ନାରାୟଣ ସିଂହ
ନାରାୟଣ ସିଂହ (୬ ଜାନୁଆରୀ ୧୯୪୬ - ୧୭ ସେପ୍ଟେମ୍ବର ୨୦୨୪) ଜଣେ ଓଡ଼ିଆ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ, ଅଭିନେତା । ଗଣକବି ବୈଷ୍ଣବ ପାଣିଙ୍କ ବହୁ ଗୀତିନାଟ୍ୟ ତାଙ୍କ ନିର୍ଦ୍ଦେଶନାରେ ଦୂରଦର୍ଶନ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା । ଏହା ବ୍ୟତୀତ ବହୁ ପ୍ରତିଷ୍ଠିତ ଲେଖକଙ୍କ ଲେଖାକୁ ନାଟ୍ୟ ରୂପାନ୍ତର କରି ଚର୍ଚ୍ଚାରେ ରହିଥିଲେ । ଭାରତର ବିଭିନ୍ନ ରାଜ୍ୟରେ ସେ ଗୀତିନାଟ୍ୟମାନ ପରିବେଷଣ କରିଥିଲେ ।[୧]
ସଂକ୍ଷିପ୍ତ ଜୀବନୀ
କଟକ ଜିଲ୍ଲାରେ ଜନ୍ମିତ ନାରାୟଣ ଶିକ୍ଷା ସମାପ୍ତି ପରେ ହାଇକୋର୍ଟରେ ଚାକିରୀ କଲେ । ନାଟକ ପ୍ରତି ତାଙ୍କର ଅହେତୁକ ରୁଚି ଥିଲା । ସମୟକ୍ରମେ ସେ ନାଟ୍ୟ ଜଗତ ସହ ଜଡ଼ିତ ହୋଇ ୨୦୦ରୁ ଉର୍ଦ୍ଧ୍ୱ ମଞ୍ଚ ନାଟକର ନିର୍ଦ୍ଦେଶନା, ଅଭିନୟ ଓ ରଚନାରେ ସଂଶ୍ଲିଷ୍ଟ ହେଲେ । ବିଶେଷକରି ବ୍ୟାସକବିଙ୍କ 'ଶ୍ରୀମତୀ ସମାର୍ଜ୍ଜନୀ'ର ନିର୍ଦ୍ଦେଶନା ଓ ସେଥିରେ ଚନ୍ଦ୍ରମଣି ଭୂମିକାରେ ଅଭିନୟକୁ ନେଇ ସେ ରାଜ୍ୟର ଘରେଘରେ ପରିଚିତ ହୋଇଥିଲେ । ଏହା ଶତାଧିକ ବାର ରାଜ୍ୟର ବିଭିନ୍ନ ମଞ୍ଚରେ ଅଭିନୀତ । ପୁନଶ୍ଚ କିଛି ଲେଖକଙ୍କ ଲୋକପ୍ରିୟ କାହାଣୀ ଯଥା ଛ'ମାଣ ଆଠଗୁଣ୍ଠ, ମାଟିର ମଣିଷ, କଣାମାମୁଁ, ନୀଳଶୈଳ, ଏପାରି ସେପାରି, ପ୍ରତିଭା, ମୂଲିଆ, ପାଟଦେଈ, ମଧୁଯାମିନୀ, ଅଛିଣ୍ଡାଅଙ୍କ ଆଦିକୁ ସେ ଗୀତିନାଟ୍ୟରେ ରୂପାନ୍ତରିତ କରିଥିଲେ । ୧୯୬୩ ମସିହାରୁ ଜୀବନର ଶେଷ ପର୍ଯ୍ୟନ୍ତ ସେ 'ସଂସ୍କୃତି ବିହାର' ନାଟ୍ୟାନୁଷ୍ଠାନ ସହିତ ଜଡ଼ିତ ରହିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବଳିଦାନ, ଅନୁରାଗ, ଭଙ୍ଗା ସିଲଟରେ ସେ ସହ ନିର୍ଦ୍ଦେଶକ ଥିଲେ । ନିଜେ ୧୫ଟି ଟିଭି ଧାରାବାହିକ ସହିତ ସ୍ତ୍ରୀ ଓ ନୂଆ ସକାଳ ଚିତ୍ରରେ ଅଭିନୟ କରିଥିଲେ । ସେ ନିଜେ ମଧ୍ୟ ଅନେକ ମୌଳିକ ନାଟକର ସ୍ରଷ୍ଟା ।[୨]
ତାଙ୍କ ରଚିତ ନାଟକାବଳୀ
- ମର୍ତ୍ତ୍ୟରେ ଇନ୍ଦ୍ର ସ୍ୱର୍ଗରେ ନରେନ୍ଦ୍ର
- ଅଭିଶପ୍ତ ଶ୍ରୀକୃଷ୍ଣ
- ମତେ ଭୁଲ ବୁଝିବେନି
- ଫୁଲରସିଆ
- ହେଲା ବାହାଘର ଭାଙ୍ଗିଗଲା
ସମ୍ମାନ ଓ ପୁରସ୍କାର
- ବାଲିଯାତ୍ରା ମହୋତ୍ସବ ସମ୍ମାନ
- ଘାସଫୁଲ ସମ୍ମାନ
- ଓଡ଼ିଶା ହାଇକୋର୍ଟ କଲଚରାଲ ସୋସାଇଟି
- ନିଖିଳ ଉତ୍କଳ ନାଟକୋତ୍ସବ
- ଚଳଚ୍ଚିତର ଜଗତ ପୁରସ୍କାର