ଚାଙ୍ଗଡ଼ା ଯାତ୍ରା

ଉଇକିପିଡ଼ିଆ‌ରୁ

ବସନ୍ତର ବିଦାୟ ଓ ଗ୍ରୀଷ୍ମର ଆରମ୍ଭ ସମୟରେ ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ପଡ଼େ ଚାଙ୍ଗଡ଼ା ଯାତ୍ରାରତ୍ନଗିରିସ୍ଥିତ ବୌଦ୍ଧପୀଠଠାରେ ଅନୁଷ୍ଠିତ ଏହି ଯାତ୍ରା ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥାଏ । ବହୁ ଘାତ ପ୍ରତିଘାତ ସତ୍ତ୍ୱେ ପୁରୁଷ ପୁରୁଷ ଧରି ପ୍ରତିବର୍ଷ ଏହି ଚାଙ୍ଗଡ଼ା ଯାତ୍ରା ପାଳିତ ହୋଇଆସୁଛି । ବିଶ୍ୱପ୍ରସିଦ୍ଧ ବୌଦ୍ଧପୀଠ ବୌଦ୍ଧକୀର୍ତ୍ତି ବିମଣ୍ଡିତ ରତ୍ନଗିରି ରତ୍ନଗର୍ଭା ଓଡ଼ିଶାର ଯାଜପୁର ଜିଲ୍ଲାର ବରୀ ବ୍ଳକରେ ଏକ ଛୋଟିଆ ଗ୍ରାମରେ ଅବସ୍ଥିତ । ପ୍ରାଚୀନ କାଳରେ ବୌଦ୍ଧଧର୍ମ, ପ୍ରଚାର ଓ ପ୍ରସାର କେନ୍ଦ୍ର ଭାବେ ରତ୍ନଗିରି ପ୍ରସିଦ୍ଧ ଥିଲା ବୋଲି ଐତିହାସିକମାନେ ମତବ୍ୟକ୍ତ କରନ୍ତି । ବହୁ ଆବହମାନ କାଳରୁ ବୌଦ୍ଧ ଧର୍ମର ପତନ ପରେ ପରେ ଏହି ଗ୍ରାମର ଶିଖରରେ ଏକ ମହାକାଳ ମନ୍ଦିର ନିର୍ମାଣ କରାଯାଇଥିଲା । ରତ୍ନଗିରି ଓ ତା’ର ଚାରିପାର୍ଶ୍ୱରେ ଥିବା ଗ୍ରାମ ବାରଙ୍ଗା ଛବିଶ ମୌଜର ଲୋକମାନଙ୍କଦ୍ୱାରା ଏହି ମନ୍ଦିର ସ୍ଥାପନ କରାଯାଇଛି । ପ୍ରତିବର୍ଷ ମହାବିଷୁବ ପଣାସଂକ୍ରାନ୍ତି ଦିନ ଏଠାରେ ଚାଙ୍ଗଡ଼ା ଯାତ୍ରା ପାଞ୍ଚଦିନ ଧରି ମହାସମାରୋହରେ ପାଳନ କରାଯାଏ । ରତ୍ନଗିରିଠାରୁ କିଛି ଦୂରରେ ଅବସ୍ଥିତ ଅମଠପୁର ଗ୍ରାମର ଦଳେଇ ସମ୍ପ୍ରଦାୟର ଲୋକମାନେ ବିଷୁବ ସଂକ୍ରାନ୍ତିର ସାତଦିନ ପୂର୍ବରୁ ଏହି ମନ୍ଦିରକୁ ବଡ଼ପଣ୍ଡାଙ୍କ ପାଖରୁ ଠାକୁରଙ୍କ ଆଜ୍ଞାମାଳ ଓ ଦଣ୍ଡ ବା ଘଣ୍ଟ ( କାଠରେ ନିର୍ମିତ କଳସ ) ନେଇ ଚାଙ୍ଗଡ଼ା ଗଣ୍ଡରେ ବୁଡ଼ପକାଇ ଏହି ଦଣ୍ଡକୁ ଧରି ବାରଙ୍ଗା ଛବିଶ ମଉଜା ପରିଭ୍ରମଣ କରନ୍ତି । ପ୍ରତିଦିନ ଏହି ଦଳେଇ ସମ୍ପ୍ରଦାୟର ଲୋକମାନେ ତାଙ୍କର ମୁଖିଆ ଦୁର୍ଯୋଧନ ଦଳେଇଙ୍କ ସହ ଆସି ମହାକାଳଙ୍କ ବଡ଼ପଣ୍ଡା ନରେନ୍ଦ୍ର ପଣ୍ଡାଙ୍କ ଘରୁ ହବିଷାନ୍ନ ଖାଇ ଗ୍ରାମ ପରିଭ୍ରମଣରେ ବାହାରିଯାନ୍ତି । ମାସନ୍ତ ଦିନ ଦଳେଇମାନଙ୍କଦ୍ୱାରା ପାଞ୍ଚ ଘଟ ବା ପାଞ୍ଚ କଳସ ବୁଡ଼ା ହୋଇଥାଏ । ସେହି ସମୟରେ ଆମ୍ବତୋଟା ନିକଟରେ ଏହି ପାଞ୍ଚ କଳସଧାରୀଙ୍କୁ କାଳିସୀ ଲାଗେ ଓ ସେମାନେ ଝୁଣା, ଧୂପ ଦେଇ ନାଚି ନାଚି ଚେତାଶୂନ୍ୟ ହୋଇପଡ଼ନ୍ତି । ପରେ ବଡ଼ପଣ୍ଡାଙ୍କଦ୍ୱାରା ଠାକୁରଙ୍କ ପାଦୁକା ପାଣି ଛଟାଯାଇ ସେମାନଙ୍କ ଚେତା ଫେରାଯାଏ । ଏହାକୁ ପାଣିତୋଳା କହିଥାନ୍ତି । ବସନ୍ତ ବଗିଚା ପାଖରେ ଥିବା ଆମ୍ବତୋଟାରେ ଏହି କାଳିସୀ ନାଟ ଅନୁଷ୍ଠିତ ହୁଏ । ବିଷୁବ ସଂକ୍ରାନ୍ତି ଦିନ ଘଣ୍ଟା ଧରି ପୂଜକ ରତ୍ନଗିରି ଗ୍ରାମର ଘର ଘର ବୁଲି ଘଣ୍ଟାର ପାଣିକୁ ଗୃହକର୍ତ୍ତାଙ୍କ ଉପରେ ପକାନ୍ତି ଓ ସିନ୍ଦୂର ଗୃହକର୍ତ୍ତାଙ୍କୁ ଦେଇଥାନ୍ତି । ପୀଠର ତଳେ ଗୃହକର୍ତ୍ତା ଓ କର୍ତ୍ତୀମାନେ କଖାରୁ, ଖଡ଼ା, ଜହ୍ନି, ଛଞ୍ଚିନ୍ଦ୍ରା ପ୍ରଭୃତିର ମଞ୍ଜି ଆଦି ରଖି ପୂଜା କରିଥାନ୍ତି । ସଂକ୍ରାନ୍ତି ଦିନ ଚାଙ୍ଗଡ଼ାରେ ପୂଜାସାମଗ୍ରୀ ନେଇ ପୂଜା କରି ନଦୀରେ ବୁଡ଼େଇ ଦିଆଯାଏ । ଚାଙ୍ଗଡ଼ା କହିଲେ ଏକ ବାଉଁଶ ପାତିଆରେ ତିଆରି ହୋଇଥିବା ଏକ ଚାଙ୍ଗୁଡ଼ି । ଏଥିରେ ଆମ୍ବ ଓ ବେତବାଡ଼ି ପୂଜା ପାଇଥାଆନ୍ତି । ଚାଙ୍ଗଡ଼ା ଯାତ୍ରା ରାତିରେ ଆରମ୍ଭ ହୁଏ । ଚାଙ୍ଗଡ଼ା ଯାତ୍ରାର ଏକ ମାହାତ୍ମ୍ୟ ରହିଛି ଯଦି କୌଣସି ନିଃସନ୍ତାନ ଦମ୍ପତ୍ତି ନିଷ୍ଠାର ସହିତ ବିଷୁବ ସଂକ୍ରାନ୍ତି ଦିନ ଉପବାସ ରହି ମହାକାଳଙ୍କୁ ସ୍ନାନ ଓ ପୂଜା ହୋମ କରାଇ ସେଠାରେ ନୀତିନିୟମ ପାଳନ କଲେ ସନ୍ତାନ ଲାଭ କରିଥାଆନ୍ତି । ଚାଙ୍ଗଡ଼ା ବାହାରିବା ସମୟରେ ପୁରୋଧା ନିଃସନ୍ତାନ ଦମ୍ପତ୍ତିଙ୍କୁ ବେତ ମାଡ଼ ଦେବା ସହ ଏକ ପୂଜା ଆମ୍ବ ଦେଇଥାନ୍ତି । ସେହି ପୂଜାଆମ୍ବ ଖାଇଲେ ବନ୍ଧ୍ୟାନାରୀ ଗର୍ଭବତୀ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସମ୍ପ୍ରତି କେବଳ ରତ୍ନଗିରି ଗ୍ରାମର ଗ୍ରାମବାସୀ ସକ୍ରିୟ ସହଯୋଗରେ ଏହି ଚାଙ୍ଗଡ଼ା ଯାତ୍ରା ଅନୁଷ୍ଠିତ ହେଉଛି । ଶିରିପବଳା କାର୍ଯ୍ୟ ସମାପନ ପରେ ଚାଙ୍ଗୁଡ଼ାରେ ଥିବା ଆମ୍ବ ଓ ଆଜ୍ଞାମାଳ ଫୁଲକୁ ବଡ଼ପଣ୍ଡା ମହାକାଳଙ୍କ ଚାରିପଟେ ଶଙ୍ଖ, ହୁଳହୁଳି, ହରିବୋଲ ଓ ଘଣ୍ଟ ବେଦଧ୍ୱନିରେ ବୁଲାଇଥାନ୍ତି ଓ ଚାଙ୍ଗୁଡ଼ାକୁ ଧରି ଗଣ୍ଡକୁ ବୁଡ଼ିବାକୁ ଯାଆନ୍ତି । ଶୁଣିବାକୁ ମିଳେ ଏହି ଗଣ୍ଡରେ କୁମ୍ଭୀର ଥାଏ । ପରେ ଅପେକ୍ଷାରତ ଭକ୍ତ ଓ ସେବାକାର୍ଯ୍ୟରେ ସାହାଯ୍ୟ କରୁଥିବା ଜନସାଧାରଣଙ୍କୁ ପ୍ରସାଦ ଦିଆଯାଏ । କିନ୍ତୁ ଏବେ ଦେଖାଯାଇଛି କିଛି ଖଳ ପ୍ରକୃତିର ଲୋକ ଚାଙ୍ଗୁଡ଼ା ବୁଡ଼ିବାକୁ ଯିବାବେଳେ ଲୁଚିରହି ପ୍ରଚୁର ବେତ୍ରାଘାତ ଖାଇ ଆମ୍ବଗୁଡ଼ିକୁ ଲୁଚାଇ ଦେଇଥାନ୍ତି । ପୂର୍ବରୁ ଏହି ଅଞ୍ଚଳରେ ଜମିଦାରମାନଙ୍କ ମଧ୍ୟରେ ରତ୍ନଗିରିର ଜମିଦାର ତଥା ମଙ୍ଗରାଜମାନଙ୍କ ନେତୃତ୍ୱରେ ଏହି ଉତ୍ସବ ବା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ତାହା ଆଗ ଭଳି ହେଉନାହିଁ । ଲୋକମାନଙ୍କ ସହଯୋଗର ଅଭାବ ଦେଖାଦେଉଛି । କେବଳ ଉକ୍ତଗ୍ରାମର ଜମିଦାର ବଂଶ ଓ ମଙ୍ଗରାଜଙ୍କର ସହଯୋଗ ଦେଖିବାକୁ ମିଳୁଛି । ଆଜିକୁ ୧୪\୧୫ବର୍ଷ ହେବ ପ୍ରାଚୀନ ମନ୍ଦିରକୁ ପ୍ରତ୍ନତତ୍ତ୍ୱ୍ ବିଭାଗ ଭାଙ୍ଗି ଦେଇଛି ଓ ଅନ୍ୟ ଏକ ସ୍ଥାନରେ ନିର୍ମାଣ କରୁଛି, ଯାହାର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସମାପ୍ତ ହୋଇପାରିନାହିଁ । ଏହି ଚାଙ୍ଗଡ଼ା ଯାତ୍ରା ସମୟରେ ବିଭିନ୍ନ ଆଡୁ ଆସୁଥିବା ହଜାର ହଜାର ଭକ୍ତ ଦର୍ଶନ କରିବା କଷ୍ଟକର ହୋଇପଡ଼ିଛି ବୋଲି ବଡ଼ପଣ୍ଡା ନରେନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । [୧]

ଆଧାର[ସମ୍ପାଦନା]

  1. ପ୍ରଭାତ କୁମାର ମହାନ୍ତି, ବରି, ସୂର୍ଯ୍ୟପ୍ରଭା, ପୃଷ୍ଠା- ଇ, ୧୮.୪.୨୦୧୩