ଅଥୀନା

ଉଇକିପିଡ଼ିଆ ରୁ
Jump to navigation Jump to search
ଅଥୀନା
Mattei Athena Louvre Ma530 n2.jpg
Mattei Athena at Louvre. Roman copy from the 1st century BC/AD after a Greek original of the 4th century BC, attributed to Cephisodotos or Euphranor.
Goddess of Wisdom
AbodeMount Olympus
SymbolOwls, Olive trees, Snakes, Aegis, Armor, Helmets, Spears, Gorgoneion
ParentsMetis; Metis and Zeus; Zeus[୧]
SiblingsArtemis, Aphrodite, the Muses, the Graces, Ares, Apollo, Dionysus, Hebe, Hermes, Heracles, Helen of Troy, Hephaestus, Minos, Perseus, Porus
Roman equivalentMinerva

ଅଥୀନା (ଅଥବା ଅଥାନା, ଅଥେନେ, ଅଥେନା) ଇଂରାଜୀ : Athena , ୟୁନାନୀ : ଅଥୈନା ପ୍ରାଚୀନ ୟୁନାନୀ ଦେବୀ । ଗ୍ରୀକ୍ ଧର୍ମ ଓ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଅଥୀନା ବା ଅଥୀନି (କିମ୍ବା ପାଲାସ୍ ଅଥୀନା ବା ଅଥୀନି) ହେଉଛନ୍ତି ବୁଦ୍ଧି-ବିଦ୍ୟା, ଗଣିତ, ସାହସ, ପ୍ରେରଣା, ସଂସ୍କୃତି, ନ୍ୟାୟ, ସାମରିକ କୌଶଳ, ଶକ୍ତି ଏବଂ ସମସ୍ତ କଳା, ଶିଳ୍ପ ଓ କୌଶଳର ଦେବୀ । ପ୍ରାଚୀନ ରୋମାନ୍ ଧର୍ମରେ ତାଙ୍କ ସମକକ୍ଷ ଦେବୀ ହେଉଛନ୍ତି ମିନର୍ଭା ।

ଶୂରବୀର ଓ ବୀରତ୍ୱପୂର୍ଣ୍ଣ କାର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ହିସାବରେ ତାଙ୍କୁ ପ୍ରାୟତଃ ପ୍ରଚୀନ ଗ୍ରୀକ୍ ବୀରମାନଙ୍କ ସହଚରୀ ରୂପେ ଚିତ୍ରଣ କରାଯାଏ । ସେ ଆଟ୍ରିକା ପ୍ରଦେଶ ଏବଂ ବିୟୋତିଆ ପ୍ରଦେଶ ମଧ୍ୟରେ ଥିବା ଏଥେନ୍ସ୍ ନଗରୀର ଅଧିଷ୍ଠାତ୍ରୀ କୁମାରୀ ଦେବୀ । ଏଥେନ୍ସ୍ ନଗରୀ ତାଙ୍କରି ନାମରେ ନାମିତ ଓ ଏଠାରେ ତାଙ୍କୁ ସମର୍ପିତ ପାର୍ଥେନନ୍ ନାମକ ବିଶାଳ ମନ୍ଦିର ରହିଛି । ସହଜେ ତ ସହର (polis)ର ସୁରକ୍ଷାଦାତ୍ରୀ ଦେବୀ ହିସାବରେ ପ୍ରାୟ ଅଧିକାଂଶ ଗ୍ରୀକ୍ ସହରମାନଙ୍କରେ ସେ ପୂଜ୍ୟ ଥିଲେ, ତେବେ ଏଥେନ୍ସ୍‌ରେ ସେ ଜୀବନର ଅଭିନ୍ନ ଅଙ୍ଗ ଥିଲେ ।

କିମ୍ବଦନ୍ତୀ[ସମ୍ପାଦନା]

ଜନ୍ମ[ସମ୍ପାଦନା]

ଅଥୀନାଙ୍କୁ ପ୍ରାୟତଃ ଗୀକ୍ ଦେବତା ଜିଉସ୍‍ଙ୍କ ସର୍ବପ୍ରିୟ ଝିଅ ରୂପେ ଚିତ୍ରିତ କରାଯାଇଥାଏ । ତାଙ୍କ ଜନ୍ମ ବିଷୟରେ ଥିବା ବିଭିନ୍ନ ଗାଥା ଗୁଡିକ ମଧ୍ୟରୁ ସର୍ବାଧିକ ପ୍ରଚଳିତ ହେଲା ଏପରି: ଥରେ ଜିଉସ୍, ବୁଦ୍ଧି ଓ ଚତୁରତାର ଦେବୀ ମେଟିସ୍‍ଙ୍କ ସହ ସମ୍ଭୋଗ କଲେ । ପୂର୍ବୋକ୍ତ ଭବିଷ୍ୟବାଣୀ ହୋ‍ଇଥିଲା ଯେ ମେଟିସ୍‍ଙ୍କ ସନ୍ତାନ ଜିଉସ୍‍ଙ୍କ ଠାରୁ ଅଧିକ ଶକ୍ତିଶାଳୀ ହେବ । ଏଣୁ ପରିସ୍ଥିତି ବିଷମ ହୋ‍ଇପାରେ ବୋଲି ଚିନ୍ତା କରି ଜିଉସ୍, ମେଟିସ୍‍ଙ୍କୁ ଜୀଅନ୍ତା ଗିଳିଦେଲେ । କିନ୍ତୁ ସେ ଯାଏଁ ମେଟିସ୍ ଗର୍ଭବତୀ ହୋ‍ଇ ସାରିଥାନ୍ତି ।

କାଳକ୍ରମେ ଜିଉସ୍ ଭୀଷଣ ମୁଣ୍ଡବ୍ୟଥାରେ ଗ୍ରସ୍ତ ହେଲେ । ଏହାପରେ ପ୍ରୋମେଥିଅସ୍, ହେପ୍‍ହାଏସ୍ତସ୍, ହର୍ମିସ୍, ଏରିସ୍ କିମ୍ବା ପାଲେମନ୍ (କିମ୍ବଦନ୍ତୀର ସ୍ରୋତାନୁସାରେ ଭିନ୍ନ ଭିନ୍ନ) ଇଆବ୍ରିସ୍ ନାମକ କୁଠାରରେ ତାଙ୍କ ଶିରଶ୍ଛେଦନ କରନ୍ତେ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ସାଞ୍ଜୁ ଖଞ୍ଜିତ ଅଥୀନା ଯୁଦ୍ଧଡାକରା ଦେଇ ଆବିର୍ଭୂତ ହେଲେ । ପ୍ରାୟ ଗାଥା ଅନୁସାରେ ଜିଉସ୍‌ଙ୍କ ପତ୍ନୀ ହେରା ଏହି ଘଟଣାରେ ରାଗି ନିଜେ ନିଜେ ହେପ୍‍ହାଏସ୍ତସ୍‍ଙ୍କୁ ଜନ୍ମ ଦେଇଥିଲେ । ’କ୍ରାଟିଲସ୍’ ପୁସ୍ତକରେ ପ୍ଲାଟୋ ଲେଖିଛନ୍ତି ଯେ ଅଥୀନା ନାମର ଅର୍ଥ ’ଦେବତାଙ୍କ ଚିନ୍ତା’ (theou+noesis) ।

ଅନ୍ୟାନ୍ୟ କିମ୍ବଦନ୍ତୀ[ସମ୍ପାଦନା]

ଅନ୍ୟ କିଛି କିମ୍ବଦନ୍ତୀ ଅନୁସାରେ ଅଥୀନା ଅଲମ୍ପସ୍ ବାହାରେ ଜନ୍ମ ହେଲେ ଓ ଦେବତା ଟ୍ରିଟନ୍‍ଙ୍କଦ୍ୱାରା ପରିପାଳିତ ହୋ‍ଇଥିଲେ । ସାଞ୍ଚୁନିଆଥନ୍ ନାମକ ଐତିହାସିକଙ୍କ ପାଣ୍ଡୁଲିପିର ଅଂଶବିଶେଷ ଅନୁସାରେ ଅଥୀନା ଖ୍ରୋନୋସ୍‍ଙ୍କ ଝିଅ । ଏହା ଅନୁସାରେ ଅଥୀନା ଜିଉସ୍ ଓ ହେରାଙ୍କ ଭ‍ଉଣୀ ହେବେ ।

କୁମାରୀ ଅଥୀନା[ସମ୍ପାଦନା]

ପ୍ରାୟ ଗ୍ରୀକ୍ ଦେବଦେବୀ ବିବାହିତ ଥିଲେ କିମ୍ବା ସେମାନଙ୍କ ପ୍ରେମିକ ବା ପ୍ରେମିକା ଥିଲେ । କିନ୍ତୁ ଅଥୀନା ଏଥିରୁ ଭିନ୍ନ ଓ ଚିରକୁମାରୀ ଥିଲେ । ଏଥେନ୍ସ୍‍ର ଆକ୍ରୋପଲିସ୍ରେ ଥିବା ତାଙ୍କ ସର୍ବପ୍ରସିଦ୍ଧ ମନ୍ଦିର ପାର୍ଥେନନ‍ର ନାମକରଣ ତେଣୁକରି ଏପରି ହୋ‍ଇଛି (parthenos ଅର୍ଥ କୁମାରୀ) । ମନ୍ଦିରଟି କେବଳ ତାଙ୍କର କୁମାରୀତ୍ୱର ପ୍ରତୀକ ନଥିଲା ବରଂ ତାଙ୍କୁ ଯୌନ ସଂଯମ ଓ ସତୀତ୍ୱ ରକ୍ଷାର ଦେବୀ ରୂପେ ମଧ୍ୟ ଦର୍ଶାଉଥିଲା । ତତ୍କାଳୀନ ରକ୍ଷଣଶୀଳ ସମାଜରେ ଏହି କୁମାରୀତ୍ୱ ଶୁଦ୍ଧତାର ପ୍ରତୀକ ମଧ୍ୟ ଥିଲା ।

ଏରିଖ୍‌ତୋନିଉସ୍[ସମ୍ପାଦନା]

ହେପ୍‍ହାଏସ୍ତସ୍ ଏକଦା ଅଥୀନାଙ୍କୁ ଧର୍ଷଣର ଚେଷ୍ଟା କଲେ କିନ୍ତୁ ଅଥୀନା ନିଜ ଚତୁରତାରୁ ସେଠୁ ଖସିଗଲେ । କିନ୍ତୁ ହେପ୍‍ହାଏସ୍ତସ୍‍ଙ୍କ ବୀର୍ଯ୍ୟ ପୃଥିବୀ ଉପରେ ପଡିଲା ଓ ପୃଥିବୀର ଦେବୀ ଗାୟାଙ୍କ ଠାରୁ ଏରିଖ୍‌ତୋନିଉସ୍ ଜନ୍ମ ନେଲେ । ସାବତ ପୁଅ ରୂପେ ଅଥୀନା ତାଙ୍କୁ ପାଳିଲେ ।

କିମ୍ବଦନ୍ତୀ ଅନୁସାରେ ଦେବୀ, ଶିଶୁ ଏରିଖ୍‌ତୋନିଉସ୍‍ଙ୍କୁ ଗୋଟେ ଛୋଟ ବାକ୍ସରେ ରଖି ଏଥେନ୍ସର ତିନି ଭ‍ଉଣୀ ହର୍ସି, ପାଣ୍ଡ୍ରୋସସ୍ ଓ ଆଗ୍ଲାଉଲସ୍ଙ୍କୁ ଜଗିବାକୁ ଦେଲେ । ସେ ନ ଫେରିବା ଯାଏଁ ବାକ୍ସ ନ ଖୋଲିବା ଲାଗି ଚେତାବନୀ ଦେଇ ସେ ଚାଲିଗଲେ । କଥା ନ ମାନି ବାକ୍ସ ଖୋଲି ଦିଅନ୍ତେ ଏରିଖ୍‌ତୋନିଉସ୍ ସର୍ପ ରୂପରେ ପ୍ରକଟ ହେଲେ । ତାଙ୍କ ଶକ୍ତିରେ ପାଗଳ ହୋ‍ଇ ହର୍ସି ଓ ଆଗ୍ଲାଉଲସ୍ ପାହାଡରୁ ଡେଇଁ ଆତ୍ମହତ୍ୟା କଲେ । ଐତିହାସିକଙ୍କ ମତରେ ଏହି ଗଳ୍ପଟି ଥେସ୍ମୋଫୋରିଆ ପୂଜାରେ (ଯେଉଁଥିରେ ଏକ ଛୋଟ ବାକ୍ସ ବ୍ୟବହୃତ ହୁଏ) ଭାଗ ନେଉଥିବା ଯୁବତୀମାନଙ୍କ ପାଇଁ ଉଦ୍ଦିଷ୍ଟ ।

ରୋମର କବି ଓଭିଦ୍‍ଙ୍କ (୪୩-୧୭ଖ୍ରୀ.ପୂ) କିମ୍ବଦନ୍ତୀ ଅନୁସାରେ ଦେବତା ହର୍ମିସ୍, ହର୍ସିକୁ ଭଲପାଇବସନ୍ତି । ତିନି ଭ‍ଉଣୀ ଅଥୀନାଙ୍କ ପୂଜା ଲାଗି ମନ୍ଦିର ଯାଆନ୍ତି ଆଉ ସେଇଠି ହର୍ସିକୁ ମନେଇବା ଲାଗି ଆଗ୍ଲାଉଲସ୍କୁ ହର୍ମିସ୍ କହନ୍ତି । ଏଥିଲାଗି ଆଗ୍ଲାଉଲସ୍ ତାଙ୍କଠୁ ଅର୍ଥ ଆଶା କରିବାରୁ ହର୍ମିସ୍ ତାକୁ ସେଇ ଧନରାଶି ଦିଅନ୍ତି ଯାହାକି ତିନି ଭ‍ଉଣୀ ଅଥୀନାଙ୍କୁ ଅର୍ପଣ କରିସାରିଥା’ନ୍ତି । ଆଗ୍ଲାଉଲସ୍‍ର ଲୋଭର ଦଣ୍ଡସ୍ୱରୂପ ଅଥୀନା ଆଗ୍ଲାଉଲସ୍କୁ ନିଜ ଭ‍ଉଣୀ ହର୍ସି ପ୍ରତି ଈର୍ଷାନ୍ୱିତ କରିଦେଲେ । ଯେବେ ହର୍ମିସ୍, ହର୍ସିକୁ ପ୍ରେମଯାଚନା କରିବାକୁ ଆସିଲେ, ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଗ୍ଲାଉଲସ୍ ତାଙ୍କ ରାସ୍ତାରେ ଛିଡା ହେବାରୁ ହର୍ମିସ୍ ତାକୁ ପଥର କରିଦେଲେ ।

ଏରିଖ୍‌ତୋନିଉସ୍‍ଙ୍କୁ ଏଥେନ୍ସର ସ୍ଥାପକ-ରାଜା ଧରାଯାଏ । ତାଙ୍କ ପ୍ରତି ଅଥୀନାଙ୍କ ସର୍ବଦା କୃପାଦୃଷ୍ଟି ରହିଥିଲା ।

ଏଥେନ୍ସର ଅଧିଷ୍ଠାତ୍ରୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଏଥେନ୍ସର କେହି ପ୍ରଧାନ ଦେବଦେବୀ ନଥିବା ବେଳେ ସମୁଦ୍ର ଦେବତା ପୋସାଇଡନ୍ ଓ ଅଥୀନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଥିଲା କିଏ ଏଥେନ୍ସରେ ପ୍ରଧାନ ହେବ । ଆପାତତଃ ସ୍ଥିର ହେଲା ଯେ ଦୁହେଁ ଏଥେନ୍ସକୁ ଗୋଟେ ଗୋଟେ ଉପହାର ଦେବେ ଆଉ ଏଥେନ୍ସ ବାସୀ ଯାହାର ଉପହାର ସ୍ୱୀକାର କରିବେ ସେ ହିଁ ଜିତିବ ।

ପୋସାଇଡନ୍ ନିଜ ତ୍ରିଶୂଳ ଭୂମିରେ ମାରି ଗୋଟିଏ ଲୁଣିଆ ଝରଣା ସୃଷ୍ଟି କରି ଏଥେନ୍ସକୁ ଜଳ ଓ ବାଣିଜ୍ୟର ସ୍ରୋତ ଦେଲେ । କିନ୍ତୁ ସେ ପାଣି ଭାରି ଲୁଣିଆ ଥିବାରୁ ପିଇବା ଯୋଗ୍ୟ ନଥିଲା । ଅଥୀନା ଅନ୍ୟପକ୍ଷେ ଏଥେନ୍ସକୁ ପ୍ରଥମ କୃଷି ଉପଯୋଗୀ ଅଲିଭ୍ ଗଛ ଦେଲେ । ଏଥିରୁ କାଠ, ଫଳ ଆଉ ତେଲ ମିଳୁଥିବାରୁ ଏଥେନ୍ସବାସୀ ଏହାକୁ ସ୍ୱୀକାର କଲେ । ଏପରି ଭାବେ ଅଥୀନା, ଏଥେନ୍ସର ଅଧିଷ୍ଠାତ୍ରୀ ଦେବୀ ହେଲେ । ଐତିହାସିକ ରବର୍ଟ ଗ୍ରେଭ୍ସଙ୍କ ମତରେ ଏହା ପ୍ରକୃତରେ ମାତୃକୈନ୍ଦ୍ରିକ ଓ ପିତୃକୈନ୍ଦ୍ରିକ ଧର୍ମର ବିଭେଦ ଦେଖାଏ ।

ସହଚରୀ[ସମ୍ପାଦନା]

କିମ୍ବଦନ୍ତୀ ଅନୁସାରେ ଅଥୀନା ଗ୍ରୀକ୍ ବୀରମାନଙ୍କ ସାହାଯ୍ୟ କରିଥାନ୍ତି । ମେଡୁସାକୁ ମାରିବାରେ ପର୍ସିୟସ୍‍ଙ୍କ ଅଭିଯାନରେ ସେ ସାହାଯ୍ୟ କରିଥିଲେ । ନିମୀଆର ସିଂହକୁ ମାରିବା ପରେ ତା’ର ଚମଡା ଉତାରିବା ଲାଗି ତାରି ନଖ ବ୍ୟବହାର କରିବା ଲାଗି ସେ ହେରାକ୍ଲେସ୍‍ଙ୍କୁ ବୁଦ୍ଧି ଦେଇଥିଲେ । ଷ୍ଟିମ୍ଫାଲିଆର ଚଢେଇକୁ ହରେଇବା ଓ ପାତାଳ ଲୋକର ସର୍ବରସ କୁକୁରକୁ କାବୁ କରିବାରେ ମଧ୍ୟ ହେରାକ୍ଲେସ୍‍ଙ୍କୁ ସେ ସହାୟ ହୋ‍ଇଥିଲେ ।

ଗ୍ରୀକ୍ ମହାକାବ୍ୟ ଓଡେଶୀରେ ମଧ୍ୟ ତାଙ୍କୁ ବୀର ଓଡେଶିୟସ୍‍ଙ୍କ ସହାୟତା କରିବାର ଦର୍ଶାଯାଇଛି । ଯଦିଓ ସେ ସିଧାସଳଖ ସଂପୃକ୍ତ ହୋ‍ଇନାହାନ୍ତି କିନ୍ତୁ ଦୂରରୁ ହିଁ ସେ ଓଡେଶିୟସ୍‍ଙ୍କୁ ଠିକଣା ବୁଦ୍ଧି ଯୋଗାଇଦେଉଥିଲେ । ଜାହାଜ ଦୁର୍ଘଟଣା ହେବା ପରେ ଓଡେଶିୟସ୍‍ ଗୋଟେ ଅଜଣା ଟାପୁରେ ଭାସିଆସି ଲାଗିଲେ । ସେ ଦ୍ୱୀପରେ ଥିବା ରାଜକୁମାରୀ ନାଉସିକାଙ୍କୁ ଦେବୀ ସ୍ୱପ୍ନରେ ଦେଖାଦେଇ ଓଡେଶିୟସ୍‍ଙ୍କୁ ବଞ୍ଚାଇବାକୁ ଆଦେଶ ଦେଲେ ।

ପ୍ୟାରିସ୍‍ଙ୍କ ବିଚାର[ସମ୍ପାଦନା]

ଗୋଟିଏ କିମ୍ବଦନ୍ତୀ ଅନୁସାରେ ପିଲିୟସ୍ ଓ ଥେଟିସ୍ଙ୍କ ବିବାହକୁ ସବୁ ମନୁଷ୍ୟ ଓ ଦେବଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା କେବଳ କଳିର ଦେବୀ ଏରିସ୍‍ଙ୍କ ଛଡା । ଏଥିରେ ଈର୍ଷାନ୍ୱିତ ହୋ‍ଇ ଏରିସ୍ ଗୋଟିଏ ସୁନା ସେଓରେ ’ସବୁଠୁ ସୁନ୍ଦରୀଙ୍କ ପାଇଁ’ ଲେଖି ସେଇ ବିବାହ ଭୋଜିରେ ସବୁ ଦେବୀମାନଙ୍କ ଭିତରେ ଫିଙ୍ଗିଦେଲେ । ସେଉଟି ଲାଗି ଦେବୀ ଆଫ୍ରୋଡାଇଟି, ହେରା ଓ ଅଥୀନାଙ୍କ ଭିତରେ କଳି ଲାଗିଲା ।

ଝଗଡାର ସମାଧାନ ଲାଗି ସେମାନେ ଦେବରାଜ ଜିଉସ୍‍ଙ୍କ ପାଖକୁ ଗଲେ । ତେବେ ଏ କଥାରେ ମୁଣ୍ଡ ପୁରାଇବା ବିଷମ ହେବ ଜାଣି ଜିଉସ୍ ସେମାନଙ୍କୁ ଟ୍ରୟର ରାଜକୁମାର ପ୍ୟାରିସ୍‍ଙ୍କ ପାଖକୁ ପଠାଇଲେ । ତିନି ଦେବୀ ଟ୍ରୟ ନଗରୀ ଥିବା ଇଡା ପର୍ବତର ଝରଣାରେ ସ୍ନାନ କରି ପ୍ୟାରିସ୍‍ଙ୍କ ପାଖକୁ ଆସିଲେ । କିଏ ସୁନ୍ଦରୀ ବିଚାର କରିବା ଲାଗି ପ୍ୟାରିସ୍‍ଙ୍କ ଇଚ୍ଛାନୁସାରେ ସେମାନେ ନିର୍ବସ୍ତ୍ର ମଧ୍ୟ ହେଲେ । ତଥାପି ପ୍ୟାରିସ୍‍ ସ୍ଥିର କରି ପାରିଲେ ନାହିଁ । ତାଙ୍କୁ କରାୟତ୍ତ କରିବା ଲାଗି ତିନିଜଣ ଲାଞ୍ଚ ଦେବାର ଉପକ୍ରମ କଲେ । ହେରା ତଙ୍କୁ ସମଗ୍ର ଏସିଆ ଓ ଇଉରୋପର ଶାସନ ଯାଚିଲେ ତ ଅଥୀନା ତାଙ୍କୁ ବୁଦ୍ଧି, ଖ୍ୟାତି ଓ ଯୁଦ୍ଧରେ ବିଜୟ ଯାଚିଲେ । ତେବେ ଆଫ୍ରୋଡାଇଟି ତାଙ୍କୁ କହିଲେ ସେ ଯଦି ଜିତନ୍ତି ତା ହେଲେ ପ୍ୟାରିସ୍‍ଙ୍କୁ ପୃଥିବୀର ସବୁଠୁ ସୁନ୍ଦର ପତ୍ନୀ ମିଳିବ । ଏଥିରେ ଭଳିଯାଇ ପ୍ୟାରି ଆଫ୍ରୋଡାଇଟିଙ୍କୁ ବାଛିଲେ । ଦୁର୍ଭାଗ୍ୟବଶତଃ ପ୍ୟାରିସ୍‍ଙ୍କ ଭାଗ୍ୟରେ ଥିବା ସେ ସୁନ୍ଦରୀ ଜଣକ ଥିଲେ ହେଲେନ୍ ଯିଏ ପୂର୍ବରୁ ହିଁ ସ୍ପାର୍ଟାର ରାଜା ମେନେଲାଉସ୍‍ଙ୍କୁ ବିବାହ କରିଥିଲେ । ହେରା ଓ ଅଥୀନା ହାରିବା ରାଗରେ ପ୍ୟାରିସ୍‍ଙ୍କଦ୍ୱାରା ହେଲେନ୍‍ଙ୍କ ଅପହରଣ କରାଇ ଟ୍ରୋଜାନ୍ ଯୁଦ୍ଧ କରାଇଥିଲେ ।

ଆରାକ୍‌ନେର ଲୋକକଥା[ସମ୍ପାଦନା]

ଆରାକ୍‌ନେର ଗଳ୍ପ ରୋମ୍‌ର ଗୋଟେ ଲୋକକଥା ଯାହାକି ପରେ ଗ୍ରୀକ୍ କିମ୍ବଦନ୍ତୀରେ ସ୍ଥାନିତ ହୋ‍ଇଥିଲା । ଆରାକ୍‌ନେର ଅର୍ଥ ବୁଢୀଆଣି । ସେ ଲାଇଡିଆ ନଗରୀର ଜଣେ ଲୁଗା ରଙ୍ଗ କରୁଥିବା ବ୍ୟବସାୟୀର ଝିଅ ଥିଲା । ସେ ତନ୍ତୀକାର୍ଯ୍ୟରେ ଅତି କୁଶଳ ଥିଲା ଯାହାକି ସେ ସ୍ୱୟଂ ଅଥୀନାଙ୍କ‍ଠାରୁ ଶିକ୍ଷା କରିଥିଲା । ଧୀରେ ଧୀରେ ତା ମନରେ ଗର୍ବ ଜାତ ହେଲା ଆଉ ସେ ପ୍ରଚାର କଲା ଯେ ସେ ଖୋଦ୍ ଅଥୀନାଙ୍କ‍ଠାରୁ ବି ଅଧିକ ପାରଙ୍ଗମ । ତାକୁ ଚେତାବନୀ ଦେବା ଲାଗି ଅଥୀନା ଜଣେ ବୁଢୀର ବେଶ ଧରି ତାକୁ ଉପଦେଶ ଦେବାକୁ ଚେଷ୍ଟା କଲେ । ଏଥିରେ ଉପହାସ କରି ଆରାକ୍‌ନେ ତାଙ୍କୁ ବୁଣିବା ପ୍ରତିଯୋଗିତା ଲାଗି ଆହ୍ୱାନ ଦେଲା ।

କବି ଓଭିଦ୍‍ଙ୍କ ଗଳ୍ପାନୁସାରେ ଅଥୀନା, ପୋସାଇଡନ୍‍ଙ୍କ ଉପରେ ନିଜ ବିଜୟ ଦର୍ଶାଇ ଗୋଟେ ଲୁଗା ବୁଣିଲେ । ଅନ୍ୟ ପକ୍ଷରେ ଆରାକ୍‌ନେ ଦେବତାମାନଙ୍କ ବିଶ୍ୱାସଘାତକତାର ଏକୋ‍ଇଶିଟି ଛବି ବୁଣିଥିଲା । ଯଦିଓ ଅଥୀନା ମାନିଲେ ଯେ ଆରାକ୍‌ନେର କାରୁକାର୍ଯ୍ୟ ଅତି ନିଖୁଣ ହୋ‍ଇଛି କିନ୍ତୁ ଦେବତାଙ୍କ ଅପମାନ କରିଥିବାରୁ ଅଥୀନା କ୍ରୋଧାନ୍ୱିତ ହୋ‍ଇ ସେ ବୁଣା ଲୁଗା ଆଉ ଆରାକ୍‌ନେର ଚରଖାକୁ ନଷ୍ଟ କରିଦେଲେ । କିଛି ଗଳ୍ପାନୁସାରେ ଦେବୀ ନିଜ ବାଡିରେ ତାକୁ ଆଘାତ କରନ୍ତେ ଆରାକ୍‌ନେ ବୁଢୀଆଣିରେ ପରିବର୍ତ୍ତିତ ହେଲା । ଅନ୍ୟ କିଛି ଗଳ୍ପାନୁସାରେ ନିଜ ଚରଖା ନଷ୍ଟ ହେବା ଦୁଃଖରେ ସେ ଫାଶି ଦେଇ ଆତ୍ମହତ୍ୟା କଲା । ତା ଉପରେ ସହାନୁଭୂତି ରୂପେ ଦେବୀ ତାକୁ ବୁଢୀଆଣିରେ ବଦଳିଦେଲେ । ଏ କିମ୍ବଦନ୍ତୀ ବୁଣା କାର୍ଯ୍ୟ ବୁଢୀଆଣି ଠାରୁ ପ୍ରେରିତ ବୋଲି ଦର୍ଶାଏ ।

ଆଧାର[ସମ୍ପାଦନା]

  1. According to Hesiod's Theogony, Metis was Athena's mother, but, according to Homer's Iliad, after Zeus swallowed Metis because she was pregnant with Athene (to prevent the birth), Athene sprang forth from the head of Zeus nonetheless and later it was declared that she "had no mother"

ବାହାର ତଥ୍ୟ[ସମ୍ପାଦନା]

ଛାଞ୍ଚ:ଗ୍ରୀକ୍ ଦେବଦେବୀଙ୍କ ବଂଶାବଳୀ