ଉଇକିପିଡ଼ିଆ:ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ/ଜାଣିବା କଥା
Appearance
୧. ଓଡ଼ିଆ ଉଇକିପିଡ଼ିଆର ଇତିହାସ ଓ ବର୍ତ୍ତମାନର ସ୍ଥିତି କଣ?
- ଓଡ଼ିଆ ଉଇକିପିଡ଼ିଆ ଓଡ଼ିଆ ଭାଷାରେ ଏକ ଖୋଲା ଏବଂ ଅନଲାଇନ ଜ୍ଞାନକୋଷ ଯେଉଁଥିରେ କେହି ବି ଜଣେ ପ୍ରସଙ୍ଗ (Article) ଲେଖିପାରେବେ । ଓଡ଼ିଆରେ ଏଯାବତ ୩୦୫୦ ଗୋଟି ପ୍ରସଙ୍ଗ ରହିଛି । ୨୦୦୨ ରେ ଆରମ୍ଭ ହୋଇଥିବା ଏହି ଅଣ-ଲାଭକାରୀ ପ୍ରକଳ୍ପରେ ପ୍ରଥମ ପ୍ରସଙ୍ଗଟି ୨୦୦୪ ରେ ଲେଖାଯାଇଥିଲା । ତେବେ ସଚେତନତା ଓ ସକ୍ରିୟ ଯୋଗଦାନର ଅଭାବ ଯୋଗୁଁ ଏଥିରେ ଦୀର୍ଘ ୮ ବର୍ଷ ଧରି ବେଶି କିଛି ବିକାଶ ହୋଇପାରିନଥିଲା । ୨୦୧୧ ମାର୍ଚ୍ଚ ବେଳକୁ କେତେଜଣ ବେଙ୍ଗାଳୁରୁ ନିବାସୀ ଓଡ଼ିଆଙ୍କ ପ୍ରଚେଷ୍ଟାରେ ଏହି ପ୍ରକଳ୍ପର ପୁନରୁଦ୍ଧାର ହୋଇଥିଲା । ପରେ ପରେ ବେଙ୍ଗାଳୁରୁ, ଭୁବନେଶ୍ଵର, କଟକ, ବାଲେଶ୍ଵର, ଦିଲ୍ଲୀ, ହାଇଦରାବାଦ, ପୁଣେ ଆଦି ସ୍ଥାନରେ ଉତ୍ସାହୀ ଓଡ଼ିଆମାନେ କର୍ମଶାଳା ମାଧ୍ୟମରେ ଏହାର ପ୍ରଚାର ଓ ପ୍ରସାର କରିବା ଫଳରେ ଆଜି ଏହା ଇଣ୍ଟରନେଟରେ ଉପଲବ୍ଧ ସର୍ବାଧିକ ପଠିତ ଓଡ଼ିଆ ୱେବସାଇଟ ଭାବରେ ପରିଗଣିତ ହୋଇଛି । ମାସକୁ ହାରାହାରି ୪.୭ ଲକ୍ଷରୁ ଅଧିକ ଲୋକ ଏହାକୁ ଇଣ୍ଟରନେଟ ମାଧ୍ୟମରେ ପଢ଼ିଥାନ୍ତି । ୨୫ରୁ ଅଧିକ ଓଡ଼ିଆ ସ୍ଵେଚ୍ଛାରେ ଏଥିରେ ନାନାଦି ପ୍ରସଙ୍ଗରେ ସକ୍ରିୟ ଭାବେ ଏଥିରେ ଲେଖୁଛନ୍ତି ।
୨. ଏହାର ଉପଯୋଗୀତା କଣ, ବିଶେଷ କରି ଛାତ୍ର ତଥା ଶିକ୍ଷକମାନଙ୍କର ଏହା କିପରି କାମରେ ଆସିବ?
- ଓଡ଼ିଆ ଉଇକିପିଡ଼ିଆ ଏକ ଖୋଲା ଜ୍ଞାନକୋଷ ଭାବରେ ସମଗ୍ର ଜ୍ଞାନର ଏକ ଭଣ୍ଡାର, ତେଣୁ ବୃତ୍ତି ନିର୍ବିଶେଷରେ ସମସ୍ତ ଶିକ୍ଷିତ ଓଡ଼ିଆ ଏହାକୁ ଜ୍ଞାନ ଆହରଣର ଏକ ବିଶାଳ ଭଣ୍ଡାର ଭାବେ ଏହାକୁ ବ୍ୟବହାର କରିପାରିବେ । ଛାତ୍ରମାନେ ନିଜର ଅଧ୍ୟୟନ ପାଇଁ ଓ ଶିକ୍ଷକମାନେ ନିଜର ଅଧ୍ୟାପନାରେ ସହଯୋଗ ପାଇଁ ଏଥିରୁ ଅନେକ ଉପଯୋଗୀ ତଥ୍ୟ ପାଇପାରିବେ ।
୩. ବ୍ରିଟାନିକା ଭଳି ଛପା ଜ୍ଞାନକୋଷ ଠାରୁ ଏହା କେତେ ଅଧିକ ଉପଯୋଗୀ?
- ଛପା ବହିର ପୁନର୍ମୁଦ୍ରଣ କେତେ ବର୍ଷ ଅନ୍ତରରେ ହେଉଥିବା ବେଳେ ଓଡ଼ିଆ ଉଇକିପିଡ଼ିଆରେ ନୂଆ ତଥ୍ୟ ସବୁ ପ୍ରତି ଦିନ ବା କେଇଦିନ ଅନ୍ତରରେ ଯୋଡ଼ାଯାଉଥାଏ । ଏହା ଫଳରେ ସଭିଏଁ ନୂଆ ଓ ପରିବର୍ତ୍ତିତ ତଥ୍ୟସବୁ ଜାଣିବାକୁ ପାଇଥାନ୍ତି ଯାହା ଛପା ବହି କ୍ଷେତ୍ରରେ ସମ୍ଭବପର ହୋଇନଥାଏ । ତାହା ସହିତ ସମସ୍ତଙ୍କ ପାଖରେ ସବୁବେଳେ ବହିଟିଏ ହୁଏତ ରହିନପାରେ, କିନ୍ତୁ ଓଡ଼ିଆ ଉଇକିପିଡ଼ିଆ ମାଗଣାରେ ଅନଲାଇନରେ ଉପଲବ୍ଧ । ଜଣେ ଚାହିଁଲେ ଦରକାରୀ ପ୍ରସଙ୍ଗସବୁକୁ ପ୍ରିଣ୍ଟ କରି ମଧ୍ୟ ପଢ଼ିପାରିବ ।
୪. ଶିକ୍ଷା ପ୍ରକଳ୍ପର କଣ ଓ ସବିଶେଷ ଏହାର ଉପଯୋଗୀତା ବାବଦରେ ବୁଝାଇଲେଖିବେ କି?
- ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଏକ ସହବନ୍ଧିତ ପ୍ରକଳ୍ପ (Collaborative partnership project) ଯାହା ଏକ ଶିକ୍ଷାନୁଷ୍ଠାନ ଓ ଉଇକିପିଡ଼ିଆର ସହଯୋଗରେ ହୋଇଥାଏ । ଏଥିରେ ଶିକ୍ଷକମାନେ ନିଜ ଅନୁଷ୍ଠାନର କେତେକ ଉତ୍ସାହୀ ଛାତ୍ରଛାତ୍ରୀଙ୍କୁ ବାଛିଥାନ୍ତି ଯେଉଁମାନଙ୍କୁ ତାଙ୍କର ପାଠ ଖସଡ଼ା (ସିଲାବସ) ଭିତରୁ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଲେଖିବା ପାଇଁ ଦିଆଯାଇଥାଏ । ସେମାନେ ସେହି ପ୍ରସଙ୍ଗସବୁ ଲେଖିଲାପରେ ଶିକ୍ଷକମାନେ ତାହାର ମୁଲ୍ୟାୟନ କରିଥାନ୍ତି ଓ ସେମାନେ ସେହି ପ୍ରସଙ୍ଗସବୁ ଉଇକିପିଡ଼ିଆରେ ଲେଖିଥାନ୍ତି । ଏହି ପ୍ରୋଗ୍ରାମ ଶେଷରେ ଏଥିରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆ ତରଫରୁ ମାନପତ୍ର (Certificate) ଦିଆଯାଇଥାଏ ।
୫. ଏହା ଛାତ୍ରଛାତ୍ରୀମାନଙ୍କୁ କି କି ପ୍ରକାରେ ବିଶେଷ ଭାବରେ ସାହାଯ୍ୟ କରିଥାଏ?
- ଜ୍ଞାନ ଆହରଣ ଓ ବିତରଣ କରିବା ତଥା ଉଇକିପିଡ଼ିଆ ଭଳି ଏକ ବିଶ୍ଵସ୍ତରୀୟ ଜ୍ଞାନକୋଷରେ ସମ୍ପାଦନାର ଅଭିଜ୍ଞତା
- ଏହି ସଙ୍ଗଠନ ତରଫରୁ ମାନପତ୍ର ଯାହା ଭବିଷ୍ୟତରେ ଚାକିରି ପାଇଁ ଆବେଦନରେ ସାହାଯ୍ୟ କରିଥାଏ
- ଜଗତସାରାର ଅନେକ ନୂଆ ଲୋକଙ୍କ ସହ ମିଶି କାମ କରିବାର ଅନୁଭୂତି
- ଏକ ବିଶେଷ ପ୍ରସଙ୍ଗରେ ନିପୁଣତା ଲାଭ
୬. ଏହି ପ୍ରୋଗ୍ରାମ କେତେ ଦିନ ଧରି ଚାଲିବ ଓ ଏହା କିପରି ଆରମ୍ଭ ହୋଇ କେଉଁଭାବେ କାମ କରିବ?
- ଏହି ପ୍ରୋଗ୍ରାମ ଶିକ୍ଷାନୁଷ୍ଠାନର ପାଠ ଖସଡ଼ା ଉପରେ ଭିତ୍ତି କରି ନିର୍ମାଣ କରାଯାଇଥାଏ । ତେବେ ଏହା ଏକମାସରୁ ନେଇ ୬ ମାସ ଭିତରେ ହୋଇଥାଏ । ତେବେ କେତେକ ଶିକ୍ଷାନୁଷ୍ଠାନର ସ୍ଵଳ୍ପ କାଳର ପାଠ ଖସଡ଼ା ଥିଲେ ଏହା ୧୫ ଦିନ ପାଇଁ କରାଯାଇପାରିବ ।
୭. ଏଥିରେ ଛାତ୍ର ବା ଶିକ୍ଷକଙ୍କୁ କିଛି ଅର୍ଥର ସାହାଯ୍ୟ କରାଯାଇଥାଏ କି?
- ନାଁ, ଉଇକିପିଡ଼ିଆ ଏକ ଅଣଲାଭକାରୀ ପ୍ରକଳ୍ପ ହୋଇଥିବାରୁ ଏଥିରେ ସମ୍ପାଦନା କରୁଥିବା କୌଣସି ବ୍ୟକ୍ତିଙ୍କୁ କିଛି ଅର୍ଥର ସାହାଯ୍ୟ କରାଯାଏ ନାହିଁ । ତେବେ ଛାତ୍ରଛାତ୍ରୀ ଓ ଯୋଗଦାନକାରୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ କିଛି ଉପହାର ଦିଆଯାଇଥାଏ । ପ୍ରୋଗ୍ରାମ ଶେଷରେ ସେମାନଙ୍କୁ ଉଇକିପିଡ଼ିଆ ତରଫରୁ ମାନପତ୍ର ଦିଆଯାଇଥାଏ ।
୮. ଏହି ପ୍ରୋଗ୍ରାମରେ ଭାଗ ନେଉଥିବା ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆରେ କିଛି ଚାକିରି ମିଳିବାର ବ୍ୟବସ୍ଥା ଅଛି କି?
- ଯଦିଓ ଉଇକିପିଡ଼ିଆରେ ସମ୍ପାଦନା କରୁଥିବା ସମସ୍ତ ବ୍ୟକ୍ତି ସ୍ଵେଚ୍ଛରେ ଏହା କରିଥାନ୍ତି କେତେକ ବୈଷୟିକ (Technical) ଓ ଅନ୍ୟାନ୍ୟ କିଛି କାମ ପାଇଁ ଉଇକିପିଡ଼ିଆରେ କିଛି ବେତନଭୋଗୀ କର୍ମଚାରୀ ଅଛନ୍ତି । ସେମାନଙ୍କ ସଂଖ୍ୟା ନଗଣ୍ୟ । ତେବେ ନୂଆ କର୍ମଚାରୀ ନିଯୁକ୍ତି ସମୟରେ ଏହା ସଭିଙ୍କ ଗୋଚରରେ ହୋଇଥାଏ ଓ ଉଇକିପିଡ଼ିଆରେ ସକ୍ରିୟ ସମ୍ପାଦକମାନେ ଏହି ଚାକିରି ପାଇଁ ଆବେଦନ କରିପାରିବେ । ନିଯୁକ୍ତି ସମୟରେ ସେମାନଙ୍କ ଯୋଗଦାନକୁ ଅଗ୍ରାଧୀକାର ଦିଆଯାଇଥାଏ ।