ମଟର ସାଇକେଲ

ଉଇକିପିଡ଼ିଆ‌ରୁ

ମଟର ସାଇକେଲ୍ ଏକ ମଟର ବା ଇଞ୍ଜିନ୍ ଚାଳିତ ଦୁଇ ଚକିଆ ଯାନ । ସ୍ଥଳବିଶେଷରେ ଏଥିରେ ୩ଟି କିମ୍ବା ୪ଟି ଚକ ଥାଏ। ଏହି ଯାନ ୨ ଷ୍ଟ୍ରୋକ୍ କିମ୍ବା ୪ ଷ୍ଟ୍ରୋକ୍ ପେଟ୍ରୋଲ୍ ଚାଳିତ ଇଞ୍ଜିନ୍ଦ୍ୱାରା ଚାଲିଥାଏ ।

A classic Norton motorcycle
1952 Lambretta 125 D scooter

ପ୍ରକାରଭେଦ[ସମ୍ପାଦନା]

ମଟର ସାଇକେଲ୍ ସାଧାରଣତଃ ଗିଅର୍ ବିହୀନ (ମୋପେଡ଼୍) କିମ୍ବା ଗିଅର୍ ବିଶିଷ୍ଟ ଦୁଇ ଭାଗରେ ବିଭକ୍ତ, ଯଦିଓ ମଟର ସାଇକେଲ୍ କହିଲେ ଅଧିକାଂଶ ଲୋକେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ବୁଝିଥାଆନ୍ତି । ମୋପେଡ଼୍ ଗୁଡି଼କ ଛୋଟ ଚକ ବିଶିଷ୍ଟ । ଏ ଗୁଡି଼କ ସାଧାରଣତଃ ମହିଳା କିମ୍ବା ବୟସ୍କମାନଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ତିଆରି କରାଯାଇଥାଏ । ଗିଅର୍ ନଥିବାରୁ ଏହି ଯାନ ଗୁଡ଼ିକ ଚଳେଇବାରେ ସହଜ ହୋଇଥାଏ । ଅପର ପକ୍ଷରେ ଗିଅର୍ ବିଶିଷ୍ଟ ମଟର ସାଇକେଲ୍ ଗୁଡ଼ିକ ବଡ଼ ଚକ ବିଶିଷ୍ଟ ଓ ଚଳାଇବାରେ ମୋପେଡ଼୍ଠାରୁ ଅଧିକ ଦକ୍ଷତା ଆବଶ୍ୟକ କରନ୍ତି । ନିର୍ଦ୍ଦିଷ୍ଟ ବେଗରେ ନିର୍ଦ୍ଦିଷ୍ଟ ଗିଅର୍ ଦରକାର ପଡ଼ୁଥିବାରୁ ବେଗରେ ପରିବର୍ତ୍ତନ ସହିତ ଗିଅର ପରିବର୍ତ୍ତନ କରିବାକୁ ପଡ଼ିଥାଏ । ମଟର ସାଇକେଲ୍ ମାନଙ୍କରେ ୩ରୁ ୫ଟି ଗିଅର୍ ଥାଏ । ଗିଅର୍ ୧ ସର୍ବନିମ୍ନ ବେଗ ପାଇଁ ଓ ବୃହତ୍ତମ ଗିଅର୍ ଗୁଡ଼ିକ ଅପେକ୍ଷାକୃତ ଅଧିକ ବେଗ ପାଇଁ ଦରକାର ହୁଏ ।

ସୁରକ୍ଷା[ସମ୍ପାଦନା]

ଭାରତରେ ଯେକୌଣସି ମଟର ସାଇକେଲ୍ ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଏଥି ସହିତ ଉଜ୍ଜଳ ରଙ୍ଗର ପୋଷାକ ପିନ୍ଧିବା ବାଞ୍ଛନୀୟ । ୧ ଏପ୍ରିଲ୍ ୨୦୧୭ ପରଠାରୁ ସମସ୍ତ ମଟର ସାଇକେଲରେ ଆଗ ଓ ପଛ ଆଲୋକ (ହେଡ୍ ଲାଇଟ୍ ଓ ଟେଲ୍ ଲାଇଟ୍) ଗାଡ଼ି ଚଲାଇବା ସମୟରେ ଜଳାଇବା ବାଧ୍ୟତାମୂଳକ। ମଟର ସାଇକେଲ୍ ଚାଳକ ନିଜ ସହିତ ଡ୍ରାଇଭିଙ୍ଗ୍ ଲାଇସେନସ୍, ଗାଡ଼ିର କାଗଜପତ୍ର ତଥା ବୀମା କାଗଜପତ୍ର ସାଙ୍ଗରେ ନବା ବାଞ୍ଛନୀୟ ।

ଶବ୍ଦାବଳୀ[ସମ୍ପାଦନା]

  • ଆକ୍ସିଲରେଟର୍ ବା ଥ୍ରୋଟଲ୍: ଏହା ଇଞ୍ଜିନର ଗତିକୁ ତୀବ୍ର କରିଥାଏ । ବ୍ରେକ୍ ବ୍ୟବହାର ହେଉନଥିଲେ କିମ୍ବା କ୍ଲଚ୍ ଖୋଲା ନଥିଲେ ଏହା ଯାନର ଗତି ବଢ଼ାଏ ।
  • ବ୍ରେକ୍: ଯାନର ଗତି କମାଏ କିମ୍ବା ଯାନକୁ ରୋକେ ।
  • କ୍ଲଚ୍: ଗିଅର୍ ବିଶିଷ୍ଟ ଯାନମାନଙ୍କରେ କ୍ଲଚ୍ ଇଞ୍ଜିନ୍ ଓ ଚକ ସହିତ ସଂଯୋଗ ସ୍ଥାପନ କରେ । କ୍ଲଚ୍ ଖୋଲା ଥିଲେ ଇଞ୍ଜିନରୁ ଚକକୁ ଶକ୍ତି ସଂଚାର ହୋଇପାରେ ନାହିଁ । କ୍ଲଚ୍ ବନ୍ଦ ଥିଲେ ଇଞ୍ଜିନ୍ ଘୁରି ଚକକୁ ଘୁରାଏ ଓ ଗାଡ଼ିକୁ ଆଗକୁ ନିଏ । ମୋପେଡ଼୍ ମାନଙ୍କରେ କ୍ଲଚ୍ ସ୍ୱୟଂକ୍ରିୟ ହୋଇଥାଏ ।
  • ଗିଅର୍: ମଟର ସାଇକେଲରେ ବ୍ୟବହୃତ ଏକ ସରଳ ଯନ୍ତ୍ର ଯାହା ଇଞ୍ଜିନର ଘୂର୍ଣନକୁ ବଢ଼ାଏ କିମ୍ବା କମାଏ।