ବ୍ରତୋପନୟନ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଉପନୟନ ସଂସ୍କାର ହେଉଥିବା ଏକ ବ୍ରାହ୍ମଣ ବାଳକ

ବ୍ରତୋପନୟନ ହେଉଛି ଭାରତୀୟ ହିନ୍ଦୁ ସମାଜରେ କରାଯାଉଥିବା ଏକ ଧାର୍ମିକ ସଂସ୍କାର । ବ୍ରାହ୍ମଣମାନେ ବ୍ରତୋପନୟନ କାର୍ଯ୍ୟ ସମ୍ପନ୍ନ କଲାବେଳେ ସାଧାରଣତଃ ଛଅଖିଅ ସୂତ୍ରଧାରଣ କରିଥାନ୍ତି । ଏହାକୁ ପଇତା ବା ଯଜ୍ଞୋପବିତ କୁହାଯାଏ । ଏହା ସୂତାରେ ତିଆରି ହୋଇଥାଏ । ଏହା ସାଧାରଣ ଲୌକିକ ଉପଚାର ଥିବାବେଳେ ପ୍ରକୃତ ନିୟମାନୁସାରେ ନବସୂତ୍ରଧାରଣ କରିବା ବିଧି ଅଟେ । ପିତାଥିବା ପୁତ୍ରମାନେ ଛଅଖିଅ ଧାରଣ କରନ୍ତି ଓ ପିତୃଶୂନ୍ୟ ବ୍ରାହ୍ମଣପୁତ୍ର ବା ବ୍ରହ୍ମଚାରୀ ନଅଖିଅ ଧାରଣ କରିଥାନ୍ତି । ତେଣୁ ୯ଟି ସୂତ୍ରରେ କ୍ରମାନୁଯାୟୀ ପ୍ରଥମ ସୂତ୍ରରେ ଓଁକାରାୟନମଃ-ଦ୍ୱିତୀୟତନ୍ତୁ ବା ସୂତ୍ରରେ ଓଁ ଅଗ୍ନେୟେ, ତୃତୀୟରେ ଓଁ ସର୍ପାୟ, ଚତୁର୍ଥରେ ଓଁ ସୋମାୟ, ପଞ୍ଚମରେ ଓଁ ପିତୃଭ୍ୟୋ, ଷଷ୍ଠରେ ଓଁ ପ୍ରଜାପତୟେ- ଏହି ଛଅଖିଅ ପରେ ସପ୍ତମରେ ଅନିଳାୟ, ଅଷ୍ଟମରେ ଯମାୟ, ନବମରେ ଓଁ ବିଶ୍ୱଭ୍ୟୋ ଦେବେଭ୍ୟୋ ଓ ପରିଶେଷରେ ନମଃ ଲାଗି ଉଚ୍ଚାରଣ କରାଯାଏ । ଏହା ବ୍ୟତୀତ ଅନ୍ୟ ଶାସ୍ତ୍ର ବିହାରୀ କର୍ମକାଣ୍ଡ ଅନୁଯାୟୀ ସେହିଭଳି ପ୍ରଥମ ସୂତ୍ର-ଓଁକାର, ଦ୍ୱିତୀୟ-ଅଗ୍ନି, ତୃତୀୟ-ତକ୍ଷକ, ଚତୁର୍ଥ-ସୋମ, ପଞ୍ଚମ-ପିତୃଦେବତା, ଷଷ୍ଠ-ପ୍ରଜାପତି, ସପ୍ତମ-ବାସୁଦେବ, ଅଷ୍ଟମ-ରବି ଓ ନବମରେ ସମସ୍ତ ଦେବତା । ଏହିପରି ନବସୂତ୍ରରେ ନବଦେବତା ପ୍ରତିଷ୍ଠିତ ଥାନ୍ତି । ଉକ୍ତ ଯଜ୍ଞସୂତ୍ରକୁ ବ୍ରହ୍ମା ଜାତ କଲାବେଳେ ବିଷ୍ଣୁ ତିନିଗୁଣ, ଶିବ ଗ୍ରନ୍ଥି କରିଥାନ୍ତି । କିନ୍ତୁ ଗାୟତ୍ରୀ ଦେବୀ ଅଭିମନ୍ତ୍ରିତ କରିଛନ୍ତି । ଏ ରୂପ ଯଜ୍ଞସୂତ୍ରର ଲକ୍ଷଣକୁ ଯେ ଜାଣେ ତାହାର ପଇତା ଧାରଣ କରିବା ଯଥାର୍ଥ । ଆହୁରି ମଧ୍ୟ ପଇତା ବାମ ସ୍କନ୍ଧରେ ଧାରଣକୁ ‘ଯଜ୍ଞୋପବୀତିତା’ ଦକ୍ଷିଣସ୍କନ୍ଧରେ ଧାରଣକୁ ‘ପ୍ରାଚୀନ ବୀତିତା’, କଣ୍ଠରେ ମାଳା ପରି ଧାରଣ କଲେ ତାକୁ ‘ନୀବିତିତା’ କହିଥାନ୍ତି । ପଇତା ବାମ କାନ୍ଧରେ ଧାରଣ କରାଗଲେ, ପଇତାର ଏହି ସ୍ଥିତିକୁ ସ୍ତବ୍ୟ ସ୍ଥିତି କୁହାଯାଏ । ଏହିପରି ପଇତା ଧାରଣ କରାଯିବାର ମାର୍ଗ ଅଟେ ।[୧] ବ୍ରାହ୍ମଣଙ୍କ ଛଡ଼ା କ୍ଷତ୍ରିୟ ଓ ବୈଶ୍ୟମାନେ ମଧ୍ୟ ପଇତା ଧାରଣ କରିଥାନ୍ତି । ବ୍ରାହ୍ମଣମାନ‌ଙ୍କ ପଇତା ସୂତାରେ ତିଆରି ହୋଇଥିବା ବେଳେ, କ୍ଷତ୍ରିୟମାନ‌ଙ୍କ ପଇତା ଛଣରେ ଓ ବୈଶ୍ୟମାନ‌ଙ୍କ ପଇତା ପଶମରେ ତିଆରି ହୋଇଥାଏ ।[୨]

ପଇତାର ଉତ୍ପତ୍ତି[ସମ୍ପାଦନା]

ବୈଦିକ ଯୁଗରୁ ବ୍ରତୋପନ‌ୟନ ବା ବ୍ରତଘର ନାମକ ସଂସ୍କାରରେ ପିନ୍ଧାଯାଉଥିବା ଏକ ସୂତ୍ର ହିସାବରେ ପଇତାକୁ ବ୍ୟବ‌ହାର କରାଯାଉଛି । ଭାରତୀୟ ହିନ୍ଦୁ ସମାଜରେ ଏହାକୁ ଅତ୍ୟନ୍ତ ପବିତ୍ର ସୂତ୍ର ଭାବେ ବିବେଚନା କରାଯାଇଥାଏ । ବ୍ରାହ୍ମଣ ପରିବାରରେ ଯଜ୍ଞୋପବିତ ଧାରଣ କରି ନ ଥିବା ପୁତ୍ର ପାଇଁ ନିଜ ପିତା-ମାତାଙ୍କୁ ମୁଖାଗ୍ନି ଦେବା ମଧ୍ୟ ନିଷିଦ୍ଧ ଅଟେ । ଆଜିର ଆଧୁନିକ ସମାଜରେ ଏହି ପବିତ୍ର ସୂତ୍ର ପ୍ରାଚୀନ ବୈଦିକ ରୀତିନୀତିକୁ ଦର୍ଶାଇବା ସ‌ହ ଏହାକୁ ଧାରଣ କରିଥିବା ବ୍ୟକ୍ତିର ବର୍ଣ୍ଣ ବା ଜାତିର ମଧ୍ୟ ସୂଚନା ଦେଇଥାଏ ।

ବ୍ରତୋପନୟନ ଓ ଯଜ୍ଞୋପବିତ ଧାରଣ ସମ୍ବନ୍ଧୀୟ ନିୟମାବଳୀ[ସମ୍ପାଦନା]

ବ୍ରାହ୍ମଣମାନେ ଉପନୟନମ୍ ସଂସ୍କାର ବା ବ୍ରତୋପନୟନରେ ପଇତା ଧାରଣ କରିଥାନ୍ତି । ଏହି ସଂସ୍କାର ସାଧାରଣତଃ ୭ ରୁ ୧୪ ବର୍ଷ ବୟସ ମଧ୍ୟରେ ହୋଇଥାଏ । ଯଦି କୌଣସି କାରଣରୁ ଏହି ବୟସ ସୀମା ମଧ୍ୟରେ ବ୍ରତଘର ହୋଇପାରି ନ ଥାଏ, ତେବେ ବିବାହ ପୂର୍ବରୁ ବ୍ରତଘର ସମ୍ପନ୍ନ କରିବାକୁ ପଡ଼େ । କେତେକ ପରିବାରରେ ମଧ୍ୟ ବିବାହ ସମୟରେ ବ୍ରତହେବାର ପ୍ରଥା ଅଛି । ବ୍ରତୋପନୟନ ଏକ ପ୍ରାଚୀନ ସଂସ୍କାର ଅଟେ । ଯେପର୍ଯ୍ୟନ୍ତ ଜଣେ ବ୍ରାହ୍ମଣ ବାଳକ ପଇତା ଧାରଣ କରି ନ ଥାଏ, ସେପର୍ଯ୍ୟନ୍ତ ତାକୁ ଦ୍ୱିଜ କୁହାଯାଇପାରେ ନାହିଁ । ଦ୍ୱିଜ, ଅର୍ଥାତ୍ ଦୁଇଥର ଜାତ । ଦୁଇଥର ଜାତ ବା ଜନ୍ମ ହୋଇଥିବା ପ୍ରାଣୀକୁ ସାଧାରଣତଃ ଦ୍ୱିଜ କୁହାଯାଏ । ଏହା ଏକ ସଂସ୍କୃତ ଶବ୍ଦ ଅଟେ । ପକ୍ଷୀଟିଏ ଯେତେବେଳେ ଅଣ୍ଡା ଦିଏ, ସେତେବେଳେ ପକ୍ଷୀ ଶାବକଟି ପ୍ରଥମଥର ଜନ୍ମ ହୋଇଥାଏ । ଅଣ୍ଡାଟିରୁ ଛୁଆ ଫୁଟିଲେ ଶାବକଟି ଦ୍ୱିତୀୟବାର ଜନ୍ମ ହୋଇଥାଏ । ଏହିପରି ଦୁଇଥର ଜନ୍ମ ହେଉଥିବାରୁ ପକ୍ଷୀମାନ‌ଙ୍କୁ ଦ୍ୱିଜ କୁହାଯାଏ । ସେହିପରି ବ୍ରାହ୍ମଣମାନ‌ଙ୍କୁ ମଧ୍ୟ ଦ୍ୱିଜ କୁହାଯାଏ । କୌଣସି ବ୍ରାହ୍ମଣ ପରିବାରରେ ବାଳକଟିଏ ଜନ୍ମଗ୍ରହଣ କଲେ, ବାଳକଟି ପ୍ରଥମଥର ପାଇଁ ବ୍ରାହ୍ମଣ ହୋଇ ଜନ୍ମହୋଇଥାଏ । ପରେ ସେହି ବ୍ରାହ୍ମଣ ବାଳକଟିର ବ୍ରତୋପନୟନ ହେଲେ ସେ ଦ୍ୱିତୀୟବାର ଜନ୍ମ ହୋଇଥାଏ । ଏହିପରି ବ୍ରାହ୍ମଣମାନେ ମଧ୍ୟ ଦୁଇଥର ଜନ୍ମ ହୋଇଥାନ୍ତି ।

ଯେଉଁ ବାଳକଟିର ବ୍ରତଘର ହେଉଥାଏ, ତାକୁ ବଟୁ ବା ଅଧ୍ୟୟନରତ ଛାତ୍ର କୁହାଯାଏ । ବ୍ରତୋପନୟନ ସଂସ୍କାରରେ ବ୍ରତ ହେଉଥିବା ବାଳକଟିକୁ ଗାୟତ୍ରୀ ମନ୍ତ୍ର ଶିକ୍ଷା ଦିଆଯାଏ ଏବଂ ବାଳକଟି ତିନି ଖିଅ ବିଶିଷ୍ଟ ଏକ ବ୍ରତୋପନୟନ ଧାରଣ କରିଥାଏ । ବ୍ରାହ୍ମଣଙ୍କ ବ୍ୟତୀତ ଏହି ଯଜ୍ଞୋପବିତ ବା ଜନେଓକୁ କ୍ଷତ୍ରିୟ ଓ ବୈଶ୍ୟମାନେ ମଧ୍ୟ ଧାରଣ କରିଥାନ୍ତି । ଯଦି କୌଣସି ବ୍ରାହ୍ମଣ ବାଳକ ବିଧିବଦ୍ଧ ଭାବରେ ବେଦ ଶିକ୍ଷା କରିବାକୁ ଚାହେଁ, ତେବେ ତାକୁ ୫ ବର୍ଷ ବୟସରୁ ହିଁ ପଇତା ଧାରଣ କରିବାକୁ ପଡ଼ିଥାଏ । ସେହିପରି ଯଦି କୌଣସି କ୍ଷତ୍ରିୟ ବାଳକ ବିଧିବଦ୍ଧ ଭାବରେ ଯୁଦ୍ଧବିଦ୍ୟା ଶିକ୍ଷା କରିବାକୁ ଚାହେଁ, ତେବେ ତାକୁ ୬ ବର୍ଷ ବୟସରୁ ପଇତା ଧାରଣ କରିବାକୁ ପଡ଼ିଥାଏ ଏବଂ ଯଦି କୌଣସି ବୈଶ୍ୟ ବାଳକ ବିଧିବଦ୍ଧ ଭାବରେ ବାଣିଜ୍ୟ ଶିକ୍ଷା କରିବାକୁ ଚାହେଁ, ତେବେ ତାକୁ ୮ ବର୍ଷ ବୟସରୁ ପଇତା ଧାରଣ କରିବାକୁ ପଡ଼ିଥାଏ । ବିବାହ ପରେ ତିନି ଖିଅ ବିଶିଷ୍ଟ ପଇତା ବଦଳରେ ବ୍ୟକ୍ତିଟିକୁ ଛଅ ଖିଅ ବିଶିଷ୍ଟ ପଇତା ଧାରଣ କରିବାକୁ ପଡ଼ିଥାଏ । ଏହି ଛଅ ଖିଅ ବିଶିଷ୍ଟ ପଇତା ବିବାହ ପରେ ତୁଲାଇବାକୁ ପଡ଼ୁଥିବା ଅତିରିକ୍ତ ଦାୟିତ୍ୱକୁ ଦର୍ଶାଇଥାଏ ।

ଯଜ୍ଞୋପବିତ ସାଧାରଣତଃ କେବଳ ପୁରୁଷମାନେ ହିଁ ଧାରଣ କରିଥାନ୍ତି । ତେବେ ଆର୍ଯ୍ୟ ସମାଜ ଦର୍ଶନରେ ଉଭୟ ପୁରୁଷ ଓ ନାରୀକୁ ପ୍ରତ୍ୟେକ ଧାର୍ମିକ ସଂସ୍କାରରେ ସମ‌ଭାବରେ ସମ୍ମିଳିତ କରାଯିବାର ପରମ୍ପରା ରହିଛି । ତେଣୁ ଆର୍ଯ୍ୟ ସମାଜରେ ପୁରୁଷଙ୍କ ସ‌ହ ନାରୀମାନେ ମଧ୍ୟ ପଇତା ଧାରଣ କରିଥାନ୍ତି ।

ପଇତାରେ ଥିବା ତିନି ଖିଅର ଅର୍ଥ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀ, ରବିବାର ସମାଜ, ପୃଷ୍ଠା-୨, ୪-୧୦ ମେ ୨୦୧୪
  2. "Yajnopavita: The sacrede thread in Hinduism". Sanskriti. 15 February 2014.