“
|
ଯେ କାଳେ ବାଳକ ବୁଲି ଯାଇପାରେ
ପଡ଼ୋଶିମାନଙ୍କ ଘର,
ସେ କାଳେ ଜାଣଇ ଅନ୍ୟ ଘରସବୁ
ତା’ ସଙ୍ଗୀ ବାଳକଙ୍କର।
ପରେ ଯେତେବେଳେ ଆପଣା ପଡ଼ାରୁ
ଅନ୍ୟ ପଡ଼ା ବୁଲିଯାଏ,
ସେହି ସମୟରେ ପଡ଼ୋଶୀ ପଡ଼ାକୁ
ଆପଣାର ମଣିଥାଏ।
ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ
ଗ୍ରାମରୁ ହୋଇ ବାହାର,
ସେ କାଳେ ଜାଣଇ ନିଜ ଘର ଯହିଁ
ସେ ଗ୍ରାମ ଅଟେ ତାହାର।
ଆପଣା ଗ୍ରାମର ନଦୀ ପୁଷ୍କରଣୀ
ବଗିଚା ଆଦି ସକଳ,
ଆପଣାର ବୋଲି କହେ; ପୁଣି ସେହି-
ସବୁକୁ ମଣଇ ଭଲ।
ବଡ଼ ହୋଇ ଯେବେ କରି ଯାଇପାରେ
ଅନ୍ୟ ରାଜ୍ୟେ ବିଚ଼ରଣ,
ବଖାଣଇ ତହିଁ ନିଜ ରାଜା, ରାଜ୍ୟ-
ଲୋକଙ୍କର ଶ୍ରେଷ୍ଠପଣ।
ହାତୀ ଘୋଡ଼ାଠରୁ ଛେଳି ମେଣ୍ଢାଯାଏ
ସବୁ ତା ରାଜ୍ୟର ଭଲ,
ସକଳ ସୁଖର ଆକାର ତାହାରି
ରାଜ୍ୟଟି ଅଟେ କେବଳ।
ତହୁଁ ବଡ଼ ହୋଇ ଯାଇଥାଏ ଯେବେ
କେହି କେବେ ଦେଶାନ୍ତର,
ସ୍ବର୍ଗରୁ ଅଧିକ ବୋଲି ବୁଝେ ତେବେ
ଯେଉଁ ଦେଶେ ତାର ଘର।
ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ
ଜନକ ଜଗତପତି,
ସହୋଦର ଜ୍ଞାନ କରେ ଅବନୀର
ମାନବ-ସମାଜ ପ୍ରତି।
ତେବେ ସେ ଜାଣଇ ଯେ କରଇ ଯେତେ
ଲୋକଙ୍କର ଉପକାର,
ବିଶ୍ବପତିଙ୍କର ବିଶ୍ବଗୃହେ ଅଟେ
ସେ ତେତେ ଯୋଗ୍ୟେ କୁମାର।
ଏହିରୂପେ ଗ୍ରାମ- କଥା, ରାଜ୍ୟକଥା,
ଦେଶକଥା, ବିଶ୍ବକଥା
ମାନବ-ଜୀବନେ ପ୍ରତୀତ ହେବାର
ଦର୍ଶିତ ହୁଏ ସର୍ବଥା।
ମାତୃଭୂମି ମାତୃ- ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି- ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?
|
”
|
ଏକାଧାରରେ ସ୍ବାଭାବ କବି ଏବଂ ପ୍ରକୃତି କବି ଭାବେ ପରିଚିତ ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟରେ ଏକ ପ୍ରତିଷ୍ଠିତ ସ୍ରଷ୍ଟା ତାଙ୍କ ଦ୍ୱାରା ରଚିତ ତପସ୍ବିନୀ, ପ୍ରଣୟ ବଲ୍ଲରୀ ଓ ଅର୍ଘ୍ୟଥାଳୀ ଆଦି କାବ୍ୟ କବିଙ୍କର ଗୋଟିଏ ଗୋଟିଏ କାଳଜୟୀ ସୃଷ୍ଟି ବିଶେଷ କରି ପୌରାଣିକ ବିଷୟ ଏବଂ ପ୍ରକୃତିର ଶୋଭାରାଜି ଉପରେ କବିଙ୍କ ରଚନା ବେଶ୍ ହୃଦୟସ୍ପର୍ଶୀ ଗୌରବ-ମଣ୍ଡିତ ପ୍ରାଚୀନ ସାହିତ୍ୟର ପରମ୍ପରା ସଂରକ୍ଷଣ ସହ ଉନ୍ନତ ଭାଷା ଓ ଭାବର ଉପାଦାନରେ ନବୀନ ସାହିତ୍ୟର ସୃଷ୍ଟି ମେହେର-ସାହିତ୍ୟର ବୈଷିଷ୍ଟ୍ୟ ଅଟେ
ବଡ଼ ଅକ୍ଷର