Jump to content

କୟାଁ ଜନଜାତି

ଉଇକିପିଡ଼ିଆ‌ରୁ
କୟାଁ
କୟାଁ ଜନଜାତିର ସଦସ୍ୟ

କୟାଁ ଓଡ଼ିଶାର ଏକ ଜନଜାତି ମଧ୍ୟରୁ ଅନ୍ୟତମ । କୟାଁ ଜନଜାତିର ସଦସ୍ୟମାନେ ମୁଖ୍ୟତଃ ମାଲକାନଗିରି ଜିଲ୍ଲାରେ ବସବାସ କରନ୍ତି । ଉଭୟ ସମତଳ ଚାଷ ଓ ପୋଡ଼ୁ ଚାଷ ଉପରେ ଏମାନେ ନିର୍ଭର କରନ୍ତି ।

ଏମାନଙ୍କ ନାୟକକୁ 'ପେଦ୍ଦା' କୁହନ୍ତି । ଏମାନଙ୍କ ଆଦିବାସୀ ପୂର୍ବପ୍ରଚଳିତ ପଞ୍ଚାୟତ ପ୍ରଥାରେ ଯେଉଁ ନିଷ୍ପତ୍ତି ନିଆଯାଏ ତାହା ସମସ୍ତେ ମାନିବାକୁ ବାଧ୍ୟ । ଗ୍ରାମର ଯେ କୌଣସି ଗଣ୍ଡଗୋଳର ସମାଧାନ ପଞ୍ଚାୟତଦ୍ୱାରା ହିଁ କରାଯାଏ । ଏହାଙ୍କ ସମାଜରେ ଅନ୍ୟ ଲୋକଙ୍କ ସମ୍ପତ୍ତିର ବ୍ୟବହାରକୁ ଦୋଷ ବୋଲି ଧରାଯାଏ । ଉଦାହରଣ ସ୍ୱରୂପ, କୌଣସି ଫଳ ଗଛ ଉପରେ ଥିଲା ଯାଏଁ ତାହା ବୃକ୍ଷର ମାଲିକଙ୍କ ଛଡ଼ା ଅନ୍ୟ କେହି ଛୁଇଁଲେ ଦଣ୍ଡନୀୟ, କିନ୍ତୁ ତାହା ଭୂଇଁରେ ପଡ଼ିଲେ ସର୍ବସାଧାରଣଙ୍କ ସମ୍ପତ୍ତି ଭାବେ ଧରାଯାଏ ।

ଜୀବନଶୈଳୀ

[ସମ୍ପାଦନା]
କୟାଁମାନଙ୍କ ନୃତ୍ୟରେ ପୁରୁଷମାନଙ୍କଦ୍ୱାରା ବ୍ୟବହୃତ ଶିରୋଭୂଷଣ

କୟାଁ ପରିବାରରେ ବାଲ୍ୟ ଅବସ୍ଥାକୁ ସାତ ବିଭାଗରେ ବିଭକ୍ତ କରାଯାଏ-

  1. ଉକାଡ଼ତା ଉଞ୍ଜିତୋ : ଶିଶୁ ଦୋଳିରେ ଝୁଲିବା ଅବସ୍ଥା
  2. କାପାମୁଣ୍ଡିଟା : ଶିଶୁ ଗଡ଼ିବା ଅବସ୍ଥା
  3. କୁଡ଼ିଗାଇତିତେ : ଶିଶୁ ବସିକରି ଗୁରୁଣ୍ଡିବା ଅବସ୍ଥା
  4. ମାର୍ମିଣ୍ଡାନ : ଶିଶୁ ଗୁରୁଣ୍ଡିବା ଅବସ୍ଥା
  5. ତାଗସି ଦୁଦେର : ବାଉଁଶ ତିଆରି ଫ୍ରେମ ସାହାଯ୍ୟରେ ଚାଲିବା ଅବସ୍ଥା
  6. ଗୁଣ୍ଡୁଗୁଣ୍ଡୁ ମିନିତେ : ଶିଶୁ ଧାଇଁବା ଅବସ୍ଥା
  7. ଗାଟି ମିରିଟ : ଶିଶୁ ବେଗରେ ଧାଇଁବା ଅବସ୍ଥା

କୟାଁମାନଙ୍କ ନାମକରଣ ବହୁ ସୀମିତ । ସାଧାରଣତଃ ଗୋଟିଏ କୟାଁ ବସବାସରେ ଏକାଧିକ ଲୋକଙ୍କ ସମାନ ନାମ ଥିବା ପରିଲକ୍ଷିତ ହୁଏ । ବିଶେଷ ଦ୍ରଷ୍ଟବ୍ୟ ଯେ କୟାଁମାନେ ପୁନର୍ଜନ୍ମରେ ବିଶ୍ୱାସ ରଖିଥିବାରୁ ନାତିମାନଙ୍କ ନାମକରଣ ଅଜାଙ୍କ ନାମରେ ଦିଆଯାଇଥାଏ ।

କୟାଁମାନଙ୍କ ବିଚାରରେ ଗାଈଙ୍କ ଦୁଧ କେବଳ ବାଛୁରୀ ପିଇବାପାଇଁ ଉଦ୍ଦିଷ୍ଟ । ଏହା ବିଶେଷତଃ ଖରାଦିନରେ ପାଳନ କରାଯାଏ, ଯେତେବେଳେ ବାଛୁରୀମାନଙ୍କୁ ପାନୀୟ ନ ମିଳିଲେ ତାଙ୍କ ଜୀବଙ୍କୁ ସଙ୍କଟ ଥାଏ । ତେଣୁ ସେମାନେ ଗ୍ରୀଷ୍ମ ଋତୁରେ ଗାଈମାନଙ୍କ କ୍ଷୀର ଦୁଁହନ୍ତି ନାହିଁ , କିନ୍ତୁ ବର୍ଷାଦିନରେ ଅଳ୍ପ ପରିମାଣରେ କ୍ଷୀର ଦୁଁହି ତହିଁରୁ ଦହି ପ୍ରସ୍ତୁତ କରନ୍ତି । କୟାଁ ସମାଜରେ ଯାହା ପାଖରେ ବେଶୀ ପରିମାଣରେ ଜମି ଓ ଗୋସମ୍ପଦ ରହିଛି ତାହାଙ୍କୁ ଧନୀ ଭାବେ ଗ୍ରହଣ କରାଯାଏ ଓ ତାହାଙ୍କୁ ବିଶେଷ ସମ୍ମାନ ଦିଆଯାଇଥାଏ । କୌତୂହଳର ବିଷୟ ଯେ ସେମାନେ ବିନା ଗୋରୁଶାଳାରେ ଗାଈମାନଙ୍କୁ ରଖିଥାନ୍ତି ।

ଶିକାର

[ସମ୍ପାଦନା]

କୟାଁମାନେ ଶିକାରପ୍ରିୟ । ବର୍ଷସାରା ସେମାନେ ଜଙ୍ଗଲି ପକ୍ଷୀ, ଠେକୁଆ, ଗୁଣ୍ଡୁଚି ମୂଷା ଓ ବଣୁଆ ମୂଷା ଶିକାର କରିଥାନ୍ତି । ଇଂରାଜୀ କାଲେଣ୍ଡରର ଏପ୍ରିଲ ଓ ମେ ମାସରେ ସେମାନେ 'ବିଜା ପାଣ୍ଡୁ' ନାମକ ଉତ୍ସବ ପାଳନ କରିଥାନ୍ତି, ଯେଉଁଥିରେ ଗ୍ରାମର ପୁରୁଷମାନେ ବଣକୁ ଯାଇ ଶିକାର କରନ୍ତି ।