ବିଶାଖାପାଟଣା ଗ୍ୟାସ ଦୁର୍ଘଟଣା

ଉଇକିପିଡ଼ିଆ ରୁ
Jump to navigation Jump to search

ବିଶାଖାପାଟଣା ଗ୍ୟାସ ଦୁର୍ଘଟଣା ଆନ୍ଧ୍ରପ୍ରଦେଶର ବିଶାଖପାଟଣା ନିକଟସ୍ଥ ଆରଏସ୍ ଭେଙ୍କଟାପୁରମ୍ଠାରେ ଥିବା ଏଲଜି ପଲିମର୍ସ କାରଖାନାରେ ହୋଇଥିବା ଏକ ଔଦ୍ୟୋଗିକ ଦୁର୍ଘଟଣା ଅଟେ । ଏହି ଦୁର୍ଘଟଣାଟି ୨୦୨୦ ମସିହା ମେ ୭ ତାରିଖରେ ଘଟିତ ହୋଇଥିଲା । କାରଖାନାରୁ ନିର୍ଗତ ହୋଇଥିବା ବିଷାକ୍ତ ଗ୍ୟାସ ପ୍ରାୟ ୩ କିଲୋମିଟର ପରିଧିରେ ବ୍ୟାପି ଯାଇଥିଲା । ମେ ୮ ତାରିଖ ରାତ୍ରୀ ସୁଦ୍ଧା ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଛି[୧] ଏବଂ ଆଖପାଖ ଗ୍ରାମର ପ୍ରାୟ ୨ ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି ।[୨]

ପ୍ରାଥମିକ ବିଶ୍ଳେଷଣରୁ ଅତ୍ୟନ୍ତ ଦହନଶୀଳ ତରଳ ଗ୍ୟାସ ଷ୍ଟିରେନ୍ ଗ୍ୟାସ ଏଥିପାଇଁ ଦାୟୀ ବୋଲି ଜଣା ପଡ଼ିଛି ।[୩]

ପୃଷ୍ଠଭୂମି[ସମ୍ପାଦନା]

ରାସାୟନିକ କାରଖାନାଟି ୧୯୬୧ ମସିହାରେ ହିନ୍ଦୁସ୍ଥାନ ପଲିମର ନାମରେ ଭେଙ୍କଟପୁରମ ଗ୍ରାମରେ ପ୍ରତିଷ୍ଠିତ ହୋଇଥିଲା । ଏହି କାରଖାନା ପଲି-ଷ୍ଟିରେନ୍ ଏବଂ ସହ-ପଲିମର ଉତ୍ପାଦ ପ୍ରସ୍ତୁତ କରିଥାଏ । ଏଥିସହିତ ପ୍ଲାଷ୍ଟିକ ଉତ୍ପାଦ ମଧ୍ୟ ଉତ୍ପାଦନ କରିଥାଏ । ୧୯୭୮ ମସିହାରେ ଏହା ଏମ.ସି.ଡୋୱେଲ ଆଣ୍ଡ କୋ. ସହ ସମ୍ମିଳିତ ହୋଇଥିଲା ଏବଂ ପୁନଶ୍ଚ ଦକ୍ଷିଣ କୋରିଆର ଏଲ.ଜି.କେମ ନାମକ କମ୍ପାନୀଦ୍ୱାରା ଅଧିଗୃହୀତ ହୋଇ ୧୯୯୭ ମସିହାରେ ଏଲଜି ପଲିମର୍ସ ନାମରେ ନାମିତ ହୋଇଥିଲା ।[୪][୫]

ବିଷାକ୍ତ ଗ୍ୟାସ ଲିକ ଏବଂ ପ୍ରଭାବ[ସମ୍ପାଦନା]

ଲକଡାଉନ ପରେ ୨୦୨୦ ମସିହା ମେ ୭ ତାରିଖରେ କାରଖାନାଟିକୁ ପୁଣି ଖୋଲା ଯାଇଥିଲା । କାରଖାନାରେ ୨୦୦୦ ମେଟ୍ରିକ ଟନର ଷ୍ଟିରେନ୍ ଗ୍ୟାସ ଗଚ୍ଛିତ ହୋଇ ରଖାଯାଇଥିଲା । ଏକ ଅଣୁବିଶିଷ୍ଟ ଷ୍ଟିରେନ୍ ସାଧାରଣ ତାପମାତ୍ରା (୨୦-୨୨°C)ରେ ତରଳାବସ୍ଥାରେ ରହିଥାଏ ଏବଂ ଏଥିରୁ ତାପମାତ୍ରା ବଢ଼ିଲେ ଗ୍ୟାସୀୟ ଅବସ୍ଥାରେ ପରିଣତ ହୋଇଥାଏ । ଏହା ବିଶ୍ୱାସ କରାଯାଉଛି ଯେ, ପ୍ରଶୀତନ ବିଭାଗରେ ଯାନ୍ତ୍ରୀକ ଗଡ଼ବଡ଼ି କାରଣରୁ ତାପମାତ୍ରା ଏବଂ ବାଷ୍ପୀୟ ଚାପ ବଢ଼ିଥିଲା । ଏହାଦ୍ୱାରା ସକାଳ ୨-୩ଟା ମଧ୍ୟରେ କାରଖାନାରୁ ଗ୍ୟାସ ନିର୍ଗତ ହୋଇ ନିକଟସ୍ଥ ଗ୍ରାମାଞ୍ଚଳରେ ପ୍ରସାରିତ ହୋଇଥିଲା ।[୬]

ପ୍ରତ୍ୟକ୍ଷ ପ୍ରଭାବ[ସମ୍ପାଦନା]

ବିଷାକ୍ତ ବାଷ୍ପ ପ୍ରାୟ ୩ କିଲୋମିଟର (୧.୯ ମାଇଲ) ବ୍ୟାସ ପରିମିତ ଅଞ୍ଚଳରେ ବ୍ୟାପିଯାଇଥିବାର ଅନୁମାନ କରାଯାଉଛି ।[୭] ଆରଏସ୍ ଭେଙ୍କଟାପୁରମ୍ ସମେତ ପଦ୍ମପୁରମ, ବି.ସି.କଲୋନୀ, ଗୋପାଳପଟ୍ଟନମ ଏବଂ କାମ୍ପାଲାପାଲେମ ଆଦି ପାଞ୍ଚଟି ଗ୍ରାମ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଶତାଧିକ ଲୋକ ମୁଣ୍ଡବିନ୍ଧା, ବାନ୍ତି ଏବଂ ଶ୍ୱାସ ନେବାରେ ଅସୁବିଧା ସହିତ ଡାକ୍ତରଖାନାରେ ପହଞ୍ଚିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ଏଗାର ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୨୦-୨୫ ଜଣ ସାଂଘାତିକ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ପ୍ରାୟ ୨ ହଜାର ଲୋକ ଏହି ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିଛନ୍ତି ।

ସରକାରୀ ସହାୟତା[ସମ୍ପାଦନା]

ଗ୍ୟାସର ପ୍ରଭାବରୁ ବଞ୍ଚିବା ପାଇଁ ରାସାୟନିକ କାରଖାନାର ୫ କିଲୋମିଟର ପରିଧିରେ ଥିବା ଗ୍ରାମଗୁଡ଼ିକରୁ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ମିଡ଼ିଆ ବିବରଣୀ ଅନୁସାରେ ପ୍ରାୟ ୩୦୦ ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ମୃତକଙ୍କ ପାଇଁ ୧ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏତଦବ୍ୟତୀତ ପ୍ରାଥମିକ ଚିକିତ୍ସା ଲାଭ କରିଥିବା ବ୍ୟକ୍ତିଙ୍କୁ ୨୫ ହଜାର, ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଥିବା ବ୍ୟକ୍ତିଙ୍କୁ ୧୦ ହଜାର ଏବଂ ଅତି ଗୁରୁତର ତଥା ଭେଣ୍ଟିଲେଟରରେ ଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ।

ବ୍ୟାପୁଥିବା ଗ୍ୟାସକୁ ନିଷ୍କ୍ରୀୟ କରିବା ପାଇଁ ୫୦୦ କିଲୋଗ୍ରାମର ପାରା-ଟରସିଆରି ବ୍ୟୁଟାଇଲ କ୍ୟାଟେକଲ ଅଣାଯାଇଛି । ଏହାକୁ ଗୁଜରାଟର ଭାପିରୁ ଏହି ରସାୟନ ଦାମନ ଯାଏଁ ଅଣାଯାଇଥିଲା ଏବଂ ସେଠାରୁ ଆନ୍ଦ୍ରପ୍ରଦେଶ ସରକାରଙ୍କଦ୍ୱାରା ଆକାଶମାର୍ଗରେ ଘଟଣାସ୍ଥଳକୁ ଆସିଥିଲା । କେନ୍ଦ୍ରୀୟ ସରକାର ପୁନେରୁ ରାଷ୍ଟ୍ରୀୟ ଆପଦା ପ୍ରତିକ୍ରିୟା ବଳ (NDRF) ଅନ୍ତର୍ଗତ ଏକ ସ୍ୱତନ୍ତ୍ର ଦଳ ଏହି ସ୍ଥାନକୁ ପଠାଇଛନ୍ତି ।[୮]

ତଦନ୍ତ[ସମ୍ପାଦନା]

ପ୍ରାଥମିକ ତଦନ୍ତ ଅନୁସାରେ ଏକ ଗ୍ୟାସ ଭାଲବରେ ଅସୁବିଧା ହେତୁ ଏହି ଦୁର୍ଘଟଣା ହୋଇଥିବାର ବିଶ୍ୱାସ କରାଯାଉଛି । ୨୦୨୦ ମାର୍ଚ୍ଚ ମାସରୁ ବ୍ୟବହୃତ ହୋଇ ନଥିବା ଦୁଇଟି ଟାଙ୍କି ମଧ୍ୟରୁ ଗୋଟିଏ ରାସାୟନିକ ଟାଙ୍କିରୁ ଗ୍ୟାସ ଲିକ ହୋଇଥିବାର ଜଣା ପଡ଼ିଛି ।[୯] ଏହି କାରଣରୁ ଟାଙ୍କିର ପ୍ରଶୀତନ ବିଭାଗରେ ତାପମାତ୍ରା ବଢ଼ିଥିଲା ଏବଂ ତରଳ ରସାୟନ ବାଷ୍ପୀଭୂତ ହେବାକୁ ଆରମ୍ଭ କରିଥିଲା । ଲିକ ହୋଇଥିବା ଗ୍ୟାସ ଷ୍ଟିରେନ୍ ଗ୍ୟାସ ବୋଲି ଅନୁମାନ କରାଯାଉଛି । ମାତ୍ର ବିଶେଷଜ୍ଞଙ୍କ ଅନୁସାରେ ଅନ୍ୟ ରସାୟନ ମଧ୍ୟ ନିର୍ଗତ ହୋଇଥିବାର ଆଶଙ୍କା ରହିଛି, କାରଣ ଷ୍ଟିରେନ୍ ନିଜର ରାସାୟନିକ ଗୁଣ ପାଇଁ ୪-୫ କିଲୋମିଟର ପର୍ଯ୍ୟନ୍ତ ବିସ୍ତୃତ ହେବା ସମ୍ଭବ ନୁହେଁ ।[୧୦][୧୧]

ଆଇନଗତ କାର୍ଯ୍ୟବାହୀ[ସମ୍ପାଦନା]

ସ୍ଥାନୀୟ ପୋଲିସଙ୍କଦ୍ୱାରା ଏଲ.ଜି.କେମ ବିରୁଦ୍ଧରେ ଭାରତୀୟ ଦଣ୍ଡସଂହିତାର ଧାରା ୨୭୮ (ପରିବେଶକୁ ଅସ୍ୱାସ୍ଥ୍ୟକର କରାଇବା), ୨୮୪ (ବିଷାକ୍ତ ପଦାର୍ଥ ସମ୍ଭାଳିବାରେ ଅସାବଧାନତା), ୨୮୫ (ଅଗ୍ନି କିମ୍ଭା ଅନ୍ୟ ଜ୍ବଳନଶୀଳ ପଦାର୍ଥ ସମ୍ଭାଳିବାରେ ଅସାବଧାନତା), ୩୩୭ (ନିଜର ବା ଅନ୍ୟମାନଙ୍କର ସୁରକ୍ଷାକୁ ସଙ୍କଟାପନ୍ନ କରିବା), ୩୩୮ (ଜୀବନକୁ ସଙ୍କଟାପନ୍ନ କରିବା) ୩୦୪ (ଅସାବଧାନତା କାରଣରୁ ମାନବହତ୍ୟା) ଅନୁସାରେ ଏଫ.ଆଇ.ଆର ରୁଜୁ କରାଯାଇଛି ।[୧୨]

ରାଷ୍ଟ୍ରୀୟ ହରିତ ପ୍ରାଧିକରଣ[ସମ୍ପାଦନା]

ଘଟଣାଟିର ଉଚ୍ଚସ୍ତରୀୟ କମିଟିଦ୍ୱାରା ତଦନ୍ତ ଅନୁରୋଧ କରି ରାଷ୍ଟ୍ରୀୟ ହରିତ ପ୍ରାଧିକରଣ (NGT)ରେ ଏକ ଯାଚିକା ଦାଖଲ କରାଯାଇଥିଲା । ପ୍ରାଧିକରଣର ଅଧକ୍ଷ ନ୍ୟାୟାଧୀଶ ଆଦର୍ଶ କୁମାର ଗୋଏଲଙ୍କ ସମେତ ଏକ ନ୍ୟାୟପୀଠ ଗଠନ କରାଯାଇଥିଲା ଏବଂ ମେ ୮ ତାରିଖରେ ମାମଲାର ଶୁଣାଣି କରିବା ନିଶ୍ଚିତ କରାଯାଇଥିଲା ।[୧୩]

ମେ ୮ ତାରିଖରେ ଏଲ.ଜି.ପଲିମରର ଭାରତୀୟ ଶାଖାକୁ ଦୁର୍ଘଟଣାଜନିତ କ୍ଷୟକ୍ଷତିର କ୍ଷତିପୂରଣ ହିସାବରେ ପ୍ରାଥମିକ ପର୍ଯ୍ୟାୟରେ ବିଶାଖାପାଟଣାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ୫୦ କୋଟି ଅର୍ଥରାଶି ଜମାକରିବାକୁ ନ୍ୟାୟପୀଠ ଆଦେଶ ଦେଇଥିଲେ ।[୧୪] ଏହା ମଧ୍ୟ ଆନ୍ଦ୍ରପ୍ରଦେଶର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (APPCB), କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଏବଂ କେନ୍ଦ୍ରୀୟ ପରିବେଶ, ବନ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (MoEFCC)ଙ୍କୁ ଘଟଣା ସମ୍ବନ୍ଧୀୟ ପ୍ରତିକ୍ରିୟା ମାଗି ନୋଟିସ ଜାରି କରିଛନ୍ତି । ଏତତ୍ସହିତ ଘଟଣାର ସତ୍ୟାସତ୍ୟ ପରଖି ନ୍ୟାୟପୀଠକୁ ଜଣାଇବା ପାଇଁ ଏକ ପାଞ୍ଚ ସଦସ୍ୟ ବିଶିଷ୍ଟ ସମିତି ଗଠନ କରାଯାଇଥିଲା । ଏହି କମିଟି ଆନ୍ଦ୍ର ପ୍ରଦେଶର ପୂର୍ବତନ ବିଚାରପତି ବି.ଶେଷଶୟନ ରେଡ୍ଡୀଙ୍କ ଅଧିକ୍ଷଣରେ କାର୍ଯ୍ୟ କରୁଥିଲା ।[୧୫]

ମାନବାଧିକାର ଆୟୋଗ[ସମ୍ପାଦନା]

ରାଷ୍ଟ୍ରୀୟ ମାନବାଧିକାର ଆୟୋଗ (NHRC) ଏହି ସନ୍ଦର୍ଭରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲା । ଏହା ସ୍ଥାନୀୟ ସରକାରଙ୍କୁ ଉଦ୍ଧାର ଅଭିଯାନ ଏବଂ ଚିକିତ୍ସାର ବିସ୍ତୃତ ବିବରଣୀ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲା ।[୧୬]

ଆଧାର[ସମ୍ପାଦନା]

  1. "ମୃତକଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି".
  2. "ଦୁର୍ଘଟଣାର ନିୟମିତ ବିବରଣୀ".
  3. "ଷ୍ଟିରେନ ରସାୟନର ପ୍ରଭାବ".
  4. "କମ୍ପାନୀର ବିବରଣୀ".
  5. "ଏଲଜି ପଲିମର୍ସ କାରଖାନା ସମ୍ପର୍କରେ ବିବରଣୀ".
  6. https://www.news18.com/news/india/visakhapatnam-gas-leak-live-updates-lg-polymers-vizag-andhra-pradesh-2608889.html. Missing or empty |title= (help)
  7. "ବିଷାକ୍ତ ଗ୍ୟାସର ବିସ୍ତୃତି".
  8. "୫୦୦ କିଲୋଗ୍ରାମର ପାରା-ଟରସିଆରି ବ୍ୟୁଟାଇଲ କ୍ୟାଟେକଲ ଗ୍ୟାସକୁ ନିଷ୍କ୍ରୀୟ କରିବା ପାଇଁ ଅଣାଯାଇଛି".
  9. "ରାସାୟନିକ ଟାଙ୍କିଗୁଡ଼ିକର ବିଶ୍ଳେଷଣ".
  10. "ଷ୍ଟିରେନର ଶରୀର ଉପରେ ପ୍ରଭାବ".
  11. "ଷ୍ଟିରେନ ରସାୟନର ପ୍ରଭାବ".
  12. "ସ୍ଥାନୀୟ ପୋଲିସଙ୍କଦ୍ୱାରା ଏଫ.ଆଇ.ଆର ରୁଜୁ".
  13. "ରାଷ୍ଟ୍ରୀୟ ହରିତ ପ୍ରାଧିକରଣର ହସ୍ତକ୍ଷେପ".
  14. "ରାଷ୍ଟ୍ରୀୟ ହରିତ ପ୍ରାଧିକରଣର ନିର୍ଦ୍ଦେଶ".
  15. "କ୍ଷତିପୂରଣ ଦେବାକୁ ନ୍ୟାୟପୀଠର କମ୍ପାନୀକୁ ନିର୍ଦ୍ଦେଶ".
  16. "ମାନବାଧିକାର ଆୟୋଗର ନୋଟିସ".