ଆଲଫ୍ରେଡ଼ ନୋବେଲ
ଆଲଫ୍ରେଡ ନୋବୋଲ | |
---|---|
ଜନ୍ମ | ଆଲଫ୍ରେଡ ବର୍ଣହାର୍ଡ ନୋବୋଲ ୨୧ ଅକ୍ଟୋବର ୧୮୩୩ |
ମୃତ୍ୟୁ | ୧୦ ଡିସେମ୍ବର ୧୮୯୬ | (ବୟସ ୬୩)
ନୋରା ବେଗ୍ରାବନିସ୍ପ୍ଲାଟସେନ, ଷ୍ଟକହୋମ 59°21′24.52″N 18°1′9.43″E / 59.3568111°N 18.0192861°E | |
ବୃତ୍ତି(ସମୂହ) | ରସାୟନବିତ୍, ଯନ୍ତ୍ରୀ, ଉଦ୍ଭାବକ, ଅସ୍ତ୍ରଶସ୍ତ୍ରାଦିର ଉତ୍ପାଦନକର୍ତା |
ପ୍ରସିଦ୍ଧି | ଡିନାମାଇଟର ଉଦ୍ଭାବକ, ନୋବେଲ ପୁରସ୍କାର |
ଦସ୍ତଖତ | |
ଆଲଫ୍ରେଡ ବର୍ଣ୍ଣାର୍ଡ ନୋବେଲ (ସ୍ୱେଡିସ ଉଚ୍ଚାରଣ: [ˈɑlfred noˈbɛl]) ହେଉଛନ୍ତି ଜଣେ ସ୍ୱେଡିସ ରସାୟନଶାସ୍ତ୍ରୀ, ଯନ୍ତ୍ରୀ ତଥା ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ । ସେ ବୋଫୋର୍ସ କମ୍ପାନୀର ପୂର୍ବତନ ମାଲିକଥିଲେ । ତାଙ୍କର ୩୫୦ରୁ ଅଧିକ ପ୍ୟାଟେଣ୍ଟ ରହିଛି ସେଥିମଧ୍ୟରୁ ଡିନାମାଇଟ୍ ହେଉଛି ସବୁଠାରୁ ପରିଚିତ ଉଦ୍ଭାବନ। ସେ ତାଙ୍କ ଜୀବନକାଳରେ ଆୟର ଅଧିକାଂଶ ନୋବେଲ ଏକାଡେମୀ ଗଠନରେ ଲଗାଇଦେଇଥିଲେ। ଆଧୁନିକ କମ୍ପାନୀ ଡାଇନାମାଇଟ ନୋବେଲ ଓ ଆକ୍ଜୋ ନୋବେଲ ହେଉଛନ୍ତି ନୋବେଲ ପ୍ରତିଷ୍ଠା କରିଥିବା କମ୍ପାନୀର ବଂଶଜ।
ବାଲ୍ୟଜୀବନ
[ସମ୍ପାଦନା]ଆଲ୍ଫ୍ରେଡ୍ ବର୍ଣ୍ଣହାଡ୍ ନୋବେଲ୍ (Alfred Bernhard Nobel, ୧୮୩୩–୧୮୯୬ ),ଇମାନୁଏଲ୍ ନୋବେଲ୍ ଓ ଆନ୍ଦ୍ରିତେ ଆଲ୍ସେଲ୍ ନୋବେଲ୍ ( Andritte Ahlsell Nobel )ଙ୍କର ତୃତୀୟ ପୁତ୍ର ଭାବେ ସ୍ୱିଡେନର ଷ୍ଟକ୍ହୋମ୍ ( Stockholm )ରେ ୨୧ ଅକ୍ଟୋବର ୧୮୩୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ଦାରିଦ୍ର୍ୟଗ୍ରସ୍ତ ତାଙ୍କ ବାପା ମାଆଙ୍କର ଆଠଟି ସନ୍ତାନ ଭିତରୁ ସେ ଓ ଅନ୍ୟ ତିନିଭାଇ ମିଶି ମୋଟ ଚାରିଜଣ ବଞ୍ଚିଥିଲେ। [୧] ତାଙ୍କ ବାପା ଯଦିଓ ଜଣେ ସ୍ୱେଡିସ ବୈଜ୍ଞାନିକ ଓଲସ ରୁଡବେକ (Olaus Rudbeck 1630–1702)ଙ୍କର ବଂଶଧର ଥିଲେ,[୨] ଏବଂ ତାଙ୍କ ପୁଅ ଇଞ୍ଜିନିୟରିଂ ଓ ବିଶେଷକରି ବିଷ୍ଫୋରକ ପଦାର୍ଥ ଉପରେ ଗବେଷଣା କରିବାକୁ ଚାହୁଁଥିଲେ, ତେଣୁ ଅତି କଞ୍ଚା ବୟସରୁ ସେ ନିଜ ବାପାଙ୍କଠାରୁ ଏ ସବୁର ମୌଳିକ ସିଦ୍ଧାନ୍ତ ଶିକ୍ଷା କରିଥିଲେ।
ବ୍ୟବସାୟରେ ପ୍ରଚୁର କ୍ଷତି ସହିବାପରେ ତାଙ୍କ ପିତା ୧୮୪୩ ମସିହାରେ ନିଜ ପରିବାର ସହିତ ସେଣ୍ଟ୍ପିଟର୍ସ୍ବର୍ଗ (ରୁଷିଆ)କୁ ଚାଲିଯାଇଥିଲେ। ସେଠାରେ ସେମାନଙ୍କ ପରିବାରର ଅବସ୍ଥା ଟିକେ ସ୍ୱଚ୍ଛଳ ହେଲା। ସେଠାରେ ତାଙ୍କ ବାପା (ଯେକି ଆଧୁନିକ ପ୍ଲାଇଉଡ୍ର ଉଦ୍ଭାବକ) ଟର୍ପେଡୋ ତିଆରି କାରଖାନା ଆରମ୍ଭ କରିଥିଲେ। .[୩] ପାରିବାରିକ ସ୍ୱଚ୍ଛଳତା ଆସିବାପରେ ତାଙ୍କ ପିତା ତାଙ୍କୁ ରସାୟନ ଶାସ୍ତ୍ର ତଥା ଇଂରାଜୀ, ଫ୍ରେଂଚ, ଜର୍ମାନ ଓ ଋଷିୟ ଭାଷା ଶିକ୍ଷା କରିବାପାଇଁ ଟିଉସନ ବ୍ୟବସ୍ଥା କରିଥିଲେ ଓ ୧୮ ମାସପାଇଁ ସେ ଷ୍ଟକହୋମର ଜାକବ୍ସ ଆପୋଲଜିଷ୍ଟିକ ସ୍କୁଲରେ ବିଦ୍ୟାଶିକ୍ଷା କରିବାର ସୁଯୋଗ ପାଇଥିଲେ। [୧]
ଆଲ୍ଫ୍ରେଡ୍ ତାଙ୍କ ପ୍ରଫେସର ନିକୋଲେ ନିକୋଲେଭିଚ୍ ଜେନିନ୍ (Nikolay Nikolaevich Zenin)ଙ୍କ ଅଧୀନରେ ରସାୟନ ଶାସ୍ତ୍ର ଅଧ୍ୟୟନ କଲେ। ୧୮ ବର୍ଷ ବୟସରେ ଆଲ୍ଫ୍ରେଡ୍ ଚାରିବର୍ଷ ପାଇଁ ରସାୟନ ଶାସ୍ତ୍ରରେ ଉଚ୍ଚତର ଅଧ୍ୟୟନ ପାଇଁ ଆମେରିକା ଗଲେ। ସେ ସେଠାରେ ଅଳ୍ପ କିଛିଦିନ ଜନ୍ ଏରିକ୍ ସନ୍ଙ୍କ ସହ କାର୍ଯ୍ୟକରିଥିଲେ। ଏରିକ୍ସନ୍ ଆମେରିକାନ୍ ଗୃହଯୁଦ୍ଧର ଲୈହାଚ୍ଛାଦିତ USS ମନିଟର୍ର ନକ୍ସା ପ୍ରସ୍ତୁତ କରୁଥିଲେ।[୧][୪]
ଗବେଷଣା
[ସମ୍ପାଦନା]୧୮୫୯ ମସିହାରେ ନୋବେଲ୍ଙ୍କ କାରଖାନା ତାଙ୍କ ଭାଇ ଲୁଡ୍ଭିଗ୍ ନୋବେଲ୍ଙ୍କଦ୍ୱାରା ପରିଚାଳିତ ହେଲା। ପାରିବାରିକ ବ୍ୟବସାୟର ଦେବାଳିଆ ଅବସ୍ଥାରେ ଆଲ୍ଫ୍ରେଡ୍ ପିତାଙ୍କ ସହିତ ସ୍ୱିଡେନ୍ ଫେରି ଆସିଲେ। ସେଠାରେ ସେ ବିସ୍ଫୋରକ ଉପରେ ଗବେଷଣା ଚଳାଇଲେ। ତାଙ୍କର ଜଣେ ଛାତ୍ରବନ୍ଧୁ ଆସାନିଓ ସୋବ୍ରେରୋ (Ascanio Sobrero) ୧୮୪୭ ମସିହାରେ ଟୁରିନୋ ବିଶ୍ୱବିଦ୍ୟାଳୟରେ ଥିଓଫିଲେ ଜୁଲସ୍ ପେଲୋଜ୍ (Theophile-Jules Pelouze)ଙ୍କ ତତ୍ତ୍ୱାବଧାନରେ ନାଇଟ୍ରୋଗ୍ଲିସେରିନ୍ ପ୍ରଥମେ ପ୍ରସ୍ତୁତ କରିଥିଲେ। ନାଇଟ୍ରୋଗ୍ଲିସେରିନ୍ ଖୁବ୍ଶୀଘ୍ର ବିସ୍ଫୋରିତ ହେଉଥିଲା। ତେଣୁ ଆଲ୍ଫ୍ରେଡ୍ ନାଇଟ୍ରୋଗ୍ଲିସେରିନ୍ର ନିରାପଦ ପ୍ରସ୍ତୁତି ଏବଂ ବ୍ୟବହାର ଉପରେ ଗବେଷଣା କଲେ । ୧୮୬୪ ମସିହା ସେପ୍ଟେମ୍ବର ୩ ତାରିଖରେ ତାଙ୍କର ଷ୍ଟକ୍ହୋମ୍ସ୍ଥ ହେଲେନ୍ ବର୍ଗ କାରଖାନାରେ ଏକ ଶକ୍ତିଶାଳୀ ବିସ୍ପୋରଣ ଘଟିଲା ଯେଉଁଥିରେ କି ତାଙ୍କ ଭାଇ ଏମିଲ୍ଙ୍କ ସହ ୫ ଜଣ ମୃତ୍ୟୁମୁଖରେ ପଡ଼ିଲେ । [୧]କିନ୍ତୁ ଆଲ୍ଫ୍ରେଡ୍ ନାଇଟ୍ରୋଗ୍ଲିସେରିନ୍କୁ ନିରାପଦ କରିବାକୁ ଗବେଷଣା ଚଳାଇଲେ।[୧]
ଡିନାମାଇଟ୍ର ଉଦ୍ଭାବନ
[ସମ୍ପାଦନା]ନୋବେଲ୍ ବୋଫର୍ସ୍ ଲୌହ କାରଖାନାର ମାଲିକାନାସ୍ୱତ୍ୱ ହାସଲ କରିବା ପରେ ଏହାକୁ କମାଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା କାରଖାନାରେ ପରିବର୍ତ୍ତିତ କରିଥିଲେ। ସେ ସ୍ୱିଡେନ୍ରେ ଜଣେ ନିର୍ମାଣକା ରୀ ଇଞ୍ଜି ନି ୟ ର୍ ଭାବେ ଅନେକ ବଡ଼ପୋଲ ଓ କୋଠାବାଡ଼ି ନିର୍ମାଣ କରିଥିଲେ ଏବଂ ଜଣେ ନିର୍ମାଣ ଇଞ୍ଜିନିୟର୍ ଭାବେ ସେ ପଥର ଫଟାଇବା ବା ଟନେଲ୍ ଓ ଖଣି ଖୋଳିବା ପାଇଁ ଏକ ନିରାପଦ ନୂତନ ବିସ୍ଫୋର କ ସମ୍ବନ୍ଧରେ ଗବେଷଣା ପ୍ରତି ଆକୃଷ୍ଟ ହୋଇଥିଲେ । ତେଣୁ ୧୮୬୦ ମସିହାରେ ସେ ନାଇଟ୍ରୋ ଗ୍ଲିସେରିନ୍ ଉପରେ ଗବେଷଣା ଆରମ୍ଭ କଲେ । ନାଇଟ୍ରୋଗ୍ଲିସେରିନ୍ ତର ଳ ଓ ଉଦ୍ବାୟୀ, ଏକଥା ଜାଣି ସେ ୧୮୬୬ ମସିହାରେ ନାଇଟ୍ରୋଗ୍ଲିସେରିନ୍ ସହିତ କିଛି ନିଷ୍କ୍ରିୟ ଶୋଷକ ପଦାର୍ଥ ( inert absorbent) ଯଥା :- କାଠମଣ୍ଡ, ଷ୍ଟାର୍ଚ ବା କରତଗୁଣ୍ଡ ମିଶାଇ ଡିନାମାଇଟ୍ ପ୍ରସ୍ତୁତ କଲେ। ଡିନାମାଇଟ୍ ଏକ ନମନୀୟ ପେଷ୍ଟ୍ ଆକାରରେ ପ୍ରସ୍ତୁତ ହେଲା। ଏହିପରି ଭାବେ ନୋବେଲ୍ ଡିନାମାଇଟ୍ର ଉଦ୍ଭାବନ କଲେ । ଡିନାମାଇଟ୍କୁ ସିଲିଣ୍ଡର ଆକାରରେ କରି ଖଣିରେ ବେଧନ ଯନ୍ତ୍ର ( drilling machine)ଦ୍ୱାରା କରାଯାଇଥିବା ଗର୍ତ୍ତରେ ଭର୍ତ୍ତି କରିବା ନାଇଟ୍ରୋଗ୍ଲିସେରିନ୍ ଅପେକ୍ଷା ଅଧିକ ସୁବିଧାଜନକ ହୋଇପାରିଲା । ୧୮୬୭ ମସି ହାରେ ଡିନାମାଇଟ୍ ଆମେରି କାରେ ପ୍ୟାଟେଣ୍ଟ୍ ହୋଇଥିଲା। ଡିନାମାଇଟ୍ ରଡ୍ର ବିସ୍ଫୋରଣ କରିବା ପାଇଁ ନୋବେଲ୍ ବ୍ଲାଷ୍ଟିଙ୍ଗ୍ କ୍ୟାପ୍ର ଉନ୍ନତି ସାଧନ କଲେ ଯାହା କି ଗୋଟିଏ ଫୁ୍ୟଜ୍କୁ ଅଗ୍ନି ସଂଯୋଗ କରି ବିସ୍ଫୋରଣ କରାଯାଇ ପାରିଲା । ଯେକୌଣସି ଶକ୍ତିଶାଳୀ ବିସ୍ଫୋରଣ ପାଇଁ "ବ୍ଲାଷ୍ଟିଙ୍ଗ୍ ଫିଉଜ" ବ୍ୟବହାର କରାଯାଏ। ବିସ୍ପୋରଣ ସୃଷ୍ଟି କରୁ ଥିବା ଫିଉଜ ଗୁଡ଼ିକରେ ସ୍ୱଳ୍ପ ଗ୍ୟାସ୍ବିଶିଷ୍ଟ ନଳୀରେ ଟି.ଏନ୍.ଟି. (ଟ୍ରାଇନାଇଟ୍ରୋଟଲୁଇନ୍))) ଭର୍ତ୍ତି କରାଯାଇଥାଏ, ଯାହାଦ୍ୱାରା ବିସ୍ଫୋରଣ ସ୍ଥଳଠାରୁ ବିସ୍ଫୋରଣ କରୁ ଥିବା ବ୍ୟକ୍ତି ନିରାପଦ ଦୂରରେ ରହିପାରିଲେ।
ଏହାପରେ ନୋବେଲ୍ ଡିନାମାଇଟ୍ର ଅନେକଗୁଡ଼ିଏ ପ୍ରକାର ବିସ୍ଫୋରକ ପ୍ରସ୍ତୁତ କଲେ, ଯଥା :-ଷ୍ଟ୍ରେଟ୍ ଡିନାମାଇଟ୍, ବ୍ଲାଷ୍ଟିଙ୍ଗ୍ ଜେଲାଟିନ୍ ଡିନାମାଇଟ୍ (ଏହା ଜେଲି ରୂପରେ ଥାଏ ଓ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥାଏ।) ଏହା ସବ୍ମେରିନ୍ ବିସ୍ଫୋରକ ଭାବେ ଏବଂ ଟନେଲ୍ ତିଆରି ଓ ପାଣିତଳେ ବିସ୍ଫୋରଣରେ ବ୍ୟବହୃତ ହେଲା।
୧୮୭୫ ମସିହାରେ ନୋବେଲ୍ ପ୍ୟାରିସ୍ରେ ବ୍ଲାଷ୍ଟିଙ୍ଗ୍ଜେଲାଟିନ୍ ଉଦ୍ଭାବନ କରିଥିଲେ ଯାହାକି ଡିନାମାଇଟ୍ଠାରୁ ଅଧିକ ଶକ୍ତିଶାଳୀ। ଏହା ୧୮୭୬ ମସିହାରେ ପ୍ୟାଟେଣ୍ଟ୍ ହେଲା। ୧୮୭୭ ମସିହାରେ ତାଙ୍କର ବ୍ଲାଷ୍ଟିଙ୍ଗ୍ ପାଉଡର୍ "ବାଲିସ୍ଟାଇଟ୍"କୁ ଫ୍ରାନସ୍ରେ ପ୍ୟାଟେଣ୍ଟ୍ କରାଯାଇଥିଲା। ଏହା ହେଉଛି ରକେଟ୍ ଇନ୍ଧନ ଭାବେ ବ୍ୟବହୃତ ଏକ ଧୂମହୀନ ବିସ୍ଫୋରକ ଚୂର୍ଣ୍ଣ (smokeless powder explosive used as rocket fuel)।
ସେ ରୟାଲ ସ୍ୱେଡିସ ଏକାଡେମୀ ଅଫ ସାଇନସେସର ସଦସ୍ୟ ଭାବେ ୧୮୮୪ରେ ନିର୍ବାଚିତ ହୋଇଥିଲେ ଏବଂ ଉପ୍ପସଲା ବିଶ୍ୱବିଦ୍ୟାଳୟରୁ ୧୮୯୩ରେ ସମ୍ମାନାର୍ଥ ଡକ୍ଟରେଟ ପଦବୀ ପାଇଥିଲେ।
ଜେଲିଗ୍ନାଇଟ୍ର ଆବିଷ୍କାର ଓ ଯନ୍ତ୍ରୀ ଜୀବନ
[ସମ୍ପାଦନା]ଜେଲିଗ୍ନାଇଟ୍ (Gelignite)ରେ ୬୫% ବ୍ଲାଷ୍ଟିଙ୍ଗ୍ ଜେଲାଟିନ୍ ଓ ୩୫% ଶୋଷକ ପଦାର୍ଥ ଥାଏ। ପାଣିତଳେ ବିସ୍ଫୋରଣ ପାଇଁ ଏହାକୁ ଶକ୍ତିଶାଳୀ ବିସ୍ଫୋରକ ଭାବରେ ବ୍ୟବହାର କରାଗଲା। ନାଇଟ୍ରୋଗ୍ଲିସେରିନ୍ ଓ ଡିନାମାଇଟ୍ ଉତ୍ପାଦନ କରିବା ପାଇଁ ନୋବେଲ୍ କଂପାନି ଅନେକ କାରଖାନା ପ୍ରତିଷ୍ଠା କଲେ। ୧୮୬୪ ମସିହାରେ ଆଲ୍ଫ୍ରେଡ୍ ଷ୍ଟକ୍ହୋମ୍ରେ "ନାଇଟ୍ରୋଗ୍ଲିସେରିନ୍ ଆଇ'ପ୍ରତିଷ୍ଠା କଲେ। ୧୮୬୫ ମସିହାରେ ସେ ଜର୍ମାନୀର ହାମ୍ବର୍ଗ୍ ନିକଟବର୍ତ୍ତୀ କ୍ରୁମେଲ୍ରେ "ଆଲ୍ଫ୍ରେଡ୍ ନୋବେଲ୍ ଏଣ୍ଡ୍ କଂପାନି" ପ୍ରତିଷ୍ଠା କରିଥିଲେ। ୧୮୬୬ରେ ଆମେରିକାରେ ୟୁନାଇଟେଡ୍ ଷ୍ଟେଟ୍ସ୍ ବ୍ଲାଷ୍ଟିଙ୍ଗ୍ ଅଏଲ୍ କଂପାନି ପ୍ରତିଷ୍ଠା କଲେ ଏବଂ ୧୮୭୦ ମସିହାରେ ସେ ଫ୍ରାନସ୍ର ପ୍ୟାରିସ୍ରେ ଡିନାମାଇଟ୍ କାରଖାନା ପ୍ରତିଷ୍ଠା କରିଥିଲେ। ଏହିପରି ଭାବରେ ଜର୍ମାନୀ,ଫ୍ରାନସ୍, ଆମେରିକା ଓ ଇଂଲଣ୍ଡରେ ପ୍ରତିଷ୍ଠା କରାଯାଇଥିବା କାରଖାନାରେ ପ୍ରଚୁର ପରିମାଣରେ ଡିନାମାଇଟ୍ ଉତ୍ପାଦନ କରାଗଲା ଏବଂ ବ୍ୟବହାର କରାଗଲା। ଆଲ୍ଫ୍ରେଡ୍ ନୋବେଲ୍ଙ୍କର ୩୫୫ଟି ପ୍ୟାଟେଣ୍ଟ୍ ବିଦ୍ୟୁତ ରସାୟନ, ଆଲୋକୀୟ ପଦାର୍ଥବିଦ୍ୟା, ପ୍ରାଣିବିଜ୍ଞାନ ଓ ଶରୀର ବିଜ୍ଞାନରେ ପଞ୍ଜୀକୃତ ହୋଇଥିଲା।
ଏହି ପରି ଭାବରେ ନିର୍ମାଣକାରୀ ଇଞ୍ଜିନିୟର୍ ଓ ରସାୟନବିତ୍ ଆଲ୍ଫ୍ରେଡ୍ ନୋବେଲ୍ ଏକ ଅତି ସମୃଦ୍ଧ ଶିଳ୍ପପତି ଭାବେ ଅଜସ୍ର ଅର୍ଥ ଓ ସଂପତ୍ତି ଲାଭକଲେ। ନୋବେଲ୍ ପ୍ରଥମଥର ଇଂଲଣ୍ଡ୍ର ସରେ ନିକଟ ରେଡହିଲ୍ ଖଣିରେ ଡିନାମାଇଟ୍ର ବିସ୍ଫୋରକ ଶକ୍ତି ଓ ନିରାପଦ ବ୍ୟବହାର ସୁବିଧା ପ୍ରଦର୍ଶନ କରିଥିଲେ। ଡିନାମାଇଟ୍ର ବହୁଳ ବ୍ୟବହାର ଫଳରେ ନୋବେଲ୍ ଖୁବ୍ ଧନୀ ହୋଇଗଲେ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଧନସଂପତ୍ତି ଅର୍ଜନ କରିବାର ପ୍ରଚେଷ୍ଟାରେ ନୋବେଲ୍ ଅବିବାହିତ ରହିଗଲେ, ଯଦିଓ ତାଙ୍କର ତିନିଜଣ ତରୁଣୀଙ୍କ ପ୍ରତି ଅଶେଷ ଦୁର୍ବଳତା ଥିଲା। ବାର୍ଥା ନାମ୍ନୀ ତାଙ୍କର ସେକ୍ରେଟାରିଙ୍କୁ ସେ ଅତିଶୟ ଭଲ ପାଉଥିଲେ। କିନ୍ତୁ ବାର୍ଥା ଅଳ୍ପ କିଛି ମାସ ପରେ ଆଲ୍ଫ୍ରେଡ୍କୁ ଛାଡ଼ି ତାଙ୍କର ପୂର୍ବତନ ପ୍ରେମିକ B.A.G. Von Suttenerଙ୍କୁ ବିବାହ କଲେ। ତେବେ ସେ ୧୮୯୬ରେ ନୋବେଲ୍ଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ସଙ୍ଗେ ଚିଠିପତ୍ର ଆଦାନ କରୁଥିଲେ। ସମ୍ଭବତଃ ଏଥିପାଇଁ ନୋବେଲ୍ ବାର୍ଥାଙ୍କଦ୍ୱାରା ପ୍ରଭାବିତ ହୋଇ ଶାନ୍ତି ପାଇଁ ନୋବେଲ୍ ପ୍ରାଇଜ୍ ଦେବାକୁ ତାଙ୍କ ଉଇଲ୍ରେ ବ୍ୟବସ୍ଥା କରିଥିଲେ ଏବଂ ବାର୍ଥା ଫନ୍ ସଟ୍ନର୍ ୧୯୦୫ ମସିହାରେ ଶାନ୍ତି ପାଇଁ ନୋବେଲ୍ ପ୍ରାଇଜ୍ ପାଇଥିଲେ।
ନୋବେଲ୍ ପ୍ରାଇଜ୍ର ପ୍ରେରଣା
[ସମ୍ପାଦନା]୧୮୮୮ ମସିହାରେ ଏକ ଅଭାବନୀୟ ଘଟଣା ଘଟିଲା ଯେଉଁଥିପାଇଁ ନୋବେଲ୍ ତାଙ୍କର ଅର୍ଜିତ ଧନକୁ ନୋବେଲ୍ ପୁରସ୍କାର ଦେବାରେ ନିୟୋଜିତ କରିବାକୁ ମନସ୍ଥ କଲେ। ୧୮୮୮ରେ
ନୋବେଲ୍ଙ୍କ ଭାଇ ଲୁଡ଼ଭିଗ କ୍ୟାନ୍ ପରିଦର୍ଶନ ବେଳେ ମୃତ୍ୟୁବରଣ କଲେ। ଏହି ସମୟରେ ଭୁଲ୍କ୍ରମେ ପ୍ୟାରିସ୍ର ଏକ ଖବର କାଗଜରେ ଆଲ୍ଫ୍ରେଡ୍ ନୋବେଲ୍ଙ୍କ ମୃତ୍ୟୁ ସମ୍ବାଦ ପ୍ରକାଶ ପାଇଲା। ଏହି ମୃତ୍ୟୁଲେଖ (obituary)ରେ ଆଲ୍ଫ୍ରେଡ୍ଙ୍କୁ "ମୃତ୍ୟୁର ବଣିକ" (Merchant of Death) ରୂପେ ବର୍ଣ୍ଣନା କରାଗଲା। ଏହି ସମ୍ବାଦରେ ଲେଖାଥିଲା "ଆଲ୍ଫ୍ରେଡ୍ ନୋବେଲ୍" ଅଧିକସଂଖ୍ୟକ ଲୋକଙ୍କୁ ଦ୍ରୁତତର ଭାବେ ମାରିବା ପାଇଁ ପଦାର୍ଥ ପ୍ରସ୍ତୁତକରି ଧନୀ ହୋଇଥିଲେ। ଏ ସମ୍ବାଦ ପଢ଼ିବା ପରେ ନୋବେଲ୍ ଅତିଶୟ ହତାଶ ଓ ବ୍ୟଥିତ ହୋଇ ପଡ଼ିଥିଲେ। ତାଙ୍କୁ ଲୋକେ କିପରି ଜଣେ ଜନ କଲ୍ୟାଣକାରୀ ଭାବେ ମନେରଖିବେ ସେ ବିଷୟ ଚିନ୍ତା କଲେ। ତେଣୁ ୧୮୯୫ ମସିହା ନଭେମ୍ବର ୨୭ ତାରିଖରେ ପ୍ୟାରିସ୍ର ସ୍ୱିଡିଶ୍ ନରବ଼େଜିଆନ୍ କ୍ଲବ୍ରେ ଶେଷ ଇଚ୍ଛାପତ୍ର ଲେଖି ତାଙ୍କର ଅଧିକାଂଶ ସଂପତ୍ତି "ନୋବେଲ୍ ଫାଉଣ୍ଡେସନ୍" ପ୍ରତିଷ୍ଠା ପାଇଁ ବ୍ୟୟ ହବା କଥା ଲେଖିଥିଲେ।
ଏଥିପାଇଁ ସେ ୩୧୨୨୫୦୦୦ ସ୍ୱିଡିଶ୍ କ୍ରୋନର୍ (୨୫୦ ମିଲିଅନ୍ ଆମେରିକାନ୍ ଡଲାର) ଏଣ୍ଡାଓମେଣ୍ଟ୍ ଫଣ୍ଡ୍ରେ ଜମା କରି ଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ଏହି ଫାଉଣ୍ଡେସନ୍ ତରଫରୁ ମାନବ କଲ୍ୟାଣ ପାଇଁ କାର୍ଯ୍ୟ କରୁ ଥିବା ବ୍ୟକ୍ତିମାନଙ୍କୁ ନୋବେଲ୍ ପ୍ରାଇଜ୍ଦ୍ୱାରା ସମ୍ମାନିତ କରାଯିବ । ତଦନୁଯାୟୀ ନୋବେଲ୍ ଫାଉଣ୍ଡେସନ୍ଦ୍ୱାରା ୧୯୦୧ ମସିହାଠାରୁ ପଦାର୍ଥବିଦ୍ୟା, ରସାୟନ ବିଦ୍ୟା ଓ ଶରୀର ବିଜ୍ଞାନ ବା ଭେଷଜ ବିଜ୍ଞାନ (Physiology or Medicine)ରେ ଏବଂ ସାହିତ୍ୟ ଓ ଶାନ୍ତି ପାଇଁ ନୋବେଲ୍ ପ୍ରାଇଜ୍ ଦିଆଗଲା । ପରବର୍ତ୍ତୀକାଳରେ ୧୯୬୯ ମସିହାଠାରୁ ଅର୍ଥନୀତିରେ ମଧ୍ୟ ନୋବେଲ୍ ପୁରସ୍କାର ଦେବା ଆରମ୍ଭ କରାଗଲା।[୫]
୧୮୯୧ରେ ତାଙ୍କ ମାଆ ଓ ଭାଇ ଲୁଡଭିଗଙ୍କ ମୃତ୍ୟୁପରେ ସେ ପ୍ୟାରିସରୁ ଇଟାଲି ଚାଲିଯାଇଥିଲେ। ଆଞ୍ଜାଇନାର ଶିକାର ହୋଇ ସେ ୧୮୯୬ରେ ନିଜ ଘରେ ମସ୍ତିସ୍କ ଆଘାତରୁ ମୃତ୍ୟୁବରଣ କରିଥିଲେ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Encyclopedia of Modern Europe: Europe 1789-1914: Encyclopedia of the Age of Industry and Empire, "Alfred Nobel", 2006 Thomson Gale.
- ↑ Schück, Henrik, Ragnar Sohlman, Anders Österling, Carl Gustaf Bernhard, the Nobel Foundation, and Wilhelm Odelberg, eds. Nobel: The Man and His Prizes. 1950. 3rd ed. Coordinating Ed., Wilhelm Odelberg. New York: American Elsevier Publishing Company, Inc., 1972, p. 14. ISBN 0-444-00117-4 (10). ISBN 978-0-444-00117-7 (13). (Originally published in Swedish as Nobelprisen 50 år: forskare, diktare, fredskämpar.)
- ↑ "The Man Who Made It Happen — Alfred Nobel". 3833. Archived from the original on 30 May 2014. Retrieved 3 May 2012.
- ↑ Carlisle, Rodney (2004). Scientific American Inventions and Discoveries, p. 256. John Wiley & Songs, Inc., New Jersey. ISBN 0-471-24410-4.
- ↑ 'ନୋବେଲ୍ ପ୍ରାଇଜ୍ର ଜନକ ଆଲଫ୍ରେଡ୍ ବର୍ଣ୍ଣହାର୍ଡ ନୋବେଲ୍', ପ୍ରଫେସର ବସନ୍ତ କୁମାର ମହାପାତ୍ର, ଓଡ଼ିଶା ବିଜ୍ଞାନ ଏକାଡେମୀଦ୍ୱାରା ପ୍ରକାଶିତ ପତ୍ରିକା "ବିଜ୍ଞାନ ଦିଗନ୍ତ", ଅକ୍ଟୋବର ୨୦୧୨ ସଂଖ୍ୟା