କଣାଦ (ମୁନି)

ଉଇକିପିଡ଼ିଆ ରୁ
Jump to navigation Jump to search


କଣାଦ (ମୁନି) ହେଉଛନ୍ତି ବୈଦିକ ଭାରତର ଜଣେ ମୁନି ତଥା ବିଶିଷ୍ଟ ଦାର୍ଶନିକ ଗ୍ରନ୍ଥ ବୈଶେଷିକର ପ୍ରଣେତା ।[୧] ବୈଶେଷିକ ଗ୍ରନ୍ଥ ପ୍ରାଚୀନ ଭାରତ ଏକ ବିଶିଷ୍ଟ ଗ୍ରନ୍ଥ ଯେଉଁଥିରେ ଧର୍ମ, ବିଜ୍ଞାନ ତଥା ଭାରତୀୟ ଦର୍ଶନର ଅଦ୍ଭୁତ ସମନ୍ୱୟ ଘଟିଛି । ଗ୍ରନ୍ଥଟିରେ ମୂଳତଃ ବସ୍ତୁତତ୍ତ୍ୱ ତଥା ଆଣବିକ ତତ୍ତ୍ୱ ବିଷୟରେ ସବିଶେଷ ବ୍ୟାଖ୍ୟା ରହିଛି । ଏକ ଅଧ୍ୟୟନ ଅନୁସାରେ, ସମକାଳୀନ ପୃଥିବୀରେ ଆଣବିକ ତତ୍ତ୍ୱ ସମ୍ବନ୍ଧରେ ଯାହାସବୁ ପ୍ରଚଳିତ ଧରଣା ରହିଥିଲା କଣାଦଙ୍କ ସୂତ୍ର ସେସବୁ ତୂଳନାରେ ବହୁ ଉନ୍ନତ ତଥା ବର୍ତ୍ତମାନର ଆଣବିକ ତତ୍ତ୍ୱର ନିକଟବର୍ତ୍ତୀ ।

ପରିଚୟ[ସମ୍ପାଦନା]

କଣାଦଙ୍କ ଜୀବନି ବିଷୟରେ ବିଶେଷ କିଛି ପ୍ରାମାଣିକ ତଥ୍ୟ ନାହିଁ । ତେବେ ସେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଦ୍ୱିତୀୟ ଶତାବ୍ଦୀ ମଧ୍ୟରେ ରହିଥିବାର ଅନୁମାନ କରାଯାଏ । ତାଙ୍କ ନାମ କଣାଦର ମୂଳ ଶବ୍ଦ "କଣ" ଅର୍ଥ ଅଣୁ । ପ୍ରାଚୀନ ଭାରତରେ କଣାଦ ହିଁ ପ୍ରତିପାଦନ କରିଯାଇଛନ୍ତି ଯେ ପ୍ରତ୍ୟେକ ପଦାର୍ଥର ମୂଳ କଣିକା ହେଉଛି ଅଣୁ । ଅତଏବ ବୈଜ୍ଞାନିକ ଜନ ଡାଲଟଙ୍କ ବହୂ ପୂର୍ବରୁ ଋଷି କଣାଦ ଏହି ତତ୍ତ୍ୱ ପରିପ୍ରକାଶ କରିଥିଲେ ଯେ ସମସ୍ତ ଦ୍ରବ୍ୟ ବାସ୍ତବରେ ଅଣୁ ମାନଙ୍କର ସମଷ୍ଟି । ତେବେ ଅଣୁ, ପରମାଣୁ ସହ ଜଗତର ସମ୍ପର୍କ ଏବଂ ଏହାର ଦାର୍ଶନିକ ତତ୍ତ୍ୱ ସମ୍ପର୍କରେ ସେ ତାଙ୍କର ପ୍ରଖ୍ୟାତ ଗ୍ରନ୍ଥ ବୈଶେଷିକ ସୂତ୍ରରେ ସବିଶେଷ ବିବରଣୀ ଲେଖିଯାଇଛନ୍ତି । ସେ ଗ୍ରନ୍ଥ କଣାଦ ସୂତ୍ର ନାମରେ ମଧ୍ୟ ପରିଚିତ ।[୨]

କଣାଦଙ୍କ ଅଣୁ ତତ୍ତ୍ୱ[ସମ୍ପାଦନା]

କଣାଦଙ୍କ ଦାର୍ଶନିକ ତତ୍ତ୍ୱରେ ଏହି ବିଶ୍ୱ ବ୍ରହ୍ମାଣ୍ଡର ଉତ୍ପତ୍ତି ତଥା ସ୍ଥିତି ସମ୍ପର୍କରେ କୁହାଯାଇଛି । ପ୍ରତ୍ୟେକ ଦ୍ରବ୍ୟର ମୂଳ କଣିକା ଯେ ଅଣୁ ଏହା ତର୍କ ତଥା ବାସ୍ତବିକ ସ୍ଥିତି ମାଧ୍ୟମରେ ବୁଝାଇଦିଆଯାଇଛି । ସେ ଏକଥା ମଧ୍ୟ କହିଥିଲେ ଯେ ପ୍ରତ୍ୟେକ ବସ୍ତୁକୁ କ୍ଷୁଦ୍ରତମ କଣିକା ଆସିବା ପର୍ଯ୍ୟନ୍ତ ଭାଗ କରାଯାଇପାରିବ । ସେହି କ୍ଷୁଦ୍ରତମ କଣିକା ହେଉଛି ପରମାଣୁ ଯା କି ଆଉ ଅଧିକ ଭାଗ କରାଯାଇପାରିବ ନାହିଁ ।

ଏହିପରିଭାବେ ସେ ପରମାଣୁ ତତ୍ତ୍ୱକୁ ମାଧ୍ୟମରେ ଆତ୍ମା ବା ଆତ୍ମନ୍‌କୁ ଅନୁଭବ କରିବା ତଥା ମୋକ୍ଷ ଲାଭ କରିବା ନିମିତ୍ତ ଏକ ଅଣପାରମ୍ପରିକ ପଦ୍ଧତି ବିଷୟରେ ପର୍ଯ୍ୟାପ୍ତ ଆଲୋଚନା କରିଯାଇଛନ୍ତି । ସୃଷ୍ଟିର ମୂଳତତ୍ତ୍ୱକୁ ବୁଝାଇବାକୁ ଯାଇ କଣାଦ ଛଅଟି ତତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି । ସେଗୁଡିକ ହେଲା, ଦ୍ରବ୍ୟ, ଗୁଣ, କର୍ମଣ,ସାମାନ୍ୟ, ବିଶେଷ ଏବଂ ସମବାୟ । ତାଙ୍କ ମତରେ ଏହି ଛଅଟି ତତ୍ତ୍ୱ ମାଧ୍ୟମରେ ସମସ୍ତ ପଦାର୍ଥକୁ ବର୍ଣ୍ନନ ତଥା ଅନୂଶୀଳନ କରିହେବ । ପୁଣି ସମସ୍ତ ଦ୍ରବ୍ୟ ହେଉଛି ନଅ ପ୍ରକାରର । ତନ୍ମଧ୍ୟରୁ କିଛି ଅଣୂ ସମ୍ପନ୍ନ, କିଛି ଅଣୁ ବିହୀନ ଏବଂ ଅନ୍ୟ ସବୁ ସର୍ବ ବ୍ୟାପକ ।

କଣାଦଙ୍କ ସୂତ୍ର ଅନୁସାରେ ପରମାଣୁ ହେଉଛି ଏକ ଅକ୍ଷୟ କଣିକା ଯାହାକୁ ଆଉ ଭାଗ କରିହେବ ନାହିଁ । ତାଙ୍କ ମତରେ ପରମାଣୁ ମାତ୍ର ଦୁଇଟି ଅବସ୍ଥାରେ ଅବସ୍ଥାନ କରିପାରିବେ , ଯଥା ସଂପୂର୍ଣ୍ଣ ସ୍ଥିର ଏବଂ ଚଳନଶୀଳ ।[୩] କଣାଦଙ୍କ ଅଣୁତତ୍ତ୍ୱ ଏହି ଯେ ଅଣୁସବୁ ଅକ୍ଷୟ ଏବଂ ତେଣୁ ଅମର । ଅଣୁସବୁ ଏତେ ଛୋଟ ଯେ ଖାଲି ଆଖିକୁ ଦେଖଯାଆନ୍ତି ନାହିଁ । ନିମିଷକରେ ଏହା ପଦାର୍ଥ ଗଠନ କରି ନିଜର ସ୍ଥିତି ଜାହିର କରିବା ସହ ନିମିଷକରେ ସେ ଉଭେଇ ଯାଆନ୍ତି । ବୈଶେଷିକରେ ମାଧ୍ୟମରେ ସେ ପୁଣି ଉଲ୍ଲେଖ କରିଛନ୍ତି ଯେ, ଏକ ପ୍ରକାରର ଅଣୁ ପରସ୍ପର ସହ ସଂଯୋଗ ହୋଇ ଦ୍ୱିଅଣୁକ, ତ୍ରିଅଣୁକ ଭଳି ଯୌଗିକ ସ୍ଥିତି ସୃଷ୍ଟି କରିଥାନ୍ତି । ସେ ପୁଣି ଉଲ୍ଲେଖ କରିଛନ୍ତି ଯେ ପରମାଣୁସବୁ ଉତ୍ତାପର ଉପସ୍ଥିତିରେ ପରସ୍ପର ସହ ବିଭିନ୍ନ ପ୍ରକାରେ ଯୋଡି ହୋଇ ଦ୍ରବ୍ୟ ମଧ୍ୟରେ ବିଭିନ୍ନ ରାସାୟନିକ ପରିବର୍ତ୍ତନ କରାଇବାରେ ସକ୍ଷମ ହୋଇଥାନ୍ତି । ତାଙ୍କ ମତରେ ମାଟିହାଣ୍ଡି କଳା ପଡିଯିବା ଏବଂ କଞ୍ଚା ଫଳ ପାଚିବା ଏହାର ଗୋଟିଏ ଗୋଟିଏ ଉଦାହରଣ ।[୪] କଣାଦଙ୍କ ଏକ ସ୍ୱୟଂସିଦ୍ଧ ତତ୍ତ୍ୱ ଅନୁସାରେ ସେ ଚାରି ପ୍ରକାର ପରମାଣୁର ଅନୁଧ୍ୟାନ କରିଥିଲେ, ଦୁଇଟି ବସ୍ତୁତ୍ୱ ସହ ଏବଂ ଅନ୍ୟ ଦୁଇଟି ବସ୍ତୁତ୍ୱ ବିହୀନ । ତେବେ ଉଭୟ ଦ୍ରବ୍ୟ ଚାରୋଟି ପରମାଣୁ ବିଶିଷ୍ଟ । କଣାଦଙ୍କ ଏହି ପରମାଣୁ ତତ୍ତ୍ୱ ତତ୍‌କାଳୀନ ପ୍ରାଚୀନ ଗ୍ରୀକରେ ପ୍ରଚଳିତ ପରମାଣୁ ତତ୍ତ୍ୱଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା । ପ୍ରାଚୀନ ଗ୍ରୀକରେ ପ୍ରଚଳିତ ଧାରଣା ଅନୁସାରେ ସମସ୍ତ ପରମାଣୁର ନିଜସ୍ୱ ଧର୍ମ ଏକାପରି ହେଲେ ଏମାନଙ୍କର ସଂଖ୍ୟା ଭେଦରେ ଦ୍ରବ୍ୟର ଗୁଣ ଭେଦ ପରିଦୃଶ୍ୟ ହୁଏ । କିନ୍ତୁ କଣାଦଙ୍କ ପରମାଣୁ ତତ୍ତ୍ୱ କହେ, ଅଲଗା ଅଲଗା ଦ୍ରବ୍ୟର ପରମାଣୁର ନିଜସ୍ୱ ଧର୍ମ ଅଲଗା ହୋଇଥାଏ ।[୫]

ଆଧାର[ସମ୍ପାଦନା]

  1. Fowler, Jeaneane D. (2002). "Perspectives of reality: an introduction to the philosophy of Hinduism". www.books.google.com (in ଇଂରାଜୀ). Sussex Academic Press. Retrieved 7 January 2020.
  2. Riepe, Dale Maurice (December 1996). "Naturalistic Tradition in Indian Thought". www.books.google.co.in (in ଇଂରାଜୀ). Motilal Banarsidass Publ. Retrieved 7 January 2020.
  3. www.ece.lsu.edu (PDF) [www.ece.lsu.edu/kak/roopa51.pdf www.ece.lsu.edu/kak/roopa51.pdf] Check |url= value (help). Retrieved 7 January 2020. Missing or empty |title= (help)
  4. Kapoor, Subodh. The Indian Encyclopaedia, Volume 1. Cosmo Publications. P. 5643. ISBN 8177552570.
  5. Craig, Edward (1998). "Routledge Encyclopedia of Philosophy: Index". www.books.google.com (in ଇଂରାଜୀ). Taylor & Francis. Retrieved 7 January 2020.