ଦଧି ନାଟ
ଦଧି ନାଟ | |
---|---|
ଅନ୍ୟ ନାମ | ଦଧି |
ପାଳନକାରୀ | ଓଡ଼ିଆ ଲୋକ |
ପ୍ରକାର | ଲୋକକଳା |
ଦଧି ନାଟ, ଓଡ଼ିଶାର ଏକ ପାରମ୍ପାରିକ ଲୋକକଳା ।[୧][୨] ଏହି ନାଟରେ ମୁଖ୍ୟତଃ ରାଧାକୃଷ୍ଣ ଲୀଳା ପ୍ରଦର୍ଶନ କରାଯାଏ । ଏହି ନାଟକ ବିଶେଷକରି ବୈଷ୍ଣବ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ପରିବେଷିତ ହୋଇଥାଏ । ଏହି ନାଟ ପରିବେଷଣ ପରେ, କଳାକାରମାନେ ଗୋପାଳୁଣୀ ବେଶରେ ଆଖପାଖ ଅଞ୍ଚଳକୁ ଯାଇ ଦହି ବିକ୍ରୀ କରିବାର ପରମ୍ପରା ରହିଛି । ଏହି ପରମ୍ପରା ଯୋଗୁ, ନାଟର ନାମ ଦଧି ନାଟ ହୋଇଥିବାର ବିଶ୍ୱାସ କରାଯାଏ । ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଏହି ନାଟକ ବିଶେଷ ଭାବରେ ପରିବେଷଣ କରାଯାଏ ।
ବିଷୟବସ୍ତୁ
[ସମ୍ପାଦନା]ରାଧାକୃଷ୍ଣ ଲୀଳା ଏହି ନାଟର ପ୍ରମୁଖ ବିଷୟବସ୍ତୁ । ଏହି ଲୀଳାର ଆରମ୍ଭ ହୋଇଥାଏ କଂସର ଦୌରାତ୍ମରୁ ପୃଥିବୀକୁ ରକ୍ଷା କରିବା ନିମନ୍ତେ ବସୁମାତାଙ୍କର ବିଷ୍ଣୁ ଓ ଅନ୍ୟାନ୍ୟ ଦେବଦେବୀଙ୍କୁ ପ୍ରାଥନାରୁ ଏବଂ ଶେଷ ହୋଇଥାଏ କଂସବଧ ଓ ଉଗ୍ରସେନଙ୍କ ପୁନଶ୍ଚ ରାଜ୍ୟଭିଷେକରେ । ଏଥିରେ କୃଷ୍ଣଙ୍କ ସମ୍ପୂର୍ଣ୍ଣ ବାଲ୍ୟଲୀଳା ପରିବେଷିତ ହୋଇଥାଏ । ତେବେ ସ୍ଥଲବିଶେଷରେ କେବଳ ନିର୍ଦ୍ଧିଷ୍ଟ ବିଷୟବସ୍ତୁ ଯଥା କାଳିଆ ଦଳନ, ବସ୍ତ୍ରହରଣ, କଂସବଧ ଆଦି ମଧ୍ୟ ପରିବେଷିତ ହୋଇଥାଏ ।
କଳାକାର
[ସମ୍ପାଦନା]ଏହି ନାଟକରେ ଆଞ୍ଚଳିକ ଗ୍ରାମୀଣ କଳାକାରମାନେ ହିଁ ଅଭିନୟ କରନ୍ତି । ସେମାନେ ମୁଖ୍ୟତଃ ବୈଷ୍ଣବ ସମ୍ପ୍ରଦାୟରୁ ଥାଆନ୍ତି । ଆଗରୁ କେବଳ ପୁରୁଷମାନେ ଏଥିରେ ଅଭିନୟ କରୁଥିଲେ ଏବେ ମହିଳାମାନେ ମଧ୍ୟ ଅଭିନୟ କରୁଛନ୍ତି । କୃଷ୍ଣ ବଳରାମଙ୍କ ଚରିତ୍ରରେ ଶିଶୁ କଳାକାରମାନେ ଅଭିନୟ କରନ୍ତି ।
ବାଦ୍ୟଯନ୍ତ୍ର
[ସମ୍ପାଦନା]ଏହି ଲୋକକଳାରେ ମୁଖ୍ୟତଃ ପାରମ୍ପାରିକ ବାଦ୍ୟଯନ୍ତ୍ର ଯଥା ହାରମୋନିୟମ, ପଖାଉଜ, ଡୁବିତାବଲା, କରତାଳ ଓ କୁବୁଜି ଆଦି ବ୍ୟବହାର ହୋଇଥାଏ । ସମୟ ପରିବର୍ତ୍ତନ ସହିତ ଏଥିରେ କି-ବୋର୍ଡ଼ ଓ ସିନ୍ଥେସାଇଜର ଭଳି ଆଧୁନିକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଉଛି ।
ମଞ୍ଚସଜ୍ଜା
[ସମ୍ପାଦନା]ଏହି ଲୋକକଳା ଦିନବେଳା ପରିବେଷଣ ହେଉଥିବାରୁ ଆଲୋକ ଓ ମଞ୍ଚସଜ୍ଜାର ବିଶେଷ ଆବଶ୍ୟକତା ନଥାଏ । ମୁଖ୍ୟମଞ୍ଚରେ ଅଭିନୟ ହେଉଥିବା ବେଳେ, ପାର୍ଶ୍ୱ ମଞ୍ଚରେ ବାଦ୍ୟଯନ୍ତ୍ର ବାଦକମାନେ ବସନ୍ତି । ମୁଖ୍ୟ ପୋଷାକ ଶାଢ଼ୀ ଓ ଧୋତି । କଳାକାରମାନେ ନିଜେ ନିଜ ରୂପସଜ୍ଜାର ଆୟୋଜନ କରିଥାନ୍ତି ।
ପାରିଶ୍ରମିକ
[ସମ୍ପାଦନା]ଏହି ଲୋକକଳାରେ କଳାକାରମାନଙ୍କୁ ଖୁବ କମ ପାରିଶ୍ରମିକ ମିଳିଥାଏ । ଅର୍ଥ ଅଭାବରୁ ଅନେକ କଳାକାର ଏହି ଲୋକକଳାକୁ ଛାଡ଼ି ଦେଇଛନ୍ତି ଓ ଏହି ବିଲୁପ୍ତ ହେବାକୁ ବସିଲାଣି ।[୩]
ଆଧାର
[ସମ୍ପାଦନା]- ↑ The Dance of India. D B Taraporevala Sons. 1965. p. 37. Retrieved 27 March 2023.
- ↑ "Available Art forms at Balasore". www.baleswar.nic.in. ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ. Archived from the original on 27 March 2023. Retrieved 27 March 2023.
- ↑ "ବିଲୁପ୍ତପ୍ରାୟ ଲୋକକଳା ଦଧି". No. ସମ୍ବାଦ ରବିବାର ୨୬ ମାର୍ଚ୍ଚ ୨୦୨୩ ପୃଷ୍ଠା ୧୩. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 27 March 2023. Retrieved 27 March 2023.