ଗୋସ୍ୱାମୀ ବାହୁଡ଼ା ଦାସ

ଉଇକିପିଡ଼ିଆ ରୁ
Jump to navigation Jump to search

ବାହୁଡ଼ା ଦାସ ଜଣେ ଯୋଗ ଏବଂ ତନ୍ତ୍ର ସାଧକ । ବାହୁଡ଼ି ଦାସଙ୍କ ରଚନାରେ ଭବିଷ୍ୟତ ଗଣନା ବଦଳରେ ରୋଗ ଭଲ କରିବା ଓ ଶରୀରଭେଦ ରଚନା ଦେଖିବାକୁ ମିଳେ ।

ଜୀବନୀ[ସମ୍ପାଦନା]

ଜଗନ୍ନାଥଙ୍କ ସାନ୍ନିଧ୍ୟ ପାଇବାକୁ ବାହୁଡାଙ୍କ ପ୍ରାଣ ବିକଳ ହୋଇପଡୁଥିବା ବେଳେ ତାଙ୍କୁ ମିଳିଥିଲା ଭଗବାନଙ୍କ ଜଣେ ଅଗ୍ରଦୂତ ଭାବେ ଗୁରୁ ଯୋଗୀ ଦାସଙ୍କ ସାନ୍ନିଧ୍ୟ । ଯହିଁରୁ ସାଧନାର ଉପାୟ ଓ ସିଦ୍ଧିପ୍ରାପ୍ତିର ମାର୍ଗ ଉପଲବ୍ଧ ହୋଇଥିଲା । ଏହି ଶକ୍ତିର ଉତ୍ତମ ବିକାଶ ଘଟିଥିଲା ଯେତେବେଳେ ଭିଙ୍ଗାରପୁର ଚୌଧୁରୀଙ୍କ ହଳିଆରୁ ବାହୁଡାଙ୍କୁ ମିଳିଥିଲା ମୁକ୍ତି ଓ ପ୍ରଦତ୍ତ ଜମିରେ ଏକ ନିରୋଳା ସ୍ଥାନରେ ସ୍ଥାପିତ ଆଶ୍ରମ । ନୀରବଚ୍ଛିନ୍ନ ସାଧନାର ଏକ ପ୍ରକୃଷ୍ଟ କ୍ଷେତ୍ର । ଯୋଗ ମାର୍ଗରେ ତାଙ୍କୁ ବାଟ କଢାଇ ନେଇଥିଲେ ଗୁରୁ ଯୋଗୀ ଦାସ । ଅଷ୍ଟାଙ୍ଗ ଯୋଗ, ଷଡଚକ୍ର ସାଧନ, ଧ୍ୟାନ,ଲୟ, ତ୍ରାଟକ, ଆସନ, ମୁଦ୍ରା ଆଦି ସେ ତାଙ୍କୁ ବତାଇଥିଲେ । ରେଚକ, ପୂରକ, କୁମ୍ଭକ ବଳରେ ପଦ୍ମାସନରେ ଘଣ୍ଟା ଘଣ୍ଟା ଧରି ଯୋଗ ସାଧନା କରୁଥିଲେ ବାହୁଡା ଦାସ । ଯାହା ଥିଲା ଜନସମୁଦାୟର ଲକ୍ଷ୍ୟ ବାହାରେ । ଏହି ସାଧନା କ୍ରମେ ପରିଣତ ହୋଇଥିଲା କୁଚ୍ଛ୍ର ସାଧନାରେ । ଜାଗ୍ରତ ହୋଇଥିଲା କୁଣ୍ଡଳିନୀ ଶକ୍ତି । ଯାହାକୁ କୌଣସି ଯୋଗମାର୍ଗୀମାନେ କେବେ ଅସ୍ୱୀକାର କରିପାରିବେନାହିଁ । ଉକ୍ତ ଘଟଣା ଯେ ପ୍ରଥମ କରି ବାହୁଡା ଦାସ ଗୁରୁ ଯୋଗୀ ଦାସଙ୍କଠାରୁ ପ୍ରାପ୍ତ ହେଲେ ତାହା ନୁହେଁ । ଭାରତବର୍ଷର ବହୁ ମହାମନିଷୀ, ଯୋଗୀ, ସନ୍ଥ ଏହି ଧାର୍ଯ୍ୟ ମାର୍ଗରେ ହିଁ ସିଦ୍ଧିଲାଭ କରିଥାନ୍ତି ଯାହା ପୂର୍ବରୁ ବହୁବାର ପ୍ରମାଣିତ ହୋଇଛି । ଜୀବିତ ଅବସ୍ଥାରେ ଜଣେ ସାଧାରଣ ମଣିଷ ଶରୀର ଓ ଆତ୍ମା ଅଭିନ୍ନ ବୋଲି ଭାବୁଥିବା ବେଳେ ଏବେ ବି ବହୁ ଯୋଗସାଧକ ଧ୍ୟାନ ମୁଦ୍ରାରେ ଥାଇ ଶରୀର ଓ ଆତ୍ମାକୁ ଦିନ ଦିନ ଧରି ଅଲଗା କରାଇପାରିବା ଓ ପୁନଃ ଶରୀର ପ୍ରବେଶ କରାଇବା ଉଦାହରଣ ରହିଛି । ସଂସାର ବାନ୍ଧି ନଥିବା ବାହୁଡା ଦାସଙ୍କ ପକ୍ଷରେ ଏଥିପାଇଁ ଯୋଗ ସାଧନାର ଏକ ପ୍ରକୃଷ୍ଟ ସୁଯୋଗ ଓ ଶକ୍ତି ହାସଲ କରିବା ସମ୍ଭବ ହୋଇପାରିଥିଲା । ଅଭିଜ୍ଞତାରୁ ପରେ ମାଳିକା ଲିଖନ କଲେ । ଅଚ୍ୟୁତାନନ୍ଦଙ୍କର ବାକସିଦ୍ଧି ଯୋଗୁ ତାଙ୍କ ଅଲୌକିକତା ତନ୍ତ୍ର ବୋଲି ବିନା ଦ୍ୱିଧାରେ ବିବେଚିତ ହେଉଥିଲା । ତେବେ ସେମାନେ ଏହି ମାର୍ଗରେ ସିଦ୍ଧିଲାଭ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଗୋସ୍ୱାମୀ ବାହୁଡ଼ା ଦାସ ଉକ୍ତ ପନ୍ଥାକୁ ଅନୁକରଣ କରିଥିବା ଅଧିକ ଭାବେ ବିଶ୍ୱାସ କରାଯାଇପାରେ । କାରଣ ଯୋଗମାର୍ଗରେ ସିଦ୍ଧି ପ୍ରାପ୍ତି ହେବାର ଏହା ହିଁ ଏକମାତ୍ର ପନ୍ଥା ହୋଇଥିବା ବେଳେ ପଞ୍ଚସଖାଙ୍କ ପ୍ରଭାବ ସହିତ ପରବର୍ତ୍ତୀ ସମୟରେ ତାଙ୍କର ସାମଞ୍ଜସ୍ୟତା ପରିଲକ୍ଷିତ ହୋଇଛି । ଅଚ୍ୟୁତ ଯେପରି ଏକାକ୍ଷର ମନ୍ତ୍ର ସଂସ୍ଥାପନା କରିଥିଲେ ଠିକ ଅନୁରୂପ ଭାବେ ଗୋସ୍ୱାମୀ ବାହୁଡ଼ା ଦାସ ମଧ୍ୟ ଅନ୍ୟ ଏକ ଏକାକ୍ଷର ମନ୍ତ୍ରର ସଂରଚନା କରିଛନ୍ତି ବୋଲି ବିବେଚନା କରାଯାଏ । ଭବିଷ୍ୟତ ମାଳିକା ରଚନାରେ ଅଚ୍ୟୁତଙ୍କ ଠାର, ହାଡ଼ିଆ ଗାର ଯେଭଳି ଭାବେ ଭବିଷ୍ୟତ ଘଟଣାବଳୀ ନେଇ ପରୋକ୍ଷ ସୂଚନା ଓ ଶରୀରଭେଦ ଭଜନକୁ ପ୍ରାଧାନ୍ୟ ଦେଇଛନ୍ତି ସେଭଳି ମଧ୍ୟ ବାହୁଡ଼ି ଦାସଙ୍କ ରଚନାରେ ଭବିଷ୍ୟତ ଗଣନା ବଦଳରେ ରୋଗ ଭଲ କରିବା ଓ ଶରୀରଭେଦ ରଚନା ଦେଖିବାକୁ ମିଳେ । ଯଦିଓ ଉଭୟ ସମସାମୟିକ ନୁହନ୍ତି । ବାହୁଡି ଦାସଙ୍କ ଜନ୍ମ ସମୟ ମୋଗଲ ଶାସନର ଅନ୍ତ ଓ ଇଂରେଜ ଶାସନର ପ୍ରାରମ୍ଭ କାଳ ବୋଲି ବିଚାର କରାଯାଇପାରେ । କାରଣ ଇତିହାସର ତଥ୍ୟ ଅନୁଯାୟୀ ୧୭୫୭ ମସିହାରେ ମୋଗଲ ସାମ୍ରାଜ୍ୟର ପତ୍ତନ ପରେ ଇଂରେଜ ଶାସନର ପ୍ରାୟତଃ ଆରମ୍ଭ ।

ଆଧାର[ସମ୍ପାଦନା]