ପହଣ୍ଡି ବିଜେ

ଉଇକିପିଡ଼ିଆ ରୁ
Jump to navigation Jump to search
ପହଣ୍ଡି ବିଜେ ଦୃଶ୍ୟ
ପହଣ୍ଡି ବିଜେ ଦୃଶ୍ୟ୨

ପହଣ୍ଡିର ଆଭିଧାନିକ ଅର୍ଥ ହେଉଛି ପାଦରେ ଭ୍ରମଣ । ପହଣ୍ଡି ବିଜେ ଶ୍ରୀମନ୍ଦିରର ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ହୋଇ ଆସୁଥିବା ବିଦ୍ଧି ସମ୍ବନ୍ଧୀୟ କ୍ରିୟାପଦ୍ଧତି । [୧] ପହଣ୍ଡି ପୁଣି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡିଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ । ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ । ଏହି ଦୁଇ ପ୍ରକାରର ପହଣ୍ଡି କେବଳ ବିଗ୍ରହ ମାନଙ୍କୁ ପହଣ୍ଡି ସମୟରେ ଘୁଞ୍ଚାଇବାର ତରୀକା ବ ଢଙ୍ଗକୂ ବୁଝାଇଥାଏ । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ବାହୁ ଥିବାଯୋଗୁଁ ଦୁଇ ବିଗ୍ରହଙ୍କୁ ସମୟ ସମୟରେ ଭୂମିକୁ ଛୁଆଁଇ କରି ପହଣ୍ଡି କରାଯାଇଥାଏ । କିନ୍ତୁ ଦେବୀ ସୁଭଦ୍ର ଓ ସୁଦର୍ଶନଙ୍କ ବାହୁ ନଥିବା ଯୋଗୁଁ ସେମାନଙ୍କୁ ଶାଇତ ରୂପେ ବୁହାଇ ପହଣ୍ଡି କରାଯାଇଥାଏ । [୨]

ପହଣ୍ଡିର ତାତ୍ପର୍ଯ୍ୟ[ସମ୍ପାଦନା]

ପୁରାଣ ପ୍ରଥିତ ପୁରୁଷୋତ୍ତମ କ୍ଷେତ୍ର ଯେତିକି ମହମାନ୍ୱିତ,ସେଠାରେବିରାଜିତ ମହା ପ୍ରଭୁ ସେତିକି ଅସାମାନ୍ୟ ଓ ଆଶ୍ଚର୍ଯ୍ୟମୟ । ଭକ୍ତ ତାଙ୍କର ସମସ୍ତ ଆଶ୍ଚର୍ଯ୍ୟଜନକ ପରି ପ୍ରକାଶକୁ ଦେଖି, ଶୁଣି ଓ କହି ଏକାଧାରରେ ହୁଏ ଆଚଞ୍ଚିତ ଓ ଆନନ୍ଦିତ । ଆକାରରେ ଆଶ୍ଚର୍ଯ୍ୟ ପୁଣି ଆଚାରରେ ମଧ୍ୟ ଆଶ୍ଚର୍ଯ୍ୟର ଭୂରି ଭୂରି ଅଭିବ୍ୟକ୍ତିରେ ପୁଷ୍କଳ ସେହି ପରମ ପୁରୁଷ । ଦାରୁଦେହରେ ନରଲୀଳା ରଚନାରେ ଧୁରନ୍ଧର ସେ । ଦାରୁଶରୀରରେ ଅଚଳତା ପ୍ରକଟ କରୁଥିବା ଲୀଳାମୟ ମାନବୋଚିତ ଲୀଳାବିସ୍ତାର ନିମନ୍ତେ ହୁଅନ୍ତି ସଚଳ । ବାରମାସରେ ତେର ଯାତ୍ରାର ସଂରଚନାରେ ପ୍ରବୀଣ ପୁରୁଷୋତ୍ତମଙ୍କ ରହିଛି ଦୁଇଟି ସ୍ୱୟଂଲୀଳା । ଗୋଟିଏ ଜ୍ୟେଷ୍ଠ ପୂର୍ଣ୍ଣମୀରେ ସ୍ନାନ ଓ ଅନ୍ୟଟି ଆଷାଢ-ଶୁକ୍ଳ-ଦ୍ୱିତୀୟାରେ ଶ୍ରୀଗୁଣ୍ଡିଚା । ଗୋଟିଏ ଖରାକାଳର ଅନ୍ତିମ ଚରଣରେ ଓ ଅନ୍ୟଟି ବର୍ଷାକାଳର ଆଦ୍ୟ ପର୍ଯ୍ୟାୟରେ । ଏଇ ଉଭୟ ତିଥିରେ ଚତୁର୍ଦ୍ଧା ଦାରୁମୂର୍ତ୍ତିଙ୍କ ପ୍ରତ୍ୟକ୍ଷ ସଂଚରଣ ଲକ୍ଷ୍ୟ କରାଯାଏ । ଆତ୍ମୀୟ-ପାର୍ଷଦ-ଦାରା-ଧନାଦିକୁ ଛାଡି ଭକ୍ତସମୂହର ଐକାନ୍ତିକ-ଆକାଂକ୍ଷାକୁ ପରି ପୂର୍ଣ୍ଣ କରିବା ପାଇଁ ତଥା ଭକ୍ତ ସହ ସଚଳିତ ହେବାରେ ସ୍ୱକୀୟ ଅନିବାର-ଆଗ୍ରହକୁ ଚରିତାର୍ଥ କରିବା ସକାଶେ ସେ ଓହ୍ଲାଇ ଆସନ୍ତି ରତ୍ନବେଦୀରୁ ତଳକୁ ଓ ଶ୍ରୀମନ୍ଦିରର ବହିର୍ଭାଗକୁ । ଏପରିକି ରଥଯାତ୍ରା ପାଇଁ ଚାଲି ଆସନ୍ତିବଡଦାଣ୍ଡ ଉପରକୁ ଓ ଆରୋହଣ କରନ୍ତି ରଥ ।[୩]

ଏ ପ୍ରକାର କ୍ରମ ଦେଖି ବେଦାନ୍ତବିତ୍ମାନେ ହୁଅନ୍ତି ଅବାକ୍ । ବେଦାନ୍ତ ଯାହାଙ୍କୁ ନିରାକାରବ୍ରହ୍ମ ବୋଲିବର୍ଣ୍ଣନା କରି କୁହନ୍ତି ଯେ ତାଙ୍କର ପାଣି-ପାଦ-ନାସା-କର୍ଣ୍ଣ-ଚକ୍ଷୁ କିଛି ନାହିଁ ବୋଲି, ସେଇବ୍ରହ୍ମ ଦାରୁକଳେବର ଧାରଣ ପୂର୍ବକ ବିଶାଳ- ପଦ୍ମ ପଲାଶ-ଲୋଚନରେ ସମଗ୍ରବ୍ରହ୍ମାଣ୍ଡରେ କୃପାବର୍ଷଣ କରି ପ୍ରଶସ୍ତ ରଙ୍ଗାଧରରେ ଆନନ୍ଦର ଅମ୍ଳାନ ହାସକୁ ଫୁଟାଇ, ଭକ୍ତର ସମାଲିଙ୍ଗନରେ ସମୃଦ୍ଧ ବିପୁଳ ଭୁଜଦ୍ୱୟକୁ ବିସ୍ତାରି ରାଜକୀୟ ଆଟୋପରେ ଟାହିଆ ବିମଣ୍ଡିତ ହୋଇ, ମନ୍ଦ୍ର-ମଧୁର ଗତିରେ ମଦମତ୍ତ-ହସ୍ତୀତୁଲ୍ୟ ଅଦୃଶ୍ୟ ପଦ ପାତର ଚଳମାନ-ଭଙ୍ଗୀରେ ରଥକୁ ଆରୋହନ୍ତି ଓ ଯାତ୍ରା-ଲୀଳାର ଶେଷରେ ପୁନର୍ବାର ପଦ ପାତ କରିବାହୁଡି ଯାଆନ୍ତି ଶ୍ରୀମନ୍ଦିରକୁ । ଅପାଣି-ପାଦ ପରଂବ୍ରହ୍ମଙ୍କ ଏହି ଜୀବୋଚିତବାବିଶେଷକରି ନରୋଚିତ ଚଳନକୁ ପୁରୀବୋଲିରେ ବୋଲାଯାଏ ପହଣ୍ଡି.ସମଗ୍ର ସ୍ୱୟଂଲୀଳାରେ ପହଣ୍ଡି ହିଁ ସର୍ବଶ୍ରେଷ୍ଠ ଅଙ୍ଗ ଓ ସଚରାଚର ବିଶ୍ୱବ୍ରହ୍ମାଣ୍ଡର ପରମ-ଆକାଂକ୍ଷିତ ମୁହୂର୍ତ୍ତ । ପହଣ୍ଡି ପଦଟି ପ୍ରାକୃତ ଓ ମୂଳ ତତ୍ସମର ଏକ ଶାବ୍ଦିକ-ଅପଭ୍ରଂଶ ମାତ୍ର । ଶବ୍ଦକଳ୍ପଦ୍ରୁମାନୁସାରେ ଏହାର ମୂଳ-ଶବ୍ଦ ପଦ-ହିଣ୍ଡନ ହୋଇ ପାରେ । ପଦ ବୋଲେ ପାଦ ଓ ହିଣ୍ଡନ ବୋଲେ ଭ୍ରମଣକୁବୁଝାଏ । ଅନେକେ ଏହାକୁ ଭ୍ରମବଶତଃ ପଦହୁଣ୍ଡନ ବୋଲି କହିଥାନ୍ତି । ତେଣୁ ପହଣ୍ଡିର ଆଭିଧାନିକ ଅର୍ଥ ପାଦରେ ଭ୍ରମଣ । ମାନବବାଦୀ ଠାକୁରଙ୍କ ଏହି ପହଣ୍ଡି ଯାତ୍ରାର ରହିଛି ଅନେକ ବିଚାରଣୀୟ ସଂଦେଶ ।[୪] ତହିଁରୁ କେତୋଟିକୁ ନିମ୍ନରେ ଆଲୋଚନା ଛଳରେ ଗ୍ରହଣ କରାଯାଇ ପାରେ ।


  • ଲୋକୋ ପକାରୀ-ଅବତାର ପ୍ରକଟଦ୍ୱାରା ସ୍ୱୟଂଲୀଳା ରଚନା

ଉପନିଷତ୍ମତରେ-ଅଜାୟମାନୋ ବହୁଧା ବିଜାୟତେ, ପୁଣି ଏକୋଦ୍ଧହଂ ବହୁ ସ୍ୟାମ୍ । ଏଥ#ରୁ ସ୍ପଷ୍ଟ ଯେ ଅଜନ୍ମା ପରଂବ୍ରହ୍ମ ଏକ ଓ ଅନନ୍ୟ ହେଲେ ମଧ୍ୟ ଲୀଳାବିଳାସଦ୍ୱାରା ଲୋକଶିକ୍ଷା ପ୍ରଦାନ ପୂର୍ବକ କଳୁଷହତ ଜୀବମାନଙ୍କୁ ଗତି ଦେବାକୁ ବହୁବିଧରୂପ ଧାରଣ କରି ବିଭିନ୍ନ ସମୟରେ ପ୍ରକଟ ହୁଅନ୍ତି । ଯାହାକୁ ଅବତାର ବୋଲି କୁହାଯାଏ । ଏହି ଅବତାରମାନଙ୍କରେ ସେ ନିଜ ମାୟାକୁ ଛାଡି ଜୀବ ପ୍ରାୟ ହୋଇ ଲୀଳା କରନ୍ତି । ଯାହାକୁ ପଞ୍ଚସଖା ଯୁଗର ସିଦ୍ଧସାଧକ ଅନନ୍ତ ଦାସ କହନ୍ତି-

ନିଜ ମାୟାଛାଡି ଜୀବ ପ୍ରାୟ ହୋଇ କରଇ ମୁଁ ଲୀଳାଖେଳା,
ଜୀବ ହିଁ ପରମଟି ଜୀବ ଅନନ୍ତ-ତତ୍ତ୍ୱର ଭେଳା ।


ଏହି କ୍ରମରେ ସ୍କନ୍ଦ ପୁରାଣ କୁହନ୍ତି ଯେ ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଭୁ ତ୍ରିଲୋକରେ ପରମ- ଅନୁଗ୍ରହ-ବିସ୍ତାର କରିବା ପାଇଁ ଏଇ ଦାରୁମୟ ଅବତାର ଗ୍ରହଣ କରିଛନ୍ତି । ଯଥା-

ଅବତାରଃ କୃତୋ ହ୍ୟେଷ ଲୋକାନୁଗ୍ରହକାମ୍ୟୟା ।
ତଦେହି ଭଗବନ୍ ପ୍ରୀତ୍ୟା ଚରଣଂ ନ୍ୟସ୍ୟ ଭୂତଳେ ॥


ଭକ୍ତବିନୋଦ ନିମନ୍ତେ ଅବତୀର୍ଣ୍ଣ ପରଂବ୍ରହ୍ମ ନୀଳାଚଳରେ ଦାରୂରୂପୀ ଭଗବାନ । ଜଗତର ଉପକାରରେ ଉଦାର ପରମାତ୍ମା ଜୀବାତ୍ମା ସହିତ ଲୀଳା କରିବାକୁ ଜୀବଭଳି ଶରୀର ଧରି ଦାରୁବିଗ୍ରହରେ ବଳଭଦ୍ର ଓ ସୁଭଦ୍ରାଙ୍କ ସମେତ ନୀଳାଦ୍ରିର ଗୁହାରେ ବିଦ୍ୟମାନ । ତେଣୁ ଜୀବର ସୁଖଦୁଃଖକୁ ଜୀବଭାବ ନେଇ ଶୁଣିବା,ବନ୍ଧୁଭାବ ନେଇବୁଝିବା ଓ ସ୍ୱାମୀଭାବ ଧରି ସୁଧାରିବା ପାଇଁ ସେ ଅନ୍ତର୍ବେଦୀର ଐଶ୍ୱର୍ଯ୍ୟକୁ ଛାଡି ଅନ୍ତରର ମାଧୁର୍ଯ୍ୟ ପରିବ୍ୟାପ୍ତ କରି କରି ଚଳନ୍ତି ପହଣ୍ଡିରେ ।

  • ଭକ୍ତି ପ୍ରିୟତା ଓ ଭକ୍ତ-ସର୍ବସ୍ୱତାର ପ୍ରକାଶନ

ସଗଙ୍ଗାମାଟି-ଦୀପ-ଘୃତାଦି ତ୍ରୟୋଦଶ ଦ୍ରବ୍ୟର ସଂଭାରରେ ମଙ୍ଗଳା ର୍ପଣକୁ ସ୍ୱୀକାର କରି ଚତୁର୍ଦ୍ଦଶବ୍ରହ୍ମାଣ୍ଡର ମଙ୍ଗଳ ମନାସୁଥିବା ମଙ୍ଗଳମୟ ମହା ପ୍ରଭୁ ପାଟଡୋର ଲାଗି ହୋଇ ସେବକମାନଙ୍କ ଗହଣରେ ଭକ୍ତବିତାନକୁ ଭ୍ରମଣକ୍ରମରେ ପ୍ରବେଶି ଆସନ୍ତି । ଏଥିରେ ତାଙ୍କର ଭକ୍ତ-ସର୍ବସ୍ୱତା ହିଁ ପ୍ରକାଶିତ ହୁଏ । ଭକ୍ତବତ୍ସଳ ଭଗବାନ୍ ଦରକାର ପଡିଲେ ନିଜ ପ୍ରାଣ ପ୍ରିୟା ପତ୍ନୀଙ୍କୁ ତ୍ୟାଗ କରି ପାରନ୍ତି ସିନା, ମାତ୍ର କୌଣସି ସମୟରେ ଭକ୍ତକୁ ଛାଡି ପାରନ୍ତି ନାହିଁ । ଭକ୍ତର ଏହି ପ୍ରେମରେ ପ୍ରବଣ ପ୍ରଭୁ ମା ମହାଲକ୍ଷ୍ମୀଙ୍କୁ ଛାଡି ଧିରେ ଧିରେ ପଦକ୍ଷେପ କରି ଗତି କଲାଭଳି ଭକ୍ତିସ୍ୱାଦର ଆହରଣରେ ମତୁଆଲା ହୋଇ ଭକ୍ତବୂ୍ୟହକୁ ଚଳନ୍ତି ଓ ଚାରି ପାଖକୁ ଆନ୍ଦୋଳନ ଛଳରେ ସମସ୍ତଙ୍କୁ ଆପଣେଇବାର ଅନୁପମ-ଆବେଗକୁ ପ୍ରକଟ କରନ୍ତି । ଏ କ୍ଷେତ୍ରରେ ସାଲବେଗଙ୍କ ଉକ୍ତି-ଏକା ମୋ ଭକତ ଜୀବନ-ଏହି ଅଙ୍ଗୀକାରର ପରି ପ୍ରକାଶ ମଧ୍ୟ ପହଣ୍ଡିର ଏକ ପ୍ରମୁଖବାର୍ତ୍ତା ।

  • ଅଙ୍ଗଜାତ ପବନରେ ପତିତପାବନତା ସିଦ୍ଧି

ନିଜର ଅମୃତମୟ-ସୁଦିବ୍ୟ ଅଙ୍ଗଲଗ୍ନ ପବନର ସଂଚାରଣରେ ସମସ୍ତ ଜଗତର ଯାତନା-ପତିତ-ଜନତାର ପାପକୁ ବିନଷ୍ଟ କରିବା ପାଇଁ ହିଁ ମହା ପ୍ରଭୁ ଭକ୍ତ ଗହଣରେ ପହଣ୍ଡିରେ ଚଳୁଛନ୍ତି । ତେଣୁ ତାଙ୍କର ଏହି ଯାତ୍ରାକୁ ପତିତପାବନ ଯାତ୍ରାବୋଲି କୁହାଯାଏ । କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମଧ୍ୟ କୋଟିବ୍ରହ୍ମାଣ୍ଡ ସୁନ୍ଦରୀରେ ଏହି ମର୍ମରେ କହିଛନ୍ତି- ସ୍ନାନଗୁଣ୍ଡିଚା ଏ ବେନି ସ୍ୱୟଂଲୀଳା ଯାହାର, ପତିତ ପାବନ ଅର୍ଥେ ପ୍ରାସାଦୁଁବାହାର ଯେ। ।ଏଠାରେ ପତିତମାନେ ପାବନତ୍ୱ ଲାଭ କରନ୍ତି, ଅର୍ଥାତ୍(ବିଭୁଅଙ୍ଗସକ୍ତ) ପବନ ସଂବନ୍ଧରେ(ପାବନ) ଆସି ପାପମୁକ୍ତ ହୋଇ ପବିତ୍ର ହୁଅନ୍ତି ।

  • ନେତ୍ରଜ୍ୟୋତି...ରେ ପ୍ରକୃତିର ଶୁଦ୍ଧିକରଣ

ହେ ପ୍ରଭୁ ! ଆପଣଙ୍କ ଅବଲୋକନରେ ସମଗ୍ର ଜଗତ ସହିତ ଦଶଦିଗବିଭାଗ ଯୁକ୍ତା ପ୍ରକୃତି ମଧ୍ୟ ପବିତ୍ର ହେଉ । ଏଥିରୁ ସ୍ପଷ୍ଟ ଯେ, କଳିକାଳର ପ୍ରଭାବରେ ପ୍ରଦୂଷିତ ହୋଇଥିବା ଉଭୟ ଅନ୍ତଃପ୍ରକୃତି ଓ ବହିଃପ୍ରକୃତିର ଶୋଧନର ଦିବ୍ୟସଂଦେଶବହନ କରୁଛି ପହଣ୍ଡି ।

  • ପ୍ରଗତିର ଚେତନା ଓ ପ୍ରଚୋଦନାଦ୍ୱାରା ପରମ ପଦ ପ୍ରଦାନ

ସାଧାରଣତଃ ଦାରୁରେ ସ୍ପୂର୍ତ୍ତି ନଥାଏ । ନଥାଏ ଭାବାବେଗର ସଂକେତ । ତିଳେ ହେଲେ ଅନୁଭୂତ ହୁଏ ନାହିଁ ଚୈତନ୍ୟର ଚାତୁର୍ଯ୍ୟ । ଏହି ଦାରୁ ନିର୍ମିତ ତନୁ ଧାରଣକରି ଜଗନ୍ନିୟନ୍ତା ପହଣ୍ଡି ମାଧ୍ୟମରେ ଦାରୁସୁଲଭ ଜଡତାକୁ ଚୂର୍ଣ୍ଣ କରି ନରୋଚିତ ଚେତନାକୁ ଆତ୍ମସ୍ଥ କରିବା ପାଇଁ ଦେଉଛନ୍ତି ପ୍ରତ୍ୟକ୍ଷ ପ୍ରଚୋଦନା । ଜୀବନ ଯାତ୍ରାରେ ଆଦୌ ଜଡିମାରେ ଶିଥିଳ ନହୋଇ ସଚେତନ-ଗତିଶୀଳତାକୁ ନିରନ୍ତର ନିରବଚ୍ଛିନ୍ନ ଭାବରେ ଆଦରିଲେ ଉତ୍ତରିତ ହୁଏବ୍ୟକ୍ତିତ୍ୱ ଓ ଆନନ୍ଦର ନନ୍ଦିଘୋଷ-ଆରୋହଣରେ ଜୀବସତ୍ତା ହୁଏ ଉଚ୍ଚାଟିତ । ପ୍ରଭୁ ଚରୈବେତି ଚରୈବେତି ଆହ୍ୱାନକୁ ଗ୍ରହଣକରି ପହଣ୍ଡିକୃତ-ସଂଚରଣରେ ପ୍ରଗତିର ପ୍ରଚାର କରିବା ସହ ସଂସାରକୁ ଏକ ନି...ସୀମ- ପ୍ରସରଣର ଉଦାତ୍ତ-ବାର୍ତ୍ତା ପ୍ରଦାନ କରୁଛନ୍ତି । ପହଣ୍ଡିଦ୍ୱାରା ମଧ୍ୟ ପ୍ରଭୁ ଉଭୟ ସ୍ଥାବର ଓ ଜଙ୍ଗମଙ୍କୁ ପରମ ପଦବା ମୋକ୍ଷଦାନ କରନ୍ତି ।

  • ଶବ୍ଦରେବ୍ରହ୍ମତ୍ୱର ଅବବୋଧଦ୍ୱାରା ସୁପ୍ତ ବିବେକରେ ଜାଗରଣ ସୃଷ୍ଟି

ପ୍ରଚଣ୍ଡ ଘଣ୍ଟଘୋଷ ପହଣ୍ଡିର ଏକବିଶେଷବିଭାବ । ଏହା ଏକ ସୂକ୍ଷ୍ମ- ପ୍ରକମ୍ପ ସୃଷ୍ଟିକରେ ଅନ୍ତଃକରଣ ଓ ମସ୍ତିଷ୍କରେ । ଏହାଦ୍ୱାରା ଭୟଭ୍ରାନ୍ତି ଆଦି ଅନ୍ତର୍ମଳ ସ୍ୱତଃ ଝଡିଯିବା ସହିତ ମନୀଷାମଣ୍ଡଳ ବିସ୍ପାରିତ ହୁଏ ଓ ଅଜ୍ଞାନରେ ମୋହଗ୍ରସ୍ତ ଜୀବର ସୁପ୍ତବିବେକରେ ତାତ୍କାଳିକ ଜାଗରଣ ସୃଷ୍ଟି ହୋଇଥାଏ । ଶବ୍ଦ ଓ ବ୍ରହ୍ମମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ଶବ୍ଦ ଯେପରି ଲିପିତଃ ଏକ ହୋଇଥିଲେ ବି ଅର୍ଥ ଭେଦରେ ବ୍ୟବହାରଗତ-ଭିନ୍ନତାବହନ କରେ, ଠିକ୍ ସେହି ପରି ପରଂବ୍ରହ୍ମ ତତ୍ତ୍ୱତଃ ପରି ପ୍ରକାଶଗତ-ବିଭିନ୍ନତାଦ୍ୱାରା ବହୁଧା ରୂପାନ୍ୱିତ ହୋଇଥାନ୍ତି । ଏହି ଗୂଢାର୍ଥକୁ ଚିହ୍ନଉଥିବା ପହଣ୍ଡି ଗମ୍ଭୀର ନିର୍ଘୋଷ ମାଧ୍ୟମରେ ଶବ୍ଦକୁ ବ୍ରହ୍ମଜ୍ଞାନରେ ବ୍ୟବହାର କରି ଅନ୍ତର ପ୍ରଦେଶକୁ ଦ୍ୟୋତିତ କରିବା ସହିତ ନିଃଶଙ୍କ-ଜାଗରଣର ମୁନିସୁଲଭ ସିଦ୍ଧି ଲାଭ ପାଇଁ ପ୍ରେରିତ କରେ ।

  • ପରିଶ୍ରମ ପରାୟଣତାର ଅଭିନିବେଶ

ପ୍ରଭୁ ନିଜେ ପହଣ୍ଡିଦ୍ୱାରା ଶ୍ରମୋନ୍ମୁଖ-କର୍ମ ପ୍ରବଣତାକୁ ପ୍ରଦର୍ଶିତ କରୁଛନ୍ତି । ଲକ୍ଷ୍ୟସ୍ଥଳରେ ନ ପହଞ୍ଚିଲା ପର୍ଯ୍ୟନ୍ତ କର୍ମରୁ ବିଚ୍ୟୁତି ନାହିଁ । ଏହାକୁ ମସ୍ତକ-ଆନ୍ଦୋଳନ-ଭଙ୍ଗୀରେ ସୂଚିତ କରି ସେ ଭକ୍ତ ସମୁଦ୍ରର କଲ୍ଲୋଳକୁ ଧୀରେ ଧୀରେ ଅତିକ୍ରମ କରି ଆସୀନ ହୁଅନ୍ତି ରଥ ପୃଷ୍ଠରେ । ଯିଏ ନିଷ୍ଠାର ସହିତ କର୍ମ କରିବ, ସେ ସୁଫଳ ଅବଶ୍ୟ ପାଇବ-ଏହିବାର୍ତ୍ତାରେ ସମୃଦ୍ଧ ପହଣ୍ଡିର ପଟୁଆର ।

  • ବାସ୍ତବ ଜୀବନଦର୍ଶନର ଅଭିବ୍ୟକ୍ତି

ଜୀବନ ସର୍ବଦା ସମବା ସମରସଯୁକ୍ତ ନୁହେଁ । କେତେବେଳେ ଉତ୍ତରଣ ତ କେତେବେଳେ ଅବତରଣ, ପୁଣି କେତେବେଳେ ମିଳନ ତ କେବେ ଅବାବିରହ- ଏହିପରି ଦ୍ୱନ୍ଦଦେଇ ଜୀବନ-ଯମୁନା ହୁଏ ଗତିଶୀଳ । ଏହି ପରି ଜୀବନଦର୍ଶନର ଭିତ୍ତିଭୂମି ଉପରେ ପହଣ୍ଡି ପର୍ଯ୍ୟବେସିତ । ପହଣ୍ଡିରେ ପ୍ରଭୁ ଅବତରନ୍ତି ରତ୍ନବେଦୀରୁ,ବିରହରେ ପୀଡିତ କରନ୍ତି ଶ୍ରୀମନ୍ଦିରକୁ, ଭକ୍ତ ସହିତ ମିଳନର ଉଳ୍ଲାସରେବିଭୋର ହୋଇ ପୁଣି ରଥ ଉ ପରକୁ ଉତ୍ତରିତ ହୁଅନ୍ତି । ସେହି ପରି ଫେରିବା ବେଳେ ରଥରୁ ଅବତରି ଭକ୍ତମାନଙ୍କୁବିରହ ପୀଡା ଦେଇ ରତ୍ନବେଦୀକୁ ଆରୋହନ୍ତି ।

  • ସମଦୃଷ୍ଟି ପୂର୍ଣ୍ଣ ସାମ୍ୟବାଦର ସମୁଚିତ ସଂସ୍କରଣ

ପହଣ୍ଡିବେଳେ ସବୁ ପ୍ରକାର ସେବାୟତ ସମ୍ମିଳିତ ହୋଇ ଏକ ଗୋଷ୍ଠୀଗତ-ସମନ୍ୱୟରେ ସେବା ଦେଉଥାନ୍ତି । ନା ସେଠି ମୁଖ୍ୟ-ଗୌଣାଦିର ଭେଦ ରହିଛି ନା ଆର୍ଯ୍ୟ-ଆର୍ଯୋତ୍ତର ପ୍ରଭୃତିର ବୈଷମ୍ୟ ଅଛି ନା ଅବା ଧନି-ଦରିଦ୍ର, ରାଜା- ପ୍ରଜାଦିର ପାର୍ଥକ୍ୟ ରହିଛି । ଜାତି-ଧର୍ମ-ବର୍ଣ୍ଣ-ସଂପ୍ରଦାୟାଦିର ସମସ୍ତ ବିଭେଦବଡଦାଣ୍ଡର ସେହି ଗଭୀର ସମତା-ସମୁଦ୍ରରେ ସତ୍ତା ହଜାଇ ଦିଅନ୍ତି । ସମସ୍ତେ ଏକାକାର ଓ ଗୋଟିଏ ଭକ୍ତି-ସୂତ୍ରରେ ବନ୍ଧା ହୋଇ ଅଚଳ ମହାମେରୁଙ୍କୁ ସଚଳ କରାଉଥାନ୍ତି । କାରଣ,ମହା ପ୍ରଭୁ ସମତାର ପ୍ରତୀକ । ଚକାଆଖି ତାଙ୍କର ସମଦୃଷ୍ଟିରେ ପରି ପୂର୍ଣ୍ଣ । ସେଥି ନିମନ୍ତେ କବିସୂର୍ଯ୍ୟ ବଳଦେବ ରଥ ଜଣାଣରେ କହିଲେ- ଟେକି ସମଦୃଷ୍ଟି-ପତାକାକୁ ପୁଣି ଏ କି ପକ୍ଷ ପାତ-ରୀତି ହେ ମହା ପ୍ରଭୁ ! ବଡଦାଣ୍ଡରେ କି ଗୃହୀ କି ସନ୍ନ୍ୟାସୀ ସମସ୍ତେ ସମବେତ ହୋଇ ଏକସ୍ଥିତିରେ ଓ ଏକମୁଖରେ କେବଳ ସ୍ତୁତିଗାନ ଛଳରେ ଏହି ସାମ୍ୟକୁ ପ୍ରଦର୍ଶିତ କରି ମହା ପ୍ରଭୁଙ୍କ ସମତାଗୁଣକୁ ପ୍ରଖ୍ୟାପିତ କରନ୍ତି । ଜଗତର ନାଥ ପଦକୁ ସାର୍ଥକ କରି ପ୍ରଭୁ ସମସ୍ତ ଜଗତବାସୀଙ୍କୁ ସମାନ ଦର୍ଶନର ସୁଯୋଗ ଦେଇ କରନ୍ତି କୃତାର୍ଥ । ସମଦ୍ରଷ୍ଟାଙ୍କ ସମଦୃଷ୍ଟିର ସମରସରେ ସମାଖ୍ୟାତ ପହଣ୍ଡିର ଧାରା ।

  • ନିଃସ୍ୱାର୍ଥ ପରତାର ନିର୍ମଳ ନିଦର୍ଶନ

ଭକ୍ତର ମିଳନଜନିତ-ସୁଖର ଆସ୍ୱାଦନ ପାଇଁ ଅତ୍ୟନ୍ତବ୍ୟଗ୍ର ଥିଲେ ସୁଦ୍ଧା ମହା ପ୍ରଭୁ ନିଜେ ଆଗରେ ପହଣ୍ଡିରେବାହାରି ଆସନ୍ତି ନାହିଁ ।ବରଂ ନିଜ ଆୟୁଧ-ଅଗ୍ରଜ-ଅନୁଜାଙ୍କୁ ଛାଡିବା ପରେ ନିବାସସ୍ଥଳର ସୁବିଧା-ଅସୁବିଧାକୁ ବୁଝି ସର୍ବଶେଷରେ ପହଣ୍ଡି ଯାତ୍ରା କରନ୍ତି ଏବଂ ସର୍ବଶେଷରେ ମଧ୍ୟ ରଥରେ ଯାତ୍ରା କରିଥାନ୍ତି । ଏହା ହିଁ ତ ନିଃସ୍ୱାର୍ଥତତା । ଏହି ଭାବରେ ଶ୍ରୀମଦ୍ ଭଗବଦ୍ଗୀତାରେ ନିଜେ ପ୍ରଭୁ ଭକ୍ତର ଲକ୍ଷଣରେ-ନିର୍ମମୋ ନିରହଙ୍କାରଃ ସମଦୁଃଖ ସୁଖଃ କ୍ଷମୀ-ବୋଲି କହିଛନ୍ତି । ଏଠାରେ ନିର୍ମମର ଅର୍ଥ ନିଃସ୍ୱାର୍ଥ ପର । ଏହି ପହଣ୍ଡି ଜରିଆରେ ଆପଣାର ଆଚରିତ କର୍ମକୁ ସଂସାରରେ ଶିକ୍ଷା ଦେବା ଛଳରେ ମହାପ୍ରଭୁ ନିଜେ ସ୍ୱାର୍ଥ ତ୍ୟାଗ କରି ଜଗତକୁ ସ୍ୱାର୍ଥଶୂନ୍ୟ-ଆଚରଣରବାର୍ତ୍ତା ଦେଉଛନ୍ତି । ଅନନ୍ତ-ହରିଙ୍କ ଲୀଳା ମଧ୍ୟ ଅନନ୍ତା, ଅହୈତୁକୀ ଓ ଆଶ୍ଚର୍ଯ୍ୟମୟୀ । ଶ୍ରୀଜଗନ୍ନାଥ ଚେତନା ଏହି ପରି ଅନେକ ଆଚରଣୀୟ-ଲୋକ ଶିକ୍ଷାର ମହାନ ଭଣ୍ଡାର । ପ୍ରଭୁ ନିଜେ ହେଉଛନ୍ତି ଗୁଣର ସାଗର । ତେଣୁ ପହଣ୍ଡି ପରି ତାଙ୍କର ପ୍ରତିଟି ଲୀଳାରୁ ଅନୁମିତ ସଂସ୍କାରକୁ ଜୀବନରେ ପ୍ରତିଫଳିତ କରିବା ହିଁ ପ୍ରକୃତ ଜଗନ୍ନାଥ ପ୍ରେମୀର ଏକମାତ୍ର କର୍ତ୍ତବ୍ୟ ମନେହୁଏ ।

ଆଧାର[ସମ୍ପାଦନା]

  1. "ଶ୍ରୀମନ୍ଦିର କ୍ରିୟାପଦ୍ଧତି". Bhubaneswar buzz. Retrieved 2 October 2015.
  2. "ପହଣ୍ଡି ବିଜେ ପ୍ରାତଃ ପଦ୍ଧତି". Shreekhetra.com. Retrieved 2 October 2015.
  3. "ପହଣ୍ଡିବିଜେ ଦୃଶ୍ୟ". odishalivrtv.com. Retrieved 2 October 2015.
  4. "ପହଣ୍ଡି". Aster Infosys. Retrieved 2 October 2015.