ଜାତୀୟ ଆଇନ ସେବା ପ୍ରାଧିକରଣ ବନାମ ଭାରତ ସରକାର
ଜାତୀୟ ଆଇନ ସେବା ପ୍ରାଧିକରଣ ବନାମ ଭାରତ ସରକାର (ଇଂରାଜୀ: National Legal Services Authority v. Union of India) ହେଉଛି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଫଇସଲା, ଯାହା ହିଞ୍ଜଡ଼ା ଭାବେ ପରିଚିତ ଲୋକଙ୍କୁ 'ତୃତୀୟ ଲିଙ୍ଗ'ର ମାନ୍ୟତା ପ୍ରଦାନ କରିଛି । ଏହି ଫଇସଲାଦ୍ୱାରା ନିଶ୍ଚିତ ହୋଇଛି ଯେ ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ମୌଳିକ ଅଧିକାର ସେମାନଙ୍କ ପାଇଁ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ ହେବ । ସେମାନଙ୍କୁ ପୁରୁଷ, ମହିଳା କିମ୍ବା ତୃତୀୟ ଲିଙ୍ଗ ଭାବରେ ସେମାନଙ୍କର ଆତ୍ମ-ପରିଚୟ କରିବାର ଅଧିକାର ରହିବ ।
ଭାରତରେ ଲିଙ୍ଗଗତ ସମାନତା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଏହି ଫଇସଲା କାର୍ଯ୍ୟ କରିଛି ।[୧][୨][୩][୪] ଅଧିକନ୍ତୁ, ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ତୃତୀୟ ଲିଙ୍ଗ ଭାବେ ପରିଚିତ ଏହି ଲୋକଙ୍କୁ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗ ଭାବରେ ବ୍ୟବହାର କରାଯାଉଥିବାରୁ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଏବଂ ଚାକିରିରେ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ ।
ମାମଲା ସଂପର୍କରେ
[ସମ୍ପାଦନା]ରିଟ୍ ପର୍ଯ୍ୟାୟଭୁକ୍ତ ଉକ୍ତ ମାମଲାରେ ଜାତୀୟ ଆଇନ ସେବା ପ୍ରାଧିକରଣ ( NALSA), ଦିଲ୍ଲୀ ପ୍ରାଥମିକ ଆବେଦନକାରୀ ଥିଲା । ଭାରତୀୟ ସମାଜର ତଳ ସ୍ତରରେ ଥିବା ଉପେକ୍ଷିତ ଜନଗୋଷ୍ଠୀକୁ ମାଗଣା ଆଇନ ସହାୟତା ସେବା ପ୍ରଦାନ କରିବାର ମୂଳ ଉଦ୍ଦେଶ୍ୟ ସହିତ ଏହା ଗଠନ କରାଯାଇଥିଲା । ଏହି ମାମଲାରେ ଅନ୍ୟ ଆବେଦନକାରୀମାନେ ଥିଲେ ପଞ୍ଜୀକୃତ ସଂସ୍ଥା ତଥା ଏନଜିଓ ପୂଜା ମାତା ନାସିବ କୌର ଜୀ ମହିଳା କଲ୍ୟାଣ ସମିତି ଏବଂ ହିଞ୍ଜଡ଼ା ମାନଙ୍କ ସାମାଜିକ ଅଧିକାର ପାଇଁ ଲଢୁଥିବା ଏକ ମାନବାଧିକାର କର୍ମୀ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ।
ବେଞ୍ଚ
[ସମ୍ପାଦନା]ଜଷ୍ଟିସ କେ.ପାନିକର୍ ରାଧାକୃଷ୍ଣନ୍ ଏବଂ ଜଷ୍ଟିସ୍ ଅର୍ଜନ୍ କୁମାର ସିକ୍ରି ଏହି ଦୁଇଜଣିଆ ଖଣ୍ଡପୀଠରେ ଉକ୍ତ ମାମଲାଟିର ଶୁଣାଣି ହୋଇଥିଲା । ଜଷ୍ଟିସ୍ ରାଧାକୃଷ୍ଣନ୍ ଅନେକ ଶିକ୍ଷାଗତ ତଥା ସାମାଜିକ ସଂଗଠନ ପାଇଁ ଷ୍ଟାଣ୍ଡିଂ କାଉନ୍ସିଲ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ ସୁପ୍ରିମକୋର୍ଟରେ ଉନ୍ନୀତ ହେବା ପୂର୍ବରୁ କେରଳ, ଜାମ୍ମୁ କାଶ୍ମୀର ଏବଂ ଗୁଜରାଟର ହାଇକୋର୍ଟରେ ନିଯୁକ୍ତି ପାଇଥିଲେ । ଜଷ୍ଟିସ ସିକ୍ରି ଦିଲ୍ଲୀରେ ସାମ୍ବିଧାନିକ ମାମଲା, ଶ୍ରମ ଏବଂ ସେବା ତଥା ଆର୍ବିଟ୍ରେସନ୍ ପ୍ରସଙ୍ଗରେ ବିଶେଷଜ୍ଞ ହୋଇ ଓକିଲାତି ଆରମ୍ଭ କରିଥିଲେ । ସୁପ୍ରିମକୋର୍ଟରେ ତାଙ୍କର ନିଯୁକ୍ତି ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟ ଏବଂ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ନିଯୁକ୍ତ ହୋଇଥିଲେ ।
ଅଦାଲତଙ୍କ ରାୟ
[ସମ୍ପାଦନା]ଉକ୍ତ ମାମଲାରେ ଭାରତର ଉଚ୍ଚତମ ନ୍ୟାୟାଲୟଙ୍କ ରାୟ ତଥା ନିର୍ଦ୍ଦେଶ ଏହିପରି:
- ଲିଙ୍ଗଗତ ପରିଚୟ ଜଣେ ବ୍ୟକ୍ତିର ସମ୍ମାନ ପାଇଁ ଅବିଚ୍ଛେଦ୍ୟ ଅଟେ । ହିଞ୍ଜଡ଼ାମାନେ ଏଣିକି ତୃତୀୟ ଲିଙ୍ଗର ମାନ୍ୟତା ପାଇବେ ଏବଂ ସାଧାରଣଭାବେ ପୁରୁଷ କିମ୍ବା ମହିଳା ମାନଙ୍କ ଭଳି ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା ମୌଳିକ ଅଧିକାର ସେମାନଙ୍କ ପାଇଁ ସମାନ ପ୍ରଯୁଜ୍ୟ ହେବ ।
- ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ତୃତୀୟ ଲିଙ୍ଗର ବ୍ୟକ୍ତିବିଶେଷଙ୍କୁ ସେମାନଙ୍କୁ ସାମାଜିକ ଏବଂ ଶିକ୍ଷାଗତ ଅଧିକାର ପ୍ରଦାନ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବେ । ଅଧିକନ୍ତୁ ସାମାଜିକ ତଥା ଅର୍ଥନୈତିକ ପଛୁଆ ବର୍ଗ ଭାବରେ ସେମାନଙ୍କୁ ଶିକ୍ଷାନୁଷ୍ଠାନ ଏବଂ ଚାକିରିରେ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ ।
ଆଧାର
[ସମ୍ପାଦନା]- ↑ Delhi, Associated Press in New (15 April 2014). "India recognises transgender people as third gender". the Guardian (in ଇଂରାଜୀ). Retrieved 19 March 2022.
- ↑ "India now recognizes transgender citizens as 'third gender'". Washington Post. Retrieved 19 March 2022.
- ↑ "Supreme Court recognizes transgenders as 'third gender'". Times of India. 15 April 2014. Retrieved 19 March 2022.
- ↑ Mark E. Wojcik, Male. Female. Other. India Requires Legal Recognition of a Third Gender, 43:4 International Law News 1 (2014)(American Bar Association Section of International Law).