ପାପାଙ୍କୁଶା ଏକାଦଶୀ

ଉଇକିପିଡ଼ିଆ‌ରୁ

ଆଶ୍ୱିନ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡ଼େ ତାହା 'ପାପାଙ୍କୁଶା' ନାମରେ ଖ୍ୟାତ । ଏହା ସର୍ବପାପହାରୀ, ସ୍ୱର୍ଗ ଓ ମୋକ୍ଷ ପ୍ରଦାନକାରୀ, ଉତ୍ତମ ସ୍ୱାସ୍ଥ୍ୟ, ସୁନ୍ଦର ସ୍ତ୍ରୀ, ଧନ ତଥା ମିତ୍ର ପ୍ରଦାୟୀ । ଯଦି ମନୁଷ୍ୟ ଏହି ଏକାଦଶୀ ନିଷ୍ଠାର ସହିତ ପାଳନ କରେ, ତାକୁ କେବେ ଯମ-ଯାତନା ଭୋଗିବାକୁ ପଡ଼େନାହିଁ ।

ଏକାଦଶୀ ଦିନ ଉପବାସ ଓ ରାତିରେ ଉଜାଗର ରହିଥିବା ମନୁଷ୍ୟ ଅନାୟସରେ ବିଷ୍ଣୁଧାମକୁ ଯାଏ । ସେହି ପୁରୁଷ ମାତୃପକ୍ଷର ଦଶ ଓ ପିତୃପକ୍ଷର ଦଶ ତଥା ପତ୍ନୀପକ୍ଷର ଦଶ ପିଢ଼ିକୁ ଉଦ୍ଧାର କରନ୍ତି । ଏହି ଦିନ ସମ୍ପୂର୍ଣ୍ଣ ମନୋରଥ ପ୍ରାପ୍ତି ନିମନ୍ତେ ବାସୁଦେବ ସ୍ୱରୂପର ପୂଜା କରିବା ଉଚିତ୍ । ଜିତେନ୍ଦ୍ରିୟ ମୁନି ଚିରକାଳ ପର୍ଯ୍ୟନ୍ତ କଠୋର ତପସ୍ୟା କରି ଯେଉଁ ଫଳ ଲାଭ କରେ, ତାହା ସେଦିନ ଭଗବାନ୍ ବିଷ୍ଣୁଙ୍କୁ ପ୍ରଣାମ କଲେ ପ୍ରାପ୍ତ ହୋଇଥାଏ । ଯେଉଁ ପୁରୁଷ ସୁନା, ତିଳ, ଭୂମି, ଗାଈ, ଅନ୍ନ, ଜଳ, ଜୋତା ଓ ଛତା ଦାନ କରେ, ତାକୁ କେବେ ଯମରାଜଙ୍କର ଦର୍ଶନ ହୁଏ ନାହିଁ ।

ଦରିଦ୍ର ପୁରୁଷ ମଧ୍ୟ ସ୍ନାନ, ଜପ-ଧ୍ୟାନ ଆଦି କରିବା ପରେ ସକ୍ଷମ ଅନୁସାରେ ହୋମ, ଯଜ୍ଞ ତଥା ଦାନ କରି ପ୍ରତ୍ୟେକ ଦିନକୁ ସଫଳ କରିବା ଉଚିତ୍ ।

ଯିଏ ହୋମ, ସ୍ନାନ, ଜପ, ଧ୍ୟାନ ଓ ଯଜ୍ଞ ଆଦି ପୁଣ୍ୟ କର୍ମ କରନ୍ତି, ତାଙ୍କୁ ଭୟଙ୍କର ଯମ-ଯାତନା ଭୋଗିବାକୁ ପଡ଼େ ନାହିଁ ।