ବାଳ ଅପରାଧି ନ୍ୟାୟ (ସୁରକ୍ଷା ଓ ଯତ୍ନ) ଅଧିନିୟମ, ୨୦୧୫

ଉଇକିପିଡ଼ିଆ‌ରୁ

ବାଳ ଅପରାଧୀ ନ୍ୟାୟ (ସୁରକ୍ଷା ଓ ଯତ୍ନ) ଅଧିନିୟମ, ୨୦୧୫ ସଂସଦରେ ଅନେକ ସଭ୍ୟଙ୍କ ଦୃଢ଼ ବିରୋଧ, ବିବାଦ ଓ ତର୍କ ମଧ୍ୟରେ ୨୦୧୫ ମସିହାରେ ଗୃହୀତ ହୋଇଯାଇଛି । ଏହା ପୂର୍ବରୁ ଥିବା ବାଳ ଅପରାଧ ନିୟମ, ୨୦୦୦ ବଦଳରେ କାମ କରିବ । ଏହି ଆଇନ ଅନୁଯାୟୀ ୧୬-୧୮ ବର୍ଷ ମଧ୍ୟରେ ଥିବା ଅପରାଧୀମାନଙ୍କୁ ଅତି ଜଘନ୍ୟ ଆପରାଧ ପାଇଁ ପ୍ରାପ୍ତ ବୟସ୍କ ଭାବରେ ବିଚାର କରାଯାଇ ପାରିବ । ୧୫ ଜାନୁଆରୀ ୨୦୧୬ଠାରୁ ଏହି ଅଧିନିୟମ ଲାଗୁ ହୋଇଛି ।

ଆଇନ ବ୍ୟବସ୍ଥା[ସମ୍ପାଦନା]

ଏହି ଆଇନଦ୍ୱାରା ୧୬ରୁ ୧୮ ବର୍ଷ ମଧ୍ୟରେ ଥିବା ବାଳ ଅପରାଧୀଙ୍କୁ ପ୍ରାପ୍ତ ବୟସ୍କଙ୍କ ପରି ବିଚାର କରାଯାଇପାରିବ । ମନସ୍ତତ୍ତ୍ୱବିତ ଓ ସମାଜବିତଙ୍କୁ ନେଇ ଗଠିତ ଏକ ବାଳ ଅପରାଧ ନ୍ୟାୟ ବୋର୍ଡ଼ (Juvenile Justice Board) ଉକ୍ତ ଅପ୍ରାପ୍ତ ବୟସ୍କ ଅପରାଧୀଙ୍କୁ ପ୍ରାପ୍ତ ବୟସ୍କ ଭାବରେ ବିଚାର କରାଯିବ କି ନାହିଁ ତାହା ନିର୍ଦ୍ଧାରଣ କରିବ । ଏହି ଅଧିନିୟମ ମଧ୍ୟ ଅନାଥ, ପରିତିକ୍ତ ଶିଶୁଙ୍କୁ ପୋଷ୍ୟସନ୍ତାନ ଗ୍ରହଣର ପ୍ରକ୍ରିୟାକୁ ଅଧିକ ସୁସଙ୍ଗଠିତ କରିବାକୁ ଚେଷ୍ଟା କରିଛି ।

ଏହି ବିଲଦ୍ୱାରା ଭାରତରେ ଆବାସିକ ଯତ୍ନର ଆରମ୍ଭ ହୋଇଛି । ଯେଉଁ ପରିବାର ଏହି ଆବାସିକ ଯତ୍ନ ନେବା ପାଇଁ ଇଚ୍ଛା ପ୍ରକାଶ କରିବେ, ଅନାଥ, ପରିତିକ୍ତ କିମ୍ବା ଅପରାଧରେ ସମ୍ପୃକ୍ତ ପିଲାମାନଙ୍କୁ ସେମାନଙ୍କ ପାଖକୁ ଯତ୍ନ ନେବା ପାଇଁ ପଠାଯିବ । ସେହି ପରିବାରମାନେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇବେ । ପୋଷ୍ୟସନ୍ତାନ ଗ୍ରହଣରେ ଶାରୀରିକ କିମ୍ବା ଆର୍ଥିକ ଭାବେ ଅକ୍ଷମ ପିଲାମାନେ ଅଧିକ ଗୁରୁତ୍ତ୍ୱ ପାଇବେ । ଯେଉଁ ପିତାମାତା ତାଙ୍କ ପିଲାଙ୍କୁ ପୋଷ୍ୟସନ୍ତାନ ଭାବେ ଦେଇ ଦେବାକୁ ଇଚ୍ଛୁକ ତାଙ୍କୁ ବିଚାର କରିବା ପାଇଁ ୩ ମାସର ସମୟ ଦିଆଯିବ । ପୂର୍ବରୁ ଏହି ଅବଧି ୧ ମାସ ଥିଲା ।

ପିଲାଙ୍କୁ ମଦ କିମ୍ବା ଅନ୍ୟ କୋୖଣସି ମାଦକ ଦ୍ରବ୍ୟ ଦେଉଥିବା ବ୍ୟକ୍ତିଙ୍କୁ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା/ସହ ଟ. ୧,୦୦,୦୦୦/- ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ପିଲାଙ୍କୁ ବିକ୍ରୀ କଲେ ଟ. ୧,୦୦,୦୦୦/-ର ଜୋରିମାନା ଓ ୫ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ।

ଏହି ଆଇନର ସବୁଠାରୁ ଅଧିକ ସମାଲୋଚିତ ନିୟମ ଅନୁଯାୟୀ କେତେକ କ୍ଷେତ୍ରରେ ନାବାଳକ ଅପରାଧୀଙ୍କୁ ମଧ୍ୟ ପ୍ରାପ୍ତ ବୟସ୍କ ଭାବେ ଗ୍ରହଣ କରାଯାଇ ବିଚାର କରାଯାଇ ପାରିବ ।