ମୁଦ୍ରା (ପୂଜା)

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ମୁଦ୍ରା ଦେବାରାଧନା ସମୟରେ କରାଙ୍ଗୁଳିଦ୍ଵାରା ରଚିତ ଭଙ୍ଗୀ ବିଶେଷ । ଦେବତାମାନେ ଏହି ମୁଦ୍ରାମାନଙ୍କଦ୍ଵାରା ମୁଦିତ ହେବା ୟୋଗୁଁ ଏହା ମୁଦ୍ରା ନାମରେ ଖ୍ୟାତ ହାତର ଆଙ୍ଗୁଠି ମାନଙ୍କୁଦ୍ଵାରା ଭିନ୍ନ ଭିନ୍ନ ରୂପ ଓ ଆକୃତି ରଚନା କରି 'ମୁଦ୍ରା' କରାଯାଏ ଓ ପୂଜା ସମରେ ଉକ୍ତରୂପ ମୁଦ୍ରାକୁ ଦେବତାଙ୍କୁ ଦେଖାଇବାକୁ ହୁଏ । ଭିନ୍ନ ଭିନ୍ନ ଦେବତାଙ୍କର ପୂଜା ପାଇଁ ଭିନ୍ନ ଭିନ୍ନ ମୁଦ୍ରାର ବ୍ୟବସ୍ଥା ଅଛି ତନ୍ତ୍ର ଓ ପୁରାଣମାନଙ୍କରେ ନାନା ପ୍ରକାର ମୁଦ୍ରାର ବର୍ଣ୍ଣନା ଅଛି ଏବଂ ମୁଦ୍ରାର ରଚନା ସମ୍ବନ୍ଧରେ ଉପଦେଶ ଓ ମୁଦ୍ରାମାନଙ୍କର ବିଶିଷ୍ଟ ପ୍ରୟୋଗମାନ ଲିପିବଦ୍ଧ ହୋଇଅଛି । ପ୍ରତ୍ୟେକ ପ୍ରକାର ସାଧାରଣ ପୂଜାରେ ନଅ ଗୋଟି ମୁଦ୍ରା କିମ୍ବା ଷଡ଼ଙ୍ଗ ମୁଦ୍ରା ଦେଖାଇବାକୁ ହୁଏ ବିଷ୍ଣୁ ପୂଜାରେ ୨୯ ଗୋଟି ଶିବ ପୂଜାରେ ୧ ଗୋଟି, ସୂର୍ଯ୍ୟପୂଜାରେ ଗୋଟିଏ; ଗଣେଶଙ୍କର ୭ ଗୋଟି; ଶକ୍ତି ବା ଦୁର୍ଗାଙ୍କର ୯ ଗୋଟି, ଏହିପରି ଭିନ୍ନ ଭିନ୍ନ ଦେବତାଙ୍କ ପୂଜାରେ ଓ ଜପରେ ଭିନ୍ନ ଭିନ୍ନ ମୁଦ୍ରାମାନ ପ୍ରଯୋଗ କରାଯାଏ । କାଳିକା ପୁରାଣରେ ୬୫ ଅଧ୍ୟାୟରେ ବହୁଶତ ମୁଦ୍ରାର ବର୍ଣ୍ଣନା ଅଛି । କେତେଗୁଡ଼ିଏ ମୁଦ୍ରାର ନାମ ଯଥା: ଆବାହନ, ସଂସ୍ଥାପନ; ସନ୍ନିରୋଧନ; ଧେନୁ ମହା ମୁଦ୍ରା; ଅବଗୁଣ୍ଠନ; ଶଙ୍ଖ; ଚକ୍ର; ପଦ୍ନ; ଗଦା; ନାରାଗ; ଅଙ୍କୁଶ; ତ୍ରିଶୂଳ, ଲିଙ୍ଗ; ୟୋନି; ମତ୍ସ୍ୟ; କର୍ମ; ବରାହ; ନରସିଂହ; ମୃଗ; ଶାଳିନୀ; ଲେଲିହା; ସନ୍ନିଧାପନ, ସଂବୋଧନ, ବର ଅଭଯ; ସ୍ଥାପନୀ 'ପରଚେ ଗୀତା'ର ଦ୍ଵାଦଂଶ ଅଧ୍ୟାୟରେ ଚଚେରି, ଭୂଚରୀ, ତନୁମୁନା, ଖେଚରୀ ଓ ଗୋଚରୀ ନାମରେ ପାଞ୍ଚ ପ୍ରକାର ମୁଦ୍ରାର ଉଲ୍ଲେଖ ଦେଖାଯାଏ । [୧]

ବିଭିନ୍ନ ପ୍ରକାର ମୁଦ୍ରା[୨][୩][୪][ସମ୍ପାଦନା]

  • ଆବାହନୀ ମୁଦ୍ରା:- ଦୁଇହାତରେ ଅଞ୍ଜଳିକରି ଅଞ୍ଜଳି ମଧ୍ୟରେ ଫୁଲରଖି ଦୁଇହାତର ଅନାମିକା ଅଙ୍ଗୁଳିର ମୂଳପର୍ବରେ ଅଙ୍ଗୁଷ୍ଠାଦ୍ୱୟକୁ ଯୋଗ କରିବ ।
  • ସଂସ୍ଥାପନୀ ମୁଦ୍ରା:- ଫୁଲ ନ ଧରି ଆବାହନୀ ମୁଦ୍ରାକୁ ଅଧୋମୁଖୀ କରିବ ।
  • ସଂନିଧାନୀ ମୁଦ୍ରା:- ହାତ ଦୁଇଟିକୁ ମୁଠାକରି ଦୁହିଁଙ୍କୁ ଏକାଠି କରିବ । ଅଙ୍ଗୁଷ୍ଠଦ୍ୱୟକୁ ଉପରକୁ ଟେକି ରଖାଯାଏ । ଏହି ସଂନିଧାନୀମୁଦ୍ରା ।
  • ସଂନିରୋଧନୀ ମଦ୍ରା:-ସଂନିଧାନି ମୁଦ୍ରାରେ ଅଙ୍ଗୁଷ୍ଠଦ୍ୱୟକୁ ମୁଠାମଧ୍ୟରେ ପ୍ରବେଶ କରାଇଲେ ତାହା ସଂନିରୋଧନୀ ମୁଦ୍ରା ହୁଏ ।
  • ସକଳୀକରଣୀ ମୁଦ୍ରା:- ଫୁଲଧରି ମୂଳମନ୍ତ୍ରକୁ ଅଙ୍ଗନ୍ୟାସରୀତିରେ ଦେବତାଙ୍କ ଅଙ୍ଗରେ ହୃଦୟାଦିସ୍ଥାନରେ ଅଙ୍ଗନ୍ୟାସ କରିବ । ଏହା ସକଳୀକରଣ ।
  • ଅବଗୁଣ୍ଠନ ମୁଦ୍ରା:- ବାମହସ୍ତକୁ ମୁଷ୍ଟିବଦ୍ଧକରି ତର୍ଜନୀ ଅଙ୍ଗୁଳିକୁ ସିଧା ଓ ଅଧୋମୁଖ କରି ଦକ୍ଷିଣାବର୍ତ୍ତ ଭାବରେ ବୁଲାଇବ । ଏହା ଅବଗୁଣ୍ଠନ ମୁଦ୍ରା ।
  • ଧେନୁ ମୁଦ୍ରା ଓ ଅମୃତୀକରଣ ମୁଦ୍ରା:- ଦୁଇ ହାତର କନିଷ୍ଠା ଓ ଅନାମିକା ଅଙ୍ଗୁଳିକୁ ପରସ୍ପରରେ ମୁହାଁମୁହିଁ କରି ଯୋଗ କରିବ । ସେହିପରି ଦୁଇହାତର ମଧ୍ୟମା ଓ ତର୍ଜନୀ ଦୁହିଁଙ୍କୁ କରିବ । ଏହାକୁ ଧେନୁ ମୁଦ୍ରା କୁହାଯାଏ । ଏହି ଧେନୁ ମୁଦ୍ରାକୁ ତଳମୁହାଁ କଲେ ତାହା ଅମୃତୀକରଣ ମୁଦ୍ରା ହୁଏ ।
  • ମହାମୁଦ୍ରା ଓ ପରମୀକରଣ ମୁଦ୍ରା:- ଉଭୟହସ୍ତର ଅଙ୍ଗୁଷ୍ଠକୁ ଗଣ୍ଠିପକାଇଲାପରି ରଖିବ । ଅନ୍ୟଅଙ୍ଗୁଳୀ ଗୁଡ଼ିକୁ ପ୍ରସାରିତ କରିବ । ଏହାକୁ ମହାମୁଦ୍ରା କୁହାଯାଏ । ଦେବତାଙ୍କ ସମ୍ମୁଖରେ ଏହି ମୁଦ୍ରାକୁ ୩ଥର ବୁଲାଇଲେ ତାହା ପରମୀକରଣ ମୁଦ୍ରା ।
  • ମତ୍ସ୍ୟମୁଦ୍ରା:- ବାଁ ହାତର ତଳକୁ ଡାହାଣ ହାତର ପୃଷ୍ଠରେ ଠିକ୍ ସମାନଭାବରେ ମିଳିତ କରି ଦୁଇହାତର ଅଙ୍ଗୁଷ୍ଠଦ୍ୱୟକୁ ଭଲଭାବରେ ଚଳାଇବ । ଏହା ମତ୍ସ୍ୟମୁଦ୍ରା ଅଟେ ।
  • ସଂହାର ମୁଦ୍ରା:- ଅଧୋମୁଖ ବାମହସ୍ତ ଉପରେ ଦକ୍ଷିଣହସ୍ତ ଉତ୍ତାନଭାବେ ରଖି କନିଷ୍ଠାବଧି ଅଙ୍ଗୁଳୀମାନଙ୍କ ମଧ୍ୟରେ ଅଙ୍ଗୁଳୀସ୍ଥାପନ ପୂର୍ବକ ପରସ୍ପରରେ ବନ୍ଧନକରି ବୁଲାଇ ନିଜ ସମ୍ମୁଖକୁ ଆଣିବ । ଏହା ସଂହାରମୁଦ୍ରା ।
  • ଅଙ୍କୁଶ ମୁଦ୍ରା:-ଦକ୍ଷିଣହସ୍ତ ମଧ୍ୟମା ଅଙ୍ଗୁଳୀକୁ ସିଧାକରି ତର୍ଜନୀର ମଧ୍ୟପର୍ବ ପର୍ଯ୍ୟନ୍ତ ତାହାକୁ ଆକୁଞ୍ଚନ କରି ସଂଯୋଗ କରିବ । ତାହା ଅଙ୍କୁଶ ମୁଦ୍ରା ଅଟେ ।
  • ପ୍ରାଣମୁଦ୍ରା:- ଦକ୍ଷିଣହସ୍ତର ତର୍ଜନୀ, ମଧ୍ୟମା ଓ ଅଙ୍ଗୁଷ୍ଠାର ଅଗ୍ରଭାଗକୁ ଊର୍ଦ୍ଧ୍ୱ-ମୁଖକରି ଏକତ୍ର କରିବାର ନାମ ପ୍ରାଣମୁଦ୍ରା ।
  • ଅପାନ ଓ ବ୍ୟାନ ମୁଦ୍ରା:- ଦକ୍ଷିଣହସ୍ତର ମଧ୍ୟମା, ଅନାମିକା ଓ ଅଙ୍ଗୁଷ୍ଠ ଅଙ୍ଗୁଳୀର ଅଗ୍ରକୁ ଊର୍ଦ୍ଧ୍ୱମୁଖ କରି ଏକତ୍ର କରିବାର ନାମ ଅପାନ ମୁଦ୍ରା । କନିଷ୍ଠା, ଅନାମିକା ଓ ଅଙ୍ଗୁଷ୍ଠକୁ ଏକତ୍ରକରିବାକୁ ବ୍ୟାନ ମୁଦ୍ରା କୁହାଯାଏ ।
  • ଉଦାନ ମୁଦ୍ରା ଓ ସମାନ ମୁଦ୍ରା:- ଦକ୍ଷିଣହସ୍ତର ମଧ୍ୟମା ବ୍ୟତୀତ ସମସ୍ତ ଅଙ୍ଗୁଳୀର ଅଗ୍ରକୁ ଏକତ୍ର କରି ଊର୍ଦ୍ଧ୍ୱମୁଖ କରିବାର ନାମ ଉଦାନ ମୁଦ୍ରା ଏବଂ ଅଙ୍ଗୁଳୀର ଅଗ୍ରଭାଗକୁ ସେପରି ଏକତ୍ର କରିବାର ନାମ ସମାନ ମୁଦ୍ରା ।
  • କୂର୍ମ୍ମ ମୁଦ୍ରା:- ଦକ୍ଷିଣ ହସ୍ତର ତର୍ଜନୀ ବାମ ହସ୍ତର ଅଙ୍ଗୁଷ୍ଠରେ ଏବଂ କନିଷ୍ଠା ବାମହସ୍ତର ତର୍ଜନୀରେ ଯୋଗକରି ଦକ୍ଷିଣାଙ୍ଗୁଷ୍ଠ ଉନ୍ନତ କରିବି । ତାପରେ ବାମହସ୍ତର ଅଙ୍ଗୁଷ୍ଠ ଓ ତର୍ଜନୀର ମଧ୍ୟଦେଇ ଦକ୍ଷିଣହସ୍ତର ମଧ୍ୟମା ଓ ଅନାମିକା ବକ୍ରକରି ରଖିବ । ତାପରେ ଦକ୍ଷିଣ ହସ୍ତର ପୃଷ୍ଠରେ ବାମହସ୍ତର ମଧ୍ୟମା, ଅନାମିକା ଓ କନିଷ୍ଠା ବକ୍ର କରିଦେବ । ଦକ୍ଷିଣହସ୍ତକୁ କୂର୍ମପୃଷ୍ଠପରି କଲେ ତାହା କୂର୍ମ୍ମମୁଦ୍ରା ହୁଏ ।
  • ଲେଲିହା ମୁଦ୍ରା:- ଦକ୍ଷିଣହସ୍ତର ତର୍ଜନୀ, ମଧ୍ୟମା ଓ ଅନାମିକା ଏହି ୩ଗୋଟି ଅଙ୍ଗୁଳିକୁ ସମାନଭାବେ ଅଧୋମୁଖକରି ରଖିବ । ଅନାମିକା ଅଙ୍ଗୁଳିରେ ବୃଦ୍ଧାଙ୍କୁଳୀକୁ ଯୋଗକରି କାଣି ଆଙ୍ଗୁଠିକୁ ସିଧାକରି ରଖିବ । ଏହା ଲେଲିହା ମୁଦ୍ରା ।
  • ତତ୍ତ୍ୱ ମୁଦ୍ରା:- ଦକ୍ଷିଣହସ୍ତ ଅଧୋମୁଖକରି ମଧ୍ୟମା ଓ ଅନାମିକାର ଅଗ୍ରଭାଗରେ ଅଙ୍ଗୁଷ୍ଠ ଯୋଗକଲେ ତାହା ତତ୍ତ୍ୱମୁଦ୍ରା ହୁଏ । ଅଥବା-ଦକ୍ଷିଣହସ୍ତର ଅଙ୍ଗୁଷ୍ଠ ଓ ତର୍ଜନୀକୁ ଯୋଗକରିବ, ଅନ୍ୟ ଅଙ୍ଗୁଳୀଗୁଡ଼ିକ ସରଳ କରିବ ।
  • ନାରାଚ ମୁଦ୍ରା:- ଦକ୍ଷିଣହସ୍ତର ଅଙ୍ଗୁଷ୍ଠ ଅଗ୍ରରେ ତର୍ଜନୀ ଯୋଗକରି ମଧ୍ୟମା, ଅନାମିକା ଓ କନିଷ୍ଠାକୁ କରତଳସ୍ଥ ଊର୍ଦ୍ଧ୍ୱରେଖା ସହିତ ବକ୍ରକରି ସ୍ଥାପନକଲେ ତାହା ନାରାଚମୁଦ୍ରା ହୁଏ ।
  • ଅସ୍ତ୍ର ମୁଦ୍ରା:- ଅଙ୍ଗୁଷ୍ଠ ଓ ତର୍ଜନୀଦ୍ୱାରା ଦଶଦିଗକୁ ଧ୍ୱନିକରି ଯେଉଁ ବନ୍ଧନ କରିବ ତାହାକୁ ଅସ୍ତ୍ରମୁଦ୍ରା କୁହାଯାଏ ।
  • ଗାଳିନୀ ମୁଦ୍ରା:-ଦକ୍ଷିଣହସ୍ତ ଉପରେ ବାମହସ୍ତ ରଖି ବାମହସ୍ତର କନିଷ୍ଠା ଓ ଅଙ୍ଗୁଷ୍ଠ ଦକ୍ଷିଣକରର ବୃଦ୍ଧା ଓ କନିଷ୍ଠା ଅଙ୍ଗୁଳିରେ ଏକତ୍ରକରି ହସ୍ତଦୁଇଟିର ତର୍ଜନୀ, ମଧ୍ୟମା ଓ ଅନାମିକା ପରସ୍ପର ଏକତ୍ର କରିବ । ତାପରେ ମିଳିତ ହେଉଥିବା କନିଷ୍ଠା ଅଙ୍ଗୁଷ୍ଠକୁ ତର୍ଜନୀ, ମଧ୍ୟମା ଓ ଅନାମିକାଠାରୁ ଅଲଗା ରଖିଲେ ତାହା ଗାଳିନୀମୁଦ୍ରା ହୁଏ ।
  • ଗନ୍ଧ ମୁଦ୍ରା:- ଦକ୍ଷିଣହସ୍ତର ଅନାମିକାକୁ ଅଧୋମୁଖ କରିବ । ଅନ୍ୟ ଅଙ୍ଗୁଳୀଗୁଡ଼ିକୁ ମୁଷ୍ଟିବଦ୍ଧ କରିବ । ଏହାକୁ ଗନ୍ଧମୁଦ୍ରା କୁହାଯାଏ ।
  • ପୁଷ୍ପ ମୁଦ୍ରା:- ଦକ୍ଷିଣହସ୍ତର ମଧ୍ୟମା ଅଙ୍ଗୁଳୀକୁ ଅଧୋମୁଖ କରିବ । ଅନ୍ୟ ଅଙ୍ଗୁଳିଗୁଡ଼ିକ ବୁଢ଼ାଆଙ୍ଗୁଠିରେ ଚାପିଧରିବ ।
  • ଧୂପ ଓ ଦୀପମୁଦ୍ରା:- ଦକ୍ଷିଣହସ୍ତର ଅଙ୍ଗୁଷ୍ଠକୁ ତର୍ଜନୀ ସହିତ ଯୋଗକରିବ । ଅନ୍ୟ ଅଙ୍ଗୁଳୀଗୁଡ଼ିକୁ ସଂକୁଚିତ କରିବ । ଏହା ଧୂପମୁଦ୍ରା । ପୁଷ୍ପମୁଦ୍ରାକୁ ଊର୍ଦ୍ଧ୍ୱମୁଖ କଲେ ଦୀପମୁଦ୍ରା ହେଇଥାଏ ।
  • ନୈବେଦ୍ୟମୁଦ୍ରା:- ପାଞ୍ଚ ଅଙ୍ଗୁଳୀର ଅଗ୍ରଭାଗ ୩ଥର ଏକତ୍ର କରିବ । ଏହା ନୈବେଦ୍ୟମୁଦ୍ରା ।
  • ଶଙ୍ଖମୁଦ୍ରା:- ବାମ ଅଙ୍ଗୁଷ୍ଠକୁ ଦକ୍ଷିଣହସ୍ତର ଚାରିଅଙ୍ଗୁଳୀରେ ବନ୍ଦକରି ଦକ୍ଷିଣଅଙ୍ଗୁଷ୍ଠକୁ ବାମ ଚାରିଅଙ୍ଗୁଳୀର ଅଭିମୁଖ କରିବାର ନାମ ଶଙ୍ଖମୁଦ୍ରା ।
  • ଚକ୍ରମୁଦ୍ରା:- ଉଭୟ ହସ୍ତ ପ୍ରସାରିତ କରି ବାମହସ୍ତ ଉପରେ ଦକ୍ଷିଣ କରତଳ ଯୋଗ କରିବ । ଉଭୟ କନିଷ୍ଠାରେ ଉଭୟ ଅଙ୍ଗୁଷ୍ଠ ଯୋଗକରିବ । ଏହା ଚକ୍ରମୁଦ୍ରା ଅଟେ ।
  • ଯୋନିମୁଦ୍ରା:- ଦୁଇହାତର ଅନାମିକାକୁ ଦୁଇହାତର ତର୍ଜନୀଦ୍ୱାରା ବାନ୍ଧି ଅନ୍ୟ ଆଙ୍ଗୁଠିଗୁଡ଼ିକୁ ସରଳ କରି ରଖିବ । ଦୁଇ ବୁଢାଆଙ୍ଗୁଠି ଆଗକୁ ଦୁଇକାଣିଆଙ୍ଗୁଠି ମୂଳରେ ଯୋଗ କରିବ । ଏହାକୁ ଯୋନିମୁଦ୍ରା କୁହାଯାଏ ।
  • ବୀକ୍ଷଣ ଓ ପ୍ରୋକ୍ଷଣ ମୁଦ୍ରା:- ମୂଳମନ୍ତ୍ରର ଅସ୍ତ୍ରଭାଗକୁ ପାଠକରି ଦକ୍ଷିଣଅନାମିକା ଓ ଅଙ୍ଗୁଷ୍ଠଯୁକ୍ତ ଦୃଷ୍ଟିକୁ ବୀକ୍ଷଣ କୁହାଯାଏ ଏବଂ ଅସ୍ତ୍ରମନ୍ତ୍ର ପାଠକରି ଦକ୍ଷିଣ ହସ୍ତକୁ ସଂକୁଚିତ କରି ଅର୍ଘ୍ୟଜଳ ସେଚନକୁ ପ୍ରୋକ୍ଷଣ କୁହାଯାଏ ।
  • ତାଡ଼ନ ଓ ଅଭ୍ୟୁକ୍ଷଣ ମୁଦ୍ରା:- ଅସ୍ତ୍ରମନ୍ତ୍ର ପାଠକରି ଦକ୍ଷିଣ ତର୍ଜନୀ, ମଧ୍ୟମା ଓ ଅନାମିକା ଅଙ୍ଗୁଳୀଦ୍ୱାରା ତିନିଥର ବୁଲାଇବ । ଏହା ତାଡ଼ନ । କବଚ ମନ୍ତ୍ରରେ ଫୁଲଧରି ଅଙ୍ଗୁଳୀମାନଙ୍କଦ୍ୱାରା ଅର୍ଘ୍ୟଜଳର ପୁନରାୟ ସେଚନକୁ ଅଭ୍ୟୁକ୍ଷଣ କୁହାଯାଏ ।

ଆଧାର[ସମ୍ପାଦନା]

  1. ପ୍ରହରାଜ, ଗୋପାଳ ଚନ୍ଦ୍ର. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ. p. ୬୬୧୪. 
  2. ରଥଶର୍ମା, ସଦାଶିବ. ଶ୍ରୀଜଗନ୍ନାଥଙ୍କ ସେବା ଓ ଉପାସନା. ଶ୍ରୀଜଗତ୍‌ବନ୍ଧୁ ମନ୍ଦିର. pp. ୬୧–୬୭. 
  3. "Mudras for Puja". Devi Mandir. Retrieved 30 March 2015. 
  4. ମହାପାତ୍ର, ପଦ୍ମନାଭ; ଡ. ଭାସ୍କର ମିଶ୍ର. ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତି. ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ. pp. ୭୯–୧୧୫.