ଓଡ଼ିଶାରେ ଦେବୀପୂଜାର ଐତିହ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଯାହା ନାହିଁ ଭାରତେ ତାହା ନାହିଁ ମରତେ I ପ୍ରାଚୀନ ଭାରତର (ଓଡ୍ର)ଓଡ଼ିଶା ଏକ ପବିତ୍ର ଭୂମି ରୂପେ ପରିଗଣିତ ହେଉଥିଲା I ପୁରାଣମାନଙ୍କରେ ଉତ୍କଳ – ଓଡ଼ିଶାର ଶକ୍ତିପୀଠମାନଙ୍କ ବିଶେଷତ୍ୱ ରହିଛି I କ୍ଷେତ୍ରରାଜ ପୁରୁଷୋତ୍ତମର ପୀଠାଧିଷ୍ଠାତ୍ରୀ, କ୍ଷେତ୍ରେଶ୍ୱରୀ ବିମଳା,ବିରଜାକ୍ଷେତ୍ରରେ ବିରଜାଇ, ବାଣପୁର ଭଗବତୀ, ଘଟଗାଁ ତାରିଣୀ, କାକଟପୁର ମଙ୍ଗଳା, ଝଙ୍କଡ ଶାରଳା, ବଡମ୍ବା ଭଟାରିକା, ବାଙ୍କୀର ଚର୍ଚ୍ଚିକା ପୀଠ ବହୁ ପୁରାତନ ଶକ୍ତିପୀଠ I ଶକ୍ତିପୀଠମାନଙ୍କରେ ଉପାସନା ଓ ପୂଜାକ୍ରମ ଅତି ପ୍ରାଚୀନ ଓ ଅନୁକରଣୀୟ I ଉତ୍କଳୀୟ ସଂସ୍କୃତିର ପୃଷ୍ଟଭୂମି ପ୍ରତି ସିଂହାବଲୋକନ କରିବା ଅତି ସହଜ ଓ ସୁଗମ ଅଟେ I ଏହାର ପୂଜଧାରାର ଦୁଇଟି ମାର୍ଗ ଅଛି I ଗୋଟିଏ ବହିଃ ମାର୍ଗ, ଅନ୍ୟଟି ଆଭ୍ୟନ୍ତରୀଣ ମାର୍ଗ I ପୂର୍ବପୁରୁଷଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଏହା ଆନୀତ ହୋଇଛି, ଯାହା ବିଭିନ୍ନ ସଂସ୍କୃତି ବିଭିନ୍ନତାର ସଂଘାତ ସତ୍ତ୍ୱେ ଅଦ୍ୟାବଧି ବଞ୍ଚିରହିଛି I ବହୁ ସନାତନ ଧର୍ମର ନିତ୍ୟ ଉପସ୍ୟ ପଞ୍ଚଦେବତାଙ୍କ ମଧ୍ୟରେ ଶକ୍ତି ଆରାଧନା ଅନ୍ୟତମ I ଦେବୀତତ୍ତ୍ୱ ଯଦି ବ୍ୟାଖ୍ୟା କରାଯାଏ ତେବେ କୁହାଯିବ ଯେ ଶକ୍ତି ହିଁ ସଂସାରର ସବୁକିଛି I ଯାହା ସ୍ଥୂଳଜଗତର ଦୃଶ୍ୟମାନରେ ଦେଖୁଥାଏ, ତାହା ବ୍ରହ୍ମଙ୍କ ‘ ପରାଶକ୍ତି ’ ଅଭିବ୍ୟକ୍ତି ବ୍ୟତୀତ ଅନ୍ୟ କିଛି ନୁହେଁ I ଏହା ଆଦ୍ୟାଶକ୍ତି ପରାତତ୍ତ୍ୱ, ଚେତନଶକ୍ତି କୁହାଯାଏ I ଗୀତା ଭଗବାନଙ୍କ ମୁଖ ନିସୃତରେ ଭୂମି, ଆପ, ଅନଳ, ବାୟୁ, ଖ, ମନ, ବୁଦ୍ଧି, ଅହଂକାର ଏ ଆଠ ପ୍ରକର ଅପରା ପ୍ରକୃତିର ଶକ୍ତି I ପରାଶକ୍ତି, ଚେତନଶକ୍ତି, ବ୍ରହ୍ମଙ୍କ ‘ ମାୟା’ ଆମ ସଂକ୍ଷିପ୍ତ ପରିସର ବୁଦ୍ଧିଭ୍ରମର ବିଚାର ଅଟେ I ଗୋଟିଏ ବୃନ୍ତରେ ଦୁଇଟି ଫୁଲ I ଶକ୍ତିକୁ ଅନୁଭବ ନ କଲେ ବ୍ରହ୍ମଙ୍କୁ ଜାଣିବା କଷ୍ଟ I ଶକ୍ତି ବ୍ୟକ୍ତ ଓ ଅବ୍ୟକ୍ତ ଉଭୟଙ୍କୁ ମିଳାଇବାର ଏକ ସୂକ୍ଷ୍ମ ଶୃଙ୍ଖଳା ବା ଶକ୍ତି ବିନା ଶିବ ସ୍ଥାଣୁ, ଅଚଳ I ଶକ୍ତି ଦୁଇ ଭାଗରେ ବିଭକ୍ତ, ଗୋଟିଏ ଅଭୀଷ୍ଟ ସିଦ୍ଧି ପାଇଁ ଇଷ୍ଟକର, ଅନ୍ୟଟି ଅନିଷ୍ଟକର I ପ୍ରତ୍ୟେକ ଗ୍ରାମରେ ମା’ଙ୍କୁ ବିଭିନ୍ନ ନାମରେ ଆରାଧନା ପ୍ରଚଳିତ ଥିଲା I ଅଦ୍ୟାବଧି ତାହା ଅଧିକାଧିକ ମନ୍ଦିରମାଳିନୀ ପୀଠ ରୂପେ ରୂପାନ୍ତରିତ I ବହୁ ପୁରାତନ କାଳରୁ ଶିଳାକୁ ଶାଳଗ୍ରାମ, ଶିଳପୁଆକୁ ଷଷ୍ଠୀଦେବୀ ରୁପେ ପୂଜା ହୋଇଆସୁଛି I କଥାରେ ଅଛି ‘ ଉଜି ରାଇଜେ କୁଜି, ଯେଉଁ ରାଇଜରେ ଶାଳଗ୍ରାମ ନାହିଁ ଶିଳପୁଆକୁ ପୂଜି ’ I ବୈଦିକ ଶାସ୍ତ୍ରାନୁଯାୟୀ ରୁଦ୍ରଙ୍କ ପତ୍ନୀ ରୁଦ୍ରାଣୀ, ସର୍ବାଣୀ, ବ୍ରହ୍ମାଣୀ, ମୃଡାଣୀ, ଭବାନୀ ବିଭିନ୍ନ ନାମରେ, ବରୁଣେଇ, କରୁଣେଇ, କୁତାମଚଣ୍ଡୀ, ବାସୁଳୀ, କଟକଚଣ୍ଡୀ, ସୁବର୍ଣ୍ଣ ବାରାହୀ ନାମରେ ବିଭିନ୍ନ ଗ୍ରାମରେ ପୂଜା ପାଉଛନ୍ତି I ବସ୍ତୁତଃ ଦୁଇ ଶ୍ରେଷ୍ଠଋତୁ ସାମ୍ରାଜ୍ଞୀ ବସନ୍ତ ଋତୁ ଓ ଶରତ ଋତୁ ଜୀବମାନଙ୍କ ହୃଦୟତନ୍ତ୍ରୀରେ ନୂତନ ପ୍ରେରଣା, ଜାଗରଣ ସୃଷ୍ଟି କରେ I ତେଣୁ ଏହି ଦୁଇଋତୁରେ ଶକ୍ତିମୟୀ ଶବ୍ଦବ୍ରହ୍ମମୟୀ,ଭୁବନମୋହିନୀ ମହିଷମର୍ଦ୍ଦିନୀ ମା’ ଦୁର୍ଗା ରୂପେ ପୂଜିତା I ବସନ୍ତଋତୁରେ ଫଳ ପୁଷ୍ପଭରା ପୃଥିବୀରାଣୀ ବକ୍ଷରେ ‘ ବାସନ୍ତି ଦୁର୍ଗା ’ ରୂପେ ମା’ଙ୍କୁ ପୂଜା କରାଯାଏ I ସମସ୍ତ ଗତି, ଦୁର୍ଗତି ମଧ୍ୟରେ ସେହି ଅନ୍ନଦାତ୍ରୀ,ବଳଦାତ୍ରୀ, ଧନଦାତ୍ରୀ, ଜ୍ଞାନ ପ୍ରଦାୟିନୀ ଦେବୀଙ୍କୁ ଆରାଧନା କରି ନୂତନ ଶକ୍ତିଲାଭ କରି ଭୂମିମାତାକୁ ଶସ୍ୟଶାମଳା, ସୁଜଳା, ସୁଫଳା ପ୍ରାଚୁର୍ଯ୍ୟମୟୀ କରିବାକୁ ଦୃଢପ୍ରତିଜ୍ଞ ହେବା ସହିତ ଅମ୍ଳାନ କର୍ମ ପ୍ରବାହରେ ଆଶୀର୍ବାଦ ଲାଭ କରିବା ଆମର କାମ୍ୟହେବା ଉଚିତ ।[୧]

ଆଧାର[ସମ୍ପାଦନା]

  1. ପଣ୍ଡିତ ନାରାୟଣଚନ୍ଦ୍ର ଦାଶ,ଧରିତ୍ରୀ,ପୃଷ୍ଠା- ୮,ତା୭/୧୦/୨୦୦୮