ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬

ଉଇକିପିଡ଼ିଆ ରୁ
Jump to navigation Jump to search
ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬
Emblem of India.svg
ନିୟମାକାରକParliament of India
Status: In force

ବାଲ୍ୟ ବିବାହ ଭଳି କୁତ୍ସିତ ପ୍ରଥାକୁ ରୋକିବା ପାଇଁ ଭାରତ ସରକାରଙ୍କଦ୍ୱାରା ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ ଭାରତରେ ୧ ନଭେମ୍ବର ୨୦୦୭ରୁ ଲାଗୁ କରାଯାଇଛି । ୨୦୧୭ ମସିହାରେ ଉଚ୍ଚତମ ନ୍ୟାୟାଳୟର ନାବାଳିକା ଯୌନ ନିର୍ଯ୍ୟାତନା ସମ୍ବନ୍ଧୀୟ ଏକ ମାମଲାରେ ଏକ ଐତିହାସିକ ଏକ ଫୈସଲା ମାଧ୍ୟମରେ ନାବାଳିକ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କକୁ ମଧ୍ୟ ଅପରାଧ ବୋଲି କୁହାଗଲା । ଫଳରେ, ବିବାହିତ ପତ୍ନୀ ସହ (ନାବାଳିକ କ୍ଷେତ୍ରରେ) ଶାରୀରିକ ସମ୍ବନ୍ଧ ରଖିବା କ୍ଷେତ୍ରରେ ସ୍ୱାମୀର ଅଧିକାରକୁ ମଧ୍ୟ ସୀମୀତ କରିଦିଆଗଲା ।

ଐତିହାସିକ ପୃଷ୍ଠଭୂମି[ସମ୍ପାଦନା]

ୟୁନିସେଫ(United Nations Children's Fund)ର ଏକ ଘୋଷଣାନାମା ଅନୁଯାୟୀ ୧୮ ବର୍ଷ ପୂର୍ବରୁ କନ୍ୟାଟିଏର ବିବାହ ବାଲ୍ୟ ବିବାହ ବୋଲି ଗଣ୍ୟ ହେବ ଏବଂ ଏଭଳି ବାଲ୍ୟ ବିବାହ ହେଉଛି ମାନବିକ ଅଧିକାରର ଉଲ୍ଲଙ୍ଘନ । [୧] ଦାରିଦ୍ର୍ୟତା, କୁସଂସ୍କାର ଓ ଅର୍ଥନୈତିକ ସ୍ୱଚ୍ଛଳତାର ଅଭାବ କାରଣରୁ ଭାରତରେ ବାଲ୍ୟ ବିବାହ ଭଳି କୁ-ପ୍ରଥା ବହୁଦିନ ପର୍ଯ୍ୟନ୍ତ ପ୍ରଚଳିତ ଥିଲା । ଋଢୀବାଦି ହିନ୍ଦୁ ସମାଜର ଅନ୍ଧ ବିଶ୍ୱାସ, କୁସଂସ୍କାର ତଥା ଶିକ୍ଷାର ଅଭାବ ଯୋଗୁଁ ଏହି ପ୍ରଥାକୁ ବନ୍ଦ କରିବା ଏକ ଦୁରୂହ ବ୍ୟାପାର ଥିଲା । ୨୦୦୧ର ଜନଗଣନା ଅନୁଯାୟୀ ତତ୍କାଳୀନ ଭାରତରେ ୧.୫ ମିଲିୟନ ବିବାହିତ କନ୍ୟା ୧୫ ବର୍ଷରୁ କମ୍ ବୟସର ଥିଲେ । ଏହି କୁସଂସ୍କାରର ଫଲ ସ୍ୱରୂପ କନ୍ୟାଟିଏ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେବା ସହ କମ୍ ବୟସରେ ଗର୍ଭ ଧାରଣ କରି ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏତଦ୍ ବ୍ୟତୀତ ମାତୃ ମୃତ୍ୟୁହାର ବଢିବା ସହ ଜନ୍ମିତ ଶିଶୁଠାରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହୁଥିଲା । [୨] ଏସବୁ ସମସ୍ୟାର ଦୂରୀକରଣ ଦିଗରେ ଭାରତ ସରକାର ଏହି ଆଇନ ଲାଗୁ କରିଥିଲେ।

ଅଧିନିୟମ ସଂପର୍କରେ[ସମ୍ପାଦନା]

ଏହି ଅଧିନିୟମର ମୂଳ ଉଦ୍ଦେଶ୍ୟ ହେଲା ବାଲ୍ୟବିବାହ ତଥା ତତ୍ ସମର୍କିତ କୁସଂସ୍କାରକୁ ପ୍ରତିବନ୍ଧିତ କରିବା । ଏହା ସୁନିଶ୍ଚିତ କରିବା ପାଇଁ ଭାରତ ସରକାରଙ୍କଦ୍ୱାରା ଏଥି ସମ୍ପର୍କିତ ପୂର୍ବ ନିୟମ Child Marriage Restraint Act, ୧୯୨୯ ବଦଳାଇ ଏହି ଅଧିନିୟମ ଲାଗୁ କରାଯାଇଛି ।[୩] ଏହି ଆଇନ ବାଲ୍ୟ ବିବାହକୁ ରୋକିବା, ପୀଡିତ ପକ୍ଷକୁ ଆର୍ଥିକ ସହାୟତା ଦେବା ସହ ଏଭଳି କୁସଂସ୍କାରକୁ ପ୍ରୋତ୍ସାହନ ତଥା ସହଯୋଗ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଦଣ୍ଡିତ କରିବା । ଅଧିନିୟମର ପ୍ରାଅବଧାନ ଅନୁସାରେ ଏହି ନିୟମର କାର୍ଯ୍ୟକାରିତା କରିବା ନିମନ୍ତେ ବାଲ୍ୟ ବିବାହ ବିଷେଧ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେବାର ବ୍ୟବସ୍ଥା ମଧ୍ୟ୍ ଏଥିରେ ରହିଛି ।

ବିଶେଷ ଧାରା[ସମ୍ପାଦନା]

  • ଅଧିନିୟମର ଧାରା ୨ ଅନୁସାରେ ବିବାହ ପାଇଁ ସାବାଳକ/ସାବାଳିକା ହେବା ବୟସର ସୀମା ପୁଅ କ୍ଷେତ୍ରରେ ୨୧ ଏବଂ ଝିଅ କ୍ଷେତ୍ରରେ ୧୮ ବୟସ ।
  • ବର ଏବଂ କନ୍ୟା ମଧ୍ୟରୁ ଅନ୍ତତଃ କେହି ଜଣେ ଯଦି ଉପରୋକ୍ତ ବୟସ ପ୍ରକାରେ ସାବାଳକ/ସାବାଳିକା ନୁହନ୍ତି, ତେବେ ସେହି ବିବାହକୁ ବାଲ୍ୟ ବିବାହ ବୋଲି ଧରାଯିବ ।
  • ଅଧିନିୟମର ଧାରା ୩ ଅନୁସାରେ ଉପରୋକ୍ତ ଆଇନ ଉଲ୍ଲଙ୍ଘନ ପୂର୍ବକ କରାଯାଇଥିବା ବାଲ୍ୟ ବିବାହ ଆଇନତଃ ବୈଧ ବିବାହ ନୁହେଁ ବୋଲି ଧରାଯିବ । ଅତଏବ ଉପଯୁକ୍ତ ଅଦାଲତରେ (ଜିଲ୍ଲା ନ୍ୟାୟାଧୀଶଙ୍କ ଅଦଲତରେ) ଏଭଳି ବିବାହ ରଦ୍ଦ କରିବା ସହ ବିବାହ ସମୟରେ ଗ୍ରହଣ କରିଥିବା ଅର୍ଥ ତଥା ଅନ୍ୟାନ୍ୟ ଦ୍ରବ୍ୟ ଦେଇଥିବା ପକ୍ଷକୁ ଫେରସ୍ତ କରିବା ପାଇଁ ମକଦ୍ଦମା ଦାୟର କରିହେବ ।[୪]
  • ଅଧିନିୟମର ଧାରା ୧୫ ଅନୁସାରେ ଏହି ଅଧିନିୟମର ଖିଲାପ କରୁଥିବା ବାଲ୍ୟ ବିବାହ ଏକ ଧର୍ତ୍ତବ୍ୟ ତଥା ଜାମିନ ବିହୀନ ଅପରାଧ ଅଟେ ।[୫]

ଆଧାର[ସମ୍ପାଦନା]

  1. "Child Marriage India". Childlineindia.org.in. Retrieved 2018-07-24.
  2. Government of India (2006). Handbook on the prohibition of child marriage Act, 2006 (PDF). New Delhi.
  3. section 21 of the Prohibition of Child Marriage Act India
  4. "Section 3 in The Prohibition of Child Marriage Act, 2006". indiankanoon.org. Retrieved 17 September 2018.
  5. ବାଲ୍ୟ ବିବାହ ନିଷେଧ ଅଧିନିୟମ, ୨୦୦୬ର ଧାରା ୧୫

ବାହାର ଲିଙ୍କ[ସମ୍ପାଦନା]