ମଥୁରା ଦୁଷ୍କର୍ମ ମାମଲା

ଉଇକିପିଡ଼ିଆ ରୁ
Jump to navigation Jump to search

ମଥୁରା ଦୁଷ୍କର୍ମ ମାମଲା ହେଉଛି ୨୬ ମାର୍ଚ୍ଚ ୧୯୭୨ରେ ସଂଘଟିତ ଏକ ଦୁଷ୍କର୍ମ ମାମଲା ଯେଉଁଥିରେ ମଥୁରା ନମ୍ନୀ ଏକ ଆଦିବାସୀ ନାବାଳିକା ପୋଲିସ ହାଜତରେ ଧର୍ଷଣର ଶୀକାର ହୋଇଥିଲା । ଅଭିଯୋଗ ଅନୁସାରେ ମହାରାଷ୍ଟ୍ରର ଦେଶାଇଗଞ୍ଜ ଥାନାର ଦୁଇଜଣ ପୋଲିସ ଅଧିକାରୀ ଉକ୍ତ ନାବାଳିକାକୁ ଧର୍ଷଣ କରିଥିଲେ । ତେବେ ଉଚ୍ଚତମ ନ୍ୟାୟାଳୟ ଉକ୍ତ ମାମଲାର ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେବା ପରେ ଏହି ରାୟ ବିରୁଦ୍ଧରେ ଦେଶ ବ୍ୟାପି ବିରୋଧ ପ୍ରକାଶ ପାଇବାକୁ ଲାଗିଲା । ଫଳରେ ସରକାର ଫୌଜଦାରୀ ଆଇନ ସଂଶୋଧନ ୧୯୮୩ ଅଧିନିୟମ କାର୍ଯ୍ୟକାରୀ କରିବା ସହ ଯୌନ ବ୍ୟଭିଚାର ମାମଲା ସଂପର୍କିତ ଅନେକ ଆଇନରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହୋଇଥିଲେ ।[୧]

ଘଟଣାର ପୃଷ୍ଠଭୂମି[ସମ୍ପାଦନା]

ମଥୁରା ଏକ ଅନାଥ ଆଦିବାସୀ ନାବାଳିକା ଯିଏକି ତାର ଦୁଇ ଭାଇଙ୍କ ମଧ୍ୟରୁ ଜଣଙ୍କ ସହ ବାସ କରୁଥିଲା ।[୨] ମାମଲା ସମ୍ପର୍କିତ ଘଟଣା ବେଳକୁ ମଥୁରାର ବୟସ ଥିଲା ପ୍ରାୟ ୧୪ରୁ ୧୬ ବର୍ଷ ମଧ୍ୟରେ । ମଥୁରା କିଛି ଦିନ ପାଇଁ ନୁଶୀ ନାମ୍ନୀ ଏକ ମହିଳାଙ୍କ ଘରେ ଘରୋଇ ସହାୟୀକା ଭାବେ କାମ କରୁଥିଲା । ନୁଶୀର ଭଣଜା ଅଶୋକ ସହ ତାର ଦେଖା ହୁଏ । ଅଶୋକ ମଥୁରାକୁ ବିବାହ କରିବାକୁ ଚାହୁଁଥିଲା । ତେବେ ମଥୁରାର ଭାଇ ଏହି ପ୍ରସ୍ତାବରେ ରାଜି ନ ଥିଲା । ସେ ନିକଟସ୍ଥ ପୋଲିସ ଥାନାରେ ଅଶୋକ ଏବଂ ତାଙ୍କ ପରିବାରର ଲୋକଙ୍କ ବିରୁଦ୍ଧରେ ମଥୁରାର ଅପହରଣ ନେଇ ଏକ ମାମଲା ଦାଖଲ କଲା । ମାମଲା ଆଧାରରେ ପୋଲିସ ମଥୁରା, ମଥୁରାର ଭାଇ, ଅଶୋକ ତଥା ତାଙ୍କ ପରିବାରର ଲୋକଙ୍କୁ ଥାନାକୁ ଡକାଇଆଣିଲେ । ପ୍ରାଥମିକ ଅନୁସନ୍ଧାନ ପରେ ସମସ୍ତଙ୍କୁ ସିନା ଛାଡି ଦିଆଗଲା ହେଲେ ମଥୁରାକୁ ଅପେକ୍ଷା କରିବାକୁ କୁହାଗଲା । ଏହି ଅବସରରେ ଥାନାର ଦୁଇଜଣ ପୋଲିସ ଗଣପତ ଓ ତୁକାରାମ ମଥୁରାସହ ଦୁଷ୍କର୍ମ କରିବା ଅଭିଯୋଗ ହେଲା । ଏହା ଜାଣିବା ପରେ ମଥୁରାର ବନ୍ଧୁ ପରିଜନ ତଥା ସାଧାରନ ଲୋକ ପୋଲିସ ଥାନା ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ଦୋଷୀକୁ ଦଣ୍ଡ ଦେବାକୁ ଦାବି କଲେ । ପ୍ରବଳ ଚାପର ସମ୍ମୁଖୀନ ହୋଇ ଦୁଇ ଅଭିଯୁକ୍ତ ପଞ୍ଚନାମା ଦାଖଲ କରିବା ପାଇଁ ସହମତ ହେଲେ ।

ମାମଲା[ସମ୍ପାଦନା]

ମାମଲାର ଶୁଣାଣୀ ଦୌରା ଜଜ୍‌ଙ୍କ ଅଦାଲତରେ ଆରମ୍ଭ ହେଲା । ଦୌରା ଜଜ୍‌ ଏହି ମାମଲାରେ ଅଭିଯୁକ୍ତ ସପକ୍ଷରେ ରାୟ ଦେଇ କହିଲେ ଯେ ପୀଡିତା ଯୌନ ସଂଭୋଗ ସହ ଅଭ୍ୟସ୍ତ ଥିଲା ଓ ଘଟଣା ଦିନ ତାର ସହମତିରେ ଦୁଷ୍କର୍ମ ହୋଇଥିଲା । ଏହି ରାୟ ବିରୁଦ୍ଧରେ ଉଚ୍ଚନ୍ୟାୟାଲୟରେ ଅପିଲ ହେବାପରେ ମୁମ୍ବାଇ ଉଚ୍ଚନ୍ୟାୟାଳୟର ନାଗପୁର ଖଣ୍ଡପୀଠ ଆରୋପୀକୁ ଦୁଇଟି ଅପରାଧରେ ଦୋଷୀ ଭାବେ ସଜା ଏକ ବର୍ଷ ଏବଂ ପାଞ୍ଚ ବର୍ଷର ସଜା ଶୂଣାଇଲେ । ତେବେ ଉଚ୍ଚତମ ନ୍ୟାୟାଳୟ ଏହି ରାୟର ଅପିଲରେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ଖଲାସ କରିଦେଲେ ।

ରାୟର ସାମାଜିକ ତଥା ନ୍ୟାୟୀକ ପ୍ରଭାବ[ସମ୍ପାଦନା]

ଉଚ୍ଚତମ ନ୍ୟାୟାଳୟର ଏହି ରାୟ ବିରୁଦ୍ଧରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଲା । ରାୟର କିଛି ଦିନ ପରେ ଅର୍ଥାତ ୧୯୭୯ ସେପ୍ଟେମ୍ବରରେ ଆଇନ ଶାସ୍ତ୍ରର ପ୍ରଫେସର ଉପେନ୍ଦ୍ର ବାକ୍ସୀ, ରଘୁନାଥ କେଲେକର, ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଲୋତିକା ସରକାର ଏବଂ ପୁନେର ବସୁଧା ଧାଗମ୍ଭାର ଉଚ୍ଚତମ ନ୍ୟାୟାଲୟଙ୍କୁ ଏକ ଖୋଲା ପତ୍ର ଲେଖି ରାୟରେ ସହମତିର ନ୍ୟାୟୀକ ବିଶ୍ଳେଷଣକୁ ଭ୍ରମାତ୍ମକ କହି ଏହି ରାୟର ସମାଲୋଚନା କରିବାକୁ ପଛେଇ ନ ଥିଲେ । ଏହି ଅବସରରେ ଲୋକେ ସଂଗଠିତ ଭାବେ ବିଭିନ୍ନ ସଂଗଠନ ଜରିଆରେ ଯଥା (FAOW) ଏହାର ବିରୋଧ କରିବା ସହିତ ନ୍ୟାୟୀକ ପ୍ରକ୍ରୀୟାରେ ସୁଧାର ଆଣିବାକୁ ଦାବୀ କଲେ । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଦେଶର ବିଭିନ୍ନ ସହରରେ ଯଥା ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ନାଗପୁରରେ ମହିଳା ସଂଗଠନ ଗୁଡିକ ପ୍ରଦର୍ଶନ ପୂର୍ବକ ଏହି ରାୟର ବିରୋଧ କଲେ ।

ପ୍ରବଳ ଚାପର ସମ୍ମୁଖୀନ ହୋଇ ଭାରତ ସରକାର ଫୌଜଦାରୀ ଆଇନ ତଥା ସାକ୍ଷ୍ୟ ଅଧିନିୟମରେ ସଂଶୋଧନ ଆଣିବାକୁ ବାଧ୍ୟ ହେଲେ । ଫୌଜଦାରୀ ଆଇନ ସଂଶୋଧନ ଅଧିନିୟମ ୧୯୮୩ କାର୍ଯ୍ୟକାରୀ ହେବା ସହ ସାକ୍ଷ୍ୟ ଅଧିନିୟମରେ ଧାରା ୧୧୪(କ) ସଂଶୋଧନ ହେଲା । ଏତଦ୍ ବ୍ୟତୀତ ଧର୍ଷଣ ସମ୍ବନ୍ଧୀୟ ଦଣ୍ଡବିଧି ଧାରାରେ ୩୬୭(କ), ୩୭୬(ଖ), ୩୭୬(ଗ) ତଥା ୩୭୬(ଘ) ସଂଶୋଧନ କରାଯାଇ ପୋଲିସ ହାଜତରେ ହେଉଥିବା ଦୁଷ୍କର୍ମ ପାଇଁ ଦଣ୍ଡର ବ୍ୟବସ୍ଥା ରହିଲା ।[୩]

ଆଧାର[ସମ୍ପାଦନା]

  1. Suguna, B. (2009). "Women's Movement". www.books.google.com (in ଇଂରାଜୀ). Discovery Publishing House. Retrieved 5 November 2018.
  2. "The girl whose rape changed a country". www.cnn.com. Retrieved 5 November 2018.
  3. Jain, Kamlesh (2008). "Balatkar Hone Par". www.books.google.com (in ଇଂରାଜୀ). Rajkamal Prakashan Pvt Ltd. Retrieved 5 November 2018.