କୋଲୋଜିୟମ୍

ଉଇକିପିଡ଼ିଆ‌ରୁ
କୋଲୋଜିୟମ୍
କୋଲୋଜିୟମ୍
ଅବସ୍ଥାନରୋମ୍, ଇଟାଲୀ
ନିର୍ମାଣ କାଳଖ୍ରୀଷ୍ଟାବ୍ଦ ୭୦-୮୦


କୋଲୋଜିୟମ୍ (ଈଂରାଜୀରେ Colosseum ଏବଂ ଇଟାଲୀୟ ଭାଷାରେ କୋଲୋଜିଓ -Colosseo) ଇଟାଲୀର ରୋମ୍ ନଗରର କେନ୍ଦ୍ରରେସ୍ଥିତ ଏକ ବୃହତ୍ ଅଣ୍ଡାକୃତି ଆମ୍ପିଥିଏଟର ବା ରଙ୍ଗଭୂମି । ଏହା ଫ୍ଲାଭିଆନ୍ ଆମ୍ପିଥିଏଟର ନାମରେ ମଧ୍ୟ ବେଶ୍ ଜଣାଶୁଣା । ଟ୍ରାଭେର୍ଟାଇନ୍ ଚୂନପଥର, ଆଗ୍ନେୟ ଉଦ୍ଗୀରଣରୁ ସୃଷ୍ଟ ଟଫ୍ ପଥର, କାଠ ଓ କଂକ୍ରିଟ୍ ନିର୍ମିତ ଇଟାରେ ଏହି ରଙ୍ଗମଞ୍ଚ ଅଦ୍ୟାବଧି ବିଶ୍ୱରେ ନିର୍ମିତ ସର୍ବବୃହତ୍ ରଙ୍ଗମଞ୍ଚ । [୧] ରୋମାନ୍ ଫୋରମ୍‍ର ଠିକ୍ ପୂର୍ବ ପଟକୁ ଅଳ୍ପଦୂରରେ ଏହି ପ୍ରାଚୀନ ରଙ୍ଗମଞ୍ଚ ଅବସ୍ଥିତ । ଭେସ୍ପାସିଆନ୍ ରୋମ୍‍ର ସମ୍ରାଟ ଥିବାବେଳେ ଖ୍ରୀ. ୭୨ରେ ଏହାର ନିର୍ମାଣ କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା[୨] ଓ ଭେସ୍ପାସିଆନ୍‍ଙ୍କ ଉତ୍ତରାଧିକାରୀ ଟାଇଟସ୍‍ଙ୍କ ଶାସନ କାଳରେ ଖ୍ରୀ. ୮୦ରେ ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା । [୩] ଖ୍ରୀ. ୮୧ରୁ ୯୬ ମଧ୍ୟରେ ଡୋମିଟିଆନ୍‍ଙ୍କ ଶାସନ ସମୟରେ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଥିଲା । [୪] ଭେସ୍ପାସିଆନ୍, ଟାଇଟସ୍ ଓ ଡୋମିଟିଆନ୍ -ଏହି ସମସ୍ତ ସମ୍ରାଟ ଫ୍ଲାଭିଆନ୍ ରାଜବଂଶର ହୋଇଥିବାରୁ କୋଲୋଜିୟମ୍‍କୁ “ଫ୍ଲାଭିଆନ୍ ରଙ୍ଗମଞ୍ଚ” ବୋଲି ମଧ୍ୟ କୁହାଯାଏ ।

ଏକାବେଳକେ କୋଲୋଜିୟମ୍ ମଧ୍ୟରେ ପ୍ରାଚୀନ ସମୟରେ ୫୦ ହଜାରରୁ ୮୦ ହଜାର ଦର୍ଶକ ବସି ପାରୁଥିବେ ବୋଲି ଏହାର ଅନ୍ତଃ ସଂରଚନାରୁ ଜଣାପଡ଼େ । [୫][୬] ତେବେ ଏଥିରେ ହାରାହାରି ୬୫୦୦୦ ଦର୍ଶକ ବସି ଉପଭୋଗ କରିପାରୁଥିବେ । [୭][୮] ତତ୍କାଳୀନ ସମୟରେ ରୋମାନ ସମ୍ରାଟମାନେ ଯୁଦ୍ଧ ବନ୍ଦୀ ବା କିଛି ପ୍ରତିଭାଶାଳୀ ଯୋଦ୍ଧାଙ୍କୁ ଗ୍ଲାଡିଏଟର୍ (ତରବାରୀଚାଳକ) ରୂପେ ରଖୁଥିଲେ । ଏହି ଗ୍ଲାଡିଏଟର୍‍ମାନେ ଅନ୍ୟ ଯୋଦ୍ଧା ବା ହିଂସ୍ର ପଶୁମାନଙ୍କ ସହିତ ମରଣାନ୍ତକ ଯୁଦ୍ଧ କରୁଥିଲେ । ଗ୍ଲାଡିଏଟର୍ ବଞ୍ଚିଲେ ଆଗାମୀ ଯୁଦ୍ଧ କରିବ, ନଚେତ୍ ନିଜ ପ୍ରାଣ ହରାଇଲେ ପରବର୍ତ୍ତୀ ଯୋଦ୍ଧାକୁ ଅବସର ଦିଆଯିବ । ବର୍ତ୍ତମାନ ସମୟରେ ବର୍ବର ଅନୁଭୂତ ହେଉଥିଲେ ହେଁ ପ୍ରାଚୀନ କାଳରେ ଏହା ଏକ ରୋମାନ୍ ପ୍ରଥା ଥିଲା । କୋଲୋଜିୟମ୍‍ର କେନ୍ଦ୍ରସ୍ଥିତ ରଙ୍ଗଭୂମିରେ ଏହି ସବୁ ସଂଘର୍ଷ ସଂଘଟିତ ହେଉଥିଲା ଏବଂ ସମ୍ରାଟ, ରାଜସଭା ପରିଷଦଗଣ ତଥା ସାଧାରଣ ଜନତା କୋଲୋଜିୟମ୍‍ର ଗ୍ୟାଲେରିରେ ବସି ଏହି ତଥାକଥିତ କ୍ରୀଡ଼ାକୁ ଉପଭୋଗ କରୁଥିଲେ । ଏତତ୍ ବ୍ୟତୀତ ସର୍ବସାଧାରଣଙ୍କ ସମ୍ମୁଖରେ ମୃତ୍ୟୁଦଣ୍ଡ, ପୌରାଣିକ ନାଟକ, ପଶୁଙ୍କ ଶିକାର ଖେଳ, ଯୁଦ୍ଧ କଳା ପ୍ରଦର୍ଶନ, ଜନତାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଓ ଘୋଷଣା ପାଇଁ ମଧ୍ୟ କୋଲୋଜିୟମ୍ ବ୍ୟବହୃତ ହେଉଥିଲା । ତେବେ ମଧ୍ୟଯୁଗର ପ୍ରାରମ୍ଭରେ କୋଲୋଜିୟମ୍ ମନୋରଞ୍ଜନ ପାଇଁ ଆଉ ବ୍ୟବହୃତ ହେଲାନାହିଁ । ଏହି ସମୟ ପରଠାରୁ ଧାର୍ମିକ କାର୍ଯ୍ୟକଳାପ ପାଇଁ କୋଲୋଜିୟମ୍‍କୁ ବ୍ୟବହାର କରାଗଲା ।

କେତେକ ଭୂମିକମ୍ପ ଯୋଗୁଁ ହେଉ ବା ପଥରଚୋରଙ୍କଦ୍ୱାରା ଏହାର ପଥର ଚୋରି ହେବା ଯୋଗୁଁ ବର୍ତ୍ତମାନ କୋଲୋଜିୟମ୍‍ର ଭଗ୍ନାବଶେଷ ରହିଯାଇଛି । କିନ୍ତୁ ସେହି ଭଗ୍ନାବଶେଷ ପ୍ରାଚୀନ ରୋମ୍‍ର ଏକ ପ୍ରତୀକ ଭାବେ ପରିଗଣିତ ହୁଏ । ରୋମ୍‍କୁ ପ୍ରତିବର୍ଷ ଆସୁଥିବା ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ତାଲିକାରେ ଏହା ଶୀର୍ଷସ୍ଥାନ ଗ୍ରହଣ କରିଛି । ରୋମାନ୍ କ୍ୟାଥୋଲିକ୍ ଧର୍ମାବଲମ୍ବୀମାନଙ୍କ ସହିତ ଏହା ସମ୍ପୃକ୍ତ । ପ୍ରତି ବର୍ଷ ଗୁଡ୍ ଫ୍ରାଇଡେ ଦିନ ପୋପ୍ ମଶାଲ ଧରି “ୱେ ଅଫ୍ ଦ କ୍ରସ୍” ନାମକ ଏକ ପଦଯାତ୍ରାର ନେତୃତ୍ୱ ନିଅନ୍ତି ଯାହା କୋଲୋଜିୟମ୍ ନିକଟରୁ ଆରମ୍ଭ ହୋଇଥାଏ । [୯]

ଇଟାଲୀରେ ପ୍ରଚଳିତ କେତେକ ୫ ସେଣ୍ଟ୍ “ୟୁରୋ” (ଈଂରାଜୀରେ Euro) ମୁଦ୍ରାରେ କୋଲୋଜିୟମ୍‍ର ଚିତ୍ର ରହିଛି ।

କୋଲୋଜିୟମ୍

କୋଲୋଜିୟମ୍‍ର ପ୍ରକୃତ ଲାଟିନ୍ ନାମ ହେଲା Amphitheatrum Flavium - ଆମ୍ପିଥେଆଟ୍ରୁମ୍ ଫ୍ଲାଭିଉମ୍ ଯାହାକୁ ଈଂରାଜୀ ଭାଷାରେ Flavian Amphitheatre - ଫ୍ଲାଭିଆନ୍ ଆମ୍ପିଥିଏଟର୍ ବୋଲି କୁହାଯାଏ । ସମ୍ରାଟ ନିରୋଙ୍କ ପରେ ଆରମ୍ଭ ହୋଇଥିବା ଫ୍ଲାଭିଆନ୍ ରାଜବଂଶର ସମ୍ରାଟମାନେ ଏହାର ନିର୍ମାଣ କରାଇଥିଲେ । [୧୦] ଆଧୁନିକ ଈଂରାଜୀ ଭାଷାରେ ଏହି ନାମ ଅଦ୍ୟାବଧି ବ୍ୟବହୃତ ହେଉଛି କିନ୍ତୁ ଅଧିକାଂଶ ଲୋକେ ଏହାକୁ କୋଲୋଜିୟମ୍ ବୋଲି କହିଥାନ୍ତି । ପ୍ରାଚୀନ ସମୟର କବିମାନଙ୍କ ଭାଷାରେ ଏହାର ନାମ Amphitheatrum Caesareum - ଆମ୍ପିଥେଆଟ୍ରୁମ୍ ସେଜାରିଅମ୍ ଥିଲା ବୋଲି ମଧ୍ୟ ଜଣାପଡ଼ିଛି । [୧୧][୧୨] ଫ୍ଲାଭିଆନ୍ ସମ୍ରାଟ ଭେସ୍ପାସିଆନ୍ ଓ ଟାଇଟସ୍ ଇଟାଲୀର ପୋଜୁଓଲି ସହରରେ ମଧ୍ୟ ଆଉ ଏକ ଆମ୍ପିଥିଏଟର୍ ନିର୍ମାଣ କରାଇଥିଲେ । ଏହାକୁ ମଧ୍ୟ ପୋଜୁଓଲିର ଫ୍ଲାଭିଆନ୍ ଆମ୍ପିଥିଏଟର୍ ବା କୋଲୋଜିୟମ୍ କୁହାଯାଏ । [୧୩]

ଏହି ରଙ୍ଗଭୂମି ନିକଟରେ ନିରୋଙ୍କ ଏକ ବିଶାଳକାୟ ମୂର୍ତ୍ତି (Colossus of Nero) ରହିଥିବାରୁ କାଳକ୍ରମେ ଏହାକୁ କୋଲୋଜିୟମ୍ କୁହାଗଲା ବୋଲି ଲୋକଙ୍କର ବିଶ୍ୱାସ ରହିଛି । [୪] ନିରୋଙ୍କ ପରବର୍ତ୍ତୀ ଶାସକମାନେ କିଛି ବର୍ଷ ପାଇଁ ଏହି ମୂର୍ତ୍ତିକୁ ସୂର୍ଯ୍ୟ ଦେବ ଆପୋଲୋ ବା ହିଲିଓସ୍‍ଙ୍କ ମୂର୍ତ୍ତିରେ ପରିବର୍ତ୍ତିତ କରାଇଥିଲେ । ପରବର୍ତ୍ତୀ ଯୁଗରେ ଶାସକଙ୍କ ସହିତ ମୂର୍ତ୍ତିର ମୁଣ୍ଡ ମଧ୍ୟ ବଦଳି ଚାଲିଥିଲା । ମଧ୍ୟଯୁଗ ପର୍ଯ୍ୟନ୍ତ ଏହି ମୂର୍ତ୍ତି ରୋମାନ୍ ସାମ୍ରାଜ୍ୟର ସ୍ଥାୟିତ୍ୱର ପ୍ରତୀକ ଭାବେ ଦଣ୍ଡାୟମାନ ରହିଥିଲା ।

ଅଷ୍ଟମ ଶତାବ୍ଦୀର ସନ୍ଥ ଭେନେରେବଲ୍ ବିଡ୍‍ଙ୍କ ସମୟର ଏକ ଲେଖରୁ ଏହି ବିଶାଳକାୟ ମୂର୍ତ୍ତି ସମ୍ପର୍କରେ ଭବିଷ୍ୟବାଣୀ ରୂପରେ ଲେଖା ହୋଇଥିଲା ଯେ : ଯେତେବେଳ ଯାଏଁ ଏହି ବିଶାଳ ମୂର୍ତ୍ତି ଦଣ୍ଡାୟମାନ, ସେବେ ପର୍ଯ୍ୟନ୍ତ ରୋମ୍ ଜୀବିତ ରହିବ । ବିଶାଳ ମୂର୍ତ୍ତି ଧ୍ୱଂସ ହେଲେ ରୋମ୍‍ର ପତନ ଘଟିବ ଓ ରୋମ୍‍ର ପତନ ଘଟିଲେ ବିଶ୍ୱ ଧ୍ୱଂସ ହୋଇଯିବ (ମୂଳ ଲାଟିନ୍ ଲେଖା : Quamdiu stat Colisæus, stat et Roma; quando cadet colisæus, cadet et Roma; quando cadet Roma, cadet et mundus) । [୧୪] ଏହି ଲେଖାରେ ବ୍ୟବହୃତ “colisæus” ଶବ୍ଦ କୋଲୋଜିୟମ୍ ଉଦ୍ଦେଶ୍ୟରେ କୁହାଯାଇଛି ବୋଲି ବହୁ ଲେଖକ ଓ କବିଙ୍କର ଭୁଲ ଧାରଣା ରହିଥିଲା । ତେବେ ପରବର୍ତ୍ତୀ ସମୟରେ ବିଶାଳକାୟ ମୂର୍ତ୍ତିର ପତନ ଘଟିଲା । ମୂର୍ତ୍ତିର ନିର୍ମାଣରେ ବ୍ୟବହୃତ ବ୍ରୋଞ୍ଜ୍ ଧାତୁ ଉଦ୍ଧାର କରିବା ପାଇଁ ଏପରି କରାଯାଇଥିବା ସମ୍ଭବପର । ଖ୍ରୀଷ୍ଟାବ୍ଦ ୧୦୦୦ ବେଳକୁ କୋଲୋଜିୟମ୍ ଶବ୍ଦ କେବଳ ଆମ୍ପିଥିଏଟର୍ ବା ରଙ୍ଗଭୂମିକୁ ବୁଝାଉଥିଲା । କ୍ରମଶଃ ବିଶାଳ ମୂର୍ତ୍ତିକୁ ସମସ୍ତେ ଭୁଲିଗଲେ । ଏହି ବିଶାଳ ମୂର୍ତ୍ତିର ନିମ୍ନ ଭିତ୍ତିଟି କୋଲୋଜିୟମ୍ ଓ ଭେନସ୍ ଓ ରୋମାଙ୍କ ମନ୍ଦିର ମଝିରେ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି । [୧୫]

ମଧ୍ୟଯୁଗରେ ଅନ୍ୟାନ୍ୟ ଭାଷାରେ କୋଲୋଜିୟମ୍ ନାମର ବିଭିନ୍ନ ରୂପ ଜନ୍ମ ନେଲା । କୋଲୋଜିୟମ୍ ଇଟାଲୀୟ ଭାଷାରେ il Colosseo, ରୋମାନୀୟ ଭାଷାରେ Coloseumul, ଫରାସୀ ଭାଷାରେ le Colisée, ସ୍ପେନୀୟ ଭାଷାରେ el Coliseo ଓ ପର୍ତ୍ତୁଗୀଜ ଭାଷାରେ o Coliseu ଭାବେ ଜଣା ।

ଇତିହାସ[ସମ୍ପାଦନା]

ନିର୍ମାଣ, ଉଦ୍‍ଘାଟନ ଓ ନବୀକରଣ[ସମ୍ପାଦନା]

କୋଲୋଜିୟମ୍
ଖ୍ରୀଷ୍ଟାବ୍ଦ ୮୦ରେ କୋଲୋଜିୟମ୍‍ର ଉଦ୍‍ଘାଟନ ଉତ୍ସବ ଅବସରରେ ସମ୍ରାଟ ଟାଇଟସ୍‍ଙ୍କଦ୍ୱାରା ପ୍ରଚଳନ କରାଯାଇଥିବା ସେଷ୍ଟେରିୟସ୍ ମୁଦ୍ରା
ରୋମାନ୍ ସାମ୍ରାଜ୍ୟର ଶାସନ କାଳରେ କେନ୍ଦ୍ରୀୟ ରୋମ୍‍ର ଏକ ମାନଚିତ୍ର । ଏହି ମାନଚିତ୍ରର ଉତ୍ତର-ପୂର୍ବ କୋଣରେ କୋଲୋଜିୟମ୍ ଦେଖିବାକୁ ମିଳେ

ସେଲିୟାନ୍, ଏସ୍କୁଇଲାଇନ୍ ଓ ପାଲାଟାଇନ୍ ନାମକ ତିନୋଟି ପାହାଡ଼ (ଉଚ୍ଚଭୂମି)ଦ୍ୱାରା ପରିବେଷ୍ଟିତ ନିମ୍ନ ସମତଳ ଉପତ୍ୟକାରେ କୋଲୋଜିୟମ୍ ନିର୍ମାଣ କରିବା ପାଇଁ ସ୍ଥିର କରାଯାଇଥିଲା । ଏହି ଉପତ୍ୟକା ଦେଇ ଏକ ନାଳ ବା ସ୍ରୋତ ପ୍ରବାହିତ ହେଉଥିଲା । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀ ବେଳକୁ ଏହି ଅଞ୍ଚଳ ଜନବସତି ପୂର୍ଣ୍ଣ ଥିଲା । ପ୍ରାୟ ଖ୍ରୀଷ୍ଟାବ୍ଦ ୬୪ ସମୟର ଏକ ଭୟାବହ ଅଗ୍ନିକାଣ୍ଡରେ ଏହି ଅଞ୍ଚଳର ଜନ ବସତି ଧ୍ୱଂସ ହୋଇଗଲା । ତାହା ପରେ ନିରୋ ଏହି ଅଞ୍ଚଳକୁ ବ୍ୟକ୍ତିଗତ ସମ୍ପତ୍ତି ପରି ନିଜ ନିୟନ୍ତ୍ରଣରେ ନେଇଗଲେ ଓ ସେଠାରେ “ଡୋମୁସ୍ ଔରିଆ” ନାମକ ନିଜର ପ୍ରାସାଦ ନିର୍ମାଣ କରାଇଲେ । ପ୍ରାସାଦ ସମ୍ମୁଖରେ ସେ ଏକ ବଡ଼ ପୋଖରୀ, ଜଳ ଯୋଗାଣ ପାଇଁ ବିରାଟ ନଳ, ବଗିଚା ଇତ୍ୟାଦି ତିଆରି କରାଇଲେ ଓ ପ୍ରାସାଦର ପ୍ରବେଶ ଦ୍ୱାର ସମ୍ମୁଖରେ ଏକ ବିଶାଳକାୟ ବ୍ରୋଞ୍ଜ୍ ମୂର୍ତ୍ତି ସ୍ଥାପିତ କରାଇଲେ । [୧୫]

୧୯୦୪ ମସିହାର “ଲେକ୍ସିକନ୍ ଦେର୍ ଗେସାମ୍‍ଟେନ୍ ଟେସ୍ନିକ୍”ରେ ଦର୍ଶିତ କୋଲୋଜିୟମ୍‍ର ନକସା

କାଳକ୍ରମେ ନିରୋଙ୍କ ପ୍ରାସାଦ ସମ୍ପୂର୍ଣ୍ଣ ବିଧ୍ୱସ୍ତ ହେଲା କିନ୍ତୁ ମୂର୍ତ୍ତିଟି ପୂର୍ବବତ୍ ରହିଥିଲା । ପୋଖରୀଟିକୁ ପୋତି ଦିଆଗଲା ଓ ତାହାକୁ ଫ୍ଲାଭିଆନ୍ ରଙ୍ଗମଞ୍ଚ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଗଲା । ଡୋମୁସ୍ ଔରିଆ ଥିବା ସ୍ଥାନରେ ତରବାରୀଚାଳକଙ୍କ ରହିବା କୋଠା ଓ ଅନ୍ୟାନ୍ୟ ଅଟ୍ଟାଳିକା ନିର୍ମାଣ କରାଗଲା । ବ୍ୟକ୍ତିଗତ ବ୍ୟବହାର ପାଇଁ ସାଧାରଣ ଲୋକଙ୍କଠାରୁ ନିରୋ ଛଡ଼ାଇ ନେଇଥିବା ଭୂମିରେ ଭେସ୍ପାସିଆନ୍ ସାଧାରଣ ଜନତାଙ୍କ ଆମୋଦ ପ୍ରମୋଦ ପାଇଁ ରଙ୍ଗଭୂମି ନିର୍ମାଣ କରାଇ ପରୋକ୍ଷରେ ଜନତାଙ୍କୁ ତାଙ୍କ ସ୍ଥାନ ଫେରାଇବାକୁ ଚେଷ୍ଟା କରିଥିଲେ । ଅନ୍ୟ ସ୍ଥାନରେ ଅବସ୍ଥିତ ରଙ୍ଗଭୂମି ନଗର ବାହାରେ ଏକ ଦୂର ସ୍ଥାନରେ ନିର୍ମିତ ହୋଇଥିବା ବେଳେ ରୋମ୍‍ର କୋଲୋଜିୟମ୍ ନଗରର ଠିକ୍ କେନ୍ଦ୍ର ବା ହୃଦୟରେ ଅବସ୍ଥିତ ।

ଖ୍ରୀଷ୍ଟାବ୍ଦ ୭୦ରେ ଜିଉ ବିଦ୍ରୋହ ବେଳେ ସେଠାକାର ଦ୍ୱିତୀୟ ଜିଉ ମନ୍ଦିରରୁ ଲୁଣ୍ଠନ କରାଯାଥିବା ଅମାପ ଧନ ସମ୍ପତ୍ତି ବ୍ୟବହାର କରି କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ଓ ତାହାପରେ ଜେରୁଜେଲମ୍ ଅକ୍ତିଆର କରାଯାଇଥିଲା । ଏକ ଶିଳାଲେଖରୁ ଜଣାଯାଏ ଯେ ଲୁଣ୍ଠିତ ଧନରେ ସେନାପତିଙ୍କ ଭାଗକୁ ବ୍ୟୟ କରି ଭେସ୍ପାସିଆନ୍ ନୂଆ ରଙ୍ଗଭୂମିର ନିର୍ମାଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ପତ୍ତି ସହିତ ଅନେକ ଜିଉ ସୈନିକ ରୋମ୍‍କୁ ଯୁଦ୍ଧବନ୍ଦୀ ଭାବେ ଆସିଥିଲେ ଯେଉଁମାନଙ୍କୁ କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏହି ଭୃତ୍ୟମାନେ କଠିନ ପରିଶ୍ରମର ସହିତ ତିଭୋଲି ନିକଟରୁ ଟ୍ରାଭେର୍ଟାଇନ୍ ପଥର ଖୋଳୁଥିଲେ ଓ ସେହି ପଥରମାନଙ୍କୁ ୨୦ ମାଇଲ୍ କାନ୍ଧରେ ବୋହି ବୋହି ତିଭୋଲିରୁ ରୋମ୍ ପର୍ଯ୍ୟନ୍ତ ଆସୁଥିଲେ । [୧୬] ଏହି ଶ୍ରମିକମାନଙ୍କ ସହିତ ଅନେକ ସ୍ଥାପତ୍ୟ ଓ ନିର୍ମାଣ କୌଶଳରେ ବିଶାରଦ ରୋମାନ୍ ମିସ୍ତ୍ରୀ, ଯନ୍ତ୍ରୀ, ରଙ୍ଗମିସ୍ତ୍ରୀ, ସ୍ଥପତି ଇତ୍ୟାଦି କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ।

ଭେସ୍ପାସିଆନ୍‍ଙ୍କ ଶାସନକାଳରେ[୪] ପ୍ରାୟ ୭୦-୭୨ ଖ୍ରୀଷ୍ଟାବ୍ଦ ବେଳକୁ କୋଲୋଜିୟମ୍‍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା (୭୩-୭୫ ଖ୍ରୀଷ୍ଟାବ୍ଦ ବୋଲି ଆଉ କିଛି ଗବେଷକ ମତ ରଖିଛନ୍ତି) ।[୧୬] ଭେସ୍ପାସିଆନ୍‍ଙ୍କ ମୃତ୍ୟୁ (ଖ୍ରୀଷ୍ଟାବ୍ଦ ୭୯) ବେଳକୁ କୋଲୋଜିୟମ୍‍ର ତୃତୀୟ ମହଲା ପର୍ଯ୍ୟନ୍ତ କାର୍ଯ୍ୟ ସମାପ୍ତ ହୋଇସାରିଥିଲା । ଖ୍ରୀଷ୍ଟାବ୍ଦ ୮୦ ମସିହାରେ ଏହାର ସବୁଠାରୁ ଉପର ମହଲାର ନିର୍ମାଣ କାର୍ଯ୍ୟ ଭେସ୍ପସିଆନ୍‍ଙ୍କ ପୁତ୍ର ଟାଇଟସ୍‍ଙ୍କ ଶାସନ କାଳରେ ସମ୍ପୂର୍ଣ୍ଣ ହୋଇଥିଲା । [୪] ଏହାପରେ ଖ୍ରୀଷ୍ଟାବ୍ଦ ୮୦ କିମ୍ବା ୮୧ ମସିହାରେ କୋଲୋଜିୟମ୍‍ରେ ପ୍ରଥମ ଥର ପାଇଁ ଶିକାର କ୍ରୀଡ଼ା ଆରମ୍ଭ କରାଯାଇଥିଲା । [୧୬] ଡିଓ କେସିୟସ୍‍ଙ୍କ ମତରେ ଫ୍ଲାଭିଆନ୍ ରଙ୍ଗମଞ୍ଚର ଉଦ୍‍ଘାଟନୀ କ୍ରୀଡ଼ାରେ ୯୦୦୦ରୁ ଉର୍ଦ୍ଧ୍ୱ ବନ୍ୟଜନ୍ତୁଙ୍କୁ ହତ୍ୟା କରାଯାଇଥିଲା । ଏହି ଅବସରରେ ସମ୍ରାଟଙ୍କଦ୍ୱାରା ଏକ ନୂଆ ମୁଦ୍ରାର ପ୍ରଚଳନ ମଧ୍ୟ କରାଯାଇଥିଲା । [୧୭] ଭେସ୍ପାସିଆନ୍‍ଙ୍କ କନିଷ୍ଠତମ ପୁତ୍ର ଡୋମିଟିଆନ୍ ସମ୍ରାଟ ହେବା ପରେ କୋଲୋଜିୟମ୍‍ରେ କେତେକ ପରିବର୍ତ୍ତନ କରିଥିଲେ, ଯଥା : ମୁଖ୍ୟ ରଙ୍ଗଭୂମି ତଳେ ଭୂତଳ କୋଠରୀ, ସୁଡ଼ଙ୍ଗ, ପଶୁ ଓ କ୍ରୀତଦାସଙ୍କୁ ରଖିବା କୋଠରୀ ଇତ୍ୟାଦି ନୂତନ ଭାବେ ତିଆରି କରାଯାଇଥିଲା । କୋଲୋଜିୟମ୍‍ର ଗ୍ୟାଲେରିଗଡ଼ିକରେ ଅଧିକ ଦର୍ଶକ ବସି ପାରିବାର ବ୍ୟବସ୍ଥା ମଧ୍ୟ ଡୋମିଟିଆନ୍‍ଙ୍କ ସମୟରେ କରାଯାଇଥିଲା ।[୧୮]

୨୧୭ ଖ୍ରୀଷ୍ଟାବ୍ଦରେ ହୋଇଥିବା ଏକ ଭୟାବହ ଅଗ୍ନିକାଣ୍ଡ କୋଲୋଜିୟମ୍‍କୁ କ୍ଷତି ପହଞ୍ଚାଇଥିଲା (ଡିଓ କେସିୟସ୍‍ଙ୍କ ମତରେ ଏହି ଅଗ୍ନିକାଣ୍ଡର କାରଣ ବଜ୍ରପାତ ଥିଲା [୧୯]) ଯେଉଁଥିରେ ଏହାର କାଷ୍ଠ ନିର୍ମିତ ଉପର ମହଲାର ଅନ୍ତଃସଜ୍ଜା ନଷ୍ଟ ହୋଇଯାଇଥିଲା । ଖ୍ରୀଷ୍ଟାବ୍ଦ ୨୪୦ ପର୍ଯ୍ୟନ୍ତ ଏହାର ମରାମତି ସମ୍ପୂର୍ଣ୍ଣ ହୋଇନଥିଲା । ଖ୍ରୀ. ୨୫୦ ବା ୨୫୨ ମସିହାରେ ଓ ଖ୍ରୀ. ୩୨୦ ବେଳକୁ କିଛି ମରାମତି କାର୍ଯ୍ୟ କରାଯାଇଥିଲା । ଖ୍ରୀ. ୪୩୫ ମସିହା ପର୍ଯ୍ୟନ୍ତ କୋଲୋଜିୟମ୍‍ରେ ଗ୍ଲାଡିଏଟର୍‍ମାନଙ୍କ ଯୁଦ୍ଧ ପ୍ରଦର୍ଶନ ହେଉଥଲା ବୋଲି ଜଣାପଡ଼େ । ଉଦ୍ଧାର ହୋଇଥିବା ଏକ ପୁରାତନ ଲେଖରୁ ଜଣାପଡ଼େ ଯେ ଥିଓଡୋସିୟସ୍ ଦ୍ୱିତୀୟ, ଓ ଖ୍ରୀ. ୪୨୫-୪୫୫ ପର୍ଯ୍ୟନ୍ତ ରାଜୁତି କରିଥିବା ଭାଲେଣ୍ଟିନିଆନ୍ ତୃତୀୟ ଅନେକ ମରାମତି କାର୍ଯ୍ୟ କରାଇଥିଲେ । ୪୪୩ ମସିହାରେ ହୋଇଥିବା ଏକ ଭୂମିକମ୍ପରୁ ହୋଇଥିବା କ୍ଷୟକ୍ଷତିର ମରାମତି ଏହି ସମୟରେ କରାଯାଇଥିବା ସମ୍ଭବପର । ୪୮୪ ମସିହାରେ ଭୂମିକମ୍ପ ପରେ ପୁଣି କିଛି ମରାମତି କାମ କରାଯାଇଥିବାର ଉଲ୍ଲେଖ ମଧ୍ୟ ରହିଛି [୨୦] ଓ ଖ୍ରୀ. ୫୦୮ରେ ମଧ୍ୟ କିଛି ମରାମତି କାମ ହୋଇଥିଲା । ୬ଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ କୋଲୋଜିୟମ୍‍ର ରଙ୍ଗଭୂମିରେ ଯୁଦ୍ଧ ପ୍ରତିଯୋଗିତା, ଜୀବଜନ୍ତୁଙ୍କ ଶିକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା ଓ ଦର୍ଶକ ଏହାକୁ ଉପଭୋଗ କରୁଥିଲେ । ଖ୍ରୀ. ୫୨୩ ପର୍ଯ୍ୟନ୍ତ ଶିକାର କ୍ରୀଡ଼ା ବଜାୟ ରହିଥିଲା । ଏହି ସମୟରେ ଆନିସିୟସ୍ ମାକ୍ସିମସ୍ ପାରିଷଦ ହେବା ଖୁସିରେ ଏକ ବ୍ୟୟବହୁଳ ଶିକାର କ୍ରୀଡ଼ାର ଆୟୋଜନ କରାଇଥିଲେ । ତତ୍କାଳୀନ ରାଜା ଥିଓଡୋରିକ୍ ଅତ୍ୟଧିକ ଖର୍ଚ୍ଚ ପାଇଁ ଏହାର କଟୁ ସମାଲୋଚନା କରିଥିଲେ ।[୧୫]

ମଧ୍ୟଯୁଗରେ କୋଲୋଜିୟମ୍[ସମ୍ପାଦନା]

ଏକ ମଧ୍ୟଯୁଗୀୟ ରୋମ୍ ମାନଚିତ୍ରରେ କୋଲୋଜିୟମ୍ ଦର୍ଶିତ ହୋଇଛି

ମଧ୍ୟଯୁଗରେ କୋଲୋଜିୟମ୍‍ର ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଥିଲା । ୬ଷ୍ଠ ଶତାବ୍ଦୀର ଶେଷ ଆଡ଼କୁ କୋଲୋଜିୟମ୍‍ର ଅଭ୍ୟନ୍ତରରେ ଏକ କ୍ଷୁଦ୍ର ପ୍ରାର୍ଥନା କକ୍ଷ ନିର୍ମିତ ହୋଇଥିଲା । ତେବେ ସେତେବେଳ ପର୍ଯ୍ୟନ୍ତ କୋଲୋଜିୟମ୍‍ରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଉନଥିଲା । ପରବର୍ତ୍ତୀ କାଳରେ ଏହାକୁ ଏକ କବରସ୍ତାନରେ ପରିଣତ କରିଦିଆଯାଇଥିଲା । କୋଲୋଜିୟମ୍‍ର ଅନେକ ଅଂଶକୁ ଘର ବା ପ୍ରୟୋଗଶାଳାରେ ପରିଣତ କରିଦିଆଗଲା । ଖ୍ରୀ. ୧୨୦୦ ବେଳକୁ ଫ୍ରାଂଗିପାନି ପରିବାର କୋଲୋଜିୟମ୍‍କୁ ପ୍ରାଚୀରଦ୍ୱାରା ପରିବେଷ୍ଟିତ କରାଇ ଏହାକୁ ଏକ ଦୁର୍ଗ ପରି ବ୍ୟବହାର କଲେ ।

୧୩୪୯ ମସିହାରେ ହୋଇଥିବା ଅତିତୀବ୍ର ଭୂମିକମ୍ପ କୋଲୋଜିୟମ୍‍କୁ ପ୍ରଭୁତ କ୍ଷତି ପହଞ୍ଚାଇଥିଲା । କୋଲୋଜିୟମ୍‍ର ଦକ୍ଷିଣ ପଟର ମାଟି ଅପେକ୍ଷାକୃତ ଢିଲା ; ଯାହା ଫଳରେ ଦକ୍ଷିଣ ପଟ ଏହି ଭୂମିକମ୍ପରେ ଭୁଷୁଡ଼ି ପଡ଼ିଥିଲା । କୋଲୋଜିୟମ୍ ଭାଙ୍ଗି ସେଥିରୁ ଖସି ପଡ଼ିଥିବା ପଥରକୁ ଭୂମିକମ୍ପ ପ୍ରଭାବିତ ପ୍ରାସାଦ, ଗୀର୍ଜାଘର, ଚିକିତ୍ସାଳୟ ଓ ଅନ୍ୟ ପ୍ରମୁଖ ଅଟ୍ଟାଳିକାର ମରାମତି ପାଇଁ ବ୍ୟବହାର କରାଗଲା । ୧୪ଶ ଶତାବ୍ଦୀର ମଧ୍ୟଭାଗରେ କିଛି ସନ୍ଥ କୋଲୋଜିୟମ୍‍କୁ ଆସିଲେ [୨୧] ଓ ସେଠାରେ ୧୯ଶ ଶତାବ୍ଦୀ ପର୍ଯ୍ୟନ୍ତ ବସବାସ କଲେ । ଏହି ସମୟରେ କୋଲୋଜିୟମ୍‍ର ଆଭ୍ୟନ୍ତରୀଣ ପଥର ବାହାର କରି ନିଆଯାଇଥିଲା ଓ ଅନ୍ୟ ନିର୍ମାଣ କାମରେ ବ୍ୟବହୃତ ହେବାକୁ ଲାଗିଲା । କିଛି ପଥର ଚୂନ ତିଆରି କରିବାରେ ବ୍ୟବହୃତ ହେଲା ।[୧୫] ପଥରକୁ ବାନ୍ଧି ରଖିବା ପାଇଁ ବ୍ୟବହୃତ ବ୍ରୋଞ୍ଜ୍ ଖଞ୍ଜାସବୁ ତାଡ଼ି ବାହାର କରିଦିଆଗଲା ଓ କୋଲୋଜିୟମ୍ ଶରୀରରେ ଏ ସବୁ ଚିହ୍ନ ବର୍ତ୍ତମାନ ସୁଦ୍ଧା ରହିଛି ।

ଆଧୁନିକ ଯୁଗରେ କୋଲୋଜିୟମ୍[ସମ୍ପାଦନା]

ଜିଓଭାନି ବାତିସ୍ତା ପିରାନେସିଙ୍କଦ୍ୱାରା ୧୭୫୭ ମସିହାରେ ଖୋଦିତ ଏକ ଶିଳାଚିତ୍ରରେ କୋଲୋଜିୟମ୍ ପ୍ରଦର୍ଶିତ
ଜିଓଭାନି ପାଓଲୋ ପାନିନିଙ୍କଦ୍ୱାରା ୧୭୪୭ ମସିହାରେ ଅଙ୍କିତ ଚିତ୍ରରେ କୋଲୋଜିୟମ ଓ ତା’ ନିକଟରେ ଗଢ଼ି ଉଠୁଥିବା ଜନବସତି ପ୍ରଦର୍ଶିତ

୧୬ଶ ଓ ୧୭ଶ ଶତାବ୍ଦୀରେ ଗୀର୍ଜା ପ୍ରଶାସନ କୋଲୋଜିୟମ୍‍କୁ ସମାଜ ପାଇଁ ଉପଯୋଗୀ କାର୍ଯ୍ୟରେ ବ୍ୟବହାର କରିବାକୁ ମନ ବଳାଇଲା । ପୋପ୍ ସିକ୍ସଟସ୍ ପଞ୍ଚମ (୧୫୮୫-୧୫୯୦) ଏଠାରେ ଏକ ଗରମ ପୋଷାକ କାରଖାନା ନିର୍ମାଣ କରି ସେଥିରେ ରୋମ୍‍ର ଦେହଜୀବୀମାନଙ୍କୁ ରୋଜଗାର ଦେବାପାଇଁ ଇଚ୍ଛା କରିଥିଲେ କିନ୍ତୁ ତାଙ୍କ ଅକାଳ ମୃତ୍ୟୁ ଯୋଗୁଁ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲାନାହିଁ । [୨୨] ୧୬୭୧ ମସିହାରେ କାର୍ଡିନାଲ୍ ଆଲତ୍ୟେରି କୋଲୋଜିୟମ୍ ପ୍ରାଙ୍ଗଣରେ ଷଣ୍ଢ ଲଢ଼େଇ ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଥିଲେ କିନ୍ତୁ ସାଧାରଣ ଲୋକଙ୍କ ବିରୋଧ ଯୋଗୁଁ ଏହି ଅନୁମତି ବାତିଲ କରିଦିଆଗଲା ।

୧୯୪୪ ସ୍ୱାଧୀନତା ପ୍ରାପ୍ତି ପରେ ମିତ୍ରଶକ୍ତି ସୈନ୍ୟମାନେ କୋଲୋଜିୟମ୍ ବାହାରେ ଏକ ଗାଇଡ୍ ବୁକ୍ ଦେଖୁଥିବାର ଚିତ୍ର

୧୭୪୯ ମସିହାରେ ପୋପ୍ ବେନେଡିକ୍ଟ-୧୪ ମତ ରଖିଥିଲେ ଯେ କୋଲୋଜିୟମ୍ ଏକ ପବିତ୍ର ସ୍ଥଳ ଯେଉଁଠାରେ ଅନେକ ଖ୍ରୀଷ୍ଟଧର୍ମାବଲମ୍ବୀ ସହୀଦ ହୋଇଥିଲେ, ତେଣୁ ଏହାକୁ ପଥର ବାହାର କରିବା ବ୍ୟବହାର କରାନଯାଇ ବରଂ ଧାର୍ମିକ କାର୍ଯ୍ୟ ପାଇଁ ବ୍ୟବହାର କରାଯିବା ଉଚିତ୍ । ସେ ଏଠାରେ ଏକ ପବିତ୍ର ଯୁକ୍ତ ପ୍ରତୀକ ସ୍ଥାପନା କରାଇଲେ । ତେବେ ପୋପ୍ ବେନେଡିକ୍ଟଙ୍କ ମତରେ କୌଣସି ସତ୍ୟତା ଥିବାର ଐତିହାସିକ ପ୍ରମାଣ ନାହିଁ । [୨୩]

ଥୋମାସ୍ କୋଲ୍‍ଙ୍କଦ୍ୱାରା ୧୮୩୨ ମସିହାରେ ଅଙ୍କିତ Interior of the Colosseum, Rome (ରୋମ୍‍ସ୍ଥିତ କୋଲୋଜିୟମ୍‍ର ଅଭ୍ୟନ୍ତର) ଚିତ୍ରରେ ପବିତ୍ର ଯୁକ୍ତ ଚିହ୍ନ ଦେଖିବାକୁ ମିଳେ

ପରବର୍ତ୍ତୀ କାଳର ପୋପ୍‍ମାନେ କୋଲୋଜିୟମ୍ ଭିତରେ ବଢ଼ି ଯାଇଥିବା ଲଟାବୁଦା ଓ ଅନାବନା ଗଛ ସଫା କରି ଏହାର ପୁନରୁଦ୍ଧାର କରିଥିଲେ । କୋଲୋଜିୟମ୍‍ର କାନ୍ଥଗୁଡ଼ିକର ପୁନରୁଦ୍ଧାର ପାଇଁ ୧୮୦୭ ଓ ୧୮୨୭ରେ ଦୁଇଟି ପ୍ରକଳ୍ପ ଆରମ୍ଭ ହୋଇଥିଲା । ୧୮୩୧, ୧୮୪୬ ଓ ୧୯୩୦ ଦଶନ୍ଧିରେ କୋଲୋଜିୟମ୍‍ର ଅଭ୍ୟନ୍ତରର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି । ୧୮୧୦-୧୮୧୪ ଓ ୧୮୭୪ରେ ଏହାର ରଙ୍ଗଭୂମି ପ୍ରାଙ୍ଗଣର କିଛି ସ୍ଥାନ ଖନନ କରାଯାଇଥିଲା । ଫାସିବାଦର ପ୍ରଚଳନ ସମୟରେ ବେନିତୋ ମୁସୋଲିନି ଇଟାଲୀର ସର୍ବେସର୍ବା ହେଲେ ଓ ତାଙ୍କ ସମୟରେ (୧୯୩୦ ଦଶନ୍ଧିରେ) ମୁଖ୍ୟ ରଙ୍ଗଭୂମି ପ୍ରାଙ୍ଗଣକୁ ସମ୍ପୂର୍ଣ୍ଣ ଭାବେ ଉନ୍ମୁକ୍ତ କରିଦିଆଗଲା । [୧୫]

ଆଜି କୋଲୋଜିୟମ୍ ରୋମ୍‍କୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ପ୍ରତିବର୍ଷ ଏଠାକୁ ଲକ୍ଷ ଲକ୍ଷ ଲୋକ ଆସନ୍ତି । ଏତେ ପର୍ଯ୍ୟଟକଙ୍କ ଆଗମନ ହେଉଥିବାରୁ ଓ ପ୍ରଦୂଷଣ ଯୋଗୁଁ ସମୟେ ସମୟେ ସାମାନ୍ୟ କ୍ଷୟକ୍ଷତି ହୁଏ ଓ ୧୯୯୩ରୁ ନେଇ ୨୦୦୦ ମସିହା ମଧ୍ୟରେ ଅନେକ ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ପଡ଼ିଛି । ଏହି ପୁନରୁଦ୍ଧାର କାର୍ଯ୍ୟ ପାଇଁ ପ୍ରାୟ ୪୦୦୦ କୋଟି ଇଟାଲୀୟ ଲିରା (୨୦୦୦ ମସିହାରେ ୧୯୩ ଲକ୍ଷ ଆମେରିକୀୟ ଡଲାର୍ ବା ୨୦୬ ଲକ୍ଷ ୟୁରୋ) ବ୍ୟୟବରାଦ ହୋଇଥିଲା ।

୧୯୪୮ ମସିହାରେ ଇଟାଲୀରେ ପ୍ରାଣଦଣ୍ଡ ଉଚ୍ଛେଦ କରାଯାଇଥିଲା ଓ ତା’ ପରଠାରୁ କୋଲୋଜିୟମ୍ ପ୍ରାଣଦଣ୍ଡ ବିରୋଧୀ ଅନ୍ତର୍ଜାତୀୟ ମତବାଦର ପ୍ରତୀକ ରୂପେ ଗୃହୀତ ହୋଇଛି । ୨୦୦୦ ମସିହାରେ କୋଲୋଜିୟମ୍ ସମ୍ମୁଖରେ ଅନେକ ପ୍ରାଣଦଣ୍ଡ-ବିରୋଧୀ ଶୋଭାଯାତ୍ରା ହୋଇସାରିଛି । ବିଶ୍ୱର ଯେକୌଣସି ଦେଶରେ ପ୍ରାଣଦଣ୍ଡ ପାଇଥିବା ବ୍ୟକ୍ତିର ଦଣ୍ଡ କୋହଳ କରାଗଲେ ବା ତାକୁ ଛାଡ଼ି ଦିଆଗଲେ ବା କୌଣସି ଦେଶର ନ୍ୟାୟିକ ବ୍ୟବସ୍ଥାରୁ ପ୍ରାଣଦଣ୍ଡ ନିଷିଦ୍ଧ କରିଦିଆଗଲେ କୋଲୋଜିୟମ୍‍କୁ ପ୍ରଜ୍ଜ୍ୱଳିତ କରୁଥିବା ଆଲୁଅର ରଙ୍ଗ ଧଳା ପରିବର୍ତ୍ତେ ସୁନେଲୀ କରିଦିଆଯାଏ । ପ୍ରାଣଦଣ୍ଡ-ବିରୋଧୀ ମତବାଦର ସଫଳତା ପାଇଁ ଏମିତି କରାଯାଇଥାଏ ।[୨୪] ୨୦୧୨ ମସିହା ଅପ୍ରେଲ୍ ମାସରେ ଆମେରିକାର କନେକ୍ଟିକଟ୍ ରାଜ୍ୟରେ ମୃତ୍ୟୁଦଣ୍ଡ ନିଷେଧ କରି ଦିଆଗଲା ଓ ତାହାକୁ ସମର୍ଥନ କରି ୨୦୧୨ ମସିହା ନଭେମ୍ବର ମାସରେ କୋଲୋଜିୟମ୍‍ର ରାତ୍ରି ଆଲୋକକୁ ସୁନେଲୀ କରିଦିଆଯାଇଥିଲା ।[୨୫]

କୋଲୋଜିୟମ୍‍ର ଆଭ୍ୟନ୍ତରୀଣ ଭାଗ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏଠାରେ କୌଣସି ଉତ୍ସବ ବା ସମାରୋହ ଆୟୋଜନ କରିବା ପାଇଁ ଏହା ଅନୁପଯୁକ୍ତ । ବର୍ତ୍ତମାନ କେବଳ ଅଳ୍ପ ସମୟ ପାଇଁ କିଛି ଶହ ଲୋକ ଏହା ମଧ୍ୟକୁ ଯାଇପାରିବେ । ତେବେ କୋଲୋଜିୟମ୍‍କୁ ପୃଷ୍ଠଭୂମି କରି ବାହାରେ ଅନେକ ସମାରୋହ ଓ ଉତ୍ସବ ପାଳନ କରାଯାଏ ।ରେ ଚାର୍ଲ୍‍ସ୍ (ମଇ ୨୦୦୨) [୨୬], ପଲ୍ ମକାର୍ଟ୍‍ନେ (ମଇ ୨୦୦୩) [୨୭], ଏଲଟନ୍ ଜନ୍ (ସେପ୍ଟେମ୍ବର୍ ୨୦୦୫) [୨୮] ଓ ବିଲି ଜୋଏଲ୍ (ଜୁଲାଇ ୨୦୦୬) ପରି ବହୁ ନାମୀଦାମୀ କଳାକାର କୋଲୋଜିୟମ୍‍ଠାରେ ନିଜର ସଙ୍ଗୀତ-କଳା ପ୍ରଦର୍ଶନ କରିଛନ୍ତି ।

ଆଜିର ବ୍ୟସ୍ତ ରୋମ୍ ନଗରୀର ପୃଷ୍ଠଭୂମିରେ କୋଲୋଜିୟମ୍

ଗଠନାତ୍ମକ ତଥ୍ୟ[ସମ୍ପାଦନା]

ବାହ୍ୟ ଗଠନ[ସମ୍ପାଦନା]

କୋଲୋଜିୟମ୍‍ର ମୂଳ ବାହ୍ୟ କାନ୍ଥ ଓ ଗଠନ

ପ୍ରଚୀନ ଗ୍ରୀକ୍ ସଭ୍ୟତାର ଥିଏଟର୍ ପାହାଡ଼ ଗଡ଼ାଣିରେ ତିଆରି ହେଉଥିଲା କିନ୍ତୁ କୋଲୋଜିୟମ୍ ଏକ ସ୍ୱତନ୍ତ୍ର ଥିଏଟର୍ ବା ରଙ୍ଗମଞ୍ଚ । ଦୁଇଟି ରୋମାନ୍ ଥିଏଟର୍‍ର ଗଠନରୁ କୋଲୋଜିୟମ୍‍ର ସ୍ଥାପତ୍ୟ ଅନୁପ୍ରାଣିତ ହୋଇ ନିର୍ମିତ ହୋଇଛି । କୋଲୋଜିୟମ୍‍ର ଆକାର ଅଣ୍ଡା ପରି, ସର୍ବାଧିକ ବ୍ୟାସ ୧୮୯ ମିଟର୍ (୬୧୫ ଫୁଟ୍) ଓ ସର୍ବନିମ୍ନ ବ୍ୟାସ ୧୫୬ ମିଟର୍ (୫୧୦ ଫୁଟ୍) । ଏହାର ଭୂମିର କ୍ଷେତ୍ରଫଳ ପ୍ରାୟ ୨୪୦୦୦ ବର୍ଗ ମିଟର୍ (୬ ଏକର) । ବାହ୍ୟ ପାର୍ଶ୍ୱର କାନ୍ଥ ୪୮ ମିଟର୍ (୧୫୭ ଫୁଟ୍) ଉଚ୍ଚ । ବାହ୍ୟ ପରିସୀମା ୫୪୫ ମିଟର୍ (୧୭୮୮ ଫୁଟ୍) । ମୁଖ୍ୟ ରଙ୍ଗଭୂମି ପ୍ରାଙ୍ଗଣ ମଧ୍ୟ ଅଣ୍ଡାକୃତି ଯାହାର ସର୍ବାଧିକ ବ୍ୟାସ ୮୭ ମିଟର୍ (୨୮୭ ଫୁଟ୍) ଓ ସର୍ବନିମ୍ନ ବ୍ୟାସ ୫୫ ମିଟର୍ (୧୮୦ ଫୁଟ୍) । ମୁଖ୍ୟ ରଙ୍ଗଭୂମିକୁ ଚାରିପଟୁ ଘେରି ୫ମିଟର୍ (୧୫ ଫୁଟ୍) ଉଚ୍ଚ ଏକ କାନ୍ଥ ରହିଛି । ତା’ ଉପରକୁ ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା ହୋଇଥିଲା ।

ବାହ୍ୟ କାନ୍ଥର ନିର୍ମାଣରେ ପ୍ରାୟ ୧୦୦୦୦୦ ଘନ ମିଟର୍ (୩୫୩୧୪୬୭ ଘନ ଫୁଟ୍) ଟ୍ରାଭେର୍ଟାଇନ୍ ଚୂନ ପଥର ବ୍ୟବହାର ହୋଇଥିବା ଅନୁମାନ କରାଯାଏ । ଏହି ପଥରଗୁଡ଼ିକ ମୋର୍ଟାର ଚୂନ ଓ ୩୦୦ ଟନ୍ ଲୁହା କଡ଼ି ସହାୟତାରେ ପରସ୍ପର ସହ ବାନ୍ଧି ରଖାଯାଇଥିଲା ।[୧୫] କିନ୍ତୁ ବିଭିନ୍ନ ଭୂକମ୍ପ ଯୋଗୁଁ ବିଗତ ଅନେକ ଶତାବ୍ଦୀରୁ ଏହା କ୍ରମାଗତ ଭାବେ ଭୁଷୁଡ଼ି ବର୍ତ୍ତମାନ ଦୟନୀୟ ଅବସ୍ଥାରେ ରହିଛି । କୋଲୋଜିୟମ୍‍ର ଉତ୍ତର ପଟର କାନ୍ଥ ଏବେ ମଧ୍ୟ ଦଣ୍ଡାୟମାନ । ବର୍ତ୍ତମାନ ଦେଖିବାକୁ ମିଳୁଥିବା ତ୍ରିଭୂଜାକାର ଇଟା ଆଧୁନିକ ସମୟରେ (୧୯ଶ ଶତାବ୍ଦୀ) ଯୋଡ଼ାଯାଇଛି । ବର୍ତ୍ତମାନ ଦେଖାଯାଉଥିବା ବାହ୍ୟ କାନ୍ଥର ଅଧିକାଂଶ ଭାଗ ପ୍ରାଚୀନ ଓ ପୁରାତନ ସମୟର ଆନ୍ତଃ-ପ୍ରାଚୀରର ଅଂଶ ।

କୋଲୋଜିୟମ୍‍ର ବାହ୍ୟପାର୍ଶ୍ୱ । ବାମପଟେ ବାହ୍ୟ କାନ୍ଥ ଓ ମଝି ଓ ଡାହାଣ ପଟେ ମୂଳ ନିର୍ମାଣର ଆନ୍ତଃ କାନ୍ଥ ଏବେ ବି ଦୃଶ୍ୟମାନ

ଏଯାବତ୍ ରହିଥିବା ବାହାର ପାର୍ଶ୍ୱର କାନ୍ଥଟି ତିନି ମହଲା ବିଶିଷ୍ଟ । ପ୍ରତି ମହଲାରେ ତୋରଣାବୃତ୍ତ ମାର୍ଗ ରହିଛି । ଦ୍ୱିତୀୟ ଓ ତୃତୀୟ ମହଲାର ଝରକା ତୋରଣ ପୂର୍ବେ ମହାନ ସନ୍ଥ, ବ୍ୟକ୍ତି ଓ ପୌରାଣିକ ଚରିତ୍ରଙ୍କ ମୂର୍ତ୍ତିରେ ସଜ୍ଜିତ ଥିଲା । ତୋରଣାବୃତ୍ତ ମାର୍ଗଟି ଡୋରିକ୍, ଆୟୋନିକ୍ ଓ କୋରିନ୍ଥିଆନ୍ ସ୍ଥାପତ୍ୟ ଶୈଳୀର ପରି ମନେହୁଏ ।[୨୯]

ବାହ୍ୟକାନ୍ଥକୁ ଲାଗି ପୂର୍ବେ ଏକ ଛାତ ରହିଥିଲା ଯାହା ଦର୍ଶକଙ୍କୁ ଖରା ଓ ବର୍ଷାରୁ ରକ୍ଷା କରୁଥିବ । ପୁଣି ଦଉଡ଼ିରେ ବାହାର ପଟରୁ ଭିତର ପଟକୁ କପଡ଼ା ଓ ଜାଲ ବନ୍ଧା ଯାଇଥିଲା, [୪] ଯାହା ଦୋହଲିଲେ ଆମ୍ପିଥିଏଟର୍ ମଧ୍ୟରେ ପବନ ଚଳାଚଳ ହେଉଥିଲା । ରୋମାନ୍ ନୌସେନାର ମୁଖ୍ୟକେନ୍ଦ୍ର ମିସେନମ୍‍ରୁ ନାବିକଙ୍କୁ ଆଣି ନିକଟରେ ରହିଥିବା “କ୍ୟାଷ୍ଟ୍ରା ମିସେନାଟ୍ୟମ୍‍”ରେ ରଖାଯାଇଥିଲା । ସେମାନେ ଏହି ପରଦା/ବିଞ୍ଛଣା ବ୍ୟବସ୍ଥାର ପରିଚାଳନାରେ ସାହାଯ୍ୟ କରୁଥିଲେ । [୩୦]

କୋଲୋଜିୟମ୍‍ର LII ପ୍ରବେଶ ଦ୍ୱାର ଯାହାର ଲେଖା ଏବେ ଯାଏ ଦୃଶ୍ୟମାନ

କୋଲୋଜିୟମ୍‍ରେ ଏକାବେଳକେ ବହୁ ଦର୍ଶକ ବସିବାର ବ୍ୟବସ୍ଥା ଥିବାରୁ, ଏଥିରୁ ଲୋକଙ୍କୁ ବାହାର କରିବା ପାଇଁ ଯଥେଷ୍ଟ ନିକାଶ ମାର୍ଗ ରହିବା ଅତ୍ୟନ୍ତ ଜରୁରୀ ଥିଲା । ଆଧୁନିକ ଷ୍ଟାଡିୟମ୍‍ମାନଙ୍କରେ ଶୀଘ୍ର ନିକାଶ ପାଇଁ ବ୍ୟବହୃତ କୌଶଳ କୋଲୋଜିୟମ୍‍ର ସ୍ଥପତିମାନେ ମଧ୍ୟ ଉପଯୋଗ କରିଥିଲେ । କୋଲୋଜିୟମ୍‍କୁ ପ୍ରବେଶ କରିବା ପାଇଁ ୮୦ଟି ପ୍ରବେଶ ଓ ନିକାଶ ଦ୍ୱାର ରହିଥିଲା ଯେଉଁଥିରୁ ୭୬ଟି ଦର୍ଶକମାନଙ୍କ ଯାତାୟତ ପାଇଁ ବ୍ୟବହୃତ ହେଉଥିଲା ।[୪] ପ୍ରତିଟି ପ୍ରବେଶ ଓ ନିକାଶ ଦ୍ୱାର ତଥା ସିଡ଼ି ସଂଖ୍ୟାଦ୍ୱାରା ଚିହ୍ନିତ ହୋଇଥିଲା । ଉତ୍ତର ପଟର ପ୍ରମୁଖ ପ୍ରବେଶ ଦ୍ୱାର ରୋମ୍‍ର ସମ୍ରାଟ, ରାଜ ପରିବାର, ରାଜାଙ୍କ ଅତିଥି ବା ସଭାଷଦଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଥିଲା । ଅନ୍ୟ ତିନୋଟି ଦିଗର ମୁଖ୍ୟ ଦ୍ୱାର ମଧ୍ୟ ଗଣ୍ୟମାନ୍ୟ ଓ ପ୍ରଭାବଶାଳୀ ଲୋକଙ୍କଦ୍ୱାରା ବ୍ୟବହାର କରାଯାଉଥିଲା । ଚତୁର୍ଦିଗର ମୁଖ୍ୟ ପ୍ରବେଶ ଦ୍ୱାରମାନଙ୍କ ତୋରଣ ଓ ଦୁଆର ବନ୍ଧ ସୁନ୍ଦର କାରୁକାର୍ଯ୍ୟ ଓ ଚିତ୍ରରେ ପରିପୂର୍ଣ୍ଣ । ବର୍ତ୍ତମାନ ଏଥିରୁ ଅଳ୍ପ କିଛି ଭଗ୍ନ ଅବସ୍ଥାରେ ଦେଖିବାକୁ ମିଳେ । ପ୍ରବେଶ ଦ୍ୱାର XXIII (୨୩)ରୁ LIV (୫୪) ଏବେ ଯାଏ ଠିକ୍ ଅବସ୍ଥାରେ ରହିଛନ୍ତି, କିନ୍ତୁ ଅନ୍ୟ ସବୁ ପ୍ରବେଶ ଦ୍ୱାର ଭୁଷୁଡ଼ି ଭାଙ୍ଗି ସାରିଲାଣି ।[୧୫]

କୋଲୋଜିୟମ୍ ମଧ୍ୟକୁ ପ୍ରବେଶ କରିବା ପାଇଁ ପୋଡ଼ା ମାଟିରେ ଚିହ୍ନିତ ଫଳକ ଟିକଟ ପରି ବ୍ୟବହାର କରାଯାଉଥିଲା ଓ ଏହା ଅନୁସାରେ ଲୋକେ ନିଜର ପ୍ରବେଶ ଦ୍ୱାର, ଆସ୍ଥାନ ଓ ଧାଡ଼ି ଜାଣି ପାରୁଥିଲେ । ଧାଡ଼ିମାନଙ୍କ ମଧ୍ୟରେ ରହିଥିବା ପଥ (ମୂଳ ଇଟାଲୀୟ ନାମ vomitoria)ଦ୍ୱାରା ସେମାନେ ନିଜ ଆସ୍ଥାନ ପାଖରେ ପହଞ୍ଚି ପାରୁଥିଲେ । ଏଥିରୁ ଜଣାପଡ଼େ ଯେ ଆଧୁନିକ ସମୟର ଷ୍ଟାଡ଼ିୟମ୍‍ମାନଙ୍କରେ ଯେପରି ତୁରନ୍ତ ପ୍ରବେଶ ଓ ନିକାଶର ବ୍ୟବସ୍ଥା ଥାଏ, କୋଲୋଜିୟମ୍‍ରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଥିଲା । ଏହି vomitoria ଶବ୍ଦଟି ଲାଟିନ୍ ଭାଷାରୁ ଗୃହୀତ ଯାହାର ଅର୍ଥ “ତୁରନ୍ତ ନିକାଶ ବା ସ୍ଖଳନ” ଓ ଏହି ଲାଟିନ୍ ଶବ୍ଦରୁ ଈଂରାଜୀ ଶବ୍ଦ “vomit” (ବାନ୍ତି କରିବା) ଉଦ୍ଧୃତ ହୋଇଛି ।

ଅଭ୍ୟନ୍ତରରେ ଦର୍ଶକଙ୍କ ଆସ୍ଥାନ[ସମ୍ପାଦନା]

ଦର୍ଶକଙ୍କ ବସିବା ଗ୍ୟାଲେରି ବର୍ତ୍ତମାନ ଧ୍ୱଂସ ହୋଇଗଲାଣି

କୋଡେକ୍ସ-କ୍ୟାଲେଣ୍ଡର ୩୫୪ ଅନୁସାରେ କୋଲୋଜିୟମ୍ ମଧ୍ୟରେ ୮୭୦୦୦ ଲୋକ ବସି ପାରୁଥିଲେ । ତେବେ ଆଧୁନିକ ସମୟର ଗବେଷଣା ଅନୁସାରେ ଏଥିରେ ପ୍ରାୟ ୫୦୦୦୦ ଦର୍ଶକ ବସିବା ପାଇଁ ଜାଗା ଥିଲା । ସେମାନଙ୍କ ଆସ୍ଥାନଗୁଡ଼ିକ ଧାଡ଼ି ଧାଡ଼ି ହୋଇ ଏକାଧିକ ସ୍ତରରେ ରହିଥିଲା ଯାହା ତତ୍କାଳୀନ ରୋମ୍ ସମାଜର ଶ୍ରେଣୀ ବିଭାଗ ସମ୍ପର୍କରେ ସୂଚନା ଦିଏ । ସମ୍ରାଟ, ଭେଷ୍ଟା ଦେବୀଙ୍କ ପୂଜାରିଣୀ ଇତ୍ୟାଦିଙ୍କ ପାଇଁ ଯଥାକ୍ରମେ ଉତ୍ତର ଓ ଦକ୍ଷିଣ ଦିଗରେ ସ୍ୱତନ୍ତ୍ର ଦର୍ଶନ କୋଠରୀ ରହିଥିଲା । ଏହି ସ୍ଥାନରୁ ରଙ୍ଗଭୂମି ପ୍ରାଙ୍ଗଣରେ ହେଉଥିବା କାର୍ଯ୍ୟକଳାପର ସର୍ବୋତ୍କୃଷ୍ଟ ଦୃଶ୍ୟ ଦେଖାଯାଉଥିବା ସମ୍ଭବପର । ଏହି ସ୍ୱତନ୍ତ୍ର ଦର୍ଶନ କୋଠରୀ ପାର୍ଶ୍ୱରେ ବେଦି ରହିଥିଲା ଯେଉଁଠାରେ ରାଜ ସଭାଷଦଗଣ, ଉଚ୍ଚପଦସ୍ଥ ଅଧିକାରୀମାନେ ବସିବାର ସୁଯୋଗ ପାଉଥିଲେ । କେତେକ ଶିଳାଲେଖରେ ସେହି ସମୟର କେତେକ ପାରିଷଦଙ୍କ ନାମ ଖୋଦିତ ରହିଛି । ଏହାଦ୍ୱାରା ସେମାନେ ନିଜ ପାଇଁ ଆସ୍ଥାନ ଆରକ୍ଷିତ କରୁଥିଲେ ବୋଲି ଅନୁମାନ କରାଯାଇପାରେ ।

ସ୍ତର ସ୍ତର ହୋଇ ନିର୍ମିତ ହୋଇଥିବା ଦର୍ଶକଙ୍କ ବସିବା ଆସ୍ଥାନ

ସଭାଷଦଙ୍କ ଉପର ସ୍ତରରେ ଥିବା ବସିବା ଅଞ୍ଚଳକୁ maenianum primum କୁହାଯାଉଥିଲା । ଏଠାରେ ମହାନ ଯୋଦ୍ଧାଗଣ, ବିଦୂଷୀ ଓ ମହାନ ବ୍ୟକ୍ତିଗଣଙ୍କ ପାଇଁ ଆସ୍ଥାନ ରହିଥିଲା । ଏହା ଉପରକୁ ରହିଥିବା ସ୍ତର maenianum secundum ଭାବେ ଜଣା ଯାଉଥିଲା ଓ ସେଠାରେ ସାଧାରଣ ଜନତା ଓ ନାଗରିକଙ୍କ ବସିବାର ସ୍ଥାନ ଥିଲା । ଏହି ଅଞ୍ଚଳ ଦୁଇଟି ଭାଗରେ ବିଭକ୍ତ ଥିଲା – ଏହି ଅଞ୍ଚଳର ତଳ ଧାଡ଼ିଗୁଡ଼ିକୁ immum ଓ ଉପର ପଟର ଧାଡ଼ିଗୁଡ଼ିକୁ summum କୁହାଯାଉଥିଲା । ତଳ ଧାଡ଼ିଗୁଡ଼ିକ ଧନୀ ଶ୍ରେଣୀର ନାଗରିକ ଓ ଉପର ଧାଡ଼ିଗୁଡ଼ିକ ଗରୀବ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ପ୍ରତି ସାମାଜିକ ଶ୍ରେଣୀ ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ ନିର୍ଦ୍ଧାରିତ ଥିଲା – ଯଥା ଗୁରୁ ଓ ଶିଷ୍ୟ, ଅବସରରେ ଥିବା ସୈନିକ, ବିଦେଶୀ ଅତିଥି ଓ ବିଦ୍ୱାନ, ଲେଖକ, ପୂଜକ ଇତ୍ୟାଦି । ନାଗରିକଙ୍କ ବସିବା ପାଇଁ ପ୍ରସ୍ତର ନିର୍ମିତ ଆସନ ରହିଥିଲା ।

ଡୋମିଟିଆନ୍‍ଙ୍କ ସମୟରେ କୋଲୋଜିୟମ୍‍ରେ କରାଯାଇଥିବା ପରିବର୍ତ୍ତନମାନଙ୍କ ମଧ୍ୟରୁ ଅନ୍ୟତମ ହେଲା ଅଭ୍ୟନ୍ତରରେ maenianum secundum in legneis ନାମକ ଏକ ସ୍ତରର ନିର୍ମାଣ । ଏହି ସ୍ତରଟି ଅତ୍ୟନ୍ତ ଗରୀବ, ଦାସ ଓ ଦାସୀମାନେ ଠିଆ ହୋଇ କ୍ରୀଡ଼ା ଉପଭୋଗ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ସ୍ତରଟି ଅତ୍ୟନ୍ତ ଢାଲୁଆ ହୋଇଥିବାରୁ ଏଠାରେ ବସିବା ସମ୍ଭବ ନୁହେଁ ବୋଲି ଅନୁମାନ କରାଯାଏ । ପୂର୍ବତନ ଗ୍ଲାଡିଏଟର୍, ଅଭିନେତା, କବର ଖନନକାରୀ (ସମ୍ଭବତଃ ପ୍ରତ୍ନତତ୍ତ୍ୱବିତ୍) ଇତ୍ୟାଦି କିଛି ଶ୍ରେଣୀର ଲୋକଙ୍କୁ କୋଲୋଜିୟମ୍ ମଧ୍ୟରେ ପଶିବା ସମ୍ପୂର୍ଣ୍ଣ ନିଷେଧ ଥିଲା । [୧୫]

ପତଳା ପଥ ଓ ନିମ୍ନ ଉଚ୍ଚତାର କାନ୍ଥ (praecinctiones ବା baltei)ଦ୍ୱାରା ସବୁ ସ୍ତର ବିଭକ୍ତ ହୋଇଥିଲା ଓ ନିକାଶ ପଥ ସହିତ ସଂଯୋଜିତ ହୋଇଥିଲା । ପ୍ରତି ଧାଡ଼ି(gradus)ରେ ଥିବା ଆସ୍ଥାନଗୁଡ଼ିକ ସଂଖ୍ୟାଦ୍ୱାରା ଚିହ୍ନିତ କରାଯାଇଥିଲା ଯାହା ଲୋକଙ୍କୁ ସେମାନଙ୍କ ବସିବା ସ୍ଥାନ ଚିହ୍ନିବା ସହଜ ହେଉଥିଲା ।[୩୧]

ମୁଖ୍ୟ ରଙ୍ଗଭୂମି ଓ ଭୂତଳ ସ୍ତର[ସମ୍ପାଦନା]

କୋଲୋଜିୟମ୍‍ର ରଙ୍ଗଭୂମି ଓ ତାହା ତଳେ ରହିଥିବା ଭୂତଳ କୋଠରୀ, ସୁଡ଼ଙ୍ଗ, ପାଣି ନାଳ । ବର୍ତ୍ତମାନ ସମୟରେ ଭୂତଳ ସ୍ତରରେ ଅନେକ କାନ୍ଥ ଦେଖିବାକୁ ପାଇବା । ନୌଯୁଦ୍ଧ କ୍ରୀଡ଼ା ବନ୍ଦ ହେବା ପରେ କୋଠରୀ ଇତ୍ୟାଦି ନିର୍ମାଣ ପାଇଁ କାନ୍ଥ ସବୁ ତିଆରି କରାଯାଇଥିବ ।
କୋଲୋଜିୟମ୍‍ରେ ବର୍ତ୍ତମାନ ସୁଦ୍ଧା ରହିଥିବା ଲାଟିନ୍ ଶିଳାଲେଖ

ମୁଖ୍ୟ ରଙ୍ଗଭୂମି ପ୍ରାଙ୍ଗଣର ସର୍ବାଧିକ ଓ ସର୍ବନିମ୍ନ ବ୍ୟାସ ଯଥାକ୍ରମେ ୮୩×୪୮ମି. (୨୭୨×୧୫୭ ଫୁଟ୍) ଥିଲା । [୧୫] ଭୂତଳ ସ୍ତର ଉପରେ ଥିବା କାଠର ଚଟାଣ ଉପରେ ବାଲି ପକାଇ ରଙ୍ଗଭୂମି ପ୍ରାଙ୍ଗଣ ଭାବେ ବ୍ୟବହାର କରାଯାଉଥିଲା । ବାଲିର ଲାଟିନ୍‍ ଶବ୍ଦ ହେଉଛି harena ବା arena । ନିର୍ମାଣର ପ୍ରାରମ୍ଭିକ ସମୟରେ ଭୂତଳ ସ୍ତରଟି ନଥିଲା ଓ ପରେ ଡୋମିଟିଆନ୍‍ଙ୍କ ସମୟରେ ଏହାର ନିର୍ମାଣ କରାଗଲା । ବର୍ତ୍ତମାନ ରଙ୍ଗଭୂମିର ଅତି କମ୍ ଅଂଶ ରହିଛି, ଯାହା ଯୋଗୁଁ ଭୂତଳ ସ୍ତରଟି ଉନ୍ମୁକ୍ତ ଓ ଦୃଶ୍ୟମାନ ହୋଇପାରିଛି । ଭୂତଳ ସ୍ତରରେ କେନାଲ୍, ଯନ୍ତା ଓ ବନ୍ଦୀଗୃହ ରହିଥିଲା ଯେଉଁଥିରେ ଗ୍ଲାଡିଏଟର୍ ଓ ଜୀବଜନ୍ତୁ ନିଜ ନିଜ ଯନ୍ତାରେ ରହୁଥିଲେ । ଯୁଦ୍ଧ ବା କ୍ରୀଡ଼ା ଆରମ୍ଭ ହେବା ବେଳ ଆସିଲେ ସେମାନଙ୍କୁ ଯନ୍ତାରୁ ମୁକ୍ତ କରି ଦିଆଯାଉଥିଲା ।

କୋଲୋଜିୟମ୍‍ର ଭୂତଳ ସ୍ତର

ଭୂତଳ ସ୍ତର ଓ କୋଲୋଜିୟମ୍‍ର ବାହାରର କେତେକ ସ୍ଥାନ ସୁଡ଼ଙ୍ଗଦ୍ୱାରା ସଂଯୋଜିତ ଥିଲା । ପଶୁ, ପ୍ରଦର୍ଶକ ଓ ବନ୍ଦୀମାନଙ୍କୁ ଏହି ସୁଡ଼ଙ୍ଗ ପଟ ଦେଇ ଭୂତଳ ସ୍ତରକୁ ନିଆଯାଉଥିଲା ଓ ତା’ ପରେ ରଙ୍ଗଭୂମି ପ୍ରାଙ୍ଗଣକୁ ଛଡ଼ା ଯାଉଥିଲା । ପୂର୍ବ ପଟ ରହିଥିବା ଲୁଡୁସ୍ ମାଗ୍ନୁସ୍‍ ଗ୍ଲାଡିଏଟର୍‍ମାନଙ୍କ ଛାଉଣୀ ଥିଲା ଯାହା ଏକ ସୁଡ଼ଙ୍ଗଦ୍ୱାରା କୋଲୋଜିୟମ୍ ସହିତ ସଂଯୋଜିତ ଥିଲା । ସମ୍ରାଟ ଓ ଭେଷ୍ଟା ଦେବୀଙ୍କ ତରୁଣୀ ପୂଜାରିଣୀମାନେ କୋଲୋଜିୟମ୍ ମଧ୍ୟକୁ ପ୍ରବେଶ କରିବା ପାଇଁ ସ୍ୱତନ୍ତ୍ର ସୁଡ଼ଙ୍ଗ ରହିଥିଲା । ଏହି ମାର୍ଗ ଅନ୍ୟ ମାର୍ଗ ପରି ଜନ ଗହଳିପୂର୍ଣ୍ଣ ନଥିଲା ଓ ଏହି ବାଟରେ ଅନୁମତି ପତ୍ରର ମଧ୍ୟ ଆବଶ୍ୟକତା ନଥିଲା ।[୧୫]

ଭୂତଳ ସ୍ତରରେ ଅନେକ ଯାନ୍ତ୍ରିକ ଉପକରଣ ମଧ୍ୟ ରହିଥିଲା । ଚକ୍ରି (ପୁଲି), ଉତ୍‌ଥାପକ (ଲିଫ୍ଟ୍) ଇତ୍ୟାଦି ସହାୟତାରେ ଯନ୍ତାରେ ବନ୍ଦୀ ଜନ୍ତୁଙ୍କୁ ପ୍ରାଙ୍ଗଣ ଯାଏ ଉତ୍ତୋଳନ କରାଯାଉଥିଲା । ଏଠାରେ ଦ୍ରବସ୍ଥିତିଜ ବୈଜ୍ଞାନିକ ଉପକରଣ ବ୍ୟବହୃତ ହେଉଥିବାର ପ୍ରମାଣ ମଧ୍ୟ ମିଳିଛି ।[୧୫] କେତେକ ପୁରାତନ ଲେଖା ଅନୁସାରେ ଭୂତଳ ସ୍ତରକୁ ଅତି କମ୍ ସମୟ ମଧ୍ୟରେ ନିକଟସ୍ଥ ଜଳାଶୟକୁ ସଂଯୋଜିତ ବିରାଟ ଜଳସୁଡ଼ଙ୍ଗଦ୍ୱାରା ସମ୍ପୂର୍ଣ୍ଣ ଜଳମଗ୍ନ କରିବାର ବ୍ୟବସ୍ଥା ମଧ୍ୟ ରହିଥିଲା । କିନ୍ତୁ ଡୋମିଟିଆନ୍‍ଙ୍କ ସମୟରେ ହୋଇଥିବା ପରିବର୍ତ୍ତନ ପରେ କୋଲୋଜିୟମ୍‍କୁ ଜଳମଗ୍ନ କରିବା ଓ ସମୁଦ୍ର ଯୁଦ୍ଧାଭ୍ୟାସର ପ୍ରଥା ବନ୍ଦ ହୋଇଗଲା ।

ପାର୍ଶ୍ୱବର୍ତ୍ତୀ ଅଟ୍ଟାଳିକା ଓ କୀର୍ତ୍ତି[ସମ୍ପାଦନା]

ଓପ୍ପିୟାନ୍ ପାହାଡ଼ରୁ କୋଲୋଜିୟମ୍‍ର ଦୃଶ୍ୟ

କୋଲୋଜିୟମ୍ ଓ ଏଥିରେ ହେଉଥିବା ବିଭିନ୍ନ ପ୍ରଦର୍ଶନୀ ଯୋଗୁଁ ଏହାର ଆର୍ଶ୍ୱପାର୍ଶ୍ୱରେ ଅନେକ ଅନ୍ୟ ବୃତ୍ତି ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା । ଏଥିରେ ପ୍ରଦର୍ଶିତ କ୍ରୀଡ଼ା ସହିତ ସମ୍ପର୍କିତ ଅନେକ କାର୍ଯ୍ୟକଳାପ ନିକଟବର୍ତ୍ତୀ ଅଟ୍ଟାଳିକାମାନଙ୍କରେ ଦେଖିବାକୁ ମିଳୁଥିଲା । ପୂର୍ବ ପଟର ପ୍ରବେଶ ଦ୍ୱାର ନିକଟରେ ଲୁଡ଼ୁସ୍ ମାଗ୍ନସ୍ (Ludus Magnus) ନାମକ ଏକ ଗ୍ଲାଡିଏଟର୍‍ ପ୍ରଶିକ୍ଷଣ ଶିବିର ବା ଯୁଦ୍ଧ ଅଭ୍ୟାସ କେନ୍ଦ୍ର ରହିଥିଲା । କୋଲୋଜିୟମ୍‍ରୁ ସହଜରେ ଗ୍ଲାଡ଼ିଏଟର୍‍ମାନେ ଏଠାକୁ ଆସିବା ପାଇଁ ଏକ ଭୂତଳ ସୁଡ଼ଙ୍ଗ ରହିଥିଲା । ସମୟ ସମୟରେ ଏହି ଅଭ୍ୟାସ କେନ୍ଦ୍ରରେ ପ୍ରଶିକ୍ଷଣରତ ଗ୍ଲାଡିଏଟର୍‍ମାନଙ୍କ ଯୁଦ୍ଧ ଦେଖିବା ପାଇଁ ବହୁ ଦର୍ଶକ ଏକତ୍ରିତ ହେଉଥିଲେ । ପାର୍ଶ୍ୱରେ ରହିଥିବା ଲୁଡୁସ୍ ମାଟୁଟିନୁସ୍ (Ludus Matutinus) ନାମକ ଅଭ୍ୟାସ କେନ୍ଦ୍ର ବା ପ୍ରଶିକ୍ଷଣ କେନ୍ଦ୍ରରେ ପଶୁଙ୍କ ସହ ଯୁଦ୍ଧ କରିବାର କ୍ରୀଡ଼ଭ୍ୟାସ କରାଯାଉଥିଲା ।

କୋଲୋଜିୟମ୍ ପାର୍ଶ୍ୱରେ ରହିଥିବା ଶସ୍ତ୍ରାଗାରକୁ ଆର୍ମାମେଣ୍ଟାରିୟମ୍ (Armamentarium), ଯନ୍ତ୍ରାଗାରକୁ ସମ୍ମୁମ୍ କୋରାଜିୟମ୍ (Summum Choragium), ଆହତ ଗ୍ଲାଡିଏଟର୍‍ମାନଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଚିକିତ୍ସାଳୟକୁ ସାନିଟାରିୟମ୍ (Sanitarium) ଓ ମୃତ ଗ୍ଲାଡିଏଟର୍‍ମାନଙ୍କ ଶବ ସତ୍କାର ପାଇଁ ଉଦ୍ଦିଷ୍ଟ କ୍ଷେତ୍ରକୁ ସ୍ପୋଲିଆରିୟମ୍ (Spoliarium) କୁହାଯାଉଥିଲା ।

କୋଲୋଜିୟମ୍‍ର ବାହ୍ୟ ପରିଧିରୁ ୧୮ ମିଟର୍ (୫୯ ଫୁଟ୍) ଦୂରରେ ଅନେକ ଉଚ୍ଚ ପ୍ରସ୍ତର ସ୍ତମ୍ଭ ରହିଥିଲା । ପୂର୍ବ ପଟେ ଏଥିରୁ ୫ଟି ବର୍ତ୍ତମାନ ସୁଦ୍ଧା ରହିଛି । କେହି କେହି ଏହାକୁ ଧାର୍ମିକ ପ୍ରତୀକ ବା ସୂଚକ ବୋଲି କୁହନ୍ତି । ଏହା ଟିକଟ ନିରୀକ୍ଷଣର ସ୍ଥାନ ହୋଇଥାଇପାରେ ବୋଲି ଆଉ କିଛି ଗବେଷକ ବିଶ୍ୱାସ କରନ୍ତି । ଅନ୍ୟ ଏକ ମତାନୁସାରେ ଭେଲାରିୟମ୍ ପରଦାରୁ ଏହି ସ୍ତମ୍ଭ ପର୍ଯ୍ୟନ୍ତ ଦଉଡ଼ି ଟଣାଯାଇ ପରଦା ପରି ଛାତର ନିୟନ୍ତ୍ରଣ କରାଯିବାର ସମ୍ଭାବନା ପ୍ରକାଶ ପାଇଛି ।[୧୫]

କୋଲୋଜିୟମ୍ ନିକଟରେ କନ୍‍ଷ୍ଟାଣ୍ଟାଇନ୍ ତୋରଣ (Arch of Constantine) ଅବସ୍ଥିତ ।

ବ୍ୟବହାର[ସମ୍ପାଦନା]

୧୮୭୨ ମସିହାରେ ଜ୍ୟନ୍-ଲ୍ୟନ୍ ଜେରୋମ୍‍ଙ୍କଦ୍ୱାରା ଅଙ୍କିତ ପୋଲ୍ଲିସ୍ ଭର୍ସୋ (ଥମ୍ବସ୍ ଡାଉନ୍) ଚିତ୍ର

ଗ୍ଲାଡିଏଟର୍‍ମାନଙ୍କ ମଧ୍ୟରେ ଯୁଦ୍ଧର ଆୟୋଜନ ପାଇଁ କୋଲୋଜିୟମ୍ ବ୍ୟବହୃତ ହେଉଥିଲା । ଆହୁରି ଅନ୍ୟ ବିଭିନ୍ନ ସମୟରେ ମଧ୍ୟ କୋଲୋଜିୟମ୍ ବ୍ୟବହୃତ ହେବାର ନଜିର ରହିଛି । ପ୍ରଚୀନ ରୋମ୍‍ରେ ମୁନେରା ନାମକ ଏକ କାର୍ଯ୍ୟକ୍ରମ ହେଉଥିଲା । ବ୍ୟକ୍ତିଗତ ଭାବେ ଏହାର ଆୟୋଜନ ବା ଆବାହନ କରାଯାଉଥିଲା ଓ ରାଜାଙ୍କ ତରଫରୁ ଏହାର ଘୋଷଣା କରାଯାଉନଥିଲା । ଧାର୍ମିକ କାରଣରୁ ବା କୌଣସି ସମ୍ଭ୍ରାନ୍ତ ପରିବାର ତରଫରୁ ଏହା ଆୟୋଜିତ ହେଉଥିଲା ଓ ଜନସାଧାରଣ ଖୁବ୍ ଲୋକପ୍ରିୟ ଥିଲା । ଆଉ ଏକ ପ୍ରକାରର କାର୍ଯ୍ୟକ୍ରମ ଥିଲା ଶିକାର କ୍ରୀଡ଼ା ବା venatio । ଆଫ୍ରିକା, ଭୂମଧ୍ୟ ସାଗର, ମଧ୍ୟ-ପୂର୍ବ ଏସିଆ ଇତ୍ୟାଦି ଅଞ୍ଚଳରୁ ଜଳହସ୍ତୀ, ଗଣ୍ଡା, ହାତୀ, ଜିରାଫ୍, କଲରାପତରିଆ ବାଘ, ଭାଲୁ, କାସ୍ପିଆନ୍ ବାଘ, କୁମ୍ଭୀର, ଓଟପକ୍ଷୀ, ଷଣ୍ଢ, ଗୟଳ, ସିଂହ ଇତ୍ୟାଦି ପଶୁଙ୍କୁ ଅଣାଯାଉଥିଲା । ଏହି ପଶୁମାନଙ୍କ ସହିତ ଯୁଦ୍ଧ ଓ ଏମାନଙ୍କ ଶିକାର କୋଲୋଜିୟମ୍‍ର ବିଶାଳ ପ୍ରାଙ୍ଗଣରେ ଆୟୋଜିତ ହେଉଥିଲା । ଖ୍ରୀଷ୍ଟାବ୍ଦ ୧୦୭ରେ ସମ୍ରାଟ ଟ୍ରାଜାନ୍ ଡାସିଆ ରାଜ୍ୟ ଉପରେ ବିଜୟ ଲାଭ କରିବା ଖୁସିରେ କୋଲୋଜିୟମ୍‍ରେ ୧୨୩×ଧରି କ୍ରୀଡ଼ାର ଆୟୋଜନ ହୋଇଥିଲା । ଏହି ୧୨୩ ଦିନରେ ୧୧୦୦୦ ଜନ୍ତୁ ଓ ୧୦୦୦୦ ଗ୍ଲାଡିଏଟର୍ ଯୁଦ୍ଧ ଓ ଶିକାର କ୍ରୀଡ଼ାର ଅଂଶ ହୋଇଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ବିରତି ସମୟରେ ପ୍ରାଣଦଣ୍ଡ ଦିଆଯାଉଥିଲା । ପ୍ରାଣଦଣ୍ଡରେ ଦଣ୍ଡିତ ବ୍ୟକ୍ତିକୁ ଉଲ୍ଲଗ୍ନ, ନିରସ୍ତ୍ର ଅବସ୍ଥାରେ ହିଂସ୍ର ଓ ଭୋକିଲା ପଶୁଙ୍କ ସାମନାରେ କୋଲୋଜିୟମ୍ ପ୍ରାଙ୍ଗଣରେ ଛାଡ଼ି ଦିଆଯାଉଥିଲା । ଭୋକିଲା ପଶୁମାନେ ମଣିଷଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରି ଖାଇଯାଉଥିଲେ । ଏହା ବ୍ୟତୀତ ଜାଦୁଗର ଓ ଖେଳ ଦେଖାଉଥିବା ବ୍ୟକ୍ତିମାନେ ମଧ୍ୟ ବିଶାଳ ଜନତାଙ୍କ ସମ୍ମୁଖରେ ନିଜ କୌଶଳ ଦେଖାଇବାର ସୁଯୋଗ ପାଉଥିଲେ ।

ପ୍ରାଚୀନ ସମୟର ଐତିହାସିକଙ୍କ ଅନୁସାରେ ନୌସେନା ବା ଜଳଯୁଦ୍ଧ ଅଭ୍ୟାସ ପାଇଁ କୋଲୋଜିୟମ୍ ବ୍ୟବହୃତ ହେଉଥିଲା । ଖ୍ରୀ. ୮୦ରେ ଟାଇଟସ୍‍ଙ୍କଦ୍ୱାରା ଆୟୋଜିତ କୋଲୋଜିୟମ୍‍ର ଉଦ୍‍ଘାଟନୀ ଯୁଦ୍ଧାଭ୍ୟାସରେ କୋଲୋଜିୟମ୍ ପ୍ରାଙ୍ଗଣରେ ପାଣି ଭରି ଦିଆଯାଇଥିଲା । ପ୍ରଶିକ୍ଷିତ ଘୋଡ଼ା ଓ ଷଣ୍ଢ ପହଁରିବା ପ୍ରଦର୍ଶିତ ହୋଇଥିଲା । ପୁଣି କୋର୍ଫୁ ଓ କୋରିନ୍ଥିୟାନ୍‍ମାନଙ୍କ ମଧ୍ୟରେ ହୋଇଥିବା ଏକ ସାମୁଦ୍ରିକ ଯୁଦ୍ଧର ପୁନଃ ଅନୁକରଣ କରାଯାଇଥିଲା ବୋଲି ମଧ୍ୟ ଏକ ବିବରଣୀ ରହିଛି । କିନ୍ତୁ ଅପେକ୍ଷାକୃତ ଛୋଟ ପ୍ରାଙ୍ଗଣରେ ଯୁଦ୍ଧ ଜାହାଜ କିପରି ଆସୁଥିଲା ଓ ଜଳକ୍ରୀଡ଼ା ପାଇଁ ଜଳସ୍ତର କିପରି ବଜାୟ ରଖାଯାଉଥିଲା – ଏପରି କିଛି ପ୍ରଶ୍ନ ଯୋଗୁଁ ଐତିହାସିକଙ୍କ ମଧ୍ୟରେ ସାମୁଦ୍ରିକ ଯୁଦ୍ଧାଭ୍ୟାସ ତଥ୍ୟକୁ ନେଇ ବିଭେଦ ଦେଖାଦେଇଛି । କୋଲୋଜିୟମ୍ ପରିବର୍ତ୍ତେ ଅନ୍ୟ କୌଣସି ସ୍ଥାନରେ ସାମୁଦ୍ରିକ ଯୁଦ୍ଧାଭ୍ୟାସ ହେଉଥାଇପାରେ । କିମ୍ବା ପୂର୍ବେ ମଧ୍ୟ ଅକ୍ଷରେ ଏକ ବଡ଼ କେନାଲ୍ ରହିଥିବ ଯାହାକୁ ପରେ ଭୂତଳ ସ୍ତରରୂପେ ପରିବର୍ତ୍ତିତ କରାଯାଇଥିବ ବୋଲି ସମ୍ଭାବନା ମଧ୍ୟ ପ୍ରକାଶ ପାଇଛି ।[୧୫]

କୋଲୋଜିୟମ୍ ପ୍ରାଙ୍ଗଣରେ ଜଙ୍ଗଲ ପରି ପ୍ରାକୃତିକ ଦୃଶ୍ୟର ନକଲ ସୃଷ୍ଟି କରାଯାଉଥିଲା ଯାହାକୁ ସିଲ୍ଭାଏ (Sylvae) କୁହାଯାଉଥିଲା । କଟା ହୋଇ ଆସିଥିବା ଗଛ, ଲତା, ବୁଦା ଇତ୍ୟାଦି ସହାୟତାରେ ଏପରି ପରିବେଶ ସୃଷ୍ଟି କରାଯାଉଥିଲା । ନଗରର ଲୋକଙ୍କୁ ଜଙ୍ଗଲ ସହିତ ପରିଚିତ କରାଇବା ଏହାର ଏକ ଉଦ୍ଦେଶ୍ୟ ହୋଇପାରେ । କିମ୍ବା କେତେକ ପୌରାଣିକ ଚିତ୍ରକଥାର ନଟ୍ୟ ରୂପାନ୍ତର ପାଇଁ ମଧ୍ୟ ଏପରି ପରିବେଶ ସୃଷ୍ଟି କରାଯିବା ସମ୍ଭବପର । ଏପରି ପୌରାଣିକ କଥା ଆଳରେ ପ୍ରାଣଦଣ୍ଡ ଦେବାର ପ୍ରଥା ମଧ୍ୟ ରହିଥିଲା । ଦୋଷୀ ପୌରାଣିକ କଥାର ଦଣ୍ଡ ପାଇଥିବା ବ୍ୟକ୍ତିର ଭୂମିକା ଗ୍ରହଣ କରୁଥିଲା । ପ୍ରାଣଦଣ୍ଡ ପାଇଁ ତତ୍କାଳୀନ ରୋମାନ୍ ଧାର୍ମିକ ପ୍ରଥା ସମର୍ଥିତ ଉପାୟ ଯଥା - ଜୀବନ୍ତ ଜଳାଇ ଦେବା ବା ଜନ୍ତୁଙ୍କ ଆକ୍ରମଣରେ ବୀଭତ୍ସ ଭାବେ ହତ୍ୟା କରାଇବା ଇତ୍ୟାଦି ପଦ୍ଧତି ଅବଲମ୍ବନ କରାଯାଉଥିଲା ।

ସାମ୍ପ୍ରତିକ ସ୍ଥିତି[ସମ୍ପାଦନା]

କୋଲୋଜିୟମ୍‍ର ଅଭ୍ୟନ୍ତରର ଏକ ପାନୋରାମା ଚିତ୍ର (୨୦୧୬)


ବର୍ତ୍ତମାନ ସମୟରେ ରୋମ୍‍କୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଲୋଜିୟମ୍ ଏକ ମୁଖ୍ୟ ଆକର୍ଷଣ କେନ୍ଦ୍ର । ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଏହି ପ୍ରାଚୀନ ରଙ୍ଗଭୂମିର ଭଗ୍ନାବଶେଷ ଦେଖିବାକୁ ଭିଡ଼ ଜମାନ୍ତି । ୟୁରୋପୀୟ ସଂଘ ଦେଶମାନଙ୍କ ନାଗରିକଙ୍କ ପାଇଁ କୋଲୋଜିୟମ୍‍ର ପ୍ରବେଶ ଟିକଟ ରିହାତି ଦରରେ ମିଳେ । ୟୁରୋପୀୟ ସଂଘ ରାଷ୍ଟ୍ରର ନାବାଳକ (୧୮ ବର୍ଷରୁ କମ୍) ତଥା ବୃଦ୍ଧ ନାଗରିକଙ୍କ (୬୫ ବର୍ଷରୁ ଅଧିକ) ପାଇଁ ପ୍ରବେଶ ଟିକଟ ସମ୍ପୂର୍ଣ୍ଣ ମାଗଣା ।[୩୨] କୋଲୋଜିୟମ୍‍ର ଉପର ସ୍ତରରେ ଗ୍ରୀକ୍ ପୌରାଣିକ କଥାରେ କାମଦେବଙ୍କ ତୁଲ୍ୟ ଏରୋସ୍ଙ୍କ (Eros) ସମ୍ପର୍କୀୟ ଏକ ଛୋଟ ସଂଗ୍ରହାଳୟ ରହିଛି । ପ୍ରାଙ୍ଗଣର କିଛି ଅଂଶର ପୁନରୁଦ୍ଧାର କରି ନୂଆ ଚଟାଣ ନିର୍ମାଣ କରାଯାଇଛି । ୨୦୧୦ ମସିହା ଗ୍ରୀଷ୍ମ ଋତୁରେ ଭୂତଳ ସ୍ତରର କିଛି ଅଂଶ ଦର୍ଶକଙ୍କ ପାଇଁ ଖୋଲାଯାଇଥିଲା ।[୩୩]

ବିଂଶ ଶତାବ୍ଦୀରୁ ରୋମାନ୍ କ୍ୟାଥୋଲିକ୍ ଖ୍ରୀଷ୍ଟିୟାନ୍‍ମାନେ କୋଲୋଜିୟମ୍‍କୁ ଏକ ଧାର୍ମିକ ସ୍ଥଳୀ ରୂପେ ବ୍ୟବହାର କରି ଆସୁଛନ୍ତି । ପୋପ୍ ବେନେଡିକ୍ଟ୍ – ୧୬ କୋଲୋଜିୟମ୍‍ରୁ ଗୁଡ୍ ଫ୍ରାଇଡେ ଦିନ[୯] ବାହାରିଥିବା ସ୍କ୍ରିପ୍ଚୁରାଲ୍ ୱେ ଅଫ୍ ଦ କ୍ରସ୍ (Scriptural Way of the Cross) ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ [୩୪][୩୫]

ପୁନରୁଦ୍ଧାର[ସମ୍ପାଦନା]

୨୦୧୧ ମସିହାରେ ଟଡ୍‍ସ୍ ଯୋତା କମ୍ପାନୀର ମାଲିକ ଡିଏଗୋ ଡେଲା ଭାଲେ କୋଲୋଜିୟମ୍‍ର ମରାମତି ପାଇଁ ୨.୫ କୋଟି ୟୁରୋର ସହାୟତା ରାଶି ପ୍ରଦାନ କରିବା ପାଇଁ ସ୍ଥାନୀୟ ସରକାରଙ୍କ ସହିତ ଚୁକ୍ତି କରିଥିଲେ । ୨୦୧୧ ମସିହାର ଶେଷ ଆଡ଼କୁ କାମ ଆରମ୍ଭ ହୋଇ ଅଢ଼େଇ ବର୍ଷରେ ସମାପ୍ତ ହେବାର ଯୋଜନା କରାଗଲା ।[୩୬] କିନ୍ତୁ ବେସରକାରୀ ସହାୟତାରେ ସରକାରୀ କାର୍ଯ୍ୟର ଚୁକ୍ତିରେ ଥିବା କିଛି ବିବାଦୀୟ ଆଇନ ଯୋଗୁଁ କାମ ଆରମ୍ଭରେ ବିଳମ୍ବ ହୋଇଥିଲା (୨୦୧୩) । ଏହି ମରାମତି କାର୍ଯ୍ୟ ବେଳେ ସମ୍ପୂର୍ଣ୍ଣ କୋଲୋଜିୟମ୍‍ର ସଫେଇ ମଧ୍ୟ କରାଯାଇଥିଲା ।[୩୭]

ଖ୍ରୀଷ୍ଟଧର୍ମରେ କୋଲୋଜିୟମ୍‍ର ମହତ୍ତ୍ୱ[ସମ୍ପାଦନା]

୧୮୮୩ ମସିହାରେ ଜ୍ୟନ୍-ଲ୍ୟଁ ଜେରୋମ୍‍ଙ୍କ ଅଙ୍କିତ The Christian Martyrs' Last Prayer (ଖ୍ରୀଷ୍ଟ ସହୀଦଙ୍କ ଶେଷ ପ୍ରାର୍ଥନା) ଚିତ୍ର
View of the interior of the Colosseum (କୋଲୋଜିୟମ୍‍ର ଅଭ୍ୟନ୍ତର) ଚିତ୍ର, ଚିତ୍ରକାର – ଖ୍ରୀଷ୍ଟୋଫର୍ ୱିଲ୍‍ହେଲ୍ମ୍ ଏକର୍ସ୍‍ବର୍ଗ୍ (୧୮୧୫)

ରୋମାନ୍ ସାମ୍ରାଜ୍ୟରେ ଅନେକ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କୁ କୋଲୋଜିୟମ୍‍ ପ୍ରାଙ୍ଗଣରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଥିବାର ଉଲ୍ଲେଖ ରହିଛି । ଏଣୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ କୋଲୋଜିୟମ୍‍କୁ ସହୀଦ ସ୍ଥଳ ବା ବଳିଦାନ ଭୂମି ଭାବେ ଦେଖନ୍ତି ।[୩୮][୩୯][୪୦] କିଛି ଗବେଷକଙ୍କ ଅନୁସାରେ ଏହି ଘଟଣାବଳୀ ରୋମ୍‍ର ବିଭିନ୍ନ ସ୍ଥାନରେ ଘଟିତ ହୋଇଥିଲା ।[୪୧][୪୨] ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକେ ରୋମାନ୍ ଦେବାଦେବୀଙ୍କୁ ମାନୁ ନଥିବାରୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଅନ୍ୟ ଦୋଷୀଙ୍କ ଗହଣରେ କୋଲୋଜିୟମ୍ ମଧ୍ୟରେ ପ୍ରାଣଦଣ୍ଡ ଦିଆଯାଇଥିବ । ସର୍କସ୍ ମାକ୍ସିମସ୍‍କୁ ମାନୁଥିବାରୁ ଅନେକ ଖ୍ରୀଷ୍ଟ ସହୀଦ ହୋଇଥିଲେ ।[୪୩][୪୪] ଇରେନାୟସ୍‍ଙ୍କ ଲେଖା ଅନୁସାରେ ଆଣ୍ଟିଓଖ୍‍ର ପାଦ୍ରୀଙ୍କୁ ଭୋକିଲା ସିଂହର ଖାଦ୍ୟ ଭାବେ ଛାଡ଼ି ଦିଆଗଲା । ଯଦିଓ ଇରେନାୟସ୍ ଏହି ଘଟଣାକ୍ରମର ସ୍ଥାନ ବିଷୟରେ କହି ନାହାନ୍ତି ତେବେ କିମ୍ବଦନ୍ତୀରେ ଏହା କୋଲୋଜିୟମ୍ ପ୍ରାଙ୍ଗଣରେ ହୋଇଥିଲା ବୋଲି କଥା ପ୍ରଚଳିତ ହୋଇଆସୁଛି ।[୪୫][୪୬]

ମଧ୍ୟଯୁଗରେ କୋଲୋଜିୟମ୍ ଏକ ପଥର ଖଣି ପରି ବ୍ୟବହୃତ ହେଉଥିଲା[୪୭] କାରଣ ଏଠାରୁ ପଥର କାଟି ନିଆଯାଇ ଅନ୍ୟ ଅଟ୍ଟାଳିକା ଓ ଧାର୍ମିକ ସ୍ଥଳ ନିର୍ମାଣରେ ଉପଯୋଗ କରାଯାଉଥିଲା ।[୪୮] ଏଥିରୁ ଜଣାଯାଏ ଯେ ଯଦିଓ ସହୀଦ ସ୍ମୃତି ସ୍ଥଳମାନଙ୍କୁ ଲୋକେ ସମ୍ମାନର ସହିତ ଦେଖନ୍ତି, ତେବେ କୋଲୋଜିୟମ୍ ସମ୍ପର୍କରେ ଏଥିରେ ବ୍ୟତିକ୍ରମ ଦେଖାଯାଏ । କୋଲୋଜିୟମ୍ ଏକ ପବିତ୍ର ସ୍ଥାନ ରୂପେ ପରିଗଣିତ ହେଉନଥିଲା । [୪୯] ଦ୍ୱାଦଶ ଶତାବ୍ଦୀର ରୋମ୍‍ର ତୀର୍ଥଯାତ୍ରୀଙ୍କ ନିମନ୍ତେ ଲିଖିତ ଯାତ୍ରା ପୁସ୍ତିକାରେ କୋଲୋଜିୟମ୍ ସ୍ଥାନ ପାଇନଥିଲା ।[୫୦] କିଛି ସମୟ ପର୍ଯ୍ୟନ୍ତ କୋଲୋଜିୟମ୍ ପରିସରରେ କିଛି ଖ୍ରୀଷ୍ଟ ସନ୍ଥ ଓ ଧାର୍ମିକ ବସବାସ କରୁଥିବା ଜଣାପଡ଼ିଛି କିନ୍ତୁ ସେତେବେଳେ କୋଲୋଜିୟମ୍‍ରେ ଧାର୍ମିକ କାର୍ଯ୍ୟକଳାପର କୌଣସି ଉଲ୍ଲେଖ ମିଳିନାହିଁ ।

କୋଲୋଜିୟମ୍ ପ୍ରାଙ୍ଗଣର ବାଲି ଖ୍ରୀଷ୍ଟ ସହୀଦଙ୍କ ରକ୍ତରେ ସିକ୍ତ ହୋଇଥିବାରୁ ପୋପ୍ ପିଉସ୍ (୧୫୬୬-୧୫୭୨) ଏହାର ମାଟି ରଖିବାକୁ ତୀର୍ଥଯାତ୍ରୀଙ୍କୁ କହୁଥିଲେ । ତେବେ ତାଙ୍କ ସମସାମୟିକ ଅନ୍ୟ ପାଦ୍ରୀମାନେ ଏପରି ମତର ସମର୍ଥନ କରୁନଥିଲେ ।[୫୧] ପ୍ରାୟ ଏକ ଶତାବ୍ଦୀ ପରେ ୧୬୫୩ ମସିହାରେ ଫିଓରାଭାନ୍ତେ ମାର୍ଟିନେଲିଙ୍କ ଲିଖିତ Roma ex ethnica sacra ପୁସ୍ତକରେ କୋଲୋଜିୟମ୍‍କୁ ପୁଣି ଏକ ପବିତ୍ର ସ୍ଥଳର ମାନ୍ୟତା ଓ ଜନ ସମର୍ଥନ ମିଳିଲା । ଏହି ସମୟରେ କାର୍ଡିନାଲ୍ ଅଲ୍ଟ୍ୟେରି କୋଲୋଜିୟମ୍‍କୁ ଏକ ଷଣ୍ଢ ଲଢ଼େଇ ମଞ୍ଚ କରିବାର ଯୋଜନା କରିଥିଲେ ଯାହା ବିପକ୍ଷରେ ଲୋକେ ବିରୋଧ କରିଥିଲେ । ଏହି ବିବାଦ କାରଣରୁ ପୋପ୍ କ୍ଲେମଁ (ଦଶମ) କୋଲୋଜିୟମ୍‍କୁ ଏକ ପ୍ରାର୍ଥନା ସ୍ଥଳ ବୋଲି ଘୋଷଣା କରାଇଥିଲେ ।[୫୨]

୨୦୦୦ ମସିହାରେ ଖ୍ରୀଷ୍ଟ ସହୀଦଙ୍କ ସ୍ମୃତିରେ ପୋପ୍ ଜନ୍ ପଲ୍ (ଦ୍ୱିତୀୟ)ଙ୍କଦ୍ୱାରା କୋଲୋଜିୟମ୍‍ରେ ପ୍ରତିଷ୍ଠିତ ଏକ ପବିତ୍ର କ୍ରସ୍

ପୋର୍ଟ୍ ମୌରିସ୍‍ର ସନ୍ଥ ଲିଓନାର୍ଡଙ୍କ ଅନୁରୋଧ କ୍ରମେ ପୋପ୍ ବେନେଡିକ୍ଟ୍ (ଚତୁର୍ଦ୍ଦଶ) ଏଠାରୁ ପଥର ଖୋଳା ବନ୍ଦ କରାଇଲେ ଓ ଏହା ଚାରିପଟେ ଅନେକ ପବିତ୍ର କ୍ରସ୍ ସ୍ଥପିତ କରାଇଲେ । ୧୮୭୪ ମସିହା ପର୍ଯ୍ୟନ୍ତ ଏହି ସବୁ କ୍ରସ୍ ପୂଜା ପାଇ ଆସୁଥିଲେ । [୫୩] ବେନେଡିକ୍ଟ୍ ଜୋସେଫ୍ ଲାବ୍ରେ ଜୀବନର ଶେଷ ସମୟ କୋଲୋଜିୟମ୍‍ରେ କଟାଇଥିଲେ ।[୫୩] ଅନେକ ପୋପ୍ କୋଲୋଜିୟମ୍‍ର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ସହାୟତା ପ୍ରଦାନ କରିଛନ୍ତି । କୋଲୋଜିୟମ୍‍ରେ ରହିଥିବା ଏକ କ୍ରସ୍‍ର ଫଳକରେ ନିମ୍ନ ଲେଖା ଦେଖିବାକୁ ମିଳେ :

ବିଜୟ ଉତ୍ସବ, ମନୋରଞ୍ଜନ ଓ ପାଗାନ୍ ଦେବତାମାନଙ୍କ ଅମାନୁଷିକ ଓ କୁସଂସ୍କାରୀ ପୂଜନ ପାଇଁ ଏକଦା ନିର୍ମାଣ କରାଯାଇଥିବା ଏହି ରଙ୍ଗମଞ୍ଚ ଅନେକ ଖ୍ରୀଷ୍ଟ ସହୀଦଙ୍କଦ୍ୱାରା ପୂତ ହୋଇଛି ଓ ସେହିମାନଙ୍କ ବଳିଦାନକୁ ଉତ୍ସର୍ଗ କରାଯାଇଛି ।[୫୪]

ଗୁଡ୍ ଫ୍ରାଇଡେ ଅବସରରେ ପୋପ୍ ଶୋଭାଯାତ୍ରା କରାଇବା ପ୍ରଥା ବର୍ତ୍ତମାନ ସୁଦ୍ଧା ଜୀବିତ ରହିଛି ।

ଗଛଲତା[ସମ୍ପାଦନା]

କୋଲୋଜିୟମ୍‍ର ଭିତର ପଟ କାନ୍ଥରେ ବଢ଼ି ଉଠିଥିବା ଲଟା ବୁଦା ଓ ଗଛପତ୍ର

କୋଲୋଜିୟମ୍ ମଧ୍ୟରେ ବିଭିନ୍ନ ପ୍ରଜାତିର ବୃକ୍ଷ ରହିଥିବା କଥା ଇତିହାସରେ ଲିପିବଦ୍ଧ ହୋଇଛି । ଡୋମିନିକୋ ୧୬୪୩ ନିଜ ଲିଖିତ ବିବରଣୀରେ ଏହା ଲେଖିଛନ୍ତି । ସେ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୬୮୪ଟି ଉଦ୍ଭିଦ ପ୍ରଜାତି ଚିହ୍ନଟ ବା ଲିପିବଦ୍ଧ ହୋଇଛି । ୧୮୫୫ ମସିହା ବେଳକୁ କୋଲୋଜିୟମ୍ ମଧ୍ୟରେ ପ୍ରାୟ ୪୨୦ଟି ଉଦ୍ଭିଦ ପ୍ରଜାତି ଦେଖିବାକୁ ମିଳୁଥିଲା । ଗଛଲତା ବଢ଼ି କୋଲୋଜିୟମ୍‍କୁ କ୍ଷତି ପହଞ୍ଚାଇବାର ଆଶଙ୍କା ଉପୁଜିବାରୁ ୧୮୭୧ ମସିହା ସମୟରେ ଅଧିକାଂଶ ଗଛଲତା ଉପାଡ଼ି ବାହାର କରିଦିଆଗଲା । କିନ୍ତୁ ପରେ ପୁଣି ସେମାନଙ୍କୁ କୋଲୋଜିୟମ୍ ପରିସରରେ ରଖାଯାଇଛି ।[୧୫] ଏବେ କୋଲୋଜିୟମ୍ ମଧ୍ୟରେ ପ୍ରାୟ ୨୪୨ ପ୍ରଜାତିର ଗଛଲତା ଅଛନ୍ତି ଓ ପାନାରୋଲିଙ୍କ ବର୍ଣ୍ଣିତ ୨୦୦ ପ୍ରଜାତି ଏବେ ମଧ୍ୟ ଦେଖାଯାନ୍ତି ।

ବିଗତ ଅନେକ ଶତାବ୍ଦୀ ଧରି ରୋମ୍‍ର ଜଳବାୟୁରେ ବହୁ ପରିବର୍ତ୍ତନ ହୋଇଥିବାରୁ ଓ ପକ୍ଷୀଙ୍କ ସ୍ଥାନ ପରିବର୍ତ୍ତନ କାରଣରୁ ଏତେ ପ୍ରଜାତିର ଉଦ୍ଭିଦ ଦେଖାଯିବା ସମ୍ଭବପର । ପୁଣି, ତତ୍କାଳୀନ ରୋମ୍‍ର ଆଧୁନିକୀକରଣ ଯୋଗୁଁ କୋଲୋଜିୟମ୍ ଏକ ନିରୋଳା ସ୍ଥାନ ପରିବର୍ତ୍ତେ ଏବେ ନଗରର ମଝାମଝି ଅବସ୍ଥିତ ଓ ଏଠାକୁ ବିଭିନ୍ନ ସ୍ଥାନରୁ ସହଜରେ ନୂତନ ଗଛ ଲତା ଆସିବା ସହଜ ହୋଇଯାଇଥିବ । ଏଠାରେ କ୍ରୀଡ଼ା ପାଇଁ ବିଭିନ୍ନ ପ୍ରାନ୍ତରୁ ଅଣାଯାଉଥିବା ପଶୁଙ୍କ ଲୋମରେ ମଧ୍ୟ ମଞ୍ଜି ପରିବାହିତ ହୋଇଥାଇପାରେ ବୋଲି କେହି କେହି ମତ ରଖନ୍ତି ।[୫୫]

କୋଲୋଜିୟମ୍‍ରୁ ଅନୁପ୍ରାଣିତ ଅନ୍ୟ କିଛି କୀର୍ତ୍ତି[ସମ୍ପାଦନା]

ବିଶ୍ୱର ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରେ ଅନ୍ୟତମ କୋଲୋଜିୟମ୍‍ଠାରୁ ଅନୁପ୍ରାଣିତ ହୋଇ ଅନେକ ଅଟ୍ଟାଳିକା ନିର୍ମିତ ହୋଇଛି :

  • ଜର୍ମାନୀର ନୁରେମ୍ବର୍ଗ୍ ସହରର ନାଜି ପାର୍ଟି ରାଲି ପଡ଼ିଆରେ ୧୯୩୫ ମସିହାରେ କଂଗ୍ରେସ୍‍ହାଲେ (ଜର୍ମାନ୍ ଭାଷାରେ Kongresshalle) ନାମକ ଏକ ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଯାବତ୍ ଅସମ୍ପୂର୍ଣ୍ଣ ଏହି ଅଟ୍ଟାଳିକାଟି କୋଲୋଜିୟମ୍ ଆକାରରେ ନିର୍ମିତ ।
  • ୧୯୨୮ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଅଲମ୍ପିକ୍ କ୍ରୀଡ଼ାରେ ଦିଆଯାଉଥିବା ପଦକର ରୂପରେଖ ବା ଡିଜାଇନ୍ ଜିସାପୋ କାସିଓଲିଙ୍କଦ୍ୱାରା କରାଯାଇଥିଲା । ଏହି ପଦକରେ କୋଲୋଜିୟମ୍‍ର ଏକ ଅଂଶ ସ୍ଥାନ ପାଇଥିଲା । ଏଥେଂସ୍‍ଠାରେ ହୋଇଥିବା ୨୦୦୪ ଗ୍ରୀଷ୍ମକାଳୀନ ଅଲମ୍ପିକ୍ କ୍ରୀଡ଼ା ସମୟରେ କୋଲୋଜିୟମ୍ ପରିବର୍ତ୍ତେ ପାନାଥେନାଇକ୍ ଷ୍ଟାଡ଼ିୟମ୍‍ର ଚିତ୍ର ଏହି ପଦକରେ ସ୍ଥାନ ପାଇଲା ।
  • ବ୍ରିଟିଶ୍ କଲମ୍ବିଆର ଭାଂକୁଭର୍ ସର୍ବସାଧାରଣ ପାଠାଗାରର ଅଟ୍ଟାଳିକା କୋଲୋଜିୟମ୍ ଆକାରରେ ନିର୍ମିତ । ମୋଶେ ସାଫ୍‍ଦି ଏହାର ରଚୟିତା ।
  • ଲସ୍ ଆଞ୍ଜେଲେସ୍ ମେମୋରିଆଲ୍ କୋଲିସିୟମ୍‍ର ପ୍ରବେଶ ଦ୍ୱାର କୋଲୋଜିୟମ୍‍ର ପ୍ରବେଶ ଦ୍ୱାରରୁ ଅନୁପ୍ରାଣିତ ।
  • ପଲାଜୋ ଡେଲ୍ଲା ସିଭିଲ୍ଟା ଇଟାଲିଆନାର ଆକାର ପ୍ରାୟତଃ କୋଲୋଜିୟମ୍‍ର ଆକାର ପରି । ୧୯୪୨ରେ ଏକ ବିଶ୍ୱ ପ୍ରଦର୍ଶନୀ ପାଇଁ ବେନିତୋ ମୁସୋଲିନି ଏହାର ନିର୍ମାଣ କରାଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯିବାରୁ ଏହି ପ୍ରଦର୍ଶନୀ ହୋଇପାରି ନଥିଲା । ଜିଓଭାନି ଗୁରିନି, ଏର୍ନେଷ୍ଟୋ ବ୍ରୁନୋ ଲା-ପାଦୁଲା, ମାରିଓ ରୋମାନୋ ପ୍ରଭୃତି ଏହାର ସ୍ଥପତି ଥିଲେ ।

ଲୋକ-ସଂସ୍କୃତିରେ କୋଲୋଜିୟମ୍‍ର ସ୍ଥାନ[ସମ୍ପାଦନା]

ରୋମ୍ ଇତିହାସରେ କୋଲୋଜିୟମ୍‍ର ବିଶାଳ ସ୍ଥାନ ହେତୁ ଅନେକ ଚଳଚ୍ଚିତ୍ର, ଚିତ୍ର ଓ ସଂସ୍କୃତିରେ ଏହାର ଛାପ ଦେଖିବାକୁ ମିଳେ :

  • ୧୯୫୩ ମସିହାରେ ନିର୍ମିତ ଚଳଚ୍ଚିତ୍ର ରୋମାନ୍ ହଲିଡେ (Roman Holiday)ର ଅନେକ ଦୃଶ୍ୟରେ କୋଲୋଜିୟମ୍‍କୁ ପୃଷ୍ଠଭୂମିରେ ଦେଖିହେବ ।
  • ୧୯୫୪ ମସିହାରେ ନିର୍ମିତ ଏକ ଚଳଚ୍ଚିତ୍ର ଡିମେଟ୍ରିଅସ୍ ଆଣ୍ଡ୍ ଦ ଗ୍ଲାଡିଏଟର୍ସ୍ (Demetrius and the Gladiators)ର କାହାଣୀରେ ସମ୍ରାଟ କ୍ୟାଲିଗୁଲା ଡିମେଟ୍ରିଅସ୍ ନାମକ ଏକ ଖ୍ରୀଷ୍ଟଧର୍ମୀ ବ୍ୟକ୍ତିଙ୍କୁ କୋଲୋଜିୟମ୍‍ରେ ଲଢ଼ିବାର ଦଣ୍ଡ ଶୁଣାଇଥିଲେ ।
  • ୧୯୫୭ ମସିହାର ଚଳଚ୍ଚିତ୍ର ଟ୍ୱେଣ୍ଟି ମିଲିୟନ୍ ମାଇଲ୍ସ୍ ଟୁ ଅର୍ଥ୍ (20 Million Miles to Earth)ର ଉପସଂହାର ଦୃଶ୍ୟରେ କୋଲୋଜିୟମ୍ ବିଦ୍ୟମାନ ।
  • ବବ୍ ଡାଇଲାନ୍‍ଙ୍କ ୧୯୭୧ରେ ରେକର୍ଡ୍ କରାଯାଇଥିବା "ହ୍ୱେନ୍ ଆଇ ପେଣ୍ଟ୍ ମାଇ ମାଷ୍ଟରପିସ୍ (When I Paint My Masterpiece)" ଗୀତରେ କୋଲୋଜିୟମ୍‍ର ଉଲ୍ଲେଖ ରହିଛି ।
  • ୧୯୭୨ ମସିହାର ୱେ ଅଫ୍ ଦ ଡ୍ରାଗନ୍ ଚଳଚ୍ଚିତ୍ରରେ ବ୍ରୁସ୍ ଲିଚକ୍ ନୋରିସ୍ କୋଲୋଜିୟମ୍‍ରେ ଯୁଦ୍ଧ କରିଥିଲେ ।
  • ୧୯୭୯ ମସିହାର ହିନ୍ଦୀ ଚଳଚ୍ଚିତ୍ର ଦ ଗ୍ରେଟ୍ ଗ୍ୟାମ୍ବଲର୍ (The Great Gambler)ର କିଛି ଅଂଶ କୋଲୋଜିୟମ୍‍ରେ ନିର୍ମିତ ହୋଇଥିଲା ।
  • ୧୯୯୮ ମସିହାର ତାମିଲ ଚଳଚ୍ଚିତ୍ର ଜିନ୍ସ୍ (Jeans)ର “ଅଜୁବା” ନାମକ ଗୀତର ଏକ ଅଂଶ କୋଲୋଜିୟମ୍‍ରେ ନିର୍ମିତ ହୋଇଥିଲା ।
  • ୫ଟି ଓସ୍କାର୍ ପୁରସ୍କାରରେ ସମ୍ମାନିତ ୨୦୦୦ ମସିହାର ଗ୍ଲାଡିଏଟର୍ ଚଳଚ୍ଚିତ୍ରରେ କୋଲୋଜିୟମ୍‍ ମଧ୍ୟରେ ହେଉଥିବା ଯୁଦ୍ଧକୁ ଚିତ୍ରଣ କରିବା ପାଇଁ କମ୍ପ୍ୟୁଟର୍ଦ୍ୱାରା ସୃଷ୍ଟ ଚିତ୍ର (computer-generated imagery - CGI) ବ୍ୟବହୃତ ହୋଇଥିଲା । ଏହି ଚଳଚ୍ଚିତ୍ରରେ କୋଲୋଜିୟମ୍‍ରେ ଯୁଦ୍ଧକ୍ରୀଡ଼ା ଓ ଭୂତଳ ସ୍ତରର ଗଠନ ଓ ପରିଚାଳନା ସମ୍ପର୍କରେ ଅନେକ ସତ ମନେ ହେଉଥିବା ପରି କାଳ୍ପନିକ ଦୃଶ୍ୟ ରହିଛି ।
  • ୨୦୦୧ ମସିହାର ଚଳଚ୍ଚିତ୍ର Megiddo: The Omega Code 2ରେ ଏକ ଧୂମକେତୁ ପୃଥିବୀ ପୃକ୍ଷ୍ଠରେ ଧକ୍କା ହେବା ଫଳରେ କୋଲୋଜିୟମ୍ ଧ୍ୱଂସ ହୋଇଯିବା କାଳ୍ପନିକ ଦୃଶ୍ୟ ରହିଛି ।
  • ୨୦୦୩ ମସିହାର ଚଳଚ୍ଚିତ୍ର ଦ କୋର୍ (The Core)ରେ ବଜ୍ରପାତ ଯୋଗୁଁ କୋଲୋଜିୟମ୍ ଧ୍ୱସ୍ତ ହେବାର କାଳ୍ପନିକ ଦୃଶ୍ୟ ନିର୍ମିତ ହୋଇଥିଲା ।
  • ୨୦୦୮ ମସିହାର ଜମ୍ପର୍ (Jumper) ଚଳଚ୍ଚିତ୍ରରେ କୋଲୋଜିୟମ୍‍ର ଏକ ଦୃଶ୍ୟ ଦେଖିବାକୁ ମିଳେ ।
  • ୨୦୧୦ ମସିହାରେ ପ୍ରକାଶିତ ଭଡ଼ିଓ ଗେମ୍ ଆସାସିନ୍ସ୍ କ୍ରୀଡ୍ : ବ୍ରଦର୍‍ହୁଡ୍ (Assassin's Creed: Brotherhood) ନାମକ ଖେଳରେ କୋଲୋଜିୟମ୍ ସ୍ଥାନ ପାଇଛି ।
  • ଏକ ପୁରାତନ ରୋମାନ୍ ଗଳ୍ପ ଅନୁଯାୟୀ ଏଣ୍ଡ୍ରୋକଲ୍ସ ନାମକ ଏକ ଭୃତ୍ୟ ନିଜ ମାଲିକ କବଳରୁ ମୁକ୍ତ ହୋଇ ଲୁଚି ଜଙ୍ଗଲକୁ ପଳାଇଥିଲା । ବଣକୁ ଯାଇ ସେ ଏକ ଗୁମ୍ଫାରେ ଏକ କ୍ଷତାକ୍ତ ସିଂହକୁ ଦେଖିଲା ଯାହା ପାଦରେ ଏକ ବଡ଼ କଣ୍ଟା ଫୁଟି ରହିଥିଲା । ସେ ସିଂହ ପାଦରୁ କଣ୍ଟାଟି କାଢ଼ି ଦେବାରୁ ଜନ୍ତୁଟି ଆଶ୍ୱସ୍ତ ହେଲା । ଅନେକ ବର୍ଷ ପରେ ଏଣ୍ଡ୍ରୋକଲ୍ସ ପୁଣି ବନ୍ଦୀ ହେଲା ଓ ତାକୁ ସିଂହ ସହିତ ଯୁଦ୍ଧ କରିବାକୁ ଛାଡ଼ି ଦିଆଗଲା । ଜର୍ଜ୍ ବର୍ଣ୍ଣାଡ୍ ଶଙ୍କ ନାଟକରେ ଏଣ୍ଡ୍ରୋକଲ୍ସକୁ କୋଲୋଜିୟମ୍ ନିଆଯାଇଥିଲା ଏହି ଯୁଦ୍ଧ କରିବା ପାଇଁ ବା ପରୋକ୍ଷରେ ଭୋକିଲା ସିଂହ ସହିତ ଯୁଦ୍ଧ ନ କରିପାରିଲେ ମୃତ୍ୟୁବରଣ କରିବା ପାଇଁ । ଗଳ୍ପ ଅନୁସାରେ ସିଂହଟି ସେଇ ସିଂହ ଥିଲା ଯାହା ପାଦରୁ ଏଣ୍ଡ୍ରୋକଲ୍ସ କଣ୍ଟା ବାହାର କରିଥିଲା । ସିଂହ ଭୋକିଲା ଥିବା ସତ୍ତ୍ୱେ ଏଣ୍ଡ୍ରୋକଲ୍ସକୁ ଆକ୍ରମଣ କଲା ନାହିଁ ଓ ତା’ ଗୋଡ଼ ପାଖେ ପୋଷା ଜୀବ ପରି ବସି ରହିଲା । ଏହାକୁ ଏକ ନୈତିକ ଶିକ୍ଷା କାହାଣୀ ରୂପେ ଅନେକ ଭାଷାରେ ଅନୁବାଦ କରି କୁହାଯାଇଥାଏ ।

ଆଧାର[ସମ୍ପାଦନା]

ଲେଖା[ସମ୍ପାଦନା]

  1. "Building the Colosseum". roman-colosseum.info. Archived from the original on 2012-12-27. Retrieved 2018-01-31.
  2. Hopkins, p. 2
  3. "BBC's History of the Colosseum p. 2". Bbc.co.uk. 22 March 2011. Archived from the original on 7 February 2009. Retrieved 16 April 2012.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Roth, Leland M. (1993). Understanding Architecture: Its Elements, History and Meaning (First ed.). Boulder, CO: Westview Press. ISBN 0-06-430158-3.
  5. William H. Byrnes IV (Spring 2005) "Ancient Roman Munificence: The Development of the Practice and Law of Charity". Rutgers Law Review vol. 57, issue 3, pp. 1043–1110.
  6. "BBC's History of the Colosseum p. 1". Bbc.co.uk. 22 March 2011. Archived from the original on 10 December 2017. Retrieved 16 April 2012.
  7. Baldwin, Eleonora (2012). Rome day by day. Hoboken: John Wiley & Sons Inc. p. 26. ISBN 9781118166291.
  8. Dark Tourism - Italy's Creepiest Attractions Archived 2021-03-05 at the Wayback Machine., The Local
  9. ୯.୦ ୯.୧ "Frommer's Events – Event Guide: Good Friday Procession in Rome (Palatine Hill, Italy)". Frommer's. Archived from the original on 7 January 2009. Retrieved 8 April 2008.
  10. Logan, Willy. "The Flavian Dynasty". Archived from the original on 31 ମଇ 2011. Retrieved 25 ସେପ୍ଟେମ୍ବର 2007.
  11. J. C. Edmondson; Steve Mason; J. B. Rives (2005). Flavius Josephus and Flavian Rome. Oxford University Press. p. 114. ISBN 0-19-926212-8.
  12. "The Colosseum – History 1". Archived from the original on 26 May 2011. Retrieved 26 January 2008.
  13. Mairui, Amedeo. Studi e ricerche sull'Anfiteatro Flavio Puteolano. Napoli : G. Macchiaroli, 1955. (OCLC 2078742)
  14. "The Coliseum". The Catholic Encyclopedia. New Advent. Archived from the original on 29 January 2013. Retrieved 2 August 2006.; the form quoted from the Pseudo-Bede is that printed in Migne, Pat. Lat 94 (Paris), 1862:543, noted in F. Schneider, Rom und Romgedanke im Mittelalter (Munich) 1926:66f, 251, and in Roberto Weiss, The Renaissance Discovery of Classical Antiquity (Oxford:Blackwell) 1973:8 and note 5.
  15. ୧୫.୦୦ ୧୫.୦୧ ୧୫.୦୨ ୧୫.୦୩ ୧୫.୦୪ ୧୫.୦୫ ୧୫.୦୬ ୧୫.୦୭ ୧୫.୦୮ ୧୫.୦୯ ୧୫.୧୦ ୧୫.୧୧ ୧୫.୧୨ ୧୫.୧୩ Claridge, Amanda (1998). Rome: An Oxford Archaeological Guide (First ed.). Oxford, UK: Oxford University Press, 1998. pp. 276–282. ISBN 0-19-288003-9.
  16. ୧୬.୦ ୧୬.୧ ୧୬.୨ "Building the Colosseum". tribunesandtriumphs.org. Archived from the original on 2017-10-14. Retrieved 2018-01-31.
  17. Sear, David R. (2000). Roman Coins and Their Values - The Millennium Edition. Volume I: The Republic and The Twelve Caesars, 280BC-AD96 (pp. 468-469, coin # 2536). London: Spink. ISBN 1 902040 35 X
  18. ALFÖLDY, GÉZA (1995). "Eine Bauinschrift Aus Dem Colosseum". Zeitschrift für Papyrologie und Epigraphik. 109: 195–226.
  19. Cass. Dio lxxviii.25.
  20. The repairs of the damages inflicted by the earthquake of 484 were paid for by the Consul Decius Marius Venantius Basilius, who put two inscriptions to celebrate his works (ଛାଞ୍ଚ:CIL).
  21. "MEDIVM AEVVM". The-Colosseum. The-Colosseum.Net. Archived from the original on 24 December 2016. Retrieved 1 November 2016.
    Names the order: Arciconfraternita del SS. Salvatore ad Sancta Sanctorum, aka del Gonfalone. Co-tenants: the Roman Senate and the Camera Apostolica. "In 1519 The Confraternita built the little chapel of Santa Maria della Pietà inside the Colosseum."
  22. "Rome." Encyclopædia Britannica. 2006.
  23. The Coliseum Archived 2013-01-29 at the Wayback Machine. in Catholic Encyclopedia
  24. Young, Gayle (24 February 2000). "On Italy's passionate opposition to death penalty". CNN. Archived from the original on 13 November 2021. Retrieved 2 August 2006.
  25. "INTERNATIONAL: Roman Colosseum Lit to Mark Connecticut's Abolition of Death Penalty". Death Penalty Info. Archived from the original on 10 June 2015. Retrieved 9 June 2015.
  26. Colosseum stages peace concert Archived 2023-03-05 at the Wayback Machine., BBC News Online, 12 May 2002.
  27. McCartney rocks the Colosseum Archived 2006-12-06 at the Wayback Machine., BBC News Online, 12 May 2003.
  28. Sir Elton's free gig thrills Rome Archived 2021-10-26 at the Wayback Machine., BBC News Online, 4 September 2005.
  29. Ian Archibald Richmond, Donald Emrys Strong, Janet DeLaine. "Colosseum", The Oxford Companion to Classical Civilization. Ed. Simon Hornblower and Antony Spawforth. Oxford University Press, 1998.
  30. Downey, Charles T. (9 February 2005). "The Colosseum Was a Skydome?". Archived from the original on 13 June 2018. Retrieved 2 August 2006.
  31. Samuel Ball Platner (as completed and revised by Thomas Ashby), A Topographical Dictionary of Ancient Rome. Oxford University Press, 1929.
  32. The Colosseum.net : The resourceful site on the Colosseum Archived 2011-04-09 at the Wayback Machine..
  33. Squires, Nick (23 June 2010). "Colosseum to open gladiator passageways for first time". The Daily Telegraph. UK. Archived from the original on 23 June 2011. Retrieved 30 January 2011.
  34. Joseph M Champlin, The Stations of the Cross With Pope John Paul II Liguori Publications, 1994, ISBN 0-89243-679-4.
  35. Vatican Description of the Stations of the Cross at the Colosseum: Pcf.va Archived 2013-06-03 at the Wayback Machine.
  36. "Rome Colosseum repair to be funded by Tods shoe firm". BBC. 21 January 2011. Archived from the original on 11 November 2011. Retrieved 16 April 2012.
  37. Silvers, Eric (25 April 2014). "The Colosseum's Badly Needed Bath". Wall Street Journal. Archived from the original on 15 December 2014. Retrieved 7 September 2014.
  38. "The-Colosseum.net: Antiquity". the-colosseum.net. Archived from the original on 2011-05-26. Retrieved 2018-01-31.
  39. "CATHOLIC ENCYCLOPEDIA: The Coliseum". newadvent.org. Archived from the original on 2013-01-29. Retrieved 2018-01-31.
  40. "Colosseum & Christian Martyrs". tribunesandtriumphs.org. Archived from the original on 2017-12-25. Retrieved 2018-02-08.
  41. Hopkins, p. 103
  42. Brockman, Norbert C. (13 September 2011). Encyclopedia of Sacred Places [2 volumes]. ABC-CLIO. p. 108. ISBN 9781598846553. Public executions were held there during the empire, and it is for these last events that the Colosseum became a Christian shrine. It is disputed whether many early Christian martyrs actually died in the Colosseum, since there is no mention of that in ancient Christian records.
  43. Brockman, Norbert C. (13 September 2011). Encyclopedia of Sacred Places [2 volumes]. ABC-CLIO. p. 108. ISBN 9781598846553. There seems little doubt that some Christians were executed as common criminals in the Colosseum-their crime being refusal to reverence the Roman gods. Most martyrs, however, died for their faith at the Circus Maximus. Some were even executed as members of what the Romans considered a Jewish sect, since both Jews and Christians refused to reverence the gods.
  44. Potter, David Stone (1999). Life, Death, and Entertainment in the Roman Empire. University of Michigan Press. p. 227. ISBN 9780472085682. Retrieved 30 April 2014. The public execution of condemned offenders, including Christians, is associated above all with the amphitheater, although there were executions at various other venues. Gladiatorial games, hunting displays, and executions also took place at the Circus Maximus, even after the construction of the Colosseum (Humphrey 1987, 121).
  45. Hopkins, p. 103: "It is likely that Christians were put to death there and that those said to have been martyred 'in Rome' actually died in the Colosseum. But, despite what we are often told, that is only a guess. One of the possible candidates for martyrdom in the Colosseum is St. Ignatius, a bishop of Antioch (in Syria) at the beginning of the second century AD, who was 'condemned to the beasts' at Rome."
  46. Brockman, Norbert C. (13 September 2011). Encyclopedia of Sacred Places [2 volumes]. ABC-CLIO. p. 108. ISBN 9781598846553. The Christians who did die in the Colosseum often did so under dramatic circumstances, thus cementing the legend. The hero St. Ignatius of Antioch, a disciple of St. John the Beloved, was sent to the beasts by Trajan in 107. Shortly after, 115 Christians were killed by archers. When Christians refused to pray to the gods for the end of a plague in the latter part of the second century, Marcus Aurelius had thousands killed in the Colosseum for blasphemy.
  47. Hopkins, p. 160: "For most of the Middle Ages and early Renaissance the Colosseum was not so much a monument as a quarry. To describe this activity as 'robbery' is to give the wrong impression. For the most part, there was nothing illegal or unofficial about the removal of this stone."
  48. "The-Colosseum.net: 1300-1700". the-colosseum.net. Archived from the original on 2020-10-08. Retrieved 2018-02-09.
  49. "The Coliseum". Catholic Encyclopedia. New Advent. Archived from the original on 29 January 2013. Retrieved 24 April 2014. In the Middle Ages, for example, when the sanctuaries of the martyrs were looked upon with so great veneration, the Coliseum was completely neglected; its name never occurs in the itineraries, or guide-books, compiler for the use of pilgrims to the Eternal City.
  50. "The Coliseum". Catholic Encyclopedia. New Advent. Archived from the original on 29 January 2013. Retrieved 24 April 2014. The "Mirabilia Romae", the first manuscripts of which date from the twelfth century, cites among the places mentioned in the "Passions" of the martyrs the Circus Flaminius ad pontem Judaeorum, but in this sense makes no allusion to the Coliseum.
  51. "The Coliseum". Catholic Encyclopedia. New Advent. Archived from the original on 29 January 2013. Retrieved 24 April 2014. Pope St. Pius (1566-72) is said to have recommended persons desirous of obtaining relics to procure some sand from the arena of the Coliseum, which, the pope declared, was impregnated with the blood of martyrs. The opinion of the saintly pontiff, however, does not seem to have been shared by his contemporaries.
  52. "The Coliseum". Catholic Encyclopedia. New Advent. Archived from the original on 29 January 2013. Retrieved 24 April 2014. The pamphlet was so completely successful that four years later, the jubilee year of 1675, the exterior arcades were closed by order of Clement X; from this time the Coliseum became a sanctuary.
  53. ୫୩.୦ ୫୩.୧ "The Coliseum". Catholic Encyclopedia. New Advent. Archived from the original on 29 January 2013. Retrieved 24 April 2014. At the instance of St. Leonard of Port Maurice, Benedict XIV (1740-58) erected Stations of the Cross in the Coliseum, which remained until February, 1874, when they were removed by order of Commendatore Rosa. St. Benedict Joseph Labre (d. 1783) passed a life of austere devotion, living on alms, within the walls of the Coliseum.
  54. Litfin, Bryan M. (1 October 2007). Getting to Know the Church Fathers: An Evangelical Introduction. Brazos Press. p. 44. ISBN 9781441200747. But according to Irenaeus (who spent time in Rome not long after these events took place) Ignatius did in fact meet his end by being torn apart by wild animals for the amusement of the Roman masses, probably in the infamous Colosseum. The crowd there that day would have viewed the spectacle as a crushing defeat of this meek man's Christian religion. But Ignatius understood his death to be a shout of victory. Today a Christian cross stands in the Colosseum of Rome with a plaque that reads, "The amphitheater, one consecrated to triumphs, entertainments, and the impious worship of pagan gods, is now dedicated to the sufferings of the martyrs purified from impious superstitions."
  55. Cooper, Paul (5 December 2017). "Rome's Colosseum Was Once a Wild, Tangled Garden". The Atlantic. Archived from the original on 12 January 2018. Retrieved 12 January 2018.

ପୁସ୍ତକ ଆଧାର[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]