Jump to content

ଜଳବିଦ୍ୟୁତ୍

ଉଇକିପିଡ଼ିଆ‌ରୁ

ପ୍ରବହମାନ ଜଳର ଯାନ୍ତ୍ରିକ ଶକ୍ତି ବା ଗଚ୍ଛିତ ଜଳର ସ୍ଥିତିଜ ଶକ୍ତି ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହେଲେ ତାହାକୁ ଜଳ ବିଦ୍ୟୁତ୍ । ଏକ ଆକଳନ ଅନୁସାରେ ୨୦୧୫ରେ ବିଶ୍ୱରେ ଉତ୍ପାଦିତ ସମସ୍ତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୧୬.୬% ଏବଂ ନବୀକରଣୀୟ ଉତ୍ସରୁ ଜାତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୭୦% ଅଂଶ ଜଳ ବିଦ୍ୟୁତରୁ ମିଳିଥାଏ । [] ଏହି ପରିମାଣ ପ୍ରତି ବର୍ଷ ହାରାହାରି ୩.୧% ହିସାବରେ ଏହା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।  ୨୦୧୩ର ଏକ ଗଣନା ଅନୁସାରେ ବିଶ୍ୱର ପ୍ରାୟ ୧୫୦ଟି ଦେଶରେ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଏ । ସମଗ୍ର ଜଳ ବିଦ୍ୟୁତର ପ୍ରାୟ ୩୩% ଏସିଆର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଦେଶମାନଙ୍କରୁ ମିଳେ । ତନ୍ମଧ୍ୟରୁ ଜଳ-ବିଦ୍ୟୁତ୍ ଉତ୍ପାଦନରେ ଚୀନ ପ୍ରଥମ । 

ଯୁକ୍ତରାଷ୍ଟ୍ର ଆମେରିକାର ଗ୍ରାଣ୍ଡ୍ କୌଲି ନଦୀବନ୍ଧ

ଜଳ ଏକ ନବୀକରଣୀୟ ଶକ୍ତିଉତ୍ସ ଓ ଜଳ ବିଦ୍ୟୁତ୍ ଉତ୍ପାଦନରେ ଖର୍ଚ୍ଚ ସବୁଠାରୁ କମ୍ ହୋଇଥାଏ । ତାପଜ ବିଦ୍ୟୁତ୍ କେନ୍ଦ୍ରରେ କୋଇଲା ବା ଗ୍ୟାସ୍ ବ୍ୟବହୃତ ହୋଇ ଶକ୍ତିଉତ୍ସର କ୍ଷୟ ହୁଏ । କିନ୍ତୁ ଜଳ ବିଦ୍ୟୁତ୍ କେନ୍ଦ୍ରରେ ଜଳର କ୍ଷୟ ହୁଏନାହିଁ । ଜଳ ବିଦ୍ୟୁତ୍ କେନ୍ଦ୍ରରେ ଜଳଭଣ୍ଡାର ରହିଥିଲେ, ଆବଶ୍ୟକତା ମୁତାବକ ଜଳ ଛାଡ଼ି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ସାଧାରଣ ଉପଭୋକ୍ତାଙ୍କଦ୍ୱାରା ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ମାପ ଦିନସାରା ସମାନ ନଥାଏ । ସକାଳେ କମ୍, ସନ୍ଧ୍ୟା ସମୟରେ ସର୍ବାଧିକ ଓ ରାତିରେ କମ୍ ବିଦ୍ୟୁତ୍ ଶକ୍ତି ବ୍ୟବହୃତ ହୁଏ । ଦିନସାରାରେ ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ଅଧିକାଂଶ ଭାଗ ତାପଜ ବା ନ୍ୟୁକ୍ଳୀୟ ବିଦ୍ୟୁତ୍ ପରିପୂରଣ କରିଥାଏ । କିନ୍ତୁ ଦିନର ଯେ କୌଣସି ସମୟରେ ବିଦ୍ୟୁତ୍ ଚାହିଦା ବଢ଼ିଲେ ତୁରନ୍ତ ଜଳ ବିଦ୍ୟୁତ୍ ସୃଷ୍ଟି କରାଯାଇପାରିବ । ଏହି ପ୍ରକାରର ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ପ୍ରାୟ କୌଣସି ବର୍ଯ୍ୟବସ୍ତୁ ନିଷ୍କାସନର ଆବଶ୍ୟକତା ନଥାଏ ଓ ଏଥିରୁ ବାହାରୁଥିବା ସବୁଜଘର ଗ୍ୟାସର ପରିମାଣ ଖୁବ୍ କମ୍ । []

ଇତିହାସ

[ସମ୍ପାଦନା]

ବହୁ ଦିନରୁ ଜଳର ଶକ୍ତିକୁ ଅଟାକଳରେ ବ୍ୟବହାର କରାଯାଉଥିଲା । ୧୭୭୦ ଦଶକର ମଧ୍ୟଭାଗରେ ଫରାସୀ ଯନ୍ତ୍ରୀ ବର୍ନାର୍ଡ୍ ଫରେଷ୍ଟ୍ ଦେ ବେଲିଦୋ ହାଇଡ୍ରଲିକ୍ ଯନ୍ତ୍ର ବିଷୟରେ ଲେଖିଥିଲେ ।  ୧୯ଶ ଶତାବ୍ଦୀ ବେଳକୁ ବୈଦୁତିକ ଜେନେରେଟର୍ ଆବିଷ୍କୃତ ହେଲା ଓ ଏହାକୁ ହାଇଡ୍ରଲିକ୍ ଯନ୍ତ୍ର ସହିତ ସଂଯୋଗ କରାଯାଇ ପାରିଲା ।[] ପରବର୍ତ୍ତୀ ସମୟରେ ଶିଳ୍ପ ବିପ୍ଳବ ଯୋଗୁଁ ଯାନ୍ତ୍ରିକ କ୍ଷେତ୍ରରେ ବିକାଶ ଜରୁରୀ ହୋଇପଡ଼ିଲା ।[] ୧୮୭୮ରେ ଇଂଲଣ୍ଡର ୱିଲିୟମ୍ ଜର୍ଜ୍ ଆର୍ମଷ୍ଟ୍ରଂଗ୍ ପ୍ରଥମ ଜଳ ବିଦ୍ୟୁତ୍ ଉତ୍ପାଦନ କରି ନିଜର ଚିତ୍ରଶାଳାରେ ଗୋଟିଏ ବତୀ ଜଳାଇବାରେ ସମର୍ଥ ହୋଇଥିଲେ ।[] ନାଏଗ୍ରା ଜଳପ୍ରପାତ ନିକଟବର୍ତ୍ତୀ ବିଦ୍ୟୁତ୍ କେନ୍ଦ୍ରରେ ୧୮୮୧ରୁ ବିଦ୍ୟୁତ୍ ଉତ୍ପାଦନ ଆରମ୍ଭ ହୋଇଥିଲା । ଆମେରିକାର ଆପଲଟନ୍ (ୱିସ୍କନ୍-ସିନ୍)ରେ ୧୨.୫ କିଲୋୱାଟବିଶିଷ୍ଟ କ୍ଷୁଦ୍ର[] ଓ ପ୍ରଥମ ପ୍ରକାରର ଜଳ ବିଦ୍ୟୁତ୍ କେନ୍ଦ୍ର (ଭଲ୍କାନ୍ ଷ୍ଟ୍ରିଟ୍ ପ୍ଲାଣ୍ଟ୍) ୩୦ ସେପ୍ଟେମ୍ବର୍ ୧୮୮୨ରେ କାର୍ଯ୍ୟକ୍ଷମ ହେଲା । 

ଯୁକ୍ତରାଷ୍ଟ୍ର ଆମେରିକାର ନେଭାଡ଼ାରେ ନିର୍ମିତ ହୁଭର୍ ନଦୀବନ୍ଧ

୧୮୮୬ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ୪୫ଟି ଜଳ ବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସାରିଥିଲା । ୧୮୮୯ ମସିହା ବେଳକୁ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦ଟି ଜଳ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠିତ ହୋଇସାରିଥିଲା । ୨୦ଶ ଶତାବ୍ଦୀର ଆରମ୍ଭରେ ବିଭିନ୍ନ ବ୍ୟବସାୟିକ ଓ ଶିଳ୍ପ ଅନୁଷ୍ଠାନ କ୍ଷୁଦ୍ର ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଥିଲେ । ୧୯୨୦ ମସିହା ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାର ୪୦% ଶକ୍ତି ଜଳରୁ ଉତ୍ପନ୍ନ ହେଉଥିବାରୁ “ଫେଡେରାଲ୍ ପାୱାର୍ ଆକ୍ଟ୍”ର ପ୍ରଣୟନ କରାଗଲା । ଏହି ନିୟମାନୁଯାୟୀ ଫେଡେରାଲ୍ ପାୱାର୍ କମିଶନ୍ ହାତରେ ବିଦ୍ୟୁତ୍ ଉତ୍ପାଦନର ନିୟନ୍ତ୍ରଣ ରହିଲା । କ୍ରମେ ବିଦ୍ୟୁତ୍ କେନ୍ଦ୍ରଗୁଡିକ ଆକାରରେ ବଡ଼ ହେବାକୁ ଲାଗିଲା । ତେଣୁ ଗୋଟିଏ ପ୍ରକଳ୍ପଦ୍ୱାରା ବିଦ୍ୟୁତ୍ ଉତ୍ପାଦନ, ଜଳ ସେଚନ, ବନ୍ୟା ନିୟନ୍ତ୍ରଣ, ଜଳପଥରେ ଯୋଗାଯୋଗ ଏପରି ଅନେକ କାର୍ଯ୍ୟ ସମ୍ଭବପର ହେଲା । []

୨୦ଶ ଶତାବ୍ଦୀରେ ଜଳ ବିଦ୍ୟୁତ୍ କେନ୍ଦ୍ରମାନଙ୍କ ମାନ ଓ ଗୁଣବତ୍ତା ବଢ଼ିବାରେ ଲାଗିଛି । ୧୯୩୬ ମସିହା ପର୍ଯ୍ୟନ୍ତ ବିଶ୍ୱର ସର୍ବାଧିକ କ୍ଷମତା ସମ୍ପନ୍ନ ହୁଭର୍ ଡ୍ୟାମ୍ ୧,୩୪୫ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରୁଥିଲା ।[] ଏହାପରେ ୧୯୪୨ ମସିହାରେ ୬,୮୦୯ ମେଗାୱାଟ୍ କ୍ଷମତା ସମ୍ପନ୍ନ ଗ୍ରାଣ୍ଡ୍ କୌଲି ଡ୍ୟାମ୍[]; ୧୯୮୪ ମସିହାରେ ଦକ୍ଷିଣ ଆମେରିକାର ୧୪,୦୦୦ ମେଗାୱାଟର ଇଟାଇପୁ ଡ୍ୟାମ୍, ୨୦୦୮ ମସିହାରେ ୨୨,୫୦୦ ମେଗାୱାଟ୍ କ୍ଷମତା ସମ୍ପନ୍ନ ଚୀନର “ଥ୍ରୀ ଗୋର୍ଜେସ୍ ଡ୍ୟାମ୍” (ତିନୋଟି ଗଣ୍ଡବିଶିଷ୍ଟ ନଦୀବନ୍ଧ) ଜଳ ବିଦ୍ୟୁତ୍ କ୍ଷେତ୍ରରେ ନୂଆ ବୈଷୟିକ ଜ୍ଞାନ ଓ କୌଶଳର ବିକାଶ ଯୋଗୁଁ ସମ୍ଭବପର ହୋଇପାରିଛି । ଜଳ ବିଦ୍ୟୁତ୍ କ୍ରମଶଃ ନରୱେ, କଙ୍ଗୋ, ପାରାଗୁଏ, ବ୍ରାଜିଲ୍ ଭଳି ଦେଶର ୮୫% ବିଦ୍ୟୁତ୍ ଚାହିଦା ପୂରଣ କରିବାରେ ସମର୍ଥ ହୋଇପାରିବ ବୋଲି ଆଶା କରାଯାଉଛି । 

କେନ୍ଦ୍ରୀୟ ଚୀନର ଥ୍ରୀ ଗୋର୍ଜେସ୍ ନଦୀବନ୍ଧ ଯୋଜନା

ଭବିଷ୍ୟତ ପାଇଁ ଜଳ ବିଦ୍ୟୁତ୍ କ୍ଷମତା

[ସମ୍ପାଦନା]

ଜଳ ପ୍ରବାହ ତଥ୍ୟକୁ ଅବଲୋକନ କଲେ ବର୍ତ୍ତମାନର ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୟୁରୋପରେ ୭୧%, ଉତ୍ତର ଆମେରିକାରେ ୭୫%, ଦକ୍ଷିଣ ଆମେରିକାରେ ୭୯%, ଆଫ୍ରିକାରେ ୯୫%, ଭୂମଧ୍ୟ ସାଗର ନିକଟବର୍ତ୍ତୀ ଦେଶମାନଙ୍କରେ ୯୫% ଓ ପ୍ରଶାନ୍ତ ମହାସାଗରୀୟ ଏସୀୟ ଦେଶମାନଙ୍କରେ ୮୨%ର ବୃଦ୍ଧି ହୋଇପାରିବ । ରାଜନୈତିକ ପରିସ୍ଥିତି ଓ ଇଚ୍ଛାଶକ୍ତି, ଆର୍ଥିକ କ୍ଷମତା ଓ ବୈଦୁତିକ ପରିବହନର ନୈରାଶ୍ୟଜନକ ବିକାଶ ଓ ଅନ୍ୟାନ୍ୟ କାରଣ ଯୋଗୁଁ ୨୦୫୦ ମସିହା ବେଳକୁ ଏହି ଉପଲବ୍ଧ କ୍ଷମତାର ୨୫% ଉପଯୋଗ କରିହେବ ବୋଲି  ଆଶା କରାଯାଉଛି । ଏହି ବୃଦ୍ଧିରେ ଏସିଆ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।[୧୦]  ସ୍ୱିଜରଲ୍ୟାଣ୍ଡ୍ ଓ ମେକ୍ସିକୋ ନିଜର ଉପଲବ୍ଧ ଜଳ ସମ୍ବଳର ସର୍ବାଧିକ ବିନିଯୋଗ କରୁଛନ୍ତି ଓ ଏହି ଦେଶମାନଙ୍କରେ ଯଥାକ୍ରମେ ଆଉ ୧୨% ଓ ୨୦% ବୃଦ୍ଧି ସମ୍ଭବପର ।  

ବିଦ୍ୟୁତ୍ ଉତ୍ପାଦନ ପ୍ରଣାଳୀ

[ସମ୍ପାଦନା]

ପାରମ୍ପରିକ ପ୍ରଣାଳୀ

[ସମ୍ପାଦନା]

ଜଳଭଣ୍ଡାରରେ ସଂରକ୍ଷିତ ପାଣିକୁ ଟର୍ବାଇନ୍ ପର୍ଯ୍ୟନ୍ତ ପ୍ରବାହିତ କରାଇଲେ ଜଳର ସ୍ଥିତିଜ ଶକ୍ତି ଜେନେରେଟରରେ ବୈଦୁତିକ ଶକ୍ତିରେ ରୂପାନ୍ତରିତ ହୁଏ । ଏହି ଶକ୍ତିର ମାପ ଭଣ୍ଡାରରେ ଗଚ୍ଛିତ ଜଳର ଆୟତନ ଓ ବସ୍ତୁତ୍ୱକେନ୍ଦ୍ରରୁ ନିଷ୍କାସନ ପଥର ଗଭୀରତା ଉପରେ ନିର୍ଭର କରେ । ଏହି ଗଭୀରତାକୁ ଯାନ୍ତ୍ରିକ ଭାଷାରେ “ହେଡ୍” କୁହାଯାଏ । ଯେଉଁ ବିରାଟ ପାଇପ୍ ଯୋଗେ ପାଣି ଭଣ୍ଡାରରୁ ଟର୍ବାଇନ୍ ପର୍ଯ୍ୟନ୍ତ ପହଞ୍ଚେ ତାକୁ “ପେନଷ୍ଟକ୍” କୁହାଯାଏ ।[୧୧] 

ଏକ ପାରମ୍ପରିକ ନଦୀବନ୍ଧର ସରଳ ରେଖାଚିତ୍ର.

ଉଚ୍ଚତା ଅନୁଯାୟୀ ଉଚ୍ଚ ଜଳବିଦ୍ୟୁତ୍ ପ୍ରକଳ୍ପ, ମଧ୍ୟମ ଜଳବିଦ୍ୟୁତ୍ ପ୍ରକଳ୍ପ ଓ ନିମ୍ନ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରାଯାଏ । ପାହାଡ଼ ଉପରେ ଜଳ ଭଣ୍ଡାର ଓ ପାହାଡ଼ ତଳେ ଟର୍ବାଇନ୍ ଥିଲେ ଏହାକୁ ଉଚ୍ଚ ଶ୍ରେଣୀଭୁକ୍ତ କରାଯାଏ । ଦୁଇଟି ପାହାଡ଼ର ଉପତ୍ୟକାରେ ଜଳ ଭଣ୍ଡାର ନିର୍ମାଣ କରାଯାଇ ଅପେକ୍ଷାକୃତ ଛୋଟ ପେନଷ୍ଟକ୍ଦ୍ୱାରା ଜଳ ଟର୍ବାଇନ୍ ପର୍ଯ୍ୟନ୍ତ ପହଞ୍ଚିଲେ ସେଗୁଡ଼ିକୁ ଉଚ୍ଚତା ଅନୁଯାୟୀ ମଧ୍ୟମ ଓ ନିମ୍ନ ଶ୍ରେଣୀରେ ପରିଗଣିତ କରାଯାଏ । 

ପମ୍ପ୍ ପ୍ରଣାଳୀ

[ସମ୍ପାଦନା]

ଗୋଟିଏ ବିଦ୍ୟୁତ୍- ପ୍ରକଳ୍ପ ମଧ୍ୟରେ ଭିନ୍ନ ଭିନ୍ନ ଉଚ୍ଚତାରେ ଅନେକ ଜଳ ଭଣ୍ଡାର ନିର୍ମାଣ କରିବା ସମ୍ଭବପର । ବିଦ୍ୟୁତ୍ ଚାହିଦାରେ ଆକସ୍ମିକ ବୃଦ୍ଧି ସମୟରେ ପମ୍ପ୍ ପ୍ରଣାଳୀ ଅତ୍ୟନ୍ତ ଉପଯୋଗୀ । ନିମ୍ନ ଚାହିଦା ସମୟରେ ଆବଶ୍ୟକତାରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରି ତଳ ଭଣ୍ଡାରରୁ ଉଚ୍ଚ ଭଣ୍ଡାରକୁ ଜଳ ସ୍ଥାନାନ୍ତର କରାଯାଏ । ଚାହିଦା ବଢ଼ିଲେ ଉଚ୍ଚ ଭଣ୍ଡାରରୁ ଟର୍ବାଇନ୍ ଦେଇ ତଳ ଭଣ୍ଡାର ଓ ତଳ ଭଣ୍ଡାରରୁ ଅନ୍ୟ ଏକ ଟର୍ବାଇନ୍ ଦେଇ ନଦୀଶଯ୍ୟାକୁ ଜଳ ଛଡ଼ାଯାଏ । ଏପରି କରିବାଦ୍ୱାରା ଉପଲବ୍ଧ ଜଳର ଉପଯୋଗ କରି ଦୁଇଟି ସ୍ଥାନରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରେ । ପମ୍ପ୍ ପ୍ରଣାଳୀ ବ୍ୟବସାୟିକ ଦୃଷ୍ଟିରୁ ଉପଯୋଗୀ । [୧୨]

ପ୍ରବହମାନ ନଦୀ ପ୍ରଣାଳୀ

[ସମ୍ପାଦନା]

ଏହି ପ୍ରକାରର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଜଳ ସଂରକ୍ଷଣ କରିବାର ସୁଯୋଗ ନଥାଏ । ତେଣୁ ଉପରମୁଣ୍ଡରୁ ଅନବରତ ପାଣି ପ୍ରବାହିତ ହୋଇ ବିଦ୍ୟୁତ୍ ଉତ୍ପାଦନ ହୁଏ । କୌଣସି ନଦୀ ବା ହ୍ରଦରୁ ନିୟମିତ ଜଳପ୍ରବାହ ହେଉଥିଲେ ଓ ସେ ସ୍ଥାନର ଭୌଗୋଳିକ ପରିବେଶରେ ଭଣ୍ଡାର ନିର୍ମାଣ ସମ୍ଭବପର ନ ହୋଇପାରିଲେ, ପ୍ରବହମାନ ପଦ୍ଧତି ଅବଲମ୍ବନ କରାଯାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରବହମାନ ପଦ୍ଧତିରେ ପ୍ରାୟ ୬୦,୦୦୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପନ୍ନ ହୋଇଥାଏ ।[୧୩] 

ଜୁଆର-ଭଟ୍ଟା

[ସମ୍ପାଦନା]

ସାମୁଦ୍ରିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ସମୁଦ୍ର ପତନର ଦୈନିକ ପରିବର୍ତ୍ତନର ବିନିଯୋଗ କରିଥାଏ । ଜୁଆର ଓ ଭଟ୍ଟା ଦୈନିକ ପ୍ରାକୃତିକ ପ୍ରକ୍ରିୟା ଓ ଏମାନଙ୍କୁ ସହଜରେ ମପାଯାଇପାରେ । ଏହି ପ୍ରକାରର ବିଦ୍ୟୁତ୍ କେନ୍ଦ୍ରରେ କେତେ ସମୁଦ୍ରକୂଳରେ ଭଣ୍ଡାର ନିର୍ମାଣ କରିବାର ସୁଯୋଗ ଥିଲେ ଜଳ ଗଚ୍ଛିତ କରି ରଖାଯାଏ ଏବଂ ବିଦ୍ୟୁତ୍ ଚାହିଦା ବଢ଼ିଲେ ଉତ୍ପାଦନରେ ସହାୟକ ହୋଇଥାଏ । କିନ୍ତୁ ପୃଥିବୀର ବହୁ କମ୍ ସ୍ଥାନରେ ଜୁଆର-ଭଟ୍ଟାର ବିନିଯୋଗ ସମ୍ଭବପର ହୋଇପାରିଛି । ଏକ ଗଣନା ଅନୁସାରେ, ଇଂଲଣ୍ଡରେ ୮ଟି ସ୍ଥାନରେ ଏପରି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ନିର୍ମାଣ ହେଲେ ଏହା ୨୦% ବିଦ୍ୟୁତ୍ ଯୋଗାଣ କରିପାରିବ । [୧୪]

ଜଳବିଦ୍ୟୁତ୍ କେନ୍ଦ୍ରର କ୍ଷମତା ଓ ପ୍ରକାରଭେଦ

[ସମ୍ପାଦନା]

ବୃହତ୍ ଜଳବିଦ୍ୟୁତ୍ ପ୍ରକଳ୍ପ

[ସମ୍ପାଦନା]

ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଅନୁଯାୟୀ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ପ୍ରକାର ନିର୍ଣ୍ଣୟ କରାଯାଏ । ବୃହତ୍ ପ୍ରକଳ୍ପ ନ୍ୟୁକ୍ଳୀୟ ପ୍ରକଳ୍ପଠାରୁ ୨ ଗୁଣ ବିଦ୍ୟୁତ୍ ଉତାପାଦନର କ୍ଷମତା ରଖିପାରେ । କେତେ ଶହ ମେଗାୱାଟରୁ ଉର୍ଦ୍ଧ୍ୱ କ୍ଷମତାବିଶିଷ୍ଟ ପ୍ରକଳ୍ପ ଏହି ଶ୍ରେଣୀରେ ପରିଗଣିତ ହୁଅନ୍ତି । ବର୍ତ୍ତମାନ ବିଶ୍ୱରେ ୧୦ ଗିଗାୱାଟ୍ (୧୦,୦୦୦ ମେଗାୱାଟ୍) କ୍ଷମତା ବିଶିଷ୍ଟ ୪ଟି ପ୍ରକଳ୍ପ ରହିଛି । [୧୫]

ଇଟାଇପୁ ନଦୀବନ୍ଧର ଚିତ୍ର

କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ

[ସମ୍ପାଦନା]

୧୦ ମେଗାୱାଟ୍ ପର୍ଯ୍ୟନ୍ତ କ୍ଷମତାବିଶିଷ୍ଟ ପ୍ରକଳ୍ପ ଏହି ଶ୍ରେଣୀରେ ପରିଗଣିତ ହୋଇପାରନ୍ତି । କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫ଓ ୩୦ ମେଗାୱାଟ୍ କ୍ଷମତାର ପ୍ରକଳ୍ପମାନଙ୍କୁ ଏହି ଶ୍ରେଣୀଭୁକ୍ତ କରାଯାଏ । ମୁଖ୍ୟତଃ ସର୍ବାଧିକ ପ୍ରକଳ୍ପ ଏହି ଶ୍ରେଣୀର ଓ ବୈଦୁତିକ ପରିବହନ ଓ ବିତରଣ ଗ୍ରିଡ୍ ସହ ଏମାନେ ସଂଯୁକ୍ତ ରହିଥାନ୍ତି । 

ଅତିକ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ

[ସମ୍ପାଦନା]

୧୦୦ କିଲୋୱାଟ୍ ପର୍ଯ୍ୟନ୍ତ ଏହି ଶ୍ରେଣୀର ପ୍ରକଳ୍ପ ବିଦ୍ୟୁତ୍ ଉତ୍ପାଦନ କରିପାରନ୍ତି । ଖୁବ୍ କମ୍ ଅତିକ୍ଷୁଦ୍ର ପ୍ରକଳ୍ପ ପରିବହନ ଓ ବିତରଣ ଗ୍ରିଡ୍ ସହିତ ସଂଯୁକ୍ତ । ଏଗୁଡିକ ଛୋଟ ମହର ବା ଶିଳ୍ପାଞ୍ଚଳକୁ ବିଦ୍ୟୁତ୍ ଯୋଗାନ୍ତି ।[୧୬] ସୌରଶକ୍ତି ଓ ଅତିକ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ କେତେକ ଅଞ୍ଚଳରେ ପରିପୂରକ ବିଦ୍ୟୁତ୍ ଉତ୍ସଭାବେ ବ୍ୟବହୃତ ହୁଏ । ଖରାଦିନେ ସୌର ଓ ବର୍ଷା ବା ଶୀତ ଦିନରେ ଜଳ ବିଦ୍ୟୁତ୍ ଉତ୍ପାଦନରେ ସହାୟକ ହୁଅନ୍ତି । 

ପିକୋ ଜଳବିଦ୍ୟୁତ୍ ପ୍ରକଳ୍ପ

[ସମ୍ପାଦନା]

୫ କିଲୋୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରୁଥିବା ପ୍ରକଳ୍ପକୁ ପିକୋ ପ୍ରକଳ୍ପ କୁହାଯାଏ । ଏଗୁଡ଼ିକ ମୁଖ୍ୟତଃ ପ୍ରବହମାନ ପ୍ରଣାଳୀର ବ୍ୟବହାର କରନ୍ତି । ଏପରି ପ୍ରକଳ୍ପଦ୍ୱାରା ଅଳ୍ପକିଛି ଘରକୁ ବିଦ୍ୟୁତ୍ ଯୋଗାଣ ହୋଇପାରିବ ।[୧୭] 

ଭୂତଳ ଜଳବିଦ୍ୟୁତ୍ ପ୍ରକଳ୍ପ

[ସମ୍ପାଦନା]

ଉଚ୍ଚରୁ ପଡ଼ୁଥିବା ପାଣିକୁ ଭୂତଳ ଟନେଲ୍ ଯୋଗେ ଟର୍ବାଇନ୍ ପର୍ଯ୍ୟନ୍ତ ନିଆଯାଏ । 

ଜଳବିଦ୍ୟୁତ୍ ପ୍ରକଳ୍ପର ଉପଯୋଗିତା ଓ ଅପକାରିତା

[ସମ୍ପାଦନା]

ଉପଯୋଗିତା

[ସମ୍ପାଦନା]

୧. ଜଳ ବିଦ୍ୟୁତ୍ ପ୍ରକଳ୍ପମାନଙ୍କରେ ବ୍ୟବହୃତ ଟର୍ବାଇନ୍ ଖୁବ୍ ଶୀଘ୍ର ଆରମ୍ଭ ବା ବନ୍ଦ କରାଯାଇପାରିବ ।[୧୮] ୬୦ରୁ ୯୦ ମିନିଟ୍ ମଧ୍ୟରେ ଏଥିରେ ଶୂନ୍ୟରୁ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ୍ ଉତ୍ପନ୍ନ ହୋଇପାରିବ ।[୧୯] ଜଳପ୍ରବାହ କମ୍ କରି ବିଦ୍ୟୁତ୍ ଉତ୍ପାଦନ କମାଯାଇପାରିବ ।[୨୦] ତେଣୁ ଦୈନିକ ହାରାହାରି ଚାହିଦାର ପୂରଣ ପାଇଁ ଜଳର ବ୍ୟବହାର କରାଯାଏ ନାହିଁ । ବରଂ ଚାହିଦା ହାରାହାରି ରେଖାରୁ ଅଧିକ ହେଲେ ଜଳ ବିଦ୍ୟୁତ୍ ସହାୟକ ହୁଏ । ଅନ୍ୟାନ୍ୟ ସମୟରେ କୌଣସି ତାପଜ ବା ନ୍ୟୁକ୍ଳୀୟ ବିଦ୍ୟୁତ୍ କେନ୍ଦ୍ର ଅକାମୀ ହେଲେ ଜଳବିଦ୍ୟୁତ୍ କେନ୍ଦ୍ରକୁ ତାହାର ଦ୍ୱିତୀୟକ ଭାବେ କାର୍ଯ୍ୟକ୍ଷମ କରାଯାଏ ।  

୨. ଥରେ ଜଳ ଭଣ୍ଡାର ନିର୍ମାଣ ହୋଇସାରିଲା ପରେ ଅତି ଅଳ୍ପ ନିତିଦିନିଆ ଖର୍ଚ୍ଚରେ ବହୁ ପରିମାଣର ଜଳ ଗଚ୍ଛିତ କରି ରଖାଯାଇପାରେ । ଏହି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ୫୦ରୁ ୧୦୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରନ୍ତି ।[୨୧] ଦୈନିକ ରକ୍ଷଣାବେକ୍ଷଣ ମଧ୍ୟ ଅତି କମ୍ ଖର୍ଚ୍ଚରେ କରାଯାଇପାରିବ । ତେଣୁ ଜଳବିଦ୍ୟୁତ୍ ଅନ୍ୟ ପ୍ରଣାଳୀରେ ଉତ୍ପନ୍ନ ବିଦ୍ୟୁତ‌ଠାରୁ ଶସ୍ତା ଓ ପରିବେଶ ପ୍ରଦୁଷଣ ଦୃଷ୍ଟିକୋଣରୁ ଅପେକ୍ଷାକୃତ ବିଶୁଦ୍ଧ । 

୩. ଅଧିକାଂଶ ଜଳବିଦ୍ୟୁତ୍ ପ୍ରକଳ୍ପ ସାଧାରଣ ଉପଭୋକ୍ତା ସହ ଆବଶ୍ୟକତା ଅନୁସାରେ ବ୍ୟବସାୟିକ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ କରିବାରେ ସମର୍ଥ । କେତେକ ଦେଶରେ କାରଖାନାରେ ବିଦ୍ୟୁତ୍ ଯୋଗାଣ ପାଇଁ ଜଳ ବିଦ୍ୟୁତ୍ ପ୍ରକଳ୍ପ ବ୍ୟବହୃତ ହୁଏ ।

୪. ଜଳ ବିଦ୍ୟୁତ୍ ପ୍ରକଳ୍ପରେ ତାପଜ ବିଦ୍ୟୁତ୍ କେନ୍ଦ୍ର ଭଳି କୌଣସି ଜାଳେଣୀ ବ୍ୟବହୃତ ହୁଏନାହିଁ, ତେଣୁ ବାୟୁମଣ୍ଡଳ ଅଙ୍ଗାରକାମ୍ଳ ଜନିତ ପ୍ରଦୁଷଣରୁ ରକ୍ଷାପାଏ ।[୨୨] 

୫. ଅନେକ ବର୍ଷ ଓ ଅର୍ଥ ବିନିମୟରେ ନିର୍ମାଣ ହେଉଥିବାରୁ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ବହୁମୁଖୀ ଯୋଜନାର ଅନ୍ତର୍ଭୁକ୍ତ । ଗୋଟିଏ ପ୍ରକଳ୍ପଦ୍ୱାରା ବିଦ୍ୟୁତ୍ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ, ଜଳ ସେଚନ, ଜଳ ପରିବହନ, ମତ୍ସ୍ୟ ଚାଷ ଇତ୍ୟାଦି ଅନେକ ଯୋଜନା ସମ୍ଭବପର ହୋଇଥାଏ । [୨୩]

ଅପକାରିତା

[ସମ୍ପାଦନା]

୧. ଏକ ବୃହତ୍ ଜଳ ବିଦ୍ୟୁତ୍ ଯୋଜନା ପାଇଁ ଜଳ ଭଣ୍ଡାରର କ୍ଷେତ୍ରଫଳ ଯେତେ ଅଧିକ ହେବ ସେତେ ଭଲ । ଏଥିପାଇଁ ନଦୀର ଉପର ମୁଣ୍ଡରେ ଅନେକ ପାହାଡ଼ଦ୍ୱାରା ନଦୀକୁ ଘେରି ଦିଆଯାଏ । ସୁଯୋଗ ଥିଲେ ଅନେକ ନଦୀକୁ ସଂଯୋଗ କରି ଜଳ ଭଣ୍ଡାରର କ୍ଷମତା ବୃଦ୍ଧି କଲେ ଅଧିକ ଲାଭ ମିଳେ । ଆଖପାଖ ଅଞ୍ଚଳର ଛୋଟ ବଡ଼ ଝରଣା ମଧ୍ୟ ଜଳ ଭଣ୍ଡାରକୁ ଜଳ ଯୋଗାଣ କରନ୍ତି । କିନ୍ତୁ ଏପରି କରିବାଦ୍ୱାରା ପାହାଡ଼ ଉପତ୍ୟକାର ଜଙ୍ଗଲ, ଚରାଜମି, ଚାଷଜମି ପାଣିରେ ବୁଡ଼ିଯାନ୍ତି । ବନ୍ୟଜନ୍ତୁ ନିଜ ପ୍ରାକୃତିକ ପରିବେଶ ହରାନ୍ତି । ପରିବେଶ ପାଇଁ ଏହା କ୍ଷତିକାରକ । ଏତେ ବଡ଼ ଅଞ୍ଚଳ ଜଳମଗ୍ନ ହେଲେ ଅନେକ ଗାଁ ଗଣ୍ଡା ବୁଡ଼ିଯାଏ ।[୨୪] ସେହି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ଥଇଥାନ ଏକ ରାଜନୈତିକ ବା ପ୍ରଶାସନିକ ଦ୍ୱିଧା । ଏପରି ଯୋଜନାଦ୍ୱାରା ମତ୍ସ୍ୟ ଓ ଜଳଚର ଜୀବଙ୍କ ସନ୍ତୁଳନରେ କିଛି ସମୟପାଇଁ ବାଧା ସୃଷ୍ଟି ହୋଇପାରେ । ତେଣୁ ଏକ ପ୍ରକଳ୍ପର ସଫଳତା ପାଇଁ ବୈଷୟିକ ଏବଂ ଯାନ୍ତ୍ରିକ କୌଶଳ ସହ ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ଅତି ଜରୁରୀ । ୨୦୦୦ ମସିହାରେ ବିଶ୍ୱ ଜଳଭଣ୍ଡାର କମିଶନଙ୍କ ଗଣନା ଅନୁଯାୟୀ ସମଗ୍ର ବିଶ୍ୱରେ ଅଦ୍ୟାବଧି ୪୦୦-୮୦୦ ଲକ୍ଷ ଲୋକଙ୍କୁ ଥଇଥାନର ବ୍ୟବସ୍ଥା କରିବାକୁ ପଡ଼ିଛି ।[୨୫]  

୨. ଜଳ ଭଣ୍ଡାର ପରି ଏକ ବିସ୍ତୃତ କ୍ଷେତ୍ରରେ ଜଳ ଗଚ୍ଛିତ କରି ରଖାଯାଏ । ତେଣୁ ପ୍ରତିଦିନ କିଛି ପରିମାଣର ଜଳ ବାଷ୍ପୀୟକରଣଦ୍ୱାରା ଜଳ ଭଣ୍ଡାରରୁ ଉଡ଼ିଯାଏ । ପ୍ରଚଣ୍ଡ ଖରା ସମୟରେ ନଦୀରେ କମ୍ ଜଳ ଥାଏ ଓ ଜଳ ଭଣ୍ଡାରରୁ ଜଳକ୍ଷୟ ଯୋଗୁଁ ଉପଲବ୍ଧ ହେଡ୍ କମିଯାଏ ।

୩. ନଦୀ ପ୍ରବାହ ଯୋଗୁଁ ଜଳ ଭଣ୍ଡାରରେ ନଦୀଦ୍ୱାରା ପରିବାହିତ ପଟୁ, ବାଲି ଆଦି ଚରିଯାଏ । ଏହି ପ୍ରକ୍ରିୟା ଯୋଗୁଁ ନଦୀର ବନ୍ୟା ନିୟନ୍ତ୍ରଣ କ୍ଷମତା କମିଯାଏ । ତା’ ସହିତ ବହୁ ପରିମାଣର ମାଟିବାଲି ଜମା ହେଲେ ଜଳ ଭଣ୍ଡାରର କାନ୍ଥ ଉପରେ ଚାପ ପଡ଼ିଥାଏ । କିଛି ସମୟପରେ ଅତ୍ୟଧିକ ପଟୁ ଚରିଗଲେ ଜଳ ଭଣ୍ଡାର ଅକାମୀ ହୋଇଯାଇପାରେ । [୨୬][୨୭]

୪. ଅନେକ ନଦୀରେ ଗ୍ରୀଷ୍ମଋତୁରେ ଜଳ ପ୍ରବାହ କମ୍ ହୋଇଯାଏ । ଫଳରେ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ହ୍ରାସ ପାଏ । ବର୍ଷାଋତୁରେ ଜଳ ପ୍ରବାହ ଅତ୍ୟଧିକ ହୋଇଥାଏ । କିନ୍ତୁ ସବୁ ଜଳର ଉପଯୋଗ କରିବା ସମ୍ଭବପର ହୋଇପାରେନାହିଁ । ଜଳ ଭଣ୍ଡାରରେ ଜଳ ବିପଦ ସଙ୍କେତ ଟପିଲେ କିଛି ଜଳ ବନ୍ୟାଜଳ ସ୍ଲୁଇସ୍ ଗେଟ୍ ଦେଇ ଛାଡ଼ିବାକୁ ପଡେ । 

୫. କର୍କଟ ଓ ମକର କ୍ରାନ୍ତି ଅଞ୍ଚଳ ମଧ୍ୟରେ ଥିବା ଜଳ ଭଣ୍ଡାରରେ ଅନେକ ଗଛ ବୁଡ଼ି ରହିବା ଯୋଗୁଁ ବହୁ ପରିମାଣର ମିଥେନ୍ ଗ୍ୟାସ୍ ସୃଷ୍ଟି ହୋଇଥାଏ । 

୬. କୌଣସି ପ୍ରାକୃତିକ କାରଣରୁ (ଅତ୍ୟଧିକ ଜଳ, ବାତ୍ୟା, ଭୂମିକମ୍ପ) ବା ଅପ୍ରାକୃତିକ କାରଣରୁ (ଖରାପ ମାନର ନିର୍ମାଣ, ନିର୍ମାଣରେ ଅବହେଳା) ଜଳ ଭଣ୍ଡାର ଭାଙ୍ଗି ଯାଇପାରେ । ୧୯୭୫ ମସିହାରେ ନୀନା ଘୁର୍ଣ୍ଣିବାତ୍ୟା ପ୍ରଭାବରେ ଦକ୍ଷିଣ ଚୀନର ବାନ୍-ଚିଆଓ ଜଳ ଭଣ୍ଡାରରେ ଗୋଟିଏ ଦିନରେ ବାର୍ଷିକ ହାରାହାରିଠାରୁ ଅଧିକ ବର୍ଷା ହୋଇ ଜଳ ଭଣ୍ଡାର ବନ୍ୟାରେ ବୁଡ଼ିଗଲା । ଫଳରେ ୨୬,୦୦୦ ଲୋକ ମୃତ୍ୟୁମୁଖରେ ପଡ଼ିଲେ ଓ ୧,୪୫,୦୦୦ ଲୋକ ସଂକ୍ରାମକ ରୋଗରେ ପ୍ରାଣ ହରାଇଲେ । ଭୂତତ୍ତ୍ୱ ବିଜ୍ଞାନ ଦୃଷ୍ଟିରୁ ଭୁଲ ନିର୍ଣ୍ଣୟ କରି ଜଳ ଭଣ୍ଡାର ନିର୍ମାଣ କଲେ ଭୟାବହ ପରିସ୍ଥିତି ସୃଷ୍ଟି ହୁଏ । ୧୯୬୩ ମସିହାରେ ଇଟାଲୀର ଭାଜୋନ୍ତ୍ ଜଳ ଭଣ୍ଡାର ଏହି କାରଣରୁ ଭାଙ୍ଗି ୨,୦୦୦ ଲୋକ ପ୍ରାଣ ହରାଇଥିଲେ । ୧୯୫୯ ମସିହା ଡିସେମ୍ବର ୨ ତାରିଖରେ ଦକ୍ଷିଣ ଫ୍ରାନ୍ସର ମାଲପାସେ ଜଳ ଭଣ୍ଡାର ବନ୍ୟା ଯୋଗୁଁ ବୋହିଯାଇ ୪୨୩ ଲୋକ ପ୍ରାଣ ହରାଇଥିଲେ ।[୨୮] ଏପରି ସମସ୍ୟା କ୍ଷୁଦ୍ର ଓ ଅତି କ୍ଷୁଦ୍ର ପ୍ରକଳ୍ପମାନଙ୍କରେ ମଧ୍ୟ ଦେଖାଯାଏ । 

ନ୍ୟୁକ୍ଳୀୟ ବିଦ୍ୟୁତ୍ ସହ ଜଳ ବିଦ୍ୟୁତର ତୁଳନା

[ସମ୍ପାଦନା]
ମାପକ ଜଳ ବିଦ୍ୟୁତ୍ ନ୍ୟୁକ୍ଳୀୟ ବିଦ୍ୟୁତ୍
ଉତ୍ପାଦିତ ବିଦ୍ୟୁତର ଦର/ଦାମ୍ କମ୍ ଅଧିକ
ଆକସ୍ମିକ ଦୁର୍ଘଟଣା/ବିପର୍ଯୟର ସମ୍ଭାବନା କମ୍ ଅଧିକ
ଦୈନିକ ବିଦ୍ୟୁତ୍ ଚାହିଦାର ସର୍ବାଧିକ ଭାଗ ପରିପୂର୍ଣ୍ଣ କରିବାର କ୍ଷମତା କମ୍ ଅଧିକ
ଇଚ୍ଛାନୁଯାୟୀ ଆରମ୍ଭ ବା ବନ୍ଦ କରିପାରିବାର କ୍ଷମତା ଅଧିକ କମ୍

ଭାରତରେ ଜଳ ବିଦ୍ୟୁତ୍ ଉତ୍ପାଦନ

[ସମ୍ପାଦନା]

ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତାରେ ଭାରତ ବିଶ୍ୱରେ ସପ୍ତମ ସ୍ଥାନ ଗ୍ରହଣ କରିଛି । ୩୦ ଅପ୍ରେଲ୍ ୨୦୧୭ ସୁଦ୍ଧା ଭାରତରେ ପ୍ରତିଷ୍ଠିତ ବିଭିନ୍ନ ପ୍ରକଳ୍ପର ସର୍ବମୋଟ କ୍ଷମତା ୪୪,୫୯୪ ମେଗାୱାଟ୍[୨୯] ଓ ଛୋଟ ଛୋଟ ପ୍ରକଳ୍ପମାନଙ୍କ ସର୍ବମୋଟ କ୍ଷମତା ୪,୩୮୦ ମେଗାୱାଟ୍ ।[୩୦][୩୧] ଦାର୍ଜିଲିଂ ଓ ଶିବନସମୁଦ୍ରମ୍ ବିଦ୍ୟୁତ୍ ପ୍ରକଳ୍ପମାନ ଯଥାକ୍ରମେ ୧୮୯୮ ଓ ୧୯୦୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏଗୁଡ଼ିକ ଏସିଆରେ ସ୍ଥାପିତ ପ୍ରଥମ କେତେକ ବୃହତ୍ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ।[୩୨] ଭାରତରେ ଜଳ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକର ନିରୀକ୍ଷଣ ପାଇଁ ଜାତୀୟ ଜଳବିଦ୍ୟୁତ୍ ଶକ୍ତି ନିଗମ (ଇଂରାଜୀରେ NHPC: National Hydro Power Corporation) ପରି ଅନେକ ସରକାରୀ ସଂସ୍ଥା ଗଠିତ ହୋଇଛି । 

ଭାରତରେ ଜଳ ବିଦ୍ୟୁତ୍

[ସମ୍ପାଦନା]

ଭାରତରେ ଉପଲବ୍ଧ ଜଳ ସମ୍ପଦର ବିନିଯୋଗ କରି ୧୪୮,୭୦୧ ମେଗାୱାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ ।[୩୩][୩୪] ସମୁଦାୟ ୯୪,୦୦୦ ମେଗାୱାଟର ପମ୍ପ୍ ପରିଚାଳିତ ପ୍ରକଳ୍ପ ପାଇଁ ୫୬ଟି ସ୍ଥାନ ଚିହ୍ନଟ ହୋଇଛି । ମଧ୍ୟ ଭାରତରେ ଗୋଦାବରୀ, ମହାନଦୀ, ନାଗାବଳି, ବଂଶଧାରା, ନର୍ମଦା ଆଦି ନଦୀର ଅବବାହିକାରେ ଘଞ୍ଚ ଜନବସତି ଯୋଗୁଁ ଓ ଆଦିମ ଜନଜାତିଙ୍କ ବିରୋଧର ସମ୍ଭାବନା ଯୋଗୁଁ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜଳ ସମ୍ପଦର ବ୍ୟବହାର କରାଯାଇପାରିନାହିଁ । [୩୫]

ସରକାରୀ ନିଗମ ଓ କମ୍ପାନୀମାନଙ୍କଦ୍ୱାରା ଭାରତର ୯୨.୫% ଜଳ ବିଦ୍ୟୁତ୍ ଉତ୍ପାଦିତ ହୁଏ । ଭାରତରେ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ଅନେକ ସଂସ୍ଥା ଗଠିତ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ପ୍ରମୁଖ କମ୍ପାନୀଙ୍କ ନାମ ନିମ୍ନରେ ପ୍ରଦତ୍ତ ହୋଇଛି । 

ଇଂରାଜୀ ନାମ ଇଂରାଜୀ ନାମର କ୍ଷୁଦ୍ରରୂପ ଓଡ଼ିଆ ରୂପାନ୍ତର
National Hydroelectric Power Corporation NHPC ଜାତୀୟ ଜଳବିଦ୍ୟୁତ୍ ଶକ୍ତି ନିଗମ
Northeast Electric Power Company  NEEPCO ଉତ୍ତରପୂର୍ବ ବିଦ୍ୟୁତ୍ ଶକ୍ତି କମ୍ପାନୀ
Satluj Jal Vidyut Nigam  SJVNL ଶତଲେଜ୍ ଜଳ ବିଦ୍ୟୁତ୍ ନିଗମ
Tehri Hydro Development Corporation India Limited THDC ତେହେରି ଜଳ ବିକାଶ ନିଗମ ଭାରତ ଲିମିଟେଡ୍
National Thermal Power Corporation-Hydro NTPC-Hydro ଜାତୀୟ ତାପଜ ବିଦ୍ୟୁତ୍ ନିଗମ (ଜଳ ବିଭାଗ)

ବେସରକାରୀ କମ୍ପାନୀଙ୍କ ସହଯୋଗରେ ହିମାଳୟ ଓ ଉତ୍ତର-ପୂର୍ବ ଭାରତର ପାର୍ବତୀୟ ଅଞ୍ଚଳରେ ଜଳ ବିଦ୍ୟୁତ୍ ଯୋଜନାର ବିକାଶ ହୋଇପାରିବ ।  ଭାରତୀୟ କମ୍ପାନୀମାନେ ଭୁଟାନ୍, ନେପାଳ, ଆଫଗାନିସ୍ଥାନ ଓ ଅନ୍ୟ କେତେକ ଦେଶରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଉତ୍ତର ଭାରତରେ ଭାକ୍ରା ବେଆସ୍ ପ୍ରବନ୍ଧ ବୋର୍ଡ୍ (ଇଂରାଜୀରେ Bhakra Beas Management Board - BBMB)ଦ୍ୱାରା ପରିଚାଳିତ ଜଳ ବିଦ୍ୟୁତ୍ ଯୋଜନାର ସର୍ବମୋଟ ଉତ୍ପାଦନ କ୍ଷମତା ୨.୯ ଗିଗାୱାଟ୍ ।[୩୬] ଆରମ୍ଭ ହେବାର ୪ ଦଶନ୍ଧି ପରେ କିଲୋୱାଟଘଣ୍ଟା ପ୍ରତି ବିଦ୍ୟୁତ୍ ଉତ୍ପାଦନର ଖର୍ଚ୍ଚ ବର୍ତ୍ତମାନ ପ୍ରାୟ ୨୭ ପଇସା । 

ଭାରତର ପମ୍ପ୍ ପରିଚାଳିତ ଜଳ ବିଦ୍ୟୁତ୍ ପ୍ରକଳ୍ପ

[ସମ୍ପାଦନା]

ଏକଦା ବିଦ୍ୟୁତ୍ ଶକ୍ତି ଅଭାବୀ ଦେଶ ଭାରତ ବର୍ତ୍ତମାନ ଏକ ବିଦ୍ୟୁତବହୁଳ ରାଷ୍ଟ୍ର । ବିଦ୍ୟୁତ୍ ଚାହିଦା ଅକସ୍ମାତ୍ ବଢ଼ିଗଲେ ପମ୍ପ୍ ଭଣ୍ଡାରୀକରଣ ପ୍ରଣାଳୀଦ୍ୱାରା ଏହାକୁ ପୂରଣ କରାଯାଇପାରେ । ପମ୍ପ୍ ସାହାଯ୍ୟରେ ଜଳ ଭଣ୍ଡାରର ଅଧିକ ପାଣିକୁ ଅନ୍ୟ ଏକ ଭଣ୍ଡାରରେ ରଖାଯାଏ ଓ ଆବଶ୍ୟକତା ଅନୁସାରେ ବ୍ୟବହାର କରାଯାଏ । ଭାରତରେ ଅଧୁନା ପମ୍ପ୍ ଭଣ୍ଡାର ମାନଙ୍କର ଉତ୍ପାଦନ କ୍ଷମତା ପ୍ରାୟ ୪୮୦୦ ମେଗାୱାଟ୍ । [୩୭]

ଭାରତର କେତେକ ପ୍ରମୁଖ ଜଳ ବିଦ୍ୟୁତ୍ ପ୍ରକଳ୍ପ

[ସମ୍ପାଦନା]
ଭାକ୍ରା ନଦୀବନ୍ଧ
ପ୍ରକଳ୍ପର ନାମ ଉତ୍ପାଦନ କ୍ଷମତା ରାଜ୍ୟ ଅନ୍ୟ ତଥ୍ୟ
ତେହେରି ଡ୍ୟାମ୍ (୩ ସୋପାନ ବିଶିଷ୍ଟ) ୨୪୦୦ ମେଗାୱାଟ୍ ଉତ୍ତରାଖଣ୍ଡ ୨୦୦୬ରେ ଉଦଘାଟିତ ଏହି ପ୍ରକଳ୍ପ ଭାରତର ଉଚ୍ଚତମ ନଦୀବନ୍ଧ । ସୋଭିଏତ୍ ଋଷର ସହାୟତରେ ୧୯୭୮ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । 
କୋଏନା ପ୍ରକଳ୍ପ (୪ ସୋପାନ ବିଶିଷ୍ଟ) ୧୯୬୦ ମେଗାୱାଟ୍ ମହାରାଷ୍ଟ୍ର କୋଏନା ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । 
ଶ୍ରୀଶୈଳମ୍ ୧୬୭୦ ମେଗାୱାଟ୍ ଆନ୍ଧ୍ର ପ୍ରଦେଶ କୃଷ୍ଣା ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟ ସୀମାରେ ଏହାର ଅବସ୍ଥିତି । 
ନଥପା ଝକରି ୧୫୦୦ ମେଗାୱାଟ୍ ହିମାଚଳ ପ୍ରଦେଶ ଶତଲେଜ୍ ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । 
ସର୍ଦାର ସରୋବର ନଦୀବନ୍ଧ ୧୪୫୦ ମେଗାୱାଟ୍ ହିମାଚଳ ପ୍ରଦେଶ ଏହି ପ୍ରକଳ୍ପରୁ ଉତ୍ପାଦିତ ବିଦ୍ୟୁତ୍ ଓ ନଦୀଶଯ୍ୟାକୁ ପ୍ରବାହିତ ସେଚନ ଉପଯୋଗୀ ଜଳ ହିମାଚଳ ପ୍ରଦେଶ ଓ ପଞ୍ଜାବ ମଧ୍ୟରେ ବିଭକ୍ତ

ହୁଏ । 

ଚାମେରା ୧ ୧୦୭୧ ମେଗାୱାଟ୍ ହିମାଚଳ ପ୍ରଦେଶ ରାବି ନଦୀ ଉପରେ ହିମାଚଳ ପ୍ରଦେଶର ଡେଲହାଉସୀ ନିକଟରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । 
ଶରାବତୀ ପ୍ରକଳ୍ପ ୧୦୩୫ ମେଗାୱାଟ୍ କର୍ଣ୍ଣାଟକ ଯୋଗ ଜଳପ୍ରପାତଠାରୁ ୬ କି.ମି. ଦୂରରେ ଶରାବତୀ ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ । 
ଇନ୍ଦିରା ସାଗର ନଦୀବନ୍ଧ ୧୦୦୦ ମେଗାୱାଟ୍ ମଧ୍ୟ ପ୍ରଦେଶ ନର୍ମଦା ନଦୀ ଉପରେ ନର୍ମଦାନଗର ନିକଟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି ।
କର୍ଚମ୍ ୱାଂଗଟୁ ଜଳ ବିଦ୍ୟୁତ୍ କେନ୍ଦ୍ର ୧୦୦୦ ମେଗାୱାଟ୍ ହିମାଚଳ ପ୍ରଦେଶ କିନ୍ନୌର ଜିଲ୍ଲାରେ ଶତଲେଜ୍ ନଦୀ ଉପରେ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ନିର୍ମିତ ।
ଦେହାର ଶକ୍ତି ପ୍ରକଳ୍ପ ୯୯୦ ମେଗାୱାଟ୍ ହିମାଚଳ ପ୍ରଦେଶ ଏହି ପ୍ରକଳ୍ପର ଡ୍ୟାମକୁ “ପାନ୍ଦୋ” ନଦୀବନ୍ଧ ମଧ୍ୟ କୁହାଯାଏ । ବେଆସ୍ ନଦୀ ଉପରେ ଏହି ନଦୀବନ୍ଧ ନିର୍ମିତ ।
ନାଗାର୍ଜୁନ ସାଗର ନଦୀବନ୍ଧ ୯୬୦ ମେଗାୱାଟ୍ ଆନ୍ଧ୍ର ପ୍ରଦେଶ କୃଷ୍ଣା ନଦୀ ଉପରେ ନିର୍ମିତ ଏହି ନଦୀବନ୍ଧ ଯୋଗୁଁ ସୃଷ୍ଟ ଜଳ ଭଣ୍ଡାରର ନାମ ନାଗାର୍ଜୁନ ସାଗର । 
ପୁରୁଲିଆ ପାସ୍ ୯୦୦ ମେଗାୱାଟ୍ ପଶ୍ଚିମ ବଙ୍ଗ ପଶ୍ଚିମବଙ୍ଗ ରାଜ୍ୟ ବିଦ୍ୟୁତ୍ ବିତରଣ ସଂସ୍ଥାଦ୍ୱାରା ପରିଚାଳିତ ଏହି ପ୍ରକଳ୍ପରେ ପମ୍ପ୍ ପ୍ରଣାଳୀର ଉପଯୋଗ କରାଯାଏ । 
ଇଡୁକ୍କି ୭୮୦ ମେଗାୱାଟ୍ କେରଳ ଇଡ଼ୁକ୍କି ଜିଲ୍ଲାରେ ପେରିୟାର୍ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମିତ । ୧୯୭୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ଏହା ଉଦଘାଟିତ ହୋଇଥିଲା । 
ସଲାଲ୍୧, ୨ ୬୯୦ ମେଗାୱାଟ୍ ଜମ୍ମୁ ଓ କାଶ୍ମୀର ଚେନାବ୍ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି ।
ଉପର ଇନ୍ଦ୍ରାବତୀ ୬୦୦ ମେଗାୱାଟ୍ ଓଡ଼ିଶା ଇନ୍ଦ୍ରାବତୀ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି ।
ରଞ୍ଜିତ ସାଗର ନଦୀବନ୍ଧ ୬୦୦ ମେଗାୱାଟ୍ ପଞ୍ଜାବ ଏହାକୁ “ଥେଇନ୍” ନଦୀବନ୍ଧ ବୋଲି ମଧ୍ୟ କୁହାଯାଏ । ରାବି ନଦୀ ଉପରେ ନିର୍ମିତ ଏହି ଡ୍ୟାମ୍ ଜଳସେଚନରେ ମଧ୍ୟ ସହାୟକ ହୁଏ । 
ଓଁକାରେଶ୍ୱର ୫୨୦ ମେଗାୱାଟ୍ ମଧ୍ୟ ପ୍ରଦେଶ ଖଣ୍ଡୱା ଜିଲ୍ଲାରେ ନର୍ମଦା ନଦୀ ଉପରେ ଏହି ପ୍ରକଳ୍ପ ନିର୍ମିତ । 
ବାଲିମେଳା ନଦୀବନ୍ଧ ୫୧୦ ମେଗାୱାଟ୍ ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଗୋଦାବରୀର ଉପନଦୀ ସିଲେରୁ ନଦୀ ଉପରେ ଏହି ପ୍ରକଳ୍ପ ନିର୍ମିତ । ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସରକାରଙ୍କ

ମିଳିତ ଉଦ୍ୟମରେ ଏହା ନିର୍ମିତ ହୋଇଥିଲା । 

ତୀସ୍ତା ନଦୀବନ୍ଧ ୫୧୦ ମେଗାୱାଟ୍ ସିକ୍କିମ୍ ପୂର୍ବ ସିକ୍କିମ୍ ଜିଲ୍ଲାରେ ତୀସ୍ତା ନଦୀ ଉପରେ ନିର୍ମିତ ୬ଟି ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ମଧ୍ୟରୁ ତୀସ୍ତା-୫ ଅନ୍ୟତମ । 

[୩୮]

ଓଡ଼ିଶାରେ ଜଳ ବିଦ୍ୟୁତ୍ ଉତ୍ପାଦନ

[ସମ୍ପାଦନା]

ରାଜ୍ୟ ସରକାରଙ୍କଦ୍ୱାରା ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ (ଇଂରାଜୀରେ Odisha Hydro Power Corporation ବା OHPC)ର ପ୍ରତିଷ୍ଠା କରାଯାଇଛି ।

ସମ୍ବଲପୁର ଜିଲ୍ଲାରେ ମହାନଦୀ ଶଯ୍ୟାରେ ନିର୍ମିତ ହୀରାକୁଦ ନଦୀବନ୍ଧ
ଉପର ଇନ୍ଦ୍ରାବତୀ ଶକ୍ତିକେନ୍ଦ୍ର
ପ୍ରକଳ୍ପର ନାମ ନଦୀ ଜିଲ୍ଲା ବିଦ୍ୟୁତ୍ ଉତ୍ପାଦନ କ୍ଷମତା
ବାଲିମେଳା ସିଲେରୁ ମାଲକାନଗିରି ୫୧୦ ମେଗାୱାଟ୍
ହୀରାକୁଦ ମହାନଦୀ ସମ୍ବଲପୁର ୨୭୫.୫ ମେଗାୱାଟ୍
ମାଛକୁଣ୍ଡ ମାଛକୁଣ୍ଡ କୋରାପୁଟ ୧୨୦ ମେଗାୱାଟ୍
ରେଙ୍ଗାଳି ବ୍ରାହ୍ମଣୀ ଅନୁଗୁଳ ୨୫୦ ମେଗାୱାଟ୍
ଉପର ଇନ୍ଦ୍ରାବତୀ ଇନ୍ଦ୍ରାବତୀ କଳାହାଣ୍ଡି ୬୦୦ ମେଗାୱାଟ୍
ଉପର କୋଲାବ୍ କୋଲାବ୍ କୋରାପୁଟ ୩୨୦ ମେଗାୱାଟ୍

[୩୯]

ଅନ୍ୟାନ୍ୟ ତଥ୍ୟ

[ସମ୍ପାଦନା]
  1. http://www.ren21.net/wp-content/uploads/2016/06/GSR_2016_Full_Report_REN21.pdf
  2. Renewables 2011 Global Status Report, page 25, Hydropower, REN21, published 2011, accessed 2016-02-19.
  3. "History of Hydropower". U.S. Department of Energy.
  4. "Hydroelectric Power". Water Encyclopedia.
  5. Association for Industrial Archaeology (1987). Industrial archaeology review, Volumes 10-11. Oxford University Press. p. 187.
  6. "Hydroelectric power - energy from falling water". Clara.net.
  7. The Evolution of the Flood Control Act of 1936, Joseph L. Arnold, United States Army Corps of Engineers, 1988 Archived 2007-08-23 at the Wayback Machine.
  8. The Book of Knowledge. Vol. Vol. 9 (1945 ed.). p. 3220. {{cite encyclopedia}}: |volume= has extra text (help); Missing or empty |title= (help)
  9. "Hoover Dam and Lake Mead". U.S. Bureau of Reclamation.
  10. http://www.iea.org/publications/freepublications/publication/hydropower_essentials.pdf
  11. "hydro electricity - explained". Archived from the original on 2012-12-28. Retrieved 2017-09-10.
  12. Pumped Storage, Explained Archived 2012-12-31 at the Wayback Machine.
  13. "Run-of-the-River Hydropower Goes With the Flow". Archived from the original on 2012-10-17. Retrieved 2017-09-10.
  14. "Energy Resources: Tidal power".
  15. Worldwatch Institute (January 2012). "Use and Capacity of Global Hydropower Increases".
  16. "Micro Hydro in the fight against poverty". Tve.org. Archived from the original on 2012-04-26. Retrieved 2012-07-22.
  17. "Pico Hydro Power". T4cd.org. Archived from the original on 2009-07-31. Retrieved 2010-07-16.
  18. Robert A. Huggins (1 September 2010). Energy Storage. Springer. p. 60. ISBN 978-1-4419-1023-3.
  19. Herbert Susskind; Chad J. Raseman (1970). Combined Hydroelectric Pumped Storage and Nuclear Power Generation. Brookhaven National Laboratory. p. 15.
  20. Bent Sørensen (2004). Renewable Energy: Its Physics, Engineering, Use, Environmental Impacts, Economy, and Planning Aspects. Academic Press. pp. 556–. ISBN 978-0-12-656153-1.
  21. Hydropower – A Way of Becoming Independent of Fossil Energy? Archived 28 May 2008 at the Wayback Machine.
  22. Lifecycle greenhouse gas emissions pg19
  23. Atkins, William (2003). "Hydroelectric Power". Water: Science and Issues. 2: 187–191.
  24. Robbins, Paul (2007). "Hydropower". Encyclopedia of Environment and Society. 3.
  25. "Briefing of World Commission on Dams". Internationalrivers.org. 2008-02-29. Archived from the original on 2008-09-13. Retrieved 2017-09-10.
  26. Patrick James, H Chansen (1998). "Teaching Case Studies in Reservoir Siltation and Catchment Erosion" (PDF). Great Britain: TEMPUS Publications. pp. 265–275. Archived from the original (PDF) on 2009-09-02.
  27. Șentürk, Fuat (1994). Hydraulics of dams and reservoirs (reference. ed.). Highlands Ranch, Colo.: Water Resources Publications. p. 375. ISBN 0-918334-80-2.
  28. http://ecolo.org/documents/documents_in_french/malpasset/malpasset.htm retrieved 02sep2015
  29. "Executive summary of Power sector, April 2017" (PDF). Archived from the original (PDF) on 28 March 2018. Retrieved 25 May 2017.
  30. "Renewable Energy Physical Progress as on 31-03-2016". Ministry of New & Renewable Energy, GoI. Retrieved 14 June 2017.
  31. "All India Installed Capacity of Utility Power Stations" (PDF). Archived from the original (PDF) on 14 February 2017. Retrieved 13 April 2016.
  32. "India remains major competitor in global hydropower". Archived from the original on 16 April 2016. Retrieved 17 April 2016.
  33. "Status of Hydro Electric Potential Development in India" (PDF). Archived from the original (PDF) on 9 May 2016. Retrieved 17 April 2016.
  34. "Hydropower - Too slow to be steady". Archived from the original on 10 June 2016. Retrieved 17 April 2016.
  35. "River basin wise hydro potential in India, CEA". Archived from the original on 3 September 2017. Retrieved 23 June 2017.
  36. "AN OVERVIEW OF HYDRO-ELECTRIC POWER PLANT (PDF Download Available)". ResearchGate (in ଇଂରାଜୀ). Retrieved 2017-02-21.
  37. "Pumped storage hydro power plant" (PDF). Archived from the original (PDF) on 7 July 2014. Retrieved 27 August 2014.
  38. [୧]
  39. [୨]

ଅନ୍ୟାନ୍ୟ ଲିଙ୍କ୍

[ସମ୍ପାଦନା]

ଛାଞ୍ଚ:Electricity generation ଛାଞ୍ଚ:Hydropower ଛାଞ୍ଚ:Energy country lists

ଆହୁରି ଦେଖନ୍ତୁ

[ସମ୍ପାଦନା]

ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।