ଜ୍ୟେଷ୍ଠା ଦେବୀ

ଉଇକିପିଡ଼ିଆ ରୁ
Jump to navigation Jump to search

ହିନ୍ଦୁଧର୍ମରେ ଜ୍ୟେଷ୍ଠା ଦେବୀ ପୂଜା କରାଯାଏ ୤। ସୌଭାଗ୍ୟ ଏବଂ ସୌନ୍ଦର୍ଯ୍ୟର ଦେବୀ ଲକ୍ଷ୍ମୀଙ୍କ ବଡ଼ ଭଉଣୀ ହେଉଛନ୍ତି ଜ୍ୟେଷ୍ଠା ୤ ତେବେ ଲକ୍ଷ୍ମୀଙ୍କ ଠାରୁ ଏହି ଦେବୀଙ୍କ ଗୁଣ ସମ୍ପୂର୍ଣ୍ଣ ବିପରୀତ ୤ ସେ ଅଶୁଭ ଘଟଣା ଏବଂ ପାପୀଙ୍କ ବ୍ୟତୀତ ଆଳସ୍ୟ, ଦାରିଦ୍ର୍ୟ, ଦୁଃଖ, କୁରୂପତା ସମ୍ବନ୍ଧୀୟ ଦେବୀ ବୋଲି ଅନେକ ବିଶ୍ୱାସ କରନ୍ତି ୤ ସେଥିପାଇଁ କେହି କେହି ଜ୍ୟେଷ୍ଠାଙ୍କୁ ଦୁର୍ଭାଗ୍ୟର ଦେବୀ କହିଥାନ୍ତି ୤ ନିଜ ଘର ପରିବାରଠାରୁ ଜ୍ୟେଷ୍ଠାଙ୍କୁ ଦୂରରେ ରଖିବା ଲାଗି ଲୋକମାନେ ଏହିଦେବୀଙ୍କୁ ପୂଜା କରିଥାନ୍ତି ୤ ପଦ୍ମପୁରାଣରେ ଅଲକ୍ଷ୍ମୀ ଦେବୀଙ୍କ ସମ୍ପର୍କରେ ଏକ କାହାଣୀ ବର୍ଣ୍ଣିତ ୤ ଅମୃତ ପ୍ରାପ୍ତି ନିମନ୍ତେ ଦେବତା ଏବଂ ଅସୁର ମିଶି ସମୁଦ୍ର ମନ୍ଥନ ଆରମ୍ଭ କରିଥିଲେ ୤ ପ୍ରଥମେ ସମୁଦ୍ର ମନ୍ଥନରୁ ବିଷ ବାହାରିଥିଲା ୤ ଭଗବାନ ଶିବ ସେହି ବିଷପାନ କରି ନୀଳକଣ୍ଠ ହେଲେ ୤ ଏହାପରେ ସମୁଦ୍ର ମନ୍ଥନରୁ ଦେବୀ ଜ୍ୟେଷ୍ଠାଙ୍କର ଉତ୍ପତି ହୋଇଥିଲା ୤ ସେ ଲାଲ୍‌ ରଙ୍ଗର ବସ୍ତ୍ର ଧାରଣ କରିଥିଲେ ୤ ତାଙ୍କର ପୀଠ ଦେବୀ ଲକ୍ଷ୍ମୀଙ୍କର ଠିକ୍‌ ବିପରୀତ ଥିଲା ୤ ସେଥିପାଇଁ କୁହାଯାଏ ଦେବୀ ଲକ୍ଷ୍ମୀ ଆସିବା ପୂର୍ବରୁ ଅଲକ୍ଷ୍ମୀ ଆସିଥାନ୍ତି, ଅଲକ୍ଷ୍ମୀ ଯିବା ପରେ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ୤ ଦୁର୍ଭାଗ୍ୟର ଦେବୀ ହୋଇଥିଲେ ବି ଜ୍ୟେଷ୍ଠାଙ୍କ ରୂପ ଅତ୍ୟନ୍ତ ସୁନ୍ଦର ୤ ସେ ସର୍ବଦା ଲାଲ୍‌ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି ୤ ତାଙ୍କର ଚାରି ହାତ ରହିଛି ୤ ସେଥିରୁ ଦୁଇ ହାତ ଅଭୟ ଏବଂ ବରମୁଦ୍ରାରେ ଥାଏ ୤ ଅନ୍ୟ ଦୁଇ ହାତରେ ସେ ଧନୁ ଏବଂ ଶର ଧରିଥାନ୍ତି ୤ କାଉ ଏହି ଦେବୀଙ୍କ ବାହନ ୤ ସେ ସର୍ବଦା ପଦ୍ମଫୁଲ ଉପରେ ବିରାଜମାନ କରିଥାନ୍ତି ୤ ଅଶ୍ୱତ୍‌ଥ ବୃକ୍ଷରେ ଅଲକ୍ଷ୍ମୀ ବା ମାତା ଜ୍ୟେଷ୍ଠା ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି ୤ ଦେବୀ ଜ୍ୟେଷ୍ଠାଙ୍କ ଜନ୍ମ ସମୁଦ୍ର ମନ୍ଥନ ସମୟରେ ହୋଇଥିଲା ୤ ତାଙ୍କ ପରେ ଦେବୀ ଲକ୍ଷ୍ମୀଙ୍କ ଉତ୍ପତି ମନ୍ଥନରୁ ହୋଇଥିଲା ୤ ସେଥିପାଇଁ ଜ୍ୟେଷ୍ଠା ଓ ଲକ୍ଷ୍ମୀ ଦୁଇଭଉଣୀ ବୋଲି କୁହାଯାଏ ୤ ଦେବୀ ଜ୍ୟେଷ୍ଠାଙ୍କ ବିବାହ ଦୁଃସହ ନାମକ ଜଣେ ବ୍ରାହ୍ମଣଙ୍କ ସହ ହୋଇଥିଲା ୤ ଦେବୀ ଜ୍ୟେଷ୍ଠା ନାସ୍ତିକ ଏବଂ ପାପୀଙ୍କ ଘରେ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି ୤ ଦେବୀ ଜ୍ୟେଷ୍ଠାଙ୍କ ସମ୍ପର୍କରେ ଅନ୍ୟ ପ୍ରମୁଖ ସୂଚନା ଏହିପରି-ଭାରତର କେତେକ ଅଞ୍ଚଳରେ ତାଙ୍କୁ ଶୀତଳା ନାମରେ ପୂଜା କରାଯାଇଥାଏ ୤ ତାଙ୍କୁ ହାଡ଼ଫୁଟିର ଦେବୀ କୁହାଯାଏ ୤ ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ସହିତ ସମ୍ପର୍କ ଥିବା କାରଣରୁ ତାଙ୍କୁ ବୈଷ୍ଣବ ନାମରେ ମଧ୍ୟ ସମ୍ବୋଧନ କରାଯାଏ ୤ କାଉ ଏହି ଦେବୀଙ୍କର ବାହନ, ଯାହା ଦୁର୍ଭାଗ୍ୟର ପ୍ରତୀକ ୤ ଦେବୀ ଜ୍ୟେଷ୍ଠାଙ୍କୁ କେତେକ ସ୍ଥାନରେ ବୈଷ୍ଣବ, ଦରିଦ୍ର, ଧୂମବତୀ, ଶୀତଳା ଦେବୀ ନାମରେ ପୂଜା କରାଯାଏ ୤[୧]

  1. ଦିନଲିପି, ପୃଷ୍ଠା-୨, ୪.୨.୨୦୧୬