ବ୍ୟବହାରକାରୀ:Sarasinee subudhi/Yellow journalism

ଉଇକିପିଡ଼ିଆ‌ରୁ

ବର୍ତ୍ତମାନ ବିଶ୍ୱସାମ୍ବାଦିକତା କ୍ଷେତ୍ରରେ କାମଳ ସାମ୍ବାଦିକତା ବା ଏଲୋ ଜର୍ଣ୍ଣାଲିଜମ ଏକ ବ୍ୟାଧି ଭଳି ମାଡ଼ିଚାଲିଛି । ତେବେ ଏହି କାମଳ ସାମ୍ବାଦିକତା ବା ୟେଲୋ ଜର୍ନାଲିଜିମ୍ କ’ଣ? ଏହାର ଉତ୍ପତ୍ତି କେଉଁଠି , ଏହାଦ୍ୱାରା ସମାଜର କ’ଣ କ୍ଷତି ହୁଏ ସେ ବିଷୟରେ ହୁଏତ ବହୁକମ ଲୋକ ଜାଣିଥିବେ । ସେହି ୟେଲୋ ଜର୍ନାଲିଜିମ୍ ବା କାମଳ ସାମ୍ବାଦିକତା ବିଷୟରେ କିଛି ତଥ୍ୟ...

♦କାମଳ ସାମ୍ବାଦିକତା କ’ଣ?

ବର୍ତ୍ତମାର ପ୍ରତିଯୋଗୀ ଦୁନିଆରେ ଟିଆରିପି ଓ ଶ୍ରେଷ୍ଠ ସ୍ଥାନ ନେବା ନିଶାରେ କାମଳ ସାମ୍ବାଦିକତା ବଢିବାରେ ଲାଗିଛି । କାମଳ ସାମ୍ବାଦିକତାରେ ତଥ୍ୟ ମୂଳକ ଖବର ପ୍ରକାଶ କରାନଯାଇ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚାଞ୍ଚଲ୍ୟକର ଖବର ପ୍ରକାଶ କରାଯାଇଥାଏ । ଆକୃଷ୍ଟ କରିଲା ଭଳି ହେଡ୍ଲାଇନ୍ ସହ ଫଟୋଗୁଡ଼ିକ ରହିଥାଏ । ଗୋଟିଏ ବାକ୍ୟରେ କହିବାକୁ ଗଲେ କାମଳ ସାମ୍ବାଦିକତା ହେଉଛି ଏକ ସାମ୍ବାଦିକତା ଯାହାଦ୍ୱାରା ପାଠକ ବା ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଚାଞ୍ଚଲ୍ୟକର ଓ ଅତିରଞ୍ଜିତ ଖବର ପ୍ରକାଶ କରାଯାଇଥାଏ । ଏହାର ମୂଳଲକ୍ଷ୍ୟ ପାଠକ ଓ ଦର୍ଶକଙ୍କୁ ଆକୃଷ୍ଟ କରିବା । ୧୮୯୦ ମସିହାରେ ନିୟୁୟର୍କ ଜର୍ନାଲ ଓ ନିୟୁୟର୍କ ୱାର୍ଲ୍ଡ ମଧ୍ୟରେ ଖବରକାଗଜ ସଂଚାଳନକୁ ନେଇ ଲାଗିଥିବା ପ୍ରତିଯୋଗିତାରୁ ଏହି କାମଳ ସାମ୍ବାଦିକତାର ଜନ୍ମ ବୋଲି କୁହାଯାଏ । କାମଳ ସାମ୍ବାଦିକତା ନିୟୁୟର୍କ ୱାର୍ଲ୍ଡ଼ରେ ପ୍ରକାଶିତ ଏକ ହାସ୍ୟାତ୍ମକ ଚିତ୍ର ‘ହୋଗନ ଏଲୁରୁ’ ଆସିଛି । ଏଥିରେ ଏକ ପିଲାର କାର୍ଟୁନ ପ୍ରକାଶ ପାଉଥିଲା ଯେକି ହଳଦୀ ରଙ୍ଗର ପୋଷାକ ପିନ୍ଧିଥାଏ । ଏହାକୁ ‘ୟେଲୋ କିଡ୍’ ଭାବେ ନାମିତ କରାଯାଇଥିଲା । ୟେଲୋ କିଡ୍ରୁ ୟେଲୋ ଜର୍ନାଲିଜିମ୍ର ଆରମ୍ଭ ।

♦କାରଣ କ’ଣ?

ପ୍ରଥମତଃ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଆଗରେ ରହିବା ନିଶାରେ ଖବରର ସତ୍ୟାସତ୍ୟ ନଜାଣି ଖବର ପ୍ରକାଶ କରିଥାନ୍ତି ଯାହାକି ପରବର୍ତ୍ତି ସମୟରେ ମିଥ୍ୟା ବା ଅତିରଞ୍ଜିତ ଖବର ବୋଲି ପ୍ରମାଣିତ ହୋଇଥାଏ । ସେହିଭଳି କମ୍ ସମୟ ଭିତରେ ସାମ୍ବାଦିକମାନଙ୍କୁ ଅଧିକ ଖବର ଦେବାର ନିର୍ଦ୍ଦେଶ ଅନେକ ସମୟରେ ରହିଥାଏ ଯେଉଁଥି ପାଇଁକି ସମସ୍ତ ଖବର ସଂଗ୍ରହ ଲକ୍ଷ୍ୟରେ ସାମ୍ବାଦିକମାନେ ଭୁଲ୍ ଖବର ବା ତଥ୍ୟ ଦେଇଥାନ୍ତି । ଏହାସହ ଖବରର ଗବେଷଣା ନହୋଇ ଉପର ଠାଉରିଆ ଭାବେ ପ୍ରକାଶ ହେଉଥିବାରୁ କାମଳ ସାମ୍ବାଦିକତା ବୃଦ୍ଧି ପାଉଛି । ପେଡ୍ ନ୍ୟୁଜ୍ ମଧ୍ୟ କାମଳ ସାମ୍ବାଦିକତା ବୃଦ୍ଧିର ଅନ୍ୟ ଏକ କାରଣ । ଆଜିର ସାମ୍ବାଦିକମାନେ ନିଜର ସ୍ୱାର୍ଥ ପାଇଁ କିଛି ଅର୍ଥ ପାଇ ଭୁଲ୍ ଖବର ଛପାଇବା ବା ପରିବେଷଣ କରିବାକୁ ପଛଉନାହାଁନ୍ତି । ଏହାସହ ପ୍ରେସ୍ ସ୍ୱାଧିନତା ମଧ୍ୟ ଅନେକ ସମୟରେ ସ୍ୱେଚ୍ଛାଚାରିତାର ରୂପ ନେଇ କାମଳ ସାମ୍ବାଦିକତାକୁ ବୃଦ୍ଧି କରୁଛି । ସେହିଭଳି କାମଳ ସାମ୍ବାଦିକତା ବୃଦ୍ଧିରେ ନାଗରିକ ସାମ୍ବାଦିକତା ମଧ୍ୟ ଦାୟୀ ରହୁଛି । ଗଣମାଧ୍ୟମ ସଂସ୍ଥାଗୁଡ଼ିକ ବିଜ୍ଞାପନ ଓ ଅର୍ଥମୁଖି ହେଉଥିବାରୁ କାମଳ ସାମ୍ବାଦିକତା ବୃଦ୍ଧି ପାଉଛି ।

♦ପ୍ରଭାବ

କାମଳ ସାମ୍ବାଦିକତା ସମାଜର ସାଂସ୍କୃତିକ, ଆବେଗାତ୍ମକ, ରାଜନୀତିକ, ଆର୍ଥିକ ଦିଗ ପ୍ରତି ସମସ୍ୟା ସୃଷ୍ଟି କରିବା ସହ ଗଣତନ୍ତ୍ର, ଗଣମାଧ୍ୟମ ସ୍ୱାଧିନତା ଓ ଆଇନ ଉପରେ ପ୍ରଭାବ ପକାଉଛି । ଏହାସହ କାମଳ ସାମ୍ବାଦିକତା ସମାଜରେ ଲିଙ୍ଗଗତ, ଆଇନଗତ ସମସ୍ୟା ସୃଷ୍ଟି କରିବା ସହ ଜାତୀୟ ଓ ରଜ୍ୟର ସୁରକ୍ଷାହାନି କ୍ଷେତ୍ରରେ କିଛିମାତ୍ରାରେ ଦାୟୀ ରହୁଛି । ଅନେକ ସମୟରେ ସମାଜରେ ଦଙ୍ଗା, ଆତଙ୍କବାଦ ମଧ୍ୟ ଏହା ସୃଷ୍ଟି କରିଥାଏ । ♦ କିପରି କମିବ କାମଳ ସାମ୍ବାଦିକତାକୁ ଏଡ଼ାଇବା ପାଇଁ ପ୍ରଥମେ ସାମ୍ବାଦିକ ବା ଖବର ସଂଗ୍ରହ କରୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ଦିଗରୁ ବା ବିଭିନ୍ନ ଉତ୍ସରୁ ଖବରର ସତ୍ୟାସତ୍ୟ ବିଷୟରେ ଜାଣିବା ଦରକାର । ଯଦି କୌଣସି ଉତ୍ସ ବା ଇଣ୍ଟରନେଟ୍ରୁ ଖବର ସଂଗ୍ରହ କରୁଛନ୍ତି ତେବେ ଗୋଟିଏ ସ୍ଥାନ ବା ସାଇଟ୍ରୁ ନଆଣି ଅନେକଗୁଡ଼ିଏ ସାଇଟ୍ ଦେଖି ଖବର ଲେଖନ୍ତୁ ବା ପ୍ରକାଶ କରନ୍ତୁ । ଖବର ସଂଗ୍ରହ ସମୟରେ ନିରପକ୍ଷତା ମନଭାବ ପୋଷଣ କରିବା ଉଚିତ୍ ।