ବିଦ୍ୟୁତ୍-ଚୁମ୍ବକତ୍ଵ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ବିଦ୍ୟୁତ୍-ଚୁମ୍ଵକତ୍ଵ ବା ବିଦ୍ୟୁତ୍-ଚୁମ୍ଵକୀୟ ପ୍ରଭାବ ଭୌତିକ ବିଜ୍ଞାନର ଏକ ପ୍ରମୁଖ ଶାଖା । ବିଦ୍ୟୁତ୍-ଚୁମ୍ଵକୀୟ ବଳ ଓ ତାହାର ପ୍ରଭାବର ଅନୁଶୀଳନ ଏହି ଶାଖାର ଭିତ୍ତିଭୂମି । ବୈଦୁତିକ ଚାର୍ଜ୍ ବହନ କରୁଥିବା ବସ୍ତୁମାନଙ୍କ ମଧ୍ୟରେ ବଳ ସୃଷ୍ଟି ହୁଏ, ତାହାକୁ ବିଦ୍ୟୁତ୍-ଚୁମ୍ଵକୀୟ ବଳ ବୋଲି କୁହାଯାଏ । ବିଦ୍ୟୁତ୍-ଚୁମ୍ଵକୀୟ ବଳ, ବିଦ୍ୟୁତ୍-ଚୁମ୍ଵକୀୟ କ୍ଷେତ୍ର (ବୈଦୁତିକ କ୍ଷେତ୍ର, ଚୁମ୍ଵକୀୟ କ୍ଷେତ୍ର, ଆଲୋକ) ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଆଧୁନିକ ଭୌତିକ ବିଜ୍ଞାନରେ ବିଦ୍ୟୁତ୍-ଚୁମ୍ଵକୀୟ ବଳକୁ ପାରମାଣବିକ ବସ୍ତୁ (ଈଂରାଜୀରେ Atomic Particles)ଙ୍କ ମଧ୍ୟରେ ଥିବା ଏକ ମୌଳିକ ପାରସ୍ପରିକ ବଳ ଭାବେ ଗଣନା କରାଯାଏ । ସାଧାରଣତଃ ପାରମାଣବିକ ବସ୍ତୁମାନଙ୍କ ମଧ୍ୟରେ ଥିବା ୪ଟି ମୌଳିକ ପାରସ୍ପରିକ ବଳ ହେଲା: ଶକ୍ତିଶାଳୀ ବଳ (ଈଂରାଜୀରେ Strong Force), ଶକ୍ତିହୀନ ବଳ (ଈଂରାଜୀରେ Weak Force), ମହାକର୍ଷଣୀୟ (ଈଂରାଜୀରେ Gravitational) ଏବଂ ବିଦ୍ୟୁତ୍-ଚୁମ୍ଵକତ୍ଵ (ଈଂରାଜୀରେ Electro-Magnetic) । [୧]ବିଦ୍ୟୁତ୍-ଚୁମ୍ଵକତ୍ଵକୁ ବିଦ୍ୟୁତ୍-ଚୁମ୍ଵକୀୟ ବଳ (ଲୋରେଞ୍ଜ୍ ବଳ)ର ପ୍ରଭାବଦ୍ଵାରା ପରିପ୍ରକାଶ କରାଯାଏ । ବିଦ୍ୟୁତ୍-ଚୁମ୍ଵକୀୟ ବଳରେ ବୈଦୁତିକ ବଳ ଓ ଚୁମ୍ଵକତ୍ଵ ସମାହିତ ।

ବିଜୁଳି ମାରିଲେ ଦୁଇଟି ଚାର୍ଜିତ ସ୍ଥାନ ମଧ୍ୟରେ ବିଦ୍ୟୁତ୍ ପ୍ରବହିତ ହୁଏ

ପାରମ୍ପରିକ ଭୌତିକ ବିଜ୍ଞାନର ଅନୁସାରେ ବିଦ୍ୟୁତ୍ ଚାର୍ଜ୍ ଓ ବିଦ୍ୟୁତ୍ ବିଭବ ଯୋଗୁଁ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି ହୋଇଥାଏ । ମାଇକେଲ୍ ଫାରାଡ଼େଙ୍କ ନିୟମାନୁସାରେ ଚୁମ୍ଵକୀୟ କ୍ଷେତ୍ର, ବିଦ୍ୟୁତ୍-ଚୁମ୍ଵକୀୟ ଉପପାଦନ (ଈଂରାଜୀରେ Electromagnetic Induction) ଓ ଚୁମ୍ଵକତ୍ଵ ସହିତ ସମ୍ପୃକ୍ତ । ବୈଦୁତିକ କ୍ଷେତ୍ରରେ ଚାର୍ଜ୍ ଓ ପ୍ରବାହ, ଚୁମ୍ଵକୀୟ କ୍ଷେତ୍ର ପରସ୍ପରକୁ କିପରି ଭାବେ ପ୍ରଭାବିତ କରନ୍ତି ମାକ୍ସୱେଲଙ୍କ ସମୀକରଣରେ ଦର୍ଶିତ ହୋଇଛି ।  ବିଦ୍ୟୁତ୍-ଚୁମ୍ଵକତ୍ଵର ପରୀକ୍ଷଣଦ୍ଵାରା ଶୂନ୍ୟରେ ଆଲୋକର ବେଗ ନିରୂପିତ ହୋଇପାରିଲା ଓ ଏହା ଆଇନଷ୍ଟାଇନଙ୍କ ବିଶେଷ ଆପେକ୍ଷିକ ତତ୍ତ୍ଵର ଭିତ୍ତିଭୂମି । 

ଇତିହାସ[ସମ୍ପାଦନା]

ହାନ୍ସ୍ ଖ୍ରୀଷ୍ଟିୟାନ୍ ଓରଷ୍ଟେଡ୍

ପୂର୍ବେ ବିଜ୍ଞାନ ଜଗତରେ ବୈଦୁତିକ ପ୍ରଭାବ ଓ ଚୁମ୍ବକତ୍ଵ ଭିନ୍ନ ଭିନ୍ନ ବଳ ବୋଲି ଧାରଣା ଥିଲା । ୧୮୭୩ ମସିହାରେ ଜେମ୍ସ୍ କ୍ଲାର୍କ ମାକ୍ସୱେଲଙ୍କ ବିଦ୍ୟୁତ୍ ଓ ଚୁମ୍ଵକତ୍ଵ ସମ୍ଵନ୍ଧୀୟ ଲେଖ ପରେ ଏହି ଧାରଣା ବଦଳିଲା । ଯେତେବେଳେ ଯୁକ୍ତ ଚାର୍ଜ୍ ଓ ବିଯୁକ୍ତ ଚାର୍ଜ୍ ପରସ୍ପରର ପ୍ରଭାବରେ ଆସନ୍ତି ସେତେବେଳେ׃

୧. ବୈଦ୍ୟୁତିକ ଚାର୍ଜ୍ ପରସ୍ପରକୁ ଯେଉଁ ବଳଦ୍ଵାରା ଆକର୍ଷଣ ବା ବିକର୍ଷଣ କରନ୍ତି, ତାହା ସେମାନଙ୍କ ମଧ୍ୟବର୍ତ୍ତୀ ଦୂରତାର ବର୍ଗ ସହ ବିପରୀତତଃ ଅନୁପାତୀ ।  ସମଚାର୍ଜ୍ ପରସ୍ପରକୁ ବିକର୍ଷଣ ଓ ଅସମଚାର୍ଜ୍ ପରସ୍ପରକୁ ଆକର୍ଷଣ କରିଥାନ୍ତି । 

୨. ବୈଦ୍ୟୁତିକ ଚାର୍ଜ୍ଦ୍ଵାରା ସୃଷ୍ଟ ଚୁମ୍ଵକୀୟ ମେରୁ ପରସ୍ପରକୁ ଯେଉଁ ବଳଦ୍ଵାରା ଆକର୍ଷଣ ବା ବିକର୍ଷଣ କରନ୍ତି, ତାହା ସେମାନଙ୍କ ମଧ୍ୟବର୍ତ୍ତୀ ଦୂରତାର ବର୍ଗ ସହ ବିପରୀତତଃ ଅନୁପାତୀ ।

୩. ଏକ ତାରରେ ପ୍ରବାହିତ ବିଦ୍ୟୁତ୍ ସ୍ରୋତ ନିଜ ଚାରିପଟେ ଏକ ଚୁମ୍ଵକୀୟ କ୍ଷେତ୍ର ସୃଷ୍ଟି କରିଥାଏ । ବିଦ୍ୟୁତ୍ ପ୍ରବାହର ଦିଗ ଚୁମ୍ବକୀୟ କ୍ଷେତ୍ରର ଦିଗ ନିରୂପଣ କରିଥାଏ (ଏହାକୁ “ଡାହାଣ ହାତ ପାପୁଲି ନିୟମ” ମଧ୍ୟ କୁହନ୍ତି । ଡାହାଣ ହାତର ପାପୁଲିକୁ ଖୋଲାକରି ରଖାଯାଉ ଯେପରିକି ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଚାରି ଆଙ୍ଗୁଠି ପରସ୍ପର ପ୍ରତି ୯୦ ଡିଗ୍ରୀରେ ରହିବେ । ଯଦି ବୁଢ଼ା ଆଙ୍ଗୁଠି ତାରରେ ବିଦ୍ୟୁତ୍ ପ୍ରବାହର ଦିଗ ଦର୍ଶାଏ, ତେବେ ବାକି ଚାରି ଆଙ୍ଗୁଠି ମୁଠେଇ ଆଣିଲେ ଯେଉଁ ଦିଗ ନିରୂପଣ ହୁଏ ତାହା ଚୁମ୍ଵକୀୟ କ୍ଷେତ୍ରର ଦିଗ) ।

୪. ଏକ ତାର କୁଣ୍ଡଳୀକୁ ଚୁମ୍ଵକୀୟ କ୍ଷେତ୍ର ପାଖକୁ ବା ତା’ଠାରୁ ଦୂରକୁ ନେଲେ ସେଥିରେ ବିଦ୍ୟୁତ୍ ପ୍ରବାହ ହୋଇଥାଏ । ବିଦ୍ୟୁତ୍ ପ୍ରବାହର ଦିଗ ଚୁମ୍ବକ ଆଡକୁ ବା ତାହାଠାରୁ ଦୂରକୁ ଯାଉଥିବା ତାର କୁଣ୍ଡଳୀର ଗତିର ଦିଗ ଉପରେ ନିର୍ଭର କରେ ।

ଆଣ୍ଡ୍ରେ ମେରି ଆମ୍ପିୟର୍

 

ମାଇକେଲ୍ ଫାରାଡ଼େ

୧୮୨୦ ମସିହାରେ ହାନ୍ସ୍ ଖ୍ରୀଷ୍ଟିୟାନ୍ ଓରଷ୍ଟେଡ୍ ପରୀକ୍ଷା କରି ଦେଖିଥିଲେ ଯେ ସ୍ଵିଚ୍ ଖୋଲି ବା ବନ୍ଦ କରି, ଏକ ତାରରେ ବିଦ୍ୟୁତ୍ ପ୍ରବାହ ହେଲେ ତାହା ପାଖରେ ଥିବା ଏକ ଦିଗବାରେଣୀ ଯନ୍ତ୍ରର ସୂଚୀ ବିକ୍ଷେପିତ ହୋଇଥାଏ । ବିଦ୍ୟୁତ୍ ପ୍ରବାହ ହେଲେ ତା’ ଚାରିପଟେ ସୃଷ୍ଟି ହୋଇଥିବା ଚୁମ୍ଵକୀୟ କ୍ଷେତ୍ରର ପ୍ରଭାବରେ ଏପରି ହୋଇଥାଏ କିନ୍ତୁ ସେ ଏହି ବିକ୍ଷୟରେ ଆଉ ଅଧିକ ବିବରଣୀ ଦେଇପାରିଲେ ନାହିଁ । ପରେ ଅଧିକ ପରୀକ୍ଷା କରି ସେ ବୈଦ୍ୟୁତିକ କ୍ଷେତ୍ର ଓ ଚୁମ୍ଵକୀୟ କ୍ଷେତ୍ର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥିବା କଥା ପ୍ରକାଶ କରିଥିଲେ । ବିଦ୍ୟୁତ୍-ଚୁମ୍ଵକତ୍ଵ କ୍ଷେତ୍ରରେ ଅବଦାନ ପାଇଁ ତାଙ୍କରି ନାମରେ ବିଦ୍ୟୁତ୍-ଚୁମ୍ଵକୀୟ ଉପପାଦନର ମାତ୍ରକକୁ ନାମିତ କରାଯାଇଛି । ଆହୁରି ମଧ୍ୟ ତାଙ୍କ ଗବେଷଣାକୁ ବ୍ୟବହାର କରି ଆଣ୍ଡ୍ରେ ମେରି ଆମ୍ପିୟର୍ ବିଦ୍ୟୁତ୍ ପରିବାହକ ଓ ଚୁମ୍ଵକୀୟ ବଳ ମଧ୍ୟରେ ଗାଣିତିକ ସୂତ୍ରର ନିରୂପଣ କରିଥିଲେ । ଆମ୍ପିୟରଙ୍କ ନାମରେ ବିଦ୍ୟୁତ୍ ସ୍ରୋତର ମାତ୍ରକ ନାମିତ ହୋଇଅଛି ।

ଓରଷ୍ଟେଡଙ୍କ ଗବେଷଣା ଯୋଗୁଁ ପରବର୍ତ୍ତୀ ସମୟରେ ଏକକ ଶକ୍ତି ତତ୍ତ୍ଵ (ଈଂରାଜୀରେ Unified Concept of Energy)ର ସଂକଳ୍ପନା ସମ୍ଭବପର ହୋଇପାରିଲା । ପ୍ରଥମେ ମାଇକେଲ୍ ଫାରାଡ଼େ, ତା’ପରେ ମାକ୍ସୱେଲ୍, ପରବର୍ତ୍ତୀ ସମୟରେ ଓଲିଭର୍ ହିଭିସାଇଡ୍ ଓ ହାଇନରିଖ୍ ହର୍ଜ୍ଙ୍କ ଗବେଷଣା ଯୋଗୁଁ ଏକକ ଶକ୍ତି ତତ୍ତ୍ଵ ସମ୍ପୂର୍ଣ୍ଣ ଭାବେ ବିକଶିତ ହେଲା । ଏହାକୁ ଉନବିଂଶ ଶତାବ୍ଦୀରେ ଗାଣିତିକ ଭୌତିକ ବିଜ୍ଞାନର ଏକ ବୃହତ୍ ଉପଲବ୍ଧି ବୋଲି କୁହାଯାଇପାରେ ।  ଆଲୋକର ପ୍ରକୃତି କଣ ତାହା ଜାଣିବାରେ ଏହି ତତ୍ତ୍ଵ ସହାୟକ ହେଲା । ସେହି ସମୟରେ ପ୍ରସ୍ତାବିତ ବିଦ୍ୟୁତ୍-ଚୁମ୍ଵକତ୍ଵଠାରୁ ଏହା ଏକପଦ ଅଗ୍ରଗାମୀ ହୋଇ ଏକ ସାଧାରଣ ତତ୍ତ୍ଵର ବିକାଶ ହେଲା । ଆଲୋକ ଏବଂ ଅନ୍ୟ ବିଦ୍ୟୁତ୍-ଚୁମ୍ଵକୀୟ ତରଙ୍ଗ ପ୍ରମାତ୍ରିକ ରୂପ (ଈଂରାଜୀରେ Quantised Form) ଧାରଣ କରି ଫୋଟୋନ୍ (ଈଂରାଜୀରେ Photon) ନାମରେ ଅଭିହିତ ହୁଅନ୍ତି । ଏହି ଫୋଟୋନ୍ ଦୋଳାୟମାନ ବିଦ୍ୟୁତ୍-ଚୁମ୍ଵକୀୟ କ୍ଷେତ୍ରର ଏକ ଅବ୍ୟବସ୍ଥା ଓ ଏହା ଯେ କୌଣସି ମାଧ୍ୟମରେ ସ୍ଵତଃ ପ୍ରସାରିତ ହୋଇଥାଏ । ଏହି ଦୋଳନର ଆବୃତ୍ତି ବିଭିନ୍ନ ପ୍ରକାରର ବିଦ୍ୟୁତ୍-ଚୁମ୍ଵକୀୟ ବିକୀରଣର ସୂଚକ । ନିମ୍ନ ଆବୃତ୍ତିରେ ଏହା ରେଡିଓ ତରଙ୍ଗ, ମଧ୍ୟମ ଆବୃତ୍ତିରେ ଏହା ଆଲୋକ ଓ ଉଚ୍ଚ ଆବୃତ୍ତିରେ ଏହା ଗାମା କିରଣର ରୂପ ନେଇଥାଏ। 

୧୮୦୨ ମସିହାରେ ଜିଆନ୍ ଡୋମେନିକୋ ରୋମାଗ୍ନୋସି ନାମକ ଜଣେ ଈଟାଲୀୟ ନ୍ୟାୟଶାସ୍ତ୍ରବିତ୍ ଓରଷ୍ଟେଡଙ୍କ ଭଳି ପରୀକ୍ଷଣ କରି  ଦିଗବାରେଣୀ ଯନ୍ତ୍ରର ସୂଚୀ ବିକ୍ଷେପିତ ହେବା କଥା ପ୍ରକାଶ କରିଥିଲେ ଓ ଏକ ଈଟାଲୀୟ ସମ୍ବାଦ ପତ୍ର ଏହାକୁ ପ୍ରକାଶ କରିଥିଲା ।[୨] କିନ୍ତୁ ରୋମାଗ୍ନୋସି ବିଜ୍ଞାନ ସହ ଜଡିତ ନ ଥିବାରୁ ତାଙ୍କର ଏହି ପରୀକ୍ଷା ପ୍ରତି କେହି ବିଶେଷ ଧ୍ୟାନ ଦେଇନଥିଲେ । 

ମୌଳିକ ବଳସମୂହ[ସମ୍ପାଦନା]

ଆଧୁନିକ ଭୌତିକ ବିଜ୍ଞାନରେ ପାରମାଣବିକ ବସ୍ତୁମାନଙ୍କ ପ୍ରକୃତି ନିରୂପଣ କରିବା ପାଇଁ ଆଦର୍ଶ ମାନଦଣ୍ଡ (ଈଂରାଜୀରେ Standard Model) ଗଠନ କରାଯାଇଛି । ଏହି ମାନଦଣ୍ଡ ଅନୁସାରେ ବିଦ୍ୟୁତ୍-ଚୁମ୍ଵକୀୟ ବଳ ଚାରୋଟି ମୌଳିକ ବଳମାନଙ୍କ ମଧ୍ୟରୁ ଏକ । ଅନ୍ୟ ସବୁ ପ୍ରକାରର ବଳ ଏହି ବଳମାନଙ୍କଠାରୁ ହିଁ ଜାତ । ଏହି ଚାରି ପ୍ରକାରର ମୌଳିକ ବଳ ହେଲା: 

୧. ଶକ୍ତିହୀନ ନାଭିକୀୟ ବଳ (ଈଂରାଜୀରେ Weak Nuclear Forces): ଏହି ବଳ ସମସ୍ତ ପରମାଣୁ ମଧ୍ୟରେ ଥିବା ସମସ୍ତ ଅତିକ୍ଷୁଦ୍ର ବସ୍ତୁମାନଙ୍କୁ ବାନ୍ଧି ରଖିଥାଏ । ଅତିକ୍ଷୁଦ୍ର ବସ୍ତୁବିଜ୍ଞାନରେ ଏହି ବଳ ଓ ବିଦ୍ୟୁତ୍-ଚୁମ୍ଵକୀୟ ବଳର ଏକକ ସ୍ଵରୂପ ଶକ୍ତିହୀନ-ବିଦ୍ୟୁତ୍ ବଳ (ଈଂରାଜୀରେ Electroweak Interaction) ଭାବେ ଜଣାଯାଏ । 

୨. ଶକ୍ତିଶାଳୀ ନାଭିକୀୟ ବଳ (ଈଂରାଜୀରେ Strong Nuclear Forces): ଏହି ବଳର ପ୍ରଭାବରେ କ୍ଵାର୍କ୍ (ଈଂରାଜୀରେ Quark)ମାନେ ସମ୍ମିଳିତ ହୋଇ ନ୍ୟୁକ୍ଳିୟନ୍ (ଈଂରାଜୀରେ Nucleon) ଗଠିତ ହୁଏ ଓ ପୁଣି ନ୍ୟୁକ୍ଳିୟନ୍ ସମ୍ମିଳିତ ହୋଇ ପାରମାଣବିକ ନାଭି (ଈଂରାଜୀରେ Nucleus)ର ଗଠନ ହୁଏ ।  

୩. ମହାକର୍ଷଣୀୟ ବଳ (ଈଂରାଜୀରେ gravitational force)

୪. ବିଦ୍ୟୁତ୍-ଚୁମ୍ଵକୀୟ ବଳ: ଦୈନନ୍ଦିନ ଜୀବନର ଅନେକ ଘଟଣା ପାଇଁ ଏହି ବଳର ଭୂମିକା ରହିଛି । ସରଳ ଭାଷାରେ କହିବାକୁ ଗଲେ, ପାରମାଣବିକ ନାଭିର ଯୁକ୍ତ ଚାର୍ଜ୍ ଓ ଇଲେକ୍ଟ୍ରନ୍ ମାନଙ୍କ ବିଯୁକ୍ତ ଚାର୍ଜ୍ ଯୋଗୁଁ ଯେଉଁ ବିଦ୍ୟୁତ୍-ଚୁମ୍ଵକୀୟ ବଳ ସୃଷ୍ଟି ହୁଏ, ତାହା ଅଣୁମାନଙ୍କ ମଧ୍ୟରେ ଦେଖାଯାଉଥିବା ପରସ୍ପର କ୍ରିୟା ପାଇଁ ଦାୟୀ । ଏହି ବଳ ଅତିକ୍ଷୁଦ୍ର ବସ୍ତୁମାନଙ୍କର ସଂବେଗର କାରଣ ମଧ୍ୟ ଦର୍ଶାଇଥାଆନ୍ତି । ଆମ ଦେହର ଅଣୁ ଓ କୌଣସି ପଦାର୍ଥର ଅଣୁମାନଙ୍କ ମଧ୍ୟରେ କ୍ରିୟା-ପ୍ରତିକ୍ରିୟା ଯୋଗୁଁ ଆମେ ସେମାନଙ୍କ ପ୍ରକୃତ ସ୍ଵରୂପ ଅନୁଭବ କରିପାରୁ । ସମସ୍ତ ରାସାୟନିକ କ୍ରିୟା ପଛରେ ମଧ୍ୟ ଏହି ବଳର ଭୂମିକା ରହିଛି । 

ଇଲେକ୍ଟ୍ରନ୍ ମାନେ ଯେତେବେଳେ ପରସ୍ପରର ପ୍ରଭାବ କ୍ଷେତ୍ରରେ ଥିବା ପରମାଣୁମାନଙ୍କ ମଧ୍ୟରେ ଅଦଳ ବଦଳ ହୁଅନ୍ତି, ସେତେବେଳେ ସେମାନଙ୍କଠାରେ ସଂବେଗର ସୃଷ୍ଟି ହୁଏ । ଇଲେକ୍ଟ୍ରନ୍ ମାନଙ୍କ ଗତି ଯୋଗୁଁ ଜାତ ହେଉଥିବା ସଂବେଗ ପାରମାଣବିକ ଓ ଆଣବିକ ବଳର ଉତ୍ସ । ପଲିଙ୍କ ଏକାନ୍ତିକ ସିଦ୍ଧାନ୍ତ (ଈଂରାଜୀରେ Pauli’s Exclusion Principle) ଅନୁଯାୟୀ ଏକ ସୀମିତ ସ୍ଥାନରେ ଏକତ୍ରିତ ଇଲେକ୍ଟ୍ରନ୍ ମାନଙ୍କ ସଂବେଗରେ ବୃଦ୍ଧି ଘଟିଥାଏ ।  ଏପରିକି ବସ୍ତୁର ଘନତ୍ଵ ମଧ୍ୟ ଇଲେକ୍ଟ୍ରନ୍ ମାନଙ୍କ ସଂବେଗର ଅଦଳବଦଳରେ ସୃଷ୍ଟ ବଳ ଓ ସେମାନଙ୍କ ମଧ୍ୟରେ ଥିବା ବିଦ୍ୟୁତ୍-ଚୁମ୍ଵକୀୟ ବଳର ସନ୍ତୁଳନ ଉପରେ ନିର୍ଭର କରେ ।

ପାରମ୍ପରିକ ପରିଭାଷା[ସମ୍ପାଦନା]

୧୬୦୦ ମସିହାରେ ୱିଲିୟମ୍ ଗିଲବର୍ଟ୍ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଯେ ଉଭୟ ବୈଦୁତିକ ଶକ୍ତି ଓ ଚୁମ୍ଵକୀୟ ଶକ୍ତି ଯୋଗୁଁ ପଦାର୍ଥମାନଙ୍କ ମଧ୍ୟରେ ଆକର୍ଷଣ ଓ ବିକର୍ଷଣ ହୋଇଥାଏ । କିନ୍ତୁ ଦୁହେଁ ଭିନ୍ନ ଭିନ୍ନ ବଳ । ସେ କାଳରେ ସମୁଦ୍ରରେ ଯାତ୍ରା କରୁଥିବା ନାବିକମାନେ ଅନୁଧ୍ୟାନ କରିଥିଲେ ଯେ ବଜ୍ରପାତ ସମୟରେ ଦିଗବାରେଣୀ ଯନ୍ତ୍ରର ସୂଚୀ ବିକ୍ଷେପିତ ହୋଇଥାଏ । କିନ୍ତୁ ଏହାର କାରଣ କେହି ଜାଣି ନଥିଲେ । ୧୭୫୨ ମସିହାରେ ବେଞ୍ଜାମିନ୍ ଫ୍ରାଙ୍କଲିନ୍ଙ୍କ ପରୀକ୍ଷାପରେ ଜଣା ପଡ଼ିଲା ଯେ ବଜ୍ରପାତ ସମୟରେ ବିଦ୍ୟୁତ୍-ପ୍ରବାହ ହୋଇଥାଏ।  ୧୮୦୨ରେ ରୋମାଗ୍ନୋସି ପ୍ରଥମେ ଏହାର କାରଣ ଆକସ୍ମିକ ଭାବେ ଜାଣିପାରି ତାହା ପ୍ରକାଶ କଲେ । କିନ୍ତୁ ୧୮୨୦ରେ ଓରଷ୍ଟେଡ୍ ନିଜ ବୈଜ୍ଞାନିକ ପରୀକ୍ଷାଦ୍ଵାରା ଏହାକୁ ସର୍ବବିଦିତ କରାଇଲେ ।[୩] ତାଙ୍କ ଗବେଷଣାକୁ ବ୍ୟବହାର କରି ଆମ୍ପିୟର୍ ବିଦ୍ୟୁତ୍ ପରିବାହକ ଓ ଚୁମ୍ଵକୀୟ ବଳ ମଧ୍ୟରେ ଗାଣିତିକ ସୂତ୍ରର ନିରୂପଣ କରିଥିଲେ ।

୧୮୨୦ରୁ ୧୮୭୩ ମସିହା ମଧ୍ୟରେ ଏହି ତତ୍ତ୍ଵର ବିକାଶରେ ଅନେକ ବୈଜ୍ଞାନିକ ଭାଗୀ ହେଲେ । ସେହି ସମୟରେ ଜେମସ୍ କ୍ଲାର୍କ୍ ମାକ୍ସୱେଲ ସମସ୍ତ ଗବେଷଣାକୁ ଏକ ସୂତ୍ରରେ ବାନ୍ଧିବାରେ ସମର୍ଥ ହେଲେ ଓ ଆଲୋକର ବିଦ୍ୟୁତ୍-ଚୁମ୍ବକୀୟ ପ୍ରକୃତିର ଆବିଷ୍କାର କରିଥିଲେ । ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵରେ ବିଦ୍ୟୁତ୍-ଚୁମ୍ଵକୀୟ କ୍ଷେତ୍ରର ଗୁଣ ମାକ୍ସୱେଲଙ୍କ ସମୀକରଣଦ୍ଵାରା ଓ ବିଦ୍ୟୁତ୍-ଚୁମ୍ଵକୀୟ ବଳର ମାପ ଲୋରେଞ୍ଜ୍ ବଳ ନିୟମଦ୍ଵାରା ନିରୂପିତ ହୋଇଥାନ୍ତି । 

ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵର ପାରମ୍ପରିକ ଯାନ୍ତିକ ବିଜ୍ଞାନ ସହିତ ମତାନ୍ତର ରହିଛି । କିନ୍ତୁ ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵ ବିଶେଷ ଆପେକ୍ଷିକ ତତ୍ତ୍ଵକୁ ସମର୍ଥନ କରେ । ମାକ୍ସୱେଲଙ୍କ ସମୀକରଣ ଅନୁସାରେ ଶୂନ୍ୟରେ ଆଲୋକର ବେଗ ସ୍ଥିର ଓ ଅପରିବର୍ତ୍ତନୀୟ । ଏହା କେବଳ ଶୂନ୍ୟର ବୈଦୁତିକ ଅନୁଜ୍ଞତା ଓ ବିଶିଷ୍ଟ ଚୁମ୍ଵକଶୀଳତା ଉପରେ ନିର୍ଭରଶୀଳ । କିନ୍ତୁ ସେ ସମୟରେ ଅନେକ ଦିନରୁ ଭୌତିକ ବିଜ୍ଞାନର ଭିତ୍ତିଭୂମି ସାଜିଥିବା ଗାଲିଲିଓଙ୍କ ନିଶ୍ଚରତା ନିୟମକୁ ଏହା ବିରୋଧ କରୁଥିଲା ।  ଉଦାହରଣ ସ୍ଵରୂପ: ପାରମ୍ପରିକ ବିଜ୍ଞାନ ଅନୁସାରେ ଏକ ସ୍ଥିର ବା ଗତିଶୀଳ ଉତ୍ସରୁ ବାହାରୁଥିବା ଆଲୋକର ବେଗ ସମାନ ହୋଇପାରିବ ନାହିଁ । ତେଣୁ ପାରମ୍ପରିକ ବିଜ୍ଞାନର ସହମତି ପାଇଁ ଶୂନ୍ୟରେ ଇଥର୍ ନାମକ ଏକ ମାଧ୍ୟମ ରହିଛି ଏବଂ ଆଲୋକ ଇଥର୍ ମାଧ୍ୟମରେ ଗତି କରେ ବୋଲି କୁହାଗଲା । କିନ୍ତୁ ସେତେବେଳେ ହୋଇଥିବା ସମସ୍ତ ପରୀକ୍ଷାରୁ ଏହା ସତ୍ୟ ବୋଲି ପ୍ରମାଣିତ ହୋଇପାରିଲା ନାହିଁ । ହେଣ୍ଡେରିକ୍ ଲୋରେଞ୍ଜ୍ ଓ ହେନେରି ପୋଇନକେର୍ଙ୍କ ସହାୟତାରେ ୧୯୦୫ ମସିହାରେ ଆଇନ୍ ଷ୍ଟାଇନ୍ ବିଶେଷ ଆପେକ୍ଷିକ ତତ୍ତ୍ଵର ଆବିଷ୍କାର କଲେ ଓ ଏହି କାଳ୍ପନିକ ମାଧ୍ୟମ ଇଥର ସମ୍ଵନ୍ଧୀୟ ପ୍ରହେଳିକାର ଅନ୍ତ ହେଲା । ପାରମ୍ପରିକ ବିଦ୍ୟୁତ୍-ଚୁମ୍ବକତ୍ଵ ପାରମ୍ପରିକ ଯାନ୍ତ୍ରିକ ବିଜ୍ଞାନର ସମର୍ଥନ କଲାନାହିଁ କିନ୍ତୁ ବିଶେଷ ଆପେକ୍ଷିକ ତତ୍ତ୍ଵର ପରିଧୀରେ ଗୃହିତ ହେଲା ।  

ଆପେକ୍ଷିକ ତତ୍ତ୍ଵର ଏକ ସିଦ୍ଧାନ୍ତ ଅନୁସାରେ ଗତିଶୀଳ ପରିବେଶରେ ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ହୋଇ ସେଥିରେ ଏକ ବୈଦୁତିକ ଅଂଶର ଉଦ୍ଭବ ହୁଏ । ସେହିପରି ଗତିଶୀଳ ବୈଦୁତିକ କ୍ଷେତ୍ରରେ ଚୁମ୍ଵକୀୟ ପ୍ରକୃତି ଦେଖାଦିଏ । ତେଣୁ ବୈଦୁତିକ କ୍ଷେତ୍ର ଓ ଚୁମ୍ଵକୀୟ କ୍ଷେତ୍ର ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ନୁହେଁ, ବରଂ ଏକ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି । 

ଆଧୁନିକ ପରିଭାଷା[ସମ୍ପାଦନା]

୧୯୦୫ ମସିହାରେ ଆଇନ୍ ଷ୍ଟାଇନଙ୍କଦ୍ଵାରା ଲିଖିତ ଦ୍ଵିତୀୟ ନିବନ୍ଧରେ ସେ ପାରମ୍ପରିକ ବିଦ୍ୟୁତ୍-ଚୁମ୍ଵକତ୍ଵର ସତ୍ୟତା ଉପରେ ଅନେକ ପ୍ରଶ୍ନବାଚୀ ଉଠାଇଥିଲେ । ଆଇନ୍ ଷ୍ଟାଇନଙ୍କଦ୍ଵାରା ପ୍ରସ୍ତାବିତ ତତ୍ତ୍ଵରେ କୁହାଗଲା ଯେ ଆଲୋକ କେବଳ ଏକ ତରଙ୍ଗ ନୁହେଁ । ଏହାକୁ ଏକ କ୍ଷୁଦ୍ରକଣ ଭଳି ମଧ୍ୟ ଦେଖାଯାଇପାରେ । ଅର୍ଥାତ୍ ଆଲୋକରେ ସାଧାରଣ ପଦାର୍ଥ ପରି କେତେକ ଗୁଣ ରହିଛି । ଏହି କ୍ଷୁଦ୍ରକଣକୁ ପରବର୍ତ୍ତୀ ସମୟରେ ଫୋଟୋନ୍ କୁହାଗଲା । ଆଇନ୍ ଷ୍ଟାଇନଙ୍କ ଏହି ଆବିଷ୍କାର ପାଇଁ ତାଙ୍କୁ ନୋବେଲ୍ ପୁରସ୍କାରଦ୍ଵାରା ସମ୍ମାନିତ କରାଯାଇଥିଲା । ୧୯୦୦ ମସିହାରେ ମ୍ୟାକ୍ସ୍ ପ୍ଲାଙ୍କ୍ ଅତି-ବାଇଗଣି ରଶ୍ମୀର ପରୀକ୍ଷା କରି “ପ୍ରମାତ୍ର” (ଈଂରାଜୀରେ Quanta/Quantum) ଶବ୍ଦର ପ୍ରଚଳନ କଲେ । ତାପଯୁକ୍ତ ବସ୍ତୁରୁ ଭିନ୍ନ ଭିନ୍ନ କ୍ଷୁଦ୍ରାଂଶରେ ବିଦ୍ୟୁତ୍-ଚୁମ୍ଵକୀୟ ବିକୀରଣ ହୁଏ ବୋଲି ପ୍ଲାଙ୍କ୍ ପରୀକ୍ଷାଦ୍ଵାରା ଦର୍ଶାଇଲେ । ପାରମ୍ପରିକ ବିଜ୍ଞାନରେ କେବଳ ଏକ ପ୍ରକାରର ତରଙ୍ଗ ବୋଲି କୁହାଯାଉଥିବା ଆଲୋକର ଏକ ନୂଆ ରୂପ ସମ୍ପର୍କରେ ବିଶ୍ଵବାସୀ ଜାଣିପାରିଲେ ।  ଏହି ଦୁଇ ବୈଜ୍ଞାନିକଙ୍କ ତତ୍ତ୍ଵକୁ ଆଧାର କରି ୧୯୨୫ ମସିହାରେ ପ୍ରମାତ୍ର ଯାନ୍ତ୍ରିକୀ  (ଈଂରାଜୀରେ Quantum Mechanics) ଓ ପରବର୍ତ୍ତୀ ସମୟରେ ବିଦ୍ୟୁତ୍-ଚୁମ୍ଵକୀୟତାର ପ୍ରମାତ୍ର ତତ୍ତ୍ଵ (ଈଂରାଜୀରେ Quantum Theory of Electromagnetism) ଗଠିତ ହେଲା ।  

ପ୍ରମାତ୍ର ବିଦ୍ୟୁତଗତିବିଜ୍ଞାନ (Quantum Electrodynamics): ଆଧୁନିକ ବିଜ୍ଞାନରେ ପ୍ରମାତ୍ର ବିଦ୍ୟୁତଗତିବିଜ୍ଞାନ ମାକ୍ସୱେଲଙ୍କ ସମୀକରଣକୁ ଅତିକ୍ରମ କରି ଏକ ସଠିକ୍ ତଥ୍ୟ ପରିବେଷଣ କରିଥିବାରୁ ରିଚାର୍ଡ୍ ଫେମ୍ୟାନ୍ ଏହାକୁ “ଭୌତିକ ବିଜ୍ଞାନର ମଉଡମଣି” ବୋଲି କହିଛନ୍ତି । [୪]

ବିଦ୍ୟୁତ୍-ଚୁମ୍ବକୀୟ ମାତ୍ରକ[ସମ୍ପାଦନା]

ବିଦ୍ୟୁତ୍-ଚୁମ୍ବକତ୍ଵ କ୍ଷେତ୍ରରେ ବ୍ୟବହୃତ କେତେକ ସତ୍ତ୍ଵର ମାତ୍ରକମାନେ ହେଲେ

ବିଦ୍ୟୁତ୍-ଚୁମ୍ବକୀୟ ସତ୍ତ୍ଵ ମାତ୍ରକ
ବିଦ୍ୟୁତ୍ ସ୍ରୋତ ଆମ୍ପିୟର୍
ବିଦ୍ୟୁତିକ ଚାର୍ଜ୍ କୁଲମ୍
ଚୁମ୍ଵକୀୟ ପ୍ରବାହ ୱେବର୍
ଚୁମ୍ଵକୀୟ ପ୍ରବାହର ଘନତ୍ଵ ଟେସଲା
ବିଦ୍ୟୁତ୍ ବିଭବ ଭୋଲଟ୍

ଆଧାର[ସମ୍ପାଦନା]

  1. Ravaioli, Fawwaz T. Ulaby, Eric Michielssen, Umberto (୨୦୧୦). Fundamentals of applied electromagnetics (୬th ed.). Boston: Prentice Hall. p. ୧୩. ISBN ୯୭୮-୦-୧୩-୨୧୩୯୩୧-୧. 
  2. Martins, Roberto de Andrade. "Romagnosi and Volta's Pile: Early Difficulties in the Interpretation of Voltaic Electricity". In Fabio Bevilacqua and Lucio Fregonese (eds). Nuova Voltiana: Studies on Volta and his Times (PDF). vol. ୩. Università degli Studi di Pavia. pp. ୮୧–୧୦୨. Archived from the original (PDF) on ୨୦୧୩-୦୫-୩୦. Retrieved ୨୦୧୦-୧୨-୦୨. 
  3. Stern, Dr. David P.; Peredo, Mauricio (2001-11-25). "Magnetic Fields -- History". NASA Goddard Space Flight Center. Retrieved 2009-11-27. 
  4. Feynman, Richard (୧୯୮୫). QED: The Strange Theory of Light and Matter. Princeton University Press. ISBN ୯୭୮-୦-୬୯୧-୧୨୫୭୫-୬.