ବୁଦ୍ଧଦେବଙ୍କ ଖଣ୍ଡା
ଅଧୁନା ପୃଥିବୀର ପ୍ରାୟ ୮୦୦ ନିୟୁତ ବୌଦ୍ଧଧର୍ମାବଲମ୍ବୀ ବୁଦ୍ଧଙ୍କୁ ତାଙ୍କର ତ୍ରାଣକର୍ତ୍ତା ବୋଲି ମାନନ୍ତି I ପ୍ରାୟ ୩୦୦ ନିୟୁତ ଭାରତୀୟ ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କର ନବମ ଅବତାର ରୂପେ ଗ୍ରହଣ କରିଛନ୍ତି I ସେହିପରି ପୃଥିବୀର ଅସଂଖ୍ୟ ଚିନ୍ତାଶୀଳ ତଥା ଜ୍ଞାନୀ ବ୍ୟକ୍ତି ବୁଦ୍ଧଙ୍କୁ ବିବେକୀ ଓ ଗଣତନ୍ତ୍ରର ପୂଜାରୀ ଭାବେ ଭକ୍ତି ଓ ଆଦର କରନ୍ତି I ଏଣୁ ପୃଥିବୀର ପ୍ରାୟ ଅର୍ଦ୍ଧେକ ବ୍ୟକ୍ତି ଯେ ବୁଦ୍ଧଙ୍କ ଜୀବନୀ ଓ ବାଣୀ ସମ୍ପୃକ୍ତ, ଏହା ନିଃସନ୍ଦେହରେ କୁହାଯାଇପାରେ I କିନ୍ତୁ ଭାଗ୍ୟର ବିଡମ୍ବନା ଏହି ଯେ ଯେଉଁ ଭୂମିରେ ବୁଦ୍ଧଦେବ ଜନ୍ମଗ୍ରହଣ କରିଥିଲେ ସେହି ଜନ୍ମଭୂମିରୁ ବୁଦ୍ଧଙ୍କର ପ୍ରଚାରିତ ଧର୍ମ ଅନ୍ତର୍ହିତ ହୋଇଯାଇଛି I ଓଡ଼ିଶା ବା ସେକାଳର କଳିଙ୍ଗରେ ଚତୁର୍ଥ ଓ ପଞ୍ଚମ ଶତାବ୍ଦୀ ବେଳକୁ ବୌଦ୍ଧଧର୍ମ ଓ ବ୍ରାହ୍ମଣଧର୍ମର ବିବାଦ ଉଗ୍ରରୂପ ଧାରଣ କରିଥିଲା ଓ ବୌଦ୍ଧଧର୍ମ ପ୍ରାୟ ବିତାଡିତ ହୋଇସାରିଥିଲା I ମାଦଳା ପାଞ୍ଜିରେ ଏହାର ଉଲ୍ଲେଖ ଅଛି I ଓଡ଼ିଶାରେ ବ୍ରାହ୍ମଣଧର୍ମର ଉତ୍ ଥାନ ପରେ ହିନ୍ଦୁ ରାଜା ବା ନରପତିମାନେ ବୌଦ୍ଧ ଧର୍ମାବଲମ୍ବୀ ଓ ବୌଦ୍ଧଭିକ୍ଷୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲେ I ସେମାନେ ହିନ୍ଦୁ ରାଜ୍ୟ ଛାଡି ବଣଜଙ୍ଗଲରେ ଆଶ୍ରୟ ନେବାକୁ ବାଧ୍ୟ ହେଲେ I ସେହି ସମୟ ଆଡକୁ ଲୁମ୍ବିନୀର ଶାକ୍ୟ ବା ଦେବଦେହ ଅଞ୍ଚଳର କୋଲିୟାମାନେ ସେମାନଙ୍କ ରାଜ୍ୟରେ ରହିବା ନିରାପଦ ନ ମଣି ଦକ୍ଷିଣ ଆଡକୁ ପଳାୟନ କଲେ ଓ ସେଠାରେ ବସତି ସ୍ଥାପନ କଲେ I କେତେ ଶହ ବର୍ଷ ସେମାନେ ସେଠାରେ ରହିବା ପରେ ସେମାନଙ୍କ ମଧ୍ୟରେ ଅନ୍ତର୍ବିବାଦ ଦେଖାଦେଲା I ୮୩୦ ଖ୍ରୀଷ୍ଟାବ୍ଦ ଆଡକୁ ଶାକ୍ୟ ବଂଶର ଦୁଇ ପ୍ରଭାବଶାଳୀ ଭ୍ରାତା ଧରମସେନା ଓ ବିକ୍ରମସେନା ମଧ୍ୟରେ ସଂଘର୍ଷ ହେଲା I ଫଳରେ କନିଷ୍ଠ ଭ୍ରାତା ବିକ୍ରମସେନା ସେ ଅଞ୍ଚଳ ପରିତ୍ୟାଗ କରି ବଂଶ ପୁରୋହିତ ଲଳିତ ଦାସଙ୍କୁ ସଙ୍ଗରେ ଧରି ଉତ୍ତରାଭିମୁଖୀ ହେଲେ ଓ ଶାକ୍ୟ ବଂଶର ଅଧୀନରେ ଥିବା ମହାନଦୀ କୂଳରେ ଅବସ୍ଥିତ ବାଣେଶ୍ୱର ନାସିରେ ବସତି ସ୍ଥାପନ କରି ରହିଲେ I କପିଳବାସ୍ତୁ ଉପକଣ୍ଠ ଭରଦ୍ୱାଜ ଆଶ୍ରମରେ ପରିବ୍ରାଜଙ୍କ ହେବା ପୂର୍ବରୁ ଗୌତମ ତାଙ୍କର ମୂଲ୍ୟବାନ ପୋଷାକ ତଥା ଦେହର ଅଳଙ୍କାର ପ୍ରଭୃତି ଛନ୍ଦକଙ୍କ ହାତକୁ ବଢ଼ାଇ ଦେଇଥିଲେ I ମାତା ପ୍ରଜାପତି ଗୌତମୀ ଗୌତମଙ୍କ ପରିତ୍ୟକ୍ତ ପୋଷକ ତଥା ଅଳଙ୍କାର ଦେଖିବା ଅବସ୍ଥାରେ ନଥିଲେ I ସେ ସେଗୁଡିକ କପିଳବାସ୍ତୁ ପ୍ରସାଦକୁ ଫେରିବା ରାସ୍ତାରେ ପଦ୍ମ ପୋଖରୀରେ ଫୋପାଡି ଦେଇଥିଲେ I କିନ୍ତୁ ଗୌତମ ବ୍ୟବହାର କରୁଥିବା ତରବାରିଟି ଛନ୍ଦକଙ୍କ ପାଖରେ ରହିଥିଲା I ସମ୍ଭବତଃ ଛନ୍ଦକଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବୁଦ୍ଧଙ୍କ ତରବାରୀ ତାଙ୍କ ପାଖରେ ଥିଲା I ତାଙ୍କ ମୃତ୍ୟୁ ପରେ ସେହି ତରବାରି ବିଭିନ୍ନ ସ୍ଥାନକୁ ନିଆଯାଇ ଗୁପ୍ତ ଭାବରେ ରଖାଯିବା ପରେ ଶେଷରେ ସିଂହପୁରର ଶାକ୍ୟ ବଂଶୀୟ ରାଜାମାନଙ୍କ ପାଖକୁ ଆସିଥିବା ଜଣାଯାଏ I ବୁଦ୍ଧ ବ୍ୟବହାର କରିଥିବା ତରବାରିର ନାମ ଥିଲା ପ୍ରବଳାଯୁଦ୍ଧ I ବହୁ ପୁରାତନ ହୋଇଥିବାରୁ ଏହା ଭଗ୍ନ ଅବସ୍ଥାରେ ଅଛି I ତେବେ ଏହି ଭଗ୍ନ ଦୁଇ ଅଂଶଟି ଏକାଠି କରି ସିଂହପୁର ରାଜାମାନେ ସିଂହପୁରଠାରୁ ୬ ମାଇଲ ଦୂର ଜୟପୁର ବୁଦ୍ଧଙ୍କ ତରବାରିକୁ ଜଙ୍ଗଲରେ ପ୍ରବଳାଦେବୀ ରୂପେ ପୂଜା କରିଆସୁଛନ୍ତି I ସିଂହପୁରର ନାମ ପରବର୍ତ୍ତୀ କାଳରେ ନରସିଂହପୁର ହୋଇଥିବା ଜଣାଯାଏ I କପିଳବାସ୍ତୁର ରାଜା ଶୁଦ୍ଧୋଦନଙ୍କ ପତ୍ନୀ ମହାମାୟାଙ୍କ ଗର୍ଭରୁ ସିଦ୍ଧାର୍ଥ ଜନ୍ମ ହୋଇଥିଲେ I ମାତ୍ର ୭ଦିନ ପରେ ମହାମାୟାଙ୍କର ମୃତ୍ୟୁ ହେଲା I ସପତଣୀ ପ୍ରଜାପତି ଗୌତମୀ ସିଦ୍ଧାର୍ଥଙ୍କ ଲାଳନ ପାଳନର ଭାର ନେଲେ I ମାତ୍ର ମାତା ମହାମାୟାଙ୍କ ମୃତ୍ୟୁ ପରେ କପିଳବାସ୍ତୁ ନଗରରେ ପିଶାଚମାନଙ୍କର ଉତ୍ପାତ ଦେଖାଦେଲା I ମହାମାୟାଙ୍କ ଛାୟା ମୂର୍ତ୍ତି ଘୂରି ବୁଲିଲା I ଶୁଦ୍ଧୋଦନ ଗୁଣିଆ, ତାନ୍ତ୍ରିକ, ବୈଦ୍ୟମାନଙ୍କ ସାହାଯ୍ୟ ନେଲେ ମଧ୍ୟ କିଛି ଫଳ ହେଲା ନାହିଁ I ଶେଷକୁ ପୂଜାର୍ଚ୍ଚନା କରିବାଦ୍ୱାରା ରିଷ୍ଟ କଟିଲା I ସେହିଦିନଠାରୁ ପ୍ରତିବର୍ଷ ଶୁଦ୍ଧୋଦନ ମହାମାୟାଙ୍କ ପୂଜାର୍ଚ୍ଚନା କଲେ I ବହୁକାଳ ତାହା ଚାଲିବା ପରେ ତାହା ଦୁର୍ଗାପୂଜାରେ ପରିଣତ ହେଲା I ସିଂହପୁରର ଶାକ୍ୟ ବଂଶୀ ରାଜାମାନେ ମଧ୍ୟ ବୁଦ୍ଧଦେବଙ୍କ ପବିତ୍ର ତରବାରି ପୂଜା କରିବା ସଙ୍ଗେ ସଙ୍ଗେ ଘଟପୂଜାର ବ୍ୟବସ୍ଥା କଲେ ଓ ତାହାକୁ ଦୁର୍ଗାପୂଜାରେ ସାମିଲ କରିଦେଲେ I ଆଶ୍ୱିନ ମାସ ଶୁକ୍ଳ ଅଷ୍ଟମୀଠାରୁ ନରସିଂହପୁରରେ ଦୁର୍ଗାପୂଜା ଆରମ୍ଭ ହୁଏ I ଏହିଦିନ ନରସିଂହପୁର ରାଜପ୍ରସାଦରୁ ଦୁର୍ଗାଦେବୀଙ୍କ ମୂର୍ତ୍ତିଙ୍କୁ ମହାଆଡମ୍ବରରେ ଅଣାଯାଇ ଏକ ପୂଜା ଗୃହରେ ରଖାଯାଏ I ସେହି ପୂଜା ବ୍ରାହ୍ମଣ ପୁରୋହିତମାନଙ୍କଦ୍ୱାରା ହୋଇଥାଏ I ନବମୀ ଦିନ କିନ୍ତୁ ଘଟପୂଜା ଦେହରୁ ନାମକ ଏକ ପୂଜକଙ୍କଦ୍ୱାରା ସମ୍ପାଦିତ ହୁଏ I ଦେହୁରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ପ୍ରଭୃତି ଶେଷ କରନ୍ତି I ଦିନସାରା ସେମାନଙ୍କୁ ଉପବାସ କରିବାକୁ ପଡେ I ନିଶାର୍ଦ୍ଧରେ ପ୍ରଥମେ ପ୍ରଥମେ ସେମାନଙ୍କୁ ଜୟପୁର ଯାଇ ସେଠାରେ ଥିବା ଖଣ୍ଡାଧାର ଝରଣାର ଜଳ ଘଟରେ ଆଣିବାକୁ ପଡୁଥିଲା I ମାତ୍ର ବହୁଦୂର ହେବାରୁ ଜଳ ଆଣିବାରେ ବିଳମ୍ବ ଘଟିଲା I ଦଶମ ଶତାବ୍ଦୀରେ ନରସିଂହପୁରର ସେତେବେଳର ଛୁଟିଆସେନା ନାମକ ଜଣେ ରାଜା ସେହି ଖଣ୍ଡାକୁ ରାଜଚକ୍ରବର୍ତ୍ତୀର ସମ୍ମାନ ଦେଇ ରାଜପ୍ରସାଦକୁ ଆଣିବାକୁ ଉଦ୍ୟମ କଲେ I ମାତ୍ର ପ୍ରାକୃତିକ ବିପତ୍ତି ଦେଖାଦେବା ଫଳରେ ଏହା ସମ୍ଭବ ହେଲା ନାହିଁ I ସେହି ରାତ୍ର ସୁଦ୍ଧା ତରବାରିକୁ ପୂର୍ବ ସ୍ଥାନକୁ ଫେରାଇ ନିଆଗଲା I ତେଣୁ ଯେଉଁ ସ୍ଥାନ ପର୍ଯ୍ୟନ୍ତ ସେହି ଖଣ୍ଡା ଆସିଥିଲା ସେହି ସ୍ଥାନରେ ଏକ ଜଳଭଣ୍ଡାର କରାଯାଇ ସେଥିରୁ ଘଟକୁ ଜଳପୂର୍ଣ୍ଣ କରାଇ ଆଣିବାର ବ୍ୟବସ୍ଥା ହେଲା I ସେହି ଘଟକୁ ଏକ ଖୋଳ ମଧ୍ୟରେ ଢାଙ୍କୁଣି ଦିଆଯାଇ ଅପରାଜିତା ପ୍ରଭୃତି କୃଷ୍ଣା-ନରସିଂହପୁର ବର୍ଣ୍ଣ ପୁଷ୍ପରେ ସଜ୍ଜିତ କରି ରାଜଚକ୍ରବର୍ତ୍ତୀର ସମ୍ମାନରେ ଏକ ମାଇଲ ପଥ ଦେଇ ନରସିଂହପୁର ରାଜପ୍ରାସାଦକୁ ଅଣାଯାଏ I ସେହି ପୂଜା ବ୍ରାହ୍ମଣମାନଙ୍କ ପାଇଁ ନିଷେଧ I ଏହା କେବଳ ଦେହୁରିମାନଙ୍କଦ୍ୱାରା କରାଯାଇଥାଏ I ସେହି ଜଳପୂର୍ଣ୍ଣ ଘଟକୁ ପ୍ରବଳା ଦେବୀ ଭାବେ ପୂଜା କରାଯାଏ I ହଜାର ହଜାର ଭକ୍ତ ଯୋଡ ହସ୍ତରେ ଭକ୍ତି ନୈବେଦ୍ୟ ଅର୍ପଣ କରନ୍ତି I ନବମୀ ରାତ୍ରରେ ଶେଷ ପ୍ରହରରେ ଅତି ଗୁପ୍ତରେ ସେହି ଘଟ ବିସର୍ଜନ କରାଯାଏ I ବୁଦ୍ଧଙ୍କ ବ୍ୟବହୃତ ତରବାରିର ସନ୍ଧାନ ବାସ୍ତବରେ ଏକ ଚମକପ୍ରଦ ଘଟଣା ଓ ଏହାକୁ ବିଶ୍ୱବାସୀଙ୍କ ଦୃଷ୍ଟିକୁ ଅଣାଯାଇପାରିଲେ ସିଂହଳ ଦେଶ ପରି ଓଡ଼ିଶାର ନରସିଂହପୁର ଯେ ବୌଦ୍ଧଧର୍ମର ସର୍ବଶ୍ରେଷ୍ଠ ତୀର୍ଥସ୍ଥଳୀ ହେବ, ଏଥିରେ ସନ୍ଦେହ ନାହିଁ I [୧]
ଆଧାର
[ସମ୍ପାଦନା]- ↑ ଡକ୍ଟର ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସମାଜ, ପୃଷ୍ଠା- ୧୫ ଅକ୍ଟୋବର ୨୦୧୦