ମହାକର୍ଷଣୀୟ ତରଙ୍ଗ

ଉଇକିପିଡ଼ିଆ ରୁ
Jump to navigation Jump to search

୧୯୧୫ ମସିହାରେ ସାଧାରଣ ଆପେକ୍ଷିକତତ୍ତ୍ୱର ପ୍ରତିପାଦନ କଲାପରେ ୧୯୧୬ ମସିହାରେ ଆଇନଷ୍ଟାଇନ୍ ମହାକର୍ଷଣୀୟ ତରଙ୍ଗର ଅସ୍ତିତ୍ତ୍ୱ ଉପଲବ୍ଧି କରିଥିଲେ । ତେବେ ସେହି ସମୟରେ ପରୀକ୍ଷାଗାରରେ ଏହି ତରଙ୍ଗର ନିରୀକ୍ଷଣ କରିବା ସମ୍ଭବ ହୋଇପାରିନଥିଲା । ତରଙ୍ଗ-ଆୟାମର କ୍ଷୁଦ୍ରତା ଯୋଗୁଁ ଏହା ଅପରିମେୟ ରହିଥିଲା । ଏକ ଯୁଗ୍ମ କୃଷ୍ଣଗର୍ତ୍ତ(blackhole)ର ସମ୍ମିଶ୍ରଣରୁ ଉତ୍ପାଦିତ ମହାକର୍ଷଣୀୟ ତରଙ୍ଗ ବର୍ତ୍ତମାନ ଲିଗୋ-ପର୍ଯ୍ୟବେକ୍ଷଣିକାରେ ଦୃଶ୍ୟମାନ ହୋଇଛି ।[୧]

କୃଷ୍ଣଗର୍ତ୍ତ ଏକ ମହାଜାଗତିକ ବସ୍ତୁ । ମହାକର୍ଷଣ ପ୍ରକ୍ରିୟାର ପ୍ରାବଲ୍ୟ ଯୋଗୁଁ ଏଥି ମଧ୍ୟରୁ କୌଣସି ପଦାର୍ଥ, ଏପରିକି ଆଲୋକରଶ୍ମୀର ନିର୍ଗତ ମଧ୍ୟ ସମ୍ଭବ ନୁହେଁ । ସେଥିଯୋଗୁଁ ଏହାକୁ କୃଷ୍ଣଗର୍ତ୍ତ ନାମରେ ନାମିତ କରାଯାଇଛି । ଆଇନଷ୍ଟାଇନ୍ ମହାକର୍ଷଣୀୟ ତରଙ୍ଗର ଅସ୍ତିତ୍ତ୍ୱ ଉପଲବ୍ଧ କରୁଥିବା ସମୟରେ ତାଙ୍କର ସମୀକରଣ ସମାଧାନ କରି ଶୁଆର୍ଜଶ୍ଚାଇଲ୍ଡ୍ ନାମକ ଜଣେ ବୈଜ୍ଞାନିକ କୃଷ୍ଣଗର୍ତ୍ତର ଗାଣିତିକ ସୂତ୍ର ସ୍ଥିରୀକରଣ କରିଥିଲେ । ସେ ସମୟରେ କୃଷ୍ଣଗର୍ତ୍ତର ପର୍ଯ୍ୟବେକ୍ଷଣ ମଧ୍ୟ ଦୁଃସାଧ୍ୟ ଥିଲା । କୃଷ୍ଣଗର୍ତ୍ତରୁ ଆଲୋକ ଅଥବା ଅନ୍ୟ କୌଣସି ପଦାର୍ଥ ନିଷ୍କାସିତ ନହେବା ଯୋଗୁଁ ଏହାକୁ ସିଧା ସଳଖ ନିରୀକ୍ଷଣ କରିବା ସମ୍ଭବପର ନୁହେଁ । ତେବେ ଯାନ୍ତ୍ରିକ ଏବଂ ବୈଷୟିକ ଜ୍ଞାନର ପ୍ରଗତି ଯୋଗୁଁ ବର୍ତ୍ତମାନ କୃଷ୍ଣଗର୍ତ୍ତର ପର୍ଯ୍ୟବେକ୍ଷଣ ସମ୍ଭବ ହୋଇପାରିଛି । କୃଷ୍ଣଗର୍ତ୍ତର ଚତୁଃପାର୍ଶ୍ୱରେ ଘୂର୍ଣ୍ଣାୟମାନ ତାରକା ଆଦି ମହାଜାଗତିକ ବସ୍ତୁରୁ ନିର୍ଗତ ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗର ଅନୁଶୀଳନରୁ ଏହା ସମ୍ଭବ ହୋଇପାରିଛି ।

ଯଦ୍ୟପି କୃଷ୍ଣଗର୍ତ୍ତରୁ କୌଣସି ପଦାର୍ଥର ନିର୍ଗତ ସମ୍ଭବ ନୁହେଁ, ଏକାଧିକ କୃଷ୍ଣଗର୍ତ୍ତର ସମ୍ମିଶ୍ରଣରୁ ମହାକର୍ଷଣୀୟ ତରଙ୍ଗର ସୃଷ୍ଟି ସମ୍ଭବ । ଏହିପରି ଏକଯୁଗ୍ମ କୃଷ୍ଣଗର୍ତ୍ତର ସମ୍ମିଶ୍ରଣ ଜନିତ ମହାକର୍ଷଣୀୟ ତରଙ୍ଗର ବିକିରଣ ଲିଗୋ ପର୍ଯ୍ୟବେକ୍ଷଣିକାଦ୍ୱାରା ଅବଲୋକିତ ହୋଇଛି । ପରସ୍ପରର ଚତୁଃପାର୍ଶ୍ୱରେ ଘୂର୍ଣାୟମାନ ୨୯ MS* ଓ ୩୬ MS ବିଶିଷ୍ଟ ଦୁଇଟି କୃଷ୍ଣଗର୍ତ୍ତର ସମ୍ମିଶ୍ରିତ ହୋଇ ୬୨ MS ବିଶିଷ୍ଟ ଏକ କୃଷ୍ଣଗର୍ତ୍ତରେ ରୂପାନ୍ତରିତ ହୋଇଛନ୍ତି ଏବଂ ଏହାଦ୍ୱାରା ୩ MS ପରିମାଣର ଉର୍ଜା ମହାକର୍ଷଣୀୟ ତରଙ୍ଗ ଆକାରରେ ମହାଶୂନ୍ୟକୁ ବିକ୍ଷିପ୍ୟମାଣ ହୋଇଛି । ୧୩୦ କୋଟି ବର୍ଷ ପୂର୍ବେ ଉତ୍ପନ୍ନ ହୋଇଥିବା ଏହି ବିକିରଣ ସେପ୍ଟେମ୍ବର ୧୪, ୨୦୧୫ ଦିନ ଘ୦୯.୫୦.୪୫ଣ୍ଟା ୟୁଟିସି ସମୟରେ ଦୁଇଟି ସ୍ୱତନ୍ତ୍ର ଲିଗୋ ଡିଟେକ୍ଟରଦ୍ୱାରା ଏହା ନିରୀକ୍ଷିତ ହୋଇଥିଲା । ଏହାଦ୍ୱାରା ଆବିଷ୍କୃତ ତଥ୍ୟ ପିଆରଏଲ୍ ପତ୍ରିକାରେ ୧୧ ଫେବୃଆରୀ, ୨୦୧୬ରେ ପ୍ରକାଶିତ ହୋଇଛି । [୨]

  • ଲିଗୋ=Laser Interferometer Gravitational-Wave Observatory
  • (MS =Solar Mass)

ଆଧାର[ସମ୍ପାଦନା]

  1. Adrian Cho. Gravitational waves, Einstein's ripples in spacetime, spotted for first time.
  2. B. P. Abbott et al. (LIGO Scientific Collaboration and Virgo Collaboration). Observation of Gravitational Waves from a Binary Black Hole Merger.