ବିର୍ସା ମୁଣ୍ଡା

ଉଇକିପିଡ଼ିଆ ରୁ
(ବିପ୍ଲବୀ ବିର୍ସା ମୁଣ୍ଡା ରୁ ଲେଉଟି ଆସିଛି)
Jump to navigation Jump to search
ବିର୍ସା ମୁଣ୍ଡା
Birsa Munda, photograph in Roy (1912-72).JPG
ଜନ୍ମ ଓ ଜନ୍ମସ୍ଥାନ୧୫ ନଭେମ୍ବର ୧୮୭୫(1875-11-15)
ଉଲିହାଡୁ, ରାଞ୍ଚି ଜିଲ୍ଲା, ବିହାର[୧]
ମୃତ୍ୟୁ୯ ଜୁନ ୧୯୦୦ (୨୪ ବର୍ଷ)
ରାଞ୍ଚି ଜେଲ [୨]
ବାପା ବୋଉସୁଗନା ମୁଣ୍ଡା
କରମି ମୁଣ୍ଡା

ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଊନବିଂଶ ଶତାବ୍ଦୀରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏକାଠି କରି ଏକ ବଡ ଧରଣର ବିପ୍ଲବ ଆରମ୍ଭ କରିଥିଲେ । ୨୫ ବର୍ଷ ବୟସର ହେବା ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସେ ଏକ ନୂତନ ଫର୍ଦ୍ଦ ଯୋଡ଼ିସାରିଥିଲେ । ସେ ନିଜ ଗାଁ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ିବାକୁ ସଂଗଠିତ କରିପାରିଥିଲେ।

ପୂର୍ବପୁରୁଷ[ସମ୍ପାଦନା]

ମୁଣ୍ଡା ଏକ ଆଦିବାସୀ ସମ୍ପ୍ରଦାୟ। "ଟୁଟୁ" ଓ "ନାଗୁ" ନାମକ ଦୁଇଭାଇ ବିର୍ସା ମୁଣ୍ଡାଙ୍କ ପୂର୍ବପୁରୁଷ ଥିଲେ। ସେମାନେ ବିହାରର ରାଞ୍ଚି ନିକଟବର୍ତ୍ତୀ "ତୋମଦଗା" ନଦୀ କୂଳରେ ଘର କରି ରହିଥିଲେ। ପରେ ସେମାନଙ୍କ ନାମ ଅନୁସାରେ ସେହି ଜାଗାର ନାଁ "ଛୋଟନାଗପୁର" ହୋଇଥିଲା। ସେମାନଙ୍କ ବଂଶଧର ଥିଲେ ବିର୍ସା ଓ ତାଙ୍କ ପରିବାର।

ଜନ୍ମ[ସମ୍ପାଦନା]

୧୮୭୪ ମସିହା (କେତେକଙ୍କ ମତରେ ୧୮୭୫ ରେ) ନଭେମ୍ବର ମାସ ୧୫ ତାରିଖରେ ବିର୍ସା ଅଧୁନା ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଜିଲ୍ଲା ଖୁଣ୍ଟି ସବ୍-ଡିଭିଜନ୍ ଅନ୍ତର୍ଗତ "ବାମ୍ବା" ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ସୁଗନା ମୁଣ୍ଡା ଓ ମାତାଙ୍କ ନାମ ଥିଲା କରମୀ ମୁଣ୍ଡା।

ଶିକ୍ଷା[ସମ୍ପାଦନା]

ବିର୍ସା ମୁଣ୍ଡାଙ୍କର ବାଲ୍ୟ ଶିକ୍ଷା ସାଲଗାଠାରେ ଆରମ୍ଭ ହୋଇଥିଲା। ସେଠାରେ ତାଙ୍କର ଜଇପାଲ ନାଗଙ୍କ ସହ ସାକ୍ଷ୍ୟାତ ହୋଇଥିଲା। ସେ ତାଙ୍କଠାରୁ ମହାନ ଗ୍ରନ୍ଥ ରାମାୟଣ ଓ ମହାଭାରତର ବିଷୟବସ୍ତୁ ସଂପର୍କରେ ଅବଗତ ହୋଇଥିଲେ। ଏହାପରେ ସେ ବୁରୁଜ ପ୍ରାଇମେରୀ ସ୍କୁଲରେ ଅଧୟନ କରିବା ସହିତ ଚାଇଁବସାର ମିଶନ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ। ଏହି ସମୟରେ ସେ ଜର୍ମାନୀ ଶିକ୍ଷକ ଫାଦର୍ ଡେଡଲକ୍ ଓ ଫାଦର୍ ନୋଟ୍ରୋଟଙ୍କ ସଂସ୍ପର୍ଶରେ ଆସିଥିଲେ। ସରଳ ବିଶ୍ୱାସୀ ଆଦିବାସୀ ଭାଇଭଉଣୀମାନଙ୍କ ଉପରେ ଗୋରା ଶାସକମାନଙ୍କ ଅତ୍ୟାଚାର ଓ ଅମାନୁଷିକ ବ୍ୟବହାର ତାଙ୍କୁ ବିଶେଷ ଭାବେ ମର୍ମାହତ କରିଥିଲେ। ସେ ସ୍କୁଲ ପରିତ୍ୟାଗ କରି ଆନନ୍ଦ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କ ଘରେ ୧୮୯୦ରୁ ୧୮୯୪ ପର୍ଯ୍ୟନ୍ତ ଗୃହ ଚାକର ଭାବରେ କାମ କରିଥିଲେ ।

ଭାରତର ସ୍ୱାଧିନତା ସଂଗ୍ରାମରେ ଅବଦାନ[ସମ୍ପାଦନା]

ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା କେତେଜଣ ପୁଣ୍ୟାତ୍ମାଙ୍କ ଭିତରେ ଓଡ଼ିଶାର ବିର୍ସା ମୁଣ୍ଡା ଅନ୍ୟତମ। ଗୋରା ଶାସକମାନେ ସେବକ ପଟ୍ଟା ଲେଖାଇ ସରଳ ଗ୍ରାମବାସୀମାନଙ୍କୁ ଗୋତି ଓ ବେଠି ଖଟାଇବା ଓ ଧର୍ମାନ୍ତରଣ କରିବାପଇଁ ବାଧ୍ୟ କରୁଥିବାର ଦେଖି ସେ ସହି ପାରୁ ନ ଥିଲେ। ଚାଇଁବସା ମିଶନ୍ ସ୍କୁଲରେ ପାଠ ପଢୁଥିଲାବେଳେ ଗୋରା ପ୍ରଧାନ ଶିକ୍ଷକ ଆକ୍ରୋଶ ମୂଳକ ଭାବେ ବିର୍ସାଙ୍କୁ ଅମାନୁଷିକ ଭାବେ ଚାବୁକରେ ମାଡ଼ ମାରିଥିଲେ ଓ ସ୍କୁଲରୁ ବହିସ୍କାର କରି ଦେଇଥିଲେ। ସେହି ଦିନ ଠାରୁ ପାଠପଢାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ଫିରିଙ୍ଗି ଶାସନ କବଳରୁ ଓଡ଼ିଶାରୁ ମୁକ୍ତ କରିବାପାଇଁ ଅଣ୍ଟାଭିଡ଼ି ବାହାରି ପଡ଼ିଥିଲେ। ବଣେଇ, ଗୁରୁଣ୍ଡିଆ, କଳିପଶ ଆଦି ଗ୍ରାମର କୋହ୍ଲ, ଖତିଆର, ମୁଣ୍ଡା ଓ କିଷାନ୍ ଆଦିବାସୀମାନଙ୍କୁ ସେ ବ୍ରିଟିଶ୍ ଅତ୍ୟାଚାର ବିଷୟରେ ସଚେତନ କରିଥିଲେ। ସେବକପଟ୍ଟା ନ ଲେଖିବା, ଖଜଣା ନ ଦେବା ଓ ବନ୍ଧୁକ ମୁନକୁ ଡରି ଧର୍ମତ୍ୟାଗ ନ କରିବାକୁ ସେ ପ୍ରଚାର କରୁଥିଲେ। ତାଙ୍କ ନେତୃତ୍ୱରେ ଆଦିବାସୀମାନେ ଏକତ୍ରିତ ହୋଇ ଇଂରେଜମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିପ୍ଳବ କରିବାପାଇଁ ଆଗଭର ହେବାର ଦେଖି ଇଂରେଜ ଶାସକ ପ୍ରମାଦ ଗଣିଲେ। ୧୮୯୫ ମସିହା ଅଗଷ୍ଟ ୧୬ ଦିନ ପୋଲିସ୍ ଏସ୍.ପି. ମେୟରସ୍ ବିର୍ସା ଓ ତାଙ୍କର ୧୫ ଜଣ ସାଥିଙ୍କୁ ଗିରଫ କରିଥିଲେ। ଦେଶଦ୍ରୋହ ଅପରାଧରେ ତାଙ୍କୁ ଦୁଇବର୍ଷ କାରାଦଣ୍ଡ ଦିଆଗଲା। ଏଥିପାଇଁ ତାଙ୍କୁ ରାଞ୍ଚି ଜେଲ୍‌କୁ ପଠାଇ ଦିଆଗଲା।

ମହାରାଣୀ ଭିକ୍ଟୋରିଆଙ୍କ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଅନେକ କଏଦୀମାନଙ୍କୁ ମୁକ୍ତ କରି ଦିଆ ଯାଇଥିଲା। ଏମିତିରେ ବିର୍ସା ଓ ତାଙ୍କର ସହକର୍ମୀମାନେ ମଧ୍ୟ ମୁକ୍ତି ପାଇ ଯାଇଥିଲେ। ତାଙ୍କ ଆହ୍ୱାନରେ ଶହଶହ ଯୁବକ ନିଜ ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାପାଇଁ ଶପଥ ନେଲେ। ସେମାନେ ୧୮୯୯ ମସିହା ଡିସେମ୍ବର ୯ ତାରିଖ ଦିନ ନିଆଁହୁଳା, ଧନୁ ତୀର ଓ ବର୍ଚ୍ଛା ଧରି ଗୋରାମାନଙ୍କର ବାସଭବନ ଓ ଅଫିସ୍‌ରେ ନିଆଁ ଲଗାଇଦେଲେ। ସେମାନେ ସିଂହଭୂମି ଜିଲ୍ଲାର ପୋରହାଟରେ ଅଗ୍ନୀକାଣ୍ଡ ଘଟାଇଥିଲେ। ରାଞ୍ଚି ବିଚାରାଳୟ ଆକ୍ରମଣ କରୁଥିବା ସମୟରେ ସେମାନଙ୍କ ଭିତରୁ ୧୨ଜଣ ଶହୀଦ ହୋଇଥିଲେ। ବ୍ରିଟିଶ୍ ସରକାର ବିର୍ସାଙ୍କୁ ଧରାଇଦେଲେ ପାଞ୍ଚଶହ ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲେ। ତାଙ୍କର ସନ୍ଧାନ ନେବାପାଇଁ କନେଷ୍ଟବଳ ବୁଡୁରାମ ଓ ଜୟରାମଙ୍କୁ ଏଟିକେଡ଼ି ଗ୍ରାମକୁ ପଠାଗଲା। ବିର୍ସାଙ୍କର ମୁଖ୍ୟ ସହକର୍ମୀ ଗୟା ମୁଣ୍ଡା ଅନ୍ୟ ଗ୍ରାମବାସୀଙ୍କ ସହାୟତାରେ ୧୯୦୦ ମସିହା ଜାନୁଆରୀ ୧୫ ତାରିଖରେ ଏଇ କନେଷ୍ଟବଳଦ୍ୱୟଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେଇ ମିଃ ଷ୍ଟ୍ରିଟ୍ ଫିଲ୍ଡ ସଶସ୍ତ୍ର ପୋଲିସ୍ ବାହିନୀ ସହାୟତାରେ ଗୟା ମୁଣ୍ଡାଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ଭୀଷଣ ଅସ୍ତ୍ରାଘାତରେ ସେ ମୃତ୍ୟୁ ବରଣ କରିଥିଲେ।

ଏହା ପରେ ବିର୍ସାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଦମନଲୀଳାର ମୁଖ୍ୟକେନ୍ଦ୍ର ଖୁଣ୍ଟିଥାନାକୁ ନିଆଁ ଲଗାଇଦେଲେ, କନେଷ୍ଟବଳ ରଘୁରାମକୁ ହତ୍ୟାକଲେ ଓ ଅନ୍ୟ ପୁଲିସ୍‌ମାନଙ୍କୁ ଥାନା ଛାଡ଼ି ଚାଲିଯିବାକୁ ଧମକ ଦେଲେ। ଏହାର ପ୍ରତ୍ୟୁତ୍ତରରେ ୩୦୦ ଫୁଟ ଉଚ୍ଚା ଡୋମ୍ବରି ପାହାଡ଼, ଯେଉଁଠି ବିର୍ସା ଓ ତାଙ୍କ ସହକର୍ମୀ ନରସିଂହ ଅନ୍ୟ ସଂଗ୍ରାମୀମାନଙ୍କୁ ଉଦ୍‌ବୋଧନ ଦେଉଥିଲେ, ତାକୁ ଘେରିଗଲେ ଓ ଆତ୍ମସମର୍ପଣ କରିବାପାଇଁ ଘୋଷଣା କଲେ। ବିଦ୍ରୋହୀମାନେ ଏଥିରେ ରାଜି ନ ହୋଇ ପାହାଡ଼ ଉପରୁ ଧନୁତୀର, ବର୍ଚ୍ଛା ଓ ପଥରଦ୍ୱାରା ଇଂରେଜମାନଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଫଳତଃ ଇଂରେଜମାନଙ୍କ ତରଫରୁ ଗୁଳିଗୋଳା ମାଡ଼ରେ ନରସିଂହ ମୁଣ୍ଡାଙ୍କ ସମେତ ଦୁଇଶହ ବିଦ୍ରୋହୀ ଶହୀଦ୍ ହୋଇ ଯାଇଥିଲେ। ବିର୍ସା ଅଳ୍ପକେ ବଞ୍ଚିଯାଇ ଆତ୍ମ ଗୋପନପାଇଁ ଚକ୍ରଧରପୁର ଜଙ୍ଗଲକୁ ଚାଲିଗଲେ।

ସରକାର ବିର୍ସାଙ୍କ ସନ୍ଧାନ ନ ପାଇବାରୁ ମୁଣ୍ଡାମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କଲେ ଓ ସେମାନଙ୍କ ଘରେ ନିଆଁ ଲଗାଇଦେଲେ। ଏଥିରୁ ସେମାନଙ୍କୁ ରକ୍ଷା କରିବାପାଇଁ ତାଙ୍କ ସହକର୍ମୀ ଡେନକା ମୁଣ୍ଡା ଓ ମାଝିଆ ମୁଣ୍ଡା ସରକାରଙ୍କ ପାଖରେ ଆତ୍ମସମର୍ପଣ କଲେ, ଯେଉଁମାନଙ୍କୁ ପରବର୍ତ୍ତୀ ସମୟରେ ଦେଶରୁ ନିର୍ବାସିତ କରି ଦିଆଯାଇଥିଲା।

ତଥାପି ବିର୍ସାଙ୍କ ମନରେ ସ୍ୱାଧୀନତାର ଆଶା ମଉଳି ନ ଥିଲା। ସଂଗ୍ରାମକୁ ନୂଆରୂପ ଦେବାପାଇଁ ସେ ଓଡ଼ିଶା ଛାଡ଼ି ସିଂହଭୂମି ଜିଲ୍ଲାକୁ ଚାଲି ଯାଇଥିଲେ। ବିଶ୍ୱାସଘାତକ ଶଶୀଭୂଷଣ ରାୟ ଓ ମାଝିତା ମାରିଆ ୫୦୦ ଟଙ୍କା ଲୋଭରେ ବିର୍ସା ସେନ୍ତେରା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲୁଚିରହିଥିବାର ଖବର ଇଂରେଜ ସରକାରକୁ ଜଣାଇ ଦେଲେ। ୧୯୦୦ ମସିହା ମାର୍ଚ୍ଚ ୩ ତାରିଖରେ ତାଙ୍କୁ ଗିରଫକରି ରାଞ୍ଚି ଜେଲ୍‌କୁ ନିଆଗଲା। ଏହାଦେଖି ଶହ ଶହ ଅନୁଗାମୀ ତାଙ୍କ ସହ ଜେଲ୍ ଯିବାକୁ ବାହାରି ପଡ଼ିଲେ। ତେଣୁ ସୁରକ୍ଷା କାରଣରୁ ତାଙ୍କୁ ହଜାରିବାଗ ଜେଲ୍‌କୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିବା କାରଣରୁ ତାଙ୍କୁ ପୁଣି ରାଞ୍ଚି ଜେଲ୍‌କୁ ଅଣାଗଲା। ତାଙ୍କ ପାଦରେ କଡ଼ା ପିନ୍ଧାଇ ଦିଆଯାଇଥିଲା, ଅନେକ ପ୍ରକାରର ନିର୍ଯ୍ୟାତନା ଦିଆଯାଉଥିଲା ଓ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦିଆ ଯାଇଥିଲା। ଏସବୁର ମୂକସାକ୍ଷୀ ଥିଲେ ଜେଲ୍‌ର ଡାକ୍ତର ଅମୂଲ୍ୟ ଓ ମେହେନ୍ତର ଶିବନା। ତାଙ୍କ ଅପରାଧର ବିଚାରପାଇଁ ତାଙ୍କୁ ବିଚାରାଳୟକୁ ନିଆଯାଇଥିଲା। ଇଂରେଜମାନଙ୍କ ଭୟରେ ସେଠାରେ କେହି ତାଙ୍କ ସପକ୍ଷରେ ସାକ୍ଷ୍ୟ ଦେଇ ନ ଥିଲେ। ବିଚାରାଳୟ କୋଠରୀରେ ବିର୍ସା ପ୍ରଳାପ କରୁଥିବାର ଦେଖି ବିଚାରପତି ବିଚାରକୁ ସ୍ଥଗିତ ରଖି ତାଙ୍କୁ ପୁନଃ ଜେଲ୍‌କୁ ପଠାଇଦେଲେ। ମାତ୍ର ପଚିଶ ବର୍ଷ ବୟସ୍କ ବିଦ୍ରୋହୀ ବିର୍ସା ରାଞ୍ଚି ଜେଲ୍‌ରେ କଲବଲ ହୋଇ ୧୯୦୦ ମସିହା ଜୁନ୍ ୯ ତାରିଖ ଦିନ ଶେଷ ନିଃଶ୍ୱାସ ତ୍ୟାଗକଲେ।

ବିର୍ସାଙ୍କ ମୃତ୍ୟୁପରେ ତାଙ୍କର କିଛି ସହକର୍ମୀମାନଙ୍କୁ ନିର୍ବାସିତ କରି ଦିଆଗଲା ଓ କେତେକଙ୍କୁ ଫାସୀ ଦିଆଗଲା। ହଇଜାରେ ପଡ଼ି ବିର୍ସାଙ୍କ ମୃତ୍ୟୁ ହୋଇଛି ବୋଲି ଇଂରେଜଙ୍କ ଡରରେ ମିଥ୍ୟା ରିପୋର୍ଟ ଦେଇଥିବାରୁ ଡାକ୍ତର ଅମୂଲ୍ୟ ଚାକିରି ଛାଡ଼ିଦେଲେ ଓ ମେହେନ୍ତର ଶିବନା ବିର୍ସାଙ୍କ ମୃତ୍ୟୁକୁ ସ୍ୱୀକାର କରି ନ ପାରି ମାନସିକ ଭାରସାମ୍ୟ ହରାଇ ବସିଲେ। ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ ଯାହାଙ୍କର ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା।

ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୁର୍ବାଞ୍ଛଳର ଘଞ୍ଛ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଲବର ସ୍ୱର ଝଂକୃତ ହୋଇଥିଲା, 'ଆବୁଆ ରାଜା ଇତେ ଜାନା, ମହାରାନୀ ରାଜ ଟୁଡୁ ଜାନା' (ମହାରାଣୀଙ୍କ ସାମ୍ରାଜ୍ୟ ପତନ ହେଉ ଏବଂ ଆମ ସାମ୍ରାଜ୍ୟର ପ୍ରତିଷ୍ଠା ହେଉ), ତାହାହିଁ ଥିଲା ବ୍ରିଟିଶ୍ ରାଜ୍ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର। ଏହି ଅନ୍ଦୋଳନର ମୁଖ୍ୟ ସୂତ୍ରଧର ଥିଲେ ବିର୍ସା ମୁଣ୍ଡା।

ବ୍ରିଟିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ନିମନ୍ତେ ବିପ୍ଲବୀ ବିର୍ସା ମୁଣ୍ଡାମାନଙ୍କୁ ସଂଘଟିତ କରିବା ନିମନ୍ତେ କାର୍ଯ୍ୟପନ୍ଥା ଆରମ୍ଭ କଲେ। ସେତେବେଳେ ଜାଗିରିଦାର ,ଜମିଦାର ଓ ଠିକାଦାରମାନେ ମୁଣ୍ଡା ତଥା ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ବିଭିନ୍ନ ଭାବରେ ଶୋଷଣ କରୁଥିଲେ ଏବଂ ଭୟଭୀତ କରି ରଖିଥିଲେ। ଏହିଭଳି ଏକ ସନ୍ଧିକ୍ଷଣରେ ମହାନ୍ ବିପ୍ଲବୀ ତଥା ସ୍ୱାଧୀନଚେତା ବିର୍ସା ମୁଣ୍ଡାଙ୍କର ଆବିର୍ଭାବ ଘଟିଥିଲା। ସେ ମୁଣ୍ଡା ସମ୍ପ୍ରଦାୟର ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ବ୍ରିଟିଶ୍ ଶାସନର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ପ୍ରବର୍ତ୍ତାଇ ଥିଲେ।

ଆଧାର[ସମ୍ପାଦନା]

  1. "BIRSA MUNDA". indianpost.com. 2012. Retrieved 29 October 2012. born on 15th November, 1875 at Ulihatu, Ranchi District, Bihar.
  2. "THE 'ULGULAAN' OF 'DHARATI ABA' Birsa Munda". cipra.in. 2009. Retrieved 29 October 2012. He was lodged in Ranchi jail, for trial along with his 482 followers where he died on 9 June, 1900

ଅଧିକ ତଥ୍ୟ[ସମ୍ପାଦନା]

  • Birsa Munda - The Great Hero of the Tribals at Govt. of Orissa website.
  • ରଚନା ଶାଖା, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର
  • ଉତ୍କଳ ପ୍ରସଙ୍ଗ ନଭେମ୍ବର ୨୦୦୭