ଅଂଶୁମାନ

ଉଇକିପିଡ଼ିଆ‌ରୁ

ହିନ୍ଦୁ ପୁରାଣ ଅନୁସାରେ ସଗରଙ୍କ ନାତି ଥିଲେ ଅଂଶୁମାନ । ଈକ୍ଷ୍ୱାକୁ ରାଜବଂଶରେ ରାଜା ସଗରଙ୍କ ପୁଅ ଅସମଞ୍ଜ ଏବଂ ଅସମଞ୍ଜଙ୍କ ପୁତ୍ର ଥିଲେ ଅଂଶୁମାନ ଯିଏ କି ତାଙ୍କ ପୂର୍ବପୁରୁଷଙ୍କ ମୁକ୍ତି ପାଇଁ ତପ ସାଧନା କରୁଥିବାବେଳେ ନିଜ ଜୀବନ ତ୍ୟାଗ କରିଥିଲେ ।[୧] ଅଂଶୁମାନଙ୍କ ପୁତ୍ର ଦିଲୀପ ଏବଂ ତାଙ୍କ ପୁଅ ଭାଗୀରଥ ଗଙ୍ଗାକୁ ପୃଥିବୀକୁ ଆଣି ତାଙ୍କ ପୂର୍ବପୁରୁଷମାନଙ୍କୁ ମୁକ୍ତି ପ୍ରଦାନ କରାଇଥିଲେ ।

ରାଜା ସଗର ଯେତେବେଳେ ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରନ୍ତି, ଇନ୍ଦ୍ର ଏହା ସହି ନ ପାରି ତାଙ୍କର ଯଜ୍ଞ ଘୋଡ଼ାକୁ ଚୋରି କରି ନେଇ ଯାଆନ୍ତି । ସଗର ତାଙ୍କର ୬୦,୦୦୦ ପୁଅକୁ ପଠାନ୍ତି ଯଜ୍ଞ ଘୋଡ଼ା ଖୋଜି ଆଣିବାକୁ । ପୁଅମାନେ ପାତାଳକୁ ଯାଇ ଦେଖନ୍ତି ଯେ ଧ୍ୟାନମଗ୍ନ ଋଷି କପିଳଙ୍କ ପାଖରେ ଘୋଡ଼ାଟି ବନ୍ଧା ହୋଇଛି । ପୁଅମାନେ ଋଷିଙ୍କୁ ଚିହ୍ନି ନ ପାରି ତାଙ୍କୁ ଚୋର ବୋଲି ଭାବି ତାଙ୍କ ସହିତ ଅଶାଳୀନ ବ୍ୟବହାର କରନ୍ତି ଏବଂ ଘୋଡ଼ାକୁ ଧରିବାକୁ ଚେଷ୍ଟା କରନ୍ତି । ସେମାନଙ୍କ ଏହି ଅଶାଳୀନ ବ୍ୟବହାରରେ କ୍ରୋଧିତ ଋଷିଙ୍କ ଅଭିଶାପର ଅଗ୍ନିରେ ୬୦,୦୦ ପୁତ୍ର ପୋଡ଼ି ପାଉଁଶ ହୋଇଗଲେ । ଯେତେବେଳେ ସଗରଙ୍କ ପୁଅମାନେ ଫେରି ନ ଯାଆନ୍ତି ସେ (ସଗର) ସେମାନଙ୍କୁ ଖୋଜିବା ପାଇଁ ତାଙ୍କ ନାତି ଅଂଶୁମାନଙ୍କୁ ଅନୁରୋଧ କରନ୍ତି ।[୧]

ରାଜା ସଗରଙ୍କ ଅନୁରୋଧ କ୍ରମେ ଅଂଶୁମାନ କକାମାନଙ୍କର ପଥ ଅନୁସରଣ କରି ଖୋଜିବା କ୍ରମରେ ଋଷି କପିଳ ତଥା ଯଜ୍ଞ ଘୋଡ଼ାକୁ ଦେଖନ୍ତି । ସେ ସମ୍ମାନର ସହିତ ତାଙ୍କ ନିକଟକୁ ଯାଇ କକାମାନେ କେଉଁଠାରେ ଅଛନ୍ତି ବୋଲି ପଚାରିଥିଲେ । ଋଷିଙ୍କ ଅଭିଶାପରେ ସେମାନେ ପୋଡ଼ି ପାଉଁଶ ହୋଇଯାଇଥିବା କଥା ଶୁଣି ସେ ଅତ୍ୟନ୍ତ ଦୁଃଖରେ ମ୍ରିୟମାଣ ହୋଇଯାଆନ୍ତି । ସେ ଜାଣନ୍ତି ଯେ ସେମାନେ ମୁକ୍ତି ପାଇପାରିବେ ନାହିଁ । ତେବେ ଋଷି କପିଳ ତାଙ୍କୁ କହିଛନ୍ତି ଯେ କେବଳ ତାଙ୍କ ନାତି ଭାଗୀରଥ ଗଙ୍ଗାକୁ ଆକାଶରୁ ଓହ୍ଲାଇ ଆଣି ପାରିବେ ଏବଂ ଗଙ୍ଗାଙ୍କ ସ୍ପର୍ଶରେ ହିଁ ସେମାନେ ମୁକ୍ତି ପ୍ରାପ୍ତ ହେବେ । ଏହି ଦୁଃଖଦ ଖବର ସଗର ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ । ରାଜା ସଗର ଗଙ୍ଗା ନଦୀକୁ ପୃଥିବୀକୁ ଆଣିବା ପାଇଁ କୌଣସି ସମାଧାନ ଖୋଜି ପାଇଲେ ନାହିଁ ଏବଂ ଶେଷରେ ୩୦ ହଜାର ବର୍ଷ ଶାସନ କରିବା ପରେ ମୃତ୍ୟୁ ବରଣ କଲେ । ଏହା ପରେ ଅଂଶୁମାନ ରାଜ ସିଂହାସନ ଅଳଂକୃତ କଲେ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Mahabharata Vana Parva - Translation By KM Ganguly | Mahabharata Stories, Summary and Characters from Mahabharata". www.mahabharataonline.com. Retrieved 3 February 2021.
  2. "Content | Valmiki Ramayanam". www.valmiki.iitk.ac.in. Retrieved 3 February 2021.