ନେତ୍ରାବରଣ ପ୍ରଦାହ

ଉଇକିପିଡ଼ିଆ‌ରୁ
ନେତ୍ରାବରଣ ପ୍ରଦାହ
ଭୁତାଣୁଦ୍ୱାର ନେତ୍ରାବରଣ ପ୍ରଦାହ ହୋଇଥିବା ଏକ ଚକ୍ଷୁ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H10.
ଆଇସିଡ଼ି-୯-ସିଏମ୍372.0
ରୋଗ ଡାଟାବେସ3067
ମେଡ଼ିସିନ-ପ୍ଲସ001010
ଇ-ମେଡ଼ିସିନemerg/110
Patient UKନେତ୍ରାବରଣ ପ୍ରଦାହ
MeSHD003231

ନେତ୍ରାବରଣ ପ୍ରଦାହ, ଇଂରାଜୀ ଭାଷାରେ କଞ୍ଜକ୍ଟିଭାଇଟିସ୍ (Conjunctivitis), ଅନ୍ୟ ନାମ ପିଙ୍କ ଚକ୍ଷୁ (pink eye), ଏକ ପ୍ରଦାହ ଯାହା ଚକ୍ଷୁ ପତାର ଭିତର ସ୍ତର ଓ ଧଳା ଡୋଳାର ବାହ୍ୟ ସ୍ତରକୁ ଆକ୍ରମଣ କରିଥାଏ ।[୧] ଏହା ହେବାଦ୍ୱାର ଆଖି ପିଙ୍କ ବା ଲାଲ୍ ଦେଖାଯାଏ । ଆଖିରେ ଯନ୍ତ୍ରଣା, ଜଳାପୋଡ଼ା, ରାମ୍ପୁଡ଼ା ଓ ଗଲୁ ଅନୁଭବ ହୁଏ । ପ୍ରଭାବିତ ଚକ୍ଷୁରୁ ଅଧିକ ଲୁହ ବୁହେ ଓ ସକାଳେ ଆଖି ପତା ଲାଖିଯାଇ ବନ୍ଦ ହୋଇଥାଏ । ଆଖିର ଧଳା ଅଂଶ ଫୁଲିଯାଏ ।[୨] ଆଲର୍ଜି ଯୋଗୁ ହୋଇଥିଲେ ଗଲୁ କରେ ।[୩] ଏହି ରୋଗ ଏକ ବା ଉଭୟ ଆଖିକୁ ଆକ୍ରମଣ କରିପାରେ । [୨]

ସଂକ୍ରମଣର ସର୍ବାଧିକ କାରଣମାନଙ୍କ ମଧ୍ୟରୁ ଭୁତାଣୁ ପ୍ରଥମ ଓ ତା'ପରେ ଜୀବାଣୁ ସଂକ୍ରମଣ[୩] ଭୁତାଣୁ ସଂକ୍ରମଣରେ ଶର୍ଦ୍ଦିର ଲକ୍ଷଣ ମଧ୍ୟ ଦେଖାଯାଇପାରେ । ଭୁତାଣୁ ଓ ଜୀବାଣୁ ସ‌ହଜରେ ଚାରିଆଡ଼େ ବ୍ୟାପିପାରେ ।[୨] ପଶୁ ଲୋମ ଓ ପଲେନ ଆଲର୍ଜି ମଧ୍ୟ ହୋଇପାରେ ।[୩] ଚିହ୍ନ ଓ ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ । ବେଳବେଳେ ଆଖିରୁ ବାହାରୁଥିବା ଲୁହକୁ କଲ୍‌ଚର୍ ନିମନ୍ତେ ପଠାଯାଇପାରେ । [୨]

ହାତଧୁଆଦ୍ୱାରା ନେତ୍ରାବରଣ ପ୍ରଦାହର ଆଂଶିକ ଭାବରେ ପ୍ରତିଷେଧ ହୁଏ । ଅନ୍ତର୍ନିହିତ କାରଣ ଉପରେ ଏହି ରୋଗର ଚିକିତ୍ସା ନିର୍ଭର କରେ ।[୨] ଭୁତାଣୁ ସଂକ୍ରମଣର ଅଧିକାଂଶ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[୩] ଅଧିକାଂଶ ଜୀବାଣୁ ଜନିତ ସଂକ୍ରମଣ ବିନା ଚିକିତ୍ସାରେ ଆପେ ଆପେ ଭଲ ହୋଇଯାଏ କିନ୍ତୁ ଆଣ୍ଟିବାୟୋଟିକ ଦେବାଦ୍ୱାରା ରୋଗ ସମୟ କମିଯାଏ ।[୩][୨] କଣ୍ଟାକ୍ଟ ଲେନ୍ସ ବ୍ୟବ‌ହାର କରୁଥିବା ଲୋକ, ଗନୋରିଆକ୍ଲାମିଡିଆ ସଂକ୍ରମଣ ଥିଲେ କାରଣ ଅନୁସାରେ ଉପ‌ଯୁକ୍ତ ଚିକିତ୍ସା କରାଯାଏ । ଆଲର୍ଜି ଥିଲେ ଆଣ୍ଟିହିସ୍ଟାମିନ ବା ମାସ୍ଟ ସେଲ ଇନହିବିଟର ଡ୍ରପ ଆଖିରେ ପକାଯାଏ [୩]

ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ପ୍ରାୟ ୩ରୁ ୬ ନିୟୁତ ଲୋକଙ୍କର ନେତ୍ରାବରଣ ପ୍ରଦାହ ହୁଏ ।[୩][୨] ବଡ଼ ମଣିଷଙ୍କର ଅଧିକ ଭୁତାଣୁ ସଂକ୍ରମଣ ଓ ପିଲାଙ୍କର ଅଧିକ ଜୀବାଣୁ ସଂକ୍ରମଣ ହୁଏ ।[୩] ସ୍ୱାଭାବିକ ଭାବରେ ଏକ ବା ଦୁଇ ସପ୍ତାହ ମଧ୍ୟରେ ଏହି ରୋଗ ଭଲ ହୋଇଯାଏ ।[୩][୨] ଯଦି ଏକ ସପ୍ତାହ ମଧ୍ୟରେ କିଛି ସୁଫଳ ମିଳେନି, ଦୃଷ୍ଟିହାନୀ, ଯନ୍ତ୍ରଣା ଲାଗିରହିଥାଏ, ଆଲୋକ ସମ୍ବେଦନ ବା ହର୍ପିସ ଲକ୍ଷଣ ଜଣାଯାଏ ତେବେ ଅଧିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଆବଶ୍ୟକ ହୁଏ ।[୩] ନବଜାତ ଶିଶୁର ଏହି ପ୍ରଦାହକୁ ନିଓନାଟାଲ ନେତ୍ରାବରଣ ପ୍ରଦାହ କୁହାଯାଏ ଓ ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ।[୨]

ଆଧାର[ସମ୍ପାଦନା]

  1. Richards A, Guzman-Cottrill JA (May 2010). "Conjunctivitis". Pediatr Rev. 31 (5): 196–208. doi:10.1542/pir.31-5-196. PMID 20435711.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Facts About Pink Eye". National Eye Institute. November 2015. Retrieved 8 March 2016.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Azari, AA; Barney, NP (23 October 2013). "Conjunctivitis: a systematic review of diagnosis and treatment". JAMA. 310 (16): 1721–9. PMID 24150468.