Jump to content

ଚବିଶ ଗୁରୁ

ଉଇକିପିଡ଼ିଆ‌ରୁ

ଅବଧୂତ ବା ଦତ୍ତାତ୍ରେୟ ମୁନିଙ୍କର ଚବିଶ ଗୁରୁ ଓ ସେମାନଙ୍କଠାରୁ ମିଳୁଥିବା ଶିକ୍ଷା :

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ ଅଛି

ପୃଥିବୀ ପବନ ଅନଳ। ଉର୍ଦ୍ଧ୍ୱେ ଯେ ଆକାଶ ମଣ୍ଡଳ॥
ରବି ଶଶାଙ୍କ ଆପ ସିନ୍ଧୁ। ଭ୍ରମର ସର୍ବପୁଷ୍ପ ବନ୍ଧୁ॥
କପୋତ ପକ୍ଷୀ ଗୁରୁମୋର। ପତଙ୍ଗ ସର୍ପ ଅଜଗର॥
ମୀନ ପିଙ୍ଗଳା ବେଶ୍ୟା ନାରୀ। କୁରର କୁମର କୁମାରୀ॥
ହରିଣ ଉର୍ଣ୍ଣନାଭୀ କରୀ। ଶରକାରକ ମଧୁହାରୀ॥
ଆବର କୀଟ ପେଶସ୍କାରୀ। ମୁଁ ଏତେ ଗୁରୁ ସେବା କରି॥

ଗୁରୁ ଶିକ୍ଷା
ପୃଥିବୀ ସବୁପ୍ରକାରର ପ୍ରାଣୀ ପୃଥିବୀ ପୃଷ୍ଠରେ ଆତଯାତ ହୋଇଥାନ୍ତି। କିଏ ମାଟି ଉପରେ ନାଚେ, କିଏ ତାକୁ ଖୋଳେ, କିଏ ହଳ କରେ, କିଏ ନିଆଁ ଜଳାଏ, କିନ୍ତୁ ପୃଥିବୀ ସମସ୍ତଙ୍କୁ କ୍ଷମା କରି ସମସ୍ତଙ୍କ ମୁହଁରେ ଆହାର ଦେଇଥାଏ, କେବେ ବି କାହାପ୍ରତି ଆରୋପ କରେନା। ପୃଥିବୀଠାରୁ ଧୈର୍ଯ୍ୟ, କ୍ଷମା, ତ୍ୟାଗ ଏବଂ ପରୋପକାରର ଶିକ୍ଷାମିଳେ।

ଏଣୁ ମୁଁ ଦୁଃଖ ସୁଖ ସହି। ଏହା ଶିଖିଲି ଭୂମି ତହିଁ॥

ବାୟୁ ବାୟୁର କିଛି ନିଜସ୍ୱ ଗନ୍ଧ ନ ଥାଏ। ଏହା ସୁଗନ୍ଧ ଓ ଦୁର୍ଗନ୍ଧ ଦେଇ ଗତି କଲା ବେଳେ ସୁଗନ୍ଧିତ ବା ଦୁର୍ଗନ୍ଧିତ ପରି ପ୍ରତୀତ ହୋଇଥାଏ। କିନ୍ତୁ କିଛି ସମୟ ପରେ ପୁଣି ଏହା ନିଜର ବିଶୁଦ୍ଧ ସ୍ୱରୂପକୁ ପ୍ରକଟ କରିଥାଏ। ଠିକ୍ ସେହିପରି ସାଧକ ସଂସାରରେ ରହି ସଂସାରର ମାୟାମୋହ, ଆକର୍ଷଣ ଓ ଦୁଃଖ ଦୁର୍ଦ୍ଦଶାଠାରୁ ନିଜକୁ ମୁକ୍ତ କରି ନିଜର ବିମଳ ସ୍ୱରୂପରେ ରହିବା ଉଚିତ୍। ବାୟୁଠାରୁ ଅନାସକ୍ତି ଶିକ୍ଷାମିଳେ।

ଏଣୁ ପବନ ପ୍ରାୟ ହୋଇ। ସଙ୍ଗତେ ଥାଇ ନ ମିଶଇ॥

ଜଳ ଏହା ସମସ୍ତଙ୍କର ତୃଷା ନିବାରଣ କରେ କିନ୍ତୁ ନିଜର ମହାନତା ପାଇଁ ଟିକିଏ ବି ଗର୍ବ କରେନା। ଅପରପକ୍ଷେ ଏହା ବିନମ୍ର ଭାବରେ ତଳକୁ ଚାଲିଯିବାକୁ କୁଣ୍ଠାବୋଧ କରେନା। ସେହିପରି ସନ୍ଥ ଜନ ସମସ୍ତଙ୍କୁ ସ୍ୱାସ୍ଥ୍ୟ, ଶାନ୍ତି , ପବିତ୍ରତା ଓ ଆନନ୍ଦ ପ୍ରଦାନ କରିଥାନ୍ତି, କିନ୍ତୁ ସବୁବେଳେ ନମ୍ର ଓ ନିରହଂକାର ରହିଥାନ୍ତି।

ଜଳ ଯେସନେ ସୁନିର୍ମଳ। ସ୍ୱଭାବେ ସ୍ନିଗ୍ଧ ସୁମଧୁର॥

ଅଗ୍ନି ଅଗ୍ନି କେତେବେଳେ ଉର୍ଦ୍ଧ୍ୱମୁଖୀ ଶିଖା ପରି ହୋଇଥାଏ ତ କେତେବେଳେ ଧୂମ୍ରାବୃତ। ସେମିତି ପ୍ରତ୍ୟେକ ପ୍ରାଣୀ ଭିତରେ ଜୀବନର ଅଗ୍ନୀ ପ୍ରଛନ୍ନ ରହିଥାଏ। ଏହା ଭିତରକୁ ଯାହା କିଛି ବି ପକାଇଲେ ତାହା ଜଳି ପୋଡ଼ି ଭସ୍ମ ହୋଇଯାଏ, କିନ୍ତୁ ଅଗ୍ନି ନିଜେ ପୂର୍ବବତ୍ ଶୁଦ୍ଧ ଥାଏ। ଠିକ୍ ସେମିତି ସାଧୁ ସନ୍ଥମାନେ ସଂସାରର ପାପକୁ ନଷ୍ଟ କରିଥାନ୍ତି, କିଛି ବାଛ ବିଚାର କରି ନଥାନ୍ତି, ତା ସତ୍ତ୍ୱେ ବି ସେମାନେ ବିଶୁଦ୍ଧ ଓ ବିମଳ ଥାଆନ୍ତି। ଅଗ୍ନିର କିଛି ଆକର ନ ଥାଏ, ଜଳୁଥିବା ବସ୍ତୁର ଆକାର ସମ ଏହାର ଆକାର ହୋଇଥିବା ପରି ପରମ ଚୈତନ୍ୟର କୌଣସି ଆକାର ନ ଥାଏ, ଏହା ମଣିଷ, ପଶୁପକ୍ଷୀ, ଗଛଲତା ଓ ମୂର୍ତ୍ତୀ ଇତ୍ୟାଦି ଆକାରରେ ନିଜକୁ ପ୍ରକଟ କରିଥାଏ। ସଂସାରର ପ୍ରତ୍ୟେକ ବସ୍ତୁର ଆରମ୍ଭ ଓ ଅନ୍ତ ରହସ୍ୟାବୃତ୍ତ, ଆରମ୍ଭ ଓ ଅନ୍ତର ମଝି ସମୟ ଯାହା ଦେଖିହୁଏ। ଆରମ୍ଭ ଓ ଅନ୍ତ ହେଉଛି ମୂଳ ସ୍ୱଭାବ ଯାହାର କୌଣସି ଆକାର ନାହିଁ, ଯାହା ସର୍ବବ୍ୟାପ୍ତ, ଯାହା ନିତ୍ୟ ଓ ଅପ୍ରକାଶ୍ୟ। ଅଗ୍ନୀ ମଧ୍ୟ ସେହିପରି। ଏହା ଯେ କୌଣସି ବସ୍ତୁକୁ ସେଇ ସମାନ ଅଙ୍ଗାରରେ ପରିଣତ କରିଦିଏ। ଆତ୍ମଜ୍ଞାନୀ ସଂସାରର ସମସ୍ତ ପ୍ରକଟ ବସ୍ତୁକୁ ମାୟା ବୋଲି ଜାଣିଥାଏ ଓ ତାର ମୂଳ ସ୍ୱରୂପକୁ ଅନୁଭବ କରିଥାଏ। ଅଗ୍ନୀଠାରୁ ତେଜସ୍ୱୀତା ଗୁଣର ଶିକ୍ଷା ମଧ୍ୟ ମିଳିଥାଏ।
ଆକାଶ ଆତ୍ମା ଆକାଶ ସଦୃଶ ସର୍ବବ୍ୟାପି। ଏହା ମଣିଷର ମୂଳ ସ୍ୱରୂପ ଯାହା ସର୍ବବ୍ୟାପି ତାହାର ସୂଚନା ଦେଇଥାଏ। ଧୂଳି ଧୂସରିତ ବାତାବରଣ କିଛି ସମୟପରେ ଶାନ୍ତ ହୋଇଗଲା ପରି ମଣିଷଲ ମୂଳ ସ୍ୱଭାବ ଭାବନାର ପ୍ରଭାବରୁ ସର୍ବଦା ମୁକ୍ତ ରହିଥାଏ।

ଏଣୁ ଆକାଶେ ଗୁରୁ କରି। ଅବନୀ ମଧ୍ୟେ ଦେହ ଧରି॥ ଆନନ୍ଦେ ଭ୍ରମଇଁ ସଂସାରେ। ସ୍ପରଶ ନ କରି କାହାରେ॥

ଚନ୍ଦ୍ରମା ଅକ୍ଷୟ ଆତ୍ମଜ୍ଞାନ, ଚନ୍ଦ୍ରମା ବଢିବା ବା କମିବା ପରି ପ୍ରତୀତ ହେଲେ ମଧ୍ୟ ତାହା ପ୍ରକୃତରେ ଅକ୍ଷୟ ରହିଥାଏ। ସେହିପରି ଶରୀର କ୍ଷୀଣ ହେଲେ ବି ଅନୁଭବ ଅକ୍ଷୟ ରହିଥାଏ। ଚନ୍ଦ୍ରମାର ନିଜସ୍ୱ ଆଲୋକ ନ ଥାଏ, ଠିକ୍ ସେମିତି ମଣିଷର ମନ ଓ ଶରୀରର ନିଜସ୍ୱ ଶକ୍ତି ନ ଥାଏ, ଏମାନେ ଆତ୍ମାର ଶକ୍ତିରେ ବଳିୟାନ।
ସୂର୍ଯ୍ୟ ବିଭିନ୍ନ ଜଳପାତ୍ରରେ ସୂର୍ଯ୍ୟର ପ୍ରତିବିମ୍ବ ଅଲଗା ଅଲଗା ଦିଶୁଥିଲେ ବି ସୂର୍ଯ୍ୟ ଏକ, ସେମିତି ଅଗଣିତ ପ୍ରାଣୀ ପରସ୍ପରଠାରୁ ଭିନ୍ନ ଦିଶୁଥିଲେ ବି ସେମାନଙ୍କ ଭିତରୁ ଉଙ୍କି ମାରୁଥିବା ଜୀବନ ଏକ। ସୂର୍ଯ୍ୟ ଅନ୍ଧାରକୁ ନାଶ କରି ସବୁ କିଛିକୁ ସ୍ପଷ୍ଟ ଦେଖିବାପାଇଁ ଆମକୁ ସାହାଯ୍ୟ କଲା ପରି ଗୁରୁ ଆମକୁ ଅଜ୍ଞାନର ଅନ୍ଧାରରୁ ବାହାର କରି ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି।
କପୋତ ଜାଲରେ ପଡ଼ିଥିବା ନିଜ ଶାବକକୁ ରକ୍ଷା କରିବାପାଇଁ କପୋତୀ ସହିତ କପୋତ ନିଜେ ଜାଲରେ ପଡ଼ିଥିଲା। ଆସକ୍ତି ବନ୍ଧନର କାରଣ ବୋଲି ତା’ଠାରୁ ଶିକ୍ଷା ମିଳେ।
ଅଜଗର ଅଳସୁଆ ଅଜଗର ଗୋଟିଏ ଜାଗାରେ ପଡ଼ିଥାଏ, ଯାହା ପାଖକୁ ଆସେ ତାକୁ ଖାଇନିଏ। ସେହିପରି ଖାଦ୍ୟପ୍ରତି ଲୋଭ ନ ରଖି ଯାହା ମିଳିବ ସେଥିରେ ଉଦରପୂରଣ କରି, ସର୍ବଦା ନିଜର ମୂଳସ୍ୱରୂପର ଧ୍ୟାନରେ ମଗ୍ନ ରହିବା ଶିକ୍ଷାମିଳେ।
୧୦ ସିନ୍ଧୁ ସବୁ ନଦୀର ପାଣି ମିଶିଲେ ମଧ୍ୟ ସମୁଦ୍ର ସମତା ରକ୍ଷା କରିଥାଏ। ନା ଅଧିକ ଉଛୁଳେ ନା ଟିକିଏ ମାତ୍ର ଶୁଖେ। ସାଂସାରିକ ବିଷୟ ବାସନା ଥିଲେ ମଧ୍ୟ ନିଜର ମର୍ଯ୍ୟାଦା ଲଙ୍ଘନ ନ କରିବାର ଗୁଣ, ସମତା ତଥା ଓ ନିଶ୍ଚଳ ମନ ସମୁଦ୍ରଠାରୁ ଶିକ୍ଷାମିଳେ।
୧୧ ପତଙ୍ଗ ପତଙ୍ଗଠାରୁ ଦୁଇଟି ଜିନିଷ ଶିଖିବାକୁ ମିଳେ। ଇନ୍ଦ୍ରିୟ ଭୋଗ୍ୟ ବସ୍ତୁସକଳରୁ ନିଜକୁ ନିବୃତ୍ତ ନ କରି ପାରିଲେ ଅଗ୍ନୀରେ ପତଙ୍ଗସମ ନିଜର ବିନାଶ ହୋଇଥାଏ। ଜ୍ଞାନୀମାନେ ଜ୍ଞାନର ସନ୍ଧାନ ପାଇ ସେଥିରେ ଏମିତି ମଜ୍ଜି ଯାଆନ୍ତି ଯେ ନିଜର ବ୍ୟକ୍ତିଗତ ସୀମିତ ସତ୍ତାକୁ ଭସ୍ମ କରି ନିର୍ଗୁଣ ନିରାକାର ସତ୍ତାକୁ ଲାଭ କରନ୍ତି, ଏହା ମଧ୍ୟ ପତଙ୍ଗଠାରୁ ଶିକ୍ଷା ମିଳେ।
୧୨ ମଧୁପ ଫୁଲକୁ ଫୁଲ ଉଡ଼ି ମଧୂ ସଂଗ୍ରହ କରୁଥିବା ମଧୁପ ବା ମହୁମାଛି ପରି ବିଭିନ୍ନ ଶାସ୍ତ୍ର ଅଧ୍ୟୟନ କରି ତା’ର ସାରକୁ ଗ୍ରହଣ କରିବା ଉଚିତ୍।
୧୩ ଗଜ ନକଲି ମାଈହାତୀକୁ ଦେଖି ନିଜର ଜାନ୍ତବ କ୍ଷୁଧାର ପରିତୃପ୍ତିପାଇଁ ହାତୀ ମାଡ଼ିଆସେ ଓ ଶିକାରୀଦ୍ୱାରା ଗଢାଯାଇଥିବା ଗାତରେ ପଡ଼ିଥାଏ। କାମନା ବାସନାର ନିୟନ୍ତ୍ରଣ କରିବା ଗଜ ବା ହାତୀଠାରୁ ଶିକ୍ଷାମିଳେ।
୧୪ ପିମ୍ପୁଡ଼ି
ଭଅଁର
ଅକ୍ଳାନ୍ତ ପରିଶ୍ରମ କରି ଅତି କଷ୍ଟରେ ସଂଗ୍ରହ କରି ସଞ୍ଚୟ କରିଥିବା ଖାଦ୍ୟକଣିକାର ଗନ୍ଧରେ ଆକର୍ଷିତ ହୋଇ ଅନ୍ୟପ୍ରାଣୀମାନେ ଏହାକୁ ତା’ଠାରୁ ଅପହରଣ କରିଥାନ୍ତି, ଏଥିରୁ ଏହି ଶିକ୍ଷା ମିଳେ ଯେ, ସଂଗ୍ରହ କରିବାର ପ୍ରବୃତ୍ତି ଚୋରି, ଡକେଇତି ବା ହତ୍ୟାରେ ପରିସମାପ୍ତ ହୁଏ। ତେବେ ପିମ୍ପୂଡ଼ିଠାରୁ ଏକ ଭଲଗୁଣ ଶିଖିବାକୁ ମିଳେ, ଆତ୍ମସାକ୍ଷାତକାର ଅନ୍ୱେଷୀ, ମୁମୁକ୍ଷୁ ନିରଳସ ଭାବେ ନିଜ ମାର୍ଗରେ ଅଗ୍ରଗତି କରିବା ଦରକାର।

ଭଅଁର ଫୁଲର ଗନ୍ଧରେ ଆକୃଷ୍ଟ ହୋଇ ସେଥିରେ ଏମିତି ଆସକ୍ତ ହୋଇଯାଏ ଯେ, ସନ୍ଧ୍ୟାରେ ଫୁଲ ପାଖୁଡ଼ା ବନ୍ଦ ହେବା ଆଗରୁ ତାକୁ ଛାଡ଼ି ପଳାଇ ନ ଆସି ଏହା ବନ୍ଦ ହେବାପରେ ମଧ୍ୟ ସେଥିରେ ବନ୍ଦୀ ହୋଇ ରହିଯାଏ। ଫଳତଃ ନିଜର ପ୍ରାଣ ହରାଏ। ଆସକ୍ତି ବିନାଶକାରୀ ବୋଲି ତା’ଠାରୁ ଶିକ୍ଷା ମିଳେ।

୧୫ ହରିଣ ସଙ୍ଗୀତର ମୂର୍ଚ୍ଛନାରେ ମୋହିତ ହରିଣ ଶିକାରୀର ବାଣରେ ମୃତ୍ୟୁବରଣ କରେ। ଏଥିରୁ ଶିକ୍ଷାମିଳେ ଯେ ସଂସାରର ନିକୃଷ୍ଟ ଆନନ୍ଦ ପ୍ରତି ଆକୃଷ୍ଟ ହେଲେ ନିଜର ବିନାଶ ଘଟିଥାଏ।
୧୬ ମୀନ ଖାଦ୍ୟଲାଳସାରେ ବନିସୀରେ ପଡ଼ି ପ୍ରାଣ ହାରେ। ସୁସ୍ୱାଦୁ ବ୍ୟଞ୍ଜନ ପ୍ରତି ଆସକ୍ତି ନିଜର ଲକ୍ଷ୍ୟପ୍ରାପ୍ତିରେ ଅନ୍ତରାୟ ହୋଇଥାଏ। ତେବେ ମାଛଠାରୁ ଆଉ ଏକ ଗୁଣ ଶିଖିବାକୁ ମିଳେ। ଏହା କେତେବେଳେ ବି ନିଜ ଘର ଅର୍ଥାତ୍ ପାଣିକୁ ପରିତ୍ୟାଗ କରେନା। ସେହିପରି ମାନବ କେବେ ବି ନିଜର ମୂଳ ସ୍ୱରୂପରୁ ବିଚ୍ୟୁତ ହେବା ଅନୁଚିତ।
୧୭ ପିଙ୍ଗଳା ବେଶ୍ୟା କାମପିପାସାରେ ମତ୍ତହୋଇ, ତଥା ଧନ ଲୋଭରେ ଅନ୍ଧ ହୋଇ ପିଙ୍ଗଳା ନାମକ ବେଶ୍ୟା ଏକ ନିର୍ଦ୍ଦିଷ୍ଟ ପୁରୁଷକୁ ଚାହିଁ ସାରା ରାତି କାଟିଦେଲା ପରେ ଅନୁଭବ କଲା, ମିଥ୍ୟା ମାୟାରେ ମୋହିତ ହୋଇ ସେ ମସ୍ତବଡ଼ ଭୁଲ୍ କରିଛି। ସଂସାରର ଅଳିକ ସୁଖ ଓ ସାଂସାରିକ ଧନର ନଶ୍ୱରତାକୁ ଦେଖି ସେ ଅସଲି ଧନ ଓ ଅସଲି ଆନନ୍ଦର ତଲାସରେ ବୈରାଗ୍ୟର ପଥକୁ ବାଛି ନେଲା। ଅତଃ ପିଙ୍ଗଳା ବେଶ୍ୟା ବୈରାଗ୍ୟ ଶିକ୍ଷାଦିଏ।
୧୮ କୁରୁର ନିଜ ଥଣ୍ଟରେ ମାଂସଟୁକୁଡ଼କୁ ଧରି ରଖିଥିବା କୁରୁର ପକ୍ଷୀ ଅନ୍ୟ ପକ୍ଷୀମାନଙ୍କର ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ ଯେତେବେଳେ ମାଂସଟୁକୁଡାଟିକୁ ଛାଡ଼ିଦେଲା, ଅନ୍ୟମାନଙ୍କର ଆକ୍ରମଣରୁ ମଧ୍ୟ ରକ୍ଷା ପାଇଗଲା। ଏଥିରୁ ଶିକ୍ଷାମିଳେ, ଐହିକ ସୁଖଭୋଗର ବାସନା ସଂସାରରେ ଯାବତୀୟ ଯନ୍ତ୍ରଣା ଓ ଜଞ୍ଜାଳକୁ ଜନ୍ମ ଦେଇଥାଏ। ଏହାର ପରିତ୍ୟାଗରେ ହିଁ ଅସଲି ଆନନ୍ଦ ନିହିତ ରହିଛି।
୧୯ ଅର୍ଭକ କାହାରି ପ୍ରତି କୌଣସି ବୈର ଭାବନା ନଥିବା, ନିଜ ପରର ଭେଦଭାବରୁ ମୁକ୍ତ, ସବୁବେଳେ ଖିଲି ଖିଲି ହସୁଥିବା, ନିଜର ସ୍ୱଭାବରେ ସ୍ଥିତ, ଆନନ୍ଦରେ ଉଛୁଳି ଉଠୁଥିବା ଶିଶୁଠାରୁ ଆତ୍ମସାକ୍ଷାତକାରୀର ଅବସ୍ଥା ଦେଖିବାକୁ ମିଳେ। ଆନନ୍ଦ ସ୍ୱତଃସ୍ଫୁର୍ତ୍ତ ହୋଇଥାଏ, ଏହା କୌଣସି ବାହ୍ୟକାରଣ କିମ୍ବା ବସ୍ତୁ ଉପରେ ନିର୍ଭରଶୀଳ ହୋଇ ନ ଥାଏ।
୨୦ ବ୍ରାହ୍ମଣ କୁମାରୀ ନିଜ ପୁତ୍ର ପାଇଁ କୁମାରୀ କନ୍ୟାର ହାତ ମାଗିବାକୁ ଆସିଥିବା ଅତିଥିମାନଙ୍କ ପାଇଁ କିଛି ବ୍ୟଞ୍ଜନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ମା’ ଅନୁପସ୍ଥିତ ଥିବା ସମୟରେ ବ୍ରାହ୍ମଣ କୁମାରୀ ନିଜେ ଚାଉଳ କୁଟିବାକୁ ଆରମ୍ଭ କରିବାରୁ ତା’ ହାତର ଚୁଡ଼ିଗୁଡିକ ପରସ୍ପର ସହିତ ବାଜି ଶବ୍ଦ ସୃଷ୍ଟି କଲେ। ଏହା ଶୁଣି କାଳେ ଅତିଥିମାନେ ବ୍ୟସ୍ତ ହେବେ ସେଥିପାଇଁ ପରମ୍ପରା ରକ୍ଷାକରି ସେ ହାତରେ ପଟେ ପଟେ ଚୁଡ଼ି ରଖି ବାକି ଚୁଡ଼ିକୁ ବାହାର କରିଦେଲା। ଏହାଦ୍ୱାରା ସେ ନିଜ କାମକୁ ନୀରବରେ କରିପାରିଲା। ଏଥିରୁ ଶିକ୍ଷାମିଳେ ପ୍ରକୃତ ମୁମୁକ୍ଷୁ ବାକ୍-ବିତଣ୍ଡାରେ ନ ପଡ଼ି ନିକାଞ୍ଚନରେ ନିଜର ସାଧନା କରିବା ଦରକାର। କାରଣ ଅନେକ ଲୋକ ଯହିଁ ମିଳି, ଅବଶ୍ୟ ଉପୁଜଇ କଳି।
୨୧ ସର୍ପ ନିଜେ ଗାତ ନ ଖୋଳି ଅନ୍ୟ ପଶୁ, ପକ୍ଷୀ, କୀଟମାନେ କରିଥିବା ଗାତରେ ରହିବା ପରି ବୈରାଗୀ ସନ୍ନ୍ୟାସୀମାନେ ସଂସାରୀ ଲୋକମାନେ ତିଆରି କରିଥିବା ଘରେ, ଅଥବା ପରିତ୍ୟକ୍ତ ଘରେ ବା ଗଛମୂଳେ ରହିଥାନ୍ତି। ସାପ ନିଜ କାତି ଛାଡ଼ିଲା ପରି ବୈରାଗୀମାନେ ମୃତ୍ୟୁ ସମୟରେ ସମ୍ପୂର୍ଣ୍ଣ ସଜାଗ ହୋଇ, ନିଜର ମୂଳ ସ୍ୱରୂପରେ ମନୋନିବେଶ ପୂର୍ବକ ପୁରୁଣା ବସ୍ତ୍ରକୁ ତ୍ୟାଗ କରି ନୂଆବସ୍ତ୍ର ପରିଧାନ କରନ୍ତି।
୨୨ ଶରକୃତ ଆଧ୍ୟାତ୍ମିକ ଅଗ୍ରଗତିର ରହସ୍ୟ ହେଉଛି ଏକାଗ୍ରତା। ତୀର ତିଆରି କରୁଥିବା ଏକାଗ୍ର ବଢ଼େଇଟିଏ ଜାଣିପାରେନା ତା ପାଖ ଦେଇ ରାଜକୀୟ ପଟୁଆର ଚାଲିଗଲା ବୋଲି। ତା’ଠାରୁ ତୀକ୍ଷ୍ଣ ଏକାଗ୍ରତା ଶିକ୍ଷା ମିଳେ।
୨୩ ଉର୍ଣ୍ଣନାଭି ଉର୍ଣ୍ଣନାଭି, ମାଙ୍କଡସା ବା ବୁଢ଼ିଆଣୀ ନିଜେ ଜାଲ ତିଆରି କରେ ଓ ପରେ ନିଜ ଜାଲରେ ନିଜେ ବନ୍ଦୀ ହୋଇ ସାରା ଜୀବନ ରହିଥାଏ ବୋଲି ସେ ଜାଣି ନ ଥାଏ। ସେମିତି ମଣିଷ ନିଜ ବିଚାରର ମାୟାଜାଲରେ ବନ୍ଦୀ ହୋଇ ନିଜର ମୂଳ ସ୍ୱରୂପକୁ ପାସୋରି ପକାଏ। ଉର୍ଣ୍ଣନାଭି ଆଉ ଏକ ଶିକ୍ଷା ମଧ୍ୟ ଦେଇଥାଏ। ପରମାତ୍ମା ନିଜକୁ ବିଭିନ୍ନ ଶରୀର ମାଧ୍ୟମରେ ପ୍ରକଟ କରିଥାନ୍ତି, ବିଭିନ୍ନ ଇଂଦ୍ରିୟ ମାଧ୍ୟମରେ ସଂସାରର ରସ ଆସ୍ୱାଦନ କରିଥାନ୍ତି, ପରିଶେଷରେ ନିଜ ଗଢ଼ା ସଂସାରକୁ ନିଜ ଭିତରକୁ ଗୋଟେଇ ନିଅନ୍ତି।
୨୪ ସୁପେଶକୃତ୍ ସୁପେଶକୃତ୍ ବା କୁମ୍ଭାରିଆ କୌଣସି କୀଟକୁ ଧରିଆଣେ ଓ ମାଟିର ନିବୁଜ ଘର ତୋଳି ତାକୁ ସେଥିରେ ବନ୍ଦୀ କରିଦିଏ। ସେହି କୀଟଟି ମରିବା ପୂର୍ବରୁ କୁମ୍ଭାରିଆକୁ ଦେଖିଥାଏ, ତାଆରି ଗୁଣୁଗୁଣୁ ଶବ୍ଦଛଡ଼ା ସେ ଆଉ କିଛି ଶୁଣି ପାରେନା, ଭୟରେ କାତର ହୋଇ ସେ ତା’ରି ରୂପର ଚିନ୍ତା କରିଥାଏ । କିଛି ଦିନ ପରେ ସେ ନିଜେ କୁମ୍ଭାରିଆ ହୋଇ ସେଇ ଜନ୍ମ ହୁଏ। ଏଥିରୁ ଶିକ୍ଷା ମିଳେ ମରିଲାବେଳେ ମଣିଷ ଯେମିତି ଚିନ୍ତା କରିଥାଏ, ତାର ମୃତ୍ୟୁ ଉପରାନ୍ତ ଜୀବନର ତଦନୁରୂପ ନିର୍ଦ୍ଧାରିତ ହୋଇଥାଏ। ଏଥିରୁ ଅନ୍ୟ ଏକ ଶିକ୍ଷା ମିଳେ ଯେ ଯଦି ସାଧାରଣ ମଣିଷ ନିରବିଚ୍ଛିନ୍ନ ଭାବରେ ନିଜ ଗୁରୁ ସ୍ୱରୂପର ଧ୍ୟାନ କରେ, ତେବେ ଅବିଳମ୍ବେ ସେ ଗୁରୁଙ୍କ ସ୍ୱରୂପରେ ଅବସ୍ଥାନ କରେ, ଗୁରୁତୁଲ୍ୟ ହୋଇଯାଏ।
  • ଅବଧୂତ ଗୀତା
  • ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଶ୍ରୀମଦ୍ଭାଗବତ (ଏକାଦଶ ସ୍କନ୍ଧ)