ଚୌଧୁରୀ ରହମତ ଅଲି
ଚୌଧୁରୀ ରହମତ ଅଲି | |
---|---|
چودھری رحمت علی | |
ଜନ୍ମ | |
ମୃତ୍ୟୁ | ୩ ଫେବୃଆରୀ ୧୯୫୧ | (ବୟସ ୫୩)
ଜାତୀୟତା | Pakistani |
Academic work | |
Notable works | "ପାକିସ୍ତାନ ଘୋଷଣାନାମା" |
Notable ideas | Conception of "Pakistan" |
ଚୌଧୁରୀ ରହମତ ଅଲି (୧୬ ନଭେମ୍ବର ୧୮୯୭- ୩ ଫେବୃଆରୀ ୧୯୫୧) ଜଣେ ପାକିସ୍ତାନୀ ଜାତୀୟତାବାଦୀ ନେତା ଯିଏ ପାକିସ୍ତାନ ସୃଷ୍ଟିର ପ୍ରାରମ୍ଭିକ ସମର୍ଥକମାନଙ୍କ ମଧ୍ୟରୁ ଅନ୍ୟତମ । ଦକ୍ଷିଣ ଏସିଆରେ ଏକ ଅଲଗା ମୁସଲମାନ ଦେଶ ସେ ଚେଷ୍ଟିତ ଥିଲେ ଏବଂ ପାକିସ୍ତାନ ଆନ୍ଦୋଳନର ପ୍ରତିଷ୍ଠାତା ଭାବରେ ସେ ପରିଚିତ । ଭାରତ ବିଭାଜନ ପରେ ନୂତନ ମୁସଲିମ ଦେଶର ପାକିସ୍ତାନ ନାମର ସେ ଜନକ ।[୧]
୧୯୩୩ ମସିହାରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ଜଣେ ଆଇନ ଛାତ୍ର ଥିବା ବେଳେ ସେ ପାକିସ୍ତାନ ଆନ୍ଦୋଳନର ଜନକ ଭାବେ ଏକ କ୍ଷୁଦ୍ର ଲେଖା ବାଣ୍ଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଲେଖର ଶୀର୍ଷକ ଥିଲା "Now or Never; Are We to Live or Perish Forever?" ("ବର୍ତ୍ତମାନ ନୁହେଁ ତ କେବେ ବି ନୁହେଁ; ଆମେ ଚିରଦିନ ପାଇଁ ବଞ୍ଚିବା ନା ବିନଷ୍ଟ ହେବା?" ) । ଏହି ଲେଖା ସେତେବେଳେ "ପାକିସ୍ତାନ ଘୋଷଣାନାମା" ଭାବରେ ମଧ୍ୟ ଜଣାଶୁଣା । ଲଣ୍ଡନରେ ଚାଲିଥିବା ତୃତୀୟ ଗୋଲ ଟେବୁଲ୍ ସମ୍ମିଳନୀରେ ଯୋଗ ଦେଇଥିବା ବ୍ରିଟିଶ ଏବଂ ଭାରତୀୟ ପ୍ରତିନିଧୀଙ୍କୁ ଏହି ପୁସ୍ତକଟିରେ ସମ୍ବୋଧିତ କରାଯାଇଥିଲା । ପ୍ରାୟ ଏକ ଦଶନ୍ଧି ଧରି ଏହି ପ୍ରଚେଷ୍ଟା କୌଣସି ପ୍ରତିନିଧୀ କିମ୍ବା କୌଶସି ତତକାଳୀନ ରାଜନେତାଙ୍କ ସମର୍ଥନ ପାଇଲା ନାହିଁ | ତାଙ୍କର ଏହି ଧାରଣା ଏକ ଶିଶୁସୁଲଭ ଛାତ୍ର ଧାରଣା ଭାବରେ ଖାରଜ ହୋଇଗଲା କିନ୍ତୁ ୧୯୪୦ ସୁଦ୍ଧା ଉପମହାଦେଶରେ ମୁସଲିମ ରାଜନେତା ତାଙ୍କ ଧାରଣାକୁ ସମର୍ଥନ କରିବା ଆରମ୍ଭ କଲେ ଯାହା ଫଳରେ ଅଲ ଇଣ୍ଡିଆ ମୁସଲିମ ଲିଗର ଲାହୋର ଅଧିବେଶନରେ ଏହି ଧାରଣାକୁ ଗଣମାଧ୍ୟମରେ ଆଗରେ "ପାକିସ୍ତାନ ରିଜୋଲ୍ୟୁସନ" ଭାବେ ଅଭିହିତ କରାଗଲା ।
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ରହମତ ଅଲି ୧୬ ନଭେମ୍ବର ୧୮୯୭ରେ ବ୍ରିଟିଶ ଭାରତର ପଞ୍ଜାବର ହୋଶିଆରପୁର ଜିଲ୍ଲାର ବାଲାଚୁର ସହରରଏକ ପଞ୍ଜାବୀ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୧୮ ମସିହାରେ ଲାହୋରସ୍ଥିତ ଇସଲାମିଆ କଲେଜରୁ ସ୍ନାତକ ହାସଲ କରିବା ପରେ ସେ ଆଇଚିସନ କଲେଜ ଲାହୋରରେ ଶିକ୍ଷାଦାନ କରିଥିଲେ ଏବଂ ଏହା ପରେ ସେ ସାର୍ ନବାବ ମୁରାଦ ବୁକସ ଖାନ ମଜାରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ସେ ସାର୍ ନବାବ ମୁରାଦ ବୁକସ ଖାନ ମଜାରୀଙ୍କ ପିଲାମାନଙ୍କ ଗୃହ ଶିକ୍ଷକ ଭୂମିକା ଗ୍ରହଣ କରି ମିର ବାଲଖ ଶେର ମଜାରୀଙ୍କୁ ମଧ୍ୟ ଶିକ୍ଷାଅଦାନ କରିଥିଲେ ଯିଏ କି ପରେ ପରେ ପାକିସ୍ତାନର କେୟାରଟେକର ପ୍ରଧାନମନ୍ତ୍ରୀ ହୋଇଥିଲେ । ଆଇନ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଇ ସେ ଇମାନୁଏଲ୍ କଲେଜ, କେମ୍ବ୍ରିଜରେ ସେ ୧୯୩୧ ରେ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ୧୯୩୩ରେ ବିଏ ଡିଗ୍ରୀ ହାସଲ କରିଥିଲେ ଏବଂ ୧୯୪୦ ମସିହାରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଏମ.ଏ ଡିଗ୍ରୀ ହାସଲ କରିଥିଲେ ।
୧୯୪୬ ମସିହାରେ ସେ ଇଂଲଣ୍ଡରେ ପାକିସ୍ତାନ ଜାତୀୟ ଆନ୍ଦୋଳନ ଆରମ୍ଭ କରିଥିଲେ ।[୨] ୧୯୪୭ ପର୍ଯ୍ୟନ୍ତ, ସେ ଦକ୍ଷିଣ ଏସିଆ ପାଇଁ ତାଙ୍କର ଦର୍ଶନ ବିଷୟରେ ବିଭିନ୍ନ ବୁକଲେଟ୍ ପ୍ରକାଶନ ଜାରି ରଖିଥିଲେ | ବହୁ ହତ୍ୟା ଏବଂ ବହୁ ସ୍ଥାନାନ୍ତରଣ କାରଣରୁ ଭାରତର ଅନ୍ତିମ ବିଭାଜନ ତାଙ୍କୁ ନିରାଶ କରିଥିଲା ।| ସେ ମଧ୍ୟ ଦୁଇ ଦେଶ ମଧ୍ୟରେ ଅଞ୍ଚଳ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିଲେ ଏବଂ ଏହାକୁ ବିଶୃଙ୍ଖଳାର ଏକ ପ୍ରମୁଖ କାରଣ ବୋଲି ବିବେଚନା କରିଥିଲେ । ବିଭାଜନ ସମୟରେ ହୋଇଥିବା ହିଂସା ପାଇଁ ସେ ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣକୁ ଦାୟୀ କରିଛନ୍ତି ।
ପାକିସ୍ତାନ ଗଠନ ପରେ
[ସମ୍ପାଦନା]ରହମତ ଅଲି ପାକିସ୍ତାନର ସୃଷ୍ଟି ପାଇଁ ଜଣେ ଅଗ୍ରଣୀ ବ୍ୟକ୍ତି ଥିଲେ, ଯଦିଓ ସେ ତାଙ୍କ ଜୀବନର ଅଧିକାଂଶ ସମୟ ଇଂଲଣ୍ଡରେ ବିତାଇଥିଲେ । ୧୯୪୭ରେ ଭାରତ ବିଭାଜନ ଏବଂ ପାକିସ୍ତାନ ସୃଷ୍ଟି ପରେ ରହମତ ଅଲି ୬ ଏପ୍ରିଲ ୧୯୪୮ରେ ପାକିସ୍ତାନର ଲାହୋରକୁ ଫେରିଥିଲେ । ଲାହୋରରେ ପହଞ୍ଚିବା ପରେ ସେ ପାକିସ୍ତାନ ଗଠନ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ୧୯୩୩ ପୁସ୍ତକରେ ସେ କଳ୍ପନା କରିଥିବା ଏକ ବୃହତ୍ତର ପାକିସ୍ତାନ ବଦଳରେ ଏକ ଛୋଟ ପାକିସ୍ତାନକୁ ନେଇ ଅସନ୍ତୁଷ୍ଟ ଥିଲେ । ପାକିସ୍ତାନ ସୃଷ୍ଟି ହେବା ପରେ ରହମତ ଅଲି ଏପ୍ରିଲ ୧୯୪୮ରେ ଇଂଲଣ୍ଡରୁ ଫେରି ଦେଶରେ ରହିବାକୁ ଯୋଜନା କରିଥିଲେ, କିନ୍ତୁ ତାଙ୍କର ଜିନିଷପତ୍ର ଜବତ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ଲିଆକତ ଅଲି ଖାନ ତାଙ୍କୁ ଦେଶରୁ ବହିଷ୍କାର କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ଅକ୍ଟୋବର ୧୯୪୮ରେ ରହମତ ଅଲି ଇଂଲଣ୍ଡକୁ ଖାଲି ହାତରେ ଫେରିଥିଲେ ଏବଂ ୩ ଫେବୃଆରୀ ୧୯୫୧ରେ କେମ୍ବ୍ରିଜରେ ଏକାକୀ ମୃତ୍ୟୁବରଣ କରିଥିଲେ ।[୩] ଥେଲମା ଫ୍ରଷ୍ଟଙ୍କ ଅନୁଯାୟୀ, ମୃତ୍ୟୁ ବେଳକୁ ସେ "ଦରିଦ୍ର, ଅସହାୟ ଏବଂ ଏକୁଟିଆ ଥିଲେ । ତାଙ୍କୁ ୨୦ ଫେବୃଆରୀ ୧୯୫୧ରେ କେମ୍ବ୍ରିଜ ସହର ଶ୍ମଶାନରେ ସମାଧି ଦିଆଯାଇଥିଲା । ପାକିସ୍ତାନର ହାଇ କମିଶନରଙ୍କ ଦ୍ଵାରା ଅନ୍ତିମ ସଂସ୍କାର ଏବଂ ଅନ୍ୟାନ୍ୟ ଚିକିତ୍ସା ଖର୍ଚ୍ଚ ପ୍ରଦାନ କରାଯାଇଥିଲା ।[୪]
ଆଧାର
[ସମ୍ପାଦନା]- ↑ "Pakistan - Partition, Independence, Conflict | Britannica". www.britannica.com (in ଇଂରାଜୀ). 2024-11-15. Retrieved 2024-11-16.
- ↑ Paracha, Nadeem F. (2015-06-21). "Smokers' Corner: The map man". DAWN.COM (in ଇଂରାଜୀ). Retrieved 2024-11-16.
- ↑ "Death anniversary of Ch Rehmat Ali being observed". Dunya News (in ଇଂରାଜୀ). 2008-02-14. Retrieved 2024-11-16.
- ↑ Emmanuel College Cambridge Archives