ବ୍ୟବହାରକାରୀ:Hpsatapathy/sandbox33
ଜଗନ୍ନାଥ ଜଣାଣ
ଦୁଃଖୀଧନ ନୀଳମଣିରେ ନୀଳ କାଳିଆ ହାତୀ
ଶ୍ରୀ ନୀଳକନ୍ଦରେ ବସିଛ ଦାରୁ ବ୍ରହ୍ମ ମୂରତି............୧
ତୋର ଶ୍ରୀପୁଷ୍ପିତ ନୟନ ନୀଳାମ୍ବର ତୋ ଭାଇ
ମଧ୍ୟରେ ସୁଭଦ୍ରା ଭଉଣି ତିନି ମୂରତି ହୋଇ............୨
ଜଗତରେ କିଏ ନଜାଣେ ତୋର ଯଶ କୀରତି
ଦୁଃଖୀଧନ ନୀଳମଣିରେ ତୋତେ ଭଜନ୍ତି ନିତି............୩
ଅନ୍ତର୍ଯ୍ୟାମୀ ତୋତେ ବୋଲନ୍ତି ସବୁ ଅନ୍ତର ଜାଣୁ
ଯେତେ ମୁଁ ଅନ୍ତରେ ଡ଼ାକୁଛି ଟିକେ ଡ଼ାକ ନ ଶୁଣୁ............୪
ଡ଼ାକି ଡ଼ାକି ନୀଳମଣିରେ ଯେବେ ଜୀବନ ଯିବ
ଦୁଃଖୀଧନ ନୀଳମଣିରେ ଜୀବ ଧନ୍ୟ ହୋଇବ............୫
ବହୁଦିନୁ ଭାବି ଥିଲି ମୁଁ ତୁହି ଆସିବୁ ବୋଲି
ତୋ ବାଟକୁ ଚାହିଁ ରହିଛି ଏକା ଚାତକ ପରି............୬
କେତେ ରାତି ପାହି ଗଲାରେ ଏକା ଅନିଦ୍ରା ରହି
ଡରିଲୁ କି ନୀଳମଣି ତୁ ଦୟା ସାଗର ତୁହି............୭
ଭାବିଲୁ କି ନୀଳମଣିରେ କିସ ମାଗିବି ବୋଲି
ଦେଇଥିଲେ ଶୁଝି ଥାଆନ୍ତି ବଡ଼ଦାଣ୍ଡ ପହଁରି............୮
କଣ୍ଟା ବାଜିଯିବ ପାଦରେ ଚାଲିପାରିବୁ ନାହିଁ
ଲକ୍ଷ୍ମୀମାତା ମନା କଲେ କି ତୁହି ଆସିବୁ ନାହିଁ............୯
ଗରୁଡପକ୍ଷୀ ତୋ ନାହିଁ କି କେଣେ ଯାଇଛି ଉଡ଼ି
କଳା ଧଳା ଘୋଡା ନାହିଁକି ତୁହି ଆସନ୍ତୁ ଚଢି............୧୦
ନିରାଶ ହୋଇଣ ରହିଲି ତୋର ପଥକୁ ଚାହିଁ
ଦୟା କର ନନ୍ଦ ନନ୍ଦନ ଯିବି ଶ୍ରୀକ୍ଷେତ୍ର ମୁହିଁ............୧୧
ଯେବେ ଯିବି ନୀଳମଣିରେ ମୋତେ ଚିହ୍ନିବୁ ତୁହି
ବଡ ସିଂହଦ୍ଵାରେ ଦର୍ଶନ ମୋତେ ଦେବୁରେ ତୁହି...........୧୨
ଚକା ନୟନକୁ କାଳିଆ ନିରେକ୍ଷିଣ ଚାହିଁବି
ଦୁଃଖୀଧନ ନୀଳମଣିକୁ ମୋର ଦୁଃଖ କହିବି...........୧୩
ହସିବୁ ନାହିଁ ତୁ କାଳିଆ ମୋର ଦୁଃଖକୁ ଶୁଣି
ଯାହାକୁ କହିବି ଆଉରେ ଜନେ ହସିବେ ଶୁଣି...........୧୪
ଶ୍ରାବଣ ଧାରା ସମ ଅଶ୍ରୁ ବହେ ତୋ ପଥ ଚାହିଁ
ମନ ହୁଏ ପାଦ ପଦ୍ମରେ ଯାଇ ପଡ଼ନ୍ତି ଶୋଇ...........୧୫
ତୋ ଛନ୍ଦା ପାଦକୁ ଧରି ମୁଁ ଦୁଃଖ କହନ୍ତି ସବୁ
ଦୁଃଖୀଧନ ନୀଳମଣିରେ ଟିକେ ସତେଜ ହେବୁ...........୧୬
ଅକୁହା ବେଦନା କାଳିଆ ହୃଦେ ରହିଛି ପୁରି
ଗୃହ ଜଞ୍ଜାଳରେ ଶରୀର ସାରା ହେଉଛି ଘାରି...........୧୭
ଗୃହ ଜଞ୍ଜାଳ ତ ଘାରୁଛି ପ୍ରାତଃ ସ୍ମରଣ ବେଳେ
କିପରି ବା ମନ ରହିବ ତୋର ପାଦ ପଦ୍ମରେ...........୧୮
ଧାର ଧାର ଅଶ୍ରୁ ବହିଲା ଭିଜି ଗଲାଣି ବାସ
କାହା କଥା ଅବା ଭାବୁଛୁ ରଙ୍ଗ ଅଧର ବାସ ...........୧୯
ମୋ ଆଖିର ଲୁହ କାଳିଆ ତୋତେ ଦିଶୁ କି ନାହିଁ
ଚକା ନୟନରେ ଚାହିଁଛୁ ଏକା ପଲକେ ତୁହି...........୨୦
ସବୁ ଜାଣି ଶୁଣି ରହିଛୁ ଲୁହ ଦେଖି ମୋ ନେତ୍ରେ
ଦେବାକୁ ପଡ଼ିବ ବୋଲି କି କିଛି ନ କହୁ ମୋତେ...........୨୧
ଅଳକା ଭୂବନ କାଳିଆ ତୋତେ ମାଗିବି ନାହିଁ
ତୋ ରତ୍ନ ଭଣ୍ଡାର ରଖିଥା ତଳେ ତାଲା ପକାଇ...........୨୨
ଧୃବ ପଦ ମୁହିଁ ମାଗୁନି ତୁହି ଶୁଣିଥା ଥରେ
ପାପୀକୁ ଉଦ୍ଧାର କରିଦେ ମୋର ନୀଳମଣିରେ...........୨୩
ଷାଠିଏ ପୋଉଟି ଭୋଗରୁ ଟିକେ ମାଗିବି ନାହିଁ
ଟଙ୍କ ତୋରାଣୀରୁ ମୁନ୍ଦିଏ ଦେବୁ କୃପଣ ହୋଇ...........୨୪
ତୋ ଛଡାତୁଳସୀ କାଳିଆ ମୋର ତୁଣ୍ଡରେ ଥିବ
ଜୟ ବିଜୟକୁ ଟିକିଏ ମୋର ଦର୍ଶନ ହେବ...........୨୫
ତୋ ଦର୍ଶନ ଛଡା କାଳିଆ ଆଉ ମାଗିବି କିସ
ବହୁତ ବିଳମ୍ବ ହେଉଛି ସବୁ ମୋ କର୍ମ ଦୋଷ...........୨୬
ତୋର ନାମ ଗାଇ କାଳିଆ ଏଇ ଜୀବନ ଯିବ
ଏହି ଅପଯଶ କାଳିଆ ତୋର ଅଙ୍ଗେ ଲାଗିବ...........୨୭
ନ ଦେବୁ ଜନମ କାଳିଆ ମୋତେ ମାଆ କୋଳରେ
ନରେନ୍ଦ୍ର ପୋଖରୀ କରିଦେ ମୋର ନୀଳ ମଣିରେ...........୨୮
ଦୁଃଖୀଧନ ନୀଳମଣିକି ମୋର ଏହି ଗୁହାରୀ
ଲୋକହସା ଆଉ ନ କରି ବେଗେ କରିଦେ ପାରି...........୨୯
ମୋହର ଏତିକି ଗୁହାରୀ ଆହେ ଚକା ନୟନ
ତୁମ ଶ୍ରୀ ଚରଣେ ଶରଣ ପ୍ରଭୁ ହେ ନାରାୟଣ ...........୩୦
ପୃଷ୍ଠା-୨୩୪୫