ଚୋରି ପ୍ରବୃତ୍ତି
କ୍ଲେପ୍ଟୋମାନିଆ(kleptomania) ଏକପ୍ରକାର ମାନସିକ ରୋଗ, ଯେଉଁଥିରେ ଲୋକଟିକୁ ଚୋରି କରିବାକୁ ଅତ୍ୟଧିକ ଇଚ୍ଛାହୁଏ । ସେ ଏହି ଭାବନାକୁ ନିୟନ୍ତ୍ରଣ କରିପାରେ ନାହିଁ ଓ ଏପରି ଏକ ଜିନିଷ ଚୋରିକରେ, ଯାହା ହୁଏତ ତା ପାଇଁ ଅଦରକାରୀ ହୋଇଥାଏ କିମ୍ବା ତା’ର କୌଣସି ଆର୍ଥିକ ଲାଭ ହୁଏନାହିଁ । ଏହିସବୁ ଜିନିଷକୁ ସେ ଗୋପନୀୟ ଭାବେ ଫେରାଇ ଦିଏ, ବାଣ୍ଟି ଦିଏ କିମ୍ବା ଲୁଚାଇ ରଖେ । ଅଧିକାଂଶ ରୋଗୀମାନଙ୍କର ଏହିସବୁ ଜିନିଷ କିଣିବାକୁ ଅର୍ଥ ଥିଲେ ମଧ୍ୟ ଚୋରି କରନ୍ତି । ସେମାନଙ୍କର ମନ ଚୋରି କରିବା ପୂର୍ବରୁ ଅତ୍ୟଧିକ ଅସ୍ଥିର ରହେ । ମାତ୍ର ଏହି କାର୍ଯ୍ୟ ସରିବା ପରେ ଅସ୍ଥିରତା କମିଯାଏ । କେତେଜଣ ନିଜକୁ ଦୋଷୀ ଭାବନ୍ତି ଓ ମନ ଖରାପ କରନ୍ତି । ଅଧିକାଂଶ ରୋଗୀ ପୂର୍ବରୁ ଯୋଜନା ନ କରି ଚୋରି କରିଥାନ୍ତି ।
ପ୍ରଭାବ
[ସମ୍ପାଦନା]ଏହା ପ୍ରାୟ କିଶୋର ବୟସରେ ଆରମ୍ଭ ହୋଇଥାଏ । ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଲୋକମାନଙ୍କଠାରେ ଏହି ରୋଗ ପ୍ରାୟ ତିନିଗୁଣ ଅଧିକ ଦେଖାଯାଏ । ଏହି ରୋଗଟି ପ୍ରାୟ ଶତକଡ଼ା ୦.୬ ଭାଗ ସାଧାରଣ ଲୋକମାନଙ୍କଠାରେ ଦେଖାଦେଇଥାଏ । ଦୋକାନରେ ଚୋରିକରି ଧରାପଡୁଥିବା ଲୋକଙ୍କଠାରେ ପ୍ରାୟ ୩.୫ରୁ ୨୪ ପ୍ରତିଶତ ଲୋକଙ୍କଠାରେ ଦେଖାଯାଏ ।
କାରଣ
[ସମ୍ପାଦନା]ଶୈଶବ ଅବସ୍ଥାରେ ଅତ୍ୟଧିକ ମାନସିକ ଚାପ ଏହି ରୋଗ ହେବାର ମୁଖ୍ୟ କାରଣ । ନିଜର କୌଣସି ବସ୍ତୁ ହଜିଗଲେ ବା ଆତ୍ମୀୟମାନେ ନିଜଠାରୁ ଦୂରେଇଗଲେ, ସେମାନେ ସହଜରେ ଭୁଲିପାରନ୍ତି ନାହିଁ ଓ ଏହି କ୍ଷତି ପୂରଣ କରିବା ପାଇଁ ଚୋରି କରନ୍ତି । ପିଲାଟିଏ ଯଦି ନିଜକୁ ଅଦରକାରୀ ତଥା ଅବହେଳିତ ମନେକରେ, ସେ ଚୋରି କରିବା ଆରମ୍ଭ କରେ । ଏଥିପାଇଁ ସେ ଯଦି କୌଣସି ଦଣ୍ଡ ବା ଶାସ୍ତି ପାଏ ନାହିଁ, ତା’ର ଏହି ବ୍ୟବହାର ବଢ଼ିଯାଏ । ମସ୍ତିଷ୍କରେ ଥିବା ସ୍ନାୟୁରସ ସେରୋଟୋନିନ୍(Serotonin)ର ବିଶୃଙ୍ଖଳା ଯୋଗୁଁ ଏହି ରୋଗ ହୋଇପାରେ । ଏହା ବଂଶଗତ ମଧ୍ୟ ହୋଇପାରେ ।
ଲକ୍ଷଣ
[ସମ୍ପାଦନା]ଏହି ରୋଗୀମାନଙ୍କର ଚୋରି କରିବାକୁ ଭାବନା ମନ ଭିତରକୁ ବାରମ୍ବାର ଆସେ । ଏହାକୁ ସେମାନେ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ ଅଦରକାରୀ ଜିନିଷ ଚୋରି କରନ୍ତି । ଏପରି କାର୍ଯ୍ୟ କରିଥିବାରୁ କେତେଜଣଙ୍କୁ ଭୟ ଓ ଦୁଃଖ ଲାଗେ । ନିଜକୁ ଦୋଷୀ ଭାବନ୍ତି ଓ ଲଜ୍ଜିତ ମନେକରନ୍ତି । ଆତ୍ମୀୟମାନଙ୍କ ସହିତ ଠିକ୍ଭାବେ ସମ୍ପର୍କ ରଖିପାରନ୍ତି ନାହିଁ । ନିଜର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଏ । ଅଧିକାଂଶ ରୋଗୀ ଦୋକାନରୁ ଚୋରି କରନ୍ତି, ମାତ୍ର କେତେକ ନିଜର ବନ୍ଧୁ ତଥା ପରିବାରରେ ମଧ୍ୟ ଚୋରି କରିବାକୁ ପଛାନ୍ତି ନାହିଁ । ଅନ୍ୟାନ୍ୟ ମାନସିକ ରୋଗ ଯେପରିକି ନିଶାସେବନ, ଶୂଚିବାଈରୋଗ ଓ ମାନସିକ ବିଷାଦ ସହିତ ଏହି ରୋଗ ଦେଖାଯିବାର ସମ୍ଭାବନା ଅଧିକ ।
ଚିକିତ୍ସା
[ସମ୍ପାଦନା]ଯଦି ଜଣଙ୍କୁ ଏହି ରୋଗ ହୋଇଥାଏ, ସେ ଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ । ମନସ୍ତାତ୍ତ୍ୱିକ ଚିକିତ୍ସା(Psychotherapy) ଓ ବ୍ୟାବହାରିକ ଚିକିତ୍ସା(Behaviour therapy) ଏହି ରୋଗରୁ ଉପଶମ ପାଇବାରେ ସାହାଯ୍ୟ କରେ । ଯେଉଁମାନେ ନିଜକୁ ଲଜ୍ଜିତ ଓ ଦୋଷୀ ମନେ କରନ୍ତି, ଏହି ଚିକିତ୍ସା ସେମାନଙ୍କ ପାଇଁ ଅଧିକ ଉପଯୋଗୀ । ସେମାନେ ନିଜର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପ୍ରେରିତ ହୁଅନ୍ତି । ମନର ଭାବନାକୁ ନିୟନ୍ତ୍ରଣ କରିବା ପାଇଁ ଔଷଧର ସାହାଯ୍ୟ ମଧ୍ୟ ନିଆଯାଏ । ଏହାକୁ ରୋଗ ବୋଲି ଭାବି ମାନସିକରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଚିକିତ୍ସା କଲେ, ରୋଗରୁ ଉପଶମ ମିଳିଥାଏ । [୧]
- ↑ ମନରେ ଅଛି କଅଣ ?, ଡାକ୍ତର ସମ୍ରାଟ କର, ପୃଷ୍ଠା-୭୦-୭୩