ମାରୀଚ

ଉଇକିପିଡ଼ିଆ ରୁ
Jump to navigation Jump to search

ହିନ୍ଦୁ ମହାକାବ୍ୟ ରାମାୟଣରେ, ମାରୀଚ (ସଂସ୍କୃତ: मारीच) ହେଉଛି ଏକ ରାକ୍ଷସ, ଯିଏ ରାମଙ୍କଦ୍ୱାରା ନିହତ ହୋଇଥିଲା । ତାଙ୍କୁ ରାମାୟଣର ଖଳନାୟକ ରାବଣର ସହଯୋଗୀ ଭାବରେ ଉଲ୍ଲେଖ କରାଯାଇଛି । ରାମାୟଣରେ ଯେଉଁ କାର୍ଯ୍ୟପାଇଁ ସେ ନିନ୍ଦିତ ତାହା ହେଉଛି ରାମଙ୍କ ପତ୍ନୀ ସୀତା ଅପହରଣରେ ତାଙ୍କର ଭୂମିକା । ତାଙ୍କ ପୁଅ କାଳନେମିଙ୍କୁ ହନୁମାନ ହତ୍ୟା କରିଥିଲେ ।

ଅଭିଶାପ ଫଳରେ ମାତା ତାଡ଼କା ଏବଂ ଭାଇ ସୁବାହୁଙ୍କ ସହ ସେ ମଧ୍ୟ ରାକ୍ଷସ ଭାବେ ଜନ୍ମ ନେଇ ପ୍ରଥମେ ଜଙ୍ଗଲରେ ତପସ୍ୟାରତ ଋଷିମାନଙ୍କୁ କଷ୍ଟ ଦେଉଥିଲେ । ପରେ ଋଷି ବିଶ୍ୱାମିତ୍ରଙ୍କ ନିର୍ଦ୍ଦେଶରେ ରାମଙ୍କଦ୍ୱାରା ସେ ପରାସ୍ତ ହୋଇଥିଲେ । ସେ ପୁନର୍ବାର ରାମଙ୍କୁ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅସଫଳ ହୋଇ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ । ପରିଶେଷରେ, ମାରୀଚ ଏକ ସୁବର୍ଣ୍ଣ ହରିଣର ରୂପ ନେଇ ସୀତାଙ୍କୁ ଅପହରଣ କରିବାରେ ରାବଣକୁ ସାହାଯ୍ୟ କରିଥିଲେ ।

ଜନ୍ମ[ସମ୍ପାଦନା]

ମାରୀଚର ପିତା ଥିଲେ ସୁନ୍ଦ ନାମକ ରାକ୍ଷସ ଏବଂ ମାତା ଥିଲେ ତାଡ଼କା । ମାରୀଚର ସୁବାହୁ ନାମକ ଏକ ସାନ ଭାଇ ମଧ୍ୟ ଥିଲେ । ଅଭିଶପ୍ତ ହେବା ପୂର୍ବରୁ ଉଭୟ ଭାଇଭଉଣୀ ବହୁତ ସୁନ୍ଦର ଏବଂ ଚରିତ୍ରବାନ ଥିଲେ । ଏହା ସାଙ୍ଗକୁ ସେମାନେ ଥିଲେ ମାୟାବୀ ଅର୍ଥାତ ମାୟା ବିଦ୍ୟାରେ ପାରଙ୍ଗମ । ଥରେ ସୁନ୍ଦ ମଦ୍ୟପ ଅବସ୍ଥାରେ ଋଷି ଅଗସ୍ତ୍ୟଙ୍କ ଆଶ୍ରମ ଉପରେ ଆକ୍ରମଣ କରିଥିଲା ​​। କ୍ରୋଧିତ ଅଗସ୍ତ୍ୟ ତାଙ୍କର ତପ ଶକ୍ତିଦ୍ୱାରା ତାଙ୍କୁ ଭସ୍ମ କରିଦେଇଥିଲେ । ତାଡ଼କା ସୁନ୍ଦର ମୃତ୍ୟୁ ବିଷୟରେ ଜାଣିବାପରେ, ସେ ଏବଂ ତାଙ୍କ ସନ୍ତାନମାନେ ଋଷିଙ୍କଠାରୁ ପ୍ରତିଶୋଧ ନେବାକୁ ଅଗସ୍ତ୍ୟଙ୍କ ଉପରେ ଆକ୍ରମଣ କରିଥିଲେ । ଫଳରେ ଋଷି ତାଡ଼କା, ମାରୀଚ ଏବଂ ସୁବାହୁଙ୍କୁ ଅଭିଶାପ ଦେଇ ସେମାନଙ୍କୁ ଅତ୍ୟନ୍ତ କଦାକାର ରାକ୍ଷସରେ ପରିଣତ କରିଦେଲେ ।

ତା’ପରେ ସାହାଯ୍ୟ ଆଶାରେ ସେମାନେ ଅବଲୀଳାକ୍ରମେ ରାବଣ ପାଖରେ ପହଞ୍ଚିଥିଲେ । ରାବଣର ସହାୟତାରେ ସରଜୁ ନଦୀ କୂଳରେ ଥିବା ରାଜ୍ୟଗୁଡ଼ିକୁ ଧ୍ୱଂସ କରି ଏକ ଘଞ୍ଚ ଜଙ୍ଗଲରେ ପରିଣତ କଲେ, ଯାହା ତାଡ଼କା ଜଙ୍ଗଲ ଭାବରେ ପରିଚିତ ହେଲା । ସେମାନେ ସେହି ଜଙ୍ଗଲରେ ରହି ପଥଚାରୀ ମାନଙ୍କୁ ଆକ୍ରମଣ କରିବା ସହ ଏହି ଅଞ୍ଚଳର ଋଷିମାନର ଯଜ୍ଞ ନଷ୍ଟ କରି ସେମାନଙ୍କୁ ହଇରାଣ କରୁଥିଲେ ।[୧][୨]

ଦଣ୍ଡକାରଣ୍ୟରେ ରାମଙ୍କ ସହ ଭେଟ[ସମ୍ପାଦନା]

ରାମଙ୍କ ସାବତ ମା କୈକେୟୀଙ୍କ ନିର୍ଦ୍ଦେଶରେ ଦଶରଥଙ୍କଦ୍ୱାରା ରାମ, ଲକ୍ଷ୍ମଣ ଏବଂ ସୀତା ୧୪ ବର୍ଷ ପାଇଁ ନିର୍ବାସିତ ହୋଇଥିଲେ । ଏହି ଅବସରରେ ରାମ, ଲକ୍ଷ୍ମଣ ଏବଂ ସୀତା ଅଯୋଧ୍ୟାରୁ ଦକ୍ଷିଣକୁ ଯାଇ ଦାଣ୍ଡକାରଣ୍ୟ ଦେଇ ଗୋଦାବରୀ ନଦୀ କୂଳକୁ ଯାଇ ସେଠାରେ ପଞ୍ଚବଟୀରେ ଏକ କୁଟୀର ନିର୍ମାଣ କରିଥିଲେ ।

ଥରେ ମାରୀଚ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କୁ ସେଠାରେ ଦେଖିଲେ ଏବଂ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ରାକ୍ଷସ ସାଥୀମାନଙ୍କ ସହ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ରାମ ଏକାସାଙ୍ଗରେ ତିନୋଟି ତୀର ମାରି ମାରିଚଙ୍କ ସହଯୋଗୀଙ୍କୁ ହତ୍ୟା କରିଥିଲେ, କିନ୍ତୁ ତୃତୀୟ ତୀରଟି ଲକ୍ଷ୍ୟଚ୍ୟୁତ ହେବାରୁ ମାରୀଚ ପଳାୟନ କରି ଅଳ୍ପକେ ବର୍ତ୍ତିଗଲା ।

ଈତିମଧ୍ୟରେ ମାରୀଚ ଜଣେ ସାଧୁ ବ୍ୟକ୍ତି ଭାବରେ ରୂପାନ୍ତରିତ ହୋଇଥିଲେ । ସେ ନିଝର ଭୂଲ ବୁଝି ନିଜକୁ ସୁଧାରିବାକୁ ଲାଗିଲେ । ଏକ ଆଶ୍ରମ ସ୍ଥାପନ କରି ସେ ଏକ ସାଧୁର ଜୀବନ ବିତାଇବାକୁ ଲାଗିଲେ ଏବଂ ସେତେବେଳକୁ ରାମଙ୍କର ଜଣେ ଭକ୍ତ ହୋଇଯାଇଥିଲେ ।[୩] କିନ୍ତୁ ଶେଷରେ ସେ ରାବଣଙ୍କ ରଣନୀତି ଅନୁଯାୟୀ ରାମଙ୍କ ହାତରେ ହିଁ ତାଙ୍କର ମୃତ୍ୟୁ ହେଲା ।

ସୀତା ହରଣରେ ଭୂମିକା[ସମ୍ପାଦନା]

ବନବାସ କାଳରେ ଦିନେ, ରାବଣର ରାକ୍ଷସ ଭଉଣୀ ସୂର୍ପଣଖା ଏକ ସୁନ୍ଦର ଝିଅର ଛଦ୍ମ ବେଶରେ ରାମଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ରାମ ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଥଟ୍ଟାରେ ଲକ୍ଷ୍ମଣଙ୍କ ଆଡ଼କୁ ନିର୍ଦ୍ଦେଶ କରିଥିଲେ । ଲକ୍ଷ୍ମଣ ଥଟ୍ଟା କରି କହିଥିଲେ ଯେ ସେ ତାଙ୍କ ଭାଇ ରାମଙ୍କୁ ବିବାହ କରିବା ଉଚିତ୍ । କ୍ରୋଧିତ ସୂର୍ପଣଖା ଏତେବେଳେ ସୀତାଙ୍କୁ ଆକ୍ରମଣ କରିଥିଲେ । କିନ୍ତୁ ଲକ୍ଷ୍ମଣ ଖଣ୍ଡା ବାହାର କରି ସୂର୍ପଣଖାଙ୍କ କାନ ଓ ନାକ କାଟି ଦେଇଥିଲେ । ଅପମାନିତ ସୂର୍ପଣଖା ରାମଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ଜଣେ ନରଭକ୍ଷୀ ରାକ୍ଷସ ଖରଙ୍କ ନିକଟକୁ ଯାଇଥିଲେ । ତେବେ ଖର, ତାଙ୍କର ସେନାପତି ଦୁଃଷଣ ଏବଂ ତାଙ୍କର ସୈନ୍ୟବାହିନୀ ରାମଙ୍କୁ ଆକ୍ରମଣ କରିବା ସମୟରେ ରାମଙ୍କଦ୍ୱାରା ନିହତ ହୋଇଥିଲେ । ରାମଙ୍କ ହାତରୁ ରକ୍ଷା ପାଇଥିବା ସୂର୍ପନଖା ଏବଂ ତାଙ୍କ ମାମୁଁ ଅକମ୍ପନ ଏହି ଖବର ସହିତ ଲଙ୍କାରେ ପହଞ୍ଚି ରାମଙ୍କ ସୁନ୍ଦର ପତ୍ନୀ ସୀତାଙ୍କୁ ଚୋରି କରିବାକୁ ରାବଣକୁ ପ୍ରସ୍ତାବ ଦେଇଥିଲେ ।

ରାବଣ ଏ ଖବର ପାଇ ରାମ ଲକ୍ଷ୍ମଣଙ୍କୁ ନିପାତ କରିବାପାଇଁ ମାରୀଚ ରାକ୍ଷସ ସହାୟତାରେ ଏକ ଯୋଜନା କଲା । ସୀତା କୁଟୀରରେ ଥିବା ବେଳେ ମାୟାବୀ ମାରୀଚ ଏକ ହେମ ହରିଣୀର ରୂପ ଧାରଣ କରି ସୀତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା । ସୀତାଙ୍କ ଅନୁରୋଧ କ୍ରମେ ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ ରକ୍ଷାର ଦାୟୀତ୍ୱ ଦେଇ ମାୟା ମୃଗର ଅନୁସରଣପୂର୍ବକ ବନ ମଧ୍ୟକୁ ଚାଲିଗଲେ । ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ୱଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ । ଲକ୍ଷ୍ମଣ କିନ୍ତୁ ରାକ୍ଷସ ମାୟା ବୁଝିପାରି ଦେବୀ ସୀତାଙ୍କୁ ଏକାକିନୀ ଛାଡ଼ି ଯିବାକୁ ମନା କଲେ । ହେଲେ ଦେବୀ ସୀତାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ଅନୋନ୍ୟପାୟ ହୋଇ ସୀତାଙ୍କୁ ଏକାକିନୀ ଛାଡ଼ି ରାମଙ୍କ ସନ୍ଧାନରେ ଚାଲିଗଲେ । ତେବେ ଯିବା ଆଗରୁ କୁଟୀର ସମ୍ମୁଖରେ ତିନିଟି ଗାର ଟାଣି କୌଣସି ପରିସ୍ଥିତିରେ ମଧ୍ୟ ସେହି ତିନି ଗାର ନ ଡେଇଁବାକୁ ପରାମର୍ଶ ଦେଇ ଗଲେ । ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା ।[୪]

ଆଧାର[ସମ୍ପାଦନା]

  1. "Taraka". mythfolklore.net. Retrieved 20 February 2021.
  2. Sehgal 1999, pp. 200-2.
  3. Pollock 2007, pp. 164-5.
  4. "The Ramayana - Kidnapping of Sita". www.hinduwebsite.com (in ଇଂରାଜୀ). Retrieved 20 February 2021.