ଅମୃତା ଦେବୀ

ଉଇକିପିଡ଼ିଆ ରୁ
Jump to navigation Jump to search

ଅମୃତା ଦେବୀ (ବେନିୱାଲ) ରାଜସ୍ଥାନର ଖେଜାର୍ଲି ଗ୍ରାମର ବାସିନ୍ଦା ଥିଲେ । ନିଜ ଗ୍ରାମର ବୃକ୍ଷ ଗୁଡିକୁ ସୁରକ୍ଷା କରିବାକୁ ଯାଇ ସେ ନିଜ ଜୀବନର ବଳିଦାନ ଦେଇଥିଲେ । ପରିବେଶ ସୁରକ୍ଷା ପରିପେକ୍ଷୀରେ ତାଙ୍କ ନାମ ପ୍ରାୟତଃ ଉଲ୍ଲେଖ କରାଯାଏ

ଜୀବନ[ସମ୍ପାଦନା]

ଅମୃତା ଦେବୀଙ୍କ ଜନ୍ମତିଥି ଅଜ୍ଞାତ । ସେ ରାଜସ୍ଥାନର ଖେଜାର୍ଲି ଗ୍ରାମର ବାସିନ୍ଦା ଥିଲେ । ଗ୍ରାମର ନାଁଟି ସେଠି ପ୍ରଚୁର ସଂଖ୍ୟାରେ ଥିବା ଖେଜ୍ରି ବୃକ୍ଷ (Prosopis cineraria) ନାମାନୁସାରେ ହୋ‍ଇଛି । ଅମୃତା ଦେବୀଙ୍କର ତିନି ଝିଅ ଥିଲେ: ଆସୁ, ରତ୍ନି ଓ ଭାଗୁ ।

ଚିପ୍‌କୋ ଆନ୍ଦୋଳନ[ସମ୍ପାଦନା]

ଅମୃତା ଦେବୀଙ୍କ ଠାରୁ ହିଁ ପ୍ରଥମ କରି ବୃକ୍ଷ ବଞ୍ଚାଇବା ଲାଗଇ ଚିପ୍‍‍କୋ ଆନ୍ଦୋଳନର ଆରମ୍ଭ ହେଲା । ଇତିହାସ ଅନୁସାରେ ୧୭୩୦ ମସିହାର ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମ ଦିନ (ମଙ୍ଗଳବାର) ଦିନ ଅମୃତା ଦେବୀ ନିଜ ଘରେ ଥିବା ବେଳେ କିଛି କୋଳାହଳ ଶୁଣିଲେ । ସେ ଜାଣିବାକୁ ପାଇଲେ ଯେ ପ୍ରକୃତରେ ମାରୱାଡ୍ (ଯୋଧପୁର)ର ଶାସକ ମହାରାଜ ଅଭୟ ସିଂହଙ୍କ ଲୋକ ଗ୍ରାମର ଖେଜ୍ରି ଗଛ କାଟିନେବା ଲାଗି ଆସିଛନ୍ତି । ରାଜାଙ୍କ ନୂଆ ପ୍ରାସାଦ ତିଆରି ଲାଗି ଚୂନ ପୋଡିବା ଲାଗି ଗଛ ଗୁଡିକ ଜାଳ ହୋ‍ଇଥାନ୍ତା । ଥର୍ ମରୁଭୂମି ପରି ଥୁଣ୍ଟା ଅଞ୍ଚଳରେ ଖେଜାର୍ଲି ଗ୍ରାମରେ ଏତେ ସଂଖ୍ୟକ ବୃକ୍ଷ ଥିବାରୁ ରାଜାଙ୍କ ଲୋକ ସେଠାକୁ ଆସିଥିଲେ ।

ଆନ୍ଦୋଳନର ଅୟମାରମ୍ଭ[ସମ୍ପାଦନା]

ଅମୃତା ଦେବୀ ବିଶ୍ନୋ‌ଈ ଧର୍ମାବଲମ୍ବୀ ଥିଲେ । ଧର୍ମର ୨୯ଟି ନିୟମଗୁଡିକରୁ ଗୋଟିଏ ହେଉଛି କଞ୍ଚା ବା ଜୀଅନ୍ତା ଗଛ ନ କାଟିବାର । ଏଣୁ ସେ ଗଛକଟାର ବିରୋଧ କଲେ । ରାଜାଙ୍କ ଲୋକ କହିଲେ ଯେ ଯଦି ସେ ଚାହାନ୍ତି ସେମାନେ ଗଛ ନ କାଟନ୍ତୁ ତେବେ ସେ ସେମାନଙ୍କୁ ଲାଞ୍ଚ ଦେବାକୁ ପଡିବ । କିନ୍ତୁ ଏପରି କରିବା ନିଜ ଧର୍ମବିଚାରକୁ ଅପମାନ କରିବା ହେବ ବୋଲି ଭାବି ସେ ଲାଞ୍ଚଦେବାକୁ ମନା କରିଦେଲେ । କିନ୍ତୁ ଗଛଗୁଡିକର ସୁରକ୍ଷାଲାଗି ସେ ଯେ ଦୃଢପ୍ରତିଜ୍ଞ ତାହା ମଧ୍ୟ ଜଣାଇଦେଇ କହିଥିଲେ "सर सान्टे रूख रहे तो भी सस्तो जाण" (ଯଦି ଗୋଟିଏ ମଧ୍ୟ ବୃକ୍ଷ ବଞ୍ଚିବା ଲାଗି ଜଣକର ଜୀବନ ଦେବାକୁ ପଡେ, ତେବେ ତାହାର ବି ମୂଲ୍ୟ ଅଛି )

ଏପରି କହି ସେ ଗଛକୁ କାଟିବାରୁ ରୋକିବା ଲାଗି ଗୋଟିଏ ଗଛକୁ କୁଣ୍ଢାଇ ଧରିଲେ । ଏଇଠୁ ହିଁ ’ଚିପ୍‌କୋ’ ଶବ୍ଦର ଉତ୍ପତ୍ତି । ଗଛ କାଟିବା ପୂର୍ବରୁ ତାଙ୍କ ମୁଣ୍ଡ କାଟିବାକୁ ହେବ ବୋଲି ସେ ଦାବୀ କଲେ । ଆଶା କରିଥିଲେ ଏହାଦ୍ୱାରା ରାଜାଙ୍କ ସେବକ ମାନେ ନିବୃତ୍ତ ହେବେ, କିନ୍ତୁ ସେ ନିଷ୍ଠୁର ଲୋକଙ୍କ କୁରାଢୀ ଚୋଟରେ ଅମୃତା ଦେବୀଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ହୋ‍ଇଗଲା । ନିଜ ମାଆଙ୍କ ପଦାନୁସରଣରେ ତାଙ୍କ ତିନି ଝିଅ ମଧ୍ୟ ପ୍ରାଣ ଦେଲେ ।

ଆନ୍ଦୋଳନ ତେଜିଲା[ସମ୍ପାଦନା]

ଅମୃତା ଦେବୀଙ୍କ ବଳିଦାନ କଥା ବିଜୁଳି ବେଗରେ ଆଖପାଖ ଗାଁକୁ ଖେଳି ଗଲା । ସେ ଗାଁ ଛଡା ଆଉ ୮୩ଟି ବିଶ୍ନୋ‍ଈ ଗାଁର ଲୋକେ ଏକାଠି ହେଲେ । ଚାରିଟି ଜୀବନର ବଳିଦାନ ପରେ ବି ଗଛକଟା ଚାଲୁ ରହିଥିବାରୁ ନିଷ୍ପତ୍ତି ନିଆଗଲା ଯେ ସେମାନେ ମଧ୍ୟ ଅମୃତା ଦେବୀଙ୍କ ଭଳି ଗଛକୁ କୁଣ୍ଢାଇ ଧରିବେ । ଗୋଟିଏ ଗଛ ପିଛା ଜଣେ ବିଶ୍ନୋ‌ଈ ପ୍ରାଣ ଦେବ ।

ପ୍ରଥମେ ପ୍ରଥମେ ବୁଢା ଲୋକମାନେ ସ୍ୱେଚ୍ଛାରେ ନିଜର ଜୀବନ ଦେଲେ, କିନ୍ତୁ ଫଳାଫଳ କିଛି ହେଲାନାହିଁ । ବରଂ ରାଜାଙ୍କ ଗୋଷ୍ଠୀର ମୁଖିଆ ’ହାକିମ’ ଓଲଟି କହିଲେ ଯେ ବୁଢା ମାନଙ୍କୁ ବଳି ଦେଇ ବିଶ୍ନୋ‌ଈ ମାନେ ନିଜ ନିଜ ବୃଦ୍ଧଙ୍କ ଭାର କମେଇ ଦ‍ଉଛନ୍ତି । ପରେପରେ ଯୁବକ, ଯୁବତୀ ଏପରିକି ବାଳୁତ ପିଲାମାନେ ମଧ୍ୟ ନିଜର ଜୀବନ ଦେଲେ । ଏପରି ମାତ୍ରାରେ ଗଣହତ୍ୟା ହେଲା ଯେ ଶେଷକୁ ରାଜାଙ୍କ ଲୋକଙ୍କୁ ନିଜ କାମ ରୋକି ଯୋଧପୁର ଫେରିଯିବାକୁ ହେଲା । ସେଯାଏ ସର୍ବମୋଟ ୩୬୩ ଜଣ ବିଶ୍ନୋ‌ଈ ବୃକ୍ଷର ସୁରକ୍ଷା ଲାଗି ଶହୀଦ୍ ହୋ‍ଇଥିଲେ । ଏହା ଶୁଣିବା ପରେ ମହାରାଜ ଆଉ ଗଛକଟା ବନ୍ଦ କରିବା ଲାଗି ଆଦେଶ ଦେଲେ ।

ଅମୃତା ଦେବୀ ବିଶ୍ନୋ‌ଈ ପୁରସ୍କାର[ସମ୍ପାଦନା]

ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାରଙ୍କ ଜଙ୍ଗଲ ବିଭାଗ ଅମୃତା ଦେବୀ ବିଶ୍ନୋ‌ଈ ପୁରସ୍କାର ଆରମ୍ଭ କରିଛଅନ୍ତି । ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଲାଗି ଅବଦାନ ଥିବା ବ୍ୟକ୍ତିବିଶେଷଙ୍କୁ ୨୫୦୦୦ ଟଙ୍କା ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଏ । ୧୯୯୯ରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଲାଗି ସ୍ୱର୍ଗତ ଶ୍ରୀ ରାମନାରାୟଣ କଡୱାସରାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

[୧]

ଆଧାର[ସମ୍ପାଦନା]