ଫୋବିୟା

ଉଇକିପିଡ଼ିଆ ରୁ
Jump to navigation Jump to search

ଫୋବିୟା(Phobia)ହେଉଛି କୌଣସି ସ୍ଥାନ, ବସ୍ତୁ, କାର୍ଯ୍ୟ ଓ ପରିସ୍ଥିତି ପ୍ରତି ଅହେତୁକ ଭୟ । ଯେପରିକି କେତେକ ଲୋକ ଉଚ୍ଚସ୍ଥାନକୁ ଯିବାକୁ ଭୟ କରନ୍ତି, ଘରୁ ରାସ୍ତାକୁ ଯିବାକୁ ଭୟ କରନ୍ତି, କୌଣସି ଜୀବଜନ୍ତୁ କିଛି କ୍ଷତି କରିବ ନାହିଁ ଜାଣି ମଧ୍ୟ ତାକୁ ଭୟ କରନ୍ତି । ସେଥିଯୋଗୁଁ ସେମାନେ ସେହି ସ୍ଥାନ, ବସ୍ତୁ ବା କାର୍ଯ୍ୟଠାରୁ ଦୂରେଇ ରହିବାକୁ ଚାହାନ୍ତି । ପ୍ରାୟ ପ୍ରତ୍ୟେକ ଲୋକଙ୍କଠାରେ ଏକପ୍ରକାର ଭୟ ଅଳ୍ପଅଧିକେ ଥାଏ; ମାତ୍ର ଯେତେବେଳେ ଅତ୍ୟଧିକ ହୋଇ ମାନସିକ ବ୍ୟଥା ଦିଏ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟିକରେ ସେତେବେଳେ ଏହା ଏକ ରୋଗ ବୋଲି ଧରାଯାଏ । ଅସ୍ୱାଭାବିକ ପରିସ୍ଥିତିର ଭୟାବହତାକୁ ସମ୍ଭାବନା କରି ଲୋକଟିର ମନରେ କଷ୍ଟହୋଇଥାଏ । ତେଣୁ ସେ ଏପରି ପରିସ୍ଥିତିଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ ଏବଂ ସାମନା କଲେ ଆତଙ୍କିତ ହୋଇଯାଏ ।

ଫୋବିୟାର ପ୍ରକାର[ସମ୍ପାଦନା]

ଆଗାରୋ ଫୋବିୟା(Agoraphobia)[ସମ୍ପାଦନା]

କୌଣସି ପରିସ୍ଥିତି ପ୍ରତି ଅସ୍ୱାଭାବିକ ଭୟକୁ ଆଗାରୋ ଫୋବିୟା ବୋଲି କୁହାଯାଏ । ସାଧାରଣତଃ ଏ ପ୍ରକାର ଫୋବିୟା ଲୋକମାନଙ୍କଠାରେ ଅଧିକ ଦେଖାଯାଏ । ପୁରୁଷମାନଙ୍କ ତୁଳନାରେ ସ୍ତ୍ରୀଲୋକମାନଙ୍କଠାରେ ଅଧିକ ହୋଇଥାଏ । ଏ ପ୍ରକାର ଫୋବିୟାରେ ମନୁଷ୍ୟ ଯେତେବେଳେ ନିଜ ପରିବାର ବା ଚିରାଚରିତ ପରିସ୍ଥିତିରୁ ଦୂରେଇଯାଏ ତାକୁ ଅହେତୁକ ଭୟ ଲାଗିଥାଏ । ଗୋଟିଏ ପରିସ୍ଥିତିରୁ ଆଉ ଗୋଟିଏ ପରିସ୍ଥିତିକୁ ଗଲେ ଲୋକଟି ହଠାତ୍‌ ବିଚଳିତ ହୋଇପଡ଼େ । ତାକୁ ସାହାଯ୍ୟ କରିବାକୁ କେହି ନ ଥାଆନ୍ତି । ସେହି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ତା’ର ସାହସ ହୁଏ ନାହିଁ କି ସେ ଉପାୟ ପାଏନାହିଁ । ତେଣୁ ବିବ୍ରତ ହୋଇଯାଏ । ଉଦାହରଣସ୍ୱରୂପ ଘରଠାରୁ ଦୂରରେ ଏକା ରହିବା, ଭିଡ଼ ଭିତରେ ରହିଯିବା, ଟ୍ରେନ, ବସ୍‌ଆଦିରେ ଏକାକୀ ବୁଲିବା ଇତ୍ୟାଦି କାର୍ଯ୍ୟଗୁଡ଼ିକୁ ସେ ସମ୍ମୁଖୀନ ହୋଇପାରେ ନାହିଁ । ଧୀରେ ଧୀରେ ପରିସ୍ଥିତି ଅଧିକ ଜଟିଳ ହୋଇଥାଏ । ଲୋକଟିର ନିଜର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୁଏ । ସେ ବାହାରକୁ ନ ଯାଇ ଘର ଭିତରେ ରହିବାକୁ ଭଲପାଏ । କେବଳ ଜଣେ ଦି’ଜଣ ବିଶ୍ୱସ୍ତ ଲୋକଙ୍କ ସହିତ ଘର ଛାଡ଼ିଯାଏ ।

ସାମାଜିକ ଭୟ(Social phobia)[ସମ୍ପାଦନା]

ଏ ପ୍ରକାର ଫୋବିୟା ହେଉଛି ଏକ ସାମାଜିକ ପରିସ୍ଥିତି ପ୍ରତି ଅସ୍ୱାଭାବିକ ଭୟ । ଲୋକଟି ଅନ୍ୟଲୋକଙ୍କ ସହିତ ମିଳାମିଶା କରିବା ପାଇଁ ବା କାର୍ଯ୍ୟ କରିବା ପାଇଁ ଭୟ କରିଥାଏ । ଲୋକଟିର ଧାରଣା ହୁଏ ଯେ ତା’ର ଚାଲିଚଳନକୁ ସମସ୍ତେ ଲକ୍ଷ୍ୟ କରୁଛନ୍ତି; ତେଣୁ ତାକୁ ସମସ୍ତେ ହୀନ ମନେ କରୁଛନ୍ତି । ଉଦାହରଣସ୍ୱରୂପ- • ମଞ୍ଚ ଉପରେ ଅଭିନୟ କଲାବେଳେ ଓ ଭାଷଣ ଦେଲାବେଳେ • ଅପରିଚିତ ଲୋକଙ୍କ ସହିତ କଥାବାର୍ତ୍ତା କଲାବେଳେ • ଶାସନ କର୍ତ୍ତୃପକ୍ଷ ବା ମାଲିକ ସହିତ କଥା ହେଲାବେଳେ • ମୁହଁ ନାଲି ପଡ଼ିଯିବାର ଭୟ • ସର୍ବସାଧାରଣ ଶୌଚାଳୟରେ ପରିସ୍ରା କଲାବେଳେ(Shy bladder) ପରିସ୍ରା ହୁଏନାହିଁ ।

ଆକ୍ରୋଫୋବିୟା (Acrophobia)[ସମ୍ପାଦନା]

ଉଚ୍ଚା ସ୍ଥାନ ଯଥା-ପାହାଡ଼ ବା ଘର ଛାତ ଉପରକୁ ଯିବାର ଭୟ ।

ଜୁଫୋବିଆ (Zoophobia)[ସମ୍ପାଦନା]

ପଶୁମାନଙ୍କ ପ୍ରତି ଭୟ ।

ଜେନୋଫୋବିୟା (Xenophobia)[ସମ୍ପାଦନା]

ଅପରିଚିତ ଲୋକଙ୍କ ପ୍ରତି ଭୟ ।

ଆଲଗୋଫୋବିୟା(Algophobia)[ସମ୍ପାଦନା]

ପୀଡ଼ା ବା ଦରଜ ପ୍ରତି ଭୟ, ଇଞ୍ଜେକସନ୍‌ ପ୍ରତି ଭୟ ।

କ୍ଲଷ୍ଟ୍ରୋଫୋବିୟା(Claustrophobia)[ସମ୍ପାଦନା]

ସଂକୀର୍ଣ୍ଣ ଜାଗା ବା ସରୁ ଗଳି ପ୍ରତି ଭୟ ।

ସିଚୁୟସନାଲଫୋବିୟା(Situationalphobia)[ସମ୍ପାଦନା]

ଉଡ଼ାଜାହାଜ , ଲିଫ୍‌ଟ ଇତ୍ୟାଦିରେ ଯିବା ପାଇଁ ଭୟ ।

ପାଣି ପ୍ରତି, ବାତ୍ୟା ପ୍ରତି ଅତ୍ୟଧିକ ଭୟ[ସମ୍ପାଦନା]

ପିଲାମାନଙ୍କର ଉଚ୍ଚସ୍ୱର ପ୍ରତି ଭୟ, ଅନ୍ୟବେଶରେ ସଜ୍ଜିତ ହୋଇଥିବା ଲୋକଙ୍କ ପ୍ରତି ଭୟ[ସମ୍ପାଦନା]

ଲକ୍ଷଣ[ସମ୍ପାଦନା]

  1. ଏ ପ୍ରକାର ରୋଗରେ ଗୋଟିଏ ନିର୍ଦ୍ଦିଷ୍ଟ ବସ୍ତୁ, ଅବସ୍ଥା, ପରିସ୍ଥିତି ବା କାର୍ଯ୍ୟ ପ୍ରତି ଅସ୍ୱାଭାବିକ ଭୟ ଉପୁଜିଥାଏ ।
  2. ଏହି ଭୟ ପ୍ରକୃତ ପରିସ୍ଥିତି ତୁଳନାରେ ଖୁବ୍‌ ଅଧିକ ହୋଇଥାଏ ।
  3. ଏହା ଅସଙ୍ଗତ ଓ ଯୁକ୍ତିବିରୁଦ୍ଧ ବୋଲି ଲୋକଟି ଜାଣିପାରେ ।
  4. ଲୋକଟି ନିଜର ଏପରି ଭୟକୁ ନିୟନ୍ତ୍ରଣ କରିପାରେ ନାହିଁ । ତେଣୁ ସେ ମାନସିକ ଯନ୍ତ୍ରଣା ପାଇଥାଏ ।
  5. ଏଥିପାଇଁ ଲୋକଟି ଏପରି ବସ୍ତୁ, ଅବସ୍ଥା କାର୍ଯ୍ୟରୁ ଦୂରେଇ ରହିବାକୁ ଚେଷ୍ଟାକରେ ।
  6. ଧୀରେ ଧୀରେ ଲୋକଟି ଏହି ବିଷୟରେ ସବୁବେଳେ ଭାବିଥାଏ ଓ ନିଜର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥାଏ ।

ପ୍ରଭାବ[ସମ୍ପାଦନା]

ଏହା ସାଧାରଣତଃ ସ୍ତ୍ରୀଲୋକମାନଙ୍କଠାରେ ଅଧିକ ଦେଖାଦେଇଥାଏ । ଏ ରୋଗ ପ୍ରାୟତଃ ୨୫-୩୫ ବର୍ଷ ବୟସରେ ହଠାତ୍‌ ଆରମ୍ଭ ହୋଇଥାଏ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଥାଏ ।

କାରଣ[ସମ୍ପାଦନା]

ଏହା ସେରୋଟୋନିନ(Serotonin), ଗାବା(GABA), ଆଡ୍ରେନାଲିନ୍‌(Adrenaline) ଡୋପାମିନ(Dopamine) ଆଦି ନ୍ୟୁରୋଟ୍ରାନ୍‌ସମିଟର ବିଶୃଙ୍ଖଳତା ଯୋଗୁଁ ହୋଇଥାଏ । ନ୍ୟୁରୋଟ୍ରାନ୍‌ସମିଟର ହେଉଛି ଏକ ରାସାୟନିକ ଦ୍ରବ୍ୟ, ଯାହା ସ୍ନାୟୁଗୁଡ଼ିକ ମଧ୍ୟରେ ପ୍ରେରକ କାର୍ଯ୍ୟ କରେ । ଏକ ସୂତ୍ରରୁ ଜଣାପଡ଼ିଛି ଯେ ନିଜର ରକ୍ତ ସମ୍ପର୍କୀୟ ଲୋକମାନଙ୍କଠାରେ ଏ ରୋଗ ଥିଲେ ଅନ୍ୟମାନଙ୍କୁ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ଏହା ବଂଶଗତ ହୋଇପାରେ ।

ଚିକିତ୍ସା[ସମ୍ପାଦନା]

ଏହି ରୋଗର ଲକ୍ଷଣ ଦେଖାଦେଲେ ଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ । ଏହି ରୋଗର ଚିକିତ୍ସା, ଔଷଧ ଓ ସାଇକୋଥେରାପିଦ୍ୱାରା କରାଯାଏ । ଏହି ରୋଗରେ ମନରୁ ଅହେତୁକ ଭୟ ଦୂର କରିବା ପାଇଁ ପ୍ରୋପ୍ରାନୋଲଲ(Propranolol) କ୍ଲୋନାଜିପାମ୍‌(Clonazepam) ଓ ପାରକ୍‌ସିଟିନ୍‌(paroxetine) ଆଦି ଦିଆଯାଇପାରେ । ସାଇକୋଥେରାପିଦ୍ୱାରା ରୋଗୀ ମନରେ ଜନ୍ମୁଥିବା ଅହେତୁକ ଭୟକୁ ବୁଝାସୁଝାଦ୍ୱାରା କମ୍‌ କରାଯାଇଥାଏ । ଫଳରେ ରୋଗୀ ମନରୁ ଭୟ କମିଯାଏ । ଏହି ରୋଗ ଯଦିଓ କୌଣସି କାରଣରୁ ଜନ୍ମ ନେଇ ନଥାଏ ତଥାପି ଅନେକ କ୍ଷେତ୍ରରେ ପରିସ୍ଥିତିର ଅନୁଭୂତି ହିଁ ତା’ର ଭୟର କାରଣ ହୋଇଥାଏ । ଏହାକୁ ରୋଗ ବୋଲି ଭାବି ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଚିକିତ୍ସା କଲେ ଏହି ରୋଗରୁ ଉପଶମ ମିଳିଥାଏ ।

ଆଧାର[ସମ୍ପାଦନା]

[୧]

  1. ଡାକ୍ତର ସମ୍ରାଟ କର,ପୃଷ୍ଠା-୫୬-୫୯, ମନକଥା ଜାଣନ୍ତୁ