ନୀରା ଆର୍ଯ୍ୟ
ନୀରା ଆର୍ଯ୍ୟ ଆଜାଦ ହିନ୍ଦ୍ ଫୌଜର ପ୍ରଥମ ମହିଳା ଗୁପ୍ତଚର ଭାବେ ବିଦିତ । ସେ ଉତ୍ତର ପ୍ରଦେଶର ବାଗପତ ଅନ୍ତର୍ଗତ ଖେରାନଗର ଠାରେ ୧୯୦୨ ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଦେଶର ସ୍ୱାର୍ଥ ପାଇଁ ସେ ନିଜ ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରିଥିଲେ ।
ଶୈଶବ ଓ ତା'ପରେ
ତାଙ୍କ ପିତା ସେଠ୍ ଛଜ୍ଜୁମଲ୍ ଇଚ୍ଛା କରିଥିଲେ କି ତାଙ୍କ ପୁଅ ବସନ୍ତ ଓ ଝିଅ ନୀରା କଲିକତାରେ ଉଚ୍ଚ ଶିକ୍ଷା ଲାଭ କରିବେ । ଶୈଶବରୁ ନୀରା ଖୁବ୍ ସ୍ୱାଧିନଚେତା ଥିଲେ । ପରାଧିନ ଭାରତର ଦୁର୍ଦ୍ଦଶାକୁ ଅଙ୍ଗେ ଲିଭେଇଥିଲେ । ତେଣୁ ବିଦ୍ୟାଳୟ ଶିକ୍ଷା ସମାପ୍ତି ପରେ ଜଣେ ସୈନିକ ଭାବେ ଭାରତୀୟ ଜାତୀୟ ସେନାର 'ଝାନସୀ ରାଣୀ ରେଜିମେଣ୍ଟ'ରେ ଯୋଗ ଦେଲେ । ତା'ପରେ ତାଙ୍କ ପିତା ତାଙ୍କ ବିବାହ ପାଇଁ ଉପଯୁକ୍ତ ବରପାତ୍ର ଖୋଜିବାକୁ ଲାଗିଲେ । ସେ ଥିଲେ ବ୍ରିଟିଶ୍ ଆର୍ମୀ ଅଫିସର ଶ୍ରୀକାନ୍ତ ଜୟରଞ୍ଜନ ଦାସ । ଶ୍ରୀକାନ୍ତ ଥିଲେ ସିଆଇଡ଼ି ଇନସ୍ପେକ୍ଟର । ସ୍ୱାମୀ ବିଦେଶୀ ସରକାଙ୍କ ଅଧିନରେ ଚାକିରିଆ ଥିବାରୁ ନୀରା ଓ ତାଙ୍କ ମଧ୍ୟରେ ଭଲ ପଡ଼ିଲା ନାହିଁ । ବିବାହ ପରେ ଯଦିଓ ନୀରା ଏନ୍ଆଇଏ ଛାଡ଼ି ଦେଇଥିଲେ କିନ୍ତୁ ନେତାଜୀଙ୍କ ସହ ସଂପୃକ୍ତ ଥିଲେ । ଏକଥା ଜାଣିବା ପରେ ଶ୍ରୀକାନ୍ତ ନେତାଜୀଙ୍କ ଅବସ୍ଥିତି ସଂପର୍କରେ ଜାଣିବା ପାଇଁ ନୀରାଙ୍କୁ ପଚରାଉଚରା କଲେ । ଅବଶ୍ୟ ଏଥିପାଇଁ ବ୍ରିଟିଶ୍ କର୍ତ୍ତୃପକ୍ଷ ଶ୍ରୀକାନ୍ତଙ୍କୁ ଦାୟିତ୍ୱ ଦେଇଥିଲେ । ଦିନେ କୌଣସି ପ୍ରସଙ୍ଗରେ ନୀରା ନେତାଜୀଙ୍କୁ ଭେଟିବାକୁ ଯାଇଥିଲେ । ଏଣେ ଶ୍ରୀକାନ୍ତ ତାଙ୍କ ଅନୁଧାବନ କରି ସେଠାରେ ପହଞ୍ଚି ସୁଭଷଙ୍କ ଗାଡ଼ି ଉପରକୁ ଗୁଳି ଚଳାଇଲେ । ମାତ୍ର ଆଉ କିଛି ଅଘଟଣ ଘଟିବା ପୂର୍ବରୁ ହିଁ ସେଠାରେ ଉପସ୍ଥିତ ନୀରା ନିଜେ ବନ୍ଧୁକରେ ଭୁଷି ତାଙ୍କ ସ୍ୱାମୀ ଶ୍ରୀକାନ୍ତଙ୍କୁ ହତ୍ୟା କଲେ । ବୋଷଙ୍କ ଜୀବନ ରକ୍ଷା ହେଲା । ପରିଣାମସ୍ୱରୂପ ନୀରାଙ୍କୁ ଅଣ୍ଡାମାନ-ନିକୋବର ଜେଲ୍ ବା କଳାପାଣି ଦଣ୍ଡ ହେଲା । ତଥାପି ସେ ନିଜ ଜାତୀୟତାବାଦୀ ମନୋଭାବକୁ ପରିବର୍ତ୍ତନ କଲେ ନାହିଁ । ଜେଲରେ ମଧ୍ୟ ତାଙ୍କୁ ନେତାଜୀକ ସଂପର୍କରେ ସୂଚନା ଦେବାପାଇଁ ବିଭିନ୍ନ ପ୍ରକାର ପ୍ରଲୋଭନ ଦିଆଗଲା । ମାତ୍ର ସେ ନିରବ ରହିଲେ । ଓଲଟି ଜଣେ କର୍ମଚାରୀଙ୍କ ଉପରକୁ ଛେପ ପକାଇଲେ । ଏସବୁ ପରେ ତାଙ୍କ ଉପରେ ଅକଥନୀୟ ଯନ୍ତ୍ରଣା ଦିଆଗଲା । କିନ୍ତୁ ଦେଶର ସ୍ୱାର୍ଥ ପାଇଁ ସେ ସବୁ ସହିଗଲେ । ତାଙ୍କର ଦୃଢ଼ ମନୋଭାବ ପାଇଁ ସ୍ୱୟଂ ନେତାଜୀ ହିଁ ତାଙ୍କୁ ଏକଦା ଆଜାଦ୍ ହିନ୍ଦ୍ ଫୌଜର ପ୍ରଥମ ମହିଳା ଗୁପ୍ତଚର ବୋଲି ଆଖ୍ୟା ଦେଇଥିଲେ ।[୧]
କିଛି ବିଶେଷ ଘଟଣା
ଥରେ ନୀରା ଗୋଟିଏ ଲେଖାରେ ଲେଖିଥିଲେ 'ମୋ ସହିତ ବର୍ମାର ସରସ୍ୱତୀ ରାଜାମଣି ନାମରେ ଜଣେ ଝିଅ ଥିଲା । ସେ ମୋ ଠାରୁ ସାନ । ବ୍ରିଟିଶ୍ ଅଫିସରଙ୍କ ଉପରେ ଗୁପ୍ତ ତଥ୍ୟ ଯୋଗାଡ଼ କରିବା ଦାୟିତ୍ୱ ଆମ ଉପରେ ନ୍ୟସ୍ତ ଥିଲା । ଆମେ ପୁଅଙ୍କ ପରି ବେଶପୋଷାକ ପିନ୍ଧି ବ୍ରିଟିଶ୍ ଅଫିସର୍ ଓ ସେନାଛାଉଣୀରେ ଗୁପ୍ତଚରଗିରି କରୁଥିଲୁ । ସେଠାରୁ ସଂଗୃହିତ ସୂଚନା ଆମେ ନାତାଜୀଙ୍କୁ ଜଣାଉଥିଲୁ ।'
ଶେଷ ଜୀବନ
ଦେଶ ସ୍ୱାଧିନ ହେବା ପରେ ନୀରା ଜେଲରୁ ମୁକ୍ତ ହୋଇଥିଲେ । ଜୀବନର ଶେଷ କେଇଦିନ ଫୁଲ ବିକି ନିଜ ଗୁଜୁରାଣ ମେଣ୍ଟାଇଥିବା ଏହି ବିପ୍ଲବିଣୀ ଫଲକୁନାମା ଅଞ୍ଚଳରେ ଗୋଟିଏ କୁଡିଆରେ ରହୁଥିଲେ । ସରକାରୀ ଜାଗାରେ କୁଡ଼ିଆଟି ଥିବାରୁ ପୋଲିସମାନେ ତାଙ୍କୁ ଗଳା ଧକ୍କା ଦେଇ ତାଙ୍କ ଜିନିଷପତ୍ର ସବୁ ରାସ୍ତା ଉପରକୁ ଫିଙ୍ଗି ଦେଇଥିଲେ । ପୋଲିସକୁ ସେ ଯେତେ ନେହୁରା ହେଲେ ମଧ୍ୟ ସେମାନେ ଶୁଣଲେ ନାହିଁ । ନିହାତି ଅନନ୍ୟୋପାୟ ହୋଇ ରାସ୍ତା କଡ଼ରେ ଦେହରେ ପ୍ରବଳ ଜ୍ୱର ସତ୍ତ୍ୱେ ଅସହାୟ ଭାବେ ପଡ଼ିରହିଲେ। ତେବେ ରାସ୍ତାକଡ଼ରେ ବିଛାଡ଼ି ହୋଇ ପଡ଼ିଥିବା ତାଙ୍କ ଜିନିଷପତ୍ରରୁ କିଛି ମୋଟା ମୋଟା ଇଂରାଜୀ ବହିରୁ ହିଁ ଜଣେ ମହିଳା ତାଙ୍କୁ ଆବିଷ୍କାର କଲେ । ଶେଷରେ ହାଇଦ୍ରାବାଦ ଅନ୍ତର୍ଗତ ଚାରମୀନାର ନିକଟସ୍ଥ ଓସମାନିଆ ହସ୍ପିଟାଲରେ ୧୯୯୮ ମସିହା ଜୁଲାଇ ୨୬ ତାରିଖରେ ତାଙ୍କ ଦେହାନ୍ତ ହୋଇଥିଲା । ଦେଶ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଥିବା ନୀରା ଆର୍ଯ୍ୟ ନିହାତି ଅଲୋଡ଼ା ଓ ଅଖୋଜା ହୋଇ ରହିଗଲେ ।
ତାଙ୍କ ସଂପର୍କରେ ଆଉ କିଛି
ନୀରା ନିଜ ଆତ୍ମଜୀବନୀ ହିନ୍ଦୀରେ ଲେଖିଥିଲେ, ଯାହାର ନାମ ଥିଲା 'ମେରା ଜୀବନ ସଂଘର୍ଷ : ନାଗିନ୍ କୀ ଆତ୍ମକଥା' । ମନ୍ମଥନାଥ ଗୁପ୍ତଙ୍କ ଦ୍ୱାରା ସଂପାଦିତ ଏ ବହିଟି ପ୍ରଥମଥର ପାଇଁ ୧୯୬୬ରେ ପ୍ରକାଶି ପାଇଲା, ମାତ୍ର ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଏହାକୁ ବ୍ୟାଜ୍ୟାପ୍ତି କରିଦିଆଗଲା । ପୁନଶ୍ଚ ୧୯୯୬ ମସିହାରେ ଏହା ହାଇଦ୍ରାବାଦରୁ ଏକ ଖବରକାଗଜରେ ଧାରାବାହିକ ଭାବେ ପ୍ରକାଶ ପାଇଲା । ଶେଷରେ ଦିଲ୍ଲୀର 'ଆୟର୍ଖଣ୍ଡ ଟେଲିଭିଜନ ପ୍ରାଇଭେଟ୍ ଲିମିଟେଡ଼' ନାମକ ଏକ ପ୍ରକାଶନ ସଂସ୍ଥା ଏହାକୁ ପୁନଃ ଲୋକଲୋଚନକୁ ଆଣିଲେ । ନୀରାଙ୍କ ଜୀବନ କାହାଣୀ ଉପରେ ଲେଖିକା ମଧୁ ଧାମା 'ଫାଷ୍ଟ ଲେଡ଼ି ସ୍ପାଏ ଅଫ୍ ଆଇଏନ୍ଏ : ନୀରା ଆର୍ଯ୍ୟ' ଶୀର୍ଷକ ପୁସ୍ତକ ରଚନା କରିଛନ୍ତି । ଦେଶ ପ୍ରତି ସର୍ବସ୍ୱ ଦାନ କରିଥିବା ଏହି ମହିଳାଙ୍କ ସମ୍ବନ୍ଧରେ କନ୍ନଡ଼ ଚଲଚ୍ଚିତ୍ର ନିର୍ଦ୍ଦେଶକ ରୂପା ଆୟାର ଗୋଟିଏ ବାୟୋପିକ୍ ନିର୍ମାଣ କରିଛନ୍ତି । ଏଥିରେ ନୀରାଙ୍କ ନାମନାୟିକା ଭୂମିକାରେ ଅଭିନୟ କରିଛନ୍ତି ମହିମା ଚୌଧୁରୀ ।
- ↑ "ପ୍ରଥମ ମହିଳା ଗୁପ୍ତଚର | SambadEpaper". sambadepaper.com. Retrieved 2024-10-03.