ରକ୍ତ

ଉଇକିପିଡ଼ିଆ ରୁ
ମନୁଷ୍ୟ ରକ୍ତ କୋଷର ୬୦୦ ଗୁଣ ବଡ ଛବି

ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ ତନ୍ତୁ । ଏହାର ଅନ୍ତର୍ଗତ ଜୀବକୋଷଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା (Blood Corpuscles) କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ରଲସି (plasma) କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ରଲସି ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ ଯାହାର ସ୍ଵାଦ ଲୁଣିଆ ଓ ଗନ୍ଧ ଆଇଁଷିଣିଆ । ଏହାର ରଙ୍ଗ ଲାଲ ହୋଇଥିଲେ ମଧ୍ୟ କେତେକ ପରିସ୍ଥିତିରେ ଏହାର ରଙ୍ଗ ରେ ପାର୍ଥକ୍ୟ ଦେଖାଯାଇଥାଏ । ଅଣୁବୀକ୍ଷଣ ସାହାଯ୍ୟରେ ରକ୍ତକୁ ପରୀକ୍ଷା କଲେ ସେଥିରେ ଥିବା କଣିକାଗୁଡ଼ିକ ଦେଖାଯାନ୍ତି।

ରକ୍ତର ଉପାଦାନ[ସମ୍ପାଦନା]

ରକ୍ତ ମୁଖ୍ୟତଃ ୨ଟି ଉପାଦାନକୁ ନେଇ ଗଠିତ।(କ) ପ୍ରଲସି (ଖ) ରକ୍ତକଣିକା।

(କ) ପ୍ରଲସି : ରକ୍ତର ତରଳ ଅଂଶକୁ ପ୍ରଲସି କୁହାଯାଏ । ଏହାର ରଙ୍ଗ ହଳଦିଆ । ଏହାର ଶତକଡ଼ା ପ୍ରାୟ ୯୦ ଭାଗ ହେଉଛି ଜଳ । ଅନ୍ୟ ଉପାଦାନଗୁଡ଼ିକ ଏଥିରେ ଦ୍ରବୀଭୂତ ଅବସ୍ଥାରେ ଥାନ୍ତି । ସେହି ଉପାଦାନଗୁଡ଼ିକ ହେଉଛି ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ ପରି ବାଷ୍ପ, ଆଲବୁମିନ୍, ଗ୍ଲୋବୁଲିନ୍, ପ୍ରୋଥ୍ରୋମ୍ବିନ୍, ଫିବ୍ରିନୋଜେନ୍ ପ୍ରଭୃତି ପୁଷ୍ଟିସାର, ଶର୍କରା (glucose), ପୋଟାସିୟମ୍, ସୋଡିୟମ୍, କ୍ୟାଲସିୟମ୍ ଧାତୁର କ୍ଲୋରାଇଡ୍, ଫସଫେଟ୍, ସଲଫେଟ୍ ପ୍ରଭୃତି ବିଭିନ୍ନ ପ୍ରକାର ଧାତବ ଲବଣ, ରୋଗ ପ୍ରତିରୋଧକାରୀ ଉପାଦାନ, ଖାଦ୍ୟପ୍ରାଣ, ଏଞ୍ଜାଇମ୍, ଅନାଳ ଗ୍ରନ୍ଥିମାନଙ୍କରୁ କ୍ଷରିତ ହର୍ମୋନ୍, ୟୁରିଆ ପ୍ରଭୃତି ବସ୍ତୁ ।

(ଖ) ରକ୍ତ କଣିକା : ରକ୍ତକଣିକା ୩ ପ୍ରକାରର ଯଥା:-

  1. ଲୋହିତ ରକ୍ତ କଣିକା ( red blood corpuscle)
  2. ଶ୍ଵେତ ରକ୍ତ କଣିକା ( white blood corpuscle)
  3. ଅଣୁଚକ୍ରିକା (platelet)
ଲୋହିତ ରକ୍ତ କଣିକା(ବାମକୁ), ଅଣୁଚକ୍ରିକା(ମଝିରେ), ଟି-ଲିଂଫୋସାଇଟ(ଡାହାଣକୁ)

ଲୋହିତ ରକ୍ତ କଣିକା[୧][ସମ୍ପାଦନା]

ହିମୋଗ୍ଲୋବିନ(ସବୁଜ- ହିମ୍,ନାଲି ଓ ନୀଳ- ପୁଷ୍ଟିସାର)

ରକ୍ତରେ ଅନ୍ୟ କଣିକାମାନଙ୍କ ତୁଳନାରେ ଲୋହିତ ରକ୍ତ କଣିକାର ସଂଖ୍ୟା ସର୍ବାଧିକ । ସାଧାରଣତଃ ପ୍ରତ୍ୟେକ ଘନ ମିଲିମିଟର ରକ୍ତରେ ପ୍ରାୟ ୪.୫ ରୁ ୫ ନିୟୁତ ଲୋହିତ ରକ୍ତ କଣିକା ଥାଏ (ଗୋଟିଏ ରକ୍ତ ବିନ୍ଦୁର ଆୟତନ ହେଉଛି ପ୍ରାୟ ୫୦ ଘନ ମି.ମି.) । ଏହାର ଆକାର ଗୋଲାକାର କିନ୍ତୁ ଏହାର ଦୁଇପାର୍ଶ୍ଵ ଚେପଟା ହୋଇଥିବାରୁ ଏହା ଗୋଟିଏ ଗୋଲାକାର ଚକତି (disc) ପରି ଦେଖାଯାଏ । ଲୋହିତ ରକ୍ତ କଣିକାରେ ହିମୋଗ୍ଲୋବିନ ନାମକ ସଂଯୁକ୍ତ ପୁଷ୍ଟିସାର (conjugated protein) ଥାଏ । ଏହି ହିମୋଗ୍ଲୋବିନ ହିମାଟିନ ନାମକ ଲୌହ ଲବଣ ମିଶ୍ରିତ ହିମ୍ (haem or heme) ଓ ଗ୍ଲୋବିନ ନାମକ ପୁଷ୍ଟିସାରର ମିଶ୍ରଣରେ ଗଠିତ। ହିମାଗ୍ଲୋବିନର ପ୍ରକୃତ ରଙ୍ଗ ଈଷତ ବାଇଗଣୀ ମିଶ୍ରିତ ଲାଲ। କିନ୍ତୁ ଯେତେବେଳେ ଏହା ସହିତ ଅମ୍ଳଜାନ ସଂଯୁକ୍ତ ହୁଏ ସେତେବେଳେ ତାହା ଗାଢ଼ ଲାଲ ରଙ୍ଗ ଦେଖାଯାଏ। ତେଣୁ ଧମନୀରେ ପ୍ରବାହିତ ରକ୍ତରେ ବେଶି ପରିମାଣରେ ହିମୋଗ୍ଲୋବିନ ଥିବାରୁ ଏହି ରକ୍ତ ଗାଢ଼ଲାଲ ରଙ୍ଗ ଦେଖାଯାଏ ଏବଂ ଶିରାରେ ପ୍ରବାହିତ ରକ୍ତର ରଙ୍ଗ ବାଇଗଣୀ ହୋଇଥାଏ । ପ୍ରତ୍ୟେକ ଲୋହିତ ରକ୍ତ କଣିକା ଶତକଡ଼ା ପ୍ରାୟ ୭୦ ଭାଗ ଜଳ ଓ ୩୦ ଭାଗ ଅନ୍ୟ ପଦାର୍ଥକୁ ନେଇ ଗଠିତ।

ହିମ୍

ଉତ୍ପତ୍ତି[ସମ୍ପାଦନା]

ଲାଲ ଅସ୍ଥିମଜ୍ଜା (red bone marrow) ହେଉଛି ଲୋହିତ ରକ୍ତ କଣିକାର ପ୍ରଧାନ ଉତ୍ପତ୍ତିସ୍ଥଳ । ଶିଶୁମାନଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ଧାରଣ କରୁଥିବା ସମସ୍ତ ଅସ୍ଥିରେ ଏହା ଉତ୍ପାଦିତ ହୋଇଥାଏ । କିନ୍ତୁ ବୟସ୍କମାନଙ୍କ କ୍ଷେତ୍ରରେ ଯେଉଁ ସ୍ଥାନରେ ଅସ୍ଥିମଜ୍ଜା ଥାଏ ଯେପରି ଛାତିପଟା, ପଞ୍ଜରାସ୍ଥି, କରୋଟି ହାଡ଼ ଏବଂ ଭୁଜାସ୍ଥି ଓ ଊର୍ବସ୍ଥିର ଅଗ୍ରଭାଗ ଏହିସବୁ ସ୍ଥାନମାନଙ୍କରେ କେବଳ ଲୋହିତ ରକ୍ତକଣିକା ଉତ୍ପନ୍ନ ହୋଇଥାଏ । ଏହା ବ୍ୟତୀତ ପ୍ଳୀହା (spleen ) ଓ ଯକୃତ (liver )ରେ ମଧ୍ୟ ଏହା ଉତ୍ପନ୍ନ ହୁଏ । ଉତ୍ପନ୍ନ ହେବାର ପ୍ରଥମ ଅବସ୍ଥାରେ ଏଥିରେ ନ୍ୟଷ୍ଟିଥାଏ । କ୍ରମେଏଥିରେ ହିମୋଗ୍ଲୋବିନ ତିଆରି ହୁଏ । ଶେଷରେ ନ୍ୟଷ୍ଟି ଅଦୃଶ୍ୟ ହେବା ସଙ୍ଗେ ସଙ୍ଗେ ଏହା ରକ୍ତ ସ୍ରୋତ ମଧ୍ୟକୁ ପ୍ରବେଶ କରେ । ଏଥିରେ ମାଇଟୋକଣ୍ଡ୍ରିଆ ମଧ୍ୟ ନଥାଏ । ଲୋହିତ ରକ୍ତ କଣିକାର ଗଠନ ପାଇଁ କେତେକ ଉପାଦାନ ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ହେଉଛି ଲୌହ, ପୁଷ୍ଟିସାର, ଖାଦ୍ୟପ୍ରାଣ "ଖ", "ଗ" ଏବଂ ଅଳ୍ପ ପରିମାଣର କୋବାଲଟ୍ ଓ ତାମ୍ର ଲବଣ । ଏହି ଉପାଦାନମାନଙ୍କ ମଧ୍ୟରୁ କୌଣସି ଗୋଟିଏ ଉପାଦାନର ଅଭାବ ହେଲେ ଲୋହିତ ରକ୍ତ କଣିକାର ପୂର୍ଣ୍ଣଗଠନ ହୋଇପାରେ ନାହିଁ ଯାହା ଫ ଳରେ ରକ୍ତହୀନତା ରୋଗ ଦେଖା ଦେଇଥାଏ ।

ପରମାୟୁ[ସମ୍ପାଦନା]

ଲୋହିତ ରକ୍ତ କଣିକାର ଜୀବନକାଳ ୧୦୦ ରୁ ୧୨୦ ଦିନ ବା ପ୍ରାୟ ୩ ରୁ ୪ ମାସ। ପ୍ରତ୍ୟେକ ଦିନ ଶରୀରରେ ନୂତନ କଣିକା ତିଆରି ହୁଏ ଓ କିଛି ପୁରାତନ କଣିକାର ଅବକ୍ଷୟ ହୁଏ । ଅକର୍ମଣ୍ୟ ଲୋହିତ କଣିକାଗୁଡ଼ିକ ମୁଖ୍ୟତଃ ପ୍ଳୀହାରେ ନଷ୍ଟ ହୁଅନ୍ତି। ତେଣୁ ପ୍ଳୀହାକୁ ଲୋହିତରକ୍ତ କଣିକାର "କବରସ୍ଥାନ" କୁହାଯାଏ । ଲୋହିତରକ୍ତ କଣିକାଗୁଡ଼ିକ ନଷ୍ଟ ହେବାପରେ ସେଥିରେ ଥିବା ଲୌହଲବଣ ରକ୍ତକୁ ଯାଇ ପୁନର୍ବାର ହିମୋଗ୍ଲୋବିନ ତିଆରି ପ୍ରକ୍ରିୟାରେ ଅଂଶଗ୍ରହଣ କରେ କିନ୍ତୁ ହିମ ଯକୃତକୁ ଯାଇ ସେଠାରେ ପିତ୍ତ ବର୍ଣ୍ଣକଣା (bile pigment) ତିଆରିରେ ଅଂଶଗ୍ରହଣ କରେ ।

କାର୍ଯ୍ୟ[ସମ୍ପାଦନା]

  • ଲୋହିତ ରକ୍ତ କଣିକା ଫୁସଫୁସଠାରେ ବାୟୁମଣ୍ଡଳରୁ ଅମ୍ଳଜାନ ସଂଗ୍ରହ କରି ତନ୍ତୁମାନଙ୍କୁ ଯୋଗାଇ ଥାଏ ଓ ତନ୍ତୁମାନଙ୍କରୁ ଅଙ୍ଗାରକାମ୍ଳ କାର୍ବୋନିକ ଅମ୍ଳ ଭାବେ ବହନ କରି ଫୁସଫୁସରେ ପହଞ୍ଚାଇ ଥାଏ।
  • ଲୋହିତ ରକ୍ତ କଣିକା ନଷ୍ଟ ହେବାପରେ ହିମୋଗ୍ଲୋବିନର ହିମ ଅଂଶ ପିତ୍ତ ବର୍ଣ୍ଣକଣା ଗଠନ କରିବାରେ ଅଂଶଗ୍ରହଣ କରେ।

ଶ୍ଵେତ ରକ୍ତ କଣିକା[ସମ୍ପାଦନା]

ଶ୍ଵେତ ରକ୍ତ କଣିକାକୁ ଲିଉକୋସାଇଟ ( Leuccocyte) କୁହାଯାଏ । ଏଗୁଡ଼ିକ ଆୟତନରେ ଲୋହିତ ରକ୍ତ କଣିକା ଅପେକ୍ଷା ବଡ଼। ଏମାନଙ୍କର ନ୍ୟଷ୍ଟି ଥାଏ। ରକ୍ତରେ ଏମାନଙ୍କର ସଂଖ୍ୟାସବୁ କଣିକାମାନଙ୍କ ଠାରୁ କମ । ପ୍ରତି ଘନ ମିଲିମିଟର ରକ୍ତରେ ମାତ୍ର ୭୦୦୦ ରୁ ୧୦,୦୦୦ ଶ୍ଵେତ ରକ୍ତ କଣିକାଥାଏ । ଶ୍ଵେତ ରକ୍ତ କଣିକାକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି;-

  1. କଣିକାଯୁକ୍ତ ବା ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ଵେତ ରକ୍ତ କଣିକା (polymorpho nuclear leucocyte)
  2. କଣିକାବିହୀନ ଏକ ନ୍ୟଷ୍ଟିବିଶିଷ୍ଟ ଶ୍ଵେତ ରକ୍ତ କଣିକା

ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ଵେତ ରକ୍ତ କୋଷ[ସମ୍ପାଦନା]

ସମସ୍ତ ଶ୍ଵେତ ରକ୍ତ କଣିକାର ଶତକଡ଼ା ପ୍ରାୟ ୭୨ ଭାଗ ଏହି ଶ୍ରେଣୀର । ଏମାନଙ୍କର ନ୍ୟଷ୍ଟି ଖଣ୍ଡବିଖଣ୍ଡିତ ଓ ବହୁରୂପୀ । ଏମାନଙ୍କର ପ୍ରରସ (cytoplasm)ରେ କଣିକା (granule) ଦେଖାଯାଏ। ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ଵେତ ରକ୍ତ କଣିକା ମୁଖ୍ୟତଃ ୩ ପ୍ରକାରର;-

  1. ଉଦାସୀରଂଜୀ କୋଷ ବା ନିଉଟ୍ରୋଫିଲ୍ (neutrophil)
  2. ଇଓସିନୋଫିଲ୍ (eosinophil)
  3. ବେସୋଫିଲ୍ (basophil)
ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ଵେତତରକ୍ତ କଣିକା ଅସ୍ଥିମଜ୍ଜାରେ ଉତ୍ପନ୍ନ ହୋଇ ରକ୍ତସ୍ରୋତ ମଧ୍ୟକୁ ଆସିଥାନ୍ତି ।

ନିଉଟ୍ରୋଫିଲ୍[ସମ୍ପାଦନା]

ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ ରୁ ୭ ପାଳି (କ୍ଷଚ୍ଛଭର) ବିଶିଷ୍ଟ । କୋଷର ଆକାର ସାମାନ୍ୟ ଗୋଲାକାର । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ଵେତ ରକ୍ତ କୋଷର ୬୦ ରୁ ୭୦ ଶତକଡ଼ା କୋଷ ହେଉଛି ଏହି ଶ୍ରେଣୀର । ଏହି କୋଷଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ଅଣୁଜୀବ ଆଦିକୁ ଭକ୍ଷଣ କରି ସୁରକ୍ଷା ପ୍ରଦାନ କରିବା ।

ଇଓସିନୋଫିଲ୍[ସମ୍ପାଦନା]

ଏହିକୋଷଗୁଡ଼ିକର ନ୍ୟଷ୍ଟି ୨ ପାଳି ବିଶିଷ୍ଟ । ଏଥିରେ ଥିବା କଣିକାଗୁଡ଼ିକ ଇଓସିନ (eosine) ନାମକ ରଙ୍ଗ ଦ୍ଵାରା ଗାଢ଼ ଲାଲ ରଙ୍ଗରେ ରଙ୍ଗିତ ହୋଇପାରନ୍ତି । ଏହି କୋଷମାନଙ୍କର ପରିମାଣ ହେଉଛି ୧ ରୁ ୫ ଶତାଂଶ ।

ବେସୋଫିଲ୍[ସମ୍ପାଦନା]

ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ ରୁ ୩ ପାଳି ବିଶିଷ୍ଟ । କୋଷଗୁଡ଼ିକରେ ଅଳ୍ପ ସଂଖ୍ୟକ କଣିକା ଦେଖାଯାଏ। ସମସ୍ତ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ବେତରକ୍ତ କୋଷର ୦.୫ ରୁ ୧ ଶତାଂଶ ହେଉଛି ଏହି ଶ୍ରେଣୀର ।

କଣିକାବିହୀନ ବା ଏକ ନ୍ୟଷ୍ଟିବିଶିଷ୍ଟ ଶ୍ଵେତ ରକ୍ତ କୋଷ[ସମ୍ପାଦନା]

ସମସ୍ତ ଶ୍ଵେତ ରକ୍ତ କୋଷର ପ୍ରାୟ ୨୮ ଶତାଂଶ ହେଉଛି ଏକ ନ୍ୟଷ୍ଟିବିଶିଷ୍ଟ କୋଷ । ଏହି କୋଷଗୁଡ଼ିକର ନ୍ୟଷ୍ଟି ଗୋଲାକାର ଓ ବଡ଼ ।ଏହା ୨ ପ୍ରକାରର :-

  1. ମନୋସାଇଟ୍ (ଲଚ୍ଛଚ୍ଚଚ୍ଛମସ୍ଥନ୍ଦର)
  2. ଲିଂଫୋସାଇଟ୍ ( କ୍ଷସ୍ଥଲଟ୍ଟଶଚ୍ଛମସ୍ଥନ୍ଦର);ଲିଂଫୋସାଇଟ ମଧ୍ୟ ୨ ପ୍ରକାରର :-
  1. ବି ଲିଂଫୋସାଇଟ୍
  2. ଟି ଲିଂଫୋସାଇଟ୍

ଶରୀରରେ ଶ୍ଵେତ ରକ୍ତକଣିକାର କାର୍ଯ୍ୟ[ସମ୍ପାଦନା]

ଶ୍ଵେତ ରକ୍ତ କଣିକା ଆମ ଶରୀରର ପ୍ରତିରକ୍ଷା ବାହିନୀ। ଏମାନଙ୍କର ପ୍ରଧାନ କାର୍ଯ୍ୟ ହେଉଛି ଜୀବାଣୁମାନଙ୍କ ଆକ୍ରମଣରୁ ଶରୀରକୁ ରକ୍ଷା କରିବା । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟ ଶ୍ଵେତ ରକ୍ତକଣିକା ଜୀବାଣୁ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ କରେ ଏବଂ ଅନ୍ୟଟି ଜୀବାଣୁନାଶକ ଉପାଦାନ ଯୋଗାଏ ।

ଶରୀରରେ ଜୀବାଣୁ ପ୍ରବେଶ କଲେ ଶ୍ଵେତ ରକ୍ତ କଣିକାଗୁଡ଼ିକ ରକ୍ତ କୈଶିକ (capillaries) ମଧ୍ୟରୁ ବାହାରି ଆସି ଜୀବାଣୁ ଥିବା ସ୍ଥାନରେ ଜମିଯାଏ । ସେଥିମଧ୍ୟରୁ ବହୁରୂପୀ ନ୍ୟଷ୍ଟିବିଶିଷ୍ଟ ଶ୍ଵେତ ରକ୍ତ କଣିକା ଜୀବାଣୁ ଚାରିପାଖରେ ଘେରିଯାଏ ଓ ଜୀବାଣୁକୁ କବଳିତ କରି ନିଜ ଭିତରେ ପୁରାଇ ନଷ୍ଟ କରିଦିଏ । ଜୀବାଣୁ ନଷ୍ଟ ହେବାପରେ ଜୀବାଣୁମାନଙ୍କ ଦ୍ଵାରା ହତ ବା କ୍ଷତ ହୋଇଥିବା ତନ୍ତୁଗୁଡ଼ିକର "ସଂସ୍କାର" ମଧ୍ୟ ଏହି କୋଷମାନଙ୍କ ଦ୍ଵାରା ହୋଇଥାଏ । କଣିକାବିହୀନ କୋଷମାନଙ୍କ ରୁ ଉତ୍ପନ୍ନ ବିଭିନ୍ନ ପ୍ରକାର ଜୀବାଣୁ ନାଶକାରୀ ଉପାଦାନ ଜୀବାଣୁମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କୁ ପଙ୍ଗୁ କରିଦିଏ । ତେଣୁ ଜୀବାଣୁଗୁଡ଼ିକ ନଷ୍ଟ ହେବାରେ ଏହା ବହୁତ ସାହାଯ୍ୟ କରେ ।

ଅଣୁଚକ୍ରିକା[ସମ୍ପାଦନା]

ଏହି କୋଷଗୁଡ଼ିକ ଲୋହିତ ରକ୍ତ କଣିକା ଅପେକ୍ଷା ଆତୟନରେ ଛୋଟ । ଏକ ଘନ ମିଲିମିଟର ରକ୍ତରେ ପ୍ରାୟ ୨୫,୦୦,୦୦ ରୁ ୪୦,୦୦,୦୦ ଅଣୁଚକ୍ରିକା ଥାଏ । ଏହି କୋଷଗୁଡ଼ିକ ରକ୍ତ ଜମାଟ ବାନ୍ଧିବା କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି। ଏଗୁଡ଼ିକୁ platelets କୁହାଯାଏ । ଏଗୁଡ଼ିକର ଜୀବନକାଳ ପ୍ରାୟ ୫-୬ ଦିନ ।

ଆଧାର[ସମ୍ପାଦନା]

  1. http://www.orissabigyanacademy.nic.in/pdf/Bigyan_diganta_Feb_2012.pdf Monthly Odia magazine "Bigyan Diganta"(Feb,2012 ) * Content Copied using OR-TTsarala2UNICODE CONVERTER

ଅଧିକ ତଥ୍ୟ[ସମ୍ପାଦନା]