ଉଇକିପିଡ଼ିଆ:ଜନ୍ମତିଥି ୯/ପ୍ରେସ ବିଜ୍ଞପ୍ତି

ଉଇକିପିଡ଼ିଆ‌ରୁ

ଇଂରାଜୀରେ ପଢ଼ନ୍ତୁ

ଓଡ଼ିଆ ଉଇକିପିଡ଼ିଆ ଏକ ମୁକ୍ତ ଜ୍ଞାନକୋଷ ଯାହା ସମସ୍ତ ଭାରତୀୟ ଭାଷାମାନଙ୍କ ମଧ୍ୟରେ ପ୍ରଥମେ ଆରମ୍ଭ ହୋଇଥିବା ଉଇକିପିଡ଼ିଆ ମାନଙ୍କ ମଧ୍ୟରେ ଅନ୍ୟତମ । ଜାନୁଆରୀ ୨୯ ତାରିଖରେ ଏହାର ନବମ ବାର୍ଷିକୀ ପାଳନ କରାଯାଉଛି । ୨୦୦୪ରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଏହି ଅନଲାଇନ ଜ୍ଞାନକୋଷର ପ୍ରଥମ ସମ୍ପାଦନା ୨୯ଜାନୁଆରୀ ୨୦୦୪ରେ ହୋଇଥିଲା । ଆଶ୍ଚର୍ଯ୍ୟର କଥା ଏହିକି ଯେ ଯେଉଁମାନେ ଉଇକିପିଡ଼ିଆ ନିୟମିତଭାବେ ବ୍ୟବହାର କରନ୍ତି ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ବ୍ୟବାହରକାରୀ ଜାଣିନଥାନ୍ତି ଯେ ପ୍ରକୃତରେ ଏହାକୁ କିଏ ଲେଖନ୍ତି ବା ସମ୍ପାଦନା କରନ୍ତି । ଯଦିଓ ଇଂରାଜୀ ଉଇକିପିଡ଼ିଆର ପାଠକ ସଂଖ୍ୟା ବହୁତ ଅଧିକ ୨୯୦ରୁ ଅଧିକ ଭାଷାରେ ଏବଂ ୨୦+ ଭାରତୀୟ ଭାଷାରେ ଉଇକିପିଡ଼ିଆ ଉପଲବ୍ଧ । ଏହା ଏକ ଖୋଲା ଜ୍ଞାନକୋଷ ଯାହାକୁ କେହି ବି ସମ୍ପାଦନା କରିପାରିବେ କିମ୍ବା ନୂଆ ତଥ୍ୟ ଯୋଡ଼ିପାରିବେ ।

ଯେତେବେଳକି ପୂର୍ବ ଓଡ଼ିଶାର ଅନେକେ କମ୍ପ୍ୟୁଟର ପାଠୁଆ ସିଲିକନ ଭ୍ୟାଲି ମୁହାଁଇଲେ ସେତେବେଳେ ସେମାନଙ୍କର ଓଡ଼ିଆ ଭାଷାସହ ସମ୍ବନ୍ଧ ଏବଂ ଭାଷାର ବ୍ୟବହାର ଧିରେ ଧିରେ କମି କମି ଆସିଲା । ଏହାର ପ୍ରଭାବ ଓଡ଼ିଆ ଉଇକିପିଡ଼ିଆ ଉପରେ ବି ପଡିଲା । ପ୍ରକଳ୍ପଟି ଅନେକ ଆଗରୁ ଆରମ୍ଭ ହୋଇଥିଲେ ହେଁ କିନ୍ତୁ ଧିରେ ଧିରେ ଏହାର ଅବନତି ଦେଖାଗଲା ଏବଂ ଦୀର୍ଘ ୬ ବର୍ଷ ପର୍ଯ୍ୟନ୍ତ ଏହା ଅବହେଳିତ ହୋଇପଡିରହିଲା । ୨୦୧୧ରେ ବେଙ୍ଗୁଲୁରୁରେ ରହୁଥିବା କିଛି ଉତ୍ସାହିତ ଓଡ଼ିଆ ଏହାର ପୁନରାରମ୍ଭ କଲେ । ସେହି ବର୍ଷ ଏପ୍ରିଲ ମାସରେ ପ୍ରଥମ କରି ଗୋଟେ କର୍ମଶାଳା ଭୁବନେଶ୍ଵରରେ କରାଯାଇଥିଲା । ସେହିଦିନଠାରୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ିନାହିଁ । ଅନେକ ସ୍ଵେଚ୍ଛାସେବୀ ଲେଖକମାନଙ୍କୁ ନେଇ ଓଡ଼ିଆ ଉଇକିପିଡ଼ିଆ ୫୫୦ ଲେଖାରୁ ଆଜି ୩୩୨୧ରୁ ଅଧିକ ଲେଖାରେ ପହଞ୍ଚିଛି । ଏପରିକି ୨୦୧୧ରେ ଉଇକିପିଡ଼ିଆ ପାଠକ ସଂଖ୍ୟା ମାସକୁ ୦.୭ ଲକ୍ଷରୁ ଆସି ୨୦୧୨ ମସିହା ଶେଷ ବେଳକୁ ୩.୯ଲକ୍ଷ୍ୟରେ ପହଞ୍ଚିଛି । ଏତେ କଷ୍ଟ କରି ଓଡ଼ିଆ ଟାଇପ କରିବା ଏବଂ ଉଇକିପିଡ଼ିଆରୁ କିଛି ଲାଭ ଆଶା ନକରି ବି ଏହି ଲେଖକମାନେ ଓଡ଼ିଆ ଉଇକିପିଡ଼ିଆରେ ଅବଦାନ କରିବାର ପ୍ରକୃତ କାରଣ କଣ ହୋଇପାରେ? ଉଇକିମିଡ଼ିଆ ଫାଉଣ୍ଡେସନର ଅନୁଦାନ ପ୍ରାପ୍ତ ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିର ପ୍ରୋଗ୍ରାମ ଅଫିସର ସୁଭାସିସ ପାଣିଗ୍ରାହି କହନ୍ତି, “ ଯେଉଁମାନେ ନିୟମିତଭାବେ ଉଇକିପିଡ଼ିଆରେ ଲେଖନ୍ତି ସେମାନଙ୍କ ପାଇଁ ଏହା ଏକ ନିଶା ପରି । ସେମାନେ ନିଜ ଭାଷା ପାଇଁ ସଦା ଜାଗ୍ରତ । ଅନଲାଇନ ସ୍ଥିତି ବିନା ଗୋଟେ ଭାରତୀୟ ଭାଷାର ଉନ୍ନତି ଅସମ୍ଭବ ଏବଂ ଉଇକିପିଡ଼ିଆ ଯାହାକି ସବୁଠୁ ବଡ ଅନଲାଇନ ଖୋଲା ଜ୍ଞାନକୋଷ, ପଞ୍ଚମ ଅଧିକ ଦେଖାଯାଉଥିବା ୱେବସାଇଟ ଏବଂ ମାଗଣା ସର୍ଭର ସେବା ଦାନକାରୀ ତେଣୁ ଏହା ଆମ ଭାଷା ଅବଦନକାରୀମାନଙ୍କ ପାଇଁ ଏହାକୁ ପ୍ରଦର୍ଶିତ କରିବାର ଶ୍ରେଷ୍ଠ ମଞ୍ଚ” ।

ଜଣେ ଅବସରପ୍ରାପ୍ତ ପ୍ରଫେସର ଡା. ସୁବାଷ ରାଉତ ଏହା କହନ୍ତି, "ଓଡ଼ିଆ ଉଇକିପିଡ଼ିଆରେ ଅନୁଦାନ କରୁଥିବା ଲୋକମାନେ ବିଭିନ୍ନ ବର୍ଗର, ବିଭିନ୍ନ ଅଞ୍ଚଳର ତଥାପି ସେମାନେ ମିଳିମିଶି ଗୋଟେ ମଞ୍ଚରେ ହିଁ ଲେଖନ୍ତି । ମୁଁ ଭୁବନେଶ୍ବରରେ ରହେ ଏବଂ ସକାଳୁ ରୋଗମାନଙ୍କ ଉପରେ ପ୍ରସଙ୍ଗ ଲେଖେ । ନାଲକୋନଗରରେ ରହୁଥିବା କିଏ ଜଣେ ସନ୍ଧ୍ୟାବେଳସୁଧା ମୋ ଲେଖାଟିରେ ଥିବା ଭୁଲ ଗୁଡ଼ିକୁ ସୁଧାରିଦିଏ ଦେଖିଲେ ଭାରି ମଜାଲାଗେ! ମୁଁ ପ୍ରକୃତରେ ମୋର ଅବସର ପରର ସମୟ ଉଇକିପିଡ଼ିଆରେ ଲେଖାଲେଖି କରି ଜୀବନ ଯାକ ସାଉଁଟିଥିବା ଜ୍ଞାନ ଦୁନିଆ ସହ ବାଣ୍ଟୁଛି ।” ଓଡ଼ିଆ ଉଇକିଆଳିଗଣ ସାରାଦେଶରେ ୨୦ରୁ ଅଧିକ କର୍ମଶାଳା ଆୟୋଜନ କରି ଅନେକ ଲୋକଙ୍କ ପାଖରେ ପହଞ୍ଚିପାରିଛନ୍ତି । ଗତ ଦୁଇବର୍ଷରେ ନିରବଚ୍ଛିନ୍ନ ଭାବେ ଅବଦାନ କରିଆସୁଥିବା ମୃତ୍ୟୁଞ୍ଜୟ କର କହନ୍ତି, “ଏହି ବର୍ଷ ଭାରତୀୟ ଗଣସଞ୍ଚାର ସଂସ୍ଥାନ, ଢେଙ୍କାନାଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଆମେ ଗୋଟିଏ ଉଇକିପିଡ଼ିଆ ଶିକ୍ଷା ପ୍ରକଳ୍ପ ଆରମ୍ଭ କରିଥିଲୁ ଯାହା କିଛି ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେମାନଙ୍କର ପାଠ୍ୟଖସଡ଼ାରେ ଅନ୍ତର୍ଭୁକ୍ତ ହେବ । "

ଓଡ଼ିଆ ଭାଷା ପାଇଁ ଏହି ବିଶେଷ ଅବଦାନ ନିମନ୍ତେ ଓଡ଼ିଆ ଉଇକିଆଳି ପରିବାର OdishaDiary.com.ଠାରୁ ଏ ବର୍ଷର ଯୁବପ୍ରତିଭା ପୁରସ୍କାର ପାଇଛନ୍ତି । ଓଡ଼ିଆ ଉଇକିପିଡ଼ିଆ ଅଧିକରୁ ଅଧିକ ପାଠକମାନଙ୍କ ପାଖରେ ପହଞ୍ଚିବା ଲକ୍ଷ ରଖିଛି ବିଶେଷ କରି ସେଇମାନଙ୍କ ପାଖରେ ଯେଉଁମାନେ ଓଡ଼ିଆ ଭାଷା ପାଇଁ କୌଣସି ବାଟରେ ବି କିଛି ଅବଦାନ କରିବାକୁ ଚାହୁଁଛନ୍ତି । ଦୁଇଜଣ ଛାତ୍ର ଶିତିକଣ୍ଠ ଦାସ ଏବଂ ଜ୍ଞାନରଞ୍ଜନ ସାହୁ କହନ୍ତି, “ଭବିଷ୍ୟତରେ ଆମେ ସରକାରଙ୍କ ପାଖରେ ଏହି ପ୍ରସ୍ତାବ ରଖିବାକୁ ଚେଷ୍ଟା କରୁଛୁ ଯେମିତିକି ଓଡ଼ିଆ ଉଇକିପିଡ଼ିଆ-ସମ୍ପାଦନାକୁ ବିଦ୍ୟାଳୟର ପାଠ୍ୟଖସଡ଼ାରେ ସାମିଲ କରାଯିବ ଯାହାଫଳରେ ଛାତ୍ରଛାତ୍ରୀମାନଙ୍କର ଉଇକିପିଡ଼ିଆରେ ଲେଖାଲେଖି ଏବଂ ଗବେଷଣା କରିବା କ୍ଷମତା ବଢିବ ଏବଂ ସେମାନେ ମଧ୍ୟ ଜ୍ଞାନ ବାଣ୍ଟିବାର ଏହି ଖୋଲାମଞ୍ଚରେ ସାମିଲ ହେବେ । ଓଡ଼ିଆ ଉଇକିପିଡ଼ିଆକୁ or.wikipedia.org ରେ ଦେଖିହେବ । କିଛି ସହାୟତା ପାଇଁ ବ୍ୟବହାରକାରୀମାନେ fb.com/groups/odiawiki ଦେଖିପାରିବେ ଏବଂ ପ୍ରଶ୍ନଥିଲେ ପଚାରିପାରିବେ ।