ଦମନକ ଚତୁର୍ଦଶୀ

ଉଇକିପିଡ଼ିଆ‌ରୁ

ଚୈତ୍ର ଶୁକ୍ଳପକ୍ଷ ଚତୁର୍ଦଶୀକୁ ଆମ ରାଜ୍ୟରେ ଦମନକ ଚତୁର୍ଦଶୀ କହାଯାଏ । ଏହି ଚତୁର୍ଦଶୀ ଉଭୟ ଶୈବ ଓ ବୈଷ୍ଣବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ଏହି ଚତୁର୍ଦଶୀ ନିଜସ୍ୱ ବିଧି ଅନୁସାରେ ପାଳନ କରାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

ଶ୍ରୀକୃଷ୍ଣ, ଦେବରାଜ ଇନ୍ଦ୍ରଙ୍କ ନନ୍ଦନକାନନରେ ଥିବା ଦୟନକ ବା ଦୟଣା ଗଛରୁ ପତ୍ର ଛିଣ୍ଡାଇ, ନିଜ ହାତରେ ପିନ୍ଧିଥିଲେ । ତେଣୁ, ଏହିଦିନରେ ଶ୍ରୀମନ୍ଦିରରୁ ରାମ ଓ କୃଷ୍ଣଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ଶୋଭାଯାତ୍ରାରେ ଜଗନ୍ନାଥ ବଲ୍ଲଭ ମଠକୁ ନିଆଯାଇ, ଦୟଣା ପତ୍ର ଅର୍ପଣ କରାଯାଏ । ଦୟଣା ପତ୍ର, ତୁଳସୀ ପରି ପବିତ୍ର । ଏହାର ଅନ୍ୟନାମ ନାଗଦମନ । କିମ୍ବଦନ୍ତୀ ଅନୁଯାୟୀ ଶିବଙ୍କର ତୃତୀୟ ନୟନର ତେଜରେ କାମଦେବ ଭସ୍ମ ହୋଇଯିବା ପରେ ରତିଦେବୀ ଓ ପ୍ରୀତିଦେବୀ ଆକୁଳ କ୍ରନ୍ଦନ କରିଥିଲେ । ସେମାନଙ୍କ ଲୁହରୁ ଦୟଣା ବୃକ୍ଷ ସୃଷ୍ଟି ହୋଇଥିଲା । ଏହି ଚତୁର୍ଦଶୀରେ ଶ୍ରୀଲିଙ୍ଗରାଜଙ୍କର ଦମନକ ଭଞ୍ଜିକା ଯାତ୍ରା ଅନୁଷ୍ଠିତ ହୁଏ । ଏହି ଅବସରରେ ଶ୍ରୀଲିଙ୍ଗରାଜ, ଦେବୀ ପାର୍ବତୀ, ବାସୁଦେବ ଓ ଦେବୀ ରୁକ୍ମଣୀଙ୍କ ଚଳନ୍ତି ପ୍ରତିମାମାନଙ୍କୁ ଏକ ଶୋଭାଯାତ୍ରାରେ ତୀର୍ଥେଶ୍ୱର ମନ୍ଦିରକୁ ନିଆଯାଏ । ତୀର୍ଥେଶ୍ୱର ଲିଙ୍ଗଙ୍କ ନିକଟରେ ଦୟଣା ବୃକ୍ଷ ପୂଜା ହୁଏ । ତୀର୍ଥେଶ୍ୱର ଓ ଶ୍ରୀଲିଙ୍ଗରାଜଙ୍କ ଭେଟ ପରେ ଚଳନ୍ତି ପ୍ରତିମାମାନଙ୍କୁ ମନ୍ଦିର ଫେରାଇ ଅଣାଯାଏ ।