ତାପମାନ ଯନ୍ତ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜ୍ଵର ମାପିବା ନିମନ୍ତେ ବ୍ୟବହୃତ ପାରଦ ତାପମାନ ଯନ୍ତ୍ର
ସେଲସିୟସ ଓ ଫାରେନହାଇଟ ତାପମାନ ଯନ୍ତ୍ର

କୌଣସି ପଦାର୍ଥର ତାପମାତ୍ରା ମାପ କରିବା ପାଇଁ ଯେଉଁ ଉପକରଣ ବ୍ୟବହାର କରାଯାଏ ତାହାକୁ ଥର୍ମୋମିଟର ବା ତାପମାନ ଯନ୍ତ୍ର କୁହାଯାଏ । ତାପମାତ୍ରା ମାପ ପାଇଁ ଏବେ ବିଭିନ୍ନ ପ୍ରକାରର ତାପମାନ ଯନ୍ତ୍ର ବ୍ୟବହୃତ ହେଉଛି । ସର୍ବ ପ୍ରଥମେ ଇଟାଲିର ବୈଜ୍ଞାନିକ ଗାଲିଲିଓ ୧୫୯୩ ମସିହାରେ ଗୋଟିଏ ତାପମାନ ଯନ୍ତ୍ର ତିଆରି କରିଥିଲେ । ସେ ସେହି ତାପମାନ ଯନ୍ତ୍ରଟିରେ ଜଳ ବ୍ୟବହାର କରିଥିଲେ । ତାପମାତ୍ରା ବଦଳିଲେ କାଚନଳୀ ମଧ୍ୟରେ ଜଳର ଅବସ୍ଥିତି ବଦଳୁଥିଲା । ଏଥିରୁ ବସ୍ତୁର ତାପମାତ୍ରା ଜଣାପଡ଼ୁଥିଲା । ତେବେ ଏହି ତାପମାନଯନ୍ତ୍ରରେ କେତେକ ଅସୁବିଧା ରହିଲା । ତେଣୁ ଅଲଗା ତାପମାନ ଯନ୍ତ୍ର ତିଆରି ପାଇଁ ଚେଷ୍ଟା ଚାଲିଲା । ଅନ୍ୟଏକ ତାପମାନ ଯନ୍ତ୍ରରେ ପାରଦ ବ୍ୟବହାର କରାଯାଏ । ଏଥିରେ ଗୋଟିଏ ପାରଦ ଥଳି ରହିଥାଏ । ତା ସହିତ ଗୋଟିଏ ବନ୍ଦ ସରୁ କାଚନଳୀକୁ ଯୋଡ଼ି ଦିଆଯାଇଥାଏ । ସେହି ପାରଦ ଥଳିଟିକୁ କୌଣସି ବସ୍ତୁସହ ଲଗାଇଲେ କାଚନଳି ମଧ୍ୟରେ ପାରଦର ଉଚ୍ଚତା କମି ଯାଏ ବା ବଢ଼ିଯାଏ । କାଚନଳୀ ମଧ୍ୟରେ ପାରଦର ଉଚ୍ଚତାରୁ ସେହି ବସ୍ତୁର ତାପମାତ୍ରା ଜଣାପଡ଼େ ।

ତାପମାନ ଯନ୍ତ୍ରଟିକୁ ବରଫଗୁଣ୍ଡ ମଧ୍ୟ ବୁଡ଼ାଇ ରଖିଲେ କାଚନଳୀରେ ପାରଦର ସ୍ତମ୍ଭଟି ତଳକୁ ଖସି ଯେଉଁଠାରେ ରହେ ତାହାକୁ ଜଳର ହିମାଙ୍କ କୁହାଯାଏ । ସେହିପରି ତାପମାନ ଯନ୍ତ୍ରର ଅଗ୍ରକୁ ଫୁଟନ୍ତା ପାଣିରେ ବୁଡ଼ାଇ ରଖିଲେ ପାରଦ ସ୍ତମ୍ଭ ଉପରକୁ ଉଠି ଯେଉଁଠାରେ ରହେ ତାକୁ ଜଳର ସ୍ଫୁଟନାଙ୍କ କୁହାଯାଏ । ବିଭିନ୍ନ ପ୍ରକାର ତାପମାନ ଯନ୍ତ୍ରରେ ଜଳର ହିମାଙ୍କ ଓ ସ୍ଫୁଟନାଙ୍କ ଅଲଗା ଅଲଗା ହୋଇଥାଏ । ଏବେ ସାଧାରଣତଃ ଫାରେନହାଇଟ ଓ ସେଲ୍ସିଅସ୍ ତାପମାନ ଯନ୍ତ୍ର ବ୍ୟବହୃତ ହେଉଛି । ତେବେ, ଆମ ଦେଶରେ ସେଲସିୟସ ତାପମାନଯନ୍ତ୍ରର ବ୍ୟବହାର ଅଧିକ । ସୁଇଡେନର ଜ୍ୟୋତିର୍ବିଦ ଆଣ୍ଡରସ୍ ସେଲସିୟସ୍ ୧୭୪୨ ମସିହାରେ ଏହି ତାପମାନ ଯନ୍ତ୍ର ଉଦ୍ଭାବନ କରିଥିଲେ । ଏଥିରେ ଜଳର ହିମାଙ୍କ ହେଉଛି ୦ ସେ ଓ ସ୍ଫୁଟନାଙ୍କ ୧୦୦ସେ । ଜର୍ମାନୀର ପଦାର୍ଥ ବିଜ୍ଞାନୀ ଡାନିଏଲ୍ ଗାବି୍ରଏଲ୍ ଫାରେନହାଇଟ୍ ୧୭୨୪ ମସିହାରେ ଗୋଟିଏ ତାପମାନ ଯନ୍ତ୍ରର ଉଦ୍ଭାବନ କରିଥିଲେ । ଏହି ଫାରେନ୍ହାଇଟ୍ ତାପମାନ ଯନ୍ତ୍ରରେ ଜଳର ହିମାଙ୍କ ହେଉଛି ୩୨ ଫା. ଓ ଜଳର ସ୍ଫୁଟନାଙ୍କ ୨୧୨ ଫା. ହୋଇଥାଏ ।

ଏହି ଦୁଇ ପ୍ରକାରର ତାପମାନ ଯନ୍ତ୍ରକୁ ବାଦ ଦେଲେ କେଲଭିନ୍ ସ୍କେଲ ନାମରେ ଆଉ ଗୋଟିଏ ପ୍ରକାରର ତାପମାନ ଯନ୍ତ୍ର ରହିଛି । ଏହାକୁ ୱଲିୟମ ଥମସନ ବାହାର କରିଥିଲେ । ସେ ପରେ ଲର୍ଡ଼ କେଲଭିନ୍ ରୂପେ ପରିଚିତ ହେବାରୁ ଏହି ସ୍କେଲଟି ତାଙ୍କ ନାମ ଅନୁସାରେ କେଲ୍ଭିନ୍ ସ୍କେଲ ରୂପେ ପରିଚିତ ହେଲା । ଏହି ସ୍କେଲଟିରେ ଏକ ଡିଗ୍ରୀ ତାପମାତ୍ରା ସେଲ୍ସିୟସ ସ୍କେଲରେ ଏକ ଡିଗ୍ରୀ ତାପମାତ୍ରା ସହ ସମାନ । ମାତ୍ର ଏଥିରେ ଜଳର ହିମାଙ୍କ ୨୭୩ କେ. ଓ ଜଳର ସ୍ଫୁଟନାଙ୍କ ୩୭୩ କେ. ହୋଇଥାଏ । ଏଥିରେ ୦କେ. କୁ ପରମ ଶୂନ ତାପମାତ୍ରା ରୂପେ ନିଆଯାଇଛି । ଏହି ତାପମାତ୍ରା ହେଉଛି ସବୁଠାରୁ କମ୍ ତାପମାତ୍ରା ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]