଁ। ରଜାବଖରିର ପଛ ପଟେ ତଳକୁ ଯିବା ପାଇଁ ଏକ ପାହାଚ ରହିଛି। ଏହା ଏକ ଗୁପ୍ତ ସୁଡଙ୍ଗର ପଥ ହୋଇଥିବା ନେଇ ଅନୁମାନ କରାଯାଉଛି। ଏହି ରାଜବଖରି ଇତିହାସର ଅନେକ ଘଟଣାର ମୂକସାକ୍ଷୀ ସାଜିଛି। ବିଶେଷ କରି ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ସ୍ୱାଧୀନତା ସଂଗ୍ରାମକୁ ଏହି କୋଠା ଅଙ୍ଗେ ନିଭେଇଛି। ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ ବେଳେ ପ୍ରଥମ କରି ରାଜବଖରିରେ ହିଁ ତ୍ରିରଙ୍ଗା ପତାକା ଉଡିଥିଲା।

ସ୍ୱାଧୀନତା ପୂର୍ବରୁ ରଜାବଖରିର ମାଲିକାନାକୁ ନେଇ ବିବାଦ ଭିତରେ ଛନ୍ଦି ହୋଇଗଲା। ସମ୍ବଲପୁର ରିଜବଂଶର ସୋନପୁର, ବଲାଙ୍ଗିର ଭଳି ବିଭିନ୍ନ ସ୍ଥାନରେ ରହୁଥିବା ବଂଶଧର ରଜାବଖରି ଉପରେ ଅଧିକାର ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ କୋର୍ଟଙ୍କ ନିର୍ଦ୍ଦେଶମତେ, ଏହାର ସିଂହଭାଗ ଅଂଶ ସୋନପୁର ରାଜାଙ୍କ ଅଧିନକୁ ଚାଲିଗଲା। ପରେ ସୋନପୁର ରାଜାଙ୍କ ଠାରୁ ଆଇନଜୀବୀ ନିତ୍ୟାନନ୍ଦ ମାଝୀ ଏହାକୁ କିଣି ନେଇଗଲେ। ଆଉ ତାଙ୍କ ଠାରୁ ଲେଡି ଲୁଇସ୍ ସ୍କୁଲ କର୍ତ୍ତୁପକ୍ଷ ଏହାକୁ ନିଜ ଅଧିନକୁ ନେଇଗଲେ। ହେଲେ ସମଗ୍ର ରଜାବଖରିକୁ ସ୍କୁଲ୍ କର୍ତ୍ତୁପକ୍ଷ ବ୍ୟବହାର କରିପାରିଲେ ନାହିଁ। ଫଳରେ ଦେଖାରେଖା ଅଭାବରୁ ଏହି ଐତିହ୍ୟ ଏବେ ଧ୍ୱଂସ ଦ୍ୱାରଦେଶରେ ପହଞ୍ଚିଛି। ବର୍ତ୍ତମାନ କେବଳ ଭଙ୍ଗା କାନ୍ଥ ହିଁ ସ୍ମାରକୀ ଭାବେ ଛିଡା ହୋଇଛି।

ତେବେ ୨୦୦୦ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା (ଏଏସଆଇ) ଏହାର ମରାମତି କାମ ହାତକୁ ନେଇଥିଲେ ହେଁ ପୌରର ପ୍ରଶାସନର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ତାହା ପୁଣି ପୂର୍ବ ଅବସ୍ଥାକୁ ଫେରିଆସିଥିଲା।

ହେଲେ ଗତ କିଛି ବର୍ଷ ହେଲା ସମ୍ବଲପୁରର କିଛି ଉତ୍ସାହୀ ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ଏହାର ପୁନଃଉଦ୍ଧାର କାମ ଆରମ୍ଭ ହୋଇଛି। ରଜାବଖରୀରେ ଅନେକ ଥର ଗଣସଫେଇ କରି ଏହାକୁ ଅସାମାଜିକଙ୍କ କବଳରୁ ମୁକ୍ତ କରାଯାଇଛି। ଇନ୍ଟାକ ସଂସ୍ଥା ସହାୟତାରେ ପୁଣି ଏହାର ଚମକ ଫେରାଇବାର ଯୋଜନା ହୋଇଛି। ଇତିମଧ୍ୟରେ ରାଜ୍ୟ ସରକାର ଉଭୟ ରଜାବଖରି ଏବଂ ରାନିବଖରିର ପୁନଃଉଦ୍ଧାର ପାଇଁ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଠାରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ଅନେର ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବାକୁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି।