କେଲିମୁଟୁ
କେଲିମୁଟୁ ଆଗ୍ନେୟଗିରି | |
---|---|
Elevation | ୧୬୩୯ ମିଟର[୧] |
Location | |
କେଲିମୁଟୁ | |
Location | ଏଣ୍ଡେ ରିଜେନ୍ସି, ଫ୍ଲୋରେସ୍ ଦ୍ୱୀପ, ଇଣ୍ଡୋନେସିଆ |
Coordinates | 8°46′S 121°49′E / 8.77°S 121.82°E |
Geology | |
Type | ଜଟିଳ ଆଗ୍ନେୟଗିରି |
Last eruption | ୧୯୬୮ ମସିହା ଜୁନରୁ ଜୁଲାଇ[୧] |
କେଲିମୁଟୁ (ଇଂରାଜୀ ଭାଷାରେ Kelimutu) ଇଣ୍ଡୋନେସିଆର ଏକ ଆଗ୍ନେୟଗିରି । ଏହା ଫ୍ଲୋରେସ୍ ଦ୍ୱୀପର ମଧ୍ୟ ଭାଗରେ ଥିବା ମୋନି ସହରର ନିକଟରେ ଅବସ୍ଥିତ । ଏଣ୍ଡେ ରିଜେନ୍ସିର ରାଜଧାନୀ ଏଣ୍ଡେଠାରୁ ଏହି ଆଗ୍ନେୟଗିରିର ଦୂରତା ପୂର୍ବ ଦିଗରେ ପ୍ରାୟ ୫୦ କିଲୋମିଟର । ଏହି ପର୍ବତରେ ୩ଟି ଆଗ୍ନେୟ ଗହ୍ୱର ହ୍ରଦ ରହିଛି ଯାହାର ରଙ୍ଗ ଭିନ୍ନ ଭିନ୍ନ । କେଲିମୁଟୁରେ ସୃଷ୍ଟ ଗହ୍ୱର ହ୍ରଦର ରଙ୍ଗ ପଛରେ ବୈଜ୍ଞାନିକ କାରଣ ରହିଛି ।[୨] ହ୍ରଦରେ ବହୁ ମାତ୍ରାରେ ଉପସ୍ଥିତ ଲୌହ, ମାଙ୍ଗାନିଜ୍ ପରି ଅନେକ ମୌଳିକ ପଦାର୍ଥ ରହିଛନ୍ତି ଓ ଏହି ତରଳ ପଦାର୍ଥର ଅକ୍ସିଡେସନ୍-ବିଘଟନ ପ୍ରକ୍ରିୟାର ସ୍ଥିତିରେ ପରିବର୍ତ୍ତନ ସହିତ ହ୍ରଦଗୁଡ଼ିକର ରଙ୍ଗ ମଧ୍ୟ ସମୟ ସମୟରେ ବଦଳୁଥାଏ । ଅକ୍ସିଡେସନ୍-ବିଘଟନର ସ୍ଥିତି ଆଗ୍ନେୟଗିରି ବାଷ୍ପ, ବୃଷ୍ଟିପାତର[୩] ସନ୍ତୁଳିତ ମାତ୍ରା ଉପରେ ନିର୍ଭର କରେ ଏବଂ ଆଗ୍ନେୟଗିରିର ଭୂତଳ ଜଳର ମଧ୍ୟ ଏହି ସନ୍ତୁଳନ ସ୍ଥିତି ବଦଳାଇବାରେ ଭୂମିକା ରହିଥାଏ ।[୪] ପ୍ରତି ହ୍ରଦର ରଙ୍ଗ ପରସ୍ପରଠାରୁ ଭିନ୍ନ, ଏମାନଙ୍କ ରଙ୍ଗ ପରିବର୍ତ୍ତନ ଅନ୍ୟମାନଙ୍କ ରଙ୍ଗ ପରିବର୍ତ୍ତନ ଉପରେ ନିର୍ଭର କରେନାହିଁ ଓ ପ୍ରତ୍ୟେକ ହ୍ରଦ ଆଗ୍ନେୟଗିରିର ଭୂତଳ ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ରୂପେ ସଂଯୁକ୍ତ । ୨୦୧୬ ମସିହା ଜାନୁଆରୀରୁ ନଭେମ୍ବର ମାସ ମଧ୍ୟରେ ଏହି ଗହ୍ୱର ହ୍ରଦଗୁଡ଼ିକର ରଙ୍ଗ ୬ ଥର ବଦଳିଥିଲା ।[୫] ଏହି ରଙ୍ଗର ପରିବର୍ତ୍ତନ ସମ୍ପର୍କରେ ପୂର୍ବାନୁମାନ କରିବା ସହଜ ନୁହେଁ । ଆଗ୍ନେୟଗିରି ବ୍ୟବସ୍ଥାକୁ ନିରନ୍ତର ନିରୀକ୍ଷଣ କରି ସେଥିରୁ ତଥ୍ୟ ସଂଗ୍ରହ କରିବା କଷ୍ଟସାଧ୍ୟ ବ୍ୟାପାର । ତଥ୍ୟର ଅନୁପସ୍ଥିତିରେ ଏକ ଅନୁମାନକାରୀ ମଡେଲ୍ଦ୍ୱାରା ବିଶ୍ଳେଷଣ ହୋଇପାରୁ ନଥିବାରୁ ଏହି ରଙ୍ଗ ପରିବର୍ତ୍ତନର ପୂର୍ବାନୁମାନ କରି ହେଉନାହିଁ ।
ଭୂବୈଜ୍ଞାନିକ ତଥ୍ୟ
[ସମ୍ପାଦନା]ଆଗ୍ନେୟଗିରିରେ ଭିନ୍ନ ରଙ୍ଗର ତିନୋଟି ଗହ୍ୱର ହ୍ରଦ ରହିଛି । ତିୱୁ ଆଟା ବୁପୁ (ବୃଦ୍ଧ ଜନଙ୍କ ହ୍ରଦ) ଏହି ତିନି ହ୍ରଦ ମଧ୍ୟରେ ପଶ୍ଚିମତମ ଓ ଏହାର ରଙ୍ଗ ସାଧାରଣତଃ ନୀଳ । ତିୱୁ କୂ ଫାଇ ନୁୱା ମୁରି (ଯୁବକ-ଯୁବତୀଙ୍କ ହ୍ରଦ) ଓ ତିୱୁ ଆଟା ପୋଲୋ (ସମ୍ମୋହିତ ହ୍ରଦ) ଏକ ଗହ୍ୱର କାନ୍ଥଦ୍ୱାରା ବିଚ୍ଛିନ୍ନ ଓ ଏହି ଦୁଇ ହ୍ରଦର ରଙ୍ଗ ଯଥାକ୍ରମେ ସବୁଜ ଓ ଲାଲ । ହ୍ରଦମାନଙ୍କ ରଙ୍ଗ ବରାବର ବଦଳୁଥାଏ । ପୂର୍ବସ୍ଥ ହ୍ରଦ ଦ୍ୱୟରେ ଭୂତଳ ଆଗ୍ନେୟ ବାଷ୍ପ ଓ ଜଳର ଚଳନ ଯୋଗୁଁ ଅଧିକ ଘନ ତରଳ ଓ ଅଳ୍ପ ଘନ ତରଳର ଅଦଳ-ବଦଳ ଘଟୁଥାଏ । [୧]
ଏହି ହ୍ରଦମାନଙ୍କରୁ ଅତୀତରେ ବାଷ୍ପ ଉଦ୍ଗୀରଣ ଘଟିଥିଲା । ସମସ୍ତ ଆଗ୍ନେୟଗିରି ବ୍ୟବସ୍ଥାର ଉଚ୍ଚତମ ଶୃଙ୍ଗ ହେଉଛି ୧୬୩୯ ମିଟର ଉଚ୍ଚତାବିଶିଷ୍ଟ କେଲିମୁଟୁ । ଏହା ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଦିଗ ମଧ୍ୟରେ ପ୍ରାୟ ୨ କିଲୋମିଟର ବିସ୍ତୃତ । ପୁରାତନ ଆଗ୍ନେୟ ଶୃଙ୍ଗ କେଲିଡୋ ଉତ୍ତରକୁ ୩ କିଲୋମିଟର ଦୂରରେ ଓ କେଲିବାରା ଦକ୍ଷିଣକୁ ୨ କିଲୋମିଟର ଦୂରରେ ଅବସ୍ଥିତ । ରଙ୍ଗୀନ ହ୍ରଦଗୁଡ଼ିକ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କାରଣ ।[୬]
ଭୂବିଜ୍ଞାନୀମାନଙ୍କ ପାଇଁ କେଲିମୁଟୁ ଆଗ୍ରହ ସୃଷ୍ଟି କରିଥାଏ । ତିନୋଟି ହ୍ରଦ ଗୋଟିଏ ପାହାଡ଼ରେ ଥାଇ ଭିନ୍ନ ରଙ୍ଗର ତରଳ ପଦାର୍ଥ ଧାରଣ କରିବା ଭୂବିଜ୍ଞାନୀଙ୍କ କୌତୁହଳର କାରଣ ।[୭] କେଲିମୁଟୁ ଜାତୀୟ ଉଦ୍ୟାନର ଅଧିକାରୀଙ୍କ ମତରେ ଆଗ୍ନେୟ ବାଷ୍ପ ଉଦ୍ଗୀରଣରୁ ହ୍ରଦମାନଙ୍କରେ ସୃଷ୍ଟି ଥିବା ଧାତବ ଲବଣ ଓ ରସାୟନିକ ପ୍ରତିକ୍ରିୟା ଏହି ରଙ୍ଗ ସୃଷ୍ଟି କରେ ।[୮] କିନ୍ତୁ ଅକ୍ସିଡେସନ୍-ବିଘଟନ ପ୍ରକ୍ରିୟା ଯୋଗୁଁ ଏପରି ରଙ୍ଗ ସୃଷ୍ଟି ହେଉଥିବାକୁ ଅଧିକ ସଠିକ କାରଣ ବୋଲି କୁହାଯାଇପାରିବ । ପଶ୍ଚିମ ଜାଭାରେ ବାନ୍ଦୁଂଗର ଦକ୍ଷିଣକୁ କାୱା ପୁଟିଃ ନାମକ ଏକ ଗହ୍ୱର ହ୍ରଦ ରହିଛି ଯାହାର କେଲିମୁଟୁ ହ୍ରଦମାନଙ୍କ ସହିତ ଅନେକ ସାମଞ୍ଜସ୍ୟ ରହିଛି ।
ପର୍ଯ୍ୟଟନ
[ସମ୍ପାଦନା]କେଲିମୁଟୁ ଅଞ୍ଚଳରେ ଜାତୀୟ ଉଦ୍ୟାନ ସ୍ଥାପନା କରିବାର ପ୍ରାରମ୍ଭିକ ଦିନମାନଙ୍କରେ ସ୍ଥାନୀୟ ଅଧିବାସୀଙ୍କ ସହିତ ଅନେକ ମତାନ୍ତର ଓ ସଂଘର୍ଷ ଘଟିଥିଲା । ପରବର୍ତ୍ତୀ ସମୟରେ ବନ ଅଧିକାରୀମାନେ ସ୍ଥାନୀୟ ଅଧିବାସୀଙ୍କ ସହ ଏହି ସମ୍ପର୍କ ବହୁ ମାତ୍ରାରେ ସୁଧାରିବା ଯୋଗୁଁ ଏହି ପରିସ୍ଥିତି ଓ ଜାତୀୟ ଉଦ୍ୟାନର ପରିଚାଳନାରେ ଉନ୍ନତି ଆସିଛି ।[୯]
୧୦୦୦ ମିଟରରୁ ଅଧିକ ଉଚ୍ଚତା ବିଶିଷ୍ଟ ପର୍ବତକୁ ଇଣ୍ଡୋନେସିଆରେ ରିବୁ କୁହନ୍ତି ଓ କେଲିମୁଟୁ ଇଣ୍ଡୋନେସିଆର ରିବୁ ତାଲିକାର ଅନ୍ତର୍ଗତ ।
୧୯୧୫ ମସିହାରେ ବି. ଭାନ୍ ସୁକ୍ତେଲେନ୍ ନାମକ ଜଣେ ସ୍ଥନୀୟ ଓଲନ୍ଦାଜ ସେନା କମାଣ୍ଡର ଓ ୧୯୨୯ ମସିହାରେ ୱାଇ. ବୌମାନ୍ଙ୍କ ଲେଖା ପରେ କେଲିମୁଟୁ ପାଇଁ ପର୍ଯ୍ୟଟକମାନଙ୍କ ଆଗ୍ରହ ବଢ଼ିଲା ।[୧୦]
ଏହି ପର୍ବତର ନିକଟତମ ବିମାନ ବନ୍ଦର ହେଉଛନ୍ତି ମୌମେରେ ଓ ଏଣ୍ଡେ । ବାଲିରୁ ଏଣ୍ଡେକୁ ନିୟମିତ ବିମାନ ସେବା ରହିଛି । ଏଣ୍ଡେରୁ କେଲିମୁଟୁ ନିମ୍ନଦେଶରେ ରହିଥିବା ମୋନି ସହର ପର୍ଯ୍ୟନ୍ତ ୩ ଘଣ୍ଟାର ସଡ଼କ ଯାତ୍ରା କରିବାକୁ ହୁଏ । ମୋନିରେ ପର୍ଯ୍ୟଟକଙ୍କ ରହିବାର ବ୍ୟବସ୍ଥା ରହିଛି । ମୋନିରୁ କେଲିମୁଟୁର ଗାଡ଼ି ପାର୍କିଂ ସ୍ଥାନର ଦୂରତା ପ୍ରାୟ ୧୩ କିଲୋମିଟର ଓ ଏଠାରେ ପହଞ୍ଚିବାକୁ ହାରାହାରି ୪5 ମିନିଟ ସମୟ ଲାଗେ ।[୧୧] କେଲିମୁଟୁରେ ସୂର୍ଯ୍ୟୋଦୟ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କୁ ମୋନିରେ ରାତ୍ରି ବିଶ୍ରାମ କରିବାକୁ ପଡ଼ିଥାଏ ।
ଚିତ୍ର ଗ୍ୟାଲେରି
[ସମ୍ପାଦନା]-
ଯୁବକ-ଯୁବତୀଙ୍କ ହ୍ରଦ ଏବଂ ସମ୍ମୋହିତ ହ୍ରଦ
-
ଯୁବକ-ଯୁବତୀଙ୍କ ହ୍ରଦ ଏବଂ ସମ୍ମୋହିତ ହ୍ରଦ
-
ଯୁବକ-ଯୁବତୀଙ୍କ ହ୍ରଦ ଏବଂ ସମ୍ମୋହିତ ହ୍ରଦ
-
ବୃଦ୍ଧ ଜନଙ୍କ ହ୍ରଦ
ଆହୁରି ଦେଖନ୍ତୁ
[ସମ୍ପାଦନା]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Kelimutu". Global Volcanism Program. Smithsonian Institution.
- ↑ "Dr. Gregory B. Pasternack - Watershed Hydrology, Geomorphology, and Ecohydraulics :: Keli Mutu". pasternack.ucdavis.edu (in ଇଂରାଜୀ). Retrieved 2017-06-11.
- ↑ Pasternack, Gregory B.; Varekamp, Johan C. (1997-05-01). "Volcanic lake systematics I. Physical constraints". Bulletin of Volcanology (in ଇଂରାଜୀ). 58 (7): 528–538. doi:10.1007/s004450050160. ISSN 0258-8900.
- ↑ Pasternack, G. B. 1993. Acid-brine crater lake systematics: a case study. Undergraduate High Honors thesis. Wesleyan University, 160 pp, 4 appendices. DOI: 10.13140/RG.2.1.3414.1040.
- ↑ Markus Makur (November 24, 2016). "Kelimutu lakes change color for the 6th time this year".
- ↑ 'Kelimutu: Adventure to the Three coloured lakes', Accessed 29 April 2012.
- ↑ Pasternack, Gregory B.; Johan C. Varekamp (1994). "The geochemistry of the Keli Mutu crater lakes, Flores, Indonesia" (PDF). Geochemical Journal. 28 (3): 243–262. doi:10.2343/geochemj.28.243. Here's a link to the abstract Archived 2016-03-04 at the Wayback Machine.
- ↑ Some details of the characteristics of volcanic soils in the area can be found at Hikmatullah, H. Subagyo, and B.H. Prasetyo, 'Soil properties of the eastern toposequence of Mount Kelimutu, Flores Island, East Nusa Tenggara and their potential for agricultural use'[permanent dead link], Indonesian Jour. of Agricultural Science, 4(1), 2003, pp. 1-11.
- ↑ Tifa Asrianti, 'Locals help protect Kelimutu national park', The Jakarta Post, 4 January 2011.
- ↑ Gagas Ulung (2011), Exotic NTT: 200 tempat paling menantang dan eksotis di provinsi Nusa Tenggara Timur: wisata alam, bahari, budaya, dan tradisi [Exotic NTT: 200 of the most challenging and exotic places in Nusa Tenggara Timur: tourism for nature, the sea, culture, and tradition], PT Gramedia Pustaka Utama, Jakarta, p. 184.
- ↑ Tri Hatma Ningsih (June 23, 2014). "Tiga Warna Sejuta Pesona".
ଅନ୍ୟନ୍ୟ ଲିଂକ୍
[ସମ୍ପାଦନା]- Volume 28, No. 3, pp. 137-306 of the Geochemical Journal is a special issue of the journal dedicated to Volcanic lakes.