ଜ୍ୟାକ୍‌ସନ ପୋଲୋକ

ଉଇକିପିଡ଼ିଆ‌ରୁ
ଜେକସନ ପୋଲୋକ
ଜନ୍ମ ନାଆଁପଲ୍ ଜେକସନ ପୋଲୋକ
ଜନ୍ମ(1912-01-28)ଜାନୁଆରୀ ୨୮, ୧୯୧୨
Cody, Wyoming, United States
ମୃତ୍ୟୁଅଗଷ୍ଟ ୧୧, ୧୯୫୬(1956-08-11) (ବୟସ ୪୪)
Springs, ନ୍ୟୁ ୟୋର୍କ, U.S.
ଜାତୀୟତାଆମେରିକୀୟ
ବିଭାଗଚିତ୍ରକର
ପ୍ରଶିକ୍ଷଣArt Students League of New York
ଆନ୍ଦୋଳନAbstract expressionism
ସଂର଼କ୍ଷକPeggy Guggenheim
କାହାଦେଇ ପ୍ରଭାବିତThomas Hart Benton, Pablo Picasso, Joan Miró [୧][୨][୩]
କାହାକୁ ପ୍ରଭାବିତ କରିଥିଲେHelen Frankenthaler

ପଲ୍ ଜେକସନ ପୋଲୋକ ( ୨୮ ଜାନୁଆରୀ ୧୯୧୨- ୧୧ ଅଗଷ୍ଟ ୧୯୫୬) ଜଣେ ପ୍ରସିଦ୍ଧ ପ୍ରଭାବୀ ଆମେରିକୀୟ ଚିତ୍ରଶିଳ୍ପୀ । ଏହି ଚିତ୍ରଶିଳ୍ପୀଙ୍କୁ ବିଂଶଶତାବ୍ଦୀର ଚିତ୍ର ଜଗତର ଧ୍ରୁବତାରା ବୋଲି କୁହାଯାଏ । ଆମେରିକାର ଏହି ଚିତ୍ରକରଙ୍କର ବିଶେଷତା ଥିଲା ଡ୍ରିପ୍ ପେଣ୍ଟିଂରେ । ସେ ଅବ୍ୟବସ୍ଥିତ ପ୍ରକୃତି ତଥା ମଣିଷମାନଙ୍କର ମନକୁ ନେଇ ଅତି ସୁନ୍ଦର ଭାବରେ ଚିତ୍ର ପ୍ରସ୍ତୁତ କରିପାରୁଥିଲେ । ଜୀବନର ସ୍ୱଳ୍ପ ପରିଧୀ ମଧ୍ୟରେ ସେ ଲାଭ କରିଛନ୍ତି ଅସୁମାରି ଶ୍ରଦ୍ଧା ଓ ଖ୍ୟାତି । ନିର୍ଜନତା ଥିଲା ତାଙ୍କର ଅତ୍ୟନ୍ତ ପ୍ରିୟ । ସେ ସବୁଠୁ ବେଶୀ ଖୁସି ପାଉଥିଲେ ଯେତେବେଳେ ତାଙ୍କୁ ନିଃସଙ୍ଗତା ମିଳିଯାଉଥିଲା। ସେଥିଲାଗି ତାଙ୍କୁ ଅନେକ ସନ୍ୟାସୀ ଚିତ୍ରଶିଳ୍ପୀ ବୋଲି ସମ୍ବୋଧନ କରୁଥିଲେ । ୧୯୪୫ ମସିହାରେ ତାଙ୍କର ବିବାହ ହୋଇଥିଲା ଶିଳ୍ପୀ ଲୀ’ କ୍ରାସନରଙ୍କ ସହିତ । ବିବାହ ପରେ ଲୀ’ଙ୍କ ପ୍ରେରଣା ତାଙ୍କର ଚିତ୍ରକର ଜୀବନକୁ ଅଧିକ ଶାଣିତ ଓ ରଙ୍ଗମୟ କରିଥିଲା । [୪]

ପ୍ରାଥମିକ ଜୀବନ[ସମ୍ପାଦନା]

ଜେକସନ ପୋଲୋକଙ୍କ ଜନ୍ମ ୧୯୧୨ ମସିହାରେ ଆଇୱର ଟିଙ୍ଗଲେଠାରେ । ସେ ତାଙ୍କ ପିତା ମାତାଙ୍କର ଥିଲେ ପଞ୍ଚମ ସନ୍ତାନ । ବାପାଙ୍କ ନାମ ଲୀ’ ରୟ ପୋଲକ ଓ ମାଆଙ୍କ ନାମ ଷ୍ଟେଲା ମାଏ । ବାସ୍ତବରେ ତାଙ୍କ ବାପାଙ୍କର ସାଙ୍ଗିଆ ପୋଲକ ପୋଲକ ନ ଥିଲା। ସେ ଏହାକୁ ତାଙ୍କର ଜଣେ ପଡୋଶୀଙ୍କଠାରୁ ହାସଲ କରିଥିଲେ । ତଥ୍ୟ ଅନୁଯାୟୀ, ଲୀ’ ରୟ ଜନ୍ମ ହେବା ପରେ ପରେ ତାଙ୍କ ବାପା ମାଆଙ୍କୁ ହରାଇ ଜଣେ ପଡୋଶୀଙ୍କଦ୍ୱାରା ପ୍ରତିପାଳିତ ହୋଇଥିଲେ । ସେ ପଡୋଶୀଙ୍କ ସାଙ୍ଗିଆ ଥିଲା ପୋଲକ । ସେଥି ଲାଗି ସେ ବଡ଼ ହୋଇ ପୋଲକ ଭାବରେ ପରିଚିତ ହୋଇଥିଲେ । ଜେକସନ ପୋଲୋକଙ୍କ ବାପା ଲୀ’ ରୟ ପୋଲକ ଥିଲେ ଜଣେ ଚାଷୀ । ପରେ ପରେ ସେ ସ୍ଥାନୀୟ ସରକାରଙ୍କ ଜମିନ୍ ସର୍ବେକ୍ଷଣ ବିଭାଗରେ ଚାକିରୀ ପାଇଥିଲେ। ଜ୍ୟାକସନଙ୍କ ପିଲାଦିନ ବିଭିନ୍ନ ସ୍ଥାନରେ କଟିଥିଲା। କାରଣ ସରକାରୀ ଚାକିରି ପାଇବା ପରେ ତାଙ୍କ ବାପାଙ୍କ ବିଭିନ୍ନ ଜାଗାକୁ ବଦଳି ହେଉଥିଲା। ସେଥିପାଇଁ ଆରିଜୋନା, ଚିକାଗୋ, କାଲିଫର୍ଣ୍ଣିଆ ଆଦି ସ୍ଥାନରେ ବେଶ ଅବ୍ୟବସ୍ଥିତ ଭାବରେ ତାଙ୍କର ପାଠପଢା଼ ଆରମ୍ଭ ହୋଇଥିଲା। ଲସ ଏଞ୍ଜେଲେସରେ ଥିବା ବେଳେ ସେ ସେଠାକାର ଏକ ଆର୍ଟ ହାଇସ୍କୁଲରେ ନାମ ଲେଖାଇଥିଲେ। ମାତ୍ର ଖୁବ କମଦିନ ମଧ୍ୟରେ ତାଙ୍କ ବାପାଙ୍କର ସେଠାରେ ବଦଳି ହେବାରୁ ତାଙ୍କୁ ସେହି ସ୍କୁଲ ଛାଡିବାକୁ ପଡିଥିଲା। ତାଙ୍କ ବାପାଙ୍କ ଜମି ସର୍ବେକ୍ଷଣ ବିଭାଗରେ ଚାକିରି ଥିବାରୁ ଅନେକ ସମୟରେ ତାଙ୍କର ନିଯୁକ୍ତି ମଫସଲ ତଥା ତଳିଆ ଅଞ୍ଚଳରେ ହେଉଥିଲା। ସେ ନିଜ ପରିବାରକୁ ସାଥିରେ ନେଇ ବୁଲୁଥିଲେ। ସେଥିପାଇଁ ପିଲାଟି ଦିନରୁ ଜ୍ୟାକସନ ଆମେରିକାର ବିବିଧ ଗ୍ରାମ୍ୟ ସଂସ୍କୃତି ସହିତ ପରିଚିତ ହୋଇଥିଲେ।

ବିବାହ[ସମ୍ପାଦନା]

୧୯୪୫ ମସିହାରେ ଜ୍ୟାକ୍‌ସନ ପୋଲୋକଙ୍କର ସାକ୍ଷାତ ହୋଇଥିଲା ଲୀ’ କ୍ରାସନର ନାମକ ଜୈନିକା ଯୁବତୀଙ୍କ ସହିତ । ସେତେବେଳେ ଆମେରିକାର ମହିଳା ପେଣ୍ଟରଙ୍କ ମଧ୍ୟରେ ଲୀ’ କ୍ରାସନରଙ୍କ ବେଶ ସୁନାମ ଥିଲା। ସେଥିପାଇଁ ପ୍ରଥମ ସାକ୍ଷାତ ହିଁ ପ୍ରେମରେ ପରିବର୍ତ୍ତିତ ହେଲା। ସେମାନେ ସେହି ବର୍ଷ ଅର୍ଥାତ ୧୯୪୫ ମସିହା ଅକ୍ଟୋବର ମାସରେ ବିବାହ କରିଥିଲେ। ବିବାହ ପରେ ପରେ ସେମାନେ ନ୍ୟୁୟର୍କ ଚାଲିଆସି ନିଜର ଏକ ଷ୍ଟୁଡିଓ ସ୍ଥାପନ କଲେ । ଏବେ ସେହି ଷ୍ଟୁଡିଓକୁ ପୋଲୋକ-କ୍ରାସନର ହାଉସ ବୋଲି କୁହାଯାଉଛି।

ଏକ୍ସପେରିମେଣ୍ଟ[ସମ୍ପାଦନା]

ନ୍ୟୁୟର୍କରେ ସ୍ତ୍ରୀଙ୍କ ସହିତ ରହିବା ସମୟରେ ପେଣ୍ଟିଂକୁ ନେଇ ଏକ୍ସପେରିମେଣ୍ଟ ଆରମ୍ଭ ହେଲା ଜ୍ୟାକ୍‌ସନଙ୍କର । ଏ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ ତାଙ୍କ ସହିତ ଥିଲେ ଅତାଙ୍କ ଚିତ୍ରକର ସ୍ତ୍ରୀ ଲୀ’ କ୍ରାସନର। ଆଉ ଛୋଟ କାନଭାସ୍ରେ ଚିତ୍ର ନ ଆଙ୍କି ସେ ବୃହତ କାନଭାସ ପ୍ରତି ମନ ବଳାଇଲେ। ସେଥି ପାଇଁ ଘରର ଚଟାଣ ପାଲଟି ଗଲା କାନଭାସ୍ । ସେଠାରେ ଆରମ୍ଭ କଲେ ଡ୍ରିପ ପେଣ୍ଟିଂ । ସେ ପାରମ୍ପାରିକ ଶୈଳୀକୁ ଛାଡି ଚିତ୍ର ଆଙ୍କିବା ପାଇଁ ବ୍ୟବହାର କଲେ ସିରିଞ୍ଜ, ବାଡି଼ ଭଳି କିଛି ଆବସର୍ଡ଼ ସରଞ୍ଜାମ । ସେହି ଭଳି ପାଓରିଂ ଟେକନିକ୍ ବା ରଙ୍ଗଢାଳି ଚିତ୍ର କରିବା ପଦ୍ଧତିକୁ ସେ ବେଶ ସଫଳତାର ସହିତ ପ୍ରୟୋଗ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ । ସେଥିଲାଗି ଜେକସନଙ୍କ ନିକଟରୁ ଦିନକୁ ଦିନ ନୂଆନୂଆ ପେଣ୍ଟିଂ ଦେଖିବାକୁ ମିଳିଲା । ସେ ଖୁବ କମ ଦିନ ମଧ୍ୟରେ ସେ ପହଞ୍ଚି ଗଲେ ଚର୍ଚ୍ଚାର ଶିଖର ପ୍ରଦେଶରେ । ଜଣ ଆର୍ଟ-କ୍ରିଟିକ ତାଙ୍କ ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ ଯେ, ଜେକସନଙ୍କ ହାତରେ ତମେ ଯେ କୈଣସି ଜିନିଷ ଧରେଇ ଦିଅ ସେ ତାହାକୁ ବ୍ୟବହାର କରି ଏକ ସୁନ୍ଦର ଚିତ୍ର ତିଆରି କରି ଦେଇ ପାରିବେ । ବୋଧେ ସେଥିପାଇଁ ଜେକସନଙ୍କୁ ଯଥାର୍ଥରେ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଣ୍ଟ ମୁଭମେଣ୍ଟର ରୂପକାର ବୋଲି କୁହାଯାଏ ।

ଶେଷ ଜୀବନ[ସମ୍ପାଦନା]

ଜ୍ୟାକ୍‌ସନ ପୋଲୋକ ଶେଷ ଜୀବନରେ ଖୁବ ସକ୍ରିୟ ଥିଲେ । ବାସ୍ତବରେ ତାହାକୁ ତାଙ୍କର ଶେଷ ସମୟ ବୋଲି କହିବା ସେତେବେଶୀ ସମୀଚୀନ ମନେ ହୋଇନ ପାରେ । କାରଣ ସେ ଅସ୍ୱାଭାବିକ ଭାବରେ ମାତ୍ର ୪୪ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ଶେଷ ଜୀବନରେ ସେ ସୃଷ୍ଟି କରିଥିବା ଆବଷ୍ଟ୍ରାକ୍ଟ ପେଣ୍ଟିଂ ସବୁ ଆଜି ତାଙ୍କ ଅସାଧାରଣ ଦକ୍ଷତାର ପରିଚୟ ପ୍ରଦାନ କରେ । ବ୍ୟକ୍ତିଗତ ଜୀବନରେ ଜେକସନ ଖୁବ ଆଲକୋହଲିକ୍ ଥିଲେ। ସେଥିପାଇଁ ଅନେକ ସମୟରେ ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ନଥିଲା। ୧୯୫୬ ମସିହା ଅଗଷ୍ଟ ୧୧ ତାରିଖରେ ରାତି ପ୍ରାୟ ୧୦ଟା ବେଳେ ସେ ନିଜ କାର ଚଳାଇ ଆସୁଥିବା ସମୟରେ ତାଙ୍କର ଦୁର୍ଘଟଣା ହେଲା ଓ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। [୫]

ଆଧାର[ସମ୍ପାଦନା]

  1. Karmel, Pepe (1999). Jackson Pollock: Interviews, Articles, and Reviews. In Conjunction with the Exhibition "Jackson Pollock" ... The Museum of Modern Art, New York, November 1, 1998 to February 2, 1999. The Museum of Modern Art. pp. 151–. ISBN 978-0-87070-037-8. Retrieved 4 May 2013.
  2. Johnson, Caitlin A. (January 18, 2007). "Picasso's Influence On American Artists". CBS Sunday Morning.
  3. Emmerling, Leonard (2003). Jackson Pollock, 1912-1956. Taschen. pp. 48–. ISBN 978-3-8228-2132-9. Retrieved 4 May 2013.
  4. Naifeh, Steven W.; Smith, Gregory White (24 December 1989). Jackson Pollock: an American saga. C.N. Potter. ISBN 978-0-517-56084-6. Retrieved 4 May 2013.
  5. Varnedoe, Kirk and Karmel, Pepe, Jackson Pollock: Essays, Chronology, and Bibliography, Exhibition catalog, New York: The Museum of Modern Art, Chronology, p.328, 1998, ISBN 0-87070-069-3

ବାହାର ତଥ୍ୟ[ସମ୍ପାଦନା]

, Number 1A, 1948

Museums[ସମ୍ପାଦନା]